Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others Romance

2  

Amiya Bej

Others Romance

ନଈ ସେପାରିର କନକ ଗୋରୀ

ନଈ ସେପାରିର କନକ ଗୋରୀ

5 mins
7.7K


{୧}

ରାମା କୁହେ , ଝିଅମାନେ ସଅଳ ବଢନ୍ତି ! ଆଗତୁରା ବା'ହୋଇ , ପିଲା ପାଳି , ଆଗ ମରିଯା'ନ୍ତି ! ପୁଅ ଗୁଡା ମଠୁଆ । ମରିବାରେ ବି !!!

ଦେଖୁନୁ , ସୁଲୀ ଆଈ କେଉଁ ଦିନୁ ଗଲାଣି , ନାରୁ ଅଜା ଅଛି ସେଇମିତି !

ରାମାଟା ପବନା । ତଥାପି ତା'କଥା ବେଳେବେଳେ ଯୁକ୍ତିଯୁକ୍ତ ଲାଗେ ।

'କନକ' ମୋତେ ଦେଖିଲା କ୍ଷଣି ମୁରୁକି ଦିଏ । ମୁଁ ପାରେନା । ଝାଉଁଳି ପଡେ ଗୋଟା ପଣେ । କନକ ମୋତେ ଦେଖେଇ ଶିଖେଇ କୁହେ 'ଜାଣି ଚତୁରା’!

କ'ଣ ଜାଣନ୍ତି ଯେ ? ମୋତେ ରାମା ଶିଖେଇଛି , ଝିଅ ପିଲାଙ୍କ ଆଗରେ ଯେତେ ଭଦ୍ର , ନମ୍ର , ଶାନ୍ତ , ସରଳ ହେବୁ , ସେମାନେ ସେତେ ପସନ୍ଦ କରିବେ । ମୁଁ ତ଼ ସେୟା କରେ । ମୁହଁ ତଳକୁ କରି ଖାଲି ଭଲ ପିଲା ହେବାକୁ ଚେଷ୍ଟା କରେ ।

{୨}

ତାଙ୍କ ଆମ ଭିତରର ବ୍ୟବଧାନ 'କାଣୀ ନଈ' । ନାଁ କାଣୀ ହେଲେ ବି ସ୍ରୋତ ପ୍ରଖର । ସରକାର ସମସ୍ତଙ୍କୁ ଯୋଡିବାପାଇଁ ଠାଏ ଠାଏ ପୋଲ ତିଆରି ପାରନ୍ତି ନାହିଁ କି ପଢିବା ପାଇଁ ସ୍କୁଲ୍ । ତେଣୁ କନକ ଆସେ ଆମରି ଗାଁକୁ । କାଠ ଡଙ୍ଗାରେ ପାରି ହୋଇ ନିତି । ଏଇଠି ବି ତା' ମାମୁଁ ଘର । ଆମ ଗାଁ ନାଲି ରାସ୍ତାରେ ଚାଲିଚାଲି ଯାଏ ବାଳିକା ଉଚ୍ଚ ବିଦ୍ୟାଳୟ । ଫେରେ ସମାନ ରାସ୍ତାରେ । ବାଟରେ ପଡେ କାହ୍ନୁସାରେଙ୍କ ବସା । ତାଙ୍କ ଗରିବ ଗାଁରେ କାହ୍ନୁସାର୍ ଟେ' ବି ନଥାନ୍ତି । ଏଇଠି ଟ୍ୟୁସନ୍ ସରୁସରୁ ମୁହଁସଂଜ । ଶେଷଡଙ୍ଗା ଚାହିଁ ବସିଥାଏ ଘାଟରେ । କନକ ଫେରେ ରାତି କାଟିବାକୁ । ଜନ୍ମ ସେଠି , କର୍ମ ଏଠି ।

କାଣୀ ନଈ ବେଳେବେଳେ ଥିବ ଥିବ ଅଶାନ୍ତ ହୋଇପଡେ । କନକ ଫେରିପାରେନି । ରହିଯାଏ ତା' ମାମୁଁ ଘରେ । ଆମ ଗାଁରେ । କେମିତି ଗୋଟେ ମିଠା ମିଠା ହୋଇଯାଏ ପରିବେଶ !

ଏକଥା ଖାଲି ମୁଁ ଭାବେନି , ଢେର ଜଣ କୁହାକୁହି ହୁଅନ୍ତି ବି ।

{୩}

ନଈ କୂଳ ଗାଁ ସୁନ୍ଦର । ମଣିଷ ସବୁ ବି । ତେବେ , ଏପାରିର ଲୋକଙ୍କୁ , ସେପାରିଟା କାଇଁ ବେଶି ଭଲ ଲାଗେ ! ସେପାରିଏ ବି ସମଦଶା ଭୋଗୁଥିବେ ନିଶ୍ଚୟ । ବ୍ୟବଧାନ ମାତ୍ର ନଈଟିଏ ।

କନକ ଆମ ଗାଁ ଛୁଇଁଲା ମାତ୍ରେ , ସତେଜତା ଭରିଯାଏ । ଚାଲିଗଲେ ମଉଳି ପଡେ ସବୁକିଛି ।

ମୁଁ ପଚାରେ ନିଜକୁ , ମୋର କି ଭଲପାଇବାର ବୟସଟେ ଛୁଇଁଲାଣି ? ହାଫ୍ ପ୍ୟାଣ୍ଟ ତଳକୁ ଯେତିକି ଗୋଡ଼ ଦୃଶ୍ୟମାନ ହୁଏ , ସେତକ କ୍ରମଶଃ ଲୋମାବୃତ ହୋଇଆସିବାର ଲକ୍ଷଣ ବୋଧେ ବଡ ହୋଇଯିବା !

କିନ୍ତୁ କନକ ମୋଠୁଁ ବି ଆଉରି ଦ୍ରୁତରେ ବଡ ହେଉଥିଲା ବୋଧେ ! ଫି'ଦିନ ତା' କଥାରେ , ଚାଲିରେ ବଦଳାପଣ ।

ତାକୁ ନେଇ ଆମ ଗାଁ ଯାକ ଅନେକ ଗପ । ସାମିଲ୍ ସେଥିରେ ବଡ ସାନ ।

ଆମ ଗାଁ ଝିଅ ଗୁଡା ସତରେ ସିଙ୍ଘାଣୀନାକୀ ।

ତା'ସରି କେହି ନାହିଁ । ଏକଥା ଜାଣି ପାରୁଥିଲା କି କଣ କେଜାଣି କନକ ?

ଅପମାନ ଲାଗେ । ଭାବେ , ତାଙ୍କ ଗାଁରେ ମୋ' ଜନ୍ମ ହେଇନଥାନ୍ତା ????

{୪}

ଆମ ଗାଁରେ ସିନା ସୁନ୍ଦରୀ ମରୁଡି , ସୁନ୍ଦରୀଆ ପୁଅଙ୍କ ଅଭାବ ନାହିଁ ଏଠି। କନକ କୁ ନେଇ ଏତେ ଯାକ ଚର୍ଚ୍ଚା ଭିତରେ ହଜିଯାଏ ମୁଁ କୁଆଡ଼େ । ମୁଁ ବ୍ୟସ୍ତ ହୁଏ । ସେ କାଇଁ ବା ହୁଅନ୍ତା ?? ଗାଁ ଯାକ ଉଣା ଅଧିକେ କନକ ମୁଖା । ସିଙ୍କୁଡିଯାଏ ମୁଁ ।

ମାମୁଁ ଘର ଆସୁଥିବା ଝିଅମାନେ ସବୁବେଳେ ପ୍ରେମ ମଂଜି ପୋତିଦେଇ ଯା'ନ୍ତି । କାଁ ଭାଁ ସେଥିରୁ ମହାଦ୍ରୁମ ପାଲଟେ ।

କାହ୍ନୁସାରଙ୍କ ନୂଆଣିଆଁ ଘର । ନିଜର ପିଲାପିଲି ନଥିଲେ ବି ତାଙ୍କ ଘର ସବୁବେଳେ ପିଲାମୟ । ଭାରି ଶୃଙ୍ଖଳିତ । ପୁଅ ବସିବେ ଅଲଗା , ଝିଅ ଅଲଗା । ପିଣ୍ଡା ଧାରରେ ଚପଲ ଥୁଆହେବ ଧାଡିକିଧାଡି ।

ବିଶୃଙ୍ଖଳତାଟେ ସବୁବେଳେ ଶୃଙ୍ଖଳିତ ଆଖିକୁ ଠକିଦିଏ । କନକ ଯାଏଁ ପହଞ୍ଚିପାରିବାର ଅପହଞ୍ଚତା ମୋତେ ନେଇ ,ତା ସରୁ ଫିତା ବାଲା ଉଚ୍ଚା ଚପଲ ପାଖରେ ପହଞ୍ଚାଇଦିଏ । ମୁଁ ସବୁବେଳେ ଅପେକ୍ଷାରେ ରୁହେ । ସେ ଭିତରକୁ ଗଲାପରେ , ସମସ୍ତଙ୍କ ଅଲକ୍ଷରେ ,କୌଣସିମତେ ତା' ଚପଲ ପାଖରେ ମୋ ହାୱାଇ କୁ ନେଇ ରଖେ । ଟିକେ ଜକେଇ , ଟିକେ ମଡେଇ ।

କାହ୍ନୁସାରଙ୍କ ଅନୁଶାସନ ଏଇଠି କାମ ଦିଏନି । ନିର୍ଜୀବ ଚପଲ ମାନଙ୍କ ପର୍ଯ୍ୟନ୍ତ ସାରଙ୍କ ଦୃଷ୍ଟି ପାଏନାହିଁ । ପ୍ରେମ ସବୁବେଳେ ସୁଯୋଗ ଖୋଜିନିଏ ।

ମୋର ଏଇ ଉଦଦ୍ଭାନ୍ତ ଚପଲ ଚପଲ ଖେଳରେ ଯେ କନକ ପ୍ରଭାବିତ ହେବ , ସେ ବିଶ୍ଵାସ ନଥିଲା । କିନ୍ତୁ ମୁଁ କରେ । କରିପାରେ। ଚପଲ ମାନେ ନିର୍ଜୀବ । ବିଜ୍ଞାନ ମନାକରେ ଯେ' ନିର୍ଜୀବ ପ୍ରେମ ଭାଷା ବୁଝେନା । ତେବେ ସବୁବେଳେ ବିଜ୍ଞାନକୁ ମାନିନେବାବି କି ଜରୁରୀ ଯେ??

{୫}

ରାମା ପିଠିରେ ସେଦିନ କାହ୍ନୁସାର୍ ପାଞ୍ଚୁଟା ଅମରି ଡାଙ୍ଗ ଭାଙ୍ଗିଦେଲେ । ସମସ୍ତେ ଜାଣିଥିଲୁ ରାମା ନିର୍ଦୋଷ । ତଥାପି ସାର୍ କହିଲେ ନିଆଁ ଅଛି , ସେଥିପାଇଁ ତ ଧୂଆଁ ଉଡୁଛି । କେଯଣେ ସାରଙ୍କ କାନ୍ଥରେ , କନକକୁ ନେଇ ଅଖାଡୁଆ କିଛି ଗାରେଇ ଦେଇଥିଲା । ଯେହେତୁ ରାମା ବାଳୁଙ୍ଗା ଥିଲା , ତା'ଆଡକୁ ଆଖି ପ୍ରଥମେ ଗଲା ସାରଙ୍କର । ବାସ୍ ସେଦିନୁ ମନରେ ପଶିଗଲା ପ୍ରେମ ମାନେ ପାପ । ଦଣ୍ଡିତ ହେବାଟା ଥୟ ।

କିଛି ଫରକ୍ ପଡିନଥିଲା କନକକୁ । ସେ ଚାହିଁଥିଲେ କଥାଟା ବଢିଥାନ୍ତା । ସେ କିନ୍ତୁ ଚାହିଁଲାନି । ଝିଅମାନେ ସବୁବେଳେ ରହସ୍ୟମୟ । ଚର୍ଚ୍ଚା କରିବାକୁ ଆଉ ଚର୍ଚ୍ଚିତ ହେବାକୁ , ମନତଳେ ଢେର୍ ଆଗ୍ରହ ଚପେଇ ରଖନ୍ତି ।

ତେବେ ଆଉ ସମୟ ନଥିଲା ଏସବୁକୁ । ମୁଣ୍ଡ ଉପରେ ମ୍ୟାଟ୍ରିକ୍ ପରୀକ୍ଷା । ସାରା ଗାଁ , ଏ ପରୀକ୍ଷା ମାସରେ ଚୁପ୍ ହେଇଯାଏ । ପିଲାଏ ଗାଁର ଭବିଷ୍ୟତ , ସମ୍ମାନ । ଗାଁ ଠାକୁରାଣୀ ପାଖରେ ପିଲାଙ୍କ ସଫଳତା ପାଇଁ ଗଲାଆଇଲା ବେଳେ ମୁଣ୍ଡିଆଟେ ମାରୁଥାଏ ଗ୍ରାମବାସୀ ।

ଆମେ ପ୍ରାୟ ସମସ୍ତେ ସବୁଯାକ ଅନ୍ୟାନ୍ୟ କୁ ଭୁଲି ପ୍ରସ୍ତୁତି ରେ ଲାଗିଯାଇଥିଲୁ ।

କନକ ପର ଗାଁ ଝିଅ । ମାମୁଁ ଘରଟା ନଥିଲେ , ଆଉ ତା' ପାଦ ପଡିବା ଦର୍କାର ନଥିଲା ଏଠି । ନଈ ସେପାରିର ଝିଅ ସବୁବେଳେ ଅପହଞ୍ଚ । ଶେଷ ଡଙ୍ଗା ଆଉ ତା' ଅପେକ୍ଷାରେ ରହିବନି । କନକକୁ ନେଇ ଆମ ଗାଁ ଆଉ ଗପ ମୁଖର ହେବନି । ସବୁଯାକ ସତେଜତା ଉଭାନ୍ ହୋଇଯିବ ଏଥର । ପୁଣି ଥରେ ହୁଏତ ଚାହିଁ ରହିବେ ସମସ୍ତେ , ସେଇ ଯୋଗାଯୋଗର ଡଙ୍ଗାକୁ ! ବୋହିଆଣିବକି ସେପାରିରୁ କନକ ଟିଏ ।

ମୁଁ ଭାଙ୍ଗୁଥିଲି । ଏବେ କାଇଁ ଲାଗିଲା , ଏଇଟା ହିଁ ଭଲପାଇବା । ଯାହା ଯାଣୁଯାଣୁ ସରିବାକୁ ବସିଗଲା ! ପ୍ରେମ ଏଇମିତି ! ଗାଢତ୍ୱ ପାଇଁ ଟିକେ ବ୍ୟବଧାନ ଜରୁରୀ । ବୁଝା ପଡିଯାଏ ଲୋଡା ପଣ !!!

କେଜାଣି କନକକୁ ଏସବୁ ର ଫରକ୍ ପଡୁଥିବ କି ନାହିଁ ? ସେ ତ ସବୁବେଳେ ଭିଡ଼ରେ । ଆଉ ନଆସିବାର ଦୁଃଖ ଟିଏ ବି ନାହିଁ ତା'ଠାରେ । ରାମା କୁହେ -

- ଝିଅମାନେ ଦୁଃଖ ଢୋକିଦିଅନ୍ତି । ସହଜରେ ସ୍ୱୀକାର କରନ୍ତିନି କି ସ୍ୱୀକୃତି ଦିଅନ୍ତିନି ।

ରାମା କଥା ଠିକ୍ ହେଲେ , ହୁଏତ କନକ ବି ମୋତେ ..

ନା' ! ଟିକେ ସାହସ କରିନେବି କି ଆଉ ମୁଁ ????

{୬}

ସାର୍ କହିଲେ -

- ଆଜିଠୁଁ ଯାଅ । ସୁସ୍ଥ ରହିବ । ସ୍ଥିର ହେବ। ସମସ୍ତେ ପୂର୍ଣ୍ଣ ପ୍ରସ୍ତୁତ । ନିଶ୍ଚେ ବିଜୟୀ ହେବ । ବ୍ୟସ୍ତ ନାହିଁ ।

ଫେରୁଥିଲୁ ମୁହଁ ପୋତି । ପରୀକ୍ଷା ର ଭୟ । ସାଙ୍ଗ ଛଡା ହେବାର ଦୁଃଖ , ଫେଣ୍ଟି ହେଇ ଯାଉଥିଲା ସମସ୍ତଙ୍କଠାରେ । କନକ ସ୍ଥିର ଥିଲା । ମୁହଁ ଫେରାଇ ପଛକୁ ବି ଚାହୁଁ ନଥିଲା ଯମା । ସେ ସେପାରିର ଝିଅ । ଫେରିବାକୁ ହେବ ତାକୁ , ଏକଥା ବେଶ୍ ବୁଝିନେଇଥିଲା ବୋଧେ ।

ମୁଁ ଘରମୁହାଁ ହେଲି ବାଧ୍ୟ ହୋଇ । ଅନ୍ୟମାନଙ୍କର ବି କା'ପ୍ରତି ବିଶେଷ ନଜର ନଥିଲା । କେଜାଣି କାହିଁକି ଯେ' ମୋ ଭିତରର ପୁଅପଣ କହିଲା ଅନ୍ତତଃ ଘାଟ ଯାଏଁ ଯିବାକୁ ହେବ । କହି ନହେଲେ ନାହିଁ , ଶେଷ ଡଙ୍ଗାରେ ତ ତାକୁ ମେଲାଣି ଦେଇହେବ ? ସେ ଯେ ଆଉ ଫେରିବନି ଯମା ! ସେଇ ତକ ସ୍ମୃତି ଯଥେଷ୍ଟ ହୋଇପାରେ ।

ମୁଁ ସାଇକେଲ ମୋଡିଲି । ସଂଜ ରତରତ ହେଲାଣି ବେଳ । ଡଙ୍ଗା ଫିଟିଯାଇନଥିବ ତ?

ନା ପହଞ୍ଚି ପାରି ନଥିଲା ସେଯାଏଁ କନକ ।

ପ୍ରେମପାଇଁ ପ୍ରକୃତରେ ମୁହୂର୍ତ୍ତଟେ ଯମା ଲୋଡା !

- ଜାଣିଥିଲି ତୁ ଆସିବୁ ।

- କେମିତି?

- ଆଉ କା' ଠେଇଁ ଚପଲ ଥୋଇବୁ ଯେ’?

- ସେଇଟା ବି ଜାଣିଛୁ?

- ହଁ! ଭଲପାଉ ମୋତେ ?

- ନାନା! ହଁଅଁଅଁ ଯେ ? ତୁ ବଡଘର ..

- ଭଲପାଇବାରେ ଘର ନୁହଁ, ହୃଦୟ ବଡ ହେବା ଦରକାର ।

- ହୃଦୟ? ସେଇଟା କେଉଁଠି ??

- ଏଇଠି!!!!

ମୋ' ଡାହାଣ ହାତକୁ ସଟକି ଟାଣିନେଇ , କନକ ତା' ବାଁ ପଟ ଛାତିରେ ମାଡ଼ିବସିଲା ଖୁବ୍ ଜୋର୍ ରେ ...!

✿ ଅମିୟ ବେଜ୍, ଘଟଗାଁ, ✿


Rate this content
Log in