Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୭୧
ଜହ୍ନମାମୁଁ -୭୧
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.2K    11


Content Ranking

ବନଦେବୀଙ୍କ କୃପା - ୧

ସୀତାପୁର ଗ୍ରାମରେ ଗୋଟିଏ ଗରିବ ପରିବାର ଥିଲା । ଶିବ ଓ ତା’ ସ୍ତ୍ରୀ ରାଧା, ପୁଅଟିଏ, ତା’ର ନାମ ଭରତ । ତାଙ୍କର ଛୋଟ ବଗିଚାଟିଏ ଥାଏ । ସେଥିରେ ଫଳଫୁଲ ଲଗାଇ ତାକୁ ସେ ବିକନ୍ତି, ଆଉ ଅଳ୍ପ କିଛି ଜମିବାଡି, ସେଥିରେ ସେମାନେ ବେଶ୍ ଚଳିଯା’ନ୍ତି । ରାଧା ହାତର ସ୍ପର୍ଶରେ ସେହି ବଗିଚାଟି ଅତି ସୁନ୍ଦର ଓ ଜୀବନ୍ତ ହୋଇ ଉଠିଥାଏ । ରାଧା ସବୁବେଳେ କହୁଥାଏ “ଇଏ ବନଦେବୀଙ୍କ କୃପା ।”

ରାଧା ଥରେ ଅସୁସ୍ଥ ହୋଇ ପଡିଲା । ଚିକିତ୍ସା କରାଇବା ପାଇଁ ଘରେ ପଇସା ନଥାଏ । ଶିବ ବାଧ୍ୟ ହୋଇ ଗାଁର ସାହୁକାର କୁବେର ପାଖକୁ କରଜ ଆଣିବା ପାଇଁ ଗଲା । କୁବେର ଯେ ଖୁବ୍ ସୁଧଖୋର୍ ଓ ଲୋଭୀ ଥିଲା । ବହୁଦିନରୁ ଶିବର ବଗିଚା ଉପରେ ତା’ର ଆଖି ପଡିଥାଏ । ଏବେ ସୁବିଧା ପାଇବା ମାତ୍ରେ ମଧୁର କଥା କହି ସେ ଉକ୍ତ ବଗିଚାଟିକୁ ବନ୍ଧା ରଖି ମାତ୍ର ଚାରିଶହ ଟଙ୍କା ଦେଲା ।

ରାଧାର ଚିକିତ୍ସା କରାଗଲା ହେଲେ ସବୁ ନିଷ୍ଫଳ । ରାଧା ଶେଷରେ ମରିଗଲା । ପୁଣି ମରିବା ପରେ କ୍ରିୟାକର୍ମରେ ମଧ୍ୟ କିଛି ପଇସା ଗଲା । ଏହିପରି ଭାବେ ଚାରିଶହ ଟଙ୍କା ଚାହୁଁ ଚାହୁଁ କୁଆଡେ ଉଡିଗଲା । ମରିବା ପୂର୍ବରୁ ରାଧା ତା’ ପୁଅକୁ ନିଜ ପାଖକୁ ଡାକି କହିଥିଲା, “ପୁଅ, ଦୁଃଖକଷ୍ଟବେଳେ ବନଦେବୀଙ୍କୁ ପ୍ରାର୍ଥନା କରିବୁ । ତାଙ୍କରି କୃପାବଳରେ ଆଜି ପର୍ଯ୍ୟନ୍ତ ଆମେ ସୁବିଧାରେ ଚଳିଯାଉଥିଲେ ।” ରାଧାର ମୃତ୍ୟୁ ପରେ ବାପପୁଅ ଅତି ଦୁଃଖରେ ଭାଙ୍ଗି ପଡିଲେ; ଏଣେ ପଇସା କରଜ, ବଗିଚାଟି ବି ବନ୍ଧା ପଡିଛି । କିଛିଦିନ ଭିତରେ ସେମାନେ ଆହୁରି ମଧ୍ୟ ଗରିବ ହୋଇଗଲେ । ବଗିଚାର ଦେଖାଶୁଣା ଆଉ ଭଲ ଭାବରେ ହୋଇପାରୁନାହିଁ । ଏମିତି ବର୍ଷଟିଏ କଟିଗଲା । ତା’ପରେ ସାହୁକାରର ଉତ୍ପାତ ଆରମ୍ଭ ହେଲା ।

ସାହୁକାର ଦିନେ ଶିବକୁ ଡାକି କହିଲା, “ଦେଖ ଶିବ, ତୋ ଟଙ୍କା ତ ମୂଳଠାରୁ ଆସି ତିନିଗୁଣ ବଢି ଗଲାଣି । ଶୀଘ୍ର ଟଙ୍କା ପରିଶୋଧ କରିଦେ ନଚେତ୍ ତୁ ତୋ ବଗିଚା ଫେରି ପାଇବାର ଆଶା ମନରେ ରଖନାହିଁ । ତୁ ଗୋଟାଏ କାମ କର । ତୋ ପୁଅକୁ ଆମ ଘରେ ଚାକିରୀ କରିବାକୁ ପଠାଇ ଦେ, ତଦ୍ୱାରା କରଜ ତ ଟିକିଏ କମିଯିବ ।”

ସେହିଦିନଠାରୁ ପୁଅ ସାହୁକାର ପାଖରେ ବିନା ପଇସାରେ ଖଟେ ଅର୍ଥାତ୍ ଦରମା ସୁଧବାବଦକୁ ଯାଏ । ଶିବ ନିଜ ବଗିଚା ଭାବି ଯାହା କରେ ସବୁ ଫୁଲଫଳ ସାହୁକାର ଆସି ନେଇଯାଏ । ଏମିତି ବାପପୁଅ ଦୁହେଁ ବଡ କଷ୍ଟରେ ଥା’ନ୍ତି । ଥରେ ଭରତର ମା’ ମୃତ୍ୟୁଶଯ୍ୟାରେ ପଡିଥିବାବେଳେ ତାକୁ ସେ କ’ଣ କହିଥିଲେ ସେକଥା ତା’ର ମନେ ପଡିଲା । ପରଦିନ ସକାଳୁ ଉଠି ସେ ଜଙ୍ଗଲ ଭିତରକୁ ଯାଇ ବନଦେବୀଙ୍କୁ ଧ୍ୟାନ କଲା । ଏମିତି ସେ ପ୍ରାୟ ସବୁଦିନ ଜଙ୍ଗଲକୁ ଯାଇ ଧ୍ୟାନ କରେ । ସେଠାରେ ଝରଣାଟିଏ ଥାଏ । ଅଦୂରରେ କିଛି ଗଛ ଶୁଖି ଯାଇଥାଏ । ଫୁଲ ମଉଳି ଯାଇଥାଏ । ଭରତ ତା’ ଆଞ୍ଜୁଳାରେ ପାଣି ଭର୍ତ୍ତି କରି ନେଇ ସେହି ଅଧା ଶୁଖିଲା ଗଛରେ ଢାଳେ । ପାଣିପିଇ ସେହି ଗଛମାନେ ଅତି ଆନନ୍ଦିତ ହେଲେ । ସବୁଜପତ୍ର ଫୁଲରେ ଗଛଗୁଡିକ ଭରି ଉଠିଲା । ବନଦେବୀ ସେଥିରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଦିନେ ଭରତ ନିକଟରେ ଆବିର୍ଭୁତା ହେଲେ । ଭରତ ଅତ୍ୟନ୍ତ ଭକ୍ତିଭରେ ପ୍ରଣାମ କଲା । ବନଦେବୀ କହିଲେ, “ମୁଁ ତୋର ସେବା ଓ ପ୍ରାର୍ଥନାରେ ଅତ୍ୟନ୍ତ ସନ୍ତୁଷ୍ଟ । ଏବେ କହ ତୋର କ’ଣ ଦରକାର ।”

ଭରତ ବନଦେବୀଙ୍କୁ ନିଜର ସାରା ଦୁଃଖ କହି ଶୁଣାଇଲା । ତା’ପରେ ବନଦେବୀ କୃପା ପରବଶ ହୋଇ କହିଲେ, “ଦେଖ, ସେଠାରେ ଯେଉଁ ଫଳ ଫଳିଛି ସେଥିରୁ ଯା ଗୋଟିଏ ଖାଇନେବୁ ତା’ପରେ ତୁ ଅଦୃଶ୍ୟ ହୋଇଯିବୁ । ତେଣିକି ତୋ ସମସ୍ୟାର ସମାଧାନ ତୁ ନିଜେ କରିବୁ । କିନ୍ତୁ ମନେରଖ, କାମ ଶେଷ ହେବା ମାତ୍ରେ ତୁ ମୋ ପାଖକୁ ଫେରି ଆସିବୁ ଓ ମୋର ଅଲୌକିକ ଶକ୍ତି ମୁଁ ତୋଠାରୁ ନେଇଯିବି । ନହେଲେ ତୁ ତୋ ଜୀବନ ସାରା ସେମିତି ଅଦୃଶ୍ୟ ହୋଇ ରହିବୁ ।”

ଭରତ ବନଦେବୀଙ୍କୁ ପ୍ରଣାମ କରି ସେହି ଗଛର ଯାଦୁଫଳଟି ତୋଳି ଖାଇଦେଲା ଓ ଜାଣିପାରିଲା ଯେ ସେ ଅଦୃଶ୍ୟ ହୋଇ ଯାଇଛି । ସେ ଯାଇ ସାହୁକାର ଘରେ ପହଁଚି ଦେଖିଲା ସାହୁକାର ତା’ ବାପ ଶିବକୁ ଗୋଟାଏ ଗଛରେ ବାନ୍ଧି ପକାଇ ନିର୍ଘାତ ପିଟୁଛି । ଶିବ ଉଁ କି ଚୁଁ କିଛିବି କହୁନଥାଏ । ଏଣେ ସାହୁକାର ଖାଲି ପ୍ରହାର କରି ଚାଲିଥା’ନ୍ତି । ଏ ଦୃଶ୍ୟକୁ ସହିବା ବଡ କଷ୍ଟ । ଭରତ ଦୌଡିଯାଇ କୁବେରକୁ ଗୋଟାଏ ଜୋର୍ ଧକ୍କା ଦେଲା । ଶିବର ମାଡଖିଆ ଦେଖିବାକୁ ବହୁ ଲୋକ ସେଠାରେ ଜମା ହୋଇଥିଲେ । ସେମାନେ ଦେଖିଲେ ଅଚାନକ ସାହୁକାର ତଳେ ପଡିଯାଇ ଯନ୍ତ୍ରଣାରେ ଚିତ୍କାର କରି ଗଡୁଛି । କେହି କିଛି ବୁଝିପାରୁ ନାହାଁନ୍ତି, ସାହୁକାର ନିଜେ ବି କିଛି ବୁଝିପାରୁ ନାହିଁ । ଭରତ ସାହୁକାର ହାତରୁ ବାଡି ଛଡାଇ ଆଣି ତାକୁ କଷିକି ପିଟିଲା । ମାଡ ଖାଇ ଖାଇ ସେ ବେହୋସ୍ ହୋଇଗଲା । ତା’ପରେ ସେ ତାକୁ ସେଇଠି ଛାଡି ତା’ର ଘର ଆଡକୁ ଗଲା ଯେଉଁଠିକି ସେ ସାହୁକାରର ସବୁ ଖାତାପତ୍ର ଥିଲା । ସେଠାକୁ ଯାଇ ତା’ ଜମିର ଦଲିଲ୍ଟି ସେ ଚିରି ପକାଇଲା । ସେଠାରେ ସେ ଦେଖିଲା ଗ୍ରାମର ଅନ୍ୟ ବହୁତ ଗରିବ ଲୋକଙ୍କୁ ସେ ବହୁତ ଅତ୍ୟାଚାର କରିଛି । ତା’ପରେ ସେମାନଙ୍କର କାଗଜପତ୍ରକୁ ମଧ୍ୟ ସେ ଚିରି ନିଆଁ ଲଗାଇ ଦେଲା । ଏସବୁ ଦେଖି ସାହୁକାର ଚିତ୍କାର କରି ସମସ୍ତିଙ୍କର ସାହାଯ୍ୟ ଚାହୁଁଛି, କିନ୍ତୁ କେହି ହେଲେବି ଆସୁ ନଥା’ନ୍ତି । ସେ ପାଟିକରି କାନ୍ଦି କାନ୍ଦି ଏକବାରେ ବାଇଆ ହୋଇଗଲା । କିନ୍ତୁ ଏହା କିପରି ସମ୍ଭବ ହେଲା ତାହା କେହିବି ଜାଣିପାରୁ ନଥା’ନ୍ତି ।

ସୀତାପୁର ଗରିବ ଭରତ

Rate the content


Originality
Flow
Language
Cover design

Comments

Post

Some text some message..