Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

1.0  

Amiya Bej

Others

ଦହିବରା

ଦହିବରା

2 mins
7.2K


ଇଂଗ୍ଲିଶ୍ ସ୍କୁଲ୍ ଛକ କୋଣରେ ,ନିତି ଛିଡା ହେଉଥିବା ଗୋଟେ ଦହିବରା - ଆଳୁଦମ୍ ବାଲା ମୁଁ । ଛୁଟି ହେଲେ ଭୁସ୍ ଭାସ୍ ହୋଇ ଏଇବାଟେ ପିଲାଏ ବାହାରନ୍ତି। ସ୍କୁଲ୍ ଡ୍ରେସ୍ ରେ ସବୁ ଛୁଏ ଏକାପରି ଲାଗନ୍ତି । ଚିହ୍ନିବାକୁ ଢେର କସରତ଼ କରନ୍ତି ବାପା -ମା' ମାନେ । ଅଖାଦ୍ୟ କହି , ସ୍କୁଲ୍ ବାଲା ଫି'ଦିନ ଚୌକିଦାର କୁ ପଠାନ୍ତି ମୋତେ ଘଉଡ଼ାଇବାକୁ । ମୁଁ ହସେ । ତାକୁ ଭାଇ କହି ମାଗଣାରେ ଠୋଲାଏ ଖୁଆଏ । ଗରିବ ର ଭାଇ ବନି,ସ୍କୁଲ୍ ବାଲା ଙ୍କୁ ସେ ଯାଇ କହେ - ଶଳା ଟା ସୁଧୁରିବନି । ଛୁଟି ପରେ ଖାଲି ହାଣ୍ଡି ନେଇ , ସଉଦା ସାରି ଘରକୁ ଫେରୁଫେରୁ ମୁହଁ ସଂଜ । ଅଧାରାତି ରୁ ପୁଣି ଦୁଇ ପ୍ରାଣୀ ଲାଗିପଡୁ ଦହିବରା ପଛରେ ।କାହିଁକି କେଯାଣି ଠାକୁରଙ୍କ ଦୟାମାୟା ନାହିଁ , କି ଆମ କୋଳ ଭରୁନି । ଝିଅଟିଏ । 'ପ୍ରିତ୍'। ଇଂଗ୍ଲିଶ୍ ରେ କଥାକୁହେ । ନିତି ତା' ଡାଡି କୁ ଜିଦ୍ କରେ ଦହିବରା ପାଇଁ । ନୋ' ନୋ' କହି ବାପା ତା'ର କେତେ ବୁଝାନ୍ତି । ସବୁବାପା ପରି ଶେଷକୁ ହାର୍ ମାନି,ମୋତେ ଠା'ରନ୍ତି - ଦେଇ ଦିଅ। ଦେଉଦେଉ ମୁଁ ପଚାରେ - ମା' ଦହିବରା କୁ ଇଂରାଜୀରେ କ'ଣ କୁହନ୍ତି ? ହସିଦେଇ ମୁଣ୍ଡ ହଲାଏ ପ୍ରିତ୍ । ଗାଲରେ ଭଉଁରି ଖେଳିଯାଏ ତା'ର । ଫେରୁଫେରୁ ମୋତେ ବାଏବାଏ କରେ । ଦିନେଦିନେ ପ୍ରିତ୍ ର ମମ୍ମି ଆସେ ନେବାକୁ । ସେଦିନ ଆଉ ଜିଦ୍ କରିବାକୁ ପଡେନି । ମା ' ଝିଅ ଠୋଲାଠୋଲା ମନଭରି ଖାଇଯା'ନ୍ତି । ଏତେ ଛୁଆ ଙ୍କ ଭିତରେ ଏଇଘର ଟିକୁ ଦେଖି ଖୁବ୍ ଖୁସିପାଏ ମୁଁ । ଏକ୍ସମାସ ଛୁଟି ସରିଲାରୁ , ନୂଆବର୍ଷ ରୁ ପୁଣି ବେପାର ଜୋର୍ ଧରିଲା । କିନ୍ତୁ ଆସୁନଥିଲା ଆଉ କୁନିଝିଅ 'ପ୍ରିତ୍' । ବ୍ୟସ୍ତ ହେଲି। କ'ଣ ହୋଇପାରେ ? ବୋଧେ ବୁଲିବାକୁ ଯାଇଥିବେ ନୂଆବର୍ଷ ରେ କୁଆଡେ ! ହପ୍ତେ ଗଲାରୁ ମନେମନେ ଖୋଜିଲି ଢେର୍ । ସବୁଛୁଆ,ସ୍କୁଲ ପୋଷାକ ରେ ଏକାପରି । ପାଉନଥିଲି । ସ୍କୁଲ୍ ବଦଳାଇ ଦେଲାକି ଆଉ? ହୋଇଥିବ ଏୟା ବି ଯେ, ମୋ' ଦହିବରା କୁ ଅଖାଦ୍ୟ ବୋଲି ପିଲାଟାକୁ ବୁଝାଇ ଦିଆଯାଇଥିବ ଜୋର୍ କରି । ସବୁକଥାକୁ ମିଛକରି 'ପ୍ରିତ୍' ଆସିଲା ଦିନେ । ଏକାଏକା! ଚୁପଚାପ୍ କୋଡ଼ିଏ ଟଙ୍କା ବଢାଇ ଛିଡାହେଲା।ଭିଡ ଟିକେ ଥିଲା । ଖାଇସାରୁ , ପରେ ପଚାରିବି ଭାବି ଠୋଲାଏ ବଢାଇଲି ତାକୁ । ଶେଷକୁ ପଚାରିଲି - "କହିଲୁ ଦହିବରା କୁ ଇଂରାଜୀରେ କ'ଣ କୁହନ୍ତି ?" ମୁହଁ ପୋତି ପିଲାଟା ଫେରିଗଲା । ଖରାମୁଁହା ହୋଇ ପିଲାଙ୍କ ଭିଡରେ ଛିଡାହୋଇଥିଲେ ତା' ମମ୍ମି । ଆଖିପଂହଚାଇ ଯାହା ଦେଖିଲି , ଦାଉଦାଉ ସବୁବେଳେ ଜଳୁଥିବା ସିନ୍ଦୁର ଗାର ଆଉ ମଥାରେ ନାହିଁ । ନୂଖୁରା ଦେହରେ ଝିଅର ହାତଧରି ଭିଡ଼ରେ ହଜିଯାଉଥିଲେ ମମ୍ମି । ପିଲା ଟିଏ ଜୋର୍ ରେ ପାଟିକରି ମାଗୁଥିଲା - "ଅଂକଲ୍ ଦହିବରା ଦିଅ" ।


Rate this content
Log in