Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସତ୍ୟ ବଞ୍ଚିବାକୁ କିଛି ମିଛ
ସତ୍ୟ ବଞ୍ଚିବାକୁ କିଛି ମିଛ
★★★★★

© Kamala Satpathy

Drama Inspirational Tragedy

20 Minutes   20.9K    15


Content Ranking

ସତ୍ୟ ବଞ୍ଚିବାକୁ କିଛି ମିଛ

- କମଳା ଶତପଥୀ

ଆଖି ଖୋଲିଲା ଦିନରୁ ଶିକ୍ଷକ ବାପାଙ୍କ ପାଖରୁ କେବଳ ଗୋଟିଏ ଶିକ୍ଷା ହିଁ ପାଇଥିଲେ ଯୁଗଳ କିଶୋର – ସତ କହିବା .. ଆଉ ସତ ହିଁ କହିବା । ସବୁ ପରିସ୍ଥିତିରେ .. ସବୁ ପରିବେଶରେ କେବଳ ସତକୁ ସାଥି କରିବ । ମିଥ୍ୟାର ଆଶ୍ରୟ ନେଉଥିବା ବ୍ୟକ୍ତି ଜୀବନରେ କେବେ ଆଗକୁ ବଢି ପାରେ ନାହିଁ । ସତ୍ୟର ପଥ ଜଟିଳ ଆଉ ବନ୍ଧୁର ସତ, ହେଲେ ବିଜୟ ପରିଶେଷରେ ସତ୍ୟର ହିଁ ହେଇଥାଏ ।

ନିଜ କଥାକୁ ଅଧିକ ପ୍ରାଞ୍ଜଳ କରି ବୁଝେଇବା ପାଇଁ ସେ ସବୁବେଳେ ପିଲାଙ୍କ ଆଗରେ ପାଣ୍ଡବମାନଙ୍କର ଉଦାହରଣ ରଖୁଥିଲେ । କୌରବମାନେ ସାରା ଜୀବନ ଆନନ୍ଦ ଉଲ୍ଲାସରେ କାଟିଲେ ସତ, ହେଲେ କ’ଣ ହେଲା ସେମାନଙ୍କ ଅନ୍ତ ! ମିଥ୍ୟା ଆଉ ପାପର ବଳରେ ଧରାକୁ ସରା ମନେ କରୁଥିବା ଶହେ ଭାଇ ଶେଷରେ ନିଜ ବଂଶ ପାଇଁ ଏକ ମସ୍ତବଡ ଅଭିଶାପ ସାବ୍ୟସ୍ତ ହେଲେ । ସେଥିପାଇଁ ଯେତେ କଷ୍ଟ ପଡୁ, ଯେତେ ଅସୁବିଧା ହେଉ, ସତ୍ୟର ହାତକୁ କେବେ ବି କେହି ଛାଡିବନି ବୋଲି ସେ ବାରମ୍ବାର ଚେତାଉଥିଲେ ।

ବାପାଙ୍କର ପୁଅ ଉପରେ ଯେତେ ଭରସା ଥିଲା, ଗୁରୁର ଶିଷ୍ୟ ଉପରେ ଥିଲା ତା’ ଠାରୁ ଅଧିକ ଭରସା । ସେ ଦୃଢ ନିଶ୍ଚିତ ଥିଲେ ପିଲାଏ ତାଙ୍କର ସତ୍ୟର ପଥକୁ କେବେ ବି ଛାଡିବେ ନାହିଁ । ଯାହା ବା କେବେ ଛାଡିବା କଥା ମନକୁ ଆସନ୍ତା, ଆଖି ଖୋଲିଲା ଦିନରୁ ସବୁ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ବି ବାପାଙ୍କୁ ସେହି ସତ୍ୟର ପଥରେ ଦୃଢ ପଦରେ ଆଗଉ ଥିବାର ସେମାନେ ଦେଖିଛନ୍ତି .. ତା’ପରେ କେମିତି ବା ମନକୁ ଆଣି ପାରିବେ ସେଇ ପଥରୁ ହଟିଯିବାର କଳ୍ପନା !

ପିଲାମନର କଞ୍ଚାମାଟି ଉପରେ ବାପାଙ୍କର ଏହି ଶିକ୍ଷା ଯୁଗଳ କିଶୋରଙ୍କ ଉପରେ ଖୁବ୍ ବେଶି ପ୍ରଭାବ ପକେଇଥିଲା । ସବୁବେଳେ ମନେ ମନେ ସେ ଶପଥ ନେଉଥିଲେ ଯେ ବାପାଙ୍କ ପରି ସେ ବି ଏହି ଉପଦେଶଟିକୁ ସାରା ଜୀବନ ଅକ୍ଷରେ ଅକ୍ଷରେ ପାଳନ କରିବେ । କେବେ କୌଣସି ବିକଟ ପରିସ୍ଥିତି ଆଗରେ ହାର୍ ମାନିଯାଇ ମିଥ୍ୟାବାଦୀ ସାଜିବେ ନାହିଁ । ବାପା ଯଦି ଅଭାବ ଅସୁବିଧାର ସଂସାର ଭିତରେ ଅନ୍ୟ ସବୁ ପ୍ରକାରର ସୁଖକୁ ତ୍ୟଜ୍ୟ କରିଦେଇ ସତ୍ୟର ହାତ ଧରି ଧରି ମୁଣ୍ଡ ଉଠେଇ ସଂପୂର୍ଣ୍ଣ ଥାଟବାଟର ସହ ରହିପାରିଲେ, ତେବେ ସେ କାହିଁକି ପାରିବେନି ! ବାପାଙ୍କ ପରି ସେ ତ ଆଉ କମ୍ ପାଠ ପଢିନାହାନ୍ତି ଯେ ତାଙ୍କୁ ଅଭାବ ଅସୁବିଧା ଭିତରେ ସାରା ଜୀବନ ସଂଘର୍ଷ କରିବାକୁ ପଡିବ ! ତାଙ୍କ ଶିକ୍ଷା ନିଶ୍ଚୟ ତାଙ୍କୁ ଏ ଦିଗରେ ସାହାଯ୍ୟ କରିବ !

ଗାଁ ଚାହାଳୀରେ ଶିକ୍ଷକତା କରି କେହି କ’ଣ କେବେ ନିଜ ପରିବାରର ପେଟ ପୋଷି ପାରିଲାଣି ଭଲରେ ଯେ ଯୁଗଳ କିଶୋରଙ୍କ ବାପା ନିଜ ପରିବାରକୁ ପେଟପୂରା ଖାଇବାକୁ ପିଇବାକୁ ଦେଇ ବାକି ସୁଖ ସୁବିଧା ଯୋଗେଇ ପାରିଥାନ୍ତେ ! ନିତିଦନର ଅଭାବ ଅସୁବିଧା ରାତି ପାହିଲେ ଆଁ କରି ମାଡି ବସୁଥିଲା ତାଙ୍କ ପରିବାରକୁ । ଅଧା ଭଙ୍ଗା ଚାଳ ତଳେ, ଅଧା ଫୁଙ୍ଗୁଳା ଦେହରେ, ଅଧା ଭରା ପେଟ ନେଇ, ପୂରା ପରିବାରଟି କୌଣସି ମତେ ଚଳି ଯାଉଥିଲା । ସବୁକିଛି ଅଧା ଅଧା ଭିତରେ ପୂରା ହେଇ ପାରୁଥିଲା ତ କେବଳ ପାଠପଢା ଆଉ ନୀତିଶିକ୍ଷା । ସେ ଶିକ୍ଷାର ପ୍ରଭାବ ଏତେ ବେଶି ଥିଲା ଯେ ଯୁଗଳ କିଶୋରଙ୍କ ସହିତ ତାଙ୍କର ସାନ ଦୁଇ ଭଉଣୀ କେବେ କେଉଁ କଥା ପାଇଁ ମିଛ କହି ହିଁ ପାରୁନଥିଲେ, ଏପରିକି ବାପାଙ୍କ ଅନୁପସ୍ଥିତିରେ ମଧ୍ୟ ନୁହେଁ । ବାପାଙ୍କ ଅଧା ଅଧୁରା ଜୀବନର ଏଇ ଗୋଟିକ ହିଁ ଥିଲା ସର୍ବଶ୍ରେଷ୍ଠ ଉପଲବ୍ଧି !

ବୋଉ ଆଗରେ କେବେ କେବେ ଗର୍ବରେ କୁହନ୍ତି ସେ, “ବୁଝିଲ ଯୁଗବୋଉ, ଏ ଜୀବନରେ ଶଙ୍କର୍ଷଣ ଦାଶ ଆଉ କିଛି କରୁ କି ନକରୁ, ନିଜ କର୍ତ୍ତବ୍ୟର ବେଶ୍ ସଂପାଦନ କରିଛି । ସାରା ଜୀବନଟା ବିତିଗଲା ମଣିଷ ଗଢିବାରେ । ସେଇ ମଣିଷମାନଙ୍କ ଭିତରୁ ଆଜି କେତେ କେତେ ଉଚ୍ଚ ପଦରେ ପ୍ରତିଷ୍ଠିତ ହୋଇ ନିଜର ତଥା ମୋର ସମ୍ମାନ ରକ୍ଷା କରୁଛନ୍ତି । ସେମାନଙ୍କୁ ଗଢିବାରେ ଯେଉଁ ପରିପକ୍ୱତା ହାସଲ କରିଥିଲି, ସେସବୁକୁ ପୂରାପୂରି ଲଗେଇ ଦେଇ ଯୋଉ ତିନୋଟି ରତ୍ନକୁ ମୁଁ ଗଢିଛି, ମୋ ଅନ୍ତେ ସେଇମାନଙ୍କ ପିତା ରୂପରେ ସାରା ଦୁନିଆ ମତେ ମନେ ପକେଇ ନିଶ୍ଚୟ ଈର୍ଷା କରିବ ! ତୁମେ ଦେଖିବ, ମୋ ପିଲାଏ ସତ୍ୟ ପଥରେ ଆଜୀବନ ରହି କେମିତି ମୋ ଶିକ୍ଷାର ପ୍ରକୃତ ଉପଯୋଗ କରିବେ !”

ବୋଉ ଆଖିରେ ଆଗାମୀ ଭବିଷ୍ୟତର ଉଜ୍ଜଳ ଛବି ଚକ୍ ଚକ୍ କରିଉଠେ । ସଜଳ ହୋଇଉଠେ ଆଖି । ଅପେକ୍ଷା କରେ ସେଇ ସୁଦିନକୁ, ଯୋଉଦିନ ବାପା ନିଜ ପରିଶ୍ରମର ପ୍ରକୃତ ମୂଲ୍ୟ ପାଇବେ । ବାସ୍ତବରେ ତାଙ୍କ ପରି ଶିକ୍ଷକ ଏ ଖଣ୍ଡମଣ୍ଡଳରେ ଆଉ କେହି ନଥିଲେ । ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଯୋଗ୍ୟ ଥିଲେ ବି ବଡବଡିଆଙ୍କ ଆଗରେ ପଦେ ଦୁଇ ପଦ ମିଛସତ କହି ନପାରିବାରୁ ଦୁଇ ଦୁଇ ଥର ମନୋନୀତ ହେବା ସତ୍ତ୍ୱେ ବି ସେଇ ସୌଭାଗ୍ୟ ପାଇ ପାରିଲେନି ଆଜିଯାଏ । ସେଥିପାଇଁ ବାପାଙ୍କ ମନ ଯେତେ ଦୁଃଖ ନଥିଲା, ବୋଉର ଥିଲା ତା’ଠାରୁ ଅଧିକ । କାରଣ ତା’ ନଜରରେ ବାପାଙ୍କ ପରି ସୁପୁରୁଷ ଆଉ କେହି ନାହାନ୍ତି ଏ ସଂସାରରେ ।

କିନ୍ତୁ ଭାଗ୍ୟ ଆଗରେ କାହାର ବା ଜୋର୍ କେତେ ! ଏବେ ତ ଚାକିରି ଶେଷ ହେବାକୁ ବସିଲାଣି । ଆଉ ଆଶା ରଖି କି ଲାଭ ! ଏବେ କେବଳ ଯାହା କିଛି ଆଶା ଅଛି, ସବୁ ପିଲାଙ୍କୁ ନେଇ । ବିଶେଷ ଭାବରେ ଯୁଗଳ କିଶୋରଙ୍କ ପାଇଁ ଉଭୟଙ୍କ ମନରେ ଆଶାର ବୈତରଣୀ ସବୁବେଳେ କୂଳ ଲଙ୍ଘୁଥିଲା ।

ଉଡି ଯାଉଥିଲା ସମୟ ପକ୍ଷୀରାଜ ଘୋଡା ଉପରେ ସବାର ହୋଇ । ଅବସର ନେଇ ସାରିଥିଲେ ବାପା । ଦରମା ପଇସାରେ ଅଚଳ ହେଉଥିବା ଘର ପେନସନ୍ ପଇସାରେ ଆହୁରି ଅଚଳ ହେଇ ଯାଉଥିଲା ଦିନକୁ ଦିନ । ସାରା ସମୟ ବାପାଙ୍କର ଏବେ କଟୁଥିଲା କେବଳ ପିଲାଙ୍କୁ ମନ ମୁତାବକ ସ୍ଥିତିରେ ଦେଖିବା ସ୍ୱପ୍ନରେ । ସେ ସ୍ୱପ୍ନ ଭିତରେ ପ୍ରଥମ ଥିଲା ଯୁଗଳ କିଶୋରଙ୍କ ବଡ ଅଫିସର ହେବାର, ଆଉ ତା’ ପରକୁ ଥିଲା ବିନା ଯାନି ଯୌତୁକରେ ଦୁଇ ଭଉଣୀଙ୍କର ଯୋଗ୍ୟ ଘରେ ବିବାହ ! ତା’ ପରକୁ ପର ଆଉ କିଛି ସ୍ୱପ୍ନ ବି କେନେଇ ଯାଉଥିଲେ – ଯେମିତିକି ଯୁଗଳ କିଶୋରଙ୍କ ଭଲ ଜାଗାରେ ପୋଷ୍ଟିଙ୍ଗ୍.. ବିନା କଳା ଦାଗରେ ଚାକିରି ଜୀବନର ଚରମ ସୋପାନରେ ପହଞ୍ଚିବା, ଆଦି ଆଦି .. ! ହେଲେ ସେ ସ୍ୱପ୍ନସବୁ ବାସ୍ତବତାର ରୂପ ନେବା ଯେ ଏକ ଅପହଞ୍ଚ କଳ୍ପନା, ସେକଥା ଯୁଗଳ କିଶୋର ଚାହିଁକି ବି ତାଙ୍କୁ ବୁଝେଇ ପାରୁନଥିଲେ । ବରଂ ବାପାଙ୍କ ଆଗରେ ପହଞ୍ଚିଗଲେ ନିଜର ନିପାରିଲାପଣ ତାଙ୍କୁ ଭୀଷଣ କୁଣ୍ଠାଗ୍ରସ୍ତ କରି ପକାଉଥିଲା ବୋଲି ସେ ବାପାଙ୍କ ପାଖରୁ ଦୂରେଇ ଦୂରେଇ ରହୁଥିଲେ ।

ଗାଁ ସ୍କୁଲ୍ ର ପାଠ ଶେଷ କରି ଆଗକୁ ପଢିବା ପାଇଁ ବାପାଙ୍କର ସ୍ୱୀକୃତି ନେଇ ସହରକୁ ଚାଲିଗଲେ ଯୁଗଳ କିଶୋର । ଭଉଣୀ ଦୁଇ ଜଣ ସମ୍ବଳ ଅଭାବରୁ ପାଠରେ ଡୋରି ବାନ୍ଧିଦେଇ ଘରେ ବସି ରହିଲେ । ସେମାନଙ୍କ ବାହାଘର ଚିନ୍ତା ଏବେ ବାପାଙ୍କୁ ଅଥୟ କରୁଥିଲା । ସହରକୁ ଯିବା ପୂର୍ବରୁ ଯୁଗଳ କିଶୋରଙ୍କୁ ତାଙ୍କ ଦାୟିତ୍ତ୍ୱ ବିଷୟରେ ଅବଗତ କରେଇଲା ବେଳେ ଏକଥା ବି କହି ଦେଇଥିଲେ ଯେ ସହରକୁ ଯିବା ଅର୍ଥ ନୁହେଁ ନିଜର ନୀତି ଆଦର୍ଶକୁ ପାସୋରି ବସିବା ! ପରିବାରର ଦାୟିତ୍ତ୍ୱ କୁ ଭୁଲିଯିବା ! ସେ ବିଷୟରେ ନିଜେ ଯୁଗଳ କିଶୋର ବାପାଙ୍କଠୁ ଅଧିକ ସଚେତନ ଥିଲେ ।

ତାଙ୍କୁ ବିଦା କଲା ବେଳେ ବାପା ଖୁବ୍ ବେଶି ଉଦାସ ଥିଲେ । ଭଉଣୀମାନଙ୍କ ବାହାଘରର ଚିନ୍ତା ସାଙ୍ଗକୁ ଯୁଗଳ କିଶୋରଙ୍କ ଦୂରକୁ ଚାଲିଯିବା କଥାଟା ତାଙ୍କୁ ଦୋହଲେଇ ପକେଇଥିଲା । ଯୁଗକୁ ଚାହିଁ ବିବାହ ବଜାରର କିଛି ବି ସର୍ତ୍ତ ସେ ପୂରା କରି ପାରୁନଥିଲେ । ତାଙ୍କରି ଖାଲି ହାତ ପାଇଁ ସୁଗୁଣବତୀ ଝିଅମାନେ ବିବାହ ବଜାରରେ ଅସଫଳ ହେଇ ଫେରୁଛନ୍ତି ବାରମ୍ୱାର ବୋଲି ଦୁଃଖରେ ଝାଉଁଳି ପଡିଥିଲେ । ସେ ସହରକୁ ଆସିବାର କିଛି ଦିନ ପୂର୍ବରୁ ହି ହଠାତ୍ ଦିନେ ଅଧ ରାତିରେ ବାପାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ଉଠିଲା । ତାହା ଯେ ହାର୍ଟ ଆଟାକ୍‌ ସେକଥା ସେ ଜାଣି ପାରିଥିଲେ । କିନ୍ତୁ ବାପାଙ୍କର ଅସରନ୍ତି ସ୍ୱପ୍ନମାନଙ୍କୁ ପୂରା କରିବାକୁ ତାଙ୍କୁ ସହରକୁ ଯିବାକୁ ପଡିବ ବୋଲି , ସେଇ ଅବସ୍ଥାରେ ବି ବାଧ୍ୟ ହେଇକି ଛାଡିକି ଚାଲିଆସିଲେ । ଆଉ ସହରରେ ରହି ରହି ସବୁକିଛି ଠିକ୍ ହେଇଯିବାକୁ ପ୍ରତୀକ୍ଷା କରିଚାଲିଲେ କେବଳ, ଯାହା ହେବାର ସମ୍ଭାବନା କମ୍ ଥିଲା ।

ବାପାଙ୍କୁ ଦେଇକି ଆସିଥିବା କଥାର ମହତ ରଖିବାକୁ ଯାଇ ନିଜ ନୀତି ଆଦର୍ଶକୁ କାୟମନୋବାକ୍ୟରେ ପାଳନ କରିବାକୁ ଲାଗିଲେ । ସେଇଟା ଅଲଗା କଥା ଯେ ଯେଉଁ ନୀତି ଆଦର୍ଶକୁ ମାନି ବାପା ଦଶଖଣ୍ଡ ଗାଁରେ ସୁପରିଚିତ ଥିଲେ, ସେହି ନୀତି ଆଦର୍ଶ ସହରରେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଅପଦସ୍ତ କଲା .. ହଇରାଣ ହରକତ କଲା । ଏପରିକି ତାଙ୍କୁ ନିଜର ବନ୍ଧୁ ରୂପରେ ଗ୍ରହଣ କରିବାକୁ ବି କେହି ରାଜି ହେଲେ ନାହିଁ । କାରଣ, ସେମାନଙ୍କ ହିସାବରେ ସେମାନଙ୍କର ଯୁବାବେଳର ପ୍ରତିଟି ଅକାର୍ଯ୍ୟର ମୂଖ୍ୟ ପ୍ରତିବନ୍ଧକ ଥିଲେ ଏଇ ଯୁଗଳ କିଶୋର ।

ଯେମିତିକି ବନ୍ଧୁମାନଙ୍କ ବାଧ୍ୟବାଧକତାରେ ପଡି କେବେ କେବେ କ୍ଲାସ୍ ରୁ ବାହାରି ସେମାନଙ୍କ ସହିତ ସିନେମା ଦେଖିବାକୁ ସେ ଗଲେ ସତ, ହେଲେ ପରଦିନ ଅଧ୍ୟାପକଙ୍କ ପ୍ରଶ୍ନରେ ଯୋଉଠି ଅନ୍ୟମାନେ କିଛି ନା କିଛି ବାହାନା କରିଦେଲେ, ସେଇଠି ଯୁଗଳ କିଶୋର ସତ କଥା କହିଦେଇ ଅଧ୍ୟାପକଙ୍କ ଗାଳି ନିଜେ ଖାଇବା ସାଥେ ସାଥେ ସାଙ୍ଗମାନଙ୍କୁ ବି ଖୁଆଇଲେ । ସେମାନେ ଯୋଜନା କରିଥିଲେ କିଛି ଗୋଟେ ମିଛ କହିଦେଇ ଅଧ୍ୟାପକଙ୍କ ହାବୁଡରୁ ଖସି ଯିବା ପାଇଁ । ହେଲେ ସେମିତି କରି ପାରୁନଥିଲେ ସେ । ଜୀବନକୁ ସଠିକ୍ ରାସ୍ତାରେ ଆଗକୁ ନେବାର ଶିକ୍ଷା ଗୁରୁ ରୂପରେ ନିଜ ବାପାଙ୍କ ଠାରୁ ସେ ପାଇଛନ୍ତି, ସେ ଶିକ୍ଷାକୁ କୌଣସି ପରିସ୍ଥିତିରେ ବି ସେ ଛାଡି ପାରିବେନାହିଁ । ତେଣିକି ସାଙ୍ଗମାନେ ତାଙ୍କୁ ସାଙ୍ଗ ରୂପରେ ଗ୍ରହଣ କରନ୍ତୁ ବା ନକରନ୍ତୁ, ସେଥିକୁ ସେ ଚିନ୍ତିତ ନୁହନ୍ତି !

 କହିବାକୁ ସିନା କଥାଟା ସେ କହି ଦେଉଥିଲେ, କିନ୍ତୁ ଧିରେ ଧିରେ ଦୂରେଇ ଯାଉଥିବା ବନ୍ଧୁମାନଙ୍କ ପାଇଁ ତାଙ୍କ ଭିତରେ ଅଜବ ଏକ ଶୂନ୍ୟତା ଆଧିପତ୍ୟ ବିସ୍ତାର କରିବାରେ ଲାଗିଥିଲା । ବିଶେଷ କରି ତାଙ୍କ ବିଦ୍ୟାବୁଦ୍ଧିରେ ଆକର୍ଷିତ ହୋଇ ଏଇ କିଛି ଦିନରୁ ତାଙ୍କର ଖୁବ୍ ନିକଟବର୍ତ୍ତୀ ହୋଇ ଯାଇଥିବା ରାଗିଣୀ ଯେଉଁଦିନ ତାଙ୍କ ସତ୍ୟବଚନରେ ଆଘାତ ପାଇ ଦୂରେଇଗଲା, ସେଦିନ ସେ ପୂରାପୂରି ନିସ୍ୱଃ ଅନୁଭବ କରିଥିଲେ । ତା’ ରୂପରେ ସାରା କଲେଜ୍ ମୁଗ୍ଧ ଥିଲା ବେଳେ ଯୁଗଳ କିଶୋର ଯେତେବେଳେ ତାକୁ ସଫା ସଫା ଶୁଣେଇ ଦେଇଥିଲେ ଯେ ସେ କାହାରି ରୂପରେ ନୁହେଁ, ବରଂ ଗୁଣରେ ବାନ୍ଧିହେବା ପିଲା, ହତଚକିତ ହୋଇ ସେ କେବଳ ତାଙ୍କ ଆଡକୁ ଚାହିଁ ରହିଗଲା । କ’ଣ ଆସୁଥିଲା ମନକୁ ତା’ର ସେତେବେଳେ - ଯୁଗଳ କିଶୋରଙ୍କ ପରି ମୂର୍ଖ ସେ କେବେ କୋଉଠି ସତରେ ଦେଖି ନାହିଁ ? ହେଇ ଥାଇପାରେ ସେ ମୂର୍ଖ .. ନିର୍ବୋଧ .. କିନ୍ତୁ ଉତ୍ତମ ଶିଷ୍ୟ – ସେଥିରେ କୌଣସି ସନ୍ଦେହ ନାହିଁ । ମିଛରେ ପଛେ ହେଉ, ହଁ ମାରି ପାରିବେନି ସେ । ଗୋଟିଏ ମିଛକୁ ଆଶ୍ରା କରି ରାଗିଣୀ ହୁଏତ ସବୁଦିନ ପାଇଁ ତାଙ୍କର ହେଇ ପାରିଥାନ୍ତା ! କିନ୍ତୁ ସେ କ’ଣ କେବେ ବି ନିଜକୁ କ୍ଷମା କରିପାରିଥାନ୍ତେ!

ଅବଶ୍ୟ ସେଥିରେ କ’ଣ ଅସୁବିଧାଟା ହେଇଥାନ୍ତା, ସେକଥା ସାଙ୍ଗମାନେ କେବେ ବୁଝି ପାରିଲେନି ବୋଲି ଆଜି ଯାଏ ତାଙ୍କୁ ଓ ତାଙ୍କ ସତକୁ ଖୁଣ୍ଟା ଦିଅନ୍ତି । ନିଜ ଏକାନ୍ତ ପଣର ଗରଳକୁ ପିଇଯିବା ପରି ଏସବୁ କଥାକୁ ବି ହସିଦେଇ ସେ ଢୋକି ଯାଆନ୍ତି । କେବେ ବୁଝେଇବାର ଚେଷ୍ଟା କରନ୍ତିନି ସତକୁ ନେଇ ବଞ୍ଚିବାରେ ବି କି ଗୌରବ ଥାଏ !

ରାଗିଣୀ ଚାଲିଯିବା ପରେ ବହୁତ ଦିନ ପର୍ଯ୍ୟନ୍ତ ଜୀବନଟା ଭାରି ଅସାର ଲାଗିଥିଲା ତାଙ୍କୁ । ଯେତେ ଚେଷ୍ଟା କଲେ ବି ନିଜର ସେହି ଛୋଟିଆ ସତଟିକୁ ଭୁଲ୍ ବୋଲି ସେ ବିଚାରି ପାରୁ ନଥିଲେ । ସତଟାକୁ ସତ କହିବାରେ ସଙ୍କୋଚ କାହିଁକି ! ମିଛ କହି ଆଜି ତା’ ନଜରରେ ମହାନ ପ୍ରେମୀ ସାବ୍ୟସ୍ତ ହୋଇଯାଇଥାନ୍ତେ ସତ, ହେଲେ କେତେ ଦିନ ପାଇଁ ! ଦିନେ ନା ଦିନେ ତ କଥାଟା ପଦାକୁ ଆସିଥାନ୍ତା ! ରାଗିଣୀର ରୂପର ଯାଦୁରେ ସେ ଆକର୍ଷିତ ନଥିଲେ କି କେବେ ହେବାର ସମ୍ଭାବନା ବି ନଥିଲା, ଏକଥା କେବେ ନା କେବେ ତ ନିଶ୍ଚୟ ପାଟିରୁ ବାହାରି ଯାଇ ହି ଥାଆନ୍ତା ! ସେତେବେଳେ କ’ଣ ହୋଇଥାନ୍ତା ତାଙ୍କ ସଂପର୍କର ! ବରଂ ଠିକ୍ ହିଁ ହେଲା ଯେ ଆହୁରି ଅଧିକ ଆଗକୁ ବଢିବା ପୂର୍ବରୁ ସତ ଜାଣିଗଲା ସେ ।

ଥରେ କି ଦୁଇ ଥର, ବାରମ୍ବାର ନିଜକୁ ସାନ୍ତ୍ୱନା ଦେଉଥିଲେ । ରାଗିଣୀର ବିରହ ଜନୀତ ଦୁଃଖକୁ ସହିଯିବାର ପ୍ରୟାସରେ ନିଜକୁ ଦୋଷମୁକ୍ତ କରି ଚାଲିଥିଲେ । କିନ୍ତୁ ଦିନ ଗଡିବା ସଙ୍ଗେ ସଙ୍ଗେ ଏକୁଟିଆ ପଣର ଅଣନିଶ୍ୱାସିଆ ବାତାବରଣରେ ସେ ଶ୍ୱାସରୁଦ୍ଧ ହେବାକୁ ଲାଗିଲେ । ସେତେବେଳେ ଥରେ ନୁହେଁ, ହଜାରେ ଥର ଅନୁଭବ କଲେ ଯେ ବାପାଙ୍କ କଥାକୁ ସବୁବେଳେ ମାନିଲେ ଏ ସଂସାରରେ ସେ ଚଳି ପାରିବେ ନାହିଁ । କେବେ କେବେ ତାଙ୍କୁ ସତ୍ୟର ପଥକୁ ଛାଡି ଆଗକୁ ବଢିବାକୁ ହିଁ ହେବ । ଆବଶ୍ୟକତା ପଡିଲେ ଦୁଇ ଚାରି ପଦ ମିଛ କହିବାର ସାହାସ କରିବାକୁ ହିଁ ପଡିବ ।

କିନ୍ତୁ ଜନ୍ମରୁ ଯେଉଁ ଘୁଟ୍ଟିକୁ ବାଟି ଘୋଳି ତାଙ୍କୁ ପିଆଇ ଦିଆ ଯାଇଥିଲା, ତାକୁ ଏତେ ସହଜରେ ଛାଡିଦେବାର ସାହାସ ସେ କ’ଣ ସତରେ କରିପାରିବେ ! ପରିସ୍ଥିତିରେ ପଡିଲା ପରେ ବି ପାଟିରୁ ମିଛ ବଦଳରେ ସତ ହିଁ ବାହାରି ପଡୁଥିଲା । ମନର ଭୟ ହେଉଥିଲା ବାପା କ’ଣ ଭାବିବେ ! ତାଙ୍କର ପୁଅ ହେଇ ପୁଣି ଯୁଗଳ କିଶୋର ମିଥ୍ୟାକୁ ପ୍ରଶୟ ଦେଲେ !

ଏଇ ଗୋଟିଏ ଭୟ ପାଇଁ ସେ ପ୍ରତି ଥର ନାହିଁ ନାହିଁ ହେଇ ବି ସେଇ ପଥରେ ଆଗେଇଲେ, ଯେଉଁ ପଥରେ ଆଗେଇବାର ଶିକ୍ଷା ତାଙ୍କ ଆଦ୍ୟଗୁରୁ ତାଙ୍କୁ ଦେଇଥିଲେ । ‘ସତ୍ୟ ପଥରେ ଆଗେଇ ତୁ କେବେ ଜୀବନରେ ପଶ୍ଚାତାପ କରିବୁ ନାହିଁ ’ ବୋଲି ଦୃଢତାର ସହ କହିଥିଲେ ।

କିନ୍ତୁ ସେଦିନ ବି ତାଙ୍କ ଜୀବନରେ ଆସିଲା ଯେଉଁ ଦିନ ନିଜ କହିଥିବା ସତ୍ୟ ପାଇଁ ଯୁଗଳ କିଶୋର ନିଜେ ଭାଙ୍ଗି ପଡିଲେ .. ପଶ୍ଚାତାପ କଲେ। ଘୃଣା ଆସିଗଲା ନିଜ ଉପରେ ଆଉ ସତ୍ୟ ଉପରେ, କିଛି ପରିମାଣରେ ବାପାଙ୍କ ଉପରେ ବି । ସାମାନ୍ୟ କଥାର ପ୍ରଭାବ ଏତେ ବେଶି ହୋଇପାରିବ, ସେ ସତରେ ଭାବିନଥିଲେ ।

ପରୀକ୍ଷା ବେଳେ ପିଲାମାନଙ୍କର କପି କରିବା ତାଙ୍କ କଲେଜ୍ ରେ ଥିଲା ଏକ ଖୁବ୍ ସାଧାରଣ କଥା । ପୁଅ ଝିଅ ସମସ୍ତେ ମିଶି କପି କରନ୍ତି । ଧରା ପଡିଗଲେ ପ୍ରିନସିପାଲ୍ ଙ୍କ ରୁମ୍ କୁ ନିଆଯାଆନ୍ତି .. ଗାଳି ଗୁଲଜ ଶୁଣନ୍ତି, ବାପମା’ଙ୍କୁ ଡକା ହୋଇ ଚେତାବନୀ ଦିଆଗଲା ପରେ ପୁଣି ପରୀକ୍ଷା ଲେଖିବାକୁ ଯାଆନ୍ତି । ତା’ପରେ ସବୁକିଛି ପୁଣି ସାମାନ୍ୟ ଅବସ୍ଥାକୁ ଆସିଯାଏ । ବର୍ଷ ସାରା ପାଠ ନପଢୁଥିବା ପିଲାମାନଙ୍କ ପାଇଁ ପରୀକ୍ଷାରେ ପାସ୍ କରିବାର ଏଇ ଗୋଟିଏ ହିଁ ଥାଏ ଶେଷ ଆଶ୍ରା ।

ବହୁତ ପିଲା ଯୁଗଳ କିଶୋରଙ୍କୁ ବେଳେ ବେଳେ ଉଷୁକାନ୍ତି ବର୍ଷ ସାରା ରକ୍ତକୁ ପାଣି କରି ଘୋଷା ଘୋଷି କରିବା ଅପେକ୍ଷା ଏଇ ଶସ୍ତା ସୁନ୍ଦର ମଜଭୁତ ବାଟଟିକୁ ଆପଣେଇ ନେବାକୁ । ହେଲେ ଯୁଗଳ କିଶୋର ଦୃଢ ସ୍ୱରରେ ତା’ର ବିରୋଧ କରିବା ସହିତ ଏକଥା ବି କହିଦିଅନ୍ତି ଯେ କେବେ ଯଦି ତାଙ୍କ ଦୃଷ୍ଟିରେ କେହି କପି କରୁଥିବାର ଧରା ପଡିଯାଏ, ତେବେ ସେକଥା ସିଧା ସେ ଅଧ୍ୟାପକଙ୍କୁ ଜଣେଇ ଦେବେ । ବନ୍ଧୁମାନେ ଯୁଗଳ କିଶୋରଙ୍କୁ ଚିହ୍ନିଥିଲେ, ତେଣୁ ଭୟରେ ତାଙ୍କ ଆଖପାଖରେ ବସିଥିବା କେହି ବି ପିଲା କେବେ କପି କରିବାକୁ ସାହାସ କରିପାରନ୍ତିନି । କିନ୍ତୁ ଆଉ ଏକ କ୍ଲାସ୍ ରେ ପଢୁଥିବା ସେଇ ଝିଅଟି ବା କ’ଣ ଜାଣିଥିଲା ଏସବୁ ବିଷୟରେ ! ସେ ତ ବଡ ନିଶ୍ଚନ୍ତରେ ଖାତା ତଳେ ଚିରକୁଟି ରଖି ଉତ୍ତର ଟିପି ଚାଲିଥିଲା !

ନଜର ପଡିଗଲା ଯୁଗଳ କିଶୋରଙ୍କର । ହଠାତ୍ କ୍ଲାସ୍ ମଝିରେ ଠିଆ ହୋଇପଡି କହିଦେଲେ – ସାର୍‌, ପ୍ରଥମ ଧାଡିରେ ବସିଥିବା ଝିଅର ଖାତା ଚେକ୍ କରନ୍ତୁ । ସେ ନିଶ୍ଚୟ କପି କରୁଛି ।

ସମସ୍ତଙ୍କର ନଜର ଏକା ସଙ୍ଗରେ ଉଠିଗଲା ସେଇ ଆଡକୁ । ଚମକି ପଡିଲା ସେ ଝିଅ । ହଠାତ୍ ଏମିତି ଧରା ପଡିଯିବାର ଆଶଙ୍କା କରିନଥିବ ନିଶ୍ଚୟ । ଭୟରେ ଶେତା ପଡିଗଲା । ଚିରକୁଟିଟାକୁ ଲୁଚେଇ ଦେବାର ଚେଷ୍ଟା ବି କଲା । ସେତେବେଳକୁ ଯଥେଷ୍ଟ ବିଳମ୍ବ ହେଇ ସାରିଥିଲା । ତା’ ଠାରୁ ଖାତା ଛଡେଇ ନେଇ ଅଧ୍ୟାପକ ତାକୁ କ୍ଲାସ୍ ବାହାରେ ଯାଇ ଠିଆ ହେବାର ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ପରୀକ୍ଷା ସରିବା ପର୍ଯ୍ୟନ୍ତ ତା’ର କୌଣସି କଥା ଶୁଣାଯିବ ନାହିଁ ବୋଲି କଠୋର ସ୍ୱରରେ କହିଦେଲେ । ଏ ଅପମାନ ତା’ ପାଇଁ ଅସହ୍ୟ ଥିବ ନିଶ୍ଚୟ । ଲୁହ ଆଉ କୋହରେ ଗୋଟା ପଣେ ତିନ୍ତି ଯାଇଥିବା ତା’ ନିରୀହ ଆଖି ଯୁଗଳ କିଶୋରଙ୍କ ଉପରେ ସ୍ଥିର ରହିଯାଇଥିଲା କିଛି ସମୟ ପର୍ଯ୍ୟନ୍ତ । ମୁହଁ ବୁଲେଇ ନେଇଥିଲେ ଯୁଗଳ କିଶୋର । ନିଜ ଉତ୍ତର ଲେଖିବାରେ ବ୍ୟସ୍ତ ହେଇଯାଇଥିଲେ ।

ମୁଣ୍ଡ ତଳକୁ କରି ଧିର ପଦକ୍ଷେପରେ ନିସ୍ତବ୍ଧରେ ପଦାକୁ ବାହାରିଗଲା ସେ । ତାଙ୍କ ଚଉକି ପାଖରେ ପହଞ୍ଚି କେମିତି ଏକ ଦୃଷ୍ଟିରେ ଥରେ ଚାହିଁଦେଲା ଯୁଗଳ କିଶୋରଙ୍କ ଆଡକୁ । କ’ଣ ଥିଲା ସେ ଚାହାଁଣୀରେ ! ଶୁଖିଲା କାଠିକୁଟା ପରି ସେ ଯେମିତି ଫିଙ୍ଗି ହୋଇଗଲେ କାହିଁ କେତେ ଦୂରକୁ ! ଛାତି ଭିତରେ କିଛି ଗୋଟେ ମନ୍ଥି ପକେଇଲା ଜୋରରେ ।

ସେଦିନ ରାତିରେ ହଷ୍ଟେଲ୍ ରୁମ୍ ରେ ନିଜ ବେକରେ ଓଢଣା ବାନ୍ଧି ପଙ୍ଖାରେ ଝୁଲି ଯାଇଥିଲା ସେ ଝିଅଟି, ସବୁ ମାନ ଅପମାନରୁ ମୁକ୍ତି ପାଇଯିବାକୁ । ସ୍ତବ୍ଧ ରହିଗଲା ସାରା କଲେଜ, ଆଉ ସ୍ତବ୍ଧ ରହିଗଲେ ଯୁଗଳ କିଶୋର । ସାଙ୍ଗସାଥୀ ସମସ୍ତଙ୍କ ନଜରରେ ଝଲକି ଆସିଥିଲା ତାଙ୍କ ପ୍ରତି ଘୃଣା ଆଉ ତାଙ୍କର ଏମିତି ସତ୍ୟ କହିବାର ମନୋଭାବ ପ୍ରତି ଅନାସ୍ଥା ଭାବ !

ସାରା ରାତି ଯୁଗଳ କିଶୋର ସେ ଝିଅର ମୃତ୍ୟୁର ନୁହେଁ, ତାଙ୍କ ଅତି ଆପଣାର ସତ୍ୟର ମୃତ୍ୟୁର ଶୋକ ପାଳୁଥିଲେ ଉଜାଗର ରହି । କେତେ ବଡ ଭୁଲ୍ ହେଇଗଲା ତାଙ୍କ ଦ୍ୱାରା !! ସେ ଝିଅଟିର ବାପାଙ୍କର କରୁଣ ଚେହେରା ତାଙ୍କ ଆଖି ଆଗରେ ଖାଲି ନାଚୁଥିଲା ଅହରହ । ନା ସେ ଖାଇ ପାରୁଥିଲେ ନା ଶୋଇ ପାରୁଥିଲେ । କ’ଣ କରିବେ, ବାପାଙ୍କ ଆଦର୍ଶର ବୋଝ ବୋହି ବୋହି ଗୋଟାକ ପରେ ଗୋଟାଏ ପାପ କରି କୁଣ୍ଠାଗ୍ରସ୍ତ ରହୁଥିବେ, ନା ପରିସ୍ଥିତି ସହିତ ସାଲିସ୍ କରିନେଇ ନିଜକୁ ସମାନ୍ୟ ବଦଳେଇ ଦେବାର ପ୍ରୟାସ କରିବେ !

ସାରା ରାତି ବିତିଗଲା ଅନିଦ୍ରାରେ ଚିନ୍ତା କରି କରି, ହେଲେ କିଛି ବି ସ୍ଥିର କରି ପାରିଲେନି । ସତ୍ୟ ଆଉ ମୃତ୍ୟୁର ମଝିରେ ଦୃଢ ପ୍ରାଚୀର ସମ ଠିଆ ହୋଇଥିଲା ମିଥ୍ୟା । ଆପଣେଇ ନେବେ କି ! ଭୁଲିଯିବେ ବର୍ଷ ବର୍ଷର ଶିକ୍ଷା … ପାସୋରି ବସିବେ ବାପାଙ୍କର ନୀତି ଆଦର୍ଶ !

କେତେବେଳେ ହଁ ତ ଆଉ କେତେବେଳେ ନାହିଁ ରେ ମିଳୁଥିଲା ଉତ୍ତର ବିବେକ ପାଖରୁ । କେତେବେଳେ ବାପାଙ୍କ ଆଶା ଆକାଂକ୍ଷାରେ ଭରା ଚେହେରା ତ ପର ମୁହୂର୍ତ୍ତରେ ସେହି ଅଜଣା ଝିଅର ପଙ୍ଖାରୁ ଲଟକି ରହିଥିବା ବିକୃତ ଚେହେରା .. ଉଭୟ ତାଙ୍କୁ ବସେଇ ଉଠେଇ ନଦେଉଥିବା ବେଳେ ରାଗିଣୀ ପରି ସୁବର୍ଣ୍ଣା ବି ତାଙ୍କୁ ଛାଡିଯିବାକୁ ପ୍ରସ୍ତୁତ ହୋଇସାରିଥିଲା । କାରଣ ସେହି ଏକା । କେବଳ ଗୋଟିଏ ମିଛ .. ବଦଳି ଯିବ ସଂପର୍କର ସବୁ ସମୀକରଣ । କହିବେ ? ତା’ର ସାଧାରଣ ସୌନ୍ଦର୍ଯ୍ୟକୁ ମହିମା ମଣ୍ଡିତ କରି କବି ଲେଖକଙ୍କ ପରି ପ୍ରଶଂସାରେ ପୋତି ପକେଇବେ ! ଯାହା ଶୁଣିବା ଇଚ୍ଛାରେ ବ୍ୟାକୁଳ ହେଇଉଠୁଛି ସେ, ସେତିକି କହିଦେଇ ସାରା ଜୀବନର ଖୁସି ତାକୁ ଦେଇ ଦେବେ କି ! ସେତିକି କରିଦେବାଟା କ’ଣ ସତରେ ଗୋଟେ ଅପରାଧ ! ଯୁଗେ ଯୁଗେ ନାରୀର ସୌନ୍ଦର୍ଯ୍ୟର ପ୍ରଶସ୍ତି ଗାନ କରି କବିମାନେ କେତେ କାହା ସଙ୍ଗେ ତା’ର ତୁଳନା କରିଆସିଛନ୍ତି । ସେସବୁ ବି କ’ଣ ମିଛ ତା’ହେଲେ ! ବାପାଙ୍କର ପ୍ରିୟ ରାଧାନାଥ, ଗଙ୍ଗାଧର, ଗୋପବନ୍ଧୁ, ନନ୍ଦ କିଶୋର, କିଏ ବା ନଲେଖିଛି କାମିନୀ ସୌନ୍ଦର୍ଯ୍ୟର ମହିମା କଥା ! ସେସବୁ ତୁଚ୍ଛା ମିଥ୍ୟା ଆଉ କଳ୍ପନା ବ୍ୟତୀତ ଆଉ କ’ଣ ଯେ ? ସେ ମିଥ୍ୟାକୁ ତ ପୁଣି ବାପା ବଡ ଆଗ୍ରହରେ ଶୁଣେଇ ଚାଲନ୍ତି ସମସ୍ତଙ୍କୁ ! ନିଜେ ପଢନ୍ତି। ଆଉ ଅନ୍ୟମାନଙ୍କୁ ପଢିବାର ଉପଦେଶ ବି ଦିଅନ୍ତି । ଏଥିରେ କ’ଣ ମିଥ୍ୟାକୁ ପ୍ରଶୟ ଦିଅନ୍ତି ନାହିଁ ସେ ?

ସେ ଯଦି ସୁବର୍ଣ୍ଣାର ବୁଦ୍ଧିର ପ୍ରଶଂସା ନକରି କୌଣସି କବି ଲେଖକଙ୍କ ପରି ତା’ର ସୌନ୍ଦର୍ଯ୍ୟର ପ୍ରଶଂସା କରିଦିଅନ୍ତି, ତା’ହେଲେ କୋଉ ବେଦଟା ଅଶୁଦ୍ଧ ହେଇଯିବ ସତରେ !

ବିବେକ ଆଉ ମସ୍ତିଷ୍କର ଅହରହ ଚାଲିଥିବା ସଂଗ୍ରାମରେ ସେ ବାରମ୍ବାର ହାରିଗଲେ । ମନକୁ ବହୁତ ବୁଝେଇଲା ପରେ ବି ଠିକ୍ ସମୟକୁ ସେ ନିଜ ଧରାବନ୍ଧା ରାସ୍ତାରୁ ବାହାରିବାକୁ ପ୍ରସ୍ତୁତ ହେଇ ପାରିଲାନି । ମାନେ ପ୍ରତି ଥର ପରି ଏଥର ବି ସେ ପଦେ ମିଛ କହିବାର ସାହାସ କରିପାରିଲେନି । ବାପାଙ୍କର ଦୃଢ ସ୍ୱର କାନ ପାଖରେ ହାତୁଡି ପିଟି ପିଟି ତାଙ୍କୁ ‘ସତ କହିଦେ .. ସତ କହିଦେ’ ବୋଲି ଏକ ରକମର ବାଧ୍ୟ କରିଦେଲା । ଆଉ ତା’ପରେ ଯାହା ହେବାଟାକୁ ସେ ଚାହୁଁନଥିଲେ, ସେଇଆ ହିଁ ହେଇଗଲା । ପୁଣି ଥରେ ସେ ଏକୁଟିଆ ହୋଇଗଲେ ।

ସୁବର୍ଣ୍ଣା ଚାହିଁଲା ତାଙ୍କୁ ଘଡିଏ । ସେ ଦୃଷ୍ଟିରେ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ରହିଥିବା ଅବଜ୍ଞାପଣକୁ ସେ ଅନୁଭବ କରି ପାରିଲେ । ତାଙ୍କ ନିପାରିଲାପଣ ପ୍ରତି ରହିଥିବା ତା’ର ହେୟପଣର ଗରଳକୁ ଢୋକିଗଲେ । କିନ୍ତୁ କହିପାରିଲେନି ସେଇ ଗୋଟିଏ କଥାକୁ ଯାହାକୁ ଶୁଣିବାର ଆଶାରେ ଶେଷ ପର୍ଯ୍ୟନ୍ତ ବି ସେ ଅପେକ୍ଷାରତ ରହିଗଲା !

ଭାରି ଶୁନ୍ ଶାନ୍ ହେଇଗଲା ଜୀବନ ତାଙ୍କର । ପ୍ରତି ପଦକ୍ଷେପରେ ବିଫଳତାକୁ ଭୋଗି ଭୋଗି ଦୁଃସହ ହୋଇ ପଡିଥିବା ଆତ୍ମା ଏଥର କିନ୍ତୁ ଆଉ ତାଙ୍କ ଶିକ୍ଷା ଦୀକ୍ଷାକୁ ସମର୍ଥନ ଜଣେଇବାକୁ ଇଚ୍ଛା କଲାନାହିଁ । ମନକୁ ମନ ଦୃଢ ହେଇଗଲା .. ଯୁଗ ସହିତ ତାଳ ଦେଇ ବଦଳୁ ନଥିବା ମଣିଷ ସବୁଦିନ ତାଙ୍କରି ପରି ଏମିତି ଅସହାୟ ହୋଇ .. ଅନ୍ୟର ଆଖିରେ କରୁଣାପ୍ରାର୍ଥୀ ହୋଇ ବଞ୍ଚିବାକୁ ବାଧ୍ୟ ହୁଏ, ଯେମିତି ହଉଛନ୍ତି ଏବେ ତାଙ୍କ ବାପା .. ଯେମିତି ହେଉଛନ୍ତି ତାଙ୍କର ରୂପର ଗୁଣର ଭଉଣୀମାନେ । ହେଲେ ସେ ଆଉ ସେମିତି ବଞ୍ଚି ରହିପାରିବେ ନାହିଁ । ନିଜ ସହିତ, ପରିସ୍ଥିତି ସହିତ .. ବିଶେଷ କରି ଯୁଗ ସହିତ ରାତିଦିନ ଦ୍ୱନ୍ଦ୍ୱ ଯୁଦ୍ଧ କରି କରି ସେ ଥକିଗଲେଣି .. ହାରିଗଲେଣି । ଆଉ ନୁହେଁ । ଏଥରର ପ୍ରତିଜ୍ଞା ଅଟଳ ।

ଏତେ ସହଜ ନଥିଲା କିନ୍ତୁ ନିଜ ପ୍ରତିଜ୍ଞା ଉପରେ ଅଟଳ ରହିଯିବା ! ଭରା ନଈର ବ୍ୟାକୁଳତାକୁ ଛାତି ଭିତରେ ଦବେଇ ରଖି ପ୍ରତି ଥର ମିଛଟିଏ କହିଦେବାକୁ ପାଟି ଖୋଲିଲା ମାତ୍ରେ ଖନି ମାରିଗଲା ପାଟି । ଆଖି ଆଗରେ ଦିଶିଗଲା ବାପାଙ୍କ ବ୍ୟଥିତ ଚେହେରା । କାନ ପାଖରେ ଗୁଞ୍ଜରି ଉଠିଲା ପିଲାଦିନେ ସନ୍ଧ୍ୟାବତୀ ଜଳି ସାରିଲା ପରେ ବାପାଙ୍କ ସହିତ ଗାଉଥିବା ପ୍ରାର୍ଥନା –

ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି

ମତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡା ନାହିଁ ହେ ..

ପର ମୁହୂର୍ତ୍ତରେ କିନ୍ତୁ ନିଜକୁ ସେ ବୁଝୋଉଥିଲେ – ଏଥିରୁ କୋଉ କଥାଟା ସତରେ କାହାର ବା ଲୋଡା ନାହିଁ ଯେ ! ଆଉ କାହା କଥା କ’ଣ କହିବେ – ଛାତିରେ ହାତ ପକେଇ ନିଜେ ବାପା ଭଲା କହିପାରିବେ ଏସବୁ ତାଙ୍କ ନିଜକୁ ଲୋଡା ନାହିଁ ବୋଲି ? ଯଦି ସତରେ ଲୋଡା ନାହିଁ, ତା’ହେଲେ ଏତେ କଷ୍ଟ ସହି କାହିଁ ଯୁଗଳ କିଶୋରଙ୍କୁ ସହରକୁ ପଠେଇଛନ୍ତି ପାଠ ପଢି ବଡ ଚାକିରି କରିବାକୁ .. କାହିଁକି ଝିଅମାନଙ୍କ ବାହାଘର ପାଇଁ ରାତିଦିନ ବ୍ୟାକୁଳ ହୋଇ ୟା’ ଆଗରେ ତା’ ଆଗରେ ନେହୁରା ହେଉଛନ୍ତି !

ଏ ଜୀବନରେ ମଣିଷକୁ ସବୁ ଦରକାର – ଧନ ବି ଆଉ ଜନ ବି ! ଯୁଗଳ କିଶୋର ବି ସେମିତି ମଣିଷଟିଏ ମାତ୍ର । ତାଙ୍କୁ ବି ସମ୍ମାନର ସହ ବଞ୍ଚିବାର ଇଚ୍ଛା ଅଛି । ଆଉ ସେଥିପାଇଁ ଯେତିକି ମିଛର ସାହାରା ନେବାକୁ ପଡିବ, ସେ ନେବେ । ପେଟରେ ଭୋକ ଥାଇ, ମୁହଁରେ ଲାଜର ଓଢଣା ଢାଙ୍କି ପାରିବେ ନାହିଁ ଆଉ । ହଁ, ଏକଥା କରିବେ ଯେ ଯୋଉଠି ନିହାତି ଆବଶ୍ୟକତା ନଥିବ, ସେ ମିଛର ସାହାରା ନେବେ ନାହିଁ ।

ହେଲେ ଏ ଆବଶ୍ୟକତା ଆଉ ଅନାବଶ୍ୟକତା ଭିତରେ ରହିଥିବା ପ୍ରଭେଦକୁ ତାଙ୍କୁ କିଏ ସେ ଚିହ୍ନେଇବ ! କେମିତି ସେ ସ୍ଥିର କରିବେ ଯେ ଏଇ ଏଇ ପରିସ୍ଥିତିରେ ହିଁ ତାଙ୍କୁ ମିଛ କହିବାକୁ ହେବ !

ତେବେ କୋଉଠୁ ନା କୋଉଠୁ ତ ଆରମ୍ଭ କରିବାକୁ ହିଁ ହେବ । ତା’ହେଲେ ଏବେ କାହିଁ ନୁହେଁ ? ଆଉ ସତରେ ଆରମ୍ଭ କରିଦେଲେ ସେ ଦିନେ ।

ହଷ୍ଟେଲ୍ ର ନିୟମାନୁଯାୟୀ କାହା ଦ୍ୱାରା ହଷ୍ଟେଲ୍ ର କିଛି ଜିନିଷ ନଷ୍ଟ ହେଇଗଲେ ତାହାର ଭରଣା ତା’ ନିଜକୁ ହିଁ କରିବାକୁ ହୁଏ, ତାହା ବି ସଙ୍ଗେ ସଙ୍ଗେ । ସେଦିନ ସାମାନ୍ୟ ଅନ୍ୟମନସ୍କତା ପାଇଁ ତାଙ୍କ ହାତରୁ ପଡି ହଷ୍ଟେଲ୍ ର ରେଡିଓଟା ଖରାପ ହେଇଗଲା । ବାରବାଟୀରେ ଇଣ୍ଡିଆ ଇଂଲଣ୍ଡ୍ ର ଜୋରଦାର୍ କ୍ରିକେଟ୍ ମ୍ୟାଚ୍ ଚାଲିଛି । ଲାଇଭ୍ କମେଣ୍ଟ୍ରି ଶୁଣିବାକୁ ପିଲାମାନେ କ୍ଲାସ୍ ରୁ ଲୁଚି ପଳେଇ ଆସିଛନ୍ତି । ସମସ୍ତେ ବ୍ୟାକୁଳ ହୋଇ ରେଡିଓ ଖୋଜିବା ବେଳେ ସେଇଟା ଆଉ ଚାଲୁନାହିଁ । କିଏ ଖରାପ କରିଛି .. କିଏ ଖରାପ କରିଛି ବୋଲି ହଇଚଇ ଖେଳିଗଲା ବାତାବରଣରେ । ସମସ୍ତଙ୍କ ବିରକ୍ତି ସାଙ୍ଗକୁ ଗାଳିଗୁଲଜ ବି ଆରମ୍ଭ ହେଇଯାଇଥିଲା ସେହି ନାମହୀନ ଦୋଷୀର ନାଁକୁ ନେଇ । ୱାର୍ଡନ୍ ଙ୍କର କଡା ତାଗିଦା ଆସିଗଲା ଯିଏ ଖରାପ କରିଛି ତତକ୍ଷଣାତ୍ ଯାଇ ଠିକ୍ କରି ନେଇଆସୁ, ନହେଲେ ତା’ ପ୍ରତି କଠୋର ଦଣ୍ଡବିଧାନ କରାଯିବ !

ମାସର ଶେଷ ସପ୍ତାହ । ଯୁଗଳ କିଶୋରଙ୍କ ପକେଟ୍ ରେ ଆଠଣିଟିଏ ବି ନାହିଁ । ଚାକିରି ନମିଳିବାର ହତାଶବୋଧରେ ଦିନରାତି ଘାରି ହେଉଥିବା ସମୟରେ ବେଡି ଉପରର କୋରଡା ପରି ଆସିଯାଇଛି ୱାଡନ୍ ଙ୍କର ଫରମାନ । କ’ଣ କରିବେ .. କେମିତି ସ୍ୱୀକାର କରିନେବେ ଦୋଷକୁ ନିଜର, ଆଉ ତା’ ସହିତ ଜଣେଇଦେବେ ନିଜ ଆର୍ଥିକ ଅସହାୟତା ! ସାଙ୍ଗସାଥିମାନେ ଜାଣିବା ଅର୍ଥ ସେମାନଙ୍କ ଆଖିରେ ଦୟାର ପାତ୍ର ହେଇଯିବା, ଯାହାକୁ ସେ କେବେ ସହ୍ୟ କରିପାରନ୍ତିନି !

ଗାଳି ଫଜିତିରେ ଆକାଶ କମ୍ପି ଯାଉଥିଲା … ଛାତି ଭିତରେ ଦୁମ୍ ଦୁମ୍ ମୁଷଳ ବସୁଥିଲା … ଆଖିରୁ ଠପ୍ ଠପ୍ ଲୁହ ଗଡି ପଡୁଥିଲା .. । ବନ୍ଦ ଆଖିର ପରଦା ଉପରେ ବାପାଙ୍କ ମୁହଁ ଜଳଜଳ କରି ଦେଖା ଯାଉଥିଲା । ସତ କହିଦେବାର ଉପଦେଶ ଶୁଭୁଥିଲା । ତଥାପି ଆଖିକାନ ବୁଜି ସେମିତି ଠିଆ ହେଇଥିଲେ ଯୁଗଳ କିଶୋର । ନା, ସେ ଆଜି ଜମାରୁ ବାପାଙ୍କୁ ଦେଖିବେ ନାହିଁ କି ତାଙ୍କର କୌଣସି ଗୁରୁବାଣୀ ଶୁଣିବେ ନାହିଁ । ସାଙ୍ଗସାଥିଙ୍କ ଆଗରେ ନିଜ ସମ୍ମାନ ରକ୍ଷା କରିବାଠୁ ବଡ, ସତ କଥା କହି ବାପାଙ୍କ ଆଦର୍ଶକୁ ବଞ୍ଚେଇ ରଖିବାଟା କେବେ ହୋଇନପାରେ । ସାରା ଜୀବନ ସେଇ ଆଦର୍ଶର ମାନ ରଖିବାର ଚେଷ୍ଟାରେ ସେ ନିଜର ମାନ ସମ୍ମାନ ଯଥେଷ୍ଟ ହରେଇ ସାରିଲେଣି, ଆଜି ପରେ ଆଉ ନୁହେଁ ।

ବହୁତ ପଚରା ଉଚୁରା ପରେ ବି ରେଡିଓ ଭାଙ୍ଗିବା କଥା କେହି ସ୍ୱୀକାର ନକରିବାରୁ ୱାଡର୍ନ ରାଗିପାଚି ଅଥୟ ହେଇଗଲେ ଆଉ କଡା ନିର୍ଦ୍ଦେଶ ଦେଇଦେଲେ ଯେ ଏ ରେଡିଓ ଆଉ କେବେ ଠିକ୍ କରାଯିବ ନାହିଁ, କି ହଷ୍ଟେଲ୍ ରେ କେବେ ରେଡିଓ ବାଜିବ ନାହିଁ ।

ପିଲାଏ ଉଦାସ ହେଇଗଲେ । ଅନ୍ୟ ସବୁ ହଷ୍ଟେଲ୍ ରୁ ପିଲାଙ୍କର ହୋ ହଲ୍ଲା ଶୁଭୁଛି । ଜମିଯାଇଛି ମ୍ୟାଚ୍ । ସମସ୍ତେ ହୋ ହା ହେଇ ଇଣ୍ଡିଆର ଭଲ ପ୍ରଦର୍ଶନର ସୂଚନା ଦେଉଛନ୍ତି । ହେଲେ ଏ ହଷ୍ଟେଲ୍ ରେ ରେଡିଓ ବନ୍ଦ । କିଏ ଭାଙ୍ଗିଥିଲା, ସତ କରି କହିଦେଇଥିଲେ, ଏ ପ୍ରକାରର ଦୁର୍ଦ୍ଦଶା କାହାରିକୁ ଭୋଗ କରିବାକୁ ପଡିନଥାନ୍ତା ! ସମସ୍ତେ କାନ୍ଦୁଣୁ ମାନ୍ଦୁଣୁ ହେଇ ନିଜ ନିଜ ରୁମ୍ କୁ ଫେରି ଯାଇଥିଲେ । ଆଜି ରାତିରେ କାହାରି ଆଖିକୁ ନିଦ ଆସିବ ନାହିଁ । ନିଦ ତାଙ୍କ ଆଖିରେ ବି ନଥିଲା। କିନ୍ତୁ ତାହା ରେଡିଓ ଭାଙ୍ଗିବା କି ମ୍ୟାଚ୍ ନ ଦେଖିପାରିବା ପାଇଁ ନୁହେଁ । ଜୀବନରେ ଆଜି ପ୍ରଥମ ଥର ପାଇଁ ମିଛ କହିଥିବାର ଅପରାଧ ବୋଧ ପାଇଁ । ଆଖି ବୁଜିବା ମାତ୍ରେ ବାପାଙ୍କ ଲୁହଭିଜା କଠୋର ଚେହେରା ଆଖି ସାମନାରେ ନାଚି ଉଠୁଥିଲା । ସାରା ଜୀବନ ସତ୍ୟର ନିଆଁରେ ଦାଉ ଦାଉ ହେଉଥିବା ମଣିଷର ହାରିଯିବାର ମୁହଁକୁ ସହ୍ୟ କରି ହେଉନଥିଲା । କାନରେ ଆସି ବାଜୁଥିଲା ଅଶେଷ ଧିକ୍କାରର ସ୍ୱର।

ସାରା ରାତି ଅଜବ ଏକ ଛଟପଟ ପଣରେ ବିତିଗଲା । ନା ସେ ଶୋଇପାରିଲେ, ନା ଉଠି ବାହାରକୁ ଯାଇ ୱାଡର୍ନକୁ କ୍ଷମା ମାଗିପାରିଲେ । ମିଛ କହି କେତେ ବଡ ଦ୍ରୋହ ବାପାଙ୍କ ସହିତ ସେ କରିଚନ୍ତି, ତାହାର ହିସାବ ଆଖି ଆଗରେ ମେଲେଇ ହୋଇ ପଡିଥିଲା । ତେଣୁ ସେ ସ୍ଥିର କଲେ ଆଗ ଯାଇ ବାପାଙ୍କ ପାଦ ଧରି କ୍ଷମା ମାଗିବେ । ଯୋଉ ବାପାଙ୍କର ସାରା ଜୀବନଟା ତାଙ୍କୁ ଉତ୍ତମ ଶିକ୍ଷା ଦେବାରେ କଟିଛି, ସିଏ ଆଜି କହିଥିବା ଏଇ ପଦିଏ ମିଛରେ ସେ ପରିଶ୍ରମ ବ୍ୟର୍ଥ ହେଇଗଲା ପୂରା । ଏ ପାପର ବୋଝକୁ ସେ ସହ୍ୟ କରିପାରିବେ ନାହିଁ । ତେଣୁ ଆଗ ବାପାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିସାରିଲା ପରେ ୱାଡର୍ନଙ୍କୁ ସତ କହିଦେବେ, ଏବଂ ପହିଲି ସପ୍ତାହରେ ଟିୟୁସନ୍ ପଇସା ମିଳିଗଲା ମାତ୍ରେ ଆଗ ଯାଇ ରେଡିଓ ଠିକ୍ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେବେ ।

ସକାଳର ପ୍ରଥମ ବସ୍ ନେଇ ଘରେ ପହଞ୍ଚିଗଲେ ସେ । ଘରେ ସାମାନ୍ୟ ଗହଳ ଚହଳ ଥିଲା । ବାପା କୌଣସି କାମରେ ବାହାରକୁ ଯାଇଥିଲେ । ବୋଉ ଠାରୁ ଜାଣିଲେ ଯେ ସାନଭଉଣୀକୁ ଦେଖିବାକୁ ଆଜି ପୁଅଘର ଆସୁଛନ୍ତି ।

ଭଲ ହେଲା, ଠିକ୍ ସମୟରେ ସେ ପହଞ୍ଚିଛନ୍ତି । ଏଇଟା ତାଙ୍କର ବି ତ ଦାୟିତ୍ତ୍ୱ ! ସେଇଟା ଅଲଗା କଥା ଯେ ନିଜ ଅବସ୍ଥା ସମ୍ଭଳା ପଡିନି ବୋଲି ସେ ଏ ଦାୟିତ୍ତ୍ୱ ଉଠେଇବା କଥା କହିବାକୁ ସାହାସ ବି କରି ପାରିନାହାନ୍ତି ।

ଏଇ କିଛି ବର୍ଷ ହେବ ସାନଭଉଣୀର ବାହାଘର କଥା ନେଇ ବାପା ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଦ୍ରୁତ ଗତିରେ ବୟସ ଆଗକୁ ଦଉଡି ଯାଉଛି ତା’ର, ଆଉ ତା’ ଠାରୁ ଅଧିକ ଦ୍ରୁତ ଗତିରେ ଡେଇଁଯାଉଛି ବାପାଙ୍କ ଭାରାକ୍ରାନ୍ତ ଚେହେରା । ଏଇ ଭିତରେ ଅଶୀତିପର ବୃଦ୍ଧ ସମ ପ୍ରତୀତ ହେଉଛନ୍ତି ସେ ।

ଯୁଗଳ କିଶୋରଙ୍କୁ ହଠାତ୍ ଘରେ ଦେଖି ବାପାଙ୍କ ଶୁଖିଲା ମୁହଁରେ ମଳିଛିଆ ହସଟିଏ ଉକୁଟି ଉଠି ସଙ୍ଗେ ସଙ୍ଗେ ଉଭେଇଗଲା । ଛୋଟିଆ ଦୀର୍ଘଶ୍ୱାସଟିଏ ଭରି ଆଖି ଫେରେଇ ନେଲେ ସେ । ଆଖି କୋଣର ଲୁହବୁନ୍ଦା ତାଙ୍କୁ ଆହୁରି ଦୟନୀୟ କରି ଦେଉଥିଲା । ଏଇ ସମୟରେ ଏମିତି କିଛି କଥା କହି ତାଙ୍କୁ ଆଉ ଅଧିକ କଷ୍ଟ ଦେବାକୁ ଚାହିଁଲେ ନାହିଁ ସେ । ଥାଉ, ସବୁକିଛି ଠିକ୍ ଠାକ୍ ହେଇଯାଉ, ପୁଅଘର ଫେରିଯାଆନ୍ତୁ, ତା’ପରେ ଦେଖି ଚାହିଁ ସବୁକଥା କହି କ୍ଷମା ମାଗିନେବେ । ତେଣିକି ବାପା ରାଗିଲେ ରାଗିବେ ପଛେ, ମନ ତାଙ୍କର ଖରାପ ତ ହେବ ନାହିଁ । ଭୁଲ ତ ସେ କରିସାରିଛନ୍ତି, ଏଣିକି ଦଣ୍ଡ ପାଇବାର ସମୟ .. ସେଥିରେ ଆଉ କିଛି ସମୟ ବିଳମ୍ବ ହେଇକି ଯଦି ପରସ୍ଥିତିକୁ ସାମାନ୍ୟ ରଖିବା ସମ୍ଭବ ହେବ, ତେବେ ତାହା ଅବଶ୍ୟ କରିବା ଉଚିତ ।

ନିର୍ଦ୍ଧାରିତ ସମୟକୁ ପୁଅର ବାପା ମା’ ଏବଂ କିଛି ବନ୍ଧୁବାନ୍ଧବ ଆସି ପହଞ୍ଚିଗଲେ । ବୋଉ ସେମାନଙ୍କ ସତ୍କାରରେ କିଛି ବି ଉଣା କଲାନି । ବଡ କାକୁସ୍ଥ ଜଣା ପଡୁଥିଲେ ବାପା, ଉଦାସ ଲାଗୁଥିଲା ସାନଭଉଣୀ । ଏଇଥରକ ଖାଲି ବୋଲି ନୁହେଁ, ଆଗରୁ ଅନେକ ଥର ଏଇ ଦେଖାଦେଖି କାର୍ଯ୍ୟକ୍ରମ ୟା’ ଭିତରେ ସରିଗଲାଣି । କିନ୍ତୁ ସମସ୍ତ ଯୋଗ୍ୟତା ଥାଇ ବି ପାସ୍ ହୋଇପାରିନାହିଁ ଥରେ । ସେ ହିଁ ବାପାଙ୍କ ସବୁ ଚିନ୍ତାର କାରଣ, ଏକଥା ମନରେ ରଖି ଦିନକୁ ଦିନ ଆହୁରି ଭାଙ୍ଗିପଡୁଛି । ମଳିଛିଆ ପଡିଯାଇଛି ତା’ ସୁନ୍ଦର ଚେହେରା ।

ଭାଇକୁ ଦେଖି ଛଳଛଳେଇ ଉଠିଲା ତା’ ଆଖି । ମୁହଁ ଲୁଚେଇ ପକେଇଲା ପଣତ କାନିରେ । ଆଶ୍ୱାସନାର ଗୋଟେ ବି ଶବ୍ଦ ତାଙ୍କ ପାଟିରେ ପଇଟିଲାନି । ଅସହାୟତାର ଦୀର୍ଘଶ୍ୱାସ ଘରର ଦୁଆରବନ୍ଧ ଡେଇଁ ପାରିଲାନି । ଲେଉଟି ଆସିଲେ ସେ ବୈଠକଖାନାକୁ ।

ତାଙ୍କୁ ସେଠିକୁ ଆସିବା ପାଇଁ କେହି କହି ନଥିଲେ ବି ସେ ଚାହୁଁଥିଲେ ସେଠି ବସି ସମସ୍ତଙ୍କ ସହିତ କଥାବାର୍ତ୍ତା କରିବାକୁ । ବିଶେଷ କରି ପୁଅଟି ସହିତ କଥା ହେଇ ଯୌତୁକ ଦେବା ନେବା ଯେ ଏକ ସାମାଜିକ ବ୍ୟାଧି, ତା’ ଉପରେ କିଛି ଗରମା ଗରମ ଆଲୋଚନା କରିବାକୁ । ମାତ୍ର କାହାର ଥର ଥର ସ୍ୱର ତାଙ୍କ କାନରେ ଗରମ ତେଲରୁ ଡଙ୍କେ ଢାଳିଦେଲା ସତେ ଯେମିତି ! ଚମକି ପଡି ସେଇଠି ଠିଆ ରହିଗଲେ ସେ । କାହାର ଏ ସ୍ୱର ! ବାପାଙ୍କର ! କିନ୍ତୁ ବାପାଙ୍କ ସ୍ୱରରେ ଏପରି କଥା ! ପାଦ ତଳର ମାଟି ଖସି ଯାଉଛି କି ! ସେ ସ୍ୱପ୍ନ ଦେଖୁନାହାନ୍ତି ତ !

କିନ୍ତୁ ସ୍ୱପ୍ନରେ ବି ଯାହା କେବେ ଦେଖିବାର ସାହାସ କରିନାହାନ୍ତି, ତାହା ବାସ୍ତବରେ କେମିତି ! ଏ ଯେଉଁ ସ୍ୱର ତାଙ୍କ କାନର ପରଦାକୁ ଦଳି ଚକଟି ଛାତି ଭିତରେ ଅଣଚାଷ ପବନ ସୃଷ୍ଟି କରିଚାଲିଛି, ସେ ସ୍ୱର ତ ଖାଲି ଯୁଗଳ କିଶୋରଙ୍କ ବାପାଙ୍କର ନୁହେଁ, ଜଣେ ଆଦର୍ଶ ନିଷ୍ଠାବାନ ଶିକ୍ଷକର .. ଯିଏ ଜୀବନସାରା କେବଳ ସତ୍ୟ ପଥରେ ଆଗେଇବା କଥା ହି ଜାଣିଛି । ସାରା ଦୁନିଆକୁ ସେଇ ଗୋଟିଏ ଶିକ୍ଷା ଦେଇଛି । ନିଜେ ଚାଲିବା ସାଥେ ସାଥେ ପିଲାମାନଙ୍କୁ ମଧ୍ୟ ସେହି ବାଟରେ ଚାଲିବାକୁ ବାଧ୍ୟ କରିଦେଇଛି । ଆଜି ସେହି ଆଦର୍ଶ ଶିକ୍ଷକଙ୍କ ପାଟିରେ ପୁଣି ମିଥ୍ୟା !!

ଅସମ୍ଭବ !

ନିଜ କାନକୁ ଆଦୌ ବିଶ୍ୱାସ କରିବାକୁ ଚାହୁଁନଥିଲେ ଯୁଗଳ କିଶୋର । ସେ ଜାଣିବାରେ ଭଉଣୀ ତାଙ୍କର ଏଇି ଭିତରେ ଛବିଶ ଟପି ସତେଇଶରେ ପାଦ ଦେଇ ସାରିଲାଣି । ହେଲେ ପୁଅର ମା’କୁ ବାପା କହୁଥିଲେ, ତାକୁ ଆସନ୍ତା ବୈଶାଖରେ ଚବିଶ ହେବ ।

ଏତେ ବଡ ମିଛ ବାପାଙ୍କ ପାଟିରୁ ! କ’ଣ ଅଜାଣତରେ ! ସମ୍ଭବବ ତ ନୁହୈଁ । ବାପା ହେଇ ନିଜ ସନ୍ତାନର ବୟସ ଜାଣିନଥିବ, ଏକଥାକୁ କ’ଣ କେହି ବିଶ୍ୱାସ କରିପାରିବ କେବେ ! ତେବେ କ’ଣ ବାପା ଜାଣିଶୁଣି ମିଛ କହିଛନ୍ତି ?

ଫେରିଆସିଲେ ବୈଠକଖାନାର ଦୁଆର ମୁହଁରୁ । ଆଉ ଭିତରକୁ ଯିବାର ସାହାସ ତାଙ୍କର ନଥିଲା । ବିଶେଷ କରି ବାପାଙ୍କ ଆଡକୁ ଚାହିଁବାର ସ୍ପୃହା ନଥିଲା । ତାଙ୍କ ଆଖି ଆଗରେ ବିଶ୍ୱାସର କାଚଘର ଝଣଝାଣ୍ ଶବ୍ଦ କରି ଭାଙ୍ଗି ପଡୁଥିଲା । ଖଟ ଉପରେ ମୁହଁ ମାଡି ପଡିରହିଲେ । କାନ ଉପରେ ତକିଆଟାକୁ ଏପରି ମାଡି ଧରିଲେ, ସତେ ଯେମିତି ବାହାରର ସବୁ ପ୍ରକାରର ଶବ୍ଦକୁ ସେ ନିଜ ପାଖରୁ ଦୂରେଇ ରଖିବାକୁ ଚାହୁଁଛନ୍ତି !

“ତୁମେ ନିଜ ତୁଣ୍ଡରେ ପୁଣି ମିଛ କହିଲ ?” ବୋଉର ଥର ଥର ସ୍ୱରରେ ଚମକି ଉଠିବସିଲେ ଯୁଗଳ କିଶୋର । କେଜାଣି କେତେ ସମୟ ହେଇଗଲାଣି ! ଏମିତି ଖଟରେ ଗଡୁ ଗଡୁ କେତେବେଳେ ପ୍ରକୃତ ନିଦରେ ସେ ଶୋଇ ପଡିଥିଲେ । ସେପଟ ଘରୁ ବୋଉର କରୁଣ ସ୍ୱରରେ ନିଦଟା ଭାଙ୍ଗିଗଲା । ଛାପିଛାପିକିଆ ଅନ୍ଧାର ଭିତରେ ଦୁଇଟି ଅଶରୀରି ଆତ୍ମା ପରି ଦେଖା ଯାଉଥିଲେ ଏ ସଂସାରର ଦୁଇଟି ନିହାତି ଅବହେଳିତ ଆଉ ଅସହାୟ ଚରିତ୍ର । ପରିସ୍ଥିତିର ଚାପ ଆଗରେ ଆଣ୍ଠେଇ ପଡିଥିବା ଏକ ବିକଳ ପିତୃତ୍ତ୍ୱକୁ ପ୍ରଶ୍ନ କରୁଛି, ତାକୁ ସାରା ଜୀବନ ଆଦର୍ଶ ମାନି ଚଳି ଆସିଥିବା ଆଉ ଏକ ବିକଳ ଚରିତ୍ର ! କ’ଣ ଉତ୍ତର ଦେଇପାରିବେ ସେ !

“ହଁ, କହିଦେଲି । କ’ଣ ଆଉ କରିଥାନ୍ତି ମିଛ ନକହି ! ସତ୍ୟର ସାହାରା ନେଇ ନେଇ ଏ ମିଛ ସଂସାରର ନଦୀକୁ ପାର୍ ବି ତ କରିହେଉନି ଆଉ ! ଏଇ ସତ୍ୟକୁ ଜାବୁଡି ଧରି ଧରି ଝିଅର ବୟସକୁ ସତେଇଶି ଟପେଇ ସାରିଲିଣି, କେତେ ଦିନ ଆଉ ଗଡେଇ ପାରିବି ! ଏଇ ଗୋଟାକ ପ୍ରସ୍ତାବ ସବୁଆଡୁ ଠିକ୍ ଠାକ୍ ଅଛି । ଯୌତୁକ ବି ମାଗୁନାହାନ୍ତି । ପୁଅର ବୟସ ସତେଇଶି ପୂରିଛି । ଯଦି ସତ କହିଦେଇଥାନ୍ତି, ଏଇ ପ୍ରସ୍ତାବ ବି ଯାଇଥାନ୍ତା .. !” ଖୁବ୍ କାକୁସ୍ଥ ଥିଲା ସେ ସ୍ୱର ।

“ପିଲାଏ କ’ଣ ଭାବିବେ ?” କାନ୍ଦ କାନ୍ଦ ଶୁଭୁଥିଲା ବୋଉର ସ୍ୱର ।

“କିଛି ନାହିଁ .. ସେମାନେ କଅଣ ଦୁନିଆ ଦେଖିନାହାନ୍ତି ଏପର୍ଯ୍ୟନ୍ତ ଯେ ଖରାପ ଭାବିବାକୁ ଯିବେ ! ଏ ଆଦର୍ଶ .. ଏ ଶୃଙ୍ଖଳା .. ଆମ ପରି ଲୋକଙ୍କ ପାଇଁ ପାଦର ବେଡି କେବଳ ଯୁଗବୋଉ ! ଆଜିଠୁ ସେ ବେଡିକୁ ନିଜ ହାତରେ ଛିଡେଇ ଦେଇ ମୋ ପିଲାଙ୍କୁ ମୁଁ ମୁକ୍ତ କରିଦେଲି । ଏଣିକି ସେମାନେ ମୋର ସମସ୍ତ ଶିକ୍ଷା ଦୀକ୍ଷାର ବୋଝ ତଳୁ ମୁକ୍ତ । ମୋ ଆଦର୍ଶ, ମୋ ଚିନ୍ତାଧାରା ସେମାନଙ୍କୁ ଜୀବନରେ କିଛି ବି ହେବାକୁ ଦେଲା ନାହିଁ ! ନହେଲେ କ’ଣ ଯୁଗ ପରିକା ପିଲା ଆଜି ଯାଏଁ ବେକାରୀ ଜୀବନ ଜିଉଁଥାଆନ୍ତା, ନା ରୂପର ଗୁଣର ହେଇକି ବି ଝିଅମାନେ ମୋର ଏତେ ଏତେ ବୟସ ପର୍ଯ୍ୟନ୍ତ ଅଭିଆଡୀ ହୋଇ ଘରେ ବସି ରହିଥାଆନ୍ତେ ! ଥାଉ ଯୁଗବୋଉ, ଆଉ ସେସବୁର ଆଲୋଚନା କରି ମତେ ଦୁର୍ବଳ କରିଦିଅ ନାହିଁ । ନିଜ ସହିତ ଅନେକ ସଂଘର୍ଷ କଲା ପରେ ଏ ନିର୍ଣ୍ଣୟ ନେଇଛି ମୁଁ । ମତେ ଆଉ ସେ ପଥରୁ ପଛକୁ ଟାଣିନେବାର ଚେଷ୍ଟା କରନାହିଁ ।“

ବାପାଙ୍କ କାନ୍ଦୁରା ସ୍ୱରକୁ ଯୁଗଳ କିଶୋର ଶୁଣି ପାରୁଥିଲେ କି ନାହିଁ ଜଣାନାହିଁ, କିନ୍ତୁ ନିଜ ଛାତି ଭିତରେ ଯେଉଁ ପ୍ରଶ୍ନଟି ଛାଟିପିଟି ହୋଇ ଆର୍ତ୍ତନାଦ କରୁଥିଲା, ତା’ର ବ୍ୟଥାତୁର ସ୍ୱରକୁ ସେ ନିଶ୍ଚୟ ଶୁଣି ପାରୁଥିଲେ । ଏତେ ବର୍ଷ କାଳ ଯେଉଁ ପଥରେ ଆଗେଇ ଆଗେଇ ସେ ଲହୁଲୁହାଣ ହେଇଯାଇଛନ୍ତି, ସାରା ଦୁନିଆର ଉପହାସର ପାତ୍ର ହୋଇଛନ୍ତି, ବାପା ଆଜି ସେଇ ପଥକୁ କହୁଛନ୍ତି ଭୁଲ୍ ବୋଲି ! ତା’ହେଲେ ଠିକ୍ ବାଟ କୋଉଟା ?

“ଖାଣ୍ଟି ସୁନାରେ ଗହଣା ଗଢା ହୁଏନାହିଁ ଯୁଗବୋଉ ! ଜୀବନରେ ଖାଦର ବି ମହତ୍ତ୍ୱ ଅଛି । ଖାଣ୍ଟି ଦେହରେ ଖାଦ ମିଶିଲେ ଯାଇ ସବୁକିଛି ସୁନ୍ଦର କରିହୁଏ । ଏକଥାକୁ ସ୍ୱୀକାର କରିବାକୁ ମୁଁ କିନ୍ତୁ ଖୁବ୍ ବେଶି ବିଳମ୍ବ କରିଦେଇଛି । ହେଲେ ଆଉ ନୁହେଁ । ମିଛଟା ସବୁବେଳେ ସୁନ୍ଦର । ମତେ ଏବେ ବାକିଦିନତକ ସେଇ ସୁନ୍ଦରତା ଭିତରେ ଜିଇଁ ରହିବାକୁ ଦିଅ । ସାରା ଜୀବନର ସବୁ କରଜକୁ ଏଇ ଜନ୍ମରେ ଶୁଝିବାକୁ ଯେତିକି ମିଛ ଲୋଡା, ମତେ ସେତିକି କହିବାର ଅଧିକାର ଦିଅ । ମୋ ପିଲାଙ୍କ ପାଇଁ ଯାହା ଭଲ, ମତେ ସେସବୁ କଲା ବେଳେ ଆଉ କୌଣସି ପ୍ରଶ୍ନ କରି ଦୁର୍ବଳ କରନାହିଁ । ମୋର କିଛି ସତ୍ୟକୁ ବଞ୍ଚିଯିବାକୁ ଯଦି ପଦେ ଦୁଇ ପଦ ମିଛ କହି ପାପ ମୁଣ୍ଡେଇବାକୁ ପଡେ, ତେବେ ମତେ କ’ଣ ସତରେ ମୋ ପିଲା ଖରାପ ଭାବିବେ ଯୁଗବୋଉ ?”

ବାପାଙ୍କ କାନ୍ଦ ପବନରେ ଭାସି ଆସୁଥିଲା । ଅନ୍ଧାର ଆହୁରି ଘନେଇ ଆସିଥିଲା । କିନ୍ତୁ ଯୁଗଳ କିଶୋରଙ୍କୁ ଲାଗୁଥିଲା ଏବେ ବି ସେ ଅନ୍ଧାର ତାଙ୍କ ପରିବାର ଠାରୁ ଅଛି ବହୁତ ଦୂରରେ ! ଖାଦ ମିଶିଗଲା ପରେ ବି ସତ୍ୟର ଆଲୋକ ବାପାଙ୍କୁ ଏବେ ବି ଆଲୋକିତ କରି ରଖିଛି !

                                                            -0-

                                                           kamala.satpathy@gmail.com

 

ଗୁରୁ - ଶିଷ୍ୟ ସଂପର୍କ

Rate the content


Originality
Flow
Language
Cover design

Comments

Post

Some text some message..