Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

3  

ଓଡିଆ ଶିଶୁ ଗପ

Children

ବିକ୍ରମ ବେତାଳ - ୪୨

ବିକ୍ରମ ବେତାଳ - ୪୨

6 mins
7.5K


ତିଳୋତମା ବିବାହ

କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ କରୁଛନ୍ତି ଦେଖି ଆସିବା ନିମିତ୍ତ ପଠାଇଲେ । ସେ ଦାସୀ ଫେରି ଆସି କହିଲା ମହାରାଜ ରାଣୀ ମା’ ଏକ ଫୁଲହାର ଗୁନ୍ଥୁଛନ୍ତି । ପୁନର୍ବାର ଶୁକକୁ ପଚାରିଲେ ତୁ ଏବେ କହ ସେ ଫୁଲ ମାଳା ଗୁନ୍ଥି କ’ଣ କରିବେ । ଶୁକ କହିଲା ତାଙ୍କର ଭଗ୍ନୀ ତିଳୋତମାର ବିଭାଘର । ରାଣୀ ଆଜି ରାତ୍ରିରେ ବିଭାଘରେ ଯୋଗଦାନ କରିବାକୁ ଯିବେ । ବିକ୍ରମାଦିତ୍ୟ କହିଲେ ବଡ ଅସମ୍ଭବ କଥା । ରାତ୍ରିକରେ ଯାଇ ଫେରି ଆସିବେ କିପରି । ପାଂଚଶହ କୋଶ ତାଙ୍କର ପିତା ଭୋଜରାଜଙ୍କର ରାଇଜ । ସେ କିପରି ଯିବେ । ଶୁକ କହିଲା ଏ ଯୋଗ୍ନୀମାନେ ଏକ ବୃକ୍ଷ ନେଇକରି ଆସିବେ । ସେ ବୃକ୍ଷରେ ବସି ରାଣୀ ତାଙ୍କ ପିତାଙ୍କ ଘରକୁ ଫେରି ଯିବେ । ବିକ୍ରମାଦିତ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍ ସେହି ସମୟ ବେଳକୁ ସୂର୍ଯ୍ୟ ଅସ୍ତ ହେଲେ । ବିକ୍ରମାଦିତ୍ୟ ବିଚାର କଲେ ଦେଖିବି ସେ କିପରି ଯିବେ । ବିକ୍ରମାଦିତ୍ୟ ନଗରକୁ ଯାଇ ଭାନୁମତୀଙ୍କୁ କହିଲେ ଖଣ୍ଡେ ବିଛଣା ପକାଇ ଦିଅ । ଆଳସ୍ୟ ଲାଗୁଛି । ଶୟନ କରିବି । ଭାନୁମତୀ ତ ସୁଯୋଗ ଖୋଜୁଥିଲେ, ବିଛଣା କରିଦେଲେ । ବିକ୍ରମାଦିତ୍ୟ ତହିଁରେ ଶୋଇଲେ । ରାଣୀ ଶୟନ କକ୍ଷରେ ପ୍ରବେଶି ତାଙ୍କର ପଦ ମଂଚାଳିଲେ । ମନରେ ଚିନ୍ତାକଲେ ସୁଯୋଗ ମିଳିଲା, ଏବେ ମୁଁ ଯାଇ ରାତିକ ମଧ୍ୟରେ ଫେରି ଆସିବି । କାଳେ ସେ ଜାଣିବେ ମୋ ମନରେ ଭୟ ଥିଲା । ଏହି ସମୟରେ ଯୋଗ୍ନୀଗଣ ବୃକ୍ଷଘେନି ଆସି ବୃକ୍ଷ ରଖି ଝରକା ଦ୍ୱାର ଦେଇ ଭାନୁମତୀଙ୍କୁ ଡାକିଲେ ।

ବିକ୍ରମାଦିତ୍ୟ ପଲଙ୍କ ଉପରେ ଲୁଗାଗୁଡିଏ ରଖି ମନୁଷ୍ୟ ଆକୃତି କରି ଘୋଡାଇ ଦେଇ ଆଗୁଆ ଚଢି ବୃକ୍ଷ ଡାଳରେ ବସିଗଲେ । ଭାନୁମତୀ ବୃକ୍ଷରେ ବସିବା ସଙ୍ଗେ ସଙ୍ଗେ ଯୋଗ୍ନିଗଣ ବୃକ୍ଷକୁ ଧରି ଚାଲିଗଲେ । ରାତ୍ର ପାଂଚଘଡିରେ ଭାନୁମତୀ ପିତାଙ୍କ ଆଳୟରେ ପହଁଚିଲେ । ଭୋଜରାଜଙ୍କର ପରିଚାରୀମାନେ ରାଣୀଙ୍କୁ ପାଛୋଟି ନେଲେ । ଭାନୁମତୀ ପିତାମାତାଙ୍କ ପାଖରେ ପହଁଚି ପ୍ରଣାମ କଲେ । ତିଳୋତମା ବିବାହ ନିମିତ୍ତ ଭୋଜରାଜ ବହୁତ ଆୟୋଜନ କରିଥିଲେ । ନାନା ରତ୍ନରେ ଘର ସୁନ୍ଦର ଦିଶୁଥିଲା । ଗୀତ, ନାଟ, ବାଦ୍ୟ ପରିବେଶଣ ସ୍ଥାନ ମାନଙ୍କରେ ବିବାହ ବେଦିକା ଅତି ଯତ୍ନରେ ନିର୍ମାଣ କରିଥିଲେ । ଭୁରିମଲ୍ଲ ରାଜପୁତ୍ରଙ୍କ ସଙ୍ଗରେ ତିଳୋତମାର ବିବାହ ହେବ । ବିକ୍ରମାଦିତ୍ୟ ରାଜା ନିଜ ମନ ମଧ୍ୟରେ ଶୁକକୁ ପ୍ରଶଂସା କଲେ । ମନ ମଧ୍ୟରେ ବିକ୍ରମାଦିତ୍ୟ ଚିନ୍ତାକଲେ ଶ୍ୱଶୁର ନିମନ୍ତ୍ରଣ ଦେଇ ନାହାଁନ୍ତି ଦେଖାକଲେ ତାଙ୍କୁ ଅପମାନ ହେବ । ଠିକ୍ ଏହି ସମୟରେ ବର ଆଗମନ କଲା । ଢୋଲ, ଶଙ୍ଖ, ଭେରୀ ତୁରୀ ଶବ୍ଦ ଶୁଣାଗଲା । ବାଦ୍ୟନାଦ ଘାତରେ ଭୋଜରାଜଙ୍କ କଟକ ଉଚ୍ଛୁଳି ଉଠିଲା । ବୃକ୍ଷଡାଳେ ରାଜା ବିକ୍ରମାଦିତ୍ୟ ଥିଲେ । ବୃକ୍ଷରୁ ଓହ୍ଲାଇବା ବେଳେ ଭୋଜରାଜଙ୍କର ଜଣେ ଚାର ତାଙ୍କୁ ଧରି ନେଇ ଭୋଜରାଜଙ୍କ ସମ୍ମୁଖରେ ଉପସ୍ଥିତ କରାଇ କହିଲା ମହାଭାଗ ଏ ବରକୁ ଟେକା ମାରୁଥିଲା । ବିକ୍ରମାଦିତ୍ୟ ଯେତେ ନେହୁରା ହେଉଥିଲେ ସୁଦ୍ଧା ସେ ତାଙ୍କ କଥା ଶୁଣିଲା ନାହିଁ । ଏବେ ଯାହା ଉଚିତ୍ ଦଣ୍ଡ ଏହାକୁ ଦିଅନ୍ତୁ ।

ରାଜା ଭୁରିମଲ୍ଲ ବିକ୍ରମାଦିତ୍ୟଙ୍କ ରୂପ ଦର୍ଶନ କରି ଚକିତ ହୋଇଗଲେ । ରାଜା ଚିନ୍ତାକଲେ ଏ ସାମାନ୍ୟ ଲୋକ ନୁହେଁ ରାଜ ଚକ୍ରବର୍ତୀ ଚିହ୍ନ ଏହାର ଗଳାରେ ରହିଛି । ବିକ୍ରମାଦିତ୍ୟଙ୍କର ବନ୍ଧନ ଖୋଲି ତାଙ୍କୁ ପଚାରିଲେ ସତ୍ୟ କରି ତୁମ୍ଭର ପରିଚୟ ପ୍ରଦାନ କର । ତବ ରୂପ ଶୋଭା ଦେଖି ମୋର ସ୍ନେହ ଜାତ ହେଉଛି । ମୋ ଚାକରମାନେ ତୁମ୍ଭଙ୍କୁ ଚିହ୍ନି ନପାରି ଦୋଷ କରିଛନ୍ତି । ବିକ୍ରମାଦିତ୍ୟ କହିଲେ କାନ୍ୟକୁବ୍ଜରେ ମୋର ଘର, ମୋ ନାମ ଜନାର୍ଦ୍ଦନ । ମୋର କେହି ନାହାଁନ୍ତି । ମୁଁ ଜଣେ ଅନାଥ । ବିବାହ ରୋଷଣୀ ମୁଁ ବୃକ୍ଷମୂଳରେ ବସି ଦେଖୁଥିଲି । ତୁମ୍ଭର ଲୋକେ ମୋତେ ଧରି ଆଣିଲେ । ରାଜା ଭୁରିମଲ୍ଲ କହିଲେ ସେ କଥା ଛାଡ । ତୁମେ ପ୍ରକୃତରେ ଜଣେ ମହାନ ବ୍ୟକ୍ତି, ମୋର ଗୋଟିଏ ଉପକାର କର ।

ବିକ୍ରମାଦିତ୍ୟ କହିଲେ ହେ ରାଜନ! ପ୍ରକୃତରେ ମୋଦ୍ୱାରା ଆପଣଙ୍କର ଯେବେ କିଛି ଉପକାର ହେବ ମୁଁ ବିନା ଦ୍ୱିଧାରେ କରିବି । ଭୁରିମଲ୍ଲ କହିଲେ ମୋର ପୁତ୍ର କୁଜା । ମୋ ପୁତ୍ରକୁ ନଦେଖି ରାଜା ବର କରିଛନ୍ତି । ତାଙ୍କର କନ୍ୟା ପରମ ରୂପବତୀ ସୁଲକ୍ଷଣୀ । ମୋ ପୁତ୍ରର କୁଜକୁ ଦେଖିଲେ ସେ ଦୁଖଃ କରିବେ। ତାହାକୁ ବରରୂପେ ରାଜପୁରେ ନେବାକୁ ମନ ହେଉ ନାହିଁ । ତୁମ୍ଭେ ବରବେଶ ହୋଇ ପାଲିଙ୍କିରେ ବସିଯାଅ । ତୁମ୍ଭଙ୍କୁ ଦେଖିଲେ ସେହି ରାଜା ଅତ୍ୟନ୍ତ ଖୁସିହେବେ । ବିବାହ ପରେ ମଧୁଶଯ୍ୟା ଗୃହରେ ତୁମେ ଥିବ, ମୋ ପୁଅ ଗଲେ ଚାଲି ଆସିବ । ମୋର ଏତିକି ଉପକାର କଲେ ମୋ ରାଜ୍ୟରୁ ପାଂଚଗୋଟି ଗ୍ରାମ ଦେବି । ବସ୍ତ୍ର ଅଳଙ୍କାର ବହୁତ ଦେବି । ତୁମ୍ଭର ଦରିଦ୍ରାବସ୍ଥା ରହିବ ନାହିଁ । ରାଜା ବିକ୍ରମାଦିତ୍ୟ ତହୁଁ ବରବେଶ ହୋଇ ପାଲିଙ୍କିରେ ବସିଲେ । ବିକ୍ରମାଦିତ୍ୟଙ୍କ ବରବେଶ ଦେଖି ଭୁରିମଲ୍ଲ ଆନନ୍ଦ ହେଲେ । ପଟୁଆର ରାଜନଗର ମଧ୍ୟକୁ ପ୍ରବେଶ କରନ୍ତେ ବର ଦେଖିବାକୁ ନଗ୍ରର ନରନାରୀମାନେ ଧାଇଁଲେ । ଅନ୍ତଃପୁରର ନାରୀମାନେ ଗବାକ୍ଷ ମାର୍ଗରେ ବରକୁ ଦେଖିଲେ । ଏବେ ରାଣୀ ଭାନୁମତୀ ଗବାକ୍ଷ ମାର୍ଗରେ ବରକୁ ଦେଖିଲେ । ମୋର ପତି କ’ଣ ବରବେଶ ହୋଇ ଆସିଲେ କି? ପୁଣି ଭଉଣୀ ସ୍ନେହରେ କହିଲେ ସେ ତ ଶୋଇଥିଲେ ସେ ଆସିବେ କାହିଁକି? ତିଳୋତମା ବଡ ଭାଗ୍ୟବତୀ, ଭଲ ବରଟିଏ ପାଇଲା । ପୁନଶ୍ଚ ଚିନ୍ତା କଲା, ତିଳୋତମା । ଭୋଗ କରିବାକୁ ସେ କ’ଣ ଆସିଛନ୍ତି କି?

ଭାନୁମତୀ ରାଣୀମାନଙ୍କ ମଧ୍ୟରେ ଏପରି ଭାବନା କରି ନୀରବ ହେଲେ । ସଖୀମାନେ ତିଳୋତମା ପାଖରେ ମିଳି କହିଲେ ଜେମା, ତୁମ୍ଭର ବହୁତ ତପସ୍ୟା ଥିଲା । ଅତି ସୁନ୍ଦର ବର ପାଇଛ । ବିବାହ କର୍ମ ଆରମ୍ଭ ହେଲା । ତିଳୋତମା ବେଦିରେ ବସିଲେ । ପୁରୋହିତମାନେ ମନ୍ତ୍ରପାଠ କଲେ । ଭୋଜରାଜ ବର କରରେ କନ୍ୟା ସମର୍ପି ଦେଲେ । ହସ୍ତଗଣ୍ଠି ପଂଚୁଗ୍ରାସି ସମାପ୍ତ ହେଲା । ନାରୀମାନେ ବରକନ୍ୟାକୁ ଅନ୍ତଃପୁରକୁ ନେଲେ । ଆଗପଛ ହୋଇ ଜଣକପରେ ଜଣେ ବନ୍ଦାଣ କଲେ । ସର୍ବଶେଷରେ ଭାନୁମତୀ ପ୍ରବେଶି ବରକୋଳିପତ୍ର ଓ ଅରୁଆ ଚାଉଳ ବନ୍ଦାପନା କଲେ । ବର ଗଳାରେ ନିଜେ ଗୁନ୍ଥିଥିବା ହାର ପିନ୍ଧାଇ ଦେଲେ । ବର ମୁଖକୁ ସେ ଚାହିଁ ପାରିଲେ ନାହିଁ । ରାଜା ବିକ୍ରମାଦିତ୍ୟ ମନ ମଧ୍ୟରେ ଭାବନ୍ତି ରେ ଶୁକ ତୁ ଧନ୍ୟ! ତୋ ଯୋଗୁଁ କନ୍ୟାଏ ପ୍ରାପ୍ତ ହେଲା । ତିଳୋତମା ମନରେ ଭାରି ଆନନ୍ଦ । ସ୍ୱାମୀଙ୍କ ବଦନ ଦେଖିବାପାଇଁ ବ୍ୟସ୍ତ । ବନ୍ଦାପନା ଶେଷ କରି ବରକନ୍ୟାଙ୍କୁ ବନ୍ଦାପନା କଲେ । ବନ୍ଧୁ ବାନ୍ଧବମାନେ ଭୋଜନ କଲେ । ରାତ୍ରୀ ହୁଅନ୍ତେ କନ୍ୟାକୁ ବେଶ କରାଇ ମଧୁଶଯ୍ୟା ଗୃହରେ ଛାଡିଲେ । ପଲଙ୍କରେ ରାଜା ବିକ୍ରମାଦିତ୍ୟ ବସିଛନ୍ତି । ସଖୀମାନେ କବାଟ ପକାଇ ପରିହାସ କରି ଚାଲି ଆସିଲେ ।

ରାଜଜେମା ତିଳୋତମା ବକ୍ର ବଦନରେ ପତି ଦେବତାକୁ ଚାହିଁ ଉଭାହେଲେ । ବିକ୍ରମାଦିତ୍ୟ ପଲଙ୍କରୁ ଓହ୍ଲାଇ ତିଳୋତମାକୁ ପଲଙ୍କକୁ ନେଇଗଲେ । ଶଯ୍ୟାରେ ଶୁଆଇ ବିବସନା କରାଇ କାମତାଦି ପୂରଣ କଲେ । ରତି ଶେଷରେ ବିକ୍ରମାଦିତ୍ୟ କହିଲେ ରେ ପ୍ରାଣପ୍ରିୟା, ମୁଁ ତୋତେ ବିବାହ କଲି ସତ୍ୟ ହେଲେ ମୁଁ ତୋର ସ୍ୱାମୀ ନୁହଁ । ଭୁରିମଲ୍ଲ ରାଜପୁତ୍ର ତୁମ୍ଭରି ବର । ବିବାହ ଉତ୍ସବ ଦେଖିବାକୁ ଆସିଥିଲି । ଦଇବାତ୍ ସେ ରାଜା ହାବୁଡେ ପଡିଲି । ବର ବେଶରେ ଆସିବାପାଇଁ ବାଧ୍ୟ କଲା । ତା’ର ପୁଅଟା କୁଜାଟା, ପିଠିରେ ତିନିଗୋଟି କୁଜ ଅଛି । ମୁଁ ଯାହା କହୁଛି ପ୍ରିୟେ ତାହା ସତ୍ୟ । ଭୁରିମଲ୍ଲ ପୁତ୍ର ବର୍ତ୍ତମାନ ଆସିବ । ମୁଁ ଯାଉଛି, ମୋ କଥା ମନେ ରଖିଥିବ । ରାଜାଙ୍କର ଏକଥା ଶୁଣି ଶୁଣି କ୍ରନ୍ଦନ କରି ତିଳୋତମା କହିଲା ତୁମ୍ଭେ ଚାଲିଗଲେ ମୁଁ ନିଶ୍ଚୟ ପ୍ରାଣ ତ୍ୟାଗ କରିବି । ମୋ ପିତା ତୁମ୍ଭ ହସ୍ତରେ ମୋତେ ଦେଲେ ତୁମ୍ଭେ ମୋତେ ଛାଡିକରି ଯାଅନା । ବିକ୍ରମାଦିତ୍ୟ କହିଲେ ହେ ପ୍ରିୟା, ଯେ ଯାହାର ସେ ତାହାର । ତୁମ୍ଭେ ମନଦୁଃଖ ନକରି ମୋର ନାମାଙ୍କିତ ମୁଦ୍ରିକାଟି ରଖ । କୁଜା ଆସିଲେ ତାକୁ ଘରେ ପୂରାଇ ଦେବ ନାହିଁ । ଏପରି କହିଣ ବିକ୍ରମାଦିତ୍ୟ ଚାଲିଗଲେ । ଏପରି କହିଣ ବୃକ୍ଷ ଡାଳରେ ଲୁଚି ବସିଗଲେ । ଠିକ୍ ଏତିକିବେଳରେ ଭୁରିମଲ୍ଲ ପୁତ୍ର ମଧୁଶଯ୍ୟା ଗୃହକୁ ପଶିବାକୁ ଉଦ୍ୟତ କରନ୍ତେ ତିଳୋତମା ତାକୁ ଧକ୍କାମାରି ଦୁଆରକୁ ପକାଇ ଦେଲା । ତଳେ ପଡି କୁଜା ଘୋର ଚିତ୍କାର କଲା । ତା’ ବାପାଙ୍କୁ ଡାକି କହିଲା ବାପା ମୋତେ ମାଡମାରି ତିଳୋତମା ଧକ୍କା ଦେଇ ପକାଇ ଦେଲା । କୁଜା କ୍ରନ୍ଦନ ଦେଖି ସମସ୍ତ ଲୋକେ ଦଉଡି ଆସିଲେ । କଥା କ’ଣ ପଚାରିବାରୁ କୁଜା କହିଲା ଗାଳିମାଡ ଦେଇ ମୋତେ ରାଜକନ୍ୟା ପେଲିଦେଲା । ସେ ଏଡେ ରାକ୍ଷସୀ । ମୋ ପିତା ନଜାଣି ମୋତେ ଏହାକୁ ବିଭା କରାଇଲେ ।

ଉପସ୍ଥିତ ଥିବା ଲୋକମାନେ ତିଳୋତମାକୁ କହିଲେ ହସ୍ତଧରି ଯାହାକୁ ବିଭା ହେଲୁ ତାକୁ ମାଇଲୁ କିପରି? ତୋତେ ଟିକେ ଲାଜ ଲାଗିଲା ନାହିଁ । ତିଳୋତମା କହିଲା ତୁମ୍ଭେମାନେ ସମସ୍ତେ ମୋର ସ୍ୱାମୀଙ୍କୁ ଦେଖିଛ । ସେ କେଡେ ସୁନ୍ଦର ପୁରୁଷ । ଏ କୁଜା କିପରି ମୋର ସ୍ୱାମୀ । ଭୁରିମଲ୍ଲ କହିଲେ ହେ ରାଜନ ତୁମ୍ଭ କନ୍ୟାର ମନ୍ଦ ଆଚରଣ ଦେଖ । ମୋର ସୁନ୍ଦର ପୁଅକୁ ମାରି କୁଜା କରିଦେଲା । ଭୋଜରାଜ କହିଲେ ହେ ରାଜନ! ମୋ ଝିଅ ଯାହା କହୁଛି ତାହା ଶୁଣିଲାବେଳୁ ମୋ ମନରେ ସନ୍ଦେହ ଜନ୍ମୁଛି । ଅନେକ ଦେଶରୁ ଅନେକ ରାଜା ମହାରାଜା ଆସିଛନ୍ତି । ସମସ୍ତେ ବିଚାର କରନ୍ତୁ । ଏପରି କଥା ଶୁଣି ସମସ୍ତେ ବସିଲେ ।


Rate this content
Log in

Similar oriya story from Children