Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Drama Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Drama Others

ଛେଳି

ଛେଳି

9 mins
7.6K


ଶ୍ରୀ ଆଭାଷ କୁମାର ବୋରାଳ



ତା ପ୍ରତି ମୋର ଦୁର୍ବଳତା ବଢ଼ିଯାଉଥିଲା । କାହିଁକି ସେ କଥା ମୁଁ କିଛି କହି ପାରିବିନି । ଅଥଚ ତାକୁ ମୁଁ କିଛି ଜଣାଇ ପାରିନଥିଲି । ଜଣାଇବାର ସାହାସ ମୋର ଆଦୌ ନ ଥିଲା । ସେ ସେକଥା ହୃଦୟଙ୍ଗମ କରିପାରିଥିବେ କି କଣ ସେକଥା ବି କିଛି କହି ପାରିବିନି । ତାଙ୍କ ସହିତ ମୋର ଆଦୌ ପରିଚୟ ବି ନ ଥିଲା । ଦେଖିବାକୁ ପତଳା ଚେହେରା, ରଙ୍ଗ ଗୋରା । ଅଥଚ ମୁହଁରେ ଅଯଥା ଗାମ୍ଭିର୍ଯ୍ୟ ଗୁଡ଼ାଏ ବୋହି ବୋହି ସେ ରାସ୍ତାରେ ଚାଲିଚାଲି ଯାଆନ୍ତି । ସେମିତି ଦିନେ ରାସ୍ତାରେ ଯାଉଥିବା ସମୟରେ ମୁଁ ତାଙ୍କୁ ଭେଟିଲି । ଭେଟିଥିଲି ତା ନୁହେଁ ବରଂ କେବଳ ଖାଲି ଅତିକ୍ରମ ଯାହା କରିଥିଲି । ସେ ଦିନ ହିଁ ଦେଖିବା ପରଠାରୁ ତାଙ୍କୁ ମୁଁ ଭୁଲିପାରିନଥିଲି । ସେ ଦିନ ସମୟ ପରଠାରୁ କେବଳ ତାଙ୍କୁ ବୋହିବା ହିଁ ମୋଦ୍ୱାରା ସମ୍ଭବ ହେଉଥିଲା । କିନ୍ତୁ କେମିତି ତାଙ୍କୁ ମୁଁ ଭେଟିବି ସେଇଟା ଯେମିତି ମୋର ଗୋଟିଏ ବଡ଼ ପ୍ରଶ୍ନ ହୋଇଉଠିଲା । ଚେହେରାରୁ ସେ ବିବାହିତ ଜଣା ପଡ଼ୁଥିଲେ । ସେମିତି ମୋର ଭେଟିବାର କୌଣସି କାରଣ ନଥିଲା । କାରଣଟିଏ ବାହାର କରିବା ବି ମୋ ପକ୍ଷରେ ସମ୍ଭବପର ନଥିଲା । ସେଥିପାଇଁ ବି ଅନେକ କାରଣ ଥିଲା । କାରଣଟା ମୋର ବୟସ । ମୋର ବୟସ ଆବଶ୍ୟକତା ଠାରୁ ଅଧିକ ହୋଇଯାଇଥିବାପରି ମୋତେ ନିଜକୁ ଲାଜ ଲାଗୁଥିଲା ।

ସତରେ ବି ମୋର ବୟସ କିଛିଟା ବଢ଼ିଯାଇଥିଲା । କିନ୍ତୁ ଏତେ ବେଶୀ ବଢ଼ି ନଥିଲା ଯେ ମୁଁ ମୋ ନିଜକୁ ବୟସ୍କ ବୋଲି ଭାବି ବସିବି କିମ୍ୱା ଏମିତି ବି ହୋଇପାରେ ଯେ ମୁଁ ମୋ ନିଜକୁ ବୟସ୍କ ବୋଲି ଭାବୁ ନଥିଲି ଯେତେଟା ବୟସ ମୋର ହୋଇଯାଇଥିଲା । ମୁଣ୍ଡ ସାରା ବାଳ ଧଳା, ତା’ପୁଣି ସ୍ତ୍ରୀ ର ବାଧ୍ୟ ହେବାକୁଯାଇ ମୁଣ୍ଡରେ କଳାରଙ୍ଗ ଲଗାଇବାରୁ । ଆଖିରେ ଶକ୍ତିଶାଳି ଚଷମା ଏବଂ ଶରୀରର ସାମାନ୍ୟ ମେଦ ବୃଦ୍ଧିକାରଣରୁ ମୁଁ ନିଜକୁ ବୟସ୍କ ବୋଲି ଭାବିବସିଥିଲି । କିନ୍ତୁ ଦେହଟା ଆକାଶ ଠାରୁ ବି ଅଧିକ ଝୁଲି ଆସିଥିଲା । ଏହିସବୁ ବିପରୀତ ସଂଜ୍ଞାମାନଙ୍କୁ ଧରି ତାଙ୍କୁ କେମିତି ମୁଁ ସାମ୍ନା କରିବି ବୁଝିପାରୁନଥିଲି । ତାର ଆଉଗୋଟିଏ କାରଣ ଥିଲା । କାରଣଟି ଏଇଆ ଯେ, ମୋର ବୟସ ବଢ଼ୁଥିଲା, ମୁଁ ସେକଥା ଜାଣିପାରୁନଥିଲି । ଅଥଚ ସମସ୍ତେ ମୋତେ ବାରମ୍ୱାର ସୂଚାଇ ଦେଉଥିଲେ ଯେ ମୋର ବୟସ ଯଥେଷ୍ଟ ବଢ଼ିଯାଇଛି । ଏସବୁ ସତ୍ତ୍ୱେ ମୁଁ କାହିଁକି ଯେ ତାଙ୍କ ପ୍ରେମରେ ପଡ଼ିଯାଇଥିଲି ମୁଁ ବୁଝିପାରୁନଥିଲି । ସେ ଦେଖିବାକୁ ସେତେଟା ସୁନ୍ଦରୀ ନଥିଲେ, ସାଧାରଣ ଆଖିରେ, ତଥାପିବି ମୁଁ ତାଙ୍କୁ ପୃଥିବୀର ସବୁଠୁ ସୁନ୍ଦରୀ ବୋଲି ଅନୁଭବ କରୁଥିଲି । ଏମିତି ଏକ ଦହନରେ ମୁଁ ଭାଜି ହାଇପଡ଼ୁଥିଲେ ସୁଦ୍ଧା କିଛି କରିପାରିବାଭଳି ଅବସ୍ଥାରେ ମୁଁ ନଥିଲି । ତାଙ୍କ ଘର ଯେଉଁଠି ସେ ରହୁଥିଲେ ସେଇଟା ମୋ ଘରଠାରୁ ବେଶୀ ଦୂରନଥିଲା । ସାମ୍ନାଧାଡ଼ିର ବାଁ ପାଖକୁ ମାତ୍ର ତିନୋଟି ଘରପରେ ଚତୁର୍ଥଘରେ ସେ ଦୁଇ ମହଲା ଉପରେ ଭଡ଼ା ରହୁଥିଲେ । ତାଙ୍କ ରହୁଥିବା ଘରର ବାଲକୋନୀ, ମୋ ଘରର ବାଲକୋନୀର କୋଣରେ ବସିଲେ ସଂପୂର୍ଣ୍ଣ ଦିଶୁଥିଲା । ସେଇ କାରଣରୁ ବାଲକୋନୀର ସେଇ ଯାଗାଟି କ୍ରମଶଃ ମୋର ଅତି ଆପଣାର ହୋଇ ଉଠୁଥିଲା । ସେ ମୋର ସେହିଯାଗା ବିଷୟରେ ଆବିଷ୍କାର କରିପାରିଲେ କି ନାହିଁ ଜାଣିପାରୁନଥିଲି । କାରଣ ତାଙ୍କ ବ୍ୟବହାରରେ ମୋ ପ୍ରତି ତାଙ୍କର ଆକର୍ଷଣ ଆଦୌ ଲକ୍ଷ୍ୟ କରି ପାରିନଥଲି । ତଥାପି ବି ତାଙ୍କୁ ମଝିରେ ମଝିରେ ଦେଖୁଥିଲି ଏବଂ ଦେଖିବା ପାଇଁ ହିଁ ବସୁଥିଲି ।

ସେକଥା ମୋ ସ୍ତ୍ରୀ ବୁଝିପାରିଲା କି କଣ, ମୋତେ ବାରମ୍ୱାର କାହିଁକି ବସି ରହୁଛ ବୋଲି ତାଗିଦା କରୁଥିଲା । ଏବ ମଝିରେ ମଝିରେ ମୋ ପାଖରେ, ସାଙ୍ଗ ଦେବାପରି ବସୁଥିଲା । ସେ ତାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲା ମୋତେ ବସାଇ ନଦେବାକୁ । ସେଥିପାଇଁ ସେ ନିଜକୁ କ୍ରମଶଃ ବଦଳାଇବାକୁ ଆରମ୍ଭ କରିଦେଲା । ବଦଳାଇଲା ନିଜ କଥାବାର୍ତ୍ତାର ଢ଼ଙ୍ଗ । ବଦଳାଇଲା ନିଜ ପିନ୍ଧିବାର ଶୈଳୀ । ତା’ର କଥାବାର୍ତ୍ତା ଏବଂ ଚାଲି ଚଳଣରେ ଅଜବ ଧରଣର ପରିବର୍ତ୍ତନ ଆସିଲା ।

ତାର ସମସ୍ତ ଆଚାର ବ୍ୟବହାରରୁ ମୁଁ ଅନୁଭବ କରୁଥିଲି ମୋ ପ୍ରତି ତାର ସଂଦେହ ।

ନିଜକୁ ଯଥାସମ୍ଭବ ଲୁଚାଇବାରେ ବି ବୋଧ ହୁଏ ମୁଁ ଧରା ପଡି ଯାଇଥିଲି ତା ନିକଟରେ । ସେହି ମହିଳା ପ୍ରତି ମୋର ଆକର୍ଷଣ ସେ ଧରିପାରୁ ନଥିଲା ଯଦିଓ ତଥାପି ବୁଝିପାରୁଥିଲା ମୋ ଭିତରର ଭଗ୍ନାଂଶ ।

ମୋ ସାରା ଜୀବନର ସମୟ ସହିତ ସମ୍ପୂର୍ଣ୍ଣ ଭାବେ ନିଜକୁ ସାମିଲ କରିଦେଇଥିବା ଏଇ ସ୍ତ୍ରୀ ଲୋକଟା ଯେ ମୋ ମୁହଁକୁ ଚାହିଁ ଦେଇ ବିି ବୁଝିପାରେ ମୋ’ଭାଷା, ସେକଥା ଜାଣିଲେବି କିଛି କରିବା ମୋ ପାଖରେ ସମ୍ଭବପର ନଥିଲା । ଧିରେଧିରେ ମୁଁ ଟାଣି ହୋଇ ଯାଉଥିଲି, ଅଚାନକ ଆକର୍ଷଣରେ ସେହି ମହିଳାଟି ଦିଗକୁ ।

ଅଜବ ଧରଣର ଶିହରଣ ମୋ ଦେହରେ ଖେଳି ଯାଉଥିଲା । ତା କଥା ଭାବିବା ମାତ୍ରେ । ତା ପୁଣି ଏ ବୟସରେ ଯେଉଁ ବୟସରେ ସାଧାରଣ ଶିହରଣ ଆସିପାରେ ନାହଁ ସମସ୍ତେ ଯାଣନ୍ତି । ମୋର ବି ପ୍ରଥମେ ପ୍ରଥମେ ସେହି ଧାରଣା ହେଉଥିଲା ଯେ ବୟସ କାରଣରୁ ଏସବୁ ହୋଇ ପାରେନା ମନେ ମନେ ବି କଥା ଧରି ନେଇଥିଲି ଯେ ମୁଁ କ୍ରମଶଃ ଶାରିରୀକ ଭାବେ ଅଯୋଗ୍ୟ ହୋଇ ଯାଇଛି । କିନ୍ତୁ ନିଜର ଏମିତି ପରିବର୍ତ୍ତନ ଦେଖିବା ପରେ ସେ ଧାରଣାରେ ମୋର ପରିବର୍ତ୍ତନ ଆସିଲା ।

କାହିଁକି ଏମିତି ହେଲା ସେକଥା ମୁଁ ଠିକ୍ ଭାବରେ ବୁଝି ନ ପାରିଲେ ବି ଏତିକି ନିଶ୍ଚୟ ବୁଝି ପାରୁଥିଲି ଯେ ମୋ ଭିତରେ କିଛି ଗୋଟାଏ ଭୁଲ୍ ଘଟିବାକୁ ଯାଉଛି । ସେ ଭୁଲ୍ ଟା ମୁଁ ଘଟାଉଥିଲି ବା ଆପେ ଆପେ ଘଟୁଥିଲା ସେ ବିଷୟରେ ସନ୍ଦିହାନ ଥିଲି । ସେ ସବୁ କେମିତି ମନକୁ ମନ ଘଟି ଯାଉଥିଲା । ସେଥିରୁ ବାହାରିବାକୁ ଚେଷ୍ଟା କରୁଥିଲି କିନ୍ତୁ ବାହାରି ପାରୁନଥିଲି । ମୁଁ କଣ ଯାଣିଥିଲ ସେ ଛୋଟା ଛେଳି ଟେ ମୋ ଆଗକୁ ଏମିତି ହଠାତ୍ ପଳାଇ ଆସିବ ବୋଲି । ସେ ସବୁ ସେଇ ଛେଳି ର ଦୋଷ ଥିଲା । ଯିବା ବେଳ ହଠାତ୍ ମୋ ଗାଡ଼ି ଆଗକୁ ପଳାଇ ଆସିଲା । ଗୋଟିଏ ଅଢେଇ ଫୁଟର ଛେଳିଟିଏ । ବିଚରା ରାସ୍ତା ପାର ହେବାକୁ ବହୁତ ଚେଷ୍ଟା କରୁଥଲା । କାରଣ ତାର ଗୋଟାଏ ଗୋଡ ଛୋଟା ହୋଇ ଯାଇଥିଲା ।

ଅଚାନକ ତାର ଉପସ୍ଥିତିରେ ମୁଁ ବ୍ରେକ୍ ଦେବାକୁ ବାଧ୍ୟ ହେଲି, ଦୟା ପାଇଁ । କେଯାଣି କାହିଁକି ତାକୁ ଟପି ଅତିକ୍ରମ କରିବାକୁ ମୋର ଇଚ୍ଛା ବା ସାହସ ହେଲାନି । ସେଇଠି ସେମିତି ଠିଆ ହୋଇ ରହିଲି ବେଶ୍ କିଛି ସମୟ । ସେ ଚାଲି ପାରୁନଥାଏ । ତା’ର ପଛ ପାଖର ବାଁ ଗୋଡଟା କୌଣସି କାରଣରୁ ଛୋଟା ହୋଇଯାଇଥିଲା ବୋଧହୁଏ । ସେଇ କାରଣରୁ ସେ ଅନେକ ସମୟ ନେଲା ରାସ୍ତା ଅତିକ୍ରମ କରି ପାର ହେବାକୁ । ସେ ଯିବା ପର୍ଯ୍ୟନ୍ତ ମୋତେ ଠିଆ ହୋଇ ରହିବାକୁ ପଡ଼ିଲା । ଚାହିଁଥିଲେ ମୁଁ ତାକୁ ଅତିକ୍ରମ କରି ଆସି ପାରିଥା’ନ୍ତି । କିନ୍ତୁ କେଜାଣି କାହିଁକି ମୋର ତାକୁ ଡ଼େଇଁ ଆସିବା କୁ ଆଦୌ ଇଚ୍ଛା ହେଲାନି । ମୁଁ ସେଇଠି ସେମିତି ଠିଆ ହୋଇ ରହିଲି, ସେ ଯିବା ପର୍ଯ୍ୟନ୍ତ । ଛେଳିଟିର ଚାଲିବାର ଦେଖି ମୋର କାହିଁକି କେବଳ ତାଙ୍କରି କଥା ହିଁ ମନେ ପଡ଼ଲା ।

ମୁଁ ବଡ଼ ବ୍ୟସ୍ତ ହୋଇପଡ଼ିଲି, ଏ ପ୍ରକାର ସାମଞ୍ଜସ୍ୟରେ । ଅନେକ ଚେଷ୍ଟା କଲି କେମିତି ଏ ଦୁଇଟି ପରିପୂରକ ବସ୍ତୁକୁ ପରସ୍ପରଠାରୁ ଫେଡ଼ିବି । କିନ୍ତୁ ଫେଡ଼ିବାକୁ ଯେତେଯେତେ ଚେଷ୍ଟା କରୁଥିଲି ସେତିକି ସେ ଦୁଇଟି ପରସ୍ପର ସହିତ ମିଶିଯାଉଥିଲେ ।

ଏମିତି ମୋତେ ଅନେକ ସମୟ ଧରି ଛେଳିଟିକୁ ଦେଖିବାକୁ ପଡ଼ିଲା ଯେତେବେଳ ପର୍ଯ୍ୟନ୍ତ ଛେଳିଟି ରାସ୍ତା ପାର ହୋଇଯାଇନଥିଲା ।

ସେ ଦିନ ଫେରିଆସିଲି ଆଉ ଆସିବାପରେ କେଜାଣି କାହିଁକି ସେ ମହିଳା ଜଣକ ମୋ ଉପରେ ଭୂତପରି ସବାର ହୋଇବସିଲେ । ମୁଁ ଯେତେ ଚେଷ୍ଟା କଲେବି ମୋ ଉପରୁ ଓହ୍ଲାଉନଥିଲେ । ଧୀରେ ଧୀରେ ସେ ମୋ ଉପରେ ସମ୍ପୂର୍ଣ୍ଣ ସବାର ହୋଇଗଲେ । ମୁଁ କେବଳ ତାଙ୍କରି କଥା ଭାବିବାଛଡ଼ା ଆଉ କିଛି ଭାବୁନଥିଲି । ସେ କେତେବେଳେ ଆସିବେ, କେତେବେଳେ ଯିବେ ୟା ଛଡ଼ା ଆଉକିଛି ଯେମିତି ମୋର କାମ ନଥିଲା । କୋଉଠୁ ଆସିବ ? ବୃଦ୍ଧଲୋକଙ୍କର ଯେ କିଛି କାମ ନଥାଏ ସେ ବିଶେଷକରି ବାହାରକୁ ଆସୁ ନଥିଲେ । ସକାଳେ ସ୍କୁଲ୍ ୟୁନିଫର୍ମ ପିନ୍ଧା ପିଲାଟିଏ ଧରି ଛାଡ଼ି ଆସନ୍ତି, ବୋଧହୁଏ ତାଙ୍କରି ପୁଅ, ତାକୁ ହିଁ ଧରି ଛାଡ଼ି ଆସନ୍ତି, ଆଉ ବେଳେବେଳେ କଦବା କ୍ୱଚିତ୍ ବଜାର ହାଟ ଇତ୍ୟାଦି ପାଇଁ । ମୁଁ ମନଦେଇ ସେହି ସମୟ ମାନଙ୍କୁ ଅପେକ୍ଷା କରିବାକୁ ଲାଗିଲି । ତାଙ୍କ ଯିବା ଆସିବା ବାଟକୁ ଅପେକ୍ଷା କରି ରହିଲି । କିନ୍ତୁ କାହିଁକିଯେ ଅପେକ୍ଷା କରୁଥିଲି ତାର କୌଣସି ସଠିକ ଉତ୍ତର ମୋ ପାଖରେନଥିଲା । ସେହି ଅପେକ୍ଷା ଭିତରେ, ମୋ ମାନସିକତାରେ ଅସମ୍ଭବ ପରିବର୍ତ୍ତନ ଆସିଲା । ମୋ ଦେହରେ ଯୌବନ ଫେରିଆସିବାର ମୁଁ ଅନୁଭବ କଲି । ସମୟ ଅସମୟରେ ଅବ୍ୟବହୃତ ଏକ କ୍ୟାଲେଣ୍ଡର ପରି ଟଙ୍ଗାହୋଇଥିବା ଆଇନା ସାମ୍ନାରେ ଠିଆହେବା ଏବଂ ନିଜକୁ ଚାହିଁବା ଆରମ୍ଭ କରିଦେଲି ।

ଏପରି ପରିବର୍ତ୍ତନକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ସ୍ତ୍ରୀ ଜାଣିପାରୁଥିଲା । ସେ ମୋର ଏ ପରିବର୍ତ୍ତନ ପାଇଁ ନିଜକୁ ଦାୟୀ କରୁଥିଲା କି କଣ, ନିଜକୁ ବଦଳାଇବାରେ ବ୍ୟସ୍ତ ହୋଇପଡ଼ୁଥିଲା । ବ୍ୟସ୍ତ ହେବାର ବି ଅନେକ କାରଣ ଥିଲା । ସେ ଗତ କିଛିଦିନଧରି ମୋଠାରୁ ନିଜକୁ ଏକ ପ୍ରକାର ଦୂରେଇ ନେଇଥିଲା । ଆମ ଦୁଇଜଣଙ୍କ ଭିତରେ ବୁଝାମଣା ହେଲାପରି ଆମେ ରହୁଥିଲୁ । କୌଣସି ବି ସମୟରେ ତାକୁ ପାଖରେ ଯଦି ଆଶାକରୁଥିଲି, ସେ ନିଜ ବାର୍ଦ୍ଧକ୍ୟର ଦ୍ୱାହି ଦେଇ ମୋ ପାଖରୁ ଦୂରେଇ ରହୁଥିଲା । ବୋଧହୁଏ ସେହି କାରଣରୁ ଆମ ଦୁଇଜଣଙ୍କଭିତରେ ଅଦେଖା ସରଳ ରେଖାଟିଏ ଟାଣି ହୋଇ ଯାଇଥିଲା । ମୋର ଆକସ୍ମିକ ପରିବର୍ତ୍ତନରେ ତା ଭିତରେ ବି ପରିବର୍ତ୍ତନ ଆସିଯାଇଥିଲା କି କଣ ସେ ବି ନିଜକୁ ବଦଳାଇବାରେ ଲାଗିପଡ଼ିଥିଲା ।

ସେ ଦିନ କିନ୍ତୁ ଘଟଣା ଏମିତି ଘଟିବ ବୋଲି ଆମେ ଦୁହେଁ କେବେବି ଆଶାକରିନଥିଲୁ ନିଶ୍ଚୟ, ନହେଲେ ଏପରି ଘଟିବାର କୌଣସି କାରଣ ନଥିଲା ।

ସେ ଦିନ ମୁଁ ସକାଳୁ ସେଇ ମହିଳା ଜଣଙ୍କପାଇଁ , ତାଙ୍କ ପୁଅର ସ୍କୁଲ ଯିବାସମୟରେ ନିଜକୁ ପ୍ରସ୍ତୁତ କରୁଥିଲି । ପୋଷାକ ପତ୍ର ପିନ୍ଧିସାରି ଅଇନା ଆଗରେ ନିଜକୁ ଦେଖିଥିବା ସମୟରେ ମୋ ସ୍ତ୍ରୀ ମଧ୍ୟ ଆସିଲେ ସେହି ଯାଗାକୁ ।

ସେ ବୋଧହୁଏ ଆସିଥିଲେ, ନିଜକୁ ପ୍ରସ୍ତୁତ କରିବାକୁ । ମୁଁ ଅଇନା ଆଗରେ ଠିଆ ହେବାର ଦେଖି ମୋତେ ପଚାରିଲେ – ଆଜି କ’ଣ କୁଆଡ଼େ ଯିବ କି? ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲି – ହଠାତ୍ ଏଭଳି ପ୍ରଶ୍ନର କାରଣ? ତାଙ୍କ ପ୍ରଶ୍ନରେ ସାମାନ୍ୟ କଟାକ୍ଷ ଥିବାଭଳି ମୋର ଧାରଣା ହେଲା । ନହେଲେ ତାଙ୍କୁ ଉଚ୍ଚ ସ୍ୱରରେ ଉତ୍ତର ଦେବାର କୌଣସି କାରଣ ନିଶ୍ଚୟ ନଥିଲା । ସେ ଉତ୍ତର ଗିଳିଲା ପରି କହିଲେ – ହଠାତ୍ ଆଜିର ସଜବାଜ ଦେଖି ମନେ ହେଉଛି ଯେମିତି କୁଆଡ଼େ ବାହାରିଛ । କିନ୍ତୁ ତମର ତ ସେମିତି କାମ କିଛି ଥିଲାପରି ଜଣାପଡ଼ୁନି । ଥିଲେ ତ ମୋତେ ତମେ କହିଥାଆନ୍ତ ।

ମୁଁ କାହିଁକି କେଜାଣି ତା’ କଥାରେ ହଠାତ୍ ବିରକ୍ତ ହୋଇ ଉତ୍ତର କଲି – ସବୁ କଥା କଣ ତୁମକୁ କହିବା ଦରକାର ? ତମେ ସେ ସବୁ କାମର ଅର୍ଥ କଣ ବୁଝିବ । ତା ଛଡ଼ା ଆଜିକାଲି ତ ସବୁଦିନ ମୁଁ ସକାଳୁ ଗାଧୁଆ ଗାଧି କରୁଛି, ସେଥିରେ ତମର ଅସୁବିଧା କଣ ? ସେ ମୋତେ ଉତ୍ତର ଦେଇ କହିଲେ – ଆଜିଯାଏଁତ କେବେବି ଏମିତି ମୋତେ ନକହି କିଛି କରିନ । ଆଜି ହଠାତ୍ ମୁଁ ପଚାରି ଦେଲାରୁ ଅସୁବିଧା କଣ ହୋଇଗଲା ? ସବୁବେଳେ ତ ପଚାରେ ।

ମୁଁ ମୋ ଭୁଲ୍ ବୁଝିବାକୁ ଆରମ୍ଭ କରି ଦେଇଥିଲି । ବୁଝାଇବାକୁ ଯାଇ କହିଲି – ସକାଳୁ କାମ ତକ ସାରିଦେଲେ ଦିନଯାକ ଅନେକ ସମୟ ମିଳିବ କାମ କରିବାକୁ । ସେଥିପାଇଁ ଭାବିଲି ଅତ୍ୟନ୍ତ ନିତ୍ୟକର୍ମ ସବୁ ସାରିଦେଲେ ଯାଏ । ଅନ୍ୟ କାମ କିଛି ତ କରିହେବ ।

ମୁଁ ବୁଝିବାର ଚେଷ୍ଟା ଆରମ୍ଭ କରିବା ବେଳକୁ ସବୁ ସରିଯାଇଥିଲା । ତୀର ହାତରୁ ବାହାରି ଯାଇଥିଲା । ସେ ସେତେବେଳେ ଝଗଡ଼ାର ଦାଣ୍ଡ ଦୁଆରକୁ ଆସି ସାରିଥିଲେ । କହିଲେ – ଏ ପରିବର୍ତ୍ତନ ତ ତମର ବେଶ୍ କିଛିଦିନ ହେଲା ହେଲାଣି । ମୁଁ କେବଳ ଆଜି ପଚାରି ଦେଲି ମାତ୍ର । ମୋର କାହିଁକି ମନେ ହେଇଛି ତମେ ପୁଣି କିଛି ଖରାପ ଦିଗରେ ଯାଉଛ ।

ମୁଁ ବିଶେଷ କରି ଝଗଡ଼ା କରିବାର ଅବସ୍ଥାରେ ନ ଥିଲି । ତେଣୁ ଚୁପ୍ ରହିବାକୁ ଠିକ୍ ମନେକରି ସେ ଯାଗା ଛାଡ଼ିଦେବାକୁ ମନସ୍ଥ କରି ଆସୁଛି ସ୍ତ୍ରୀ ମୋତେ ପଛରୁ ଶୁଣାଇ ଶୁଣାଇ କହିଲେ – ଆସିଲ ଦେଖିବ ମୋ ବେକ ପାଖରେ କଣ ଗୋଟାଏ ଉଠୁଛି ।

ମୁଁ ବାଧ୍ୟ ଶିଶୁଟି ପରି ତାଙ୍କ ପାଖରେ ଯାଇ ପହଞ୍ଚିଲି ଦେଖିବାକୁ ସତରେ ଯଦି କିଛି ହୋଇଥାଏ ।

ସେ ନିଜର ବେକ ଦେଖାଇଦେଲେ । ବେକ ପାଖରେ କଳା ଦାଗଟିଏ । କିଛି ଗୋଟିଏ ପୋକ ଫୋକ କାମୁଡ଼ି ଦେଇଥିବାପରି ମନେ ହେଲା । ମୁଁ ଆଘାତ ପାଇବା ପରି ଦେଖାଇ ହୋଇ କହିଲି – ସତରେ ତ ! ଏମିତି ହେଲା କେମିତି ? ସେ ହସିଲେ କହିଲେ ଠିକ୍ କରି ଚିହ୍ନିଲ, ଇଏ ତମର ଦାନ୍ତ ଦାଗ ନୁହେଁତ ! ମୁଁ ମନା କରିବା ପରି କହିଲି – ନା ମୋର ଏମିତି ହୋଇପାରେନା ! ମୁଁ କଣ ପଶୁ ହୋଇଛି ଯେ ତୁମକୁ ଦାନ୍ତ ଲଗାଇ ଦେବି ? ସତ କହିଲ ଏଇଟା ଏମିତି କେମିତି ହେଲା?

ସେ କହିଲେ – ମୋ ବାପ ଘରୁ ଆଣିଥିଲି । ମନେ ପଡ଼ୁନି ? ଯୌତୁକରେ ଆସିଥିଲା ବୋଲି ? ଉତ୍ତର ଦେଇପାରୁ ନ ଥିଲି । କଣ ବା ଦେବି ? ଏଇ ଅବସ୍ଥାରେ ଯେ କୌଣସି ସ୍ୱାମୀଟିଏ ଖୁବ ହତାଶ ହୋଇପଡ଼େ । ମୋର ବି ସେଇଆ ହେଲା । ମୁଁ ଆଗକୁ କି ପଛକୁ ନ ଯାଇ ପାରି ହତାଶ ହୋଇ ଠିଆ ହୋଇ ରହିଲି । କଳି କରିବାକୁ ପ୍ରବଳ ଇଚ୍ଛା ହେଉଥିଲେ ବି ଆଗକୁ ବଢ଼ିବାକୁ ସାହାସ କୁଳଇ ନଥିଲା ବୟସ ବଢ଼ିଗଲେ ମଣିଷ ମାନେ ଯେ ମୋପରି ହତାଶ ହୋଇ ଯାନ୍ତି ସେ କଥା ମଝିରେ ମଝିରେ ମୋର ହୃଦୟଙ୍ଗମ ହେଉଥିଲା ।

ସେହି ସମୟରେ ମୋ ଆଖିଆଗରେ ଭାସି ଆସିଲା ସେହି ଛେଳିଟିର ମୁହଁ । ଛୋଟା । ରାସ୍ତା ପାରହୋଇ ପାରୁନଥିଲା । ମନରୁ କାଢ଼ିବାକୁ ଚେଷ୍ଟା କଲି କାରଣ ସେ ଛେଳିଟି କ୍ରମଶଃ ମୋ ଭଳି ଦିଶିବାକୁ ଆରମ୍ଭ କରୁଥିଲା ।

ମୋର ଅବସ୍ଥା ସ୍ତ୍ରୀ ବୋଧହୁଏ ବୁଝୁଥିଲା, ସେ ମୋର ହତାଶ ହୋଇଯାଇଥିବା ମୁହଁକୁ ଚାହିଁ ଛୋଟ ହସଟିଏ ଫିଙ୍ଗି ଦେଇ କହିଲା – ସେଠି ଠିଆହୋଇ କଣ ଦେଖୁଛ ? ଆସି ଆଉଁସି ପାରୁନ ? ମୋର କଣ ଆଉ କଣ କିଏ ବାପଘରୁ ଆସିବ ମୋତେ ଆଉଁସିବାକୁ ? ମୁଁ ବାଧ୍ୟ ଶିଶୁଟି ଭୂଲ୍ କରିବସି ମା ପାଖରେ ସାଲିସ କରିବାକୁ ଯିବାପରି ତା ପାଖକୁ ଗଲି । ପାଖରେ ପହଞ୍ଚି ବି ସାହସ ହେଉନଥିଲା ତାକୁ ଛୁଇଁବାକୁ ।

ସେ ଆଦେଶ ଦେଇ କହିଲା – ପୁଣି ଠିଆ ହେଇ ରହିଲ କ’ଣ ? ମୁଁ ଯନ୍ତ୍ରଚାଳିତ ମେସିନ ପରି ତା ବେକର ସେଇ ଯାଗାରେ ହାତ ବୁଲାଇ ଆଣିଲି ।

ସେ କହିଲା- ବୁଢ଼ା ହୋଇ ଗଲଣି, ଜାଣି ପାରୁନ । ଆଜିକୁ କୋଡ଼ିଏ ବର୍ଷ ତଳେ ମୁଁ ତମକୁ ଏମିତି ବେକକୁ ପୋକ କାମୁଡ଼ିଥିଲାବୋଲି ଦେଖାଇଥିଲି, ତମେ କ’ଣ କରିଥିଲ ମନେ ଅଛି ? ପୁରା ମୁହଁଟାକୁ ସେ’ଠି ଲଦି ଦେଇଥିଲ । କହିଥିଲ ପାଟିରେ ବି ମଣିଷର ଔଷଧ ଅଛି, ଗୋଟିଏ ଚୁମ୍ୱନରେ ଭଲ ହୋଇଯିବ । ତା ପରେ କ’ଣ କଲ କହିବି ?

ମୁଁ ମନେ ପକାଉଥିଲି ମୋର ସେଇ ପୂର୍ବବସ୍ଥା । ସତରେ ଏଇ ଭିତରେ ମୁଁ ଅନେକଟା ବଦଳି ଗଲିଣି । ଅନେକ ଦିନ ଧରି ସ୍ତ୍ରୀକୁ ଯେମିତି ଆଦୌ ଦେଖିନି ! ସେମିତି ଲାଗୁଥିଲା ମୋତେ । ଧୀରେ ଧୀରେ ଓଠ ବଢ଼ାଇ ପୁରୁଣା ଦିନର ସେଇ ସମୟକୁ ଫେରି ଯିବାକୁ ଚାହୁଁଥିଲି । ସେଇ ଦିଗରେ ଚେଷ୍ଟା କରୁ କରୁ ଯୌବନ ଫେରି ଆସିବା ପରି ଲାଗିଲା । ସେ ବି ପୁରୁଣା ଦିନର ସେଇ ସ୍ତ୍ରୀ ଟି ହୋଇଗଲା ।

ମୋ ସ୍ପର୍ଶରେ ବିଛଣା ଚାଦରଟି ପରି ଖୋଲିଗଲା ଖଟ ଉପରେ । ତା ଦେହସାରା ଗୁଣନରେ ବଢ଼ିଯାଇଥିବା ମାଂସ ସବୁ ମୋତେ ଅଧିକ ପଶୁ କରିପକାଇଥିଲା ମୁଁ ସେଇ ଛେଳିକୁ ରାସ୍ତା ପାର ହେଉଥିବାର ଦେଖିଲି ।

ସେଇ ଭିତରେ ଯେ ମୋର ଅନେକ ଦାୟିତ୍ୱବୋଧ ଆସି ଯାଇଥିଲା, ମୁଁ ବୁଝିପାରୁଥିଲି । ନିଜ ଦାୟିତ୍ୱର କର୍ତ୍ତବ୍ୟ କରିବାକୁ ଯାଇ ଦେଖିଲି ଯେ ଏ ଭିତରେ ସେ ଧଳା ହୋଇଯାଇଥିବା ନିଜ ମୁଣ୍ଡର ବାଳସବୁ ରଙ୍ଗ ଲଗାଇ କଳା କରିପକେଇଥିଲା । ସେତିକିରେ ଏତେ ସୁନ୍ଦର ଦିଶୁଥିଲା !

ସେଇ ସନ୍ଧ୍ୟାରେ ସ୍ତ୍ରୀ ଦୁଆରମୁହଁରୁ ଡ଼ାକ ଛାଡ଼ିଲେ – ଆସ ଦେଖିବ, କାହାକୁ ସାଙ୍ଗରେ ଆଣିଛି । ମୁଁ ବାହାରକୁ ଯାଇ ଦେଖିଲି ତା ସଙ୍ଗରେ ସେହି ମହିଳା ଜଣକ ଆସିଛନ୍ତି । ମୁଁ ପହଞ୍ଚିବାରୁ ସ୍ତ୍ରୀ କହିଲା- ତମେ ୟା’ଙ୍କୁ ଦେଖିବାକୁ ସକାଳେ ସଜେଇ ହୋଇ ବସିଥିଲ ପରା ! ଦେଖ ମୁଁ ତାଙ୍କୁ ସାଙ୍ଗରେ ନେଇ ଆସିଛି । କଣ କଥାବାର୍ତ୍ତା ହେବ ହୁଅ ।

ତାର ସେହି କଥାରେ ମହିଳାଜଣକ ଖୁବ୍ ଲାଜେଇ ଯାଇ କହିଲେ – ମଉସା ନମସ୍କାର । ମୁଁ ନମସ୍କାର ତ ଗ୍ରହଣ କଲି । କିନ୍ତୁ କଥାବାର୍ତ୍ତା ନ କରି ପାରି ମନେ ପକେଇଲି: ସେହି ଛେଳିଟିକୁ ….. ମାଂସ ଦୋକାନରେ, ମୋ ପରି ଛାଲ ଉତୁରା ଦେହଟି କରି ଯଦି ଟାଙ୍ଗି ହୁଅନ୍ତା ତେବେ ସେ ମାଂସ ଦୋକାନୀ ଟି କେତେ ପଇସା ଲାଭ କରି ପାରନ୍ତା !!!!!


Rate this content
Log in

Similar oriya story from Drama