ଜୀବନର ପ୍ରତିଟି ସମୟ ଗୋଟିଏ ଗୋଟିଏ ଗଳ୍ପ । ଯାହା ଆମ ପାଇଁ ହେଇଥାଇ ପାରେ ଅତି ସାଧାରଣ କିନ୍ତୁ ଜଣେ ଗାଳ୍ପିକ କିମ୍ବା ଗାଳ୍ପିକା ପାଇଁ ସେ ଏକ ଭିନ୍ନ ରୂପ ଲାଭ କରିଥାଏ । ତା'ର ଚିନ୍ତା, ଚେତନା ଆଉ ଭାବନାରେ ସେହି ସାଧାରଣ ଘଟଣା ଅସାଧାରଣ ହୋଇ ଉଠେ ।
ତେବେ ଆମେ ଠିକ ଜାଣୁ ଆପଣଙ୍କ ଭିତରେ ମଧ୍ୟ ସେଇ ଗାଳ୍ପିକ ସତ୍ତାଟି ଲୁଚି ରହିଛି । ବର୍ତ୍ତମାନ ତାକୁ ପରିପ୍ରକାଶ କରିବାର ସମୟ । ତେଣୁ ଷ୍ଟୋରିମିରର୍ ଆପଣଙ୍କ ପାଇଁ ନେଇ ଆସିଛି ଏକ ଅଭିନବ ଗଳ୍ପ ଲିଖନ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆପଣ ନିମ୍ନ ଶୈଳୀ ଆଧାରରେ ମଧ୍ୟ ନିଜର ଗଳ୍ପ ପ୍ରସ୍ତୁତ କରିପାରିବେ ।
ଏହି ପ୍ରତିଯୋଗିତାରେ ଆମେ ଷ୍ଟୋରିମିରର୍ ମଞ୍ଚରେ ନିଜର ନିପୁଣତା ପ୍ରଦର୍ଶନ କରିଥିବା ଗାଳ୍ପିକମାନଙ୍କ ଠାରୁ ଏକ କ୍ଷୁଦ୍ର ଗଳ୍ପାଂଶ ସଂଗ୍ରହ କରିଅଛୁ । ଏହାକୁ ନିଜ ଗଳ୍ପରେ ବ୍ୟବହାର କରି ଆପଣଙ୍କୁ ଏକ ଗଳ୍ପ ପ୍ରସ୍ତୁତ କରିବାକୁ ପଡିବ । ଆହୁରି ମଧ୍ୟ ଏହି ଅଂଶ ଆପଣ ଗଳ୍ପର ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ । ଆମେ ଆଶା କରୁ ଏହା ଆପଣଙ୍କ ଗଳ୍ପ ଲିଖନ କ୍ଷେତ୍ରରେ ଆହୁରି ଉତ୍ସାହ ଯୋଗାଇବ ।
ଆପଣ ମାନେ ପ୍ରସ୍ତୁତ ତ ! ତେବେ ଆଉ ଡେରି କାହିଁକି ? ଆସନ୍ତୁ ଆଜିଠୁ ହିଁ ଆରମ୍ଭ କରିଦେବା ଆମ ଜୀବନର ସେହି ପ୍ରତିଟି ମୁହୂର୍ତ୍ତକୁ ଗଳ୍ପର ସ୍ୱରୂପ ପ୍ରଦାନ କରି ଷ୍ଟୋରିମିରର୍ ଦ୍ୱାରା ବିଶ୍ୱ ସମୁଦାୟଙ୍କ ସହ ବାଣ୍ଟିବାର ପ୍ରକ୍ରିୟା ।
ପ୍ରଦତ୍ତ ଗଳ୍ପାଂଶ ସମୂହ ଷ୍ଟୋରିମିରର୍ ର ବିଶିଷ୍ଟ ଏବଂ ବଳିଷ୍ଠ ଗାଳ୍ପିକ ଏବଂ ଗାଳ୍ପିକାଙ୍କ ଦ୍ୱାରା ପ୍ରଦତ୍ତ । ଯେଉଁମାନେ ଷ୍ଟୋରିମିରର୍ ଦ୍ୱାରା ଆୟୋଜିତ ଅନେକ ପ୍ରତିଯୋଗିତାରେ ନିଜର ଚମତ୍କାର ଗଳ୍ପ ଲିଖନ କୌଶଳର ପରିଚୟ ପ୍ରଦାନ କରିବା ସହ ଷ୍ଟୋରିମିରର୍ ସର୍ବଶ୍ରେଷ୍ଠ ଉପାଧି ଲିଟରେରି ବ୍ରିଗେଡ଼ିଅର୍ ଉପାଧିରେ ବିଭୂଷିତ । ଆପଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କୃତି ସବୁ ନିମ୍ନ ଲିଂକ ରୁ ପ୍ରାପ୍ତ କରିପାରିବେ ।
ବିସ୍ମିତା ସାହୁ - (https://storymirror.com/profile/6w5zh5pt/user/stories )
ବାଉରିବନ୍ଧୁ ଲେଙ୍କା - (https://storymirror.com/profile/lxmoh5cz/user/poems)
ଅଜୟ ମହଲା - (https://storymirror.com/profile/uuor3yew/user/poems)
ଚିନ୍ମୟୀ ବାରିକ - (https://storymirror.com/profile/bya0z8te/user/stories)
ଅରବିନ୍ଦ ରଥ - (https://storymirror.com/profile/dnlchhre/user/stories)
ଗଳ୍ପାଂଶ - ୧ ( ବିସ୍ମିତା ସାହୁଙ୍କ ଦ୍ୱାରା ପ୍ରଦତ୍ତ )
"ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ।"
କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା ।
ଗଳ୍ପାଂଶ - ୨ ( ବାଉରିବନ୍ଧୁ ଲେଙ୍କାଙ୍କ ଦ୍ୱାରା ପ୍ରଦତ୍ତ )
ରଘୁଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଟ । ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।
ଗଳ୍ପାଂଶ - ୩ ( ଅଜୟ ମହଲାଙ୍କ ଦ୍ୱାରା ପ୍ରଦତ୍ତ )
ସେଦିନ ମନ୍ଦିରାର ରେପ ହୋଇଥିଲା । ତା ବେହୋଶ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା ।
ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି । ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି । ଅଟୋରିକ୍ସା ତାଠୁଁ ପଇସା ମାଗି ନ ଥିଲା ।
ଗଳ୍ପାଂଶ - ୪ ( ଚିନ୍ମୟୀ ବାରିକଙ୍କ ଦ୍ୱାରା ପ୍ରଦତ୍ତ )
ଆଉ ତା'ପରେ ସକାଳର ସୂର୍ଯ୍ୟ କିରଣରେ ରାତିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା ।ସେ ଚାଲିଥିଲା ଏକମୁହାଁ ହୋଇ ସେହି ରାସ୍ତାରେ ଯେଉଁ ରାସ୍ତାରେ ଆଉ ତା'ଘର ଦେଇ ଫେରିବନି । ଛାଡ ହୋ..ସେ ସଂସ୍କୃତି ଓ ପରମ୍ପରାର କଥା, ଯାହା ନିଜ ଘର ଝିଅ ବୋହୂଙ୍କ ଦେହକୁ ସୁରକ୍ଷା ଦେଇପାରେନି ।ସେ ଭୂଲି ସାରିଥିଲା ସିନ୍ଦୂରର ମାହତ୍ମ୍ୟ, ଲକ୍ଷ୍ମୀ ପୁରାଣର ଗାଥା, ଆଈମା ର ରଜା ରାଣୀ କଥା ।ତା'ପାଖରେ ଦୁଇଟି କାମ ବାକି ଥିଲା । ପ୍ରଥମଟି ଲଣ୍ଡା ହେବା ଓ ଦ୍ୱତୀୟଟି କ୍ୟାରାଟି ଶିଖିବା ।
ଗଳ୍ପାଂଶ - ୫ ( ଅରବିନ୍ଦ ରଥଙ୍କ ଦ୍ୱାରା ପ୍ରଦତ୍ତ )
ବାପା, ତୁମେ ଅଟୋକୁ ଏହି ଯାଗାରେ ରଖ। ଗାଡିରୁ ବାହାରକୁ ବାହାରିବନି, ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସ୍ ରେ ମୋର ପ୍ରଥମଦିନ। ମୋ ସହ ବହୁତ ବଡବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାରରେ ନିଜ ବାପାମାଆଙ୍କ ସହ ଆସିଥିବେ ନିହାତି । ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ। ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ।
- ତୁ ଜମା ବ୍ଯସ୍ତ ହେବୁନି ରେ ମାଆ, ତୋ ବୁଢାବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ଯା ଆଜି ସଫଳ ହୋଇଛି, ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା !
ସେତିକି ବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ ଅଦୃଶ୍ଯ ହୋଇସାରିଥିଲା।
ନୀତିନିୟମ -
ପ୍ରଦତ୍ତ ଗଳ୍ପାଂଶର ବ୍ୟବହାର କରିବା ନିତାନ୍ତ ଆବଶ୍ୟକ ।
କାହାଣୀ ନିମନ୍ତେ ଆପଣଙ୍କୁ ନିଜର ଶୀର୍ଷରେ ପ୍ରଦାନ କରିବାକୁ ହେବ ।
କାହାଣୀ ନିମନ୍ତେ କୌଣସି ଶବ୍ଦ ସୀମା ନାହିଁ ।
ପ୍ରଦତ୍ତ ଶୈଳୀ ମଧ୍ୟରୁ ଲେଖକ ଯେକୌଣସି ଗୋଟିଏ କିମ୍ବା ସମସ୍ତ ଶୈଳୀକୁ ନେଇ ମଧ୍ୟ ନିଜର ଗଳ୍ପ ଉପସ୍ଥାପନ କରିପାରିବେ । କିନ୍ତୁ ଏ କ୍ଷେତ୍ରରେ ଗାଳ୍ପିକଙ୍କୁ ପାଞ୍ଚଟି ଭିନ୍ନ ଭିନ୍ନ ଗଳ୍ପ ପ୍ରସ୍ତୁତ କରିବାକୁ ହେବ ।
ଗଳ୍ପ ଶେଷରେ ଆପଣ କେଉଁ ଗାଳ୍ପିକଙ୍କର ଗଳ୍ପାଂଶକୁ ନେଇ ଗଳ୍ପ ପ୍ରସ୍ତୁତ କରିଛନ୍ତି ଏବଂ କାହିଁକି ଆପଣଙ୍କୁ ସେହି ଗଳ୍ପାଶ ଭଲ ଲାଗିଲା ସେହି ବିଷୟରେ ୩-୪ ଧାଡ଼ି ଭିତରେ ନିଜର ମନ୍ତବ୍ୟ ଦେବାକୁ ହେବ ।
ପ୍ରତିଯୋଗିତାର ଫଳାଫଳ ସମ୍ପାଦକଙ୍କ ମୂଲ୍ୟାଙ୍କନ, ପାଠକୀୟ ଆଦୃତି, ପସନ୍ଦ ତଥା ଗଳ୍ପାଂଶ ପ୍ରଦାନ କରିଥିବା ଗାଳ୍ପିକ ଗାଳ୍ପିକାଙ୍କ ମତାମତ ଆଧାରରେ ନିର୍ଣ୍ଣୟ କରାଯିବ ।
ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଦାଖଲ କରିବା ଗ୍ରହଣୀୟ ହେବ ।
https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।
ଦୟାକରି ନିଜର ମୌଳିକ କୃତି ହିଁ ପ୍ରସ୍ତୁତ କରନ୍ତୁ ।
ପୁରସ୍କାର -
ଶ୍ରେଷ୍ଠ ୩ ଜଣ ବିଜେତାଙ୍କୁ ପ୍ରମାଣପତ୍ର ସହ INR 500/- ଟଙ୍କାର ସପ ଭଉଚର ପ୍ରଦାନ କରାଯିବ ।
ଯେଉଁମାନେ ପାଞ୍ଚଟି ଗଳ୍ପାଂଶକୁ ନେଇ ସମୁଦାୟ ପାଞ୍ଚଟି ଗଳ୍ପ ପ୍ରସ୍ତୁତ କରିବେ ତାଙ୍କୁ INR 250/- ସପ ଭଉଚର ପ୍ରଦାନ କରାଯିବ ।
ଯେଉଁମାନେ ତିନୋଟି ଗଳ୍ପାଂଶକୁ ନେଇ ସମୁଦାୟ ତିନୋଟି ଗଳ୍ପ ପ୍ରସ୍ତୁତ କରିବେ ତାଙ୍କୁ INR 150/- ସପ ଭଉଚର ପ୍ରଦାନ କରାଯିବ ।
ସମସ୍ତ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ପ୍ରତିଯୋଗିତା ଅବଧି - ମାର୍ଚ୍ଚ ୦୧, ୨୦୨୦ ରୁ ମାର୍ଚ୍ଚ ୧୦, ୨୦୨୦
ଫଳାଫଳ - ମାର୍ଚ୍ଚ ୨୫, ୨୦୨୦
ଭାଷା - ଓଡ଼ିଆ
ସାହିତ୍ୟ ପ୍ରକାର - ଗଳ୍ପ
ସମ୍ପର୍କ - odia@storymirror.com / 8637256608