ଦୁର୍ଘଟଣା
ଦୁର୍ଘଟଣା
_"ଆସିବ ପ୍ଲିଜ କାଲି ଟିକେ ଶିବ ମନ୍ଦିର" ....
ସେ ଭାବିଲା ମନ୍ଦିର , କାହିଁକି କଣ ସିଧା ବାହା ହେଇ ଯିବା ନା କଣ ??
କହିଲା " ମନ୍ଦିର ନା ମଁ ପାର୍କ କି ସିନେମା ହଲ ସିନା ଯିବି!!
ହସି କି ରାଜୀବ କହିଲା , " ତୁମକୁ ଝିଅ କିଏ କଲା । ବଦମାସିରେ ମୋଠୁ ବହୁତ ଆଗୁଆ !!
ହସିଲା ନୀରୁ ଖିଲ୍ ଖିଲ୍ " କହିଲା ନୂଆ ଫେସନ , ଝିଅ ମାନେ ବଦମାସ ହେବେ !
ରାଜୀବର ଆମନ୍ତ୍ରଣ ମନ୍ଦିରକୁ ନାନୀର ପୁଅ ଜନ୍ମ ଦିନ ପାଇଁ । ନାନୀକୁ ସିଡ଼ି ବନେଇ ଗୃହ ପ୍ରବେଶର ପ୍ରୟାସ । ନାନୀକୁ ଆଗ ଟିକେ ମନେଇ ନେଲେ ଘର ଲୋକଙ୍କୁ ନାନୀ ବୁଝେଇ ଦେଵ ।
ଏକା ଚାକିରୀ ବ୍ୟାଙ୍କରେ। ୩ ବର୍ଷର ସମ୍ପର୍କ। ନୀରୁ ଘରେ ସବୁ ରାଜି । ଖାଲି ରାଜୀବର ମମି ଏଇ ଜାତି ଫାତି ନେଇ ଟିକେ ଅରାଜି। ତାଙ୍କୁ ମନେଇ ବା ପ୍ରୟାସରେ ଦିହେଁ।
- "କଉ ମନ୍ଦିରରେ ଯେ ?"
-"ବିଶେଶ୍ୱର ମନ୍ଦିର ଟିକେ ସହର ବାହାରେ ।ଏଠୁ ୨୫ କିଲୋମିଟର ଖଣ୍ଡେ ହେବ।"
- କେମିତି ଯିବି?
ନୀରୁର ମନରେ ଇଚ୍ଛାଟେ , ସାଥିରେ ନେଇକି ଯିବଟି? କିନ୍ତୁ କହିବାକୁ ଇଚ୍ଛା ନାହିଁ , ଶୁଣିବାକୁ ଇଚ୍ଛା ।
.........
ରାଜୀବ କହିଲା ପୁରା ଅନାଡ଼ି ପରି " କିଛି ଗୋଟେ ବନ୍ଦୋବସ୍ତ କରିଦେବ , ଟେମ୍ପୁ କି ବସ୍ , ପ୍ଲିଜ" !!!
- " ଯା ବେକାର ଧେତ୍ " ....
କେତେ ବଢ଼ିଆ ସୁଯୋଗର ଅପବ୍ୟବହାର। ରାଜୀବର ସଫେଇ ପୁରା ସକାଳୁ ଯିବ ସେ ସବୁ ଦାୟିତ୍ୱ ତା ମୁଣ୍ଡରେ। ନୀରୁ ଆସୁ ଆରାମରେ ଗେଷ୍ଟମାନଙ୍କ ସମୟରେ ।
......
ରାଜୀବର ଆଉ ଗୋଟେ ଇଚ୍ଛା "ଶାଢ଼ୀରେ ଆସିବ , ପ୍ଲିଜ " !!
- "ଶାଢ଼ୀରେ ମାଉସୀ ଦିଶିବି ମୁଁ ସତ "। ତାକୁ ତ ପିନ୍ଧି ଆସେନା ଭଲରେ ଶାଢ଼ୀ!!
ରାଜୀବ ନଛୋଡ଼ବନ୍ଧା " ଟିକେ ମୋ ପାଇଁ କଷ୍ଟ କରିବ। ଇଂପ୍ରେସିଭ୍ ଲାଗିବ , ଶାଢ଼ୀରେ ସାମାଜିକ ଲାଗନ୍ତି ଝିଅ ସବୁ।"
- "ହୁଁ , ଏମିତି କି , ହଉ "
ରାଜୀବ ମନେଇ ନିଏ ତାକୁ। ସେ କଳା ତାକୁ ଜଣା । ନୀରୁର ବ୍ରାହ୍ମଣ ପରିବାରକୁ ବି ମନେଇ ନେଲା ରାଜୀବ । ସେ ଅବ୍ରାହ୍ମଣ ହେଇବି । ଆଉ ତା ମମି ଡରୁଛନ୍ତି , କି କଥା !!!
......
ବସ୍ ରେ ଆସିଲା ନୀରୁ ।ବଡ଼ କଷ୍ଟରେ । ସାରା ବସ୍ ଲୋକ ଗିଳି ଦେବା ନଜରରେ ତାକୁ ଦେଖୁଥିଲେ ଯେମିତି । ଏମିତି ଲାଗେ ସବୁବେଳେ କେଜାଣି କାହିଁକି?? ସୁନ୍ଦରୀ ମାନେ ସର୍ବାଧିକ ପ୍ରେମ ଭୋଗନ୍ତି ସତ।
ପୁରା ପବିତ୍ର ପବିତ୍ର ଲାଗୁଥିଲା ନୀରୁ । ହାଲ୍କା ହଳଦୀ ରଙ୍ଗର ଶାଢୀ , ମୁଠେ ଚୁଡି, ଛୋଟ ଝୁମକା , ଆଉ ବିନ୍ଦି । ରାଜୀବର ସମ୍ବୋଧନ , ହଳଦୀବସନ୍ତ।
ନାନୀଙ୍କ ପରୀକ୍ଷାରେ ବଢ଼ିଆ ନମ୍ବରରେ ପାସ୍ କରିଗଲା ସେ। କୁନି ପୁଅକୁ ଧଳା ପଣ୍ଡା ଆଉ ଚକଲେଟ ଦେଇ କରିନେଲା ନୂଆ ବୟ ଫ୍ରେଣ୍ଡ । ତାର ମାଇଁ ପୋଷ୍ଟଟା ପକ୍କା ହେଇଗଲା ପୁରା।
ରାଜୀବ ସମସ୍ତଙ୍କ ସହ ପରିଚୟ କରେଇ ଦେଲା। ମମିଙ୍କୁ ଗୋଟେ ମୁଣ୍ଡିଆ ବି ମରେଇ ଦେଲା। ପ୍ରେମରେ କିଛି ବି କରେ ମଣିଷ। ସୁଖି ସୁଖି ଲାଗୁଥିଲା ତାକୁ । ଜୀଵନର ଗୋଟେ ସ୍ମରଣୀୟ ଦିନ । ହୃଦୟରେ ଅଗଣିତ ସ୍ୱପ୍ନର ଫୁଲ ।
.......
ଫେରିବା ବେଳ କିନ୍ତୁ ଆଉ ମିଳିଲାନି କିଛି ବନ୍ଦୋବସ୍ତ । ଟିକେ ପାହାଡିଆ ଜାଗାରେ ସନ୍ଧ୍ୟା ପରେ ଆଉ କିଛି ସୁବିଧା ନଥିଲା। କଣ କରିବ ନୀରୁ। ରାଜୀବ ନେବ ସାଥିରେ ଆଉ କିଛି ନାହିଁ ବାଟ। ଏଇଟା ବି ଆହୁରି ଖୁସି କଥା । ବଢ଼ିଆ ସୁଯୋଗ!!!
ଡେରି ହେଇଗଲା ସବୁ ସରୁ ସରୁ । ସନ୍ଧ୍ୟା ଆଠଟା ।ରାସ୍ତାଟା ଟିକେ ଖରାପ ଆଉ ଆରମ୍ଭ ହେଇଗଲା ବର୍ଷା। ଅନଭ୍ୟସ୍ତ ଜଙ୍ଗଲୀ ରାସ୍ତାରେ ଭୟର ରାଜୁତି।
ସବୁବେଳେ ସବୁ କଣ ଭଲ ହୁଏ ????
ବାଇକର ଆକ୍ସିଡେଣ୍ଟ... ଗଛରେ ପିଟି ହେଇଗଲା।
......
ଦୁଇଦିନ ପରେ ଚେତା ଆସିଲା ବେଳକୁ ନୀରୁ ଅଛି ସେଇ ଜଙ୍ଗଲରେ ଗୋଟେ ଅଜଣା ଲୋକ ଘରେ । କିଛି ବୁଝା ପଡୁନି ତାକୁ । ରାଜୀବ କାହିଁ?????
ଲୋକଟା କହିଲା ଜାଣିନି , ରାଜୀବକୁ ଦେଖିନି ସେ । କେବଳ ଥିଲା ନୀରୁ । ଆଶ୍ଚର୍ଯ୍ୟ ଲାଗୁଥିଲା କୁଆଡେ ଗଲା ରାଜୀବ। ସେ ଲୋକଟାକୁ ପଚାରିଲା । କେବେଠୁ ଅଛି ସେ ଏଠି । ଲୋକଟା କହିଲା ଦୁଇ ଦିନ ହେଲା। ଆଉ ସେ ମିଳିଲା ଜଙ୍ଗଲରେ କିନ୍ତୁ ରାଜୀବ ନଥିଲା।
ନୀରୁ ଖୋଜିଲା ଫୋନ୍ । କିନ୍ତୁ ନଥିଲା ପାଖରେ । ହଜି ଯାଇଛି କୁଆଡେ। କେମିତି କରିବ ଫୋନ୍ ସେ ?? ଲୋକଟା ପଚାରିଲା ଘର କଉଠି ? ନୀରୁ କହିଲା ବସନ୍ତପୁରରେ । ଲୋକଟା ନେଇଯିବ ବୋଲି କହିଲା। କିନ୍ତୁ ଏବେ ନୁହେଁ ତା ଗୋଡ଼ରେ ଆଘାତ । ସେ ଚାଲିକି ଯାଇପାରିବ ନି । ନୀରୁକୁ ରାଗ ହେଉଥିଲା ।କି ଲୋକ ଚାଲିବ କାହିଁକି ଗୋଟେ ଗାଡି ଠିକ କରିକି ଯିବ। ଲୋକଟା କହିଲା ପାଣି ଭର୍ତ୍ତି , ରାସ୍ତା ବନ୍ଦ । ଗାଡି ଯାଇପାରିବିନି। ନଦୀର ବଢି ପାଣିରେ ଗାଁଟା ବାହ୍ୟ ଜଗତରୁ ବିଛିନ୍ନ।
ନୀରୁକୁ ବୁଝା ପଡୁନି କଣ କରିବ । ଗୋଡ଼ରେ ସତରେ ବଡ଼ କ୍ଷତ । ଭୀଷଣ ଦରଜ। ଉଠୁନି ଗୋଡ଼। ଡରିଗଲା ସେ ଲାଗିଲା ବହୁତ ଉଦାସ।
କୁଆଡେ ଗଲ ରାଜୀବ , ସତରେ କେମିତି ଅଛ ? ଭଲ ଅଛ ତ ନା କିଛି ଅଘଟଣ ହେଇଛି। ଓଃ ମଣିଷ ବେଳେବେଳେ ହେଇଯାଏ ଏମିତି ଅସହାୟ। ହାତ ପାହାନ୍ତାର ସୁଖ ଏମିତି ହଜି ଯାଏ ଅପ୍ରତ୍ୟାଶିତ ଭାବରେ!!
.....
ବଢି ଥିବା ନଦୀ ସହରକୁ ଯିବାକୁ ଦେଲାନି। ଅଥର୍ବ ମନ ଗୋଟିଏ ବି ଫୋନ୍ ନମ୍ବର ମନେ ପକେଇ ପାରିଲା ନାହିଁ। ଲୋକଟା ପାଖରେ ଫୋନ୍ ଥିଲା କିନ୍ତୁ ଅଚଳ , ବିଜୁଳି ନାହିଁ । ପୋଲିସକୁ ଭଲା ଫୋନ୍ କରି ହୁଅନ୍ତା।
ନୀରୁ ଜାଣି ପାରୁନଥିଲା ସେ ଲୋକଟା କିଏ? କିଛି ବି କହୁ ନଥିଲା। କେବଳ ଖାଇବାକୁ ଦେଇଯାଏ ବାସ। ନୀରୁ ଆଉ କାହାକୁ ଦେଖି ପାରେନି । ବୁଝିପାରେନି କେମିତି ଜାଗା କେହି ଆଉ ରହୁନି । ପୁରା ଜଙ୍ଗଲରେ ଗୋଟେ ଘର। ଏକା ଲୋକଟା !! ସବୁଠୁ ଭୟଙ୍କର ରାତି , ଅନ୍ଧାର ବିଲକୁଲ୍ , ଏମିତି ଅନ୍ଧକାର ଦେଖିନି ସେ କେବେ ।
ଗୋଟେ ଅଦ୍ଭୂତ ଅସହାୟ ତା’ରେ ବିତିଲା ସବୁ ମୁହୂର୍ତ୍ତ। ଭାବୁଥିଲା ନୀରୁ କେହି ଆସୁନି ତାକୁ ଖୋଜିବାକୁ । ପୋଲିସ ଆସୁନି ଏଠିକି?? କେହି ବି ବ୍ୟସ୍ତ ହେଉ ନାହାନ୍ତି ତା ପାଇଁ !!!!
ବଡ଼ କଷ୍ଟରେ ଆସିଲା ନୀରୁ ଘରକୁ । ଲୋକଟା ବି ଆସିଲାନି ସହରକୁ ।ତାକୁ କେବଳ ବସେଇ ଦେଲା ବସ୍ ରେ । ଅଦ୍ଭୁତ ଲୋକଟା କିନ୍ତୁ ତା ପାଇଁ ଦେଵ ଦୂତ, ଜୀଵନ ବଞ୍ଚେଇଛି ତାର।
ଘରେ ପହଞ୍ଚି ଦେଖିଲା ତା ଫୋଟୋରେ ମାଳ। ଭୂତ ଦେଖିବା ପରି ଦେଖିଲେ ସମସ୍ତେ । ଆଉ ଧିରେ ଧିରେ ବୁଝିଲେ । ଅଛି ସେ ବଞ୍ଚିଛି ।
ମା’ର ପ୍ରଶ୍ନ କଉଠି ଥିଲା ସେ??? ନୀରୁ କହିଲା ଜଙ୍ଗଲରେ ,ଗୋଟେ ଲୋକ ପାଖେ। ହେଲେ କିଏ ସେ ଜାଣିନି। ନାହିଁ ତାର ପରିଚୟ !!!!
ପୋଲିସକୁ ଖବର କଲେ ଘର ଲୋକ । ବଞ୍ଚିଛି ସେ ସେଇ ସତ୍ୟର ପ୍ରମାଣ ଲୋଡ଼ା । ନ ହେଲେ ପୋଲିସ ଆଖିରେ ସେ ମୃତ।
ପୋଲିସ ପଚାରିଲା କଉଠି ଥିଲା ସେ । ସେ କହିଲା ସେଇ କଥା ଜାଣିନି ଲୋକଟାକୁ ।
......
ସଭିଏଁ ଆସିଲେ କିନ୍ତୁ ରାଜୀବ ?? ନୀରୁ ପଚାରିଲା ରାଜୀବ କଥା । ମା’ କହିଲେ ବହୁତ ଖୋଜିଲା ତୋତେ କିନ୍ତୁ ବଢି ପାଣିରେ କିଛି ମିଲିଳା ନାହିଁ । ସମସ୍ତେ ଧରି ନେଲେ ତୁ ଜଳମଗ୍ନ ପୃଥିବୀରେ ହଜିଯାଇଛୁ।
ନୀରୁ ଫୋନ୍ କଲା ରାଜୀବକୁ ଆଉ କଥା ହେଲା । "ବହୁତ କିଛି କହିବାର ଅଛି ରାଜୀବ ଆସ , ପ୍ଲିଜ!!
କିନ୍ତୁ ରାଜୀବ ଆସିଲାନି ସେଦିନ ସନ୍ଧ୍ୟାରେ । ନୀରୁ ଆଶ୍ଚର୍ଯ୍ୟ ହେଉଥିଲା । କେମିତି ଆସିଲନି ରାଜୀବ , ମୋତେ ଦେଖିବାକୁ । ତୁମ ପ୍ରେମ ପାଇଁ ଟିକେ ବି ବ୍ୟସ୍ତତା ନାହିଁ !!!!
ଅପେକ୍ଷାର ଦିନ ବିତିଲା କିନ୍ତୁ ଆସିଲାନି ରାଜୀବ। ଫୋନ୍ ବି କଲାନି । ନୀରୁ ତାକୁ ସବୁଦିନ ଫୋନ୍ କରୁଥିଲା , କିନ୍ତୁ ରାଜୀବ ଫୋନ୍ ଉଠଉ ନଥିଲା।
.......
ନୀରୁ ବ୍ୟାଙ୍କ ଜଏନ୍ କଲା ସପ୍ତାହେ ପରେ।ଦେଖା ହେଲା ରାଜୀବ ।
--" ରାଜୀବ କଣ ହେଇଛି ତୁମର ମୋତେ ଭୁଲିଗଲ??
--" ନାଁ "
-- ଆଉ ତେବେ ଭୟ କରୁଛ , ତୁମ ଭୁଲର ଦଣ୍ଡ ମୋତେ ମିଳିଲା ବୋଲି।
ରାଜୀବ କିଛି କହିଲାନି , ଚୁପ୍ ରହିଲା କେବଳ।
ନୀରୁ କହିଲା ସେଇଟା ଗୋଟେ ଦୁର୍ଘଟଣା ଥିଲା , କେହି କଣ ଜାଣିକି କରିଛି।
ରାଜୀବ କହିଲା " ତୁମେ କେଉଁଠି ଥିଲ" ?? ସେଇ ରିଜର୍ଭ ଜଙ୍ଗଲ ଏରିଆରେ କୌଣସି ଗାଁ ନାହିଁ!!
କାହା ପାଖେ ଥିଲ ନୀରୁ ??
କଣ କରୁଥିଲ ସେଠି ??
ଏମିତି ବହୁତ ପ୍ରଶ୍ନ ଅଛି ମା’ ମନରେ । ଆଉ ଉତ୍ତର ନାହିଁ ମୋ ପାଖେ । କଣ କରିବି କୁହ????
ନୀରୁ ଦେଖୁଥିଲା ଗୋଟେ ଅପରିଚିତ ଲୋକକୁ ........
ସୌମ୍ୟା