ଶଦ୍ଦ ସୁନ୍ଦରୀ
ଶଦ୍ଦ ସୁନ୍ଦରୀ
ଗୋଟେ ବନ୍ଦ କୋଠରୀରେ ଶଦ୍ଦ ସୁନ୍ଦରୀ ସହିତ ଥିଲେ କବି।
- ମୋତେ ଯିବାକୁ ଦିଅ,କବି।କ'ଣ ତୁମର ଇଚ୍ଛା ? ' ଶଦ୍ଦ ସୁନ୍ଦରୀ କହିଲା।
- ଯିବାକୁ ଦେବି ! କହିଲେ କବି।ହୋ ହୋ ହୋଇ ହସିଲେ।
ସ୍ତବ୍ଧ ହୋଇଗଲା ଶଦ୍ଦ ସୁନ୍ଦରୀ।
କବି ପୁଣି କହିଲେ - ତୁମେ ସୁନ୍ଦରୀ, ଆକର୍ଷଣୀୟ ମଧ୍ୟ।
- ଜାଣିନି।ହୁଏ ତ ସେପରି ହୋଇଥିବି।ତେବେ କ'ଣ କହିବାକୁ ଚାହୁଁଛ ତୁମେ, କବି ? ଶଦ୍ଦ ସୁନ୍ଦରୀ କହିଲା।
- ପ୍ରେମ ଆଉ ସଂର୍ପକ ପାଇଁ ଇଚ୍ଛା ଥିଲା। କବି କହିଲେ।
- ସତରେ ନା କ'ଣ ! ଦେଖୁଛି ଶଦ୍ଦ ସୁନ୍ଦରୀଙ୍କ ପ୍ରତି ତୁମର ଦୁର୍ବଳତା ଖୁବ୍। ' ଶଦ୍ଦ ସୁନ୍ଦରୀ କହିଲା।
- ' ହଁ, ଠିକ୍ ବୁଝିଛ। କବି କହିଲେ।
- ପ୍ରେମ, ସଂର୍ପକ ନା ଆଉ କିଛି ମନରେ ଅଛି ? ଶଦ୍ଦ ସୁନ୍ଦରୀ କହିଲା।
କବି ହସହସ ହୋଇ କହିଲେ - ଅଛି, ଆଉ ଗୋଟିଏ ଇଚ୍ଛା ବି ଅଛି। ------ସହବାସର ଇଚ୍ଛା। ବୁଝିନିଅ ଖାସ୍ ସେଇଥିପାଇଁ ଏଇ ବନ୍ଦ କୋଠରୀରେ ମୁଁ ଆଉ ମୋ ସହିତ ତୁମେ, ଶଦ୍ଦ ସୁନ୍ଦରୀ।ମୋର ଇପ୍ସିତ। '
ପୁଣି ସ୍ତବ୍ଧ ହୋଇଗଲା ଶଦ୍ଦ ସୁନ୍ଦରୀ।
ସାରା କୋଠରୀରେ ଖେଳୁଥିଲା ଶଦ୍ଦର ମିଠା ମିଠା ମହକ।ପରିବେଶ ଧୀରେ ଧୀରେ ପ୍ରେମମୟ ହୋଇ ଉଠୁଥିଲା।
ସଂପୂର୍ଣ୍ଣ ଶଦ୍ଦମନସ୍କ ଥିଲେ କବି।ଧୀରେ ଲାଗି ଆସିଲେ ତା' ପାଖକୁ।ପ୍ରେମରେ ତା'ର ଦେହକୁ ଛୁଇଁଲେ।
ଶିହରି ଉଠିଲା ଶଦ୍ଦ ସୁନ୍ଦରୀ।କେହି ଜଣେ ଆଦର କରୁଛି, ଶ୍ରଦ୍ଧା ଦେଖାଉଛି।ଭଲ ପାଉଛି।
ଅନ୍ୟ ବିକଳ୍ପ ନଥିଲା।ନିଜକୁ ସମର୍ପଣ କରିଦେଲା ଶଦ୍ଦ ସୁନ୍ଦରୀ।ବାସ୍।ତାକୁ ଅନ୍ତରଙ୍ଗ ଆଲିଙ୍ଗନ କଲେ କବି।ନିଜ ସହ ଜଡେଇ ଧରିଲେ।ଭଲ ପାଇବାକୁ ଲାଗିଲେ।
ଆଖି ବୁଜିଦେଲା ଶଦ୍ଦ ସୁନ୍ଦରୀ। ସହଯୋଗ ଦେଲା।ସଂଭୋଗର ମଜା ଉଠାଇଲା।
ରାତି ସାରା ଖାଲି ଖେଳ ଆଉ ଖେଳ।
ରାତି ପାହିଗଲା।
ହଠାତ୍ କବି ଦେଖିଲେ ଯେଉଁଠି ତାଙ୍କ ସହିତ ଶଦ୍ଦ ସୁନ୍ଦରୀ ଥିଲା ସେଇଠି ଆଉ ସେ ନାହିଁ।ଅନ୍ୟ ଜଣେ।ଶଦ୍ଦ ସୁନ୍ଦରୀ ଠାରୁ ଆହୁରି ସୁନ୍ଦରୀ ସେ।ସତେ ଦିବ୍ୟ ଲଳନା।
କବି ତାକୁ ଟିକେ ଶ୍ରଦ୍ଧାରେ ଆଉଁସି ଦେଲେ।ତା'ର ଦେହର ଭାଷାକୁ ମନଦେଇ ପଢିଲେ।ମୁଗ୍ଧ ହୋଇ ପଚାରିଲେ - କିଏ ତୁମେ ?
- ମୁଁ କାବ୍ୟ ସୁନ୍ଦରୀ।' ମୃଦୁ ସ୍ବରଟିଏ ଭାସି ଆସିଲା।
କାବ୍ୟ ସୁନ୍ଦରୀ !
ଉଲ୍ଲସି ଉଠିଲେ କବି।ତାଙ୍କ ଭିତରେ ସବୁ ଆନନ୍ଦ ଯେମିତି ପରିପୂର୍ଣ୍ଣ ହୋଇଗଲା।ସେ ମୃଦୁ ମୃଦୁ ହସିଲେ।
ମୃଦୁ ହସିଲା କାବ୍ୟ ସୁନ୍ଦରୀ।
କବି ପ୍ରେମିକ ହୋଇଗଲେ।କାବ୍ୟ ସୁନ୍ଦରୀକି ନିଜର ଭାବି ନିଜ ଛାତିରେ ଜାବୁଡ଼ି ଧରି ଗଭୀର ଆତ୍ମସନ୍ତୋଷରେ ହଜୁ ହଜୁ ସେ କହି ପକାଇଲେ - ' ଧନ୍ୟବାଦ , ଶଦ୍ଦ ସୁନ୍ଦରୀ। 'ଶଦ୍ଦ ସୁନ୍ଦରୀ !