Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational

3  

Golak Bihari Sahoo

Inspirational

ରାଶିଫଳ

ରାଶିଫଳ

3 mins
7.4K


ରାଶିଫଳ 

ଗୋଲକ ବିହାରୀ ସାହୁ 

          ସୁକାନ୍ତ ବାବୁ  ୩୫ ବର୍ଷ ସରକାରୀ ଚାକିରୀ କରି ଶେଷରେ ପଦାଧିକାରୀ ପଦରେ ଥାଇ ଅବସର ନେଲେ । ବେଶ୍ ସରଳ, ମିଷ୍ଟଭାଷୀ, ଭଗବତ ବିଶ୍ଵାସୀ । ସକାଳୁ ଖବରକାଗଜ ପଢିବାଠାରୁ ତାଙ୍କର ନିତ୍ୟକର୍ମ ଆରମ୍ଭ ହୁଏ । ଗାଧୋଇ ସାରି ଏକ ଘଣ୍ଟା ଠାକୁରଘରେ ବସି ପୂଜାପାଠ କରନ୍ତି । ଏଭଳି ଜଣେ ଭଦ୍ରବ୍ୟକ୍ତିଙ୍କୁ ପଡୋଶୀ ହିସାବରେ ପାଇ ଆମେ ସମସ୍ତେ ଆନନ୍ଦିତ । 

          ଅବସର ନେବାପରେ ସୁକାନ୍ତ ବାବୁଙ୍କର ଇଛା, ଏକମାତ୍ର ପୁଅ ସୁମନର ବାହାଘର କରାଇ ବୋହୂଟିଏ ଘରକୁ ଆଣିବେ । ସୁମନର ସହଯୋଗରେ ଗୋଟିଏ ଝିଅ ଠିକ୍ କଲେ । ଝିଅଟି ସୁମନର ଅଫିସରେ ଚାକିରୀ କରେ ଏବଂ ସୁମନର ପସନ୍ଦ ମଧ୍ୟ । ଶୁଭଦିନ ଦେଖି ନିର୍ବନ୍ଧ କାମଟି ଶେଷହେଲା ମନ୍ଦିରରେ ।କନ୍ୟାପିତା ଓ ବରପିତା ଠାକୁରଙ୍କୁ ସାକ୍ଷୀ ରଖି ତ୍ରିବାର ସତ୍ୟ କଲେ ଭାବୀ କନ୍ୟା ଓ ବରର ବିବାହ ନିଶ୍ଚୟ କରିବେ । ଭାବୀ ବରକନ୍ୟାକୁ ସୁଖୀ ରହିବାକୁ ବି ଆଶୀର୍ବାଦ ଦେଲେ । ବାହାଘର ଦିନ ଧାର୍ଯ୍ୟ ହୋଇଗଲା । 

          ଦିନେ ସକାଳୁସକାଳୁ ସୁକାନ୍ତ ବାବୁ ମୋତେ ଫୋନ୍ କରି କହିଲେ-''ବିନୋଦ ବାବୁ, ମୋ ମୁଣ୍ଡ ଉପରେ ମହା ବିପଦ ମାଡି ଆସିଛି । ମୋତେ ବୁଦ୍ଧିବାଟ ଦେଖାଯାଉନି । ଆଉ ସାତଦିନ ପରେ ବାହାଘର । ଗୁଆ ବଣ୍ଟାସରିଛି । ନିମନ୍ତ୍ରଣ କାର୍ଡ ବଣ୍ଟା ପ୍ରାୟ ଶେଷହେବା ଉପରେ । ଦୁଇଦିନ ପରେ ବଡି ଅନୁକୂଳ ହେବ । ମୁଁ କ'ଣ କରିବି ?'' 

ଭାବିଲି - କାହାର କିଛି ଶରୀର ଅସୁସ୍ଥ ହୋଇ ଗଲାନା କ'ଣ ? ପଚାରିଲି- କ'ଣ ହୋଇଛି କୁହନ୍ତୁ ।

- ଆପଣ ଆଜିର ସମ୍ବାଦ ଖବରକାଗଜ ପଢିଛନ୍ତି ? ରାଶିଫଳ ପୃଷ୍ଠାଟି ମୁଁ ସବୁଦିନ ମନଦେଇ ପଢେ । ଆଜିର ରାଶିଫଳ ପୃଷ୍ଠାରେ ଲେଖାଅଛି- ''ଧନୁ ରାଶିରେ ଶନିଦଶା ଲାଗୁ ହୋଇଛି । ଦୁଇମାସ ପର୍ଯ୍ୟନ୍ତ ଶିବଙ୍କର କୋପ ପଡିବ । କୌଣସି କାମ ସୁରୁଖୁରୁରେ ହେବ ନାହିଁ । ଧନ ହାନି, ଶରୀର ପୀଡା । ଏହି ସମୟରେ ନବ ଦମ୍ପତ୍ତିଙ୍କର କାଳଚକ୍ର । ଜୀବନହାନୀ ।''

          ମୋ ପୁଅର ଧନୁ ରାଶି । ଏବେ ତା'ର ଭଲ ବେଳ ଚାଲୁନି । ତେଣୁ ଏବେ ବାହାଘର କରାଇବି ନାହିଁ । ଏବେ ଜ୍ୟୋତିଷ ଗୋସାଇଁ ଆସିଥିଲେ । ସେ ବି ଜାତକ ଦେଖି ଏକାକଥା କହିଲେ । ରାତି ପାହିଲେ ଗାଁରୁ ପୁଅର ମାଇଁ, ମାଉସୀ, ଭାଉଜମାନେ ଆସିବେ, ବଡି ଅନୁକୂଳ କରିବାକୁ । ମୁଁ କ'ଣ କରିବି, ମୋ ମୁଣ୍ଡ କାମ କରୁନି । ଭାବିଲି-'ସୁକାନ୍ତ ବାବୁ ଶିକ୍ଷିତ । ଏତେବର୍ଷ ଚାକିରୀ କରି ଉଚ୍ଚ ପଦାଧିକାରୀ ପଦ ଅଳଙ୍କୃତ କରିଥିଲେ । କେତେ ସହକର୍ମୀଙ୍କୁ ଦିଗ୍ଦର୍ଶନ କରାଇଥିବେ। ଏଭଳି ଜଣେ ବ୍ୟକ୍ତି ରାଶିଫଳରେ ଏତେ ବିଶ୍ଵାସ କରୁଛନ୍ତି ? ମୁଁ ତାହା ବିଶ୍ଵାସ କରିପାରିଲି ନାହିଁ । ଇଛା ହେଉଥିଲା ଥଟ୍ଟା ପରିହାସ କରି ତାଙ୍କୁ ଅପମାନିତ କରିବାକୁ । କିନ୍ତୁ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି । ନିଜର ମାନସିକ ଭାରସାମ୍ୟ ହରାଇ ମୋ ଉପରେ ଭରସା ରଖି ମୋର ପରାମର୍ଶ ଲୋଡିଛନ୍ତି । ଏହି ସମୟରେ ତାଙ୍କର ମୋ ପ୍ରତି ଥିବା ବିଶ୍ଵାସ ତୁଟାଇଦେବା ଭଲହେବ ନାହିଁ।'' 

କହିଲି- ଆପଣ ଆସ୍ତିକ ନା ନାସ୍ତିକ ? 

- ଆସ୍ତିକ। 

- ଈଶ୍ଵରଙ୍କ ଉପରେ ଆପଣଙ୍କର ଅତୁଟ ବିଶ୍ଵାସ ଅଛି, ତାହା ମୁଁ ଜାଣେ । ସେଥିପାଇଁ ମନ୍ଦିରରେ ନିର୍ବନ୍ଧଘର କରାଇ ଈଶ୍ଵରଙ୍କୁ ସାକ୍ଷୀ ରଖି ଶପଥ ନେଇଥିଲେ । ସମସ୍ତ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ବିବାହ ଖବର ଦେବାପରେ ଯଦି ରାଶିଫଳକୁ ଆଧାର କରି ବିବାଘରକୁ ବନ୍ଦ କରିବେ ତେବେ ଆପଣଙ୍କୁ ସମସ୍ତେ ପରିହାସ କରିବେ । 

ପୁଣି କହିଲି - ''ମୁଁ ଯାହା ଦେଖୁଛି, ଆପଣଙ୍କର ଈଶ୍ଵରଙ୍କ ଉପରେ ଆସ୍ଥା ଓ ବିଶ୍ଵାସ ନାହିଁ । ରାଶିଫଳ ଉପରେ ବିଶ୍ୱାସ ଅଛି । ଆପଣଙ୍କ ପାଇଁ ରାଶିଫଳ ହେଉଛି ଈଶ୍ଵରଙ୍କଠାରୁ ବଡ ।'' 

କହିଲେ - ''ନାହିଁ, ମୁଁ ବି ଚାହେଁ ବାହାଘର ହେଉ । କିନ୍ତୁ କେହି ବାପମା' କେବେ ପୁଅର ଅମଙ୍ଗଳ ଚାହେଁନା । ପୁଅର ଏବେ ଶୁଭବେଳା ନାହିଁ।'' 

- ଆପଣ ଜ୍ୟୋତିଷ ପାଖରେ ଜାତକ ଦେଖାଇ ଶୁଭଦିନ ଠିକ୍ କରିଥିଲେ ବିବାହ ଦେବାପାଇଁ । ପୁଣି ଏବେ ସେହି ଜ୍ୟୋତିଷ କିପରି କହୁଛି ଦୁଇମାସ ପର୍ଯ୍ୟନ୍ତ ଭଲ ବାହାଘର ଯୋଗ ନାହିଁ । ରାଶିଫଳରେ ଯାହାସବୁ ଲେଖାଯାଉଛି ତାହା କ'ଣ ସବୁ ଠିକ୍ ? ତା'ପରେ ଆପଣ ତ ପୁରାଣଶାସ୍ତ୍ର ଅଧ୍ୟୟନ କରନ୍ତି । ଶ୍ରୀକୃଷ୍ଣ କହିଥିଲେ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ । ଶ୍ରୀକୃଷ୍ଣ ବି ତାକୁ ଅଟକାଇ ପାରିବେନାହିଁ । ତେଣୁ ଆପଣ ଏପରି ବିବ୍ରତ ହେବା ଠିକ୍ ନୁହେଁ । ଈଶ୍ଵରଙ୍କ ଉପରେ ଆସ୍ଥା ଓ ବିଶ୍ଵାସ ରଖି ଜୟ ଜଗନ୍ନାଥ ନାମ ନେଇ ଶୁଭକାମ ଆଗେଇ ନିଅନ୍ତୁ । ଦେଖିବେ, ସବୁକାମ ସୁରୁଖୁରୁରେ ସଂପନ୍ନ ହେବ । ନବଦମ୍ପତ୍ତି ସୁଖୀ ରହିବେ । 

          ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ସବୁଦିନ ଭଳି ବଜାରରେ ତାଙ୍କ ସହ ମୋର ପ୍ରାୟ ଦେଖାହୁଏ । ଦେଖାହେଲେ ରାଶିଫଳ କଥା ମୋର ମନେପଡେ । ଦିନେ ରବିବାର ବଜାରରେ ତାଙ୍କ ସହ ଦେଖାହେଲା । କହିଲି- "ସୁକାନ୍ତ ବାବୁ! କେମିତି ଅଛନ୍ତି ? ଆଜି ମାଛ ବଜାରକୁ ସଦ୍ୟ ପୋଖରୀମାଛ ଆସିଛି । ମାଛ କମ୍, ଗ୍ରାହକ ବେଶୀ । ମାଛ ନେବା ପାଇଁ ମାରପିଟ୍ । ମୋ ଭାଗ୍ୟରେ ଗୋଟିଏ ସଦ୍ୟ ରୋହୀମାଛ ପଡିଲା । ଶୀଘ୍ର ଯାଆନ୍ତୁ । ଆପଣଙ୍କ ଆଜିର ରାଶିଫଳରେ ଯଦି ସୁଖାଦ୍ୟ, ସୁବ୍ୟଞ୍ଜନ ଲାଭ କରିବାକୁ ଲେଖାଥାଏ ତେବେ ସଦ୍ୟ ମାଛଟିଏ ପାଇବେ । ନଚେତ୍, ବରଫଦିଆ ବାସି ଆନ୍ଧ୍ରମାଛ ନେବାକୁ ହେବ । ହାଃ ହାଃ ହାଃ ....।"

********

 

 


Rate this content
Log in

Similar oriya story from Inspirational