Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational Others

3  

SIPRA NAMTA

Inspirational Others

ପୁଣି ଥରେ ଫଗୁଣ ଫେରିଆସିଛି

ପୁଣି ଥରେ ଫଗୁଣ ଫେରିଆସିଛି

6 mins
13.8K


ଝରକା ଦେଇ ବାହାରକୁ ଚାହିଁଛି କଳିକା   କରୁଛି ଆଜି ବଗିଚାରେ କେତେ ରଙ୍ଗ ଫଗୁଣର । ସୁମଧୁର କାକଳୀର କଳ ଗୁଞ୍ଜନରେ ମିଠା ଲାଗୁଛି ଅପରାହ୍ନର ସମୟ ।" ସତରେ ସୌରଭ,ଏସବୁ ଅନୁଭଵ କେବଳ ତମରି ପାଇଁ "। ମନେ ମନେ କହିହେଉଥିଲା ସେ ।

** *** ** **

ଗତକାଲି ଥିଲା ନର୍ସିଂ ଟ୍ରେନିଂର ଶେଷ ବର୍ଷର ଶେଷ ଦିନର ଭ୍ରମଣ ଯାତ୍ରା ।ଚିଲିକା ବକ୍ଷରେ ଜଳ ରାଶିରେ ହାଲକା ତରଙ୍ଗ ଇନ୍ଧନ ଚାଳିତ ନୌକାଟି ପାଣି ସୁଅ କାଟି କାଟି ଆଗେଇ ଚାଲିଥିଲା ଭାଲେରୀ ପାହାଡ଼ ଆଡକୁ । ବିଭିନ୍ନ ପ୍ରଜାତିର ବିହଙ୍ଗ ଉଡି ବୁଲୁଥାନ୍ତି ମୁକ୍ତ ଆକାଶ ତଳେ । କେଉଁଠି ମାଛରଙ୍କାଟିଏ ପାଣି ଭିତରୁ ମାଛ ଗୋଟେ ଧରିନେଲା ପରା. ନିର୍ନିମେଷ ନୟନରେ ଚାହିଁଥିଲା କଳିକା । ନୌକାରେ ଥାଇ ପାଣିକୁ ହାତ ବଢ଼ାଇ ତରଙ୍ଗର ହିଲ୍ଲଳକୁ ଅନୁଭବ କରୁଥିବା ବେଳେ ସୌରଭ ଆସି ତା ପାଖରେ ବସି ପଡିଥିଲେ ।

ସୌରଭ ତା' ଘନିଷ୍ଠ ବାନ୍ଧବୀ ମଞ୍ଜୁରୀର ସମ୍ପର୍କୀୟ ଭାଇ । ଆୟୁଷ ଡାକ୍ତର ଅଛନ୍ତି ।ଗୋଟିଏ କୋଠରୀରେ ମଞ୍ଜୁରୀ ସହିତ ରହିବାରେ ସୌରଭଙ୍କ ସହିତ ପରିଚୟ ।

ସୌରଭଙ୍କ କଥା କୁହା ଆଖିରେ ଆଖି ମିଶିଯିବା ପରେ ଏକ ଅଜଣା ପୁଲକରେ ପୁଲକିତ ହୋଇଉଠିଥିଲା ସତ ହେଲେ ନିଜ ଅତୀତ ଘଟଣା ତାକୁ ବେଶ ସଙ୍କୁଚିତ କରିଦେଉଥିଲା ।

ଜଳ ତରଙ୍ଗକୁ ସ୍ପର୍ଶ କରିଥିବା କଳିକାର ହାତ ଟିରେ ଆସ୍ତେ କି'ନା ଚାପ ଦେଇ ଧୀର ନରମ କଣ୍ଠରେ ସୌରଭ କହିଥିଲେ ---"ଆଉ କେତେ ପ୍ରତୀକ୍ଷା କରାଇବ କଳି "?

ଉତ୍ତରରେ କହିଥିଲା ସେ -"ହେଇ ଦେଖ, ସେ ଦୂର ଗଛଲତା ବଣ, ପାହାଡ଼ ,ପର୍ବତର ଶିଖର ...କେତେ ସୁନ୍ଦର ଦିଶୁଛନ୍ତି ନା ...!! କିନ୍ତୁ ପାଖକୁ ଗଲେ ସେଇ ସୁନ୍ଦରତା ପାଇବ ?

ପାହାଡ଼ର ରୁକ୍ଷତା ଓ କର୍କଶତାରେ ଚାଲିଲେ ପାଦକୁ ଖାଲି କଷ୍ଟ ମିଳେ ସିନା ...।"

--"ଏତେ ବୁଲେଇ ବଙ୍କେଇ କାହିଁକି କହୁଛ ସବୁକଥା । ପାହାଡ଼ କଥା କହିଲ, ତାହେଲେ ସାଗର କଥାକୁ କଣ କହିବ ?

ବେଳାଭୂମିରେ ଅସଂଖ୍ୟ ପାଦ ଚିହ୍ନକୁ କଣ ଧରି ରଖିପାରେ ?

ଲହରୀରେ ଧୋଇ ନିଏନି ସବୁ ।ଏସବୁ ପ୍ରକୃତିର ନିୟମ ।ସେଥିରେ କାହାର ବା ଦୋଷ କଣ ? ହଉ ଛାଡ ସେ କଥା, କହିଲ -ଜୀବନର ଚଲା ପଥରେ ସାଥୀଟିଏ ହେବା ପାଇଁ ତମର କିଛି ଆପତ୍ତି ଅଛି ? "

ବେଶ ଖୋଲା କଥା । ହୃଦୟର ସ୍ପନ୍ଦନଟା ତୀବ୍ରରୁ ତୀବ୍ରତର ହେଉଥିଲା କଳିକାର ।ଚିଲିକାର ଅସ୍ବଚ୍ଛ ପାଣି ସହିତ ତାଳ ଦେଇ ତା' ମନର ଗୋଳିଆ ପାଣିକୁ ସଫା କରିବାକୁ ବୃଥା ପ୍ରୟାସ କରିଥିଲା ସେ। । ସେଇ ମୂଲ୍ୟହୀନ ଅତୀତକୁ ଜାବୁଡି ଧରିବାରେ ଆଜି ଆଉ କିଛି ଅର୍ଥ ହୁଏନା।

ତଥାପି ସମାଜର ନାଲି ଆଖି ତା'ପାଦରେ ବେଡି ହୋଇଛି ।

ସୌରଭଙ୍କ କଥା ମନରେ ଶିହରଣ ଆଣେ ।"ଫୁଲର ବାସ ଛୁଟିଲେ ଭ୍ରମରର ଆଗମନ ହୁଏ ଏଥିରେ କାହାର ବା କଣ ଦୋଷ ?"ତାଙ୍କ ପ୍ରଶ୍ନ ମନ ପ୍ରାଣରେ ପ୍ରେମ ବଞ୍ଚି ସୃଷ୍ଟି କରେ

- "ଫୁଲ କେବେ ଅପବିତ୍ର ହୁଏ ? କେତେ ଭଅଁର,ପ୍ରଜାପତି, କୀଟ ,ପତଙ୍ଗ ସେ ଫୁଲରେ ବସନ୍ତି ତଥାପି ସେ କଣ ଦେବତାର ଶିର ମଣ୍ଡନ କରେନା ? ଯୋଉ ଘଟଣା ପାଇଁ କଳିକାର ଆଦୌ ଦୋଷ ନାହିଁ ସେଥିରେ ସେ କାହିଁକି ପ୍ରାୟଶ୍ଚିତ କରିବ ?"

ଉତ୍ତରରେ କିଛି କହିପାରେନି କଳିକା । କିନ୍ତୁ ରହି ରହି ଅବ୍ୟକ୍ତ ଭାଵଟିଏ ଗୁମୁରି ଉଠେ "ତଥାପି ସେ ଭୋଗ୍ୟା ହୋଇସାରିଛି ,ସଂସାର କଣ ବୋଲି ବୁଝିବା ପୂର୍ବରୁ "। ହେଲେ ସୌରଭ ସବୁ ଜାଣି ଶୁଣି ତାକୁ ପ୍ରେମ କରୁଛନ୍ତି ।

ଭାବନା ଭିତରେ ନୌକା ମାଆ କାଳିଯାଈଙ୍କ ପାଖରେ ପହଞ୍ଚି ଯାଇଥିଲା ।ସମସ୍ତେ ପୂଜା କରି ଦର୍ଶନ ସାରିଲେ ।ନଡିଆଟି ପଚା ପଡ଼ିଥିବାରୁ ସୌରଭ ମନ ଖରାପ ଥିଲା କିନ୍ତୁ ସେଠି ନଡିଆ ପଚା ପଡିଲେ ବହୁତ ଶୁଭ ମନା ଯାଏ ବୋଲି ସେଠିକାର କିଛି ଲୋକଙ୍କ ପାଖରୁ ଶୁଣିବା ପରେ ତାକୁ ବହୁତ ଖୁସି ଲାଗିଲା ।ଘେରାଏ ବୁଲିବାକୁ ଯିବା ପାଇଁ ପ୍ରାୟ ସମସ୍ତେ ଉପରକୁ ଉଠିଯାଇଥିଲେ । ମଞ୍ଜୁରୀ ଆଗେ ଆଗେ ଚାଲୁଥିଲା ତା' ପଛକୁ କଳିକା ଓ ସୌରଭ ଚାଲୁଥିଲେ । କିଛି ବାଟ ଉପରକୁ ଉଠି ଗଲା ପରେ ଏକ ଚିକ୍କଣ ଶିଳା ଉପରେ ପାଦ ପିଛିଳି ଗଲା କଳିକାର ଏକ ଆସନ୍ନ ବିରାଟ ବଡ ଦୁର୍ଘଟଣାରୁ ସେ ଉଦ୍ଧାର ପାଇଥିଲା ସୌରଭ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ।ମଞ୍ଜୁରୀକୁ ବୁଲିବାକୁ ଜୋର କରି ପଠାଇ ଦେଇ ସେଇଠି ବସି ପଡିଥିଲା ସେ ।ଗଲା ବେଳକୁ

ମଞ୍ଜୁରୀ କହି କହି ଯାଉଥିଲା ,"ଚିନ୍ତା କରନା, କଳି ଡାକ୍ତର ବାବୁ ପାଖରେ ଅଛନ୍ତି ।କିଛି ଅସୁବିଧା ହେବନି ।"

---"ତମେ କାହିଁକି ରହିଲ ? ଯାଅ ଟିକେ ବୁଲିଆସିବ ।ସବୁ ଆସିବା ପର୍ଯ୍ୟନ୍ତ ମୁଁ ଏଇଠି ବସିଥିବି ।"

--"ଆରେ ୟେ କି କଥା, ଏମିତି ଅବସ୍ଥାରେ ତୁମକୁ ଛାଡି ମୁଁ ଯିବି କେମିତି ? ଜଣେ ଡାକ୍ତର ହିସାବରେ ମୋ କର୍ତ୍ତବ୍ୟ ମାନବିକତା ଓ ପ୍ରେମର ସମନ୍ୱୟ ମୋତେ ଯିବା ପାଇଁ ଦେଉନି କଳି । ତମ ମୁହଁରେ ଯନ୍ତ୍ରଣାର ଚିହ୍ନି ସ୍ପଷ୍ଟ ବାରି ହୋଇ ପଡୁଛି ।" କହି ସୌରଭ କଳିକାର ଗୋଡ ଟିକୁ ଧରି ଠିକ୍ ଗଣ୍ଠି ପାଖରେ ସାମାନ୍ୟ ଝଟକା ଦେଲେ ।ଅଳ୍ପ ସମୟରେ ଟିକେ ଆରାମ ଲାଗିଲା କଳିକାକୁ ।

---"ମଞ୍ଜୁ ଠିକ୍ କହିଥିଲା ।"

---"କାହିଁକି ? ତମର ସନ୍ଦେହ ଥିଲା ନା କଣ ?

--"ନାଇଁ ଯେ...ମୋ ଗୋଡ଼ ଧରି ମୋତେ ପାପୀ କରିଦେଲ ।"

ଲାଜେଇ ଯାଇଥିଲା କଳିକା ।

--"କିନ୍ତୁ ମୋତେ ତ ଲାଗୁଛି ମୁଁ ସବୁଠାରୁ ବଡ ପାପୀ କାରଣ ଏ ପର୍ଯ୍ୟନ୍ତ ମୋ ପ୍ରଶ୍ନର ଉତ୍ତରଟି ପାଇ ପାରିଲିନି ।" କହି ସୌରଭ ଗଭୀର ଭାବେ ଚାହିଁଥିଲେ ତାକୁ ।

--"ସବୁ ପ୍ରଶ୍ନର କଣ ଉତ୍ତର ଥାଏ1 ?"ରହି ରହି ଧୀର ସ୍ୱରରେ କହିଥିଲା କଳିକା ।

କଳିକାର ଢଳ ଢଳ ଛଳ ଛଳ ଆଖିରେ ଆଖି ରଖି ପଚାରିଲେ ---"କଣ ମାଗିଲ କଳି ମାଆଙ୍କୁ "

--"ତମ ଇଛା ପୂର୍ଣ୍ଣ ହେଉ " ।ମନର ଆବେଗକୁ ନିୟନ୍ତ୍ରଣ କରୁ କରୁ କହିଥିଲା ସେ ।ସୌରଭ କେମିତି ଆଉ ଟିକିଏ ଲାଗି ଆସିଥିଲେ ଦେହଲଗ୍ନା ହୋଇ ଆଉ ଗଭୀର ଆବେଗ ରେ କାକଳିର ହାତ ଟିକୁ ନିଜ ହାତରେ ସାଉଁଟି ନେଇଥିଲେ ।

ହୃଦୟ ଅବରୁଦ୍ଧ କୋହ ,ସଞ୍ଚିତ ଅଭିମାନ ,ଆଉ ସୁପ୍ତ ଶୀତଳ ବେଦନା ସବୁ ବାଟ ଖୋଜୁଥିଲେ ବାହାରକୁ ବାହାରି ଆସିବା ପାଇଁ ।ଆଉ ସହ୍ୟ ହେଉନଥିଲା ଲୋତକ ଗ୍ରନ୍ଥି ସବୁ ଉନ୍ମୁକ୍ତ ହୋଇଯାଇଥିଲେ ନେତ୍ର ପ୍ରାନ୍ତରୁ ଝରିବା ପାଇଁ ।ଧୀରେ ନିଜ ମଥାକୁ ସୌରଭଙ୍କ କାନ୍ଧରେ ରଖିଦେଇଥିଲା ।

କିଛି ସମୟ ପରେ ସମସ୍ତେ ଫେରିଆସିଥିଲେ ।ସମସ୍ତଙ୍କ ସମ୍ମୁଖରେ ମଞ୍ଜୁରୀ ସାଥୀରେ ଧୀରେ ଧୀରେ ଚାଲି ନୌକାକୁ ଫେରିଥିଲା କଳିକା । ଚଢ଼େଇଗୁହା ଓ ନଳ ବଣ ଭିତରକୁ କଳିକା ଓ ସୌରଭ ବ୍ୟତୀତ ସମସ୍ତେ ଯାଇଥିଲେ ।

ଫେରନ୍ତା ପଥରେ ଦୁହିଁଙ୍କ ଦୃଷ୍ଟି ଲମ୍ବିଯାଉଥିଲା ଦୂରବର୍ତ୍ତୀ ହେଉଥିବା ମାଆଙ୍କ ପାହାଡ଼ ଓ ତତ୍ସନ୍ନିକଟ ସ୍ଥାନ ଆଡକୁ ।ସତେଯେମିତି ଦୈଵବାଣୀ ଶୁଣାଯାଇଥିଲା "ନାରୀ ଭୋଗ୍ୟା ହେଲେ ମଧ୍ୟ ଫୁଲ ପରି କୋମଳ, ନିଷ୍ପାପ, ଓ ପବିତ୍ର।

ସେ ସର୍ବଦା ପ୍ରେମାସ୍ପଦା ।

ସୌରଭର ସାନିଧ୍ୟ ରେ ପୁଲକିତ ହେଉଥିବା ବେଳେ ଆଈ ମା’ ପାଖରୁ ଆସିଥିବା ଫୋନରେ ଉତ୍ତର ଦେଉଥିଲା --"ଆମେ ଫେରୁଛୁ ଗ୍ରାନିମା ।ତମେ ମୋଟେ ବ୍ୟସ୍ତ ହୁଅନି ।ମୋ ସହିତ ସୌରଭ ଅଛନ୍ତି " । ଏଇ କଥା ପଦକ ସେ ଏମିତି ଭାଵରେ କହିଥିଲା ଯେ ନିଜ କାନକୁ ବି ଅଲଗା ଲାଗିଥିଲା ।

ତଥାପି ଆଶ୍ୱସ୍ତ ଅନୁଭବ କରିଥିଲା ସେ । ଦଶମ ଶ୍ରେଣୀ ପାସ କରିବା ପରେ ନିରୀମାଖୀ ଶୈଶବରୁ ପିତୃ ମାତୃ ହୀନ ଝିଅଟିକୁ ଉତ୍ତମ ତତ୍ତ୍ୱାବଧାନ କରି ନ ପାରିବା ଭୟରେ ବିବାହ ଦେଇଦେଇଥିଲେ ପାଳନକାରିଣୀ ଏକମାତ୍ର ସାହା ଭରସା ଆଈମା’ ।ବିବାହର ଅଷ୍ଟମଙ୍ଗଳା ନ ସରୁଣୁ ସର୍ପ ଦଂଶନରେ ସ୍ୱାମୀଙ୍କର ମୃତ୍ୟୁରେ ସଂସାରଟା ଉଜୁଡି ଯାଇଥିଲା ଓ ସବୁ କଳଙ୍କର ଟୀକା କଳିକା ମଥାରେ ଲାଗିଥିଲା । ଆଉ ଲାଗିଥିଲା ତା ସାଥିରେ ଅମଙ୍ଗଳୀ, ଅଲକ୍ଷଣୀ, ସ୍ୱାମୀଖାଈ, ଏମିତି କେତେ କଣ ଗାଉଁଲୀ ଓ ମଫସଲୀ ଭାଷାର ଆଶ୍ରାବ୍ୟ କଥନର ମୋହର । ଭୀଷଣ ନିନ୍ଦା ବାଜଣା ରେ ଦୁଲୁକି ଉଠିଥିଲା ଦୁଇଖଣ୍ଡ ଗାଁ ସାଙ୍ଗକୁ ଆଖ ପାଖ ଗାଁ ମଧ୍ୟ ।ଦୁଇକୁଳର ଜ୍ଞାତି କୁଟୁମ୍ବ ସାହି ପଡିଶାଙ୍କ ଟାହି ଟାପରା ଉଚ୍ଛନ୍ନ କରିଦେଇଥିଲା ଜୀଵନକୁ ଆଉ ପଥର କରିଦେଇଥିଲା ତା ଆଖିର ସବୁ ଲୁହକୁ ଓ ପରିଣତ କରିଦେଇଥିଲା ତାକୁ ଏକ ନିର୍ଜୀଵ ପିତୁଳାରେ । ଶାଶୁଘର ଲୋକେ ଆଣି ଛାଡ଼ିଦେଇଥିଲେ ତାକୁ ଆଈମା’ ପାଖରେ ଗଭୀର ଅସନ୍ତୋଷ ଓ ଅସହିଷ୍ଣୁତାରେ ।ଆଈମା ଆଖିରେ ସବୁବେଳେ ଦେଖିଆସିଛି ଅନୁଶୋଚନାର ଜ୍ବାଳା ଆଉ ବୟସର ଛାଇ ନେଉଟିଆ ବେଳେ ହାରିଯିବାର ଭୟ ତାକୁ ନେଇ ।ସେଇ ସୁପ୍ତ ବେଦନାର କୋହ ଜର୍ଜରିତ ଆଈମା’ର ଚେଷ୍ଟା ତାକୁ ଏଇ ବର୍ତ୍ତମାନରେ ପହଞ୍ଚାଇଛି ।

ସୌରଭଙ୍କ ପ୍ରେମରେ ଭିଜି କଳିକାକୁ ଲାଗୁଥିଲା ଦୀର୍ଘ ବର୍ଷର ବୈଧବ୍ୟ ରୂପୀ କଳଙ୍କର ଗାଢ ଦାଗଟି ଧୀରେ ଧୀରେ ଫିକା ପଡିଯାଉଛି, ଶୁନ୍ୟ ସୀମନ୍ତଟି ଗାଢ଼ ଲାଲ ରଙ୍ଗରେ ରଙ୍ଗେଇ ଯାଉଛି ଆଉ ରଂଗହୀନ ବିବର୍ଣ୍ଣ ଶାଢ଼ୀରେ ଭରିଯାଉଛି ରଙ୍ଗ ବେରଙ୍ଗୀ ଛିଟ ଧଡି ସବୁ । ଫୁରୁ ଫୁରୁ ଉଡୁଥିବା ଦୀର୍ଘ ଘନ କେଶ ଯେମିତି କବରୀରେ ସଜ୍ଜିତ ହେବ। ସୌରଭର ପ୍ରେମକୁ ହିଁ କେବଳ ଏତେ ବର୍ଷ ଧରି ଯେମିତି ପ୍ରତୀକ୍ଷା କରିଆସୁଥିଲା ସେ ।

*** ***

ଭାବନାରେ ହଠାତ ପୂର୍ଣଛେଦ ପଡିଲା । ଆଈମା’ ଘର ଭିତରକୁ ପଶି ଆସୁଥିବାର ଦେଖି ଚମକି ପଡିଲା କଳିକା । ଅସ୍ତମିତ ପ୍ରଭା ଶୀର୍ଣ୍ଣକାୟ ଜ୍ୟୋତି ଧରିଥିବା ଆଈମା’କୁ ଆବେଗରେ କୁଣ୍ଢାଇ ଧରିଲା ସେ । ଧୀର ଅସ୍ପଷ୍ଟ କଣ୍ଠରେ କହିଲା --"ଗ୍ରାନିମା " ଆଈମା’ ଅଜସ୍ର ସ୍ନେହ ବୋଳା ଵୋକରେ କଳିକାକୁ ଭିଜାଇ ଦେବା ପରେ ଦୃଷ୍ଟି ତାଙ୍କ ଲମ୍ବିଗଲା ଝରକା ସେ ପଟକୁ ବଗିଚାକୁ ।ବଗିଚା ମଝିରେ ବଡ ଫୁଲଟିଏ ସତେକି ହସି ହସି କହୁଛି "ଏଥର ତୁମ ଅଗଣାକୁ ଫଗୁଣ ଫେରିଆସିଛି ଗୋ ....ଆଉ ତା ସାଥୀରେ ତାଳ ଦେଇ ଅନ୍ୟ ଫୁଲମାନେ ମୁଣ୍ଡ ଟୁଙ୍ଗାରୁଥିଲେ ଯେମିତି ।ଆଈମା’ଙ୍କ ଶୁଷ୍କ ଓଠର ହସ ଧୀରେ ଧୀରେ କଳିକା ଓଠକୁ ସଞ୍ଚରି ଯାଉଥିଲା ...।।

ବାରିପଦା, ମୟୁରଭଞ୍ଜ


Rate this content
Log in

Similar oriya story from Inspirational