Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅବୋଲକରା କାହାଣୀ - ୩୦

ଅବୋଲକରା କାହାଣୀ - ୩୦

4 mins
7.5K


ସତୀ ସଉତୁଣୀ ମନ୍ଦିର କଥା - ୨

ଶୁଭ ଲକ୍ଷ୍ମୀ ଯେତେବେଳେ ସେହି ଋଷି ଆଶ୍ରମରୁ ବଢି କୁଢି ଯାଇ ଥିଲେ ତାଙ୍କର ନାମଟି ଯେପରି ସୁନ୍ଦର ଗୁଣ ମଧ୍ୟ ସେହିପରି ସୁନ୍ଦର । କଥା କହୁଥିଲେ ଏପରିଯେ ସତେକି ତାଙ୍କ କଥାରୁ ମଲ୍ଲି ଫୁଲ ଝଡି ପଡୁଛି । କଥାରେ କଥାରେ ଶୁଦ୍ଧ ମଧୁର ବାସ୍ନା । ତାଙ୍କର ନିରାଡମ୍ବର ବେଶଭୂଷା ସତ୍ୟ, ଶାନ୍ତି, ଦୟା କ୍ଷମାର ଦେବୀ ଅବତାର । ଆଶ୍ରମରେ ବଢି ଥିବାରୁ ତାଙ୍କ ମନରେ ଥାଏ ସଦା ସର୍ବଦା ସେବାଭାବ । ବହୁ ଅଲୌକିକ ବିଦ୍ୟାରେ ସେ ଥିଲେ ପରିପୂର୍ଣ୍ଣ ।

ଏତେ ଗୁଡାଏ ରାଣୀଙ୍କ ମଧ୍ୟରୁ ଅନେକଙ୍କର ପିଲା ହେଲେ । ସେମାନେ ସମସ୍ତେ ବହୁ ଦୁଷ୍ଟ ଖଂଟ ହୋଇ ସେହି ରାଜ୍ୟରେ ବହୁ ଉପଦ୍ରବ ଆରମ୍ଭ କରି ଦେଲେ । କିନ୍ତୁ ଏତେ ଜଣ ରାଣୀଙ୍କର ପଛରେ ଯେଉଁ ରାଣୀ ଶୁଭ ଲକ୍ଷ୍ମୀ ରାଜାଙ୍କର ସାନ ରାଣୀ ହେଲେ ତାଙ୍କର ମାତ୍ର ଗୋଟିଏ ପୁଅ ହେଲା । ସେ ପୁଅ ଖୁବ୍ ଗୁଣବାନ ହେଲା । ସମସ୍ତ କଳାରେ ସେ ନିପୁଣ ହେଲା । ଏସବୁ କାରଣରୁ ଅନ୍ୟ ରାଣୀ ମାନେ ସଦା ସର୍ବଦା ସେହି ସାନ ରାଣୀ ଉପରେ ଈର୍ଷାପରାୟଣ ଭାବ ସୃଷ୍ଟି କଲେ । ଦିନକର କଥା ଅନ୍ୟ ରାଣୀ ମାନେ ଈର୍ଷାର ବଶବର୍ତୀ ହୋଇ ତାଙ୍କ ରାଜାଙ୍କୁ ଯାଇ କହିଲେ ଯେ ଆମ ରାଜ୍ୟର ସାନ ରାଣୀ, ସେହି ସାନ ରାଣୀ ନିଜର କାମ ବାସନାକୁ ଚରିତାର୍ଥ କରିବା ଲାଗି ଆମ ରାଜ୍ୟର ସେନାପତିଙ୍କ ସହିତ ପାପ ପ୍ରଣୟରେ ଲିପ୍ତ । ଏହି କଥାକୁ ନେଇ ସେମାନେ ରାଜାଙ୍କ ବିଶ୍ୱାସ ମଧ୍ୟ କରାଇଲେ । ସେନାପତିଙ୍କ କଥାରେ ରାଜା ବିଶ୍ୱାସ କରି ସାନ ରାଣୀକୁ ତୁରନ୍ତ ସେହି ରାଜ୍ୟରୁ ନିର୍ବାସନ କରିବାକୁ ଆଦେଶ ଦେଇ ଦେଲେ ।

ସତୀ ସାନ ରାଣୀ ତ ତା ପିଲା ଦିନୁ ଜଣେ ଋଷିଙ୍କ ଆଶ୍ରମରେ ବଢୁ ଥିଲେ । ସେଥି ଲାଗି ସେହି ସାନ ରାଣୀଙ୍କର ଆଚାର ଆଚରଣ ଖୁବ୍ ଶୁଦ୍ଧ ଥିଲା । ରାଜା ଯେତେବେଳେ ଏହି ସାନ ରାଣୀଙ୍କ ଲାଗି ନିର୍ବାସନ ଦଣ୍ଡ ଭିଆଇଲେ ସେତେବେଳେ ସାନ ରାଣୀ ଶୁଭ ଲକ୍ଷ୍ମୀ ବିଧାତାଙ୍କର ଏହା ଇଚ୍ଛା ହୋଇ ଥିବାରୁ ବିଧିର ବିଧାନକୁ ଗ୍ରହଣ କରି ନେଇ ଆଉ ସେ ରାଜ୍ୟ ଛାଡି ସବୁ ଦିନ ଲାଗି ଚାଲି ଗଲେ ଓ ସେହି ରାଜ ଉଆସର ଅନେକ ଦୂରକୁ ଆସି ପତ୍ର କୁଟା କାଠ ବାଉଁଶରେ ଏକ କୁଟୀର ନିର୍ମାଣ କରି ସେହି କୁଡିଆରେ ଖୁବ୍ ଆନନ୍ଦରେ ବାସ କଲେ । ଆଉ ପାଖରେ ଥିବା ବନରୁ ମିଠା ମିଠା ଫଳ ମୂଳ ସଂଗ୍ରହ କରି ଭୋଜନ କରି ନିଜ ଜୀବନକୁ ରକ୍ଷା କଲେ ।

ଶୁଭ ଲକ୍ଷ୍ମୀ ଥିଲେ ଜଣେ ପବିତ୍ର କନ୍ୟା, ତାଙ୍କରି ଦୟାରୁ ଅଳ୍ପ ଦିନ ମଧ୍ୟରେ ନିଜର କୁଡିଆ ଘର ପାଖରେ ଆଉ ସେ ଏକ ରାଜ ଉଆସ ନିର୍ମାଣ କଲେ । ସେଠାରେ ବହୁତ ଲୋକଙ୍କୁ ଆଣି ସେମାନଙ୍କ ଲାଗି ଘର ଦ୍ୱାର କରି ସେମାନଙ୍କୁ ରଖାଇଲେ । ଏହିପରି ସେ ସ୍ଥାନରେ ସାନ ରାଣୀଙ୍କର ଦୟା ଓ କରୁଣାରୁ ସେଠାରେ ଆଉ ଗୋଟିଏ ଖୁବ୍ ସୁନ୍ଦର ଜନବସତି ଗଢି ଉଠିଲା । ସାନ ରାଣୀଙ୍କର ବାସ ସ୍ଥାନ ନିକଟରେ ଗୋଟିଏ ସୁବର୍ଣ୍ଣର ଖଣି ଦେଖା ଗଲା ।

ସୁବର୍ଣ୍ଣର ଖଣି ପାଇ ଯିବା ପରେ ସେହି ଧନକୁ ସେହି ସାନ ରାଣୀ ଶୁଭ ଲକ୍ଷ୍ମୀ ନିଜ ରାଜ୍ୟରେ ବ୍ୟୟ କଲେ । ଏଥିରେ ସମସ୍ତ ପ୍ରଜାପାଟକ ସନ୍ତୁଷ୍ଟ ହେଲେ । ସେହି ଧନରେ ବହୁତ ଗୁଡିଏ କୋଠା ନିର୍ମାଣ କରି ଦେଲେ ଓ ନିଜର ରାଜ୍ୟକୁ ସୁଦୃଢ କରିବାକୁ ଲାଗିଲେ । ଏ ସମ୍ବାଦ ଚାରି ଆଡେ ଖେଳି ଯିବାରୁ ଅନ୍ୟାନ୍ୟ ଦେଶରୁ ଅନେକ ଶରଣାର୍ଥୀ ଆସି ସେ ରାଜ୍ୟରେ ବାସ କଲେ । ସାନ ରାଣୀ ଶୁଭ ଲକ୍ଷ୍ମୀ ଙ୍କର ଗୋଟିଏ ମାତ୍ର ପୁଅ, ସେ ବଡ ହୋଇ ଯିବାରୁ ସାନ ରାଣୀ ପୁଅ ଗୋବିନ୍ଦ ବଲ୍ଲଭଙ୍କୁ ସେ ରାଜ୍ୟର ରାଜ ଗାଦିରେ ବସାଇ ଦେଲେ । ଗୋବିନ୍ଦ ବଲ୍ଲଭ ରାଜା ହେବା ପରେ ନିଜ ରାଜ୍ୟରେ ହାତୀ ଘୋଡାର ପରିମାଣ ବଢାଇ ଦେଲେ । ନିଜ ରାଜ୍ୟକୁ ଶତୃ ମାନଙ୍କର ଆକ୍ରମଣରୁ ରକ୍ଷା କରିବା ଲାଗି ବହୁ ସୈନ୍ୟଙ୍କୁ ନିଯୁକ୍ତି ମଧ୍ୟ ଦେଲେ ।

ଏହା ପରେ ସିଂହଭୂମି ରାଜାଙ୍କର ପାପର ଫଳ ଧୀରେ ଧୀରେ ବଢିବାକୁ ଲାଗିଲା । ଯେଉଁଠାରେ ପାପର ସ୍ଥାନ ସେଠାରେ ମା’ ଲକ୍ଷ୍ମୀଙ୍କର ସ୍ଥାନ ଆଦୌ ନଥାଏ । ରାଜା ପ୍ରତାପ ସିଂହଙ୍କ ମନ୍ଦ ସମୟ ଆସିଲାରୁ ରାଜା ବାହାର ଶତ୍ରୁ ମାନଙ୍କ ଠାରୁ ଯୁଦ୍ଧରେ ହାରି ପରାଜିତ ହେଲେ । ପୁଅ ମାନେ ନିଜ ପ୍ରାଣ ଆତଙ୍କରେ ସେ ରାଜ୍ୟ ଛାଡି ପଳାଇ ଗଲେ । ଆଉ ପୁଣି ଥିଲେ ସେହି ରାଜା ପ୍ରତାପ ସିଂହଙ୍କ ଅସଂଖ୍ୟ ରାଣୀ । ସେମାନେ ବିଜୟ କରିଥିବା ରାଜାଙ୍କର ଉଆସରେ ପୋଇଲି ପରି ବାସ କରିବାକୁ ଲାଗିଲେ ।

ପରାଜିତ ରାଜ୍ୟର ରାଜା ପ୍ରତାପ ସିଂହ ପରାଜିତ ହୋଇ ଅରଣ୍ୟ ମଧ୍ୟରେ ପାଗଳ ପ୍ରାୟ ଲୁଚି ଲୁଚି ବୁଲୁଥିବା ସମୟରେ ଯୋଗକୁ ଦିନେ ସେ ତାଙ୍କ ସାନରାଣୀଙ୍କର ପୁଅ ଯୁବରାଜ ଗୋବିନ୍ଦ ବଲ୍ଲଭଙ୍କ ରାଜ୍ୟରେ ଆସି ପହଁଚିଲେ ଓ ସେଠାରେ ଆଶ୍ରିତ ଭାବରେ ଜୀବନ ଯାପନ କଲେ । ଯୁବରାଜ ଗୋବିନ୍ଦ ବଲ୍ଲଭ ତାଙ୍କୁ ନିଜ ରାଜ୍ୟର ମନ୍ତ୍ରୀ ଭାବରେ ନିଯୁକ୍ତି ଦେଇ ସଙ୍ଗେ ସଙ୍ଗେ ନିଜ ମାତା ଶୁଭ ଲକ୍ଷ୍ମୀଙ୍କୁ ଏ ସମ୍ବାଦ ଦେଲେ ।

ପୁଅ ତା’ର ନିଜ ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିବା ଜାଣି ସେହି ମନ୍ତ୍ରୀଙ୍କୁ ଦେଖିବା ଉତ୍କଣ୍ଠାରେ ନିଜର ପୋଇଲି ପରିଚାରିଙ୍କୁ ଧରି ରାଜ ସଭାକୁ ଆସିଲେ । ରାଜ ସଭାରେ ନିଜର ସ୍ୱାମୀ ରାଜା ପ୍ରତାପ ସିଂହଙ୍କୁ ମନ୍ତ୍ରୀ ରୂପରେ ଦେଖି ରାଣୀ ଶୁଭ ଲକ୍ଷ୍ମୀ ଖୁବ୍ କାନ୍ଦିଲେ । ତା’ପରେ ସେ ନିଜର ସ୍ୱାମୀଙ୍କୁ ପ୍ରଣାମ କରି ପୁଅକୁ କହିଲେ – ଆରେ ପୁଅ ଗୋବିନ୍ଦ । ତୁ ଏପରି ଗୋଟେ ଭୁଲ୍ କରି ଦେଲୁ । ତୋର ଜନ୍ମଦାତା ପିତା ରାଜା ପ୍ରତାପ ସିଂହଙ୍କୁ ତୁ ନିଜେ ରାଜା ହୋଇ ତାଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତି ଦେଲୁ । ତୁ ତୋର ପିତାଙ୍କୁ ଚିହ୍ନି ପାରିଲୁ ନାହିଁ । ଆରେ ପୁଅ ତୁ ସିଂହାସନରୁ ଆଗ ଉଠି ଆସି ପିତାଙ୍କୁ ତୋର ପ୍ରଣାମ କର । ଅଜଣାରେ ହେଉ ଅବା ଜାଣିବାରେ ହେଉ ତୋର ପିତାଙ୍କ ନିକଟରେ ଯେଉଁ ଭୁଲ୍ ତୁ କରିଛୁ ସେ ଭୁଲ୍ ପାଇଁ ତାଙ୍କ ପାଦ ତଳେ ପଡି ତୁ ତାଙ୍କ ଠାରୁ କ୍ଷମା ଭିକ୍ଷା କର ।

ଗୋବିନ୍ଦ ବଲ୍ଲଭ ନିଜ ପିତାଙ୍କ ପାଖରେ ଯାଇ କ୍ଷମା ମାଗିବାରୁ ବୁଢା ରାଜା ନିଜ ପୁଅକୁ କୋଳକୁ ନେଇ ଖୁବ୍ ଆନନ୍ଦ ହୋଇ କାନ୍ଦି ପକାଇଲେ ଆଉ ମଧ୍ୟ କହିଲେ ମୁଁ ଧନ୍ୟ ହୋଇ ଗଲି । ସାଗର ମନ୍ଥନରୁ ଶେଷରେ ମୋତେ ଅମୃତ ତୁଲ୍ୟ ଗୁଣଜ୍ଞ ପୁଅ ମିଳି ଗଲା । ସେ ତା’ର ନୂଆ ରାଜ୍ୟର ରାଜା । ଆଜିଠାରୁ ମୁଁ ତା’ର ପରାମର୍ଶ ଦାତା ଭାବରେ ରହିଲି । ସ୍ୱାମୀଙ୍କୁ ପାଇ ରାଣୀ ଖୁବ୍ କାନ୍ଦିଲେ । ତାଙ୍କର ପାଦ ଧରି ଅନୁରୋଧ କଲେ – ଆପଣ ଏହି ରାଜ ସିଂହାସନରେ ମୁକୁଟ ପିନ୍ଧି ରାଜା ହୁଅନ୍ତୁ । ମୁଁ ସତୀ, ତୁମେ ଅନ୍ୟ ରାଣୀ ମାନଙ୍କର କୁମନ୍ତ୍ରଣାରେ ପଡି ସିନା ମୋତେ ନିର୍ବାସନ କରି ଦେଲ । ସତୀ ମାତାଙ୍କର ସୁପ୍ରଭାବରେ ପୁଅ ତୁମର ଆଜି ଏ ରାଜ ଗାଦିରେ ବସିଛି ।

ରାଜା ସାନ ରାଣୀ ଶୁଭ ଲକ୍ଷ୍ମୀ ଙ୍କର ଆଖିରୁ ଲୁହ ପୋଛି ଦେଇ ତାଙ୍କୁ କୋଳେଇ ନେଲେ । ସ୍ୱାମୀ ସ୍ତ୍ରୀ ଆଶ୍ରମ ତୁଲ୍ୟ ସ୍ୱଭାବ ନେଇ ସେହି ରାଜ୍ୟରେ କିଛି ଦିନ ରହିବା ପରେ ଉଭୟଙ୍କର ସେହିଠାରେ ହିଁ ସ୍ୱର୍ଗ ପ୍ରାପ୍ତି ହେଲା । ପୁତ୍ର ନିଜ ମାତାଙ୍କରସ୍ମୃତି ନିମନ୍ତେ ସେହିଠାରେ ଗୋଟିଏ ମନ୍ଦିର ତୋଳାଇ ମାଆଙ୍କର ପ୍ରତିମୂର୍ତ୍ତି ସ୍ଥାପନ କଲେ । ସେହି ଦିନୁ ସେ ମନ୍ଦିରର ନାମ ହେଲା ସତୀ ସଉତୁଣୀ ମନ୍ଦିର ।


Rate this content
Log in

Similar oriya story from Children