Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚକ୍ରଧରର କାହାଣୀ
ଚକ୍ରଧରର କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.1K    18


Content Ranking

ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ପିଲା ବାସ କରୁଥିଲେ । ପିଲାଟି ଦିନରୁ ସେମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ଥାଏ । କିନ୍ତୁ ସେମାନେ ଘୋର ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥାଆନ୍ତି । ଦିନେ ସେମାନେ ଚିନ୍ତାକଲେ କ’ଣ କଲେ ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । କାରଣ ଧନହୀନ ବ୍ୟକ୍ତିକୁ ସମାଜ ସବୁ ସମୟରେ ଘୃଣା ଚକ୍ଷୁରେ ଦେଖି ଆସିଛି । ଶେଷରେ ଚାରିବନ୍ଧୁ ଠିକ୍ କଲେ ଦେଶ ଛାଡି ଅନ୍ୟ ଏକ ଦେଶକୁ ଚାଲିଯିବେ । ତହିଁ ଆରଦିନ ସକାଳୁ ଚାରିବନ୍ଧୁ ବିଦେଶ ଅଭିମୁଖେ ବାହାରି ପଡିଲେ । କିଛି ବାଟ ଚାଲି ଚାଲି ଗଲାପରେ ସେମାନେ ଅବନ୍ତୀ ନଗରୀରେ ପହଁଚିଲେ । ସିପ୍ରା ନଦୀରେ ଗାଧୋଇ ସେଠାରେ ଥିବା ଏକ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା ଆରମ୍ଭ କଲେ । ମନ୍ଦିରରୁ ଫେରିବା ପରେ ସେମାନଙ୍କର ଏକ ସନ୍ନ୍ୟାସୀଙ୍କ ସହିତ ସାକ୍ଷାତ ହେଲା । ସନ୍ନ୍ୟାସୀଙ୍କୁ ଦେଖିବା ମାତ୍ରକେ ଚାରି ବନ୍ଧୁ ତାଙ୍କ ପାଦତଳେ ଲୋଟିପଡି ତାଙ୍କୁ ଏହି ବିପଦରୁ ରକ୍ଷା କରିବା ପାଇଁ ନେହୁରା ହେଲେ । ସନ୍ନ୍ୟାସୀ ପ୍ରଥମେ ସେମାନଙ୍କର ପରିଚୟ ପଚାରିବା ସଂଗେ ସଂଗେ ସେମାନଙ୍କର ଉଦ୍ଧେଶ୍ୟ ସଂପର୍କରେ ଜାଣିବାପାଇଁ ଇଚ୍ଛାପ୍ରକାଶ କଲେ । ସେମାନଙ୍କର ଆକୁଳ ପ୍ରାର୍ଥନା ସନ୍ନ୍ୟାସୀଙ୍କ ହୃଦୟ ତରଳାଇ ଦେଲା । ନିଜର ଐଶ୍ୱରିକ ଶକ୍ତି ବଳରେ ସେମାନଙ୍କୁ ସେ ଚାରୋଟି ଦୀପ ଦାନ କଲେ ଏବଂ କହିଲେ ତୁମେମାନେ ସମସ୍ତେ ଏହି ଦୀପ ଜଳାଇ ହାତରେ ରଖି ହିମାଳୟ ପର୍ବତ ଆଡକୁ ଗମନ କର । ଯେଉଁଠାରେ ଯାହା ହାତରୁ ଏହି ଦୀପ ଖସିପଡିବ ସେ ସେହି ସ୍ଥାନ ଖନନ କଲେ ସେଠାରୁ ପ୍ରଚୁର ଧନ ପାଇବ । ସନ୍ନ୍ୟାସୀ ଉପାୟ ବତାଇ ଦେଲେ ସତ କିନ୍ତୁ ଶେଷରେ ଲୋଭଠାରୁ ଦୂରେଇ ରହିବା ପାଇଁ ସତର୍କ ମଧ୍ୟ କରାଇଦେଲେ ।

ସନ୍ନ୍ୟାସୀଙ୍କର ଉପଦେଶ ଅନୁସାରେ ଚାରିଜଣଯାକ ହାତରେ ଦୀପଧରି ହିମାଳୟ ଆଡକୁ ଅଗ୍ରସର ହେଲେ । କିଛିବାଟ ଅତିକ୍ରମ କରିବା ପରେ ଜଣକର ହାତରୁ ଦୀପଟି ଖସି ପଡିଲା । ସେ ସଂଗେ ସଂଗେ ସେହି ସ୍ଥାନ ଖନନ କରିବାରୁ ସେଠାରୁ ପ୍ରଚୁର ତମ୍ବା ବାହାରିଲା । ସେ ସଂଗେ ସଂଗେ ଅନ୍ୟ ବନ୍ଧୁମାନଙ୍କୁ କହିଲା, ‘ଭାଇମାନେ’! ଏଠାରୁ ଯେତେ ତମ୍ବା ବାହାରିବ ସମସ୍ତେ ବାଂଟି କରି ନେବା । ଏଠାରୁ ଯେତେ ତମ୍ବା ମିଳିଲାଣି ସେଥିରେ ଆମର ଆଉ ଚିନ୍ତା କରିବା ଦରକାର ନାହିଁ । କିନ୍ତୁ ଅନ୍ୟ ତିନି ବନ୍ଧୁ ତା’ର କଥା ପ୍ରତି ସମ୍ମତି ପ୍ରଦାନ ନକରି ଆଗକୁ ଚାଲିଲେ । ପ୍ରଥମ ଜଣକ କିନ୍ତୁ ଆଉ ଆଗକୁ ନଯାଇ ତମ୍ବା ତକ ନେଇ ଗ୍ରାମକୁ ଫେରି ଚାଲିଲା ।

ଅନ୍ୟ ତିନିବନ୍ଧୁ ଆଗକୁ ଆଗକୁ ଅଗ୍ରସର ହେଉ ଥାଆନ୍ତି । କିଛି ବାଟ ଗଲାପରେ ଆଉ ଜଣକ ହାତରୁ ଦୀପଟି ଖସିପଡିଲା । ସେ ସଂଗେ ସଂଗେ ସେହି ସ୍ଥାନକୁ ଖୋଳିବା ଆରମ୍ଭ କରିଦେଲା । କିଛି ସମୟ ଖୋଳିବାପରେ ସେ ସେହି ସ୍ଥାନରୁ ପ୍ରଚୁର ରୂପା ପାଇଲା । ପ୍ରଥମ ଜଣକ ପରି ସେ ମଧ୍ୟ ଅନ୍ୟ ଦୁଇଜଣଙ୍କୁ ବାଂଟି କରି ନେବା ପାଇଁ କହିଲା । କିନ୍ତୁ ସେମାନେ ତା’ର କଥାରେ ରାଜି ନହୋଇ ଆଗକୁ ଆଗକୁ ଚାଲିଲେ । ଦ୍ୱିତୀୟ ବ୍ରାହ୍ମଣ ରୂପା ନେଇ ଗ୍ରାମକୁ ଗଲା ।

ଦ୍ୱିତୀୟ ବ୍ରାହ୍ମଣ ଯିବାପରେ ଆଉ ଦୁଇ ବନ୍ଧୁ ତାଙ୍କ ଲକ୍ଷ ପୂରଣ ଉଦ୍ଧେଶ୍ୟରେ ଚାଲିଲେ । କିଛି ଦୂର ଅତିକ୍ରମ କଲାପରେ ତୃତୀୟ ବ୍ରାହ୍ମଣଙ୍କ ହାତରୁ ଦୀପ ଖସି ପଡିଲା । ସେ ସେହି ସ୍ଥାନ ଖୋଳିବା ମାତ୍ରକେ ସେଠାରୁ ପ୍ରଚୁର ସୁନା ବାହାରିଲା । ତୃତୀୟ ବ୍ରାହ୍ମଣ ବନ୍ଧୁଜଣକୁ କହିଲେ, ଆଉ ଆଗକୁ ଯାଅ ନାହିଁ । ଯେତିକି ସୁନା ମିଳିଲାଣି ଆମେ ସାରା ଜୀବନ ଭୋଗ କଲେ ମଧ୍ୟ ସରିବ ନାହିଁ । କିନ୍ତୁ ବନ୍ଧୁ ଜଣକ ଅଧିକ ଧନ ପ୍ରାପ୍ତି ଆଶାରେ ଆଗକୁ ଯିବାପାଇଁ ବାହାରିଲେ । ତୃତୀୟ ବନ୍ଧୁ ଜଣକ ତାଙ୍କର ପ୍ରଚୁର ସୁନା ନେଇ ବାଟରେ ଅପେକ୍ଷା କଲେ । ଚତୁର୍ଥ ଜଣକ ଧନ ପାଇ ଆସିଲା ପରେ ସାଙ୍ଗ ହୋଇ ଯିବେ ବୋଲି ଉଭୟେ ମନସ୍ଥ କଲେ ।

ଏହାପରେ କିଛି ବାଟ ଯିବାପରେ ଚତୁର୍ଥ ବ୍ୟକ୍ତିଜଣକୁ ବହୁତ କ୍ଳାନ୍ତି ଲାଗିଲା । ଶୋଷରେ ତଂଟି ଶୁଖିଯାଉଥାଏ । ଚାରିଆଡେ ପାଣି ଖୋଜିଲେ ମଧ୍ୟ ପାଣି ଟୋପେ ମିଳିଲାନାହିଁ । କିଛି ସମୟ ପରେ ସେ ଏକ ଅଦ୍ଭୁତ ମନୁଷ୍ୟକୁ ଦେଖିବାକୁ ପାଇଲେ । ସେହି ମନୁଷ୍ୟର ମଥା ଉପରେ ଏକ ଚକ ଘୁରୁଛି । ମଣିଷଟାର ଦେହ ରକ୍ତରେ ଜୁଡୁବୁଡୁ ହୋଇଯାଇଛି ଓ ଲୋକଟି ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି । ଚତୁର୍ଥ ବ୍ରାହ୍ମଣ ଲୋକଟିର ଏହି ଅବସ୍ଥା ଦେଖି ସେତେବେଳକୁ ଡରିଗଲେଣି । ବ୍ରାହ୍ମଣ ଲୋକଟିର ପାଖକୁ ଯାଇ ଯେତେବେଳେ ତାଙ୍କୁ ପଚାରିଲେ, “ତୁମେ କିଏ? ଏବଂ ଏଠାରେ ଏପରି ଅବସ୍ଥାରେ ତୁମେ କାହିଁକି ପଡିରହିଛ”? ଏହି କଥା ପଚାରି ସାରିବା ପେର ସଂଗେ ସଂଗେ ଚକଟି ସେହି ବ୍ୟକ୍ତିର ମଥା ଉପରୁ ଆସି ବ୍ରାହ୍ମଣର ମଥା ଉପରେ ରହିଲା । ଉକ୍ତ ବ୍ୟକ୍ତିର ଶରୀର ପରି ବ୍ରାହ୍ମଣ ପୁଅର ଦେହ ମଧ୍ୟ ରକ୍ତ ଜୁଡୁବୁଡୁ ହୋଇଗଲା । ସେ ବିକଳରେ କାନ୍ଦିବାକୁ ଲାଗିଲା । ଏବଂ ପଚାରିଲା, “ମହାଶୟ! ମୋତେ ତୁମେ କାହିଁକି ଏତେ କଷ୍ଟ ଦେଲ? ମଁ ତୁମର କ’ଣ ଦୋଷ କରିଥିଲି?

ବ୍ରାହ୍ମଣ ପୁତ୍ରର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲୋକଟି କହିଲା, ‘ଠିକ୍ ଏହିପରି ଚକ୍ରଟି ଅନ୍ୟଜଣଙ୍କ ମଥା ଉପରେ ଥିଲା । ତ୍ରେତୟା ଯୁଗରେ ରାମଚନ୍ଦ୍ର ରାଜା ଥିବା ସମୟରେ ଧନ ପ୍ରାପ୍ତି ପାଇଁ ମୁଁ ମଧ୍ୟ ତୁମରି ପରି ଏଠାକୁ ଆସିଥିଲି । ମୁଁ ଏଠାରେ ପହଁଚିବା ପରେ ସଂଗେ ସଂଗେ ଅନ୍ୟ ଜଣଙ୍କ ମୁଣ୍ଡରୁ ଏହି ଚକ୍ର ଆସି ମୋ ମୁଣ୍ଡ ଉପରେ ରହିଥିଲା । ଅତ୍ୟନ୍ତ ଲୋଭର ବଶବର୍ତୀ ହୋଇ ଯେଉଁମାନେ ଏଠାକୁ ଆସନ୍ତି ସେମାନଙ୍କୁ ଏହିପରି ପରିଣତି ଭୋଗ କରିବାକୁ ପଡେ । ତୁମକୁ ବର୍ତ୍ତମାନ ସେହି ସମୟ ପର୍ଯ୍ୟନ୍ତ ଏଠାରେ ଅପେକ୍ଷା କରିବାକୁ ପଡିବ ଯେତେବେଳ ପର୍ଯ୍ୟନ୍ତ ଅନ୍ୟ ଏକ ଲୋଭୀ ଏହି ସ୍ଥାନକୁ ନ ଆସିଛି । ବିଚରା ବ୍ରାହ୍ମଣ ପୁଅ ଭାଗ୍ୟକୁ ଆଦରି ସେଠାରେ ପଡି ରହିଲା ।

ଚତୁର୍ଥ ବ୍ରାହ୍ମଣ ନଫେରିବାରୁ ତୃତୀୟ ବ୍ରାହ୍ମଣ ତା’କୁ ଖୋଜି ଖୋଜି ଯାଇ ସେଠାରେ ପହଁଚିଲା । ଚତୁର୍ଥ ବ୍ରାହ୍ମଣର ଏପରି ଅବସ୍ଥା ଦେଖି ମନେ ମନେ ବହୁତ ଦୁଃଖ ପ୍ରକାଶ କଲା । ଏବଂ କହିଲା, ‘ବନ୍ଧୁ! ମୁଁ ତୁମକୁ ବାରଣ କରିଥିଲି ଆଉ ଆଗକୁ ନଯିବା ପାଇଁ । ତୁମେ ମୋ କଥାକୁ କର୍ଣ୍ଣପାତ କଲ ନାହିଁ । ରତ୍ନ ଲୋଭରେ ଆଗକୁ ଆସିବାରୁ ଏହିପରି ଦୁଃଖଦ ପରିଣତି ଭୋଗ କରିବାକୁ ପଡିଲା । ତୃତୀୟ ବ୍ରାହ୍ମଣ ସୁବର୍ଣ୍ଣସିଦ୍ଧି ଏହି ସଂପର୍କରେ ଏକ କାହାଣୀ କହିବାକୁ ଆରମ୍ଭ କଲେ ।

ସହର ବ୍ରାହ୍ମଣ ଘନିଷ୍ଠ

Rate the content


Originality
Flow
Language
Cover design

Comments

Post

Some text some message..