Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୋଲାପୀ ଜ୍ୟାକେଟ୍
ଗୋଲାପୀ ଜ୍ୟାକେଟ୍
★★★★★

© Lopamudra Mishra

Romance Tragedy

12 Minutes   287    11


Content Ranking

ଲୋପାମୁଦ୍ରା ମିଶ୍ର

ପ୍ରେମରେ ପଡ଼ିଲେ କୁଆଡ଼େ ସବୁ ଗୋଲାପୀ ଗୋଲାପୀ ଦିଶେ । ସେ ଏକଥା ଜାଣିନଥିଲା । ପ୍ରେମରେ ତ କେବେ ପଡ଼ିନଥିଲା , ଜାଣନ୍ତା କେମିତି ? ସେ ଵି ଦିନେ ପ୍ରେମର ପାଖା ପାଖି ହେଲା । ମାନେ ଏକଦମ ଲଗାଲଗି ନୁହେଁ, ସେ ଥିଲା ପ୍ରେମ ଠୁ ଏଇ ମାତ୍ର ଫୁଟେ କି ଦେଢ଼ ଫୁଟ୍ ଦୂରତାରେ । ପ୍ରେମ ତାର ନିକଟବର୍ତ୍ତୀ ହେବାକୁ ଚାହୁଁଥିଲା ବେଳେ, ସେ ଡ଼ରିକି ଟିକେ ପଛକୁ ଘୁଞ୍ଚିଯାଉଥିଲା ।

ସେ ପ୍ରେମକୁ ପାଖରେ ପାଇଲାବେଳକୁ ଡ଼ିସେମ୍ବରର ହାଡ଼ଥରା ଶୀତ । ପ୍ରେମ ତାକୁ ଉଷ୍ମତାର ସ୍ପର୍ଶ ଦେଇ ସବୁ ତାର ଶୀତଳତା ଦୂର କରିବାକୁ ଚାଁହୁଥିଲା,ସେ କିନ୍ତୁ ନିଜେ ନିଜ ଦୁଇପାପୁଲିକୁ ଖୁବ ଜୋରରେ ଘଷି ନିଜ ଗାଲରେ ଉତ୍ତାପ ଭରିଦେଉଥିଲା । ପ୍ରେମକୁ ହାତରେ ଠେଲି ଦେଇ ଦୁଇ ଆଣ୍ଠୁ ଭିତରେ ମୁହଁକୁ ମାଡିଦେଇ ଜାକି ଜୁକି ହେଇ ବସି ପଡୁଥିଲା ।

--'କୁହୁଡ଼ି ବିଶ୍ୱାଳ', ଏମିତି ନାଁ ଟେ ତୁମର ଦେଲା କିଏ?

--ମୋ ମାମା । ମୁଁ ଡିସେମ୍ବର ଚଉଦରେ ଜନ୍ମ ହେଇଥିଲି । ଖୁବ ସକାଳୁ । ପାପା ମୋ ନାଁ ଉଷା ଦେବାକୁ ଚାଁହୁଥିଲେ । ସେଦିନ ଏତେ କୁହୁଡ଼ି ପଡିଥିଲା ଯେ ମୁହଁକୁ ମୁହଁ ଦିଶୁନଥିଲା । ଉଷା ବଦଳ ରେ ମାମା ମୋ ନାଁ ରଖିଦେଲେ 'କୁହୁଡ଼ି' ।

--ଠିକ କଲେ । ତୁମେ ସତରେ କୁହୁଡି । ତୁମେ ମୋ ସାମ୍ନାରେ ଥିଲେ ମୁଁ ଆଉ କିଛି ଦେଖିପାରେନି । ନାଁଟା ଵି ବେଶ୍ ରୋମାଣ୍ଟିକ୍ ହେଇଛି । ଶୁଣ, ଆଜି ମୋ ରୁମମେଟ୍ ନାହିଁ । ତୁମେ ହଷ୍ଟେଲ ରେ ଲିଭ୍ ଆପ୍ଲିକେସନ୍ ଟେ ଦେଇ ଆସିଯାଅ ନା ।

କୁହୁଡ଼ିକୁ ଧୀରେ ପାଖକୁ ଟାଣି ଆଣି ରାକେଶ୍ ଏତକ କହିଛି ସେ ତା ହାତକୁ ଖୁବ ଜୋରରେ ଧକ୍କାଟେ ଦେଇ ବେଞ୍ଚ ଉପରୁ ଉଠିଗଲା ।

ରାଗରେ ଲାଲ ପଡ଼ିଯାଇଥିବା କୁହୁଡ଼ିକୁ ରାକେଶ ନିଜ ହାତ ମୁଠାରେ ଧରି ରଖିବା ପାଇଁ ଯେତେ ଚେଷ୍ଟା କଲେ ବି କୁହୁଡ଼ି ସେହି ମୁଠିର ଫାଙ୍କା କୋଣ ଦେଇ ଖସି ଯାଉଥିଲା ।

ସବୁଦିନ କଲେଜ୍ ରୁ ଲାଷ୍ଟ କ୍ଲାସ୍ ଟା ମିସ୍ କରି କୁହୁଡ଼ି ସ୍କୁଟି ନେଇ ପାର୍କ ଆଡ଼କୁ ଆସେ । ରାକେଶ୍ ଅଫିସରୁ ବାଇକ୍ ଧରି ସିଧା ଆସି ପହଞ୍ଚେ କୁହୁଡି ପାଖରେ । କୁହୁଡ଼ି ର ଧୂମାଭ ବଳୟ ତାକୁ ଖୁବ ଭଲ ଲାଗେ ।

--ଜାଣ କୁହୁଡ଼ି ମୋତେ ସକାଳେ,ମଧ୍ୟାହ୍ନେ,ସଞ୍ଜରେ ସବୁବେଳେ କୁହୁଡି ଦରକାର । କୁହୁଡ଼ିଆ ପାଗ ମୋର ଭାରି ପସନ୍ଦ । ତୁମେ ଜାଣିଛ କି, କୁହୁଡ଼ି କୁଆଡ଼େ ଜାଳିଦିଏ ଫୁଲ ଆଉ କଢକୁ?

--ମୁଁ ଜାଣିନି ।

"ଆଉ କଣ ଜାଣିଛ?",କହୁ କହୁ ରାକେଶ କୁହୁଡ଼ିର ପୁଚୁକା ପୁଚୁକା ଗାଲକୁ ଚିପିଦେଲା ହାତରେ ।

କୁହୁଡ଼ି ମିଛ ରାଗରେ ମୁହଁଟାକୁ ବୁଲେଇ ନେଇ କହିଥିଲା, "ଜାଣିଛି ଖାଲି ପୁଅ ମାନଙ୍କର ମତଲବକୁ "।

"ଆଚ୍ଛା ! କେତେଟା ପୁଅଙ୍କୁ ଜାଣିଛ କହିଲ ?", କହୁ କହୁ କୁହୁଡ଼ିର କୁହୁଡ଼ିଆ ଖୋଲା କେଶ ଭିତରେ ରାକେଶ୍ ନିଜ ମୁହଁକୁ ଲୁଚେଇଦେଲା ।

କୁହୁଡ଼ି ଆଉ ରାକେଶ ପ୍ରତ୍ୟେକ ଦିନ ଅପରାହ୍ନରେ ପାର୍କର ନିର୍ଦ୍ଧିଷ୍ଟ ଗୋଟେ କୋଣରେ ସିମେଣ୍ଟର ନିର୍ଦ୍ଧିଷ୍ଟ ସେହି ବେଞ୍ଚଟିକୁ ଦୁଇ ଘଣ୍ଟା ପାଇଁ ଅକ୍ତିଆର କରି ପାଖା ପାଖି ବସି ରହନ୍ତି । କେଵଳ ବସି ରହନ୍ତିନି । ବହୁତ କିଛି ଘଟୁଥାଏ ଦୁହିଁଙ୍କ ଦେହ ଓ ମନ ଭିତରେ । ୱାଚମ୍ୟାନ୍ ର ହୁଇସିଲ୍ ବାଜିବା ଯାଏଁ ରାକେଶ ନିଜକୁ କୁହୁଡ଼ି ଠାରେ ଥାପି ରଖି ଥାଏ । ଅଚାନକ କୁହୁଡ଼ିର ମନେ ପଡ଼ିଯାଏ, ହଷ୍ଟେଲ ଗେଟ୍ ବନ୍ଦ ହେବାର ସମୟ ହେଇଗଲାଣି । ମୋବାଇଲ ରେ ଟାଇମ ଦେଖେ ଆଉ ତରବର ରେ ବ୍ୟାଗ ଉଠେଇ ବାହାରି ଆସେ । ରାକେଶ୍ ବି ବାଇକ୍ ର ବେଗ ଧୀର କରି କୁହୁଡିର ପଛେ ପଛେ ତା ହଷ୍ଟେଲ ଯାଏଁ ଆସେ ।

ଘରଠୁ ଅଶୀ କିଲୋମିଟର ଦୂରରେ ଭଲ କଲେଜ୍ ରେ ପାଠ ପଢ଼ି ଭବିଷ୍ୟତ ଗଢିବାକୁ ଆସିଥିବା ମେଧାବୀ ଛାତ୍ରୀ କୁହୁଡ଼ି ଏବେ ପଢ଼ା ପଢ଼ିକୁ ବେଶୀ ସମୟ ନଦେଇ ଅନ୍ୟ ଏକ ଭବିଷ୍ୟ ଯୋଜନା ପ୍ରସ୍ତୁତ କରୁଛି । ରାକେଶ୍ ଯେ ତା ଆଗାମୀ ଭବିଷ୍ୟତ ଏହିଟି ସେ ସ୍ଥିର କରିନେଇଛି । ରାକେଶ୍ ର ଯତ୍ନଶୀଳତା ଓ ପ୍ରଗାଢ଼ ପ୍ରେମ ରେ ସେ ଦିନ ରାତି ବୁଡି ରହୁଛି । ସେ କାହୁଁ ବୁଝିବ ନୂଆ ନୂଆ ପ୍ରେମ କେଵଳ କୁହୁଡ଼ି ପହଁରା ସହ ସମାନ ! ବାସ୍ତବ ଜୀବନ ଠାରୁ ଏ ସ୍ୱପ୍ନର ମୁହୂର୍ତ୍ତ ଗୁଡ଼ିକ ଯୋଜନ ଯୋଜନ ଦୂରରେ । ଏହି ଦୂରତାକୁ ଯିଏ ଅତିକ୍ରମ କରିପାରେ ସେହିଁ ପ୍ରେମର ପ୍ରକୃତ ସଜ୍ଞା ନିରୂପଣ କରିପାରେ । ଆଉ ଯିଏ ରାସ୍ତାରେ ନିଜେ କ୍ଷତାକ୍ତ ହୋଇ ମଧ୍ୟ ଭଲ ପାଉଥିବା ମଣିଷଟିକୁ ଅକ୍ଷତ ରଖିବାରେ ସକ୍ଷମ ହୋଇପାରେ, ସେ ନିଜେ ହିଁ ପ୍ରେମ ପଦବାଚ୍ୟ ହୋଇଯାଏ ।

କୁହୁଡ଼ିର ଏବେ ଗୁଡ଼ି ପରି ଆକାଶକୁ ଉଡ଼ିଯିବାର ବୟସ । ନଟେଇର ସୂତା କସିକରି ନଧରିଲେ ଏ ଗୁଡ଼ି ହାତରୁ ଖସିଯାଏ, ନହେଲେ ପୁଣି ଆଉ କାହାର ମାଞ୍ଜା ତାକୁ କାଟି ଛିଣ୍ଡେଇ ତଳକୁ ଖସେଇ ଦିଏ ।

ଆଜି ଡିସେମ୍ବର ୧୩ । କାଲି କୁହୁଡ଼ିର ଜନ୍ମଦିନ । କୁହୁଡ଼ି ଆଜି ଅନେକ ବେଳୁ ଆସି ପାର୍କ ରେ ରାକେଶ୍ ର ଅପେକ୍ଷାରେ ବସିରହିଛି । ତିରିଶ ମିନିଟ୍ ଲେଟ୍ ରେ ରାକେଶ୍ ଆସିଲା ।

--ସରି ଡିଅର୍ । ଲେଟ୍ ହେଲା ବୋଲି ରାଗିଛ ?

--ନାଇଁ ତ । ମୁଁ ଏକା ଏକା ଏହି ଫୁଲମାନଙ୍କ ସହ ଟାଇମ ସ୍ପେଣ୍ଡ କରି ବହୁତ ଏଞ୍ଜୟ କରୁଥିଲି । ଦେଖ ଏହି ପର୍ପଲ ଫ୍ଲାୱାର୍ ଟା କେତେ ସୁନ୍ଦର ଦିଶୁଛି !

--ତୁମ ଠୁ କମ୍ ।

--ତୁମେ ସତ କହୁଛ ନାଁ ଖାଲି ଏମିତି ମୋ ସହ ଥଟ୍ଟା କରୁଛ ?

--ମୋ ଆଖିରେ ତୁମେ ପୃଥିବୀର ସବୁ ସୌନ୍ଦର୍ଯ୍ୟଠୁ ଉର୍ଦ୍ଧରେ । କହିବ ତ ଛାତି ଚିରି ଦେଖେଇବି ।

--ଥାଉ ଥାଉ । ବିଶ୍ୱାସ ହେଲା । କାହିଁକି ଲେଟ୍ ହେଲା କହିଲନାହିଁ ତ ?

--ଅଫିସରେ ଟିକେ କାମ ଥିଲା ।

କୁହୁଡ଼ିର କାନ୍ଧରେ ଡାହାଣ ହାତଟା ରଖି ରାକେଶ ତାକୁ ସେହି କୋଣ ପାଖ ବେଞ୍ଚକୁ ଟାଣିନେଲା । ବ୍ୟାଗରୁ ଗୋଟେ ପ୍ୟାକେଟ୍ ବାହାର କରି କୁହୁଡ଼ି ର ହାତରେ ଧରେଇଲା ।

--କଣ ଏଇଟା ?

--ତୁମ ବାର୍ଥଡେ ଗିଫ୍ଟ ।

--ଆରେ ତୁମେ ମନେ ରଖିଛ ?

--ତୁମ ବିଷୟରେ କୌଣସି କଥାକୁ ମୁଁ ଭୁଲେ ନାହିଁ । କାଲି ଏତେବଡ଼ ଗୋଟେ ଦିନ । ଅନ୍ତତଃ ମୋ ପାଇଁ ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ ।

--ଆଚ୍ଛା ! କେମିତି ?

--କାଲିର ଦିନଟି ଉଣେଇଶ ବର୍ଷ ପୂର୍ବେ ତୁମକୁ ଏ ପୃଥିବୀକୁ ଆଣିଦେଇନଥିଲେ, ମୋ ପୃଥିବୀ କଦାପି ସୁନ୍ଦର ହେଇପାରିନଥାନ୍ତା । ଇନ୍ ଫ୍ୟାକ୍ଟ ମୋ ପାଇଁ ଏ ପୃଥିବୀରେ ଆଉ କିଛି ନଥାନ୍ତା ।

--କଥା କହିବା ତ କିଏ ତୁମଠୁ ଶିଖିଵ ! ବାୟ ଦ ୱେ, ତୁମର ଏମିତି କଥା ମତେ ଖୁବ ଭଲ ଲାଗେ । କଣ ଅଛି ଏହି ପ୍ୟାକେଟ୍ ରେ?

--ନିଜେ ଖୋଲିକି ଦେଖ ।

କୁହୁଡି ପ୍ୟାକେଟ୍ ଟି ଖୋଲି ଭିତରୁ ନରମ ତୁଳା ପରି କିଛି ବାହାର କରି ଆଣିଲା । ସୁନ୍ଦର ଲେଡିଜ୍ ଜ୍ୟାକେଟ୍ ଟିଏ । ଗୋଲାପୀ ରଙ୍ଗଟା ଶୀତଦିନିଆଁ ଅପରାହ୍ନ ରେ ଠିକରେ ଚିହ୍ନା ପଡୁନାହିଁ ।

--ଆରେ ଏଟା ତ ଗୋଟେ ଜ୍ୟାକେଟ୍ । ତୁମେ ମୋ ସାଇଜ୍ କେମିତି ଜାଣିଲ ?

--ମୁଁ ଜାଣିବିନି ତ ଆଉ କିଏ ଜାଣିବ ?

--ଆଚ୍ଛା.. ଏମିତି ତାହେଲେ ? ଆଉ କିଛି କଲର୍ ନଥିଲା ?

--କାହିଁକି ପିଙ୍କ୍ କଲର୍ ଭଲ ଲାଗୁନି କି ?

--ହଁ ଯେ, ହେଲେ ଗ୍ରୀନ୍ ମୋର ଫେବରାଇଟ୍ କଲର୍ ।

--ସବୁ ଝିଅଙ୍କର ତ ପିଙ୍କ୍ ପସନ୍ଦ ଶୁଣିଥିଲି !

--ହେତ୍,ପାଗଳ ନାଁ କଣ ? କିଏ ଏମିତି ମିଛ କଥା ସବୁ ପୁଅଙ୍କ ମୁଣ୍ଡରେ ଭରିଥାଏ କେଜାଣି ?

ରାକେଶ୍ ଟିକେ ମନ ଦୁଃଖରେ କହିଲା, "ହଉ ତାହେଲେ ମୁଁ ଏଇଟା ନହେଲେ ରିଟର୍ନ କରିଦେବି । ତୁମେ କାଲି ମୋ ସହ ଚାଲ, ନିଜେ ବାଛି କରି ଆଣିବ ।"

--ନାଇଁ ନାଇଁ, ତୁମେ ଏତେ ଶ୍ରଦ୍ଧା ରେ ମୋ ପାଇଁ ପ୍ରଥମ କରି କିଛି ଆଣିଛ । ମୁଁ କଦାପି ୟାକୁ ଫେରେଇବିନାହିଁ । ତୁମ ଭଲ ପାଇବାର ଉଷ୍ମତା ଏଥିରେ ଭରି ରହିଛି । ଲଭ୍ ୟୁ ରାକେଶ୍ ।

--ଲଭ୍ ଠୁ କୁହୁ ।

ଉଭୟ ଉଭୟଙ୍କ ଭିତରେ କିଛି ସମୟ ପାଇଁ ହଜିଗଲେ । କୁହୁଡ଼ି ପିନ୍ଧିକରି ଆସିଥିବା ପୁରୁଣା ପତଳା ସ୍ଵେଟର ଟାକୁ ବ୍ୟାଗରେ ରଖି ରାକେଶ ଆଣିଥିବା ଜ୍ୟାକେଟ୍ ଟି ପିନ୍ଧିନେଲା । ସେ ଅନୁଭବ କରୁଥିଲା ରାକେଶ୍ ର ପ୍ରେମ ଡିସେମ୍ବରର ଶୀତରେ ତାକୁ ଯେତିକି ଉତ୍ତାପ ଦେଇପାରୁନଥିଲା ବରଂ ଅଜବ ଏକ ଶିହରଣ ସୃଷ୍ଟି କରି ତାକୁ ଅଣନିଶ୍ୱାସୀ କରୁଥିଲା, ତା ଠୁଁ କାହିଁରେ କେତେ ଅଧିକ ଉଷ୍ମତା ଓ ଆରାମ ଏହି ଗୋଲାପୀ ଜ୍ୟାକେଟ ଟି ତାକୁ ପ୍ରଦାନ କରୁଛି ।

କୁହୁଡ଼ି ରାକେଶର ହାତ ନିଜ ଜ୍ୟାକେଟ ଉପରୁ ହଟେଇ ନେଇ ନିଜ ହାତରେ ଧରିଲା ଓ ଆସ୍ତେ କରି କହିଲା, "ଏମିତି ଗୋଟେ ଗିଫ୍ଟ ଦେବାକୁ କାହିଁକି ଇଚ୍ଛା ହେଲା? "

ରାକେଶ ବି ସେହି ପ୍ରଶ୍ନର ଉତ୍ତରଟି ଧୀରେ କୁହୁଡ଼ିର କାନ ପାଖେ କହିଥିଲା, "ତୁମେ ତ ମୋତେ ସୁଯୋଗ ଦେଉନ ଶୀତରେ ଥରୁଥିବା ତୁମ କୋମଳ ଶରୀରରେ ସାମାନ୍ୟ ଟିକେ ଉତ୍ତାପ ଭରିଦେବା ପାଇଁ । ଆଉ କଣ କରିଥାନ୍ତି କୁହ? ମୋ ନିରିମାଖି ପ୍ରେମିକାର ଶୀତ ଦିନଟାକୁ ଗରମ ରଖିବା ବି ତ ମୋର କର୍ତ୍ତବ୍ୟ । ହଉ ଛାଡ଼ ତୁମ ବାର୍ଥଡେ କୋଉଠି ମନେଇବା କୁହ? "

କୁହୁଡ଼ି ତାର ପ୍ରତିଟି ଜନ୍ମଦିନରେ ଘରକୁ ଯାଇ ପାପା, ମାମାଙ୍କ ସହ ଦିନଟି ବିତାଏ । ଆଜି କିନ୍ତୁ ରାକେଶର ଅନୁରୋଧକୁ ଏଡ଼ାଇ ପାରିଲା ନାହିଁ । ରାକେଶ ସହ ବାର୍ଥଡେ ପାଳନ କରିବାକୁ ରାଜି ହୋଇଗଲା । ରାକେଶ ଅନେକ ଦିନରୁ ନିଜର ଏକ ଇଚ୍ଛା କୁହୁଡ଼ି ଆଗରେ ପ୍ରକାଶ କରିଆସୁଥିଲା ଯେ ସେ ଯେବେବି ସମୁଦ୍ର ପାଖକୁ ଯାଏ, ସେହି କୋଳାହଳମୟ ବେଳାଭୂମିରେ ସେ ଶୂନ୍ୟତା ହିଁ ଅନୁଭବ କରେ । ତାର ଇଚ୍ଛା ହୁଏ ତା ସାଙ୍ଗରେ ତା ସ୍ୱପ୍ନ ର ନାୟିକା ଥାଆନ୍ତା ଆଉ ତାର ହାତ ଧରି ବିସ୍ତୀର୍ଣ୍ଣ ବେଳାଭୂମିରେ ଚାଲି ଚାଲି ଅସ୍ତଗାମୀ ସୂର୍ଯ୍ୟଙ୍କୁ ସାଗର ଭିତରେ ଲୁଚି ଯାଉଥିବା ଦେଖନ୍ତା ।

--କୁହୁ ତୁମେ ମୋ ସ୍ୱପ୍ନର ସେହି ନାୟିକା । ତୁମେ ସତରେ ମୋ ସହ ବେଳାଭୂମିର ଅରପଟେ ବୁଡିଯାଉଥିବା ସୂର୍ଯ୍ୟ କୁ ଦେଖିବାକୁ ଯିବ?

--ନିଶ୍ଚୟ ଯିବି । ରିଟର୍ନ ଗିଫ୍ଟ ବି ଦେବାରେ ଅଛି ନା !

ମାମା ଫୋନ କରିଥିଲେ, ଆଜି ପ୍ରଥମ ଥର ପାଇଁ କୁହୁଡ଼ି ମାମା, ପାପା ଙ୍କୁ ମିଛ କହିଲା । ହଷ୍ଟେଲରେ ଲିଭ୍ ଆପ୍ଲିକେସନ୍ ଦେଇ ରାକେଶର ବାଇକ୍ ପଛରେ ବସି ତାରି ସ୍ୱପ୍ନକୁ ତୋଳିଆଣିବା ପାଇଁ ଧୂଆଁ ଉଡ଼େଇ ଚାଲିଗଲା ।

ସମୁଦ୍ରର ଘୋ ଘୋ ଗର୍ଜନ, ଅସ୍ତମିତ ସୂର୍ଯ୍ୟଙ୍କ ଲାଲ୍ କିରଣ ଓ ସୁନେଲି ବାଲିର ପ୍ରଶସ୍ତ ଚଦର, ଆଉ ସେହି ଚଦର ଉପରେ ଚାରୋଟି ପାଦ ଲଗାଲଗି ହେଇ ପାଦ ଚିହ୍ନଟି ମାନ ଛାଡ଼ି ଯାଇ ଆଗକୁ ଯାଉଛନ୍ତି । କୁହୁଡ଼ି ପ୍ରଥମ କରି ନୂଆ ଏକ ସୁନ୍ଦର ଦୁନିଆଁକୁ ଦେଖୁଛି । ନିଜକୁ ହଜେଇ ଦେଉଛି ସାଗର କୁଳର ପ୍ରେମର ହାୱାରେ ।

ନିଜଠୁ ସାତ ବର୍ଷ ବଡ଼ ରାକେଶ୍ ର ସବୁତକ ଅପୂରଣୀୟ ଇଚ୍ଛାକୁ ପୂରଣ କରି ପ୍ରିୟତମ ମଣିଷଟି ପ୍ରତି ନିଜ ପ୍ରେମର ପରାକାଷ୍ଠାକୁ ପ୍ରମାଣିତ କରିବା ପାଇଁ ତିଳେ ହେଲେ ଆଉ ପଶ୍ଚାତପଦ୍ ହେଲାନାହିଁ କୁହୁଡ଼ି ବିଶ୍ୱାଳ । ଏ ବୟସଟା ହିଁ ଏମିତି । ଦିନ ସରିଯାଇଥାଏ ତଥାପି ରାତି ହୋଇନଥାଏ, ସୂର୍ଯ୍ୟ ଉଇଁସାରିଥାନ୍ତି ତଥାପି ଆକାଶରେ ଝାପ୍ସା ଜହ୍ନ ଉଙ୍କି ମାରୁଥାଏ । କୁହୁଡ଼ି ଠିକ ସେମିତି ଗୋଟେ ବୟସରେ ଅଦ୍ଭୁତ ଏକ ମାନସିକ ପରିସ୍ଥିତି ଦେଇ ଗତି କରୁଥିଲା । ଆଉ ମାତ୍ର ବର୍ଷଟିଏ ପରେ ବୋଧେ ତା ରାତି ପାହି ସକାଳର ଫର୍ଚ୍ଚା ଆଲୁଅ ବିଛାଡ଼ି ପଡିଥାନ୍ତା, କିନ୍ତୁ ତା ପୂର୍ବରୁ ପାହାନ୍ତା ପ୍ରହରରେ ଝଡ଼ଟିଏ ବହିଗଲା । ରାକେଶ୍ ର ମଧୁର କଥା ତାକୁ କଣ୍ଟା ଚୋବାଇ ରକ୍ତ ପିଇବାକୁ ମଧ୍ୟ ରାଜି କରେଇନେଲା । ବେଳାଭୂମି ହୋଟେଲର ସଫେଦ ଚଦରରେ ଅନୂଢ଼ା ଯୁବତୀର ଆଦ୍ୟ ଯୌବନ ଦଳିମକଚି କ୍ଷତାକ୍ତ ରକ୍ତାକ୍ତ ହୋଇଗଲା ।

ଜଣେ ଖୁବ୍ ଆନନ୍ଦରେ ପରିପୁଷ୍ଟ ହେଲାବେଳେ ଆରଜଣଙ୍କ ବେଦନାରେ ଛଟପଟ ହେଉଥିଲା । ବଡ଼ ଅଜବ ଏ ସମାଜ ! ଯନ୍ତ୍ରଣା ଜର୍ଜରିତ ପ୍ରାଣୀଟି ହିଁ ପରବର୍ତ୍ତୀ ମୁହୂର୍ତ୍ତରେ କାହିଁକି କେଜାଣି ଅପମାନର ଜ୍ୱାଳାରେ ଝାସ ଦେବାକୁ ବାଧ୍ୟ ହୋଇପଡ଼େ?? ଏହି ସମାଜ ତାକୁ ବାଧ୍ୟ କରାଏ । ଯିଏ କଷ୍ଟଦେଇ ସନ୍ତୁଷ୍ଟି ରେ ଆଖି ମୁଦି ପକାଏ, ସେ ପୁଣି ବୀରତ୍ୱର ଟୀକା ମାରି ଛାତି ଫୁଲେଇ ଚାଲେ ।

କୁହୁଡ଼ି ତଥାପି ବୁଝିପାରୁନଥିଲା, କୁହୁଡ଼ି ପରି କଅଁଳ ଝିଅଟିଏ କୋଉ କଢ଼, ଫୁଲ,ସବୁଜ ପତ୍ରକୁ ପୋଡି ପାରେ ନାହିଁ ବରଂ ନିଜେ ଭିତରୁ ଜଳିପୋଡ଼ି ଛନଛନ ସବୁଜିମାରୁ ମୁଠାଏ ପାଉଁଶରେ ପରିଣତ ହେଇଯାଏ ।

କୁହୁଡ଼ିର ଗୋଲାପୀ ଜ୍ୟାକେଟ୍ ଟି ବେଡ୍ ତଳକୁ ଖସି ପଡିଛି । ଉଠେଇ ଆଣି ନିଜ ଥରିଲା ଦେହରେ ଏକରକମ ଗୁଡ଼େଇ ପକେଇଲା ।

--ରାକେଶ୍ ଆମେ କେବେ ମ୍ୟାରେଜ୍ କରିବା?

--ତୁମର ପଢ଼ା ପଢ଼ି ସରୁ । ତୁମେ ତୁମ କ୍ୟାରିୟର୍ ଉପରେ କନସେନଟ୍ରେଟ୍ କର । ମୁଁ ତୁମକୁ ବହୁତ ଉପରେ ଦେଖିବାକୁ ଚାହେଁ ।

କୁହୁଡ଼ି ନିଜ ଅଜାଣତରେ ଗୋଲାପୀ ଖୋଳପାର ଥୋପ ରେ ଲାଗିଯାଇଥିଲା । କେବେ ଇଚ୍ଛା ରେ ତ କେବେ ଅନିଚ୍ଛା ରେ ବାରମ୍ବାର ଆହୁରି ବର୍ଷଟିଏ ଧଳା ବେଡସିଟ୍ ଉପରେ ନିଜକୁ ସମର୍ପି ଦେଉଥିଲା ।

ରାକେଶ୍ ପାଇଁ ରେସ୍ଟୁରାଣ୍ଟ ର ଗୋଟାଏ ମିଲ୍ ଓ କୁହୁଡ଼ି ସହ ଗୋଟିଏ ରାତି, ଏକା କଥା ଥିଲା । ସମାନ ଗୋଟେ ରେସ୍ଟୁରାଣ୍ଟ କୁ ଯାଇ ଯାଇ ରାକେଶ୍ ଧୀରେ ଧୀରେ ବୋର୍ ହେଇଯାଉଥିଲା । କୁହୁଡ଼ି କିନ୍ତୁ ସୁନ୍ଦର ଭାବେ ସଫା କରି ଇସ୍ତ୍ରୀ ଲଗେଇ ଗୋଲାପୀ ଜ୍ୟାକେଟ୍ ଟି କପବୋର୍ଡ ରେ ସାଇତି ରଖିଥିଲା ।

ଶୀତଦିନ ଚାଲିଯାଇଥିଲା । ଡହଡହ ଖରାର ଉତ୍ତାପ ରେ ସିଝି ସିଝି ରାକେଶ୍ ଗୋଟେ ମୁଷଳ ଧାରା ବର୍ଷାର ଅପେକ୍ଷାରେ ଥିଲା । କୁହୁଡ଼ି ପାଖକୁ ଫୋନ୍ ଆସିବା କମିଗଲା । ପାର୍କର ସେହି କୋଣ ବେଞ୍ଚ ଏବେ ଆଉ କାହା ଅକ୍ତିଆର ରେ ।

--ରାକେଶ୍ ଆମ ରିଲେସନ୍ ବର୍ଷେ ଉପରେ ହେଲାଣି, ତୁମେ ଏଯାଏଁ ଆମ ବିଷୟରେ ତୁମ ଘରେ କହିଲନି ନା?

--ମୋ ସାନ ଭଉଣୀର ବାହାଘର ଖୋଜାହେଉଛି । ତା ମ୍ୟାରେଜ ଫାଇନାଲ ହେଇସାରୁ ମୁଁ କହିବି ।

--ଆରେ ତୁମ ଭଉଣୀ ମୋ ଏଜ୍ ର, ମୋ କଥା ବି ଟିକେ ଚିନ୍ତା କର ।

--ତୁମେ ଗୋଟେ ବ୍ରିଲିୟାଣ୍ଟ ସ୍ଟୁଡେଣ୍ଟ କୁହୁ । ତୁମ ଆଗରେ ସୁନ୍ଦର ଭବିଷ୍ୟତ ଅଛି । ଏବେ ଠୁଁ କାହିଁକି ବାହାଘର ବାହାଘର ହେଉଛ ? ଏମିତି ହେଲେ ମୁଁ ଆଉ ତୁମକୁ ଫୋନ କରିବିନି । ଅଫିସ୍ ରେ ମୋର ଅନେକ କାମ ରହୁଛି । ନୂଆ ପ୍ରୋଜେକ୍ଟ ପାଇଁ ମୁଁ ଦିନ ରାତି ବ୍ୟସ୍ତ ରହୁଛି । ତା ଭିତରୁ ସମୟ ବାହାରକରି ତୁମ ସହ ଦୁଇ ପଦ କଥା ହେବାକୁ ଚାହିଁଲେ, ତୁମେ ସେହି ପୁରୁଣା ଗୀତ ବଜାଉଛ ।

କୁହୁଡ଼ି ଏକଦମ ଚୁପ ହୋଇଗଲା । ରାକେଶ୍ ର ଫୋନ ଆସିବା ସତରେ ବନ୍ଦ ହେଇଗଲା । କୁହୁଡ଼ି ଗ୍ରାଜୁଏସନ୍ ପରେ ପି.ଜି ପାଇଁ ହାଇଦ୍ରାବାଦ ଚାଲିଗଲା । ଏମ୍.ଫିଲ ସାରି ସରକାରୀ ମହାବିଦ୍ୟାଳୟ ରେ ଵଟାନୀ ବିଭାଗରେ ସହକାରୀ ପ୍ରାଧ୍ୟାପିକା ଭାବେ ଯୋଗଦେଲା ।

କୁହୁଡ଼ିର କୁହୁଡ଼ି ପହଁରା ବୟସ ଅତିକ୍ରାନ୍ତ ହୋଇଯାଇଥିଲା । ପରିପକ୍ୱତା ତା ସୌନ୍ଦର୍ଯ୍ୟ କୁ ଅଧିକ ଶାଣିତ କରି ଗଢି ତୋଳିଥିଲା । ତା କଲେଜ୍ ରେ ଝିଲମିଲ ରଙ୍ଗୀନ ପ୍ରଜାପତିଙ୍କ ଅନ୍ୟମନସ୍କ ଉଡ଼ାଣକୁ ଦେଖି ନିଜ ବିତିଯାଇଥିବା ବୟସ ର ସ୍ୱପ୍ନମୟ ମୁହୂର୍ତ୍ତ ଗୁଡ଼ିକ ତାର ଖୁବ ମନେ ପଡିଯାଉଥିଲା ।

ପାହାଡ ଜଙ୍ଗଲ ଘେରା ସୁନ୍ଦର ଏକ ସ୍ଥାନରେ କୁହୁଡ଼ିର କର୍ମସ୍ଥଳ,ଆର୍.ଜି ସରକାରୀ ମହିଳା ମହାବିଦ୍ୟାଳୟ । ସରକାରୀ କ୍ୱାର୍ଟର୍ସରେ ସେ ଏକାକୀ ରହେ । ଛୋଟିଆ ବଖରା ଗୁଡିକୁ ସୁନ୍ଦର କରି ସଜାଇ ରଖିଛି । କ୍ୱାର୍ଟର୍ସ ସାମ୍ନାରେ ଧାଡ଼ି ଧାଡ଼ି ଫୁଲ ଗଛ ସଯତ୍ନେ ବଢ଼େଇଛି । ମାମା, ପାପା ପ୍ରତିଦିନ ଫୋନ କରନ୍ତି । ଭିଡ଼ିଓ କଲ କରନ୍ତି । ବିବାହ ପାଇଁ ଆସୁଥିବା ପ୍ରପୋଜାଲ୍ ସମ୍ବନ୍ଧରେ ମାମା କହେ, ଫୋଟୋ ସେଣ୍ଡ କରେ । କୁହୁଡ଼ି କିନ୍ତୁ କୌଣସି ଦିନ ଆଉ ପ୍ରେମକୁ ଓ ବିବାହ କୁ ଛୁଇଁବାକୁ ମଧ୍ୟ ପସନ୍ଦ କରିନାହିଁ । ତା ପାଇଁ ପ୍ରେମ ଉଦ୍ଭିଦ ବିଜ୍ଞାନ, ଶୀତ ଦିନିଆଁ ସକାଳ, ପାହାଡ, ଜଙ୍ଗଲ, ଝରଣା ଓ ତା ଘର ଆଗ ନାଲି,ନାରଙ୍ଗୀ, ଗୋଲାପୀ ରଙ୍ଗର ସୁନ୍ଦର ସୁନ୍ଦର କଅଁଳ ଫୁଲଟିମାନ ।

ଶୀତଦିନର ଆଗମନ । ଆଗକୁ କଲେଜ୍ ରେ ସେମିଷ୍ଟାର ପରୀକ୍ଷା । କୁହୁଡ଼ିର ପ୍ରିୟ ଛାତ୍ରୀ, ଡିପାର୍ଟମେଣ୍ଟ ଟପର୍ ବର୍ଷା ପଢ଼ା ପଢ଼ିରେ ଶୀତଦିନିଆଁ ସକାଳ ପରି ଅଳସେଇ ଯାଉଛି ।

--ବର୍ଷା ଆଗକୁ ପରୀକ୍ଷା ଅଥଚ ତୁମେ ପଢ଼ା ପଢ଼ି ନକରି ଏବେ ସବୁଦିନ ପଛ ବେଞ୍ଚ ରେ ଯାଇ ଅନ୍ୟମନସ୍କ ହୋଇ ବସୁଛ !

--ମ୍ୟାଡ଼ାମ ! କଣ କରିବି ? ଏଯାଏଁ କିଛି ଆରମ୍ଭ କରିନି । ପାଠରେ ଆଦୌ ମନ ଲାଗୁନାହିଁ ।

--ତୁମର ଯଦି କିଛି ଆପତ୍ତି ନଥାଏ ସନ୍ଧ୍ୟାରେ ଘରେ କହି ମୋ କ୍ୱାର୍ଟର୍ସ କୁ ଆସି ପଢ଼ା ପଢ଼ି କର । ଯୋଉଠି ଡାଉଟ୍ ହେଵ ମୋ ଠୁ ବୁଝିନେବ ।

ବର୍ଷା ଆସିଛି । କୁହୁଡ଼ି ଦୁଇକପ କଫି ଧରି ଆସିଲା । ବର୍ଷା ବହି କମ୍ ମୋବାଇଲରେ ହ୍ୱାଟ୍ସଅପ ଖୋଲି ମେସେଜ୍ ବେଶି ଦେଖୁଛି । ବର୍ଷାର ଦେହରେ ଗ୍ରୀନ ଜ୍ୟାକେଟ୍ ଟିଏ । ତା ଗୋରା ରଙ୍ଗକୁ ବେଶ୍ ମାନୁଛି ।

--ବର୍ଷା ! ମୋବଇଲଟା କିଛି ସମୟ ପାଇଁ ଅଫ କରିଦେଲେ ହୁଅନ୍ତା ନାହିଁ? ମୋତେ ଲାଗୁଛି ଏହି ମୋବାଇଲ ତୁମକୁ ପଢ଼ାରେ ଡିସ୍ଟର୍ବ କରୁଛି ।

--ମ୍ୟାମ୍, ଫିଆନ୍ସେ ରାଗିବେ ମୋବାଇଲ ବନ୍ଦ କରିଦେଲେ ।

--ଫିଆନ୍ସେ?? ତୁମର ମ୍ୟାରେଜ ଫିକ୍ସ ହେଇଯାଇଛି ନା କଣ ?

ବର୍ଷା ଲାଜେଇ ଯାଇ ହଁ ମାରିଲା । ବର୍ଷା ଦେହରେ ସୁନ୍ଦର ଜ୍ୟାକେଟ୍ କୁ ଦେଖି କୁହୁଡ଼ି ଆଗ୍ରହରେ ପଚାରିଲେ, "ଆରେ ଖୁବ ସୁନ୍ଦର ହେଇଛି ତ ଏଇଟି ! କୋଉଠୁ କିଣିଲ ? "

-ମ୍ୟାମ୍ ଏଇଟା ସିଏ ପ୍ରେଜେଣ୍ଟ କରିଛନ୍ତି ମୋ ଜନ୍ମଦିନ ଦିନରେ ।

କୁହୁଡ଼ିର ମନେ ପଡିଯାଉଥିଲା ତା ନାଇନଟିନଥ୍ ବାର୍ଥଡେ ପ୍ରେଜେଣ୍ଟ, ସେହି ଗୋଲାପୀ ଜ୍ୟାକେଟ୍ ଟିର କଥା । କି ଅସମ୍ଭବ ସାମଞ୍ଜସ୍ୟ ଦୁଇଟି ଜ୍ୟାକେଟ୍ ମଧ୍ୟରେ । କେଵଳ ମାତ୍ର ରଙ୍ଗ ଆଉ ବୟସର ତାରତମ୍ୟ । ତା ଗୋଲାପୀ ଜ୍ୟାକେଟଟିକୁ ଏହି ଡିସେମ୍ବର ତେରକୁ ପାଞ୍ଚ ବର୍ଷ ପୁରିଯିବ । କୁହୁଡ଼ିର ଶ୍ୟାମଳ ରଙ୍ଗକୁ ଜ୍ୟାକେଟ୍ ଟି ବଡ଼ ସୁନ୍ଦର ମାନେ ବୋଲି ତା ଫ୍ରେଣ୍ଡସ୍ କହୁଥିଲେ ।

--ବର୍ଷା ଦେଖେଇଲ ଟିକେ ତୁମ ଉଡ୍ବି ହଜବ୍ୟାଣ୍ଡଙ୍କ ଫୋଟୋ ।

ବର୍ଷା ବଡ଼ ଉତ୍ସାହରେ ମୋବାଇଲ ରୁ ଫୋଟୋ କାଢ଼ି କୁହୁଡ଼ି ମ୍ୟାମ୍ ଙ୍କୁ ଦେଖେଇଲା । କୁହୁଡି ଆଶ୍ଚର୍ଯ୍ୟ, ଚକିତ, ତା ଅନ୍ତରରେ ଶୁଖି ଆସିଥିବା ଘା'ଟାର ପୁନଶ୍ଚ ଜ୍ୱଳନ ।

--ଆରେ ଇୟେ ତ ତୁମଠୁ ବୟସରେ ବହୁତ ବଡ଼ ଜଣାଯାଉଛନ୍ତି? କଣ କରନ୍ତି ତୁମ ହିରୋ ?

--ହଁ ମ୍ୟାମ୍ ସିଏ ମୋ ଠାରୁ ବାର ବର୍ଷ ବଡ଼ । ଆଜି କାଲି ପୁଅ ମାନେ ତ ୱେଲ୍ ଏଷ୍ଟାବ୍ଲିସ୍ଡ ହେଇ ମ୍ୟାରେଜ କଲା ବେଳକୁ ଟିକେ ଲେଟ ହେଉଛି ନା । ସେମାନେ ତ ଆଉ ଏଜେଡ୍ ଝିଅଙ୍କୁ ବାହା ହେବେନି, କଲେଜ୍ ଗୋଇଙ୍ଗ୍ ଟିନ୍ ଏଜ୍ ସମସ୍ତଙ୍କୁ ପସନ୍ଦ । ମ୍ୟାମ୍ ସିଏ ଇଞ୍ଜିନିଅର ଅଛନ୍ତି । ଏବେ ଗୋଟେ ପ୍ରୋଜେକ୍ଟ ପାଇଁ ସ୍କଟଲ୍ୟାଣ୍ଡ ରେ ଅଛନ୍ତି । ଛଅ ମାସ ପରେ ଆସିଲେ ଆମ ମ୍ୟାରେଜ ହେବ, ଜୁନ୍ ମାସରେ । ବର୍ଷା ଦିନେ ବାହା ହେବାକୁ ମୁଁ ଟିକେ ବି ରାଜି ନଥିଲି, କିନ୍ତୁ ତାଙ୍କୁ ବର୍ଷା ପାଗ ବହୁତ ଭଲ ଲାଗେ । ମୋତେ କହନ୍ତି, "ମେଘୁଆ ପାଗର ଆକର୍ଷଣ ଖୁବ ନିଆରା ।"

ବର୍ଷାର କଥାଗୁଡ଼ା କୁହୁଡ଼ିର ପୁରୁଣା ଯନ୍ତ୍ରଣାକୁ ତାଜା କରି କ୍ଷତଟା ଆହୁରି ବେଶି ଗହୀରିଆ କରିଦେଉଥିଲା ।

ବର୍ଷା ଚାଲିଯାଇଥିଲା । କୁହୁଡ଼ି ସକାଳର କୁହୁଡ଼ିଆ ପାଗରେ ପୋର୍ଟିକରେ ଠିଆ ହୋଇ ପୁରୁଣା ଛବି ଗୁଡ଼ାକ ମନେ ମନେ ଆଙ୍କୁଥିଲା । ଗୋଲାପୀ ଜ୍ୟାକେଟ ଟି କଥା ମନକୁ ଆସିବା କ୍ଷଣି, ଆଦ୍ୟ ଯୌବନର ପ୍ରଥମ ପ୍ରେମର ପ୍ରଥମ ଉପହାରଟିକୁ ପୁରୁଣା ବ୍ୟାଗ୍ ଖୋଲି ଅଣ୍ଡାଳି ପକେଇଲା । ଭିତରୁ ସେଇଟି ଉତ୍ତାରି ଆଣି ଦେହରେ ପିନ୍ଧିବାର ପ୍ରୟାସ କଲା । ଆଗପରି ଆଉ ତନୁପାତଳୀ ହେଇ ରହିନଥିବାରୁ ପିନ୍ଧିବା ପାଇଁ ସାମାନ୍ୟ କସରତ କରିବାକୁ ପଡ଼ିଲା । ବଡ଼ କଷ୍ଟରେ ଚେନ୍ ଲଗାଇଲା । ପୁଣି ପୋର୍ଟିକୋ ରେ ଆସି ଠିଆ ହେଲା । ମୋବାଇଲରେ ଫେସବୁକ ଖୋଲିଲା । ରାକେଶ ନାୟକ ସର୍ଚ୍ଚ କଲା । ମୋବାଇଲ ସ୍କ୍ରିନ ଉପରେ ଗୁଡ଼ାଏ ରାକେଶ ନାୟକ ତଳକୁ ତଳକୁ ସଜେଇ ହୋଇଗଲେ । ତହିଁରୁ ଇନଫୋସିସ୍ ଇଞ୍ଜିନିଅର ରାକେଶ୍ ଉପରେ ଆଙ୍ଗୁଠି ଦବେଇଲା । ରିଲେସନସିପ ସ୍ଟାଟସ -ଏନଗେଜ୍ଡ ଉଇଥ୍ ବର୍ଷା ଦାସ ।

କୁହୁଡ଼ି କାନ୍ଦ କାନ୍ଦ ହେଇଗଲା । ବଡ଼ ବଡ଼ ବୁନ୍ଦା ଲୁହସବୁ ତା ଗାଲ ଆଉ ଚିବୁକ୍ ତଳକୁ ଖସି ଆସି ଜ୍ୟାକେଟ୍ କୁ ଭିଜାଉଛନ୍ତି । ହଠାତ ସେ ଅନୁଭବ କଲା ଜ୍ୟାକେଟ୍ ଟା ପିନ୍ଧି ତା ଦେହ କୁଣ୍ଡାଇ ହେଉଛି । ଖୁବ୍ ଜୋରରେ ଦେହ ସାରା ସେହି କୁଣ୍ଡିଆ ଚରିଯାଉଛି । ସେ ଜ୍ୟାକେଟ୍ ଟି ଖୋଲି ହାତରେ ଧରିଲା । ଚେୟାର ଉପରେ ପଡିଥିବା ଚଦର ଆଣି ଘୋଡ଼ି ହୋଇପଡିଲା ।

କିଛି ସମୟପରେ ଚନ୍ଦ୍ରା ଆସି ଗେଟ୍ ଖୋଲିଲା । ଥରି ଥରି ବାସନ ମାଜୁଥିଲା, ଘର ଝାଡ଼ୁ କରୁଥିଲା ।

--କିରେ ତୁ ଘୋଡେଇ ହେଇ ଆସୁନୁ? ଏତେ ଥଣ୍ଡା ରେ ସେଇମିତି ଚାଲିଆସିଛୁ?

--ମ୍ୟାଡ଼ାମ, ସୁଇଟର ଟେ କିଣିବି ଭାବିଛି ।

--ଦେଖିଲୁ ଏଇଟା ତତେ ହେବକି? ତୁ ପତଳା ଅଛୁ ହେଇଯିବ ।

ଗୋଲାପୀ ଜ୍ୟାକେଟ୍ ଟି ପିନ୍ଧି ଖୁସି ଖୁସି ଚନ୍ଦ୍ରା ଗେଟ୍ ପାର ହେଇ ଚାଲିଯାଉଥିଲା । କୁହୁଡ଼ି ମନେ ମନେ ଭାବୁଥିଲା, "ଓହୋଃ ! ଗୋଟେ ଚିନ୍ତା ଗଲା । ଗୋଲାପୀ ରଙ୍ଗରୁ ମୁକ୍ତ ହେଇଗଲି । ରାକେଶ୍ ମୋତେ ଖୁବ୍ ଉଚ୍ଚ ରେ ଦେଖିବାକୁ ଚାହୁଁଥିଲା ନା ନିଶ୍ଚୟ ଦେଖିବ । ଗୋଲାପୀ ରଙ୍ଗରେ ଛନ୍ଦି ହେଇଗଲେ ମୋତେ ଆଗକୁ ରାସ୍ତା ସଫା ଦିଶିଵନାହିଁ " ।

କୁହୁଡ଼ି ଫେରିଆସି ମୋଟା ଗୋଟେ ଵଟାନୀ ବହି ଭିତରେ ହଜିଗଲା ।

ଠିକ ନଅଟା ପଇଁଚାଳିଶ ବେଳକୁ ସୁନ୍ଦର ଧଳା ସ୍ଵେଟର ଟିଏ ପିନ୍ଧି କଲେଜ୍ ବାହାରିଗଲା । ରାସ୍ତା ଆଗକୁ ସଫା ଥିଲା ଓ ଲକ୍ଷ ସ୍ଥଳ ସମୁଦ୍ର ପତନ ଠୁ ଥିଲା ସାମାନ୍ୟ ଉଚ୍ଚରେ ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର ଶାସନ, ଦଶରଥପୁର, ଯାଜପୁର

ପିନ -755006

ପ୍ରେମ ଗୋଲାପୀ କୁହୁଡ଼ି

Rate the content


Originality
Flow
Language
Cover design

Comments

Post

Some text some message..