Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ମୋ ବୋଉ ସହ ପିଲାଦିନ

ମୋ ବୋଉ ସହ ପିଲାଦିନ

3 mins
3.8K


ସମୟ ସକାଳ ସାଢେ ନଅଟା।ଆଲାରାମ୍ ଘଣ୍ଟାଟା ଗର୍ଜିଉଠି ସୂଚେଇଦେଲା ମୋତେ ଅଫିସ୍ ବାହାରିବାକୁ।ଡାଇନିଂରେ ବସି ଅପେକ୍ଷା କଲି ସ୍ୱପ୍ନାର ସ୍ୱପ୍ରସ୍ତୁତ ସୁଆଦିଆ ଖାଦ୍ୟକୁ।ଡାକିଲି..ଏ ସ୍ୱପ୍ନା ସମୟ ହୋଇଗଲା ଯେ.. ଖାଇବାକୁ ଆଣ।ଗମ୍ଭୀର ଉତ୍ତର ଯାହା ପାଇଲି ତାହା କାନ ଶୁଣିବାକୁ ଚାହୁଁ ନ ଥିଲା। ମୁଁ ପରା ଡେରିରେ ଉଠିଲି...କିଛି ପ୍ରସ୍ତୁତ ହୋଇନି..ହୋଟେଲ୍ ରେ ଖାଇଦେବ।ଆଉ ଟିଫିନ୍ ହୋଇଛି ନେବା ପାଇଁ ?...ତା ଉତ୍ତରରେ ପାଇଲି.ଅଫିସ୍ ପିଅନ ହାତରେ ମଗେଇ ଖାଇନେବ..ମୁଁ କରିନି।କାନ୍ଥ ଘଣ୍ଟାକୁ ଚାହିଁଲି..ତା ଟିକ୍ ଟିକ୍ ଶବ୍ଦ ଯେମିତି ଆହ୍ୱାନ କରି କହୁଥିଲା ଠିକ୍ ସମୟରେ ଅଫିସ୍ ପହଞ୍ଚିବାକୁ।

ନିତିଦିନିଆ ପ୍ରିୟ ବାହାନ ହୁଣ୍ଡାଗାଡିଟାକୁ ଧରି ହେଲମେଟ୍ ଲଗାଇ ଚାଲିଲି..ଆଗକୁ॥ ମନେ ପଡିଲା ପିଲାଦିନ କଥା।ସ୍କୁଲ ପଢିଲା ବେଳେ ସକାଳ ନଅଟା ହେଲେ ମୋ ବୋଉ ମୋତେ ତରବର କରୁଥିଲା..କହୁଥିଲା ଶୀଘ୍ର ଗାଧୋଇ ଖାଅା।ଗାଧୋଇ ଆସିବା ପୂର୍ବରୁ ଆସନ ପକାଇ ଖାଇବା ଜିନିଷ ବାଢି ବସିଥାଏ ମୋତେ ଅନେଇ।ପାଖରେ ବସି ଖୁଆଇ ଦିଏ ବଳେଇ ବଳେଇ।ବ୍ୟାଗ୍ ଧରି ବାହାରିଲା ବେଳେ ସରାଗରେ ତିଆରି କରିଥିବା ତା ସୁଆଦିଆ ଜଳଖିଆ ଦେଇ କହେ..ଖାଇଦେବୁ ଧନ। ଏହା ଭିତରେ ପ୍ରଧାନ ହୋଟେଲ୍ ପାଖରେ ପହଞ୍ଚି ଦେଖିଲି ହାଉସ୍ ଫୁଲ୍,କେତେକ ବି, ଅପେକ୍ଷାରତ ଚେୟାର ପାଖରେ ବଗ ମାଛ ଜଗିଲାପରି।ଭାବିଲି ଅପେକ୍ଷା କଲେ ଅଫିସ୍ ଠିକ୍ ସମୟରେ ପହଞ୍ଚିପାରିବିନି।ମନେ ପଡିଲା ମୋ ବାପାଙ୍କ ପିଲାଦିନର ଉପଦେଶ-ଜଣେ ଅସମୟାନୁବର୍ତ୍ତୀ ଲୋକକୁ କେହି ସମ୍ମାନ ଦିଅନ୍ତି ନାହିଁ।ନୀତି ଆଦର୍ଶର ରାଜରାସ୍ତାରେ ଭାଳିଭାଳି ଚାଲିଲି..ପହଞ୍ଚିଗଲି ଅଫିସ୍ ରେ।ଅଫିସ୍ କାମରେ ନିଷ୍ଠାର ସହ ନିମଜ୍ଜିତ ହେଉହେଉ ଖାଇବା କଥା ପୁରା ଭୂଲିଗଲି।ଏ ଭିତରେ ଭୋକରେ ପେଟ କମ୍ପିଉଠିଲା,ମନେ ପଡିଲା ବୋଉର କଥା।ବାପାରେ ଖୋଲାପେଟ ରଖିବୁ ନାହିଁ..କେତେ ରୋଗ ମାଡିବସିବ...ପୁଣି ବି ତା କଥା ବାହାରର ଦୂଷିତ ଖାଦ୍ୟଠୁ ଯେତେ ଦୂରେଇ ରହିବୁ,ଦେହପାଇଁ ସେତେ ଭଲ।ପିଅନକୁ ଡାକି ପାଉରୁଟି ଓ ବିସ୍କୁଟ ମଗାଇଲି।ମଧ୍ୟାହ୍ନରେ ଖାଇ ପୁଣି କାମରେ ଲାଗିଲି।

ଅପରାହ୍ଣ ଚାରିଟା।ମନରେ ଅନେକ ଉତ୍କଣ୍ଠା ଘରେ ଶୀଘ୍ର ପହଞ୍ଚିବି ଆଉ ସ୍ୱପ୍ନା ଆଗ୍ରହରେ କରିଥିବା ଖାଦ୍ୟ ଖାଇବି।ବାଟରେ ଗାଡି ଚେକିଂ।ପହଞ୍ଚୁ ପହଞ୍ଚୁ ସାଢେ ପାଞ୍ଚ।ସଙ୍ଗେ ସଙ୍ଗେ ସ୍ୱପ୍ନାର ପ୍ରଶ୍ନ ବାଣ ମୋ ପାକସ୍ଥଳି ଓ ହୃତପିଣ୍ଡକୁ କ୍ଷତାକ୍ତ କରିଦେଲା।ତୁମର କ'ଣ ଏବେ ଅଫିସ୍ ଛୁଟି ହେଉଛି।କହିଥିଲି ଡେନିକ୍ସ ଓ ରୁପମ୍ କ୍ରିମ୍ ଆଣିଛ କି?ଜାଣିଛି ପରା, ଭୋଳାମନ, ଆଣି ନ ଥିବ।ପଚାରିଲି ଆରେ ସ୍ୱପ୍ନା ଖାଇବାକୁ ଆଣ।ଖୁବ୍ ଜୋର୍ ରେ ଭୋକ ଲାଗୁଛି ଯେ।ହୋଟେଲ୍ ରେ ଖାଇଥିବ..ପୁଣି ଏତେ ଭୋକ ହେଉଛି, ସ୍ୱପ୍ନାର ତୀକ୍ଷଣ କଥା ଗୁଡିକ ସତେ ଯେମିତି ବକ୍ଷ ବିଦାରିଦେଲା।ତରକାରୀଟା ହୋଇନାହିଁ..ଟିକେ ଶୋଇପଡିଥିଲି ତ?ମନେପଡିଲା ମୋ ପିଲାଦିନ ସ୍କୁଲ୍ ଫେରନ୍ତା ଘଟଣା।ସ୍କୁଲ୍ ଫେରିଲା ବେଳକୁ ମୋ ବୋଉ ଦୁଆର ମୁହଁରେ ଚାହିଁଥାଏ।ଆସିଲା ପରେ ଆସନ ପକାଇ, ଖାଇବା ବାଢି, ତରବର କରେ ଖାଇବାକୁ।କିଛି କଥା କହିବାକୁ ଆରମ୍ଭ କଲେ ସେ କହେ, ଆରେ ଆଗ ଖାଇଦେ ମୋ ଧନ..ଖାଇସାରିଲା ପରେ ଯାହା କହିବୁ।ଖାଉ ଖାଉ ତାଳକୁ ଉଠିଗଲେ ମୁଣ୍ଡ ପିଠି ଥାପୁଡେଇ ପାଣି ଗ୍ଲାସରେ ପାଣି ପିଆଇଦେଇ କେତେ ବ୍ୟସ୍ତ ହୋଇଯାଏ।ରାତିରେ ପାଠପଢୁଥିଲା ବେଳେ ଖାଇବାକୁ ଡାକେ..।ମୁଁ ଯେବେ କହେ ବୋଉ ଟିକେ ଯାଉ- ପରେ ଖାଇବି।କହେ ନାଁ ରେ ଖାଇସାରି ପଢ।ଖେଳୁ ଖେଳୁ ପାଣି ପି' ଆସାିଲେ ସେ କହେ, ଧନରେ କଦଳୀଟା ଖାଇଦେ...ଆତଟା ଖାଇଦେ...ମୋ ସାଥିରେ ଦି ଗୁଣ୍ଡା ଖାଇଦେ।ବୋଉ ଏବେ ପରା ଖାଇଥିଲି, ମୋ ପାଟିରୁ କଥା ଛଡେଇ କହେ ଆରେ...କେତେବେଳୁ ଖାଇଥିଲୁ..ଆଉ କ'ଣ ପେଟରେ ଥିବ..ଖାଇଦେ।

ବିଶ୍ଳେଷଣର ଅଭେଦ ଗଣିତଟା ଅସ୍ତବ୍ୟସ୍ତ କରୁଥାଏ ମୋ ମନକୁ।ତୁଳନା କରୁଥାଏ ଜନ୍ମକଲା ମା' ଆଉ ଆଧୁନିକ ପତ୍ନୀର ମଣିଷପଣିଆକୁ।ମନେପଡେ ମୋ ବୁଢୀମାର କଥା..ସନ୍ତାନର ପେଟର ଭୋକ କେବଳ ମା'ପରା ଜାଣିପାରେ?ଖନାବଚନ ବି କାନରେ କହେ; ମା' ଆଉଁସେ ପେଟ...ସ୍ତ୍ରୀ ଅଣ୍ଡାଳେ ପକେଟ।ଆନୁଗତ୍ୟ..କୃତଜ୍ଞତା...ମଣିଷପଣିଆର ସଂଜ୍ଞାମୁଁ ଖୋଜୁଥିଲି ମୋ ବିବେକର ଅଭିଧାନରେ।ଏ ସବୁକୁ ମୁଁ ବ୍ୟାଖ୍ୟା କରୁଥିଲି ମୋ ପିଲାଦିନର ବୋଉର ବାତ୍ସଲ୍ୟ ମମତାର ସ୍ମୃତି ପ୍ରବନ୍ଧରେ।ଏତିକି ଭିତରେ ଅଝଟିଆ ଆଖିରୁ ଅମାନିଆ ଲୁହ ଦି ଟୋପା ଗଡିଆସିଲା।ପୁଣି ଅନୁଭବ କଲି ମୋ ବୋଉର ଅନୁପସ୍ଥିତି।ସେ ଥିଲେ ଆଖି ଲୁହ ତା ପଣତକାନିକୁ ଭେଦି କେବେ କ'ଣ ଧରିତ୍ରୀମାତାକୁ ଓଦା କରିଥାନ୍ତା ??? କହିଲି ଫେରିଆସନ୍ତାକି ମୋ ପିଲାଦିନ..ମୋ ବୋଉର ହାତରନ୍ଧା ଖିଆ,ତା ଭିତରେ ଶୃଙ୍ଖଳା- ସଂସ୍କାର- ନୀତି- ଆଦର୍ଶ ଓ ପ୍ରେରଣା ମୋତେ ପୁନର୍ଜୀବନ ଦିଅନ୍ତା।

*ନାରାୟଣ ଚନ୍ଦ୍ର ସେନାପତି,ଶିକ୍ଷକ,ସରକାରୀ ଉ.ପ୍ରା.ବିଦ୍ୟାଳୟ ଡିମିରିଆ,ତେଲକୋଇ,କେନ୍ଦୁଝର,ପିନ୍-୭୫୮୦୧୯,ଯୋଗାଯୋଗ-୭୯୭୮୩୭୯୯୬୬।*


Rate this content
Log in