Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Inspirational Tragedy

2  

Aravinda Das

Inspirational Tragedy

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

3 mins
7.5K


"ଫ୍ଲାଟ ନମ୍ବର ୨୦୨ , ସେ  ମୋହନ ବୁଢ଼ା, ଜମା ମିଶିବନି ଦୀପାବଳୀ ପାର୍ଟିରେ । ମହା କଂଜୁସ୍ ବୁଢ଼ା । ପୁରା ଏକୁଟିଆ ବାଁଆରା ଲୋକଟା । ଗତ ବର୍ଷ ଦିୱାଲୀ ଦିନ ବୁଢ଼ା ଯେଉଁ ହଙ୍ଗାମା କରିଥିଲା, ତା କଣ ଭୁଲିହେବ ?"

ବନ୍ଧୁ ରବି କଥା ଶୁଣି ସମୀର ଆଶ୍ଚର୍ଯ୍ୟ ହୋଇ ପଚାରିଲା, " ତାଙ୍କ ଘରେ ଆଉ ସବୁ କିଏ ରହୁଛନ୍ତି ? ମାନେ ତାଙ୍କ ସ୍ତ୍ରୀ,ପିଲାମାନେ "?

ପଡିଶା ସାହୁ ବାବୁ କହିଲେ," ଏଇ ବର୍ଷେ ତଳେ ମୋହନବାବୁ ଏଇ ସେକେଣ୍ଡ ହ୍ୟାଣ୍ଡ ଫ୍ଲାଟ କିଣିଛନ୍ତି । ତାଙ୍କ ସ୍ତ୍ରୀଙ୍କ ସ୍ଵର୍ଗବାସ ହୋଯାଇଛି । ପିଲାପିଲି କେହି ନାହାନ୍ତି ବୋଲି ଥରେ କହୁଥିଲେ । ଗତ ବର୍ଷ ଦୀପାବଳୀ ଦିନ ମୋ ଝିଅ ତାଙ୍କ ଅନ୍ଧାର ଘର ଆଗରେ ଦୀପ ଲଗାଇ ରଖିଦେଇଥିଲା ବୋଲି, ବୁଢ଼ା ରାଗିକି ପାଟିଗୋଳ କରିଥିଲା ଓ ଦୀପକୁ ଲିଭାଇ ଦେଇଥିଲା । 'ମୋ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଲେ ବି ଆପଣମାନେ କାହିଁକି ଶୁଣୁ ନାହାନ୍ତି । ମୁଁ ଦୀପାବଳୀ ପାଳେ ନାହିଁ । 'କହି ପାଟି କମ୍ପାଇ ଥିଲା। ? ବାସ୍, ତା ପରଠୁ ତାଙ୍କର, ମୋର କଥା ବନ୍ଦ । ଦିନ ସାରା କୁଆଡେ ଚାଲିଯାଏ ବୁଢ଼ା, ରାତିରେ ଫେରେ।"

ଆପାର୍ଟମେଣ୍ଟରେ ଏଥର ସମସ୍ତେ ଏକାଠି ମିଶି, ଧୁମ୍ ଧାମରେ ଦୀପାବଳୀ ପାଳନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମୁଣ୍ଡପିଛା ୩୦୦/ ଟଙ୍କା ଆଦାୟ ବି ହେଉଥିଲା। "

ଏ ବୁଢ଼ାର ଅନ୍ୟ କେଉଁ ସ୍ତ୍ରୀ ସହ ଚକ୍କର ଥିବ।"ପଛରୁ କିଏ କହୁଥିଲା।

"ସେ ବୁଢ଼ାକୁ ନମିଶେଇଲେ କଣ କ୍ଷତି ହେବ ?"

ସମୀରକୁ ଦାୟିତ୍ୱ ଦିଆଗଲା ମୋହନଙ୍କୁ ଆୟୋଜନରେ ମିଶାଇବା ପାଇଁ । ନୂଆ କରି ଫ୍ଲାଟ କିଣିଥିବା ସମୀରର ଚିନ୍ତା ବଢ଼ି ଯାଇଥିଲା। ପରଦିନ ନିଜ ୬ ବର୍ଷର ପୁଅ ରାଜାକୁ ନେଇ ,ସମୀର ହାତରେ କିଛି ଛେନା ମଣ୍ଡା ଓ କାକରା ପିଠା ନେଇ ପହଁଚିଲା ଫ୍ଲାଟ ନମ୍ବର ୨୦୨; କଲିଙ୍ଗ ବେଲ ମାରିବା ପରେ କବାଟ ଖୋଲିଲେ ମୋହନ ବାବୁ। "

ମୁଁ ସମୀର। ବ୍ୟାଙ୍କରେ କାମ କରେ। ନୂଆ କରି ଏ ଆପାର୍ଟମେଣ୍ଟକୁ ଆସିଛି । ଭାବିଲି ଆପଣଙ୍କ ସହ ପରିଚିତ ହୋଇଯାଏ । ଏଥର ଆପାର୍ଟମେଣ୍ଟରେ ଦୀପାବଳୀ ଫଙ୍କସନ ହେଉଛି ବୋଲି ଶୁଣିଲି।"

ଏକ ବିରକ୍ତି ଭରା ସ୍ୱରରେ ମୋହନ ବାବୁ କହିଲେ, " ତମକୁ ମୋ ଠାରୁ ଚାନ୍ଦା ଆଦାୟ ପାଇଁ କମିଟି ବାଲା ପଠାଇ ନାହାନ୍ତି ତ ? ମୋର ମିଶିବାର ନାହିଁ । ଆଇ ହେଟ୍ ଦୀୱାଲି।"

''ଜେଜେ, ମୋ ମମି ଏ ପିଠା ଦେଇଛି । ଖାଇକି କୁହ କେମିତି ହୋଇଛି।"

ରାଜା କଥା ଶୁଣି ଟିକେ ଚମକି ପଡିଲେ ମୋହନ ବାବୁ । କ୍ଷଣିକ ପାଇଁ ଅନ୍ୟମନସ୍କ ହୋଇଗଲେ । ରାଜା ହାତରୁ ପ୍ଲେଟ ନେଇ, ଭିତରକୁ ଦୁହିଁଙ୍କୁ ଡାକିଲେ ମୋହନବାବୁ।

କଥାବାର୍ତ୍ତା ଆରମ୍ଭ ହେଲା । ସମୀର ଦେଖିଲା କାନ୍ଥରେ ଫୁଲମାଳ ଦିଆ ହୋଇ ଟଙ୍ଗା ହୋଇଥିବା ମହିଳାଙ୍କ ଫଟ ।

" ମୋ ସ୍ତ୍ରୀ ଉମା । ବିଚାରୀ ମଲା ପୂର୍ବରୁ ବଡ଼ କଷ୍ଟ ପାଇଲା । ବହୁତ ଘାଣ୍ଟି ହେଲା।"

ସମୀର ପଚାରିଲା, କଣ କ୍ୟାନସର ହୋଇଥିଲା ?

"ନା, କ୍ୟାନସର ଠାରୁ ବି ବଡ଼ ମାରାତ୍ମକ ରୋଗ । "

"ଆପଣଙ୍କ ପିଲାମାନେ ? କାହା ଫଟ ଦେଖୁନି। "

ମୋର କେହି ପିଲାଛୁଆ ନାହାନ୍ତି।ଆଇ ଆମ ଆଲୋନ । ଏକୁଟିଆ ବଞ୍ଚିବାକୁ ଶିଖିଗଲିଣି।"

"ଜେଜେ ପିଠା ଖାଉନ ?" ରାଜା କହିଲା । ପିଠା ଗୋଟାଏ ଖାଇ ,ରାଜାକୁ କୋଳକୁ ନେଇ କହିଲେ, ମମିଙ୍କୁ କହିବୁ ବହୁତ ବଢିଆ ହୋଇଛି । 

ସମୀର ଦେଖିଲା ,ମୋହନବାବୁଙ୍କ ଆଖି କେମିତି ଛଳ ଛଳ ହୋଉଯାଉଥିଲା । ଏକ ଅସହାୟ ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା ତାଙ୍କ ମୁହଁରେ । କିଛି ଯେମିତି ହରାଇବାର ଦୁଃଖ।   ସପ୍ତାହେ ପରେ ସମୀର କୌଣସି କାମରେ ଗାଡ଼ିରେ ଗଲାବେଳେ, ହାଠାତ୍

ମୋହନ ବାବୁଙ୍କୁ ଏକ ଘର ଭିତରୁ ବାହାରିବାର ଦେଖିଲା। ଗାଡି ବୁଲାଇ ଫେରିଲା ସମୀର। ଘର ସାମ୍ନାରେ ଥିବା ବୋର୍ଡକୁ ଦେଖିଲା। " ଆଶ୍ରା, ବୃଦ୍ଧାଶ୍ରମ "।

କୌତୁହଳୀ ହୋଇଉଠିଲା ସମୀରର ମନ । ଭିତରକୁ ଯାଇ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ନିଜ ପରିଚୟ ଦେଇ ମୋହନବାବୁଙ୍କ ବିଷୟରେ ପଚାରିଲା । "ଭାରି ଦୁଃଖୀ ଲୋକ ମୋହନବାବୁ । ପରିସ୍ଥିତି ତାଙ୍କୁ ଆଜି ଏମିତି ପଥର ମଣିଷଟେ କରିଦେଇଛି । ତାଙ୍କ ସ୍ତ୍ରୀ ମରିଗଲା ପରେ ତାଙ୍କ ଦୁଇ ପୁଅ ଘରଟା ବିକିଦେଇ ପଇସା ବାଣ୍ଟି ନେଇ, ବୁଢାଙ୍କୁ କେଉଁ ଏକ ଜରା ନିବାସରେ ଛାଡ଼ିଦେଇଥିଲେ । ମୋହନବାବୁ କୋର୍ଟରେ କେସ କଲେ ନିଜ ଦୁଇପୁଅଙ୍କ ନାଁରେ ଓ ଜିତିଲେ ବି । କ୍ଷତିପୂରଣ ଟଙ୍କାରେ ନିଜ ପାଇଁ ଫ୍ଲାଟ କିଣିଲେ । ଏଇଠିକୁ ସବୁଦିନ ଆସି ଅନ୍ତୋବାସୀଙ୍କ ସହ ମିଶନ୍ତି,କଥା ହୁଅନ୍ତି,ଖେଳନ୍ତି । ନିଜ ମୃତ୍ୟୁ ପରେ ସମସ୍ତ ସମ୍ପତ୍ତି ଏଇ ବୃଦ୍ଧାଶ୍ରମ ନାଁରେ ଉଇଲ କରିଦେଇଛନ୍ତି ।ପ୍ରତି ମାସ ନିଜ ପେନ୍ସନରୁ ଦାନ ବି ଦିଅନ୍ତି ଏଇଠି । ସେ ଜଣେ ଦରଦୀ,ସହୃଦୟ ନିଆରା ମଣିଷ।"

"ଦୀପାବଳୀକୁ ସେ କାହିଁକି ଘୃଣା କରନ୍ତି ? "ପଚାରିଲା ସମୀର। "

ଓଃ, ଦୀପାବଳୀ ଦିନ ପରା ପୁଅମାନେ ତାଙ୍କୁ ଜରାନିବାସରେ ଛାଡ଼ିଦେଇଥିଲେ ବୋଲି କହୁଥିଲେ ଥରେ।"

ହତବାକ ହୋଇ ବସିଥିଲା ସମୀର । ବୁଝିପାରୁଥିଲା ମୋହନବାବୁଙ୍କ ମନରେ ଥିବା ଦୀପାବଳୀ ପାଇଁ ଘୃଣାର କାରଣକୁ। ଘରକୁ ଫେରି ସମୀର ସବୁକଥା କହିଲା ସ୍ତ୍ରୀ ନିଳିମାଙ୍କୁ । ଦୁହେଁ କଥାବାର୍ତ୍ତା ହୋଇ କିଛି ନିଷ୍ପତ୍ତି ନେଲେ। ସେଦିନ ସନ୍ଧ୍ୟାରେ ମୋହନ ବାବୁଙ୍କ ଘରକୁ ଯାଇ ଗପସପ କଲାବେଳେ ସମୀର କହିଲା,"ମୋତେ କ୍ଷମା କରିବେ । ଆଜି ଆଶ୍ରା ବୃଦ୍ଧାଶ୍ରମ ଯାଇ ଆପଣଙ୍କ ବିଷୟରେ ସବୁ ଜାଣିଲି। ଅନେକ ଦିନରୁ ବାପା,ମାଙ୍କୁ ହରାଇଛି ମୁଁ । ଆପଣଙ୍କୁ ଦେଖି ମୋର ବାପାଙ୍କ କଥା ମାନେପଡୁଛି । ରାଜା ଆପଣଙ୍କୁ ଜେଜେ ବୋଲି ଡାକୁଛି। ମୁଁ ଆପଣଙ୍କୁ ବାପା ବୋଲି ଡାକିପାରିବି ?"

ସମୀର ମୁହଁକୁ ବାଲୁବାଲୁ ହୋଇ ଅନାଉଥିଲେ ମୋହନବାବୁ । ତା ଦୁଇ ପାପୁଲିକୁ ନିଜ ଦୁଇ ଗାଲରେ ଲଗାଇଲେ । ହାଠାତ୍ ଭୋ ଭୋ ହୋଇ କାନ୍ଦି ପକାଇଲେ ମୋହନବାବୁ । ଆଖିରୁ ଝରିପଡୁଥିଲା ଲୁହର ଧାରା । ଅନେକ ଦିନରୁ ଶୁଖିଲା ପଡିଥିବା ନଈରେ ଯେମିତି ବନ୍ୟା ଆସିଯାଇଥିଲା । ସମୀର ବି ତାଙ୍କୁ କୁଣ୍ଢାଇ ପକାଇଲା। ଆପାର୍ଟମେଣ୍ଟ ତରଫରୁ ଏଥର ଦୀପାବଳୀ ଆୟୋଜନରେ ,"ଆଶ୍ରା ବୃଦ୍ଧଶ୍ରମର "ସମସ୍ତ ଅନ୍ତୋବାସୀଙ୍କୁ ଅତିଥି ରୂପେ ନିମତ୍ରିତ କରାଯାଇଥିଲା । ମୋହନ ବାବୁଙ୍କ ଘର ସାମ୍ନାରେ ନିଳୀମା ସଜାଇଦେଇଥିଲା ଅନେକ ଦୀପାଳୀ । ରାଜା ସହିତ ମିଶି ମୋହନ ବାବୁ ଏବର୍ଷ ବହୁତ ବାଣ ଫୁଟାଉଥିଲେ, ଠିକ ଛୋଟ ଛୁଆ ଭଳି । ସମସ୍ତେ ଖୁସିରେ ପାଟି କରୁଥିଲେ, "ଶୁଭ ଦୀପାବଳୀ"।

ଅରବିନ୍ଦ ଦାସ

   

     


Rate this content
Log in

Similar oriya story from Inspirational