Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Comedy

3  

Aravinda Das

Comedy

ଧଳା-କଳା

ଧଳା-କଳା

2 mins
7.6K


ବ୍ୟାଙ୍କରେ ପୁଣି ଗୋଟେ ବଡ଼ ଟଙ୍କା ହେରଫେର ଘୋଟାଲା ଖବର ଶୁଣି,ଲୋକମାନେ ଯାଇ ପହଂଚିଲେ ବଡ଼ ନେତାଙ୍କ ଘରେ।ମାସରେ ଗୋଟାଏ ଦିନ, ସାର୍ ନିଜ ସରକାରୀ ବାସଭବନରେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରଜା ଦରବାର ଆୟୋଜନ କରନ୍ତି।

"ସାର୍, ପୁଣି କେମିତି ଆଉଜଣେ ବେପାରୀ ,ବ୍ୟାଙ୍କକୁ ଏତେ ବଡ଼ ଚୁନ ଲଗାଇ ବିଦେଶକୁ ଲୁଚି ପଳାଇଲା ?ପୂର୍ବରୁ ପଳେଇଥିବା ଅନ୍ୟ ବେପାରୀ ବି ଆରାମରେ ବିଦେଶରେ ବୁଲୁଛି। ଆମ ସାଧାରଣ ଜନତାଙ୍କ ପଇସା ଲୁଟୁଥିବା ଲୋକଙ୍କୁ କଣ ଦଣ୍ଡ ମିଳିବ ନାହିଁ ? କେବେ ଧରାହୋଇ ଜେଲ ଯିବେ ସେମାନେ ? ଆମ ଟଙ୍କା ଫେରିବ ତ ?"

ଗମ୍ଭୀର ସ୍ୱରରେ ସାର୍ କହିଲେ, " ନିଶ୍ଚୟ ଦଣ୍ଡ ମିଳିବ ସେମାନଙ୍କୁ । ଆଇନ ତା ବାଟରେ ଯାଉଛି । ନ୍ୟାୟ ବ୍ୟବସ୍ଥା,କାନୁନ ଉପରେ ଭରସା ରଖ । ଋଣ ଖିଲାପକାରୀ ବ୍ୟବସାୟୀ ଓ ଅସାଧୁ ବ୍ୟାଙ୍କ କର୍ମଚାରୀ ବି ଦଣ୍ଡିତ ହେବେ।"

ଜଣେ ସାମ୍ବାଦିକ ପଚାରିଦେଲେ, "ସାର୍, ବ୍ୟାଙ୍କ କର୍ମଚାରୀ ଅଭିଯୋଗ କରୁଛନ୍ତି ଯେ, ବଡ଼ ବ୍ୟବସାୟୀ,ବିଲଡର ମାନଙ୍କୁ ଋଣ ଦେବାପାଇଁ ମନ୍ତ୍ରୀ,ନେତା ଚାପ ପକାଉଛନ୍ତି ଓ ଭୟଭୀତ ବି କରୁଛନ୍ତି । ଋଣ ନଦେଲେ ଅଫିସରଙ୍କୁ ହଇରାଣ କରାଯାଉଛି । ସେଇ ବ୍ୟବସାୟୀ କାଳେ ମୋଟା ଅଙ୍କର ଚାନ୍ଦା ନେତା ଓ ପାର୍ଟି ଫଣ୍ଡକୁ ଦେଉଛନ୍ତି ? "

ସାର୍ ଆଖିଠାରରେ ,ସାମ୍ବାଦିକ ମାନଙ୍କୁ ସେଠାରୁ ବାହାର କରିବାକୁ ନିଜ ଲୋକଙ୍କୁ ନିର୍ଦେଶ ଦେଇ ,କହିବାକୁ ଆରମ୍ଭ କଲେ, " ସମ୍ପୂର୍ଣ୍ଣ ମିଛ କଥା । ଏସବୁ ବିରୋଧୀ ଦଳଙ୍କ ଚାଲ । ଏସବୁ ଘୋଟାଲା ବିରୋଧୀଙ୍କ ସମୟରୁ ଆରମ୍ଭ ହୋଇଥିଲା । ଆମେ ଏବେ ସୁଧାରିବୁ । ଆଉ ପାର୍ଟି ଫଣ୍ଡ ଟଙ୍କା ସମସ୍ତେ ନିଜ ଖୁସିରେ ଦିଅନ୍ତି । କାହାକୁ କଣ ବାଧ୍ୟ କରାଯାଇ ପାରିବ ?"

ପଛପଟୁ କିଏ ଜଣେ ଉଚ୍ଚ ସ୍ୱରରେ କହିଲା,"ଚାଷୀଟେ ଅଳ୍ପ କିଛି ହଜାର ଟଙ୍କା ଋଣ ନେଇ ଠିକ୍ ସମୟରେ ଟଙ୍କା ପରିଶୋଧ ନକରିପାରିଲେ ,ବ୍ୟାଙ୍କ ବାଲା ଏମିତି ହଇରାଣ କରୁଛନ୍ତି ଯେ ବିଚରା ଆତ୍ମହତ୍ୟା କରୁଛି । କିନ୍ତୁ ଏ ବଡ଼ ବେପାରୀଙ୍କ ପାଇଁ ନିୟମ ଅଲଗା ବୋଧେ ? ଆମ ଝାଳବୁହା ଧନ ସେମାନେ ଲୁଟିବେ ,ଆଉ ଟିକସ ଦେଇ ପୁଣି ଆମେ ମରିବୁ ?"

ଟିକିଏ ବିରକ୍ତ ହୋଇ ସାର୍ କହିଲେ, " ତମମାନଙ୍କର ସବୁଠୁ ବଡ଼ ଅସୁବିଧା ହେଲା ଧୈର୍ଯ୍ୟହୀନତା । ଚାଷୀମାନେ ଏଇ ବେପାରୀମାନଙ୍କ ଠାରୁ କିଛି ଶିଖିବା ଉଚିତ।"

"କଣ ଲୁଚିକି ବିଦେଶ ପଳାଇବା ?"କିଏ ଜଣେ ପଚାରିଲା।

"ନା, ଧୈର୍ଯ୍ୟପୂର୍ଣ୍ଣ ଭାବେ କେମିତି ପରିସ୍ଥିତିକୁ ମୁକାବିଲା କରିବା ତାହା ଶିଖିବା । ବଡ଼ ବେପାରୀ କେବେ କଣ ଆତ୍ମହତ୍ୟା କରୁଛନ୍ତି ?" ସାର୍ କହିଲେ ।

ସାମ୍ନାରେ ବସିଥିବା ଜଣେ ବ୍ୟକ୍ତି ପଚାରିଲେ, " ସାର୍ ,ଗତ ନିର୍ବାଚନରେ ଆପଣ କହିଥିଲେ, ବିଦେଶରେ ଠୁଳ ହୋଇଥିବା କଳାଟଙ୍କା ଦେଶକୁ ଆଣିବେ ଓ ସବୁ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାଣ୍ଟିଦେବେ । କିନ୍ତୁ ସାର୍ , କଳାଧନ କଥା ଛାଡ଼ନ୍ତୁ,ଏବେ ତ ଆମ ଧଳାଧନ ଗାୟବ ହୋଇଗଲା।"

କ୍ଷୀଣ ହସର ଧାରଟେ ଖେଳିଗଲା ସାରଙ୍କ ମୁହଁରେ।" ଆରେ,ଏ କଳାଧଳା ଖେଳ ଏତେ ସହଜ ନୁହେଁ ।ନୋଟବନ୍ଦୀ ଯୋଗୁଁ ବ୍ୟାଙ୍କରେ ଏତେ ଟଙ୍କା ଜମା ହେଲା ଯେ, ଆଜି ଯାଏଁ ଗଣା ଚାଲିଛି । କଳାଧନ ଆସିଲେ ବ୍ୟାଙ୍କ ପାଖରେ ରଖିବାକୁ ଜାଗା ପରା ନାହିଁ । ପେଟ ଖାଲି ହେଲେ ଯେମିତି ନୂଆ ଦାନା ପାଇଁ ଜାଗା ମିଳେ ,ଠିକ୍ ସେମିତି ,ବ୍ୟାଙ୍କରୁ ଧଳାଧନ ଖାଲିହେଲେ ଯାଇ, କଳାଧନ ଆଣି ଜମାକରିବାକୁ ସୁବିଧା ହେବ । ଏବେ ବ୍ୟାଙ୍କ ଟିକେ ଫାଙ୍କା ହେବ । କଳାଧନ ଓ ସେ ବେପାରୀମାନେ ନିଶ୍ଚୟ ଏଥର ଆମ ଦେଶକୁ ଆସିବେ।"

ଏକ ସ୍ୱରରେ ସମସ୍ତେ ପ୍ରଶ୍ନ କଲେ, "କେବେ "?

ମୃଦୁହସି ସାର୍ କହିଲେ, "ଏଇ ଆଗାମୀ ନିର୍ବାଚନରେ ମୋତେ ଖାଲି ଜିତାଇ ଦିଅ।"

ସମସ୍ତେ ପରସ୍ପର ମୁହଁକୁ ଚାହିଁ ଭାବୁଥିଲେ ,ସତରେ ଏ କଳା-ଧଳା ଖେଳ ବଡ଼ ଗହନ।

😊

(ଅରବିନ୍ଦ ଦାସ )


Rate this content
Log in

Similar oriya story from Comedy