Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Tragedy

3  

Prasanta kumar Hota

Tragedy

ପ୍ରେମର ସ୍ପର୍ଶ

ପ୍ରେମର ସ୍ପର୍ଶ

9 mins
626


ପରିମଳ ବଡ ହେଲା ଦିନ ଠାରୁ ଗାଁ କୁ ଯିବା ପାଇଁ କେବେ ମନ କରିନି। ଘରେ ବାଧ୍ୟ କଲେ କୌଣସି ବାହାନା ଦେଖାଇ ରହିଯାଏ। ଏହା ଭିତରେ ତାର କଲେଜ ପଢା ସରିଗଲାଣି ତଥାପି ଗାଁକୁ ଯାଇ ଗାଁ ର ବାତାବରଣ ରେ କେବେ ମିଶିପାରିଲା ନାହିଁ । ଯେମିତି ନଦୀକୂଳ ପୋଖରୀ ବିଲ ବାଡି କିଛି ବି ତାକୁ ଆଗ୍ରହ ଦେଇପାରେ ନାହିଁ। ସବୁଠି ସେ ନିଃସଙ୍ଗତା ଅନୁଭବ କରେ। ଗାଁରେ ଥିବା କୁଟୁମ୍ବ ଲୋକଙ୍କ ସହ ମଧ୍ୟ ସେ ମିଶି ପାରେ ନାହିଁ। ତେଣୁ ସମସ୍ତେ ପଛେ ଗାଁକୁ ଯିବେ ପରିମଳ କିନ୍ତୁ ଭୂବନେଶ୍ବର ଘରେ ଏକୁଟିଆ ରହିଯାଏ। କେହି ମଧ୍ୟ ବିଶେଷ ବାଧ୍ୟ କରନ୍ତି ନାହିଁ। କହନ୍ତି, ହଉ ପିଲାଟା ରହୁ, ଏଠି ରହିଲେ ପଢାପଢି କରିବ, ଗାଁକୁ ଗଲେ ସେତିକି ତ ହେବନି। ନିଜ ଯୁକ୍ତି ରେ ସନ୍ତୁଷ୍ଟ ହେଇ କେହି ବାଧ୍ୟ କରନ୍ତି ନାହିଁ ।

ଏଥର କଥା କିଛି ଭିନ୍ନ ଥିଲା। ପରେଶ ପରିମଳର ପିଲା ଦିନର ବନ୍ଧୁ। ସେ ଦିନେ ଘରେ ଆସି ବାଧ୍ୟ କଲା ପରିମଳ ତା ସାଙ୍ଗରେ ଗାଁ କୁ ଯିବ। ଘରେ ହସିଲେ, କହିଲେ ପରିମଳକୁ ପଚାର ତାର ଯଦି ଗାଁ ଯିବାର ମମତା ଆସିଗଲାଣି ତାହେଲେ ଯାଇ ବୁଲି ଆସୁ। ତୋ ଗାଁ ପାଖରେ ତ ଆମ ଗାଁ ତେଣୁ ଆମ ଗାଁ ଆଡେ ବି ଟିକେ ବୁଲାଇ ଆଣିବୁ। ପରେଶ ହଁ ମାରିଲା ଓ ପରିମଳକୁ ମାତ୍ର କେଇ ମିନିଟ୍ ଭିତରେ ଗାଁ କୁ ଯିବା ପାଇଁ ରାଜି କରାଇ ଦେଲା।

ବସ୍ ରୁ ଓହ୍ଲାଇ ଗାଁ ଆଡେ ଚାଲି ଚାଲି ଯାଉଥାନ୍ତି, ଦେଖିଲେ ଝିଅଟିଏ ଭଲ ଡ୍ରେସ୍ ପିନ୍ଧିଛି ଅଥଚ କାଦୁଅ ଭିତରେ ପଶି ଗୋଟିଏ ଛେଳି ଛୁଆକୁ ଆସନ୍ନ ମୃତ୍ୟୁ ରୁ ଉଦ୍ଧାର କରି ଆଣୁଛି। ପରିମଳ କ୍ଷଣେ ରହିଗଲା, ଦୃଶ୍ୟ ଟି ବେଶ୍ ଆକର୍ଷଣୀୟ ଲାଗୁଥିଲା। ଭଲକରି ଝିଅ ଟି ଆଡେ ଦେଖିଲା। କାଦୁଅ ସରସର୍ ରେ ସେ ଛେଳିଟିକୁ ଆଉଁସୁ ଥାଏ। ତାପରେ ଛେଳିଟି ମେଁ ମେଁ କରି ଚାଲିଗଲା।

ପରିମଳ ଏତେ ସମୟ ଧରି ରହିବାର ଦେଖି ଝିଅଟି ପରେଶ ଆଡେ ଅନାଇ କହିଲା - ଭାଇନା! ଛେଳିଟା ମରି ଯାଇଥାନ୍ତା।

ପରେଶ କିଛି କହିବା ପୂର୍ବରୁ ପରିମଳ କହିଲା- ଆଉ ଟିକେ ଭିତରକୁ ପଶିଥିଲେ ତମେ ବି ମରି ଯାଇଥାନ୍ତ।

- ଓଃ ମୋ ପାଇଁ ଏତେ ଚିନ୍ତା କହି ଫିରକିନି ହସି ଦେଇ ଝିଅ ଟି ତରତର ହୋଇ ପଳାଇଲା ।

ଡ୍ରେସ୍ କାଦୁଅ ସରସର ହୋଇଥାଏ। ପରିମଳ ସେମିତି ତା ଆଡେ ଅନାଇ ଥାଏ। ପରେଶ ଥଟାରେ ପଚାରିଲା- କ"ଣ ସିନେମା ଷ୍ଟାଇଲ୍ ରେ ପଲଟ୍ କହିବୁକି? ଦୁହେଁ ହସି ପକାଇଲେ। ପରେଶ କହିଲା, ଝିଅଟା ନାଁ ସବିତା। ଆମ ଘର ପାଖରେ ତାଙ୍କ ଘର। ବାପା ଏଇ ପାଖ କଲେଜରେ ପ୍ରିନ୍ସିପାଲ ଅଛନ୍ତି। ଆଉ କିଛି ତଥ୍ୟ ଯଦି ଚାହୁଁଛୁ କହ ଦେବି। ପରିମଳ ହସିଲା। ହସିବାରେ ଯୁବକ ସୁଲଭ ଚପଳାମି ନଥିଲା ବରଂ ଏକ ପୌରୁଷତ୍ଵ ର ଆନନ୍ଦ ଥିଲା। ପରେଶ ଅନୁସନ୍ଧିତ୍ସୁ ଆଖିରେ ତା ଆଡେ ଅନାଇବାରୁ ବାଧ୍ୟ ହୋଇ କହିଲା- ଆରେ ନାଇ, ମୋତେ କାହିଁକି ସେମିତି ଭାବୁଛୁ। ସବୁ ଦୃଷ୍ଟି ର ଗନ୍ତବ୍ୟ ସ୍ଥଳ କଣ ଗୋଟିଏ!

ଦୁହେଁ ଆସି ଘରେ ପହଞ୍ଚି ଗଲେ। ଲୁଗା ପଟା ବଦଳାଇ ଫ୍ରେଶ୍ ହେଇ ବସିଲା ବେଳକୁ ସବିତା ଜଳଖିଆ ପ୍ଲେଟ୍ ଦୁଇ ଜଣଙ୍କ ହାତରେ ଧରାଇ ଦେଇ କହିଲା, ମୁଁ ଆସୁଛି। ଘଟଣାଟି ଏତେ ଶୀଘ୍ର ହେଇଗଲା ଯେ ପରିମଳ କାବା ହେଇ ଅନାଇ ରହିଗଲା। କିଛି ଯେମିତି ଅବୁଝା ରହି ଯାଉଥିଲା। ଆଖିର ଦୃଷ୍ଟି ସୀମା ଭିତରେ ସବିତା ନଥିଲା। ପରେଶ ଆଡେ ଅନାଇ ପଚାରିଲା- ଇୟେ ଏଠି କଣ? ପରେଶ ନିରାଡମ୍ବର ଭାବେ କହିଲା ମୁଁ ପ୍ରକୃତରେ ଜାଣିନି। ହଠାତ୍ ଦୁହିଁଙ୍କର ଆଶ୍ଚର୍ଯ୍ୟ କୁ ଭାଙ୍ଗି ସବିତା କୋଉଠି ଥିଲା ଆସି କହିଲା- ଘରକୁ ଆସିଥିଲିତ ଭାବିଲି ମାଉସୀଙ୍କୁ ଜଣାଇ ଦିଏ ତମେ ପହଞ୍ଚି ଗଲାଣି। ମାଉସୀ ମୋତେ ଅଟକାଇ ଦେଲେ। କହିଲେ, ରହ ତା ସାଙ୍ଗ କିଏ ଆସୁଛି ମୋତେ ଟିକେ ସାହାଯ୍ୟ କରିଦେ। ମୁଁ ତ କାହା ଇଛା ଭାଙ୍ଗି ପାରେ ନାହିଁ । ବାସ୍ ରହିଗଲି। କଣ ହେଲା ଏମିତି ଅନେଇଛ କଣ ପାଇଁ?

ପରିମଳ ଚମକି ଗଲା! ଆରେ ଇୟେ ଏମିତି କଣ କହୁଛି। ଦୃଷ୍ଟି ପଡିଗଲାରୁ ବୁଝି ପାରିଲା ଯେ ସେ ତାକୁ କହୁ ନଥିଲା, ପରେଶକୁ କହୁଥିଲା। ନିଃଶ୍ୱାସ ଟିକେ ମାରିଲା। ଉଶ୍ଵାସ ଲାଗିଲା। ନଚେତ୍ ସେ ଯେମିତି ଭାବରେ କହୁଥିଲା ଲାଗୁଥିଲା ଯେମିତି କେହି ବୟସ୍କ ତାଗିଦ୍ କରୁଛନ୍ତି। ପୁରା ଡର ପଶି ଯାଇଥିଲା ତା ପ୍ରଶ୍ନ ଶୁଣି।

ତିନି ଚାରି ଦିନ ବେଶ୍ ଆରାମରେ ବୁଲା ବୁଲି କରି କଟିଗଲା। ନଦୀ ପୋଖରୀ ବିଲ ବାଡି ଏବେ କିନ୍ତୁ ଭଲ ଲାଗୁଥିଲା। ହୃଦୟ ଯେତେବେଳେ କୌଣସି ଜିନିଷ ଗ୍ରହଣ କରିବା ଆରମ୍ଭ କରେ ସେଇଟା ଆଉ ଖରାପ୍ ଲାଗେ ନାହିଁ। ମଣିଷର ମାନସିକତା ପ୍ରତ୍ୟେକ ଭଲ ଖରାପ ପାଇଁ ଦାୟୀ। ଆମେ ଯାହା ତୁଛାଟାରେ ଅନ୍ୟକୁ ଆରୋପ କରିଥାଉ। ପରିମଳ ଅବସ୍ଥା ମଧ୍ୟ ଠିକ୍ ସେହିପରି ଯୋଉ ଗାଁ ଦିନେ ଆଗ୍ରହ ଦେଇ ପାରୁ ନଥିଲା ଆଜି ଆନନ୍ଦ ଦେଉଛି। ଯିଏ ଝିଅଙ୍କଠୁ ଦୂରେଇ ରହୁଥିଲା ଆଜି ଗୋଟିଏ ଝିଅର ସାମାନ୍ୟ ମାତ୍ର ପ୍ରଗଳଭତାରେ ଦେଖିବାକୁ ଇଛା ହେଉଛି। ପରିମଳ ବହୁତ ଥର ଝିଅ ଘର ଆଡେ ଦୃଷ୍ଟି ଦେଇଛି କାଳେ ଚକ୍ଷୁ ସମ୍ମିଳିତ ହେଇଯିବ। ନାରୀର ଦୃଷ୍ଟି ଓ ଭାବନା ଭିନ୍ନ ବୋଲି ସେ ବା ଜାଣିବ କେମିତି! ଆଦରଣୀୟା ନାରୀ ଯାହାବି କରେ ଲଜ୍ଜା ର ଆବରଣ ଭିତରେ କରେ କାରଣ ସେ ଜାଣିଛି ସେଥିରେ ତାର ସମ୍ମାନ ଆହୁରି ବୃଦ୍ଧି ପାଏ। ସେ ଆବରଣ ଭିତରେ ଯାହା କରିପାରେ ପୁରୁଷ ଆବରଣ ରହିତ ହୋଇ ମଧ୍ୟ କରିପାରେ ନାହିଁ। କହିବା ବାହୁଲ୍ୟ ସବିତା ପରିମଳକୁ ଦେଖି ପାରୁଥିଲା କିନ୍ତୁ ପରିମଳ ନିଜ ଇଚ୍ଛାରେ ଥରୁଟିଏ ବି ପାରିଲା ନାହିଁ।

ପରିମଳର ଗାଁ ପାଖରେ ହେଇ ମଧ୍ୟ ଏପର୍ଯ୍ୟନ୍ତ ଯାଇ ନଥିଲା। ଦିନେ ତା କକେଇ ଆସି ପହଞ୍ଚି ଗଲେ ନେବା ପାଇଁ । ପରେ ଯିବ ବୋଲି କହିବାକୁ ଭାବୁଛି କକେଇ କହିଲେ, ପାଖରେ ଆମ ଗାଁ ତୋର ଆମ ପାଖକୁ ନ ଆସିବାଟା ଯେମିତି ଆମ ପ୍ରତି ଘୃଣା। ପରିମଳ ବାଧ୍ୟ ହୋଇ ବାହାରି ପଡିଲା। କିଛି କହିଲେ ସମ୍ପର୍କରେ ଫାଟ ଆସିବାର ଭୟ ଥିଲା। କକେଇଙ୍କ ଘରେ ରହିଗଲେ ହେଲା। ପରେଶକୁ କହିଲା ସମୟ ପାଇ ଆସିବୁ । ଏକୁଟିଆ ଭଲ ଲାଗିବନି। ମନେ ମନେ ସବିତାକୁ ଖୋଜିଲା, ଆଖି ଦି'ଟା ସ୍ଵାଭାବିକ ଭାବେ ତାଙ୍କ ଘର ଆଡେ ବି ଚାଲିଗଲା କିନ୍ତୁ ଖୋଜୁଥିବା ଦୃଷ୍ଟି ମିଳିଲା ନାହିଁ। କକେଇ ପରିମଳକୁ ନେଇ ତାଙ୍କ ଗାଁ ହରିପୁର ଆଡେ ଚାଲିଗଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଦେଖା ସାକ୍ଷାତ୍ ରେ କୌଣସି ପ୍ରକାରେ କଟିଗଲା କିନ୍ତୁ ରାତିରେ ନିଦ ଆଉ ଆସିଲା ନାହିଁ। ଯେତେ ଚେଷ୍ଟା କଲେ ବି ସବିତାର ମୁହଁ ଟା ଆଖି ଆଗରେ ଝଲସି ଉଠୁଥାଏ। ଶୋଇବାର ପ୍ରାରମ୍ଭ ମଧ୍ୟ ନଷ୍ଟ ହେଇ ଯାଉଥାଏ। ସବୁଦିନ ସବିତାର ଦେଖା କୌଣସି ବାହାନାରେ ହେଇ ଯାଉଥିଲା। ସେଦିନ କିନ୍ତୁ ହେଇ ପାରି ନଥିଲା। ଉପସ୍ଥିତିର ଆବଶ୍ୟକତା ଯେତିକି ଅନୁଭବ ହେଉଥିଲା ଅନୁପସ୍ଥିତି ଆବଶ୍ୟକତାକୁ ଯେମିତି ଆହୁରି ବଢାଇ ଦେଇଥିଲା। କଷ୍ଟେ ମଷ୍ଟେ ଶୋଇବାକୁ ଚେଷ୍ଟା କଲା ।

ସକାଳୁ ଉଠି ମୋବାଇଲ୍ ଅନ୍ କଲା ବେଳକୁ ଦେଖିଲା ପରେଶର ଦି'ଟା ମିସ୍ କଲ୍ ଆଉ ଗୋଟିଏ ମେସେଜ୍। 11ଟା ବେଳେ ସେ ଆସି ପହଞ୍ଚୁଛି ଦେଖା କରିବା ପାଇଁ ତେଣୁ କୁଆଡେ ନଯିବା ପାଇଁ କହିଛି। ପରିମଳ ଖୁସି ହେଇଗଲା, ଭାବିଲା ଯାହାହେଉ କିଛି ସମୟ ଆଉ ବୋର୍ ଲାଗିବନି ଓ ତୁରନ୍ତ କଲ୍ କରି ଏଠି ଲଞ୍ଚ ଖାଇବାକୁ ନିମନ୍ତ୍ରଣ କରିଦେଲା।ସବିତା ବିଷୟରେ ଯାହା ପଚାରିବା ପାଇଁ ଇଛା ହେଉଥିଲା ନିଜର ନୈତିକତା ଓ ଗୋପନୀୟତା ତାକୁ ସଂଜତ ରହିବା ପାଇଁ ବାଧ୍ୟ କଲା।

ଖୁଡୀଙ୍କୁ ଜଣାଇ ଦେଲା ପରେଶ ଆସୁଛି ଏଠି ଆମେ ଏକାଠି ଲଞ୍ଚ କରିବୁ।

ପରେଶର ଆସିବା ବାଟକୁ ଅନେଇ ଅନେଇ ଗାଁ ବାହାର ପର୍ଯ୍ୟନ୍ତ ପଳାଇ ଆସିଥାଏ ପରିମଳ। ଏତିକିବେଳେ ପରେଶର ପାଟିରେ ପରିମଳର ଅନ୍ୟମନସ୍କତା ଭାଙ୍ଗି ଗଲା। କିଛି ସମୟ ପରସ୍ପର ଖୁସି ବ୍ୟକ୍ତ କରି ସାରିଲା ପରେ ନଦୀ ଆଡେ ଯିବା ପାଇଁ ଠିକ୍ କଲେ। ମଟରସାଇକଲକୁ ଷ୍ଟାଣ୍ଡ ମାରିଦେଇ ଗଛତଳ ଛାଇରେ ଯାଇ ବସିଲେ। ପରେଶ ଗମ୍ଭୀର ଜଣା ପଡୁଥାଏ। କହିବକି ନାହିଁ ଭାବୁଥାଏ ପରିମଳ ପଚାରିଲା- କଣ ଗୋଟେ କହିବୁ ବୋଧେ, କିଛି ସିରିୟସ୍ କଥା କି?

ପରେଶ ହସିଲା କହିଲା ନାଇଁ।

ପରିମଳର ସନ୍ଦେହ କିନ୍ତୁ ବଢିଗଲା, କହିଲା- ଘରେ ସବୁ ଭଲ ତ! ପରେଶ ହଁ କହିଦେଇ ପଚାରିଲା -ଆଛା କହିଲୁ, କାଲି ରାତିରେ ତୁ ଶାନ୍ତି ରେ ଶୋଇ ପାରିଛୁ ତ!

ପରିମଳ ଆଶ୍ଚର୍ଯ୍ୟ ହେଲା, ଆଛା କଥା ଇୟେ କେମିତି ମୋ କଥା ଜାଣିଲା ମୁଁ ଶୋଇ ପାରିଲିନି ବୋଲି। ଆଉ ପୁଣି ସେଇଟା ପଚାରିବାକୁ ଆସିଛି ନା କଣ। ଲୁଚାଇବାକୁ ଯାଇ ପରିମଳ ସହଜ ଭାବରେ ଉତ୍ତର ଦେଲା - ହଁ, ଭଲ ନିଦ ହେଇଛି। କଣ ପାଇଁ ପଚାରୁଛୁ- ଓଲଟା ପ୍ରଶ୍ନ କଲା।

ନାଇ ସବିତା କହୁଥିଲା ତ--- କହି ପରେଶ ରହିଗଲା।

ପରିମଳ ଆଶଙ୍କା ଓ କୌତୁହଳ ରେ ପଚାରିଲା କଣ କହୁଥିଲା?

ପରେଶ କୌତୁହଳକୁ ଏଡାଇ ଆରମ୍ଭ କଲା- ଆରେ କାଲି ସେ ଆମ ଘରକୁ ଆସିଥିଲା। ଥରେ ନୁହେଁ ତିନି ଥର। ସେ ଆମ ଘରକୁ ପ୍ରାୟ ଆସେ ନାହିଁ। କିନ୍ତୁ କାଲି କିଛି ନା କିଛି ବାହାନାରେ ଆସିଛି। ଏତେଥର ଆସିବା ଓ ମା ସାଙ୍ଗେ କଥା ହେବା ଦେଖି ମୋ ମନରେ ବହୁତ ସନ୍ଦେହ ହେଲା। ଯେତେବେଳେ ଶୁଣିଲି ସେ ମାଙ୍କୁ ପଚାରୁଛି - ଏଇ ଯେଉଁ ପରିମଳ ଆସିଛନ୍ତି କଣ କରୁଛନ୍ତି ପୁଣି ଥରେ ଏଠିକି ଆସିବେ କି ନାହିଁ ଇତ୍ୟାଦି ଇତ୍ୟାଦି। ମା ତ କିଛି ଜାଣିନି ଠିକରେ କହି ପାରିଲାନି। ସେ କିନ୍ତୁ ଯେତେ ଥର ଆସୁଥାଏ ଭିନ୍ନ ଭିନ୍ନ ଆଳରେ ପଚାରୁଥାଏ। ମୁଁ ଆଉ ଚୁପ୍ ରହି ପାରିଲିନି। ସେଇ ଦୂରରୁ ଥାଇ କହିଲି- ଭୂବନେଶ୍ବର ଆଇ ଆଇ ଟି ରୁ ଇଲେକ୍ଟ୍ରୋନିକ ରେ ଏମ୍ ଟେକ୍ ସରିଲା। ବହୁତ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ବି କହିଲି। ସବିତା ଉଠିଗଲା, ମୋ ପାଖ ଦେଇ ଚାଲି ଗଲାବେଳେ କହିଲା- ଖାଲି ବହି ପଢି ମାର୍କ ରଖିଦେଲେ କଣ ବ୍ରିଲିଆଣ୍ଟ ହୋଇଯାନ୍ତି। ଅନ୍ୟର ଭାଷାକୁ ଯିଏ ବୁଝି ନପାରେ ଅନ୍ୟର ମନକୁ ଯିଏ ଚିହ୍ନି ନପାରେ ସେ ବ୍ରିଲିଆଣ୍ଟ ହେଇ ଲାଭ କଣ! ମୁଁ ଚମକି ଗଲି ଏମିତି ଏକ ଉତ୍ତରରେ। କାରଣ କଥାରେ ସତ୍ୟତା ଥାଉ କି ନଥାଉ ଅଭିମାନ ବାରି ହେଇ ପଡୁଥିଲା। ମୁଁ କିଛି ଭାବିକି କହିବି ବୋଲି ହେଲାବେଳକୁ ସେ ଆଉ ସେଠି ନଥିଲା। ମୋତେ ବଡ ଅଡୁଆ ଅଡୁଆ ଲାଗିଲା। ସବିତା ଗାଁ ରେ ପଢିଲେବି ପାଠ ପଢିବା ସହିତ କବିତା ରଚନାରେ ଖୁବ୍ ବିଚକ୍ଷଣ। ଭଲ ଷ୍ଟୁଡେଣ୍ଟ ହେଇକିବି ସେ ଭୂବନେଶ୍ବର ଆସିବା ପାଇଁ ମନା କରି ଦେଇଥିଲା। ସେ କଲେଜରେ ବି ଏସ୍ ସୀ ଫାଇନାଲରେ ନାଁ ରଖିବ ବୋଲି ସମସ୍ତେ ଆଶା କରିଛନ୍ତି । ମୋ ମନଟା କାଇଁ ଭଲ ଲାଗିଲାନି। ବାହାନା କରି ତାଙ୍କ ଘରକୁ ଗଲି। ତାକୁ ଯେତେବେଳେ ଦେଖିଲି ଆଖି ଦି'ଟା ଈଷତ୍ ଲାଲ୍ ପଡି ଯାଇଛି, ସତେ ଯେମିତି କିଛି ସମୟ ତଳେ କାନ୍ଦୁ ଥିଲା। ମୁଁ କଣ କରିବି ଜାଣି ପାରିଲିନି। କିଛି ପଚାରିବାକୁ ଚେଷ୍ଟା କରୁଥିଲି, ସବିତା କହିଲା -ଭାଇ କଣ ପଚାରିବ କି ଯେ ମୁଁ କାହିଁକି ତୁମକୁ ଏମିତି କହିଲି!

ମୁଁ ତାର ଅତି ନିକଟସ୍ଥ ହେଲେବି ସଙ୍କୋଚ ରେ କହିଲି -ହଁ

ସେ ତତକ୍ଷଣାତ୍ କହିଲା ତୁମେ ଯାଇ ଆଗ ତୁମ ବନ୍ଧୁଙ୍କୁ ପଚାରି ଆସ ସେ କାଲି ରାତିରେ ଠିକ୍ ରେ ଶୋଇଛନ୍ତି ନା କିଛି ତାଙ୍କୁ ବ୍ୟତିବ୍ୟସ୍ତ କରିଛି।

ପରିମଳ ଆଶ୍ଚର୍ଯ୍ୟ ହେଇ ପରେଶ ଆଡେ ଅନାଇଲା -କହିଲା, ସେ ଝିଅ ନା ଯାଦୁଗର। ସେ କେମିତି ଜାଣିଲା ଯେ ମୁଁ ଠିକ୍ ରେ ଶୋଇପାରିନି! ତା ପ୍ରତିଛବି ମୋତେ ବ୍ୟସ୍ତ କରୁଛି ବୋଲି!

-ଆରେ! ତୁ ତ ଏବେ କହିଲୁ ଭଲ ନିଦ ହେଇଛି ବୋଲି।

ପରିମଳ ସାମାନ୍ୟ ଲଜ୍ଜା ରେ ହସିଲା, କହିଲା- ନା! ମିଛ କହିଥିଲି। ମୁଁ ପ୍ରକୃତରେ ଶୋଇ ପାରିଲିନି। ବାରମ୍ବାର ସବିତାର ପ୍ରତିଛବି ମୋ ମାନସ ପଟରେ ଉଙ୍କି ମାରୁଥିଲା। ବହୁତ ଡେରି ରାତିରେ କାଲି କେତେବେଳେ ଶୋଇଛି ଜାଣିନି। ସକାଳୁ ତୋ ମେସେଜ୍ ଦେଖି ଖୁସି ଲାଗିଲା। ତୋତେ ତା ବିଷୟରେ ପଚାରିବି ବୋଲି ଭାବୁଥିଲା କିନ୍ତୁ ମୁଁ ପଚାରିବା ଆଗରୁ ତୁ ଯାହା କହି ସାରିଲୁଣି ମୋର ଆଉ କିଛି ପଚାରିବାର ନାହିଁ। ଅନ୍ୟର ନୀରବତାରେ ମଧ୍ୟ ଯିଏ ସତ୍ୟ ଓ କାରଣ ଖୋଜି କାଢିପାରେ ତାଠୁ ଅଧିକ ଆଉ କାହାକୁ ଭରସା କରା ଯାଇପାରେ। ହସ ଭିତରେ ଛପି ରହିଥିବା ବେଦନାକୁ ଯିଏ ବୁଝିପାରେ ତାଠୁ ବଡ ପ୍ରେମିକା ଆଉ କିଏ ହେଇପାରେ। ସେ ପ୍ରକୃତରେ ଗ୍ରେଟ। ପରିମଳ ପାଟିରୁ ଅଜାଣତରେ ହେଉ ଅବା ଏକ ଆବେଗ ଓ ଉତ୍ସାହରେ ବାହାରି ପଡିଲା।

ଆରେ ତୋର କଣ ଲଭ୍ ହେଇଗଲା ନା କ"ଣ!

ପରିମଳ ହସିଲା, କହିଲା ତୋତେ ପଠେଇଚି ପରା ବୁଝିବା ପାଇଁ - ମୁଁ ଠିକ୍ ରେ ଶୋଇଚି ନା ନାହିଁ!

- ହଁ ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ପରସ୍ପରକୁ ଜାଣିବା ପାଇଁ ପ୍ରେମରେ ଏତେ ଶକ୍ତି ଥାଏ ବୋଲି। ଆଛା ସେ ଯେମିତି ତୋ ବିଷୟରେ କହି ପାରିଲା ତୋର କଣ ସେମିତି କିଛି ଅନୁଭବ ଆସୁଛି ତା ବିଷୟରେ।

ପ୍ରେମର ଆହ୍ଲାଦ ପ୍ରେମିକ ହିଁ ବୁଝେ ତାହା ଅନ୍ୟକୁ କହି ହୁଏ ସିନା ତାର ସ୍ଵାଦ ଦେଇ ହୁଏ ନାହିଁ।

ପରିମଳ କହିଲା - ହଁ ଆସୁଛି। ସେ ତୋ ମୋବାଇଲ କୁ ଫୋନ୍ କରିପାରେ। ମୋ ସାଙ୍ଗରେ ଦେଖା ହେଲା ନା ନାହିଁ ପଚାରିବ। ପରେଶ ସାଙ୍ଗେ ସାଙ୍ଗେ ପେଣ୍ଟ ପକେଟରୁ ମୋବାଇଲ କାଢି ଛାତି ପକେଟରେ ରଖିବାକୁ ଯାଉଛି ରିଂ ହେଲା। ଫୋନ୍ ସବିତାର ଥିଲା। ପରେଶ ପରିମଳ ଆଡେ ଅନେଇ ପଚାରିଲା - କଥା ହେବୁ!

- ନାଇ ତୁ କଥା ହ। ପରିମଳ କହିଲା

ଆରେ ମନର କଥାକୁ ଚାପିକି କଣ ପାଇଁ ରଖୁଚୁ। ନେ ମୋବାଇଲ୍ ରେ କଥା ହେଇ ଯା। ଏକ ରକମ ବାଧ୍ୟ କଲା ପରି ପରେଶ କହିଲା।

ପରିମଳ ହସିଲା ମନାକଲା। କହିଲା ନାଇ ତୁ କଥା ହ ।

ପରେଶ ଅଗତ୍ୟା ରିସିଭ୍ କଲା।

କିଛି କ୍ଷଣ ଯାଇଚି କି ନାହିଁ ସବିତା ପଚାରିଲା- ଭାଇ ସେ କଣ ମନା କଲେ କି ରିସିଭ୍ କରିବେନି ବୋଲି।

ପରେଶ ଆବା କାବା ହେଇ ପରିମଳ ଆଡେ ଦେଖିଲା। ମନରେ ଦ୍ବନ୍ଦ୍ବ, ଆରେ ଏ କେମିତି ଜାଣୁଛି। ପରେଶ ବ୍ୟସ୍ତ ହେଲା କଣ କହିବ ସବିତାକୁ। ପଚାରିଲା- ପରିମଳଙ୍କୁ ଫୋନ୍ ଦେବିକି ?

- ନାଇ ନାଇ ଥାଉ। ସେ ନିଜେ ଫୋନ୍ କରିବେ ବୋଲି ସବିତା କହିଲା।

ପରେଶ ପୁଣି ଥରେ ପରିମଳ ଆଡେ ଚାହିଁଲା। ପ୍ରେମର ଅନ୍ତର୍ନିହିତ ଶକ୍ତି କୁ ବୁଝିବାକୁ ଚେଷ୍ଟା କରୁଥିଲା।

ଏତିକିବେଳେ ପରିମଳ ହାତ ବଢାଇ ଫୋନ୍ ମାଗିଲା। ପରେଶ ଆଶ୍ଚର୍ଯ୍ୟ ହେଲେ ବି ସାଙ୍ଗେ ସାଙ୍ଗେ ଦେଇଦେଲା। ପ୍ରେମର ଜୀବନ୍ତ ସାକ୍ଷୀ ହେବା ପାଇଁ ତାର ମଧ୍ୟ ପ୍ରବଳ ଆଗ୍ରହ ହେଉଥିଲା।

ପରିମଳ ଫୋନ୍ ଧରି ହ୍ୟାଲୋ କହିଲା। ସେପଟୁ ଏଥର ଧିରେ ହାଲୋ ଶୁଭିଲା। ତା ପରେ କିଛି ସମୟ ନୀରବ।

ନୀରବତାକୁ ଭାଙ୍ଗି ପରିମଳ କହିଲା- ତମେ ମୋତେ ବହୁତ ଭଲ ଲାଗ। ମୁଁ ତୁମ ସାଙ୍ଗେ ଅନର୍ଗଳ କଥା ହେବା ପାଇଁ ଚାହେଁ।

ମୁଁ ବି ତୁମ ସାଙ୍ଗେ କଥା ହେବା ପାଇଁ ଚାହେଁ -ସବିତା କହିଲା

କିନ୍ତୁ ତୁମକୁ ପାଇବାକୁ ମୋତେ ବର୍ଷେ ସମୟ ଦିଅ। ମୁଁ କାହା ପାଇଁ ଚିନ୍ତାର କାରଣ ହେବା ପାଇଁ ଚାହେଁ ନାହିଁ -ପରିମଳ କଣ୍ଠ ସ୍ଵର ସ୍ପଷ୍ଟ କରି କହିଲା।

କିନ୍ତୁ ଆମେ ତ କଥା ହେଇ ପାରିବା - ସବିତାର କଣ୍ଠ ସ୍ଵରରେ ଅନୁନୟ ଥିଲା।

ପରିମଳ କହିଲା - ନା, ପ୍ରେମର ପ୍ରକୃତ ପରୀକ୍ଷା ବିରହରେ ଥାଏ। ମୋତେ ଏ ପରୀକ୍ଷା ପାଶ୍ କରିବାକୁ ହେବ।

-କିନ୍ତୁ ମୁଁ କଣ ପାରିବି! ସବିତା ପଚାରିଲା।

ମୁଁ ଶୁଣିଛି ତୁମେ ଭଲ କବିତା ଲେଖ। ମୋତେ ଯଦି ଭଲ ପାଉଛ ମୋ ପାଇଁ କବିତା ଲେଖ। ତମ କବିତାକୁ ମୁଁ ଦୂରରେ ଥାଇବି ଅନୁଭବ କରିବି।

ପରେଶ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲା ପରିମଳର ପ୍ରଗଳଭତା। ଯିଏ କେବେ ଝିଅଙ୍କ ସହିତ କଥା ହେବା ପାଇଁ ମଧ୍ୟ ଇଛା କରିନି ତାର ବାକ୍ୟରେ ଯେ ପ୍ରେମର ଏତେ ମଧୁର ମିଠାସ ଥାଇପାରେ ସେ ଶୁଣି ମଧ୍ୟ ବିଶ୍ୱାସ କରି ପାରୁ ନଥିଲା।

ପ୍ରକୃତ ପ୍ରେମରେ ସ୍ବର୍ଗୀୟ ବାସନା ଥାଏ ବୋଲି ସେ ମହକି ଉଠେ। ଅନ୍ୟଥା ପ୍ରେମ ତାର ସତ୍ତା କୋଉ ଦିନଠୁ ହରାଇ ବସନ୍ତାଣି।

ଆରେ ମୋବାଇଲ୍ ରଖ ଯିବା। ପରିମଳ ଡାକରେ ପରେଶ ଭାବନାରୁ କ୍ଷାନ୍ତ ହେଲା।

ଦୁହେଁ ଘରକୁ ବାହାରିଲେ। ପରେଶ କିନ୍ତୁ ରୋମାଞ୍ଚ ଭିତରେ ଥାଏ। ନିଜର ଅହେତୁକ ଇଛାକୁ ଚାପି ନପାରି ପଚାରିଲା - ଝିଅଟା ଖାଲି କଥା ହେବା ପାଇଁ ଚାହୁଁ ଥିଲା। ମନା କରିଦେଇ କଣ ଠିକ୍ କଲୁ। ପରିମଳ ପରେଶ ଆଡେ ଅନାଇ ସ୍ଥିର ଚିତ୍ତ ରେ କହିଲା। ଇଛା ତ ସମସ୍ତଙ୍କ ପାଖରେ ବଳବତ୍ତର ହେଇ ଅଛି। କିନ୍ତୁ ମଣିଷର କାମନା ଓ ବାସନା ହେଉଛନ୍ତି ଦୁଷ୍ଟ ଦାନବ ପରି। ସଦାବେଳେ ଦ୍ବନ୍ଦ୍ବ ହୁଏ ମନ ଏବଂ ବିବେକ ଭିତରେ। ଯେତେବେଳେ କାମନା ରୂପୀ ଦାନବ ବଳିୟାନ ହୁଏ ମଥାକୁ ରକ୍ତ ଚହଟେ ଆଉ ବାସନା ଦ୍ଵାରା ବିବେକ ସହଜରେ କବଳିତ ହେଇଯାଏ। ଠିକ୍ ସେତିକିବେଳେ ଯଦି ମଥାର ରକ୍ତ ବାହାରି ଯାଏ ଦାନବ ହାର୍ ମାନିଯାଏ। ସେ ମଥାର ରକ୍ତ ବାହାର କରିବା ପାଇଁ ମାଧ୍ୟମ ହେଉଛି ବିରହ। ବିରହରେ ଯିଏ ଗତି ନ କରିଛି ପ୍ରେମର ମଧୁରତା ସେ ପାଇପାରେ ନାହିଁ। ଏବେ କହ ମୁଁ କୋଉଠି ଭୁଲ୍ କଲି।

ପରେଶ ସେତେବେଳକୁ ପରିମଳ କଥାରେ ବଶୀଭୂତ ହେଇ ସାରିଥିଲା। କହିବା ପାଇଁ ତା ପାଖରେ ଶବ୍ଦ ନଥିଲା। ପରିମଳକୁ ଥରେ ଶାନ୍ତ ମୁଦ୍ରାରେ ଦେଖିଲା ଓ କହିଲା- ମୁଁ ତୋ ପରି ବନ୍ଧୁ ପାଇ ଭାଗ୍ୟବାନ। ପ୍ରେମରେ ଯେ କେତେ ସ୍ଵର୍ଗୀୟତା ଥାଏ ମୁଁ ଆଜି ତାହା ଅନୁଭବ କରି ପାରୁଛି।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Tragedy