Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Drama

3  

Arabinda Rath

Drama

ଦାଗୀ

ଦାଗୀ

11 mins
8.0K


ଲେଖକ- ଅରବିନ୍ଦ ରଥ

ଅନ୍ଧାର ରାତିର ନିର୍ଜନତାର ବୁକୁ ଚିରି ବିକଟାଳ ଶବ୍ଦରେ ମାଡି ଚାଲିଛି ଲୌହଦାନବ। ରେଳଗାଡିଟି ଷ୍ଟେସନ ଛାଡିବାର ବେଶ୍ କିଛି ସମୟ ବିତି ସାରିଛି ଓ ଯାତ୍ରୀ ମାନେ ଶୋଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଝରକା ବାଟେ ଧସେଇ ପଶୁଛି ବାହାରର ଶୀତଳ ପବନ; ଯାହା ଶରୀରର କ୍ଳାନ୍ତି ଓ ଅବସନ୍ନତା କୁ ଦୂର କରିବା ପାଇଁ ଯତ୍ ପରୋନାସ୍ତି ଚେଷ୍ଟା ଚଳାଇଛି। ଗାଡିରେ ସେମିତି ଅସମ୍ଭବ ଭିଡ ନ ଥିଲେ ମଧ୍ଯ ସମସ୍ତ ସିଟ୍ ଯାତ୍ରୀ ମାନଙ୍କ ଦ୍ବାରା ଅଧିକୃତ ଓ ସେମାନେ କ୍ଳାନ୍ତ ଶରୀରର ବୋଝ ସିଟ୍ ଉପରେ ଥାପି ଦେଇ ପ୍ରାୟ ନିଶ୍ଚିନ୍ତ। ବସିବାକୁ ସିଟ୍ ନ ପାଇ ଲୋକଟି ଝରକା ପାଖ ରେ ଖବର କାଗଜ ଖଣ୍ଡେ ପାରି ଦେଇ ବସିଛି। ଦେଖିଲେ ଲାଗୁଛି, ମନରେ ଭୀଷଣ ବେଦନା ଓ ଦୁଃଖର ଝଡ କୁ ଶାନ୍ତ କରିବାର ଚେଷ୍ଟା କରି ସେ ନିସ୍ତେଜ ହୋଇ ପଡିଛି। ଦେହରେ ପଡିଥିବା କଳା ଚାଦର, ଲୋକଟିର ଅତୀତ ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛି । ସେଇ ଚଦର ତଳେ ମୁହଁ ଲୁଚାଇ ଚାରିପଟରେ ଥିବା ଦୃଶ୍ଯାବଳୀକୁ ଭଲ ଭାବରେ ନିରୀକ୍ଷଣ କରିବାରେ ସେ ବ୍ଯସ୍ତ ଥିଲା ପରି ମନେ ହେଉଛି। ସେତିକି ବେଳେ ଗୋଟିଏ ନାରୀ କଣ୍ଠର ବିରକ୍ତିଭରା ମୃଦୁ ଚିତ୍କାରରେ ସେ ଚମକି ପଡିଲା।

- - ଆରେ ତୁ ଅନ୍ଧ ନା କଣ? ଅଭଦ୍ର କୋଉଠିକାର। ତୋତେ ଭଦ୍ରାମୀ ଜଣା ନାହିଁ! ...କେତେ ଥର ମୋ ଗୋଡରେ ନିଜ ଦେହ ଆଣି ଘଷୁଛୁ।

– – କ୍ଷମା କରିବ ମାଆ, ମୁଁ ଜାଣି ପାରିଲିନି।

ସେତିକି ବେଳେ କୋଡିଏ ବର୍ଷର ଝିଅ ପାଖରେ ବସିଥିବା ଦୁଇଜଣ ଯୁବକ ଟିକେ ଉତ୍ତେଜିତ ହୋଇ ଲୋକଟିର ପାଖକୁ ମାଡିି ଆସିଲେ। ଭୟରେ ସେ ପଛକୁ ଘୁଞ୍ଚିଗଲା। ଜଣେ ପିଲା ତାକୁ କହିଲା-- ଆରେ ତୋର ଟିକେଟ୍ ଅଛି ନା ମାଗଣାରେ ଯାଉଛୁ ? ଏ ଜାଗା ରେ ଝିଅ ବୋହୁ ବସିଛନ୍ତି, ତୋତେ ଜାଗା ମିଳିଲାନି ଯେ ସେମାନଙ୍କ ପାଖରେ ଆସି ଘଷି ହେଉଛୁ। ଚୁପ୍ ଚାପ୍ ଏ ଯାଗାରୁ ଚାଲି ଯାଆ ନ ହେଲେ ଅବସ୍ଥା ଖରାପ୍ କରିଦେବି।

କିଛି ଉତ୍ତର ନ ଦେଇ ସେ ଯାଗାରୁ ଉଠି ଚାଲିଯିବା ସମୟରେ ଝିଅଟି ହୋ ହୋ ହସି କହିଲା-- ଲୋକଟାର ସାହାସ ଦେଖ, ମୁହଁ ଦେଖିଲେ ଦାଗୀ ପରି ଦିଶୁଛି। ପୁଣି ଝିଅଙ୍କ ପାଖରେ ଗେଞ୍ଜି ହୋଇ ବସିବା ପାଇଁ ମନ ଛଟପଟ ହୋଇଯାଉଛି।

ଆଉ ଜଣେ ପିଲା ଝିଅର ହସ ସହ ତାଳ ମିଳାଇ କହିଲା – ବୁଝିଲ ମିତା, ତୁମକୁ ଆଉ ପାରି ହେବନି। ତୁମେ ଗୋଡ ଲମ୍ବେଇ ବସିବ ବୋଲି ବିଚରା ଲୋକଟାକୁ ଏ ଯାଗାରୁ ବିଦା କରିଦେଲ! !

ଝିଅଟିର ବିଦ୍ରୁପାତ୍ମକ କଥା ଶୁଣି ଲୋକଟି ଦଣ୍ଡେ ଛିଡା ହୋଇଗଲା। ତା କଥା ଭିତରେ କିଛି ତ ଥିଲା, ଯାହା ଲୋକଟିର ବକ୍ଷଭେଦ କରି ରକ୍ତାକ୍ତ କରି ପକାଇଲା। ଗୁଣୁଗୁଣୁ ସ୍ବରରେ ସେ କହିଲା-- ହଁ... ମୁଁ ଜଣେ ଦାଗୀ। ଧିର ପଦକ୍ଷେପରେ ଯାଇ ଟ୍ରେନ୍ ର ଶୌଚାଳୟ ପାଖରେ ସେ ବସିଲା। ତା କାନ ରେ ବାରମ୍ବାର ସେଇ ଗୋଟିଏ କଥା ପ୍ରତିଧ୍ବନିତ ହେଉଥିଲା "ଦାଗୀ”।

ସପନପୁର ଗ୍ରାମର ସୁରିଆ । ସଂସାର ବୋଇଲେ ସେ ଓ ତାର ବୁଢୀ ମାଆ। ଜଣେ ଭଲ କମାର ଭାବରେ ଆଖପାଖ ପାଞ୍ଚ ଖଣ୍ଡ ଗାଁଆରେ ତାର ବେଶ୍ କାଟତି ଥିଲା। ମୁହଁ ଅନ୍ଧାରରୁ କମାରଶାଳରେ ପଶେ ଯେ ରାତିରେ ଫେରେ। ଦିନ ତମାମ ଲୁହା ଓ ନିଆଁ ସାଙ୍ଗେ ରହିରହି ତାର ଶରୀର ଲୁହା ପରି ଶକ୍ତ ଓ ମନ ନିଆଁ ପରି ସର୍ବଗ୍ରାସୀ ହୋଇ ସାରିଥିଲା। ସେ ମନରେ କୌଣସି ଭାବ ପାଇଁ ସ୍ଥାନ ନ ଥିଲା। ଦୁଃଖ, ନିରାଶା ଓ ବିଫଳତା ପରି ଭାବ ମାନ ତା ମନରେ ଅହରହ ଜଳୁଥିବା ନିଆଁରେ ଜଳିପୋଡି ପାଉଁଶ ହୋଇଯାଉଥିଲା। ସବୁଦିନ ରୋଗୀଣା ମାଆ ପାଇଁ ଖାଇବା ଓ ଓୌଷଧ ଘରେ ରଖି କମାରଶାଳ ରେ ପଶିଗଲା ପରେ ସେ ଦୁନିଆ ଭୁଲି ଯାଏ। ଦେହର ବଳ, ମନରେ ଥିବା କ୍ରୋଧ ଓ ବିଫଳ ଭାବନା ହାତରେ ଧରିଥିବା ମାର୍ତ୍ତୁଲରେ ମିଶି ଲୁହା ରେ ପଡୁଥିବା ପ୍ରହାର କୁ ଆହୁରି ଶକ୍ତିଶାଳୀ କରି ତୋଳୁଥିଲା। ରାଗ କେମିତି ବା ନ ହେବ!? ବାପାର ଅଚାନକ ମୃତ୍ଯୁ ପରେ ତା ମାଆ ପାଗଳୀପ୍ରାୟ ହୋଇଗଲା। ସେତେ ବେଳକୁ ତାର ବୟସ କମ୍ ଥିଲା। ବାପ ବଞ୍ଚିଥିଲା ବେଳେ ଚାଷ କରିବା ସହିତ କମାର କାମ ମଧ୍ଯ କରୁଥିଲା। କିନ୍ତୁ ସେ ମରିଗଲା ପରେ ବାପର ଭାଇ ମାନେ ଭଗାରୀ ସାଜିଲେ ଓ ସବୁ ଚାଷ ଜମି ହଡପ କରିନେଲେ। ପାଗେଳୀ ମାଆକୁ ନେଇ ବିଚରା ବାର ଦୁଆର ଶୁଣ୍ଢିପିଣ୍ଡା ହେଲା କିନ୍ତୁ କେହି ଆହା ପଦେ କହିଲେନି। ଯୁଆଡେ ଗଲା କେବଳ ତିରସ୍କାର ଓ ମାଡ ଗାଳି ମିଳିଲା। ଶେଷରେ ଅନ୍ଯ ଉପାୟ ନ ପାଇ କୋମଳ ହାତରେ ଧରିଲା ବାପ ଧରୁଥିବା ମାର୍ତ୍ତୁଲ । କଅଁଳ ହାତରୁ ଚମଡା ବାହାରି କେତେ ଥର ଯେ ରକ୍ତ ବାହାରିଛି ତା'ର ହିସାବ ନାହିଁ। କେତେ ଥର ନିଆଁ ଝୁଲ ପଡି ଦେହ ହାତ ଫୋଟକା ହୋଇଛି, କିନ୍ତୁ ଆହା ପଦେ କହିବାକୁ କେହି ନ ଥିଲେ। ନିଜ ପେଟ କୁ ଦାନା ନ ଗଲେ ନାହିଁ, ମାଆର ଖାଦ୍ଯ ଓ ଓୌଷଧ କଥା ବୁଝିବା ତା'ର ସବୁଠାରୁ ବଡ କର୍ତ୍ତବ୍ଯ ଥିଲା।

ଦିନ ପରେ ଦିନ ବିତିଯିବା ସହ ସୁରିଆର ହାତ ଓ ଶରୀର ଲୁହା ପରି ଶକ୍ତ ଓ କଠୋର ହୋଇ ଚାଲିଲା। ଅହରହ କସରତ କରି ଗାଁଆର ଅନ୍ଯ ଯୁବକ ମାନଙ୍କର ଦେହ ର ଗଠନ ଯାହା ହୋଇଥିଲା, ତା ଠାରୁ ଢେର୍ ଅଧିକ ଆକର୍ଷଣୀୟ ଓ ସୁଠାମ ଥିଲା ସୁରିଆର। ସାରା ଶରୀର ରେ କେବଳ ମାଂଶପେଶୀ ମାନଙ୍କର ପ୍ରାବଲ୍ଯତା ଥିଲା ଓ ତାକୁ ଦେଖିଲେ ଯେ କେହି ବି ଜଣେ ମଲ୍ଲଯୋଦ୍ଧା ବୋଲି ଭାବିବ ଏଥିରେ କୌଣସି ସନ୍ଦେହ ନ ଥିଲା। ଗାଁଆର ଯୁବକ ମାନଙ୍କ ଭିତରେ ସୁରିଆ ଥିଲା ଅନନ୍ଯ। ତାର ଦେହ ଲୁହା ପରି ମଜବୁତ୍ ହେଲେ କଣ ହେବ, ମନ ଥିଲା ଫୁଲ ପରି କୋମଳ। ମନରେ କପଟତା ର ଚିହ୍ନ ବର୍ଣ୍ଣ ନ ଥିଲା। ମାଆ ମରିଯିବା ପରେ ପ୍ରାୟ ସଦାବେଳେ ସେଇ କମାରଶାଳ ଭିତରେ କାମରେ ବୁଡି ରହିଥାଏ। ଏତେ ଦିନର କଠିନ ପରିଶ୍ରମ, ଅଧ୍ଯବସାୟ ଫଳରେ ସେ ପାଲଟି ଯାଇଥିଲା ଏକ ନମ୍ବରର କମାର। ଲୋକେ କୁହନ୍ତି , ସୁରିଆର ଲୁହା ଜିନିଷରେ ଥାଏ ଅନନ୍ଯ ବିଶଷତ୍ବ। ନ ରହିବ ବା କିପରି, ସଦାବେଳେ ସେ ଜଣେ ତପସ୍ବୀ ପରି ନିମଗ୍ନ ରହିଥାଏ ନିଜ କାମରେ ।

ପାଖ ଗାଁଆ ଯାତ୍ରାରେ ଜିନିଷ ବିକ୍ରୀ କରି ବେଶ୍ ଦୁଇ ପଇସା କମାଏ। ସେଇ ଯାତ୍ରା ପଡିଆରେ ତାର ସାକ୍ଷାତ ହୋଇଥିଲା ନେତି ସହ। ପିଲାଟି ଦିନରୁ ବାପାମାଆଙ୍କୁ ହରେଇଥିବା ନେତି, ସୁରିଆ ଭିତରେ କଣ ଦେଖିଲା କେଜାଣି, ତାକୁ ହିଁ ଜୀବନସାଥୀ କରିବା ଜିଦ୍ ରେ ଅଡି ବସିଲା। ନେତି କୁ ବାହାହେବା ପରେ ସୁରିଆ ଜୀବନ ବ୍ଯବସ୍ଥିତ ହୋ ଇ ଯାଇଥିଲା। ଜୀବନରେ ଥିବା ସମସ୍ତ ଅସମ୍ପୂର୍ଣ୍ଣତା ଦୂର ହୋଇଯାଇଥିଲା ନେତି ର ସାହଚର୍ଯ୍ଯରେ। ହସ ନାମକ ଭାବ ସହ ଅପରିଚିତ ଥିବା ସୁରିଆ ମୁହଁରେ ଏବେ ହସର ରେଖା ସଦାବେଳେ ଜଳଜଳ ହୋଇ ଦିଶୁଥିଲା। ଝାଟିମାଟି ଘରଟିକୁ ଅଳ୍ପ ମରାମତି କରିଦେବା ପରେ ଦୁଇ ପ୍ରାଣୀ ସେହି ଘରକୁ ସ୍ବର୍ଗସମ କରି ତୋଳିଥିଲେ। ସଞ୍ଚିଲା ପଇସାରେ କିଛି ଚାଷ ଜମି କିଣି ସୁରିଆ ଚାଷ ମଧ୍ଯ କଲା। ଘୋର ଦୁର୍ଦ୍ଦିନର ଘୁର୍ଣ୍ଣିଝଡରେ ପଡି ଆକ୍ତାମାକ୍ତା ହୋଇଯାଇଥିବା ସୁରିଆ ର ଜୀବନରେ ,ଆଶାର ଆଲୋକ ସଞ୍ଚାର କରିଥିଲା ନେତି। ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ, ନିୟତିର ଖେଳ ବଡ ବିଚିତ୍ର : ହସ ଭିତରେ ଲୁହ ଓ ଲୁହ ଭିତରେ ହସ ଫୁଟାଇବାର କଳାରେ ସିଦ୍ଧହସ୍ତ "ଭାଗ୍ଯ”, ସୁରିଆର ଜୀବନ ରେ ପୁଣି ଥରେ କଲା କ୍ରୁର ପ୍ରହାର।

ଥରେ ସେ ପାଖ ଗାଁଆକୁ ଜିନିଷ ବିକ୍ରି କରିବାକୁ ଯିବା ସମୟରେ ତା ଘରେ, ଗାଁଆ ମହାଜନର ମଦ୍ଯପ ପୁଅ ଜବରଦସ୍ତି ପଶି ନେତି ର ଇଜ୍ଜତ ନେବାକୁ ଚେଷ୍ଟା କଲା। ବିଚାରି ନେତି ଆପ୍ରାଣ ଚେଷ୍ଟା କରିବା ପରେ ମଧ୍ଯ ସେ ମାଂସଲୋଭୀ ପିଶାଚର କବଳରୁ ନିଜକୁ ରକ୍ଷା କରିପାରିଲା ନାହିଁ। ସାହି ଭାଇ ସବୁ ଘଟଣା ଦେଖି ମଧ୍ଯ ଚୁପ୍ ରହିବାକୁ ଠିକ୍ ମନେ କଲେ। ସୁରିଆ ପରି ଜଣେ ନିହାତି ସାଧାରଣ ଲୋକ ପାଇଁ କାହିଁକି ବା ସେମାନେ ମହାଜନ ପୁଅ ପରି କ୍ରୁର ଲୋକ ସହ ଶତୃ ତା କରିବେ! ! କେହି ଜଣେ ଖବର ଦେବାରୁ ସୁରିଆ ଏକା ନିଶ୍ବାସରେ ଘରେ ପହଞ୍ଚିଲା, କିନ୍ତୁ ସେତେ ବେଳକୁ ନେତି ଆଉ ଦୁନିଆରେ ନ ଥିଲା। ମହାଜନ ପୁଅର ଅତ୍ଯାଚାର ପରେ ସେ ସୁରିଆକୁ କେମିତି ମୁହଁ ଦେଖାଇବ ଭାବି, ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ଘର ପାଖ ଆମ୍ବଗଛରୁ ନେତିର ନିଥର ଶରୀର ତଳକୁ ଆଣିଲା ବେଳେ ସିଂହ ପରି ଗର୍ଜନ କହିଲା

–- ନେତି ଲୋ.....ଯାହା ପାଇଁ ତୋର ଏ ଅବସ୍ଥା ହୋଇଛି, ତାଆରି ରକ୍ତ ଆଣି ତୋ ଜୁଇରେ ଭେଟି ଚଢାଇବି।

ଲୋକେ ଭାବିଲେ ଦୁଃଖରେ ବୋଧେ ସେ ପାଗଳ ହୋଇଯାଇଛି। କାହାରି ସାହାଯ୍ଯ ନ ନେଇ, କାନ୍ଧରେ ନେତି କୁ ନେଇ ମଶାଣି କୁ ଗଲା। ଜୁଇ କାଠ ସଜାଇ ନିଆଁ ଲଗାଇଲା ପରେ କହିଲା-- ତୁ ଅପେକ୍ଷା କର ନେତି, ମୁଁ ସାଙ୍ଗେସାଙ୍ଗେ ଆସୁଛି। ସେ ଗାଁଆକୁ ଫେରିବା ଦେଖି ଲୋକେ ଆଚମ୍ବିତ ହେଲେ, କିନ୍ତୁ ତାକୁ କିଛି ପଚାରିବାର ସାହାସ ନ କରିପାରି ଚୁପ୍ ରହିଲେ। କିଛି ସମୟ ପରେ ଦେଖାଗଲା, ସୁରିଆ ହାତରେ ମହାଜନ ପୁଅର ରକ୍ତାକ୍ତ ମୁଣ୍ଡ। ଲାଗୁଥିଲା ସତେ କି ସୁରିଆ ରକ୍ତର ହୋଲି ଖେଳି ଆସିଛି। ମଶାଣି ରେ ଛାତି ବାଡେଇ ବାହୁନି କାନ୍ଦିବା ବେଳେ ମହାଜନ ପୋଲିସ୍ ଧରି ଆସିଲା ଓ ସୁରିଆ କୁ ସେମାନେ ଘାଷାଡି ନେଇଗଲେ।

ଟ୍ରେନ୍ ଟି ଛିଡା ହୋଇଛି, ଷ୍ଟେସନ ଆସିଲା ବୋଧେ। ଲୋକ ମାନେ ଧାଡି ବାନ୍ଧି ଚଢିବାରେ ବ୍ଯସ୍ତ। ଟିକେ ପଛକୁ ଘୁଞ୍ଚିଗଲା ସୁରିଆ। ଭିତରେ ଛିଡା ହେବାପାଇଁ ଯାଗା ନାହିଁ, ତଥାପି ଲୋକମାନେ ପଶି ଚାଲିଛନ୍ତି। ତାକୁ ଦାଗୀ ବୋଲି କହିଥିବା ଝିଅଟି ତଳକୁ ଓହ୍ଲାଇଥିଲା ବୋଧେ। ହାତରେ ପାଣି ବୋତଲ ଓ କିଛି ଖାଇବା ଜିନିଷ ଧରି ଚଢିଲା। ତା ସାଙ୍ଗରେ ସେଇ ଦୁଇଟା ପିଲା। ସେମାନଙ୍କ ଭିତରେ ଥଟ୍ଟା ତାମସା ଚାଲିଛି। ଝିଅଟି ସୁରିଆ କୁ ତୀକ୍ଷଣ ନଜରରେ ଚାହିଁଲା, ତଳକୁ ମୁହଁ ପୋତିଦେଲା ସେ।

--- ଏ ଦାଗୀ, ତୁ ଏଇଠି ବସିଛୁ? ମୁଁ ଭାବିଲି ତୁ ଅପମାନରେ ଟ୍ରେନ୍ ଆଗକୁ ଡେଇଁ ପଡିଲୁ ବୋଲି।

– ସେମିତି କାହିଁକି କହୁଛ ମିତା, ସେ ତୁମର କଣ କ୍ଷତି କଲା ଯେ ତାକୁ ଏତେ ଅପମାନିତ କରୁଛ।

– – ତୁମ ଭଦ୍ରାମୀ ତୁମ ପାଖରେ ରଖ ରାଜେଶ୍। ସେ ଦାଗୀ ଟା ପାଇଁ ଏତେ ଦରଦ କାହିଁକି? ସେ ତୁମ ବନ୍ଧୁ ବାନ୍ଧବ ନା କଣ?

– ଆରେ ଭିତରକୁ ଚାଲ, ତୁମେ ଏମିତି ମାଡଗୋଳ ହେଲା ବେଳକୁ ଟ୍ରେନ୍ ଛାଡିଦେବ ଯେ! ଏବେ ଠୁ ଯଦି ଏ ଅବସ୍ଥା , ବାହାଘର ପରେ ତୁମ ଦି ଜଣ କେମିତି ହେବ ମୁଁ ଜାଣି ପାରୁଛି। କହିଲା ଆର ପିଲା ଟି।

– କେଜାଣି କାହିଁକି, ଏ ଦାଗୀ ପରି ଲୋକ ମାନଙ୍କୁ ଦେଖିଲେ ମୋତେ ଭୀଷଣ ଘୃ ଣା ଲାଗେ। ଏମାନଙ୍କର ସଭ୍ଯ ସମାଜରେ ରହିବାର ଅଧିକାର ନାହିଁ। ଚିଡିଲା ପରି କହିଲା ମିତା।

– – କିନ୍ତୁ ତାକୁ ଦାଗୀ ବୋଲି କହିବାର ମାନେ କଣ ମିତା?

– – ଦାଗୀ ନ କହି କଣ ମହାପୁରୁଷ ନା ସନ୍ଥ କହିବି? ତା ମୁହଁ ଦେଖ, ଚେହେରା ଦେଖ, ଆଖି ଦେଖ। ପରମ ଚୋରଟେ ପରି ଦିଶୁଛି। ଛିଃ.....

--- ତୁମେ ଭିତରକୁ ଚାଲ ମିତା, ଆହୁରି ଅନେକ ବାଟ ଯିବାର ଅଛି।

ସେ ଝିଅ ଓ ପିଲା ଦୁଇଜଣ ଙ୍କର କଥା ଶୁଣି ଭୀଷଣ କ୍ଷତାକ୍ତ ହେଲା ସୁରିଆ। ସେ ତ ସେ ପିଲା ମାନଙ୍କୁ କିଛି ବି କହିନି, ତେବେ କାହିଁକି ସେମାନଙ୍କର ଏତେ ଘୃ ଣା। ସେ ଭଲ ଲୋକଙ୍କ ପରି ବେଶପାଷାକରେ ନାହିଁ ବୋଲି, କଣ ତାର ସମ୍ମାନର ସହ ବଞ୍ଚିବାର ଅଧିକାର ବି ନାହିଁ?

ସେତିକି ବେଳେ ଟିକେଟ୍ ଯାଞ୍ଚ କରିବାକୁ ଟିଟି ଆସିଲେ ଓ ସୁରିଆକୁ ଧମକାଇ ପଚାରିଲେ ଟିକେଟ୍ ଅଛି କି ନାହିଁ। ପକେଟ୍ ଭତରୁ ମୋଡାମୋଡି ହୋଇ ରହିଥିବା ଏକ କାଗଜ କାଢି ଟିଟି ହାତକୁ ବଢାଇ ଦେଲା ସେ। ଭଲରେ ନିରୀକ୍ଷଣ ଟିଟି ପଚାରିଲେ-- ଏ କାଗଜ ଆଉ କାହାକୁ ଦେଖେଇନୁ ତ? ମୁଣ୍ଡ ହଲାଇ ନାଁ କଲା ସେ। ଆଗ ଷ୍ଟେସନ୍ ରେ ଓହ୍ଳାଇବ ବୋଲି କହିବାରୁ ଟିଟି ଚାଲିଗଲେ। ଟ୍ରେନ୍ ଚାଲିବାକୁ ଲାଗିଲା ଓ ଜେଲ୍ ରୁ ବାହାରିବା ସମୟରେ ଜେଲର୍ ଦେଇଥିବା କାଗଜକୁ ଭଲରେ ଥରେ ଦେଖି ପୁଣି ପକେଟ ଭିତରେ ପୁରେଇବା ସହ ସୁରିଆ ଫେରିଗଲା ଅତୀତ କୁ।

ଥାନାରେ ହାତ ଗୋଡ ବାନ୍ଧି ସୁରିଆ କୁ ବହୁତ୍ ମାଡ ମାରିଲେ ପୋଲିସ ଓ ମହାଜନ। ବାଡି ପରେ ବାଡି ଭାଙ୍ଗି ଚାଲିଲା, କିନ୍ତୁ ସୁରିଆ ପାଟିରୁ କଷ୍ଟସୂଚକ କ୍ଷୀଣ ଚିତ୍କାରଟିଏ ମଧ୍ଯ ବାହାରିଲା ନାହିଁ। ତା ନାମରେ ମଣିଷମରା କେଶ୍ ଚାଲିଲା। ଆଇନ କାନୁନ ବିଷୟରେ ସେ କଣ ବା ଜାଣିଛି! କୋର୍ଟ, କଚେରୀ, ଥାନା, ଓକିଲ, ବିଚାରପତି ଆଦି ନାମ ତା ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। ଭୀଷଣ ଜନଗହଳିପୂର୍ଣ୍ଣ ସ୍ଥାନରେ ଛିଡା ହେଲେ ଯେପରି ବିନା ଚେଷ୍ଟାରେ ପାଦ ଆଗକୁ ବଢିଚାଲେ, ଠିକ୍ ସେମିତି ସୁରିଆ ଥାନା, କୋର୍ଟ, ବିଚାର ଓ ଆଜୀବନ ଜେଲଦଣ୍ଡ ପରି ପର୍ଯ୍ଯାୟ ମାନ ପାର କରିସାରିଥିଲା ବିନା ପ୍ରଚେଷ୍ଟାରେ।

ସେଦିନ ଅଦାଲତରେ ବିଚାରପତି ପଚାରିଲେ-- ତୁମେ ହତ୍ଯା କରିଛ?

– --ହଁ ହଜୁର୍ ମୁଁ ହତ୍ଯା କରିଛି, ମାତ୍ର ମଣିଷର ନୁହଁ ପିଶାଚର। ସେମିତି ପିଶାଚ ଯେବେ ବି ମୋ ହାବୁଡରେ ପଡିବେ ତାଙ୍କର ଅବସ୍ଥା ମଧ୍ଯ ସେହିପରି ହେବ।

– ବେଶ୍ ତେବେ ତୁମେ ସାରା ଜୀବନ ଜେଲ୍ ର ଚାରିକାନ୍ଥ ଭିତରେ ସଶ୍ରମ କାରାଦଣ୍ଡର ଜୀବନ ବଞ୍ଚିବା ପାଇଁ ପ୍ରସ୍ତୁତ ହୁଅ। ବିରକ୍ତ ହୋଇ କହିଲେ ବିଚାରପତି।

– - ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ଯ ହଜୁର୍, ମୁଁ ପ୍ରସ୍ତୁତ।

ବର୍ଷ ପରେ ବର୍ଷ ବିତି ଚାଲିଲା ଜେଲ୍ ର ଚାରି କାନ୍ଥ ଭିତରେ। ଏତେ ବର୍ଷ ଭିତରେ ସେ ସିନା ବାହାରକୁ ଯାଇନି କିନ୍ତୁ ତାର ଦୁର୍ନାମ ଜେଲର ପାଚେରୀ ଡେଇଁ ବାହାରକୁ ଚାଲି ଯାଇଥିଲା। ଗାଁଆରେ ତାକୁ ଲୋକେ ସୁରିଆ ଦାଗୀ ନାମରେ ଜାଣୁଥିଲେ। ଉତ୍ତମ ବ୍ଯବହାର ଓ ସାହାଯ୍ଯକାରିତା ଗୁଣ ପାଇଁ ଜେଲରେ ସୁରିଆ ସମସ୍ତଙ୍କର ପ୍ରିୟ ଥିଲା। ଜେଲ୍ ଚାରିକାନ୍ଥ ଭିତରେ ସେ ଲୁହା କାମ କରିବା କାର୍ଯ୍ଯ ଜାରି ରଖିଥିଲା ଓ ଭଳି କି ଭଳି ଜିନିଷ ମାନ ତିଆର କରି ଯୋଗାଉଥିଲା। ବହୁ ବର୍ଷ ଜେଲ୍ ରେ ରହିବା ପରେ ଦଣ୍ଡ କୋହଳ କରାଯାଇ ତାକୁ ମୁକ୍ତ କରାଗଲା। କିନ୍ତୁ ସେ ବାହାରକୁ ଆସିବାକୁ ଚାହୁଁ ନ ଥିଲା। ବାହାରେ ତାର ଦୁନିଆ ବୋଲି କିଛି ନ ଥିଲା। ନା ଥିଲେ ସାଙ୍ଗ ସାଥୀ ନା ବନ୍ଧୁବାନ୍ଧବ। ଜେଲରୁ ବାହାରି ସିଧା ନେତିର ଶେଷ ଠିକଣା ,ଗାଁଆ ମଶାଣି କୁ ଗଲା। କିନ୍ତୁ ଏ କଣ!! ସେ ଯାଗାରେ ମଶାଣି ନ ଥିଲା; ବରଂ ଗଢି ଉଠିଥିଲା ଏକ ନୂଆ ବସ୍ତି। ଗାଁଆ ଭିତରକୁ ପଶିଲା ବେଳେ ଦେଖିଲା, ଲୋକେ ତାକୁ ଦେଖି ତାଟି କବାଟ ପକେଇ ଦେଉଛନ୍ତି। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା – ଏ ଦାଗୀ ଟା ପୁଣି ଗାଁଆ କୁ ଚାଲି ଆସିଲା! ମଣିଷମରା ଟା , ତା ମୁହଁ ଦେଖିଲେ ଅଶୁଭ ହେବ। ବିନା ବାକ୍ଯବ୍ଯୟରେ ସୁରିଆ ଗାଁଆ ଛାଡି ଚାଲି ଆସିଲା ଦୂର କୁ ..ବହୁତ୍ ଦୂର । କୁଆଡେ ସେ ଯିବ ଜାଣିନି, କିନ୍ତୁ ତାକୁ ଯିବାକୁ ହେବ। ଘଟଣା ଘଟିବାର ଏତେ ବର୍ଷ ପରେ ମଧ୍ଯ ତା ମନରେ ନରହତ୍ଯା ପରି ସଙ୍ଗୀନ ଅପରାଧ ପାଇଁ ଅନୁତାପ ନାହିଁ, ବରଂ ମନରେ ଅଛି ଅଶେଷ ଆନନ୍ଦ। ସେ ଜଣେ ଅପରାଧୀ କୁ ଉଚିତ୍ ଦଣ୍ଡ ଦେଇପାରିଛି।

କାହାର ଚିତ୍କାର ଶୁଣି ଭାବନା ରାଜ୍ଯରୁ ଫେରି ଆସିଲା ସୁରିଆ। ଏ କଣ! କେହି ଜଣେ ନାରୀ ବିକଳରେ କାନ୍ଦୁଛି। ସେ ଜାଗାରୁ ଉଠି ଟ୍ରେନର ସିଟ୍ ଆଡକୁ ମୁହାଁଇଲା। ଚାରି ଜଣ ମଦ୍ଯପ ଯୁବକ ସେ ଝିଅ ଟିକୁ ହଇରାଣ କରିବାରେ ଲାଗିଛନ୍ତି। ପାଖରେ ଥିବା ଲୋକମାନେ ନିଘୋଡ ନିଦରେ ଶୋଇବାର ଅଭିନୟ କରୁଛନ୍ତି। କିଛି ଲୋକ ତ ମୁହଁରେ କମ୍ବଳ ଘୋଡାଇ ବାହାର ଦୁନିଆର ଘଟଣାବଳୀରୁ ନିଜକୁ ଅଲଗା ରଖିବାର ଚେଷ୍ଟାରେ ଲାଗିଛନ୍ତି। ଝିଅ ଟି ସାଙ୍ଗରେ ଆସିଥିବା ପିଲା ଦୁଇଟା ଙ୍କୁ ସେ ଲୋକ ମାନେ ବାଡେଇ ଗୋଟିଏ କୋଣରେ ଚାପି ଧରିଛନ୍ତି। ଝିଅଟି କାନ୍ଦି କାନ୍ଦି ସେମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ କରୁଛି, କିନ୍ତୁ ସେ ଲୋକ ମାନଙ୍କ ଆଖିରେ କାମନା ର ନିଆଁ। ଭୋକିଲା ବାଘ ଶିକାର କୁ ମାଡି ବସିବା ପରି ସେମାନେ ଝିଅଟିକୁ ଚାରି ପଟରୁ ଧରି ପକେଇଛନ୍ତି। କାନ୍ଦିକାନ୍ଦି ସେ ନୟାନ୍ତ ହୋଇ ଗଲାଣି, କିନ୍ତୁ କେହି ଜଣେ ହେଲେ ସାହାଯ୍ଯ ପାଇଁ ଆସୁ ନାହାଁନ୍ତି।

ସୁରିଆ ଆଖିରେ ନାଚି ଗଲା ନେତିର ମୁହଁ। ସେଦିନ ମହାଜନର ପୁଅ ତା ନେତି କୁ ଏମିତି ଖିନ୍ ଭୀନ୍ କରି ଅତ୍ଯାଚାର କରି ଚାଲିଥିବ ଓ ଗାଁଆ ଲୋକେ ସବୁ ଜାଣୁଥିଲେ ବି ନୀରବଦ୍ରଷ୍ଟା ହୋଇ ଦେଖୁଥିବେ। କିଏ ପିଶାଚ? ଅତ୍ଯାଚାର କରୁଥିବା ଲୋକ ମାନେ ନା ନିଜ ଆଖି ସାମନା ରେ ଅତ୍ଯାଚାର ହେବାର ଦେଖି ମୁହଁମୋଡି ରହୁଥିବା ଲୋକ ମାନେ?

ଗୁରୁ ଗମ୍ଭୀର କଣ୍ଠରେ ସୁରିଆ କହିଲା-- ସେ ଝିଅ କୁ ଛାଡି ଦିଅ।

ସେ ଦୁର୍ବୁତ୍ତ ମାନଙ୍କ ଭିତରୁ ଜଣେ କହିଲା-- ଆରେ ଦେଖ, ଯୁଗ ଆସି କୁଆଡେ ପହଞ୍ଚିଲାଣି ! ଏବେ ଭିକାରୀ ମାନେ ଆସି ଆମ ମୁହଁରୁ ଶିକାର ଛଡେଇବା କାମ ଆରମ୍ଭ କଲେଣି।

ସୁରିଆ ସ୍ପଷ୍ଟ ଦେଖି ପାରୁଥିଲା ସେ ଝିଅଟି ଆଖିରେ ଭୟ ଓ ଆତଙ୍କର ଛବି। କେହି ରକ୍ଷା ନ କଲେ କିଛି କ୍ଷଣ ଭିତରେ ତାର ସର୍ବସ୍ବ ଲୁଣ୍ଠିତ ହୋଇଯିବ। ବିଚାରୀ ର କେଶ ଅସ୍ତବ୍ଯସ୍ତ, ପିନ୍ଧା ବସନ ଠାଏ ଠାଏ ଚିରି ଯାଇଛି। ହାତ ଓ ମୁହଁରେ ଆମ୍ପୁଡା ଚିହ୍ନ ଓ ଗାଲରେ ମାଡର ସ୍ପଷ୍ଟ ଛବି। ସ୍ଥାନଟି ଭୀଷଣ ମଦ ଓ ସିଗାରେଟ୍ ଗନ୍ଧରେ ଅସ୍ବସ୍ତିକର ଲାଗୁଥିଲା। ବେଶ୍ କିଛି ସମୟ ଧରି ଏହି ଦୁର୍ବୁତ୍ତ ମାନେ ଏହି ପୈଶାଚିକ କାଣ୍ଡ ଚଲାଇଛନ୍ତି ବୋଲି ଜାଣି ପାରିଲା ସେ। ଝିଅଟି ପାଖ କୁ ଯାଇ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଗଲା ବେଳେ ଦେଖିଲା ଝିଅଟି ହାତ ଯୋଡି ତାକୁ କଣ କହୁଛି। ଆଖି ସାମନାରେ ନେତି ର ମୁହଁ ସ୍ପଷ୍ଟ ରୁ ସ୍ପଷ୍ଟତର ହେବାରେ ଲାଗିଛି। ତା ନେତି କୁ ଚାରି ଜଣ ମାଂସଲୋଭୀ ରାକ୍ଷସ ଘେରି ରହିଛନ୍ତି। ତାକୁ ଯୁଦ୍ଧ କରିବାକୁ ହେବ, ନେତି କୁ ଉଦ୍ଧାର କରିବାକୁ ହେବ।

ସୁରିଆ ଘୋଡାଇ ହେଇଥିବା କଳା ଚାଦରଟି ତଳେ ପଡିଲା। ବଗିରେ ଜଳୁଥିବା ଝାପସା ଆଲୁଅରେ ତା ଶରୀରର ସ୍ଫୀତ ମାଂଶପେଶୀ ଓ ବିଶାଳ ବପୁ ସ୍ପଷ୍ଟ ଦିଶିଲା। ସେ ଚାରି ଜଣଙ୍କ ଭିତରୁ କେହି ଜଣେ ଥଟ୍ଟା କରି କହିଲା – ଆରେ ଭାଇ ଦେଖ, ଏ ଝିଅର ଅଙ୍ଗରକ୍ଷୀ ଆସିଲାଣି। ଆମକୁ ଏବେ ବହୁତ ମାରିବ....ହାଃ ହାଃ ହାଃ

ସେ ଲୋକର ହସ ସମାପ୍ତ ହେବା ପୂର୍ବରୁ ତା'ର ରକ୍ତାକ୍ତ ପାଟିରୁ ଦାନ୍ତ କେତେଟି ତଳେ ଗଳି ପଡିବା ଦୃଶ୍ଯ ହେଲା। ଝିଅ ଟିକୁ ଛାଡି ଦେଇ ବାକି ତିନି ଜଣ ସୁରିଆ ଉପରକୁ ଲମ୍ଫ ପ୍ରଦାନ କଲେ। ମାତ୍ର ସେମାନେ କାହୁଁ ଜାଣିବେ ସୁରିଆର ବଳ ଓ ଶକ୍ତି ବିଷୟରେ। ଲାଗୁଥିଲା ସତେ କି ଜଣେ ଯୋଦ୍ଧା, ଶତୃପକ୍ଷର ସୈନ୍ଯ ମାନଙ୍କୁ ପ୍ରହାର ପରେ ପ୍ରହାର କଷି ଭୁଲୁଣ୍ଠିତ କରିଚାଲିଛି। ତା ଆଖିରେ ଅଗ୍ନୀ ବର୍ଷା ହେଉଥିଲା ଓ ପ୍ରହାର ର ଶବ୍ଦ ଶୁଣିଲେ ଲାଗୁଥିଲା ସତେ କି ଲୁହା ଉପରେ ଲୁହା ପଡିଚାଲିଛି। ପାଳି ପାଳି କରି ସେ ସମସ୍ତ ଦୁର୍ବୁତ୍ତ ମାନଙ୍କୁ ନିର୍ମମ ଭାବରେ ମାରି ସେ ରକ୍ତାକ୍ତ କରି ଚାଲିଥିଲା। ସୁରିଆର ଶକ୍ତି ସମ୍ମୁଖରେ ସେମାନେ ଶକ୍ତିହୀନ ହୋଇ ପଡିଥିଲେ। ସେତିକି ବେଳେ ଜଣେ ଦୁର୍ବୁତ୍ତ ସୁରିଆ ର ପେଟରେ ଛୁରୀ ଭୁଷି ଦେଲା। ଗଭୀର କ୍ଷତ ହେଲା ସତ, କିନ୍ତୁ ତାହା ସୁରିଆ କୁ ଦମନ କରିବା ପରିବର୍ତ୍ତେ ଆହୁରି ଭୟଙ୍କର କରିଦେଲା। ସେ ଲୋକର ହାତରୁ ଛୁରି ଟାଣି ନେଇ ଜଣ ଜଣ କରି ସମସ୍ତଙ୍କ ବେକ ଉପରେ ଛୁରୀ ଚଲାଇ ଦେଲା ସୁରିଆ। ସମସ୍ତଙ୍କ ଆଖି ସାମନା ରେ ଚାରିଟି ପ୍ରାଣହୀନ ଶରୀର ନିଶ୍ଚଳ ହୋଇ ପଡି ରହିଲା। ଝିଅଟି ଆସି ସୁରିଆର ପାଦ ତଳେ ପଡି ଭୋ ଭୋ କାନ୍ଦିବାକୁ ଲାଗିଲା। ସୁରିଆ ସେ ଝିଅ ଟିକୁ ଉଠାଇ କହିଲା – ମାଆ ତୋ ଆଖି ସାମନା ରେ ଯାହା ସବୁ ଘଟିଗଲା ସେସବୁ ଦେଖିବା ପରେ, ଏବେ ମୋତେ ଦାଗୀ ଡାକିଲେ ମୋର କିଛି ଆପତ୍ତି ନାହିଁ। କମ୍ବଳ ଭିତରୁ ଅଭିନେତା ମାନେ ମୁହଁ କାଢି ଦେଖିଲା ବେଳକୁ ସୁରିଆ ହାତରେ ଛୁରୀ ଧରି କହିଲା-- ତୁମେ ମାନେ କେହି କିଛିି ଦେଖିନ, ଯଦି କିଏ ମୁହଁ ଖୋଲିବ ତାର ଅବସ୍ଥା ମଧ୍ଯ ଏମାନଙ୍କ ପରି ହୋଇଯିବ। ଭୀରୁ କାପୁରୁଷ ମାନେ, ତୁମ ସାମନା ରେ ସେ ଲୋକ ମାନେ ଝିଅଟିକୁ ଏତେ ହନ୍ତସନ୍ତ କଲେ, ତୁମେ ତାକୁ ନ ବଞ୍ଚାଇ ଏଠି ତାମସା ଦେଖୁଥିଲ! ଛିଃ.... କିଛି କ୍ଷଣ ଭିତରେ କମ୍ବଳ ତଳେ ପୁଣି ସେ ମୁହଁ ଗୁଡିକ ଲୁଚିଗଲା। ସୁରିଆ ଚାରି ଟି ଯାକ ମୃତ ଶରୀର କୁ ଟ୍ରେନ୍ ବାହାରକୁ ନିକ୍ଷେପ କରିବାର କିଛି ସମୟ ପରେ ଝିଅ ଟି ଟ୍ରେନ୍ ର ଚେନ୍ ଟାଣିଦେଲା। ସୁରିଆ କୁ ହାତ ଯୋଡି କହିଲା-- ମୋତେ କ୍ଷମା କରିବେ ଆଜ୍ଞା, ଆପଣ ମୋ ପାଇଁ ଦେବତା। କିନ୍ତୁ ଆପଣ ଏହିକ୍ଷଣି ଏ ଟ୍ରେନ୍ ଛାଡି ଚାଲିଯାଆନ୍ତୁ। ଆଗ ଷ୍ଟେସନରେ କଣ ହେବ ଭଗବାନଙ୍କୁ ଜଣା। ଏ ଦୁନିଆ ବହୁତ ନିଷ୍ଠୁର, ସେ ଆପଣଙ୍କ ପରି ଦେବତା କୁ ମଧ୍ଯ ଅସୁର ବୋଲି ଅଭିହିତ କରିବାକୁ ପଛାଇବ ନାହିଁ।

ଜଙ୍ଗଲ ଭିତରେ ଲମ୍ବା ପାହୁଣ୍ଡ ପକେଇ ଚାଲିଲା ବେଳେ ସୁରିଆ ମନେମନେ କହୁଥିଲା – ମୁଁ ଥରେ ଅସୁର ହୋଇଥିଲି, ଆଜି ପୁଣି ଥରେ ହେଲି। କିନ୍ତୁ ଏମିତି ଅସୁର ହେବାରେ ଯେଉଁ ଶାନ୍ତି, ତାହା ବର୍ଣ୍ଣନା କରିବା କଷ୍ଟ। ମୋର ଦେବତା ହେବାରେ ଆଗ୍ରହ ନାହିଁ, ମୋ ସାମନା ରେ ଯଦି କେବେ ଏମିତି ଘଟଣା ର ପୁନରାବୃତ୍ତି ହେବ ମୁଁ ପୁଣି ଅସୁର ହେବାକୁ ପଛାଇବି ନାହିଁ।

*******ସମାପ୍ତ****


Rate this content
Log in

Similar oriya story from Drama