Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଲିର ମାଆ
ମିଲିର ମାଆ
★★★★★

© Lopamudra Mishra

22 Minutes   442    28


Content Ranking

ଶୀତଦିନିଆଁ ସକାଳ । କୁହୁଡି ଭର୍ତ୍ତି ଧୂମାଭ ପରିବେଷ । ବୀରେନ୍ଦ୍ର ଆଉ ମନ୍ଦାକିନୀ ସହରର ସେହି ଛୋଟିଆ ରେଲୱେ ଷ୍ଟେସନ୍ ରେ । ପୁଟବର୍ତ୍ତୀର ସତ୍ୟସାଇ ବାବାଙ୍କ ଆଶ୍ରମ କୁ ଆଉ କିଛି ସାଥୀଙ୍କ ସହ ଦୁହେଁ ବାହାରିଛନ୍ତି । ମିଲି ସାନମାମୁଁ ଙ୍କ କାନ୍ଧରେ ବସି ବାବା,ମାମା ଙ୍କୁ ବିଦାୟ ଜଣାଇଲା । ସେମାନଙ୍କ ସହ ଯିବାପାଇଁ ଟିକେ ଵି କାନ୍ଦିଲାନାହିଁ କିମ୍ବା ଜିଦ୍ଦି କଲାନାହିଁ । ଛୁକ୍ ଛୁକ୍ ଶବ୍ଦ କରି ବିରାଟ ରେଳଗାଡ଼ି ଟା ଆଗକୁ ଆଗକୁ ମାଡ଼ିଗଲା । ହାତରେ ଦୁଇଟି ଲଲିପପ୍ ଧରି ମିଲି ମାମୁଁଙ୍କ ସହ ମାମୁଁଘର ଆଡ଼କୁ ମୁହେଁଇଲା ।

ବଡ଼ମାଇଁ ରଜନୀ ଛୋଟ ଭାଣିଜୀ ଟାକୁ ଦେଖି ଭାରି ଗୋଟେ ଚିଡ଼ି ଉଠିଲେ । ବାପାମାଆ ତାକୁ ସାଙ୍ଗରେ ନନେଇ ଏଠି ମାମୁଁ ମାଇଁ ଙ୍କ ଦାୟିତ୍ୱରେ ଛାଡ଼ି ଯିବାଟା ରଜନୀଙ୍କୁ ପସନ୍ଦ ଲାଗିଲା ନାହିଁ ।

ସମୟ ସକାଳ ଆଠ ହେଲାଣି ସାନମାଇଁ ଅଳକାଙ୍କର ଆହୁରି ନିଦ ଭାଙ୍ଗିନାହିଁ । ଆଶା, ବର୍ଷା କେତେବେଳୁ ଉଠି, 'ମାମା ଉଠୁ ' 'ମାମା ଉଠୁ' ନାରା ଲଗେଇଛନ୍ତି, କିନ୍ତୁ ଅଳକାଙ୍କ ନିଦ ଉପରେ ସେସବୁ ର କିଛି ପ୍ରଭାବ ପଡୁନାହିଁ । ଶିତେଶ୍ ମିଲିକୁ ଧରି ରୁମ୍ କୁ ପଶିଆସିଲେ । ଆଶା ଓ ବର୍ଷା ତାକୁ ଦେଖି ବହୁତ ଖୁସି ହେଇଗଲେ । ସେମାନଙ୍କ ପାଟିଗୋଳ ଓ ହସାହସି ର ଭୀଷଣ ଶବ୍ଦ ରେ ଅଳକାଙ୍କ ନିଦ ଭାଙ୍ଗିଲା ।

ମିଲି ସାନମାଇଁ ଙ୍କ ପାଦ ଛୁଇଁଲା । ଅଳକା ଥାଉ ଥାଉ କହି ତାକୁ ତଳୁ ଉଠେଇଲେ ଏବଂ ସ୍ୱାମୀଙ୍କ ଆଡକୁ ବଡ଼ ବଡ଼ ରାଗିଲା ଆଖିରେ ବୁଲିକି ଅନେଇଲେ । ଶିତେଶ୍ ଡରରେ ସେ ଜାଗା ଛାଡ଼ି ପଳେଇଲେ ।

ମିଲିର ଆଈ ନାହାଁନ୍ତି । ଅଜା ରୋଗୀଣା । ସବୁବେଳେ ଶୋଇରହନ୍ତି । ବଡ଼ମାମୁଁ ଓକିଲ ଓ ସାନମାମୁଁ ବ୍ୟବସାୟ କରନ୍ତି । ବଡ଼ ମାଇଁ ଘରର ପ୍ରାୟ ସମସ୍ତ କଥା ବୁଝା ବୁଝି କରନ୍ତି । ସାନମାଇଁ ଖୁବ ଅଳସୁଆ । ସମୟ ଟିକେ ପାଇଲେ ଶୋଇପଡ଼ନ୍ତି । ନିଜ ସ୍ୱାମୀ ଓ ପିଲାଙ୍କ ଦାୟିତ୍ୱ ନେବାକୁ ମଧ୍ୟ ତାଙ୍କୁ କଷ୍ଟ ଲାଗେ । ବଡ଼ ମାମୁଁଙ୍କ ପୁଅ ଟୁଲୁ ଭାଈ କଲେଜ ଯାଏ ଆଉ ଝିଅ ଲୁସିନାନୀ ସପ୍ତମ ଶ୍ରେଣୀରେ ପଢେ । ସାନମାମୁଁ ଙ୍କ ଯାଆଁଳା ଝିଅ ଦୁଇଜଣ ମିଲିର ସାଙ୍ଗ ।

"ଆଜି ବାବାମାମା ଟ୍ରେନରେ ବସିବେ । ପଅରଦିନ ସନ୍ଧ୍ୟା ସୁଦ୍ଧା ଆସି ପହଞ୍ଚିଯିବେ" । ମିଲି, ଆଶା ଓ ବର୍ଷାଙ୍କ ପାଖରେ କହୁଛି ତା ବାବାମାମା ତା ପାଇଁ କଣ ସବୁ ନେଇକି ଆସିବାକୁ କହିଛନ୍ତି ।

ସନ୍ଧ୍ୟାରେ ସମସ୍ତେ ବସି ଟିଭି ଦେଖୁଛନ୍ତି ହଠାତ ଗୋଟେ ନିୟୁଜ୍ ଆସିଲା । ବାଙ୍ଗଲୋର ରୁ ଭୁବନେଶ୍ୱର ଆସୁଥିବା ପ୍ରଶାନ୍ତି ଏକ୍ସପ୍ରେସ ମହୀଶୂର ଠାରେ ଲାଇନ୍ ଚ୍ୟୁତ ହୋଇଛି । ଶତାଧିକ ଯାତ୍ରୀ ମୃତ ଓ ଅନେକ ଆହତ ।

ବୀରେନ୍ଦ୍ର ଓ ମନ୍ଦାକିନୀଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଓଡିଶା ଅଣାଗଲା । ଶୋକାକୁଳ ପରିବେଷ ରେ ଶେଷକୃତ୍ୟ ସମ୍ପନ୍ନ ହେଲା । ମାଆ ବାପାଙ୍କୁ ଶେଷଥର ପାଇଁ ବିଦାୟ ଦେଲା ମିଲି । ତଥାପି ସେ କାନ୍ଦୁନାହିଁ । ଛୋଟ ପିଲା, ମୃତ୍ୟୁ କୁ କେତେ ବା ବୁଝିଛି ଯେ କାନ୍ଦିବ !

ଏବେ ମିଲିର ମାଇଁ ମାନଙ୍କୁ ଚିନ୍ତା ଘାରିଲା । ଝିଅଟା ରହିବ କୋଉଠି ? ମିଲିର ଜେଜେ, ଜେଜେମାଆ ତ କେବେଠୁ ଆରପାରି ରେ । ତା ବଡ଼ବାପା ଓ ବଡ଼ ମାଆ ଟିକି ଝିଆରୀଟିର ଦାୟିତ୍ୱ ନେବା କଥା ଆଦୌ ଉଠେଇଲେ ନାହିଁ । ବାଧ୍ୟ ହୋଇ ମାମୁଁମାନେ ଭାଣିଜୀକୁ ସାଙ୍ଗରେ ନେଇଆସିଲେ ।

ରଜନୀ ବୁଝିନେଲେ ମିଲିର ବାପା ମାଆ ଅକାଳରେ ଚାଲିଗଲେ ନାହିଁ ଯେ ବଡ଼ ଗୋଟେ ବୋଝ ତାଙ୍କ ମୁଣ୍ଡରେ ଲଦିଦେଇ ଗଲେ । ଝିଅଟା ପାଇଁ ସେମାନେ କିଛି ରଖିଯାଇନାହାଁନ୍ତି ମଧ୍ୟ୍ୟ । ଯାହା ଅଳ୍ପ କିଛି ଟଙ୍କା ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦକୁ ମିଳିବ, ତାହା ବାପା ମାଆ ଙ୍କ ରକ୍ତ ଆଉ ମାଂସ ର ଦାନ କୁନି ଝିଅଟିର ଭବିଷ୍ୟତ ପାଇଁ । ମିଲି ପାଇଁ ସେତିକି ସର୍ବସ୍ୱ ହେଇ ରହିବ ।

ଅଳକା ଭାବିଲେ ଏବେ ଝିଅଟାର ସବୁ ଦାୟିତ୍ୱ ତାଙ୍କୁ ବୋଧେ ବୁଝିବାକୁ ପଡ଼ିବ । ଦୁଇଟା ଛୁଆଙ୍କ ଖବର ବୁଝୁ ବୁଝୁ ତ ତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଇଯାଏ, ଇଏ ଆଉ ଗୋଟେ ଛୁଆ ଆସି ତାଙ୍କ ଜଞ୍ଜାଳ ବଢ଼େଇଲା ।

ମିଲି ସାନମାଇଁ ଙ୍କ ପାଖକୁ ଆସିଲା ତାକୁ ସ୍କୁଲ ପାଇଁ ରେଡି କରେଇବା ପାଇଁ କହିବାକୁ । ଆଶା ଓ ବର୍ଷା ରେଡି ହୋଇସାରି ମିଲିର ଅପେକ୍ଷା କରିଛନ୍ତି । ଅଳକା ମିଲିର ଚୁଟି ବାନ୍ଧୁ ବାନ୍ଧୁ ବିରକ୍ତ ହେଇ କହିଲେ, "ବାପାମାଆ ଙ୍କ ସାଙ୍ଗରେ ଝିଅଟା ସେଦିନ ଯାଇଥିଲେ ତ ଆଉ ୟା କଥା ମୋତେ ବୁଝିବାକୁ ପଡ଼ିନଥାନ୍ତା "। ଅଳକାଙ୍କ ଏପରି ମନ୍ତବ୍ୟ ରେ ସମସ୍ତେ ମର୍ମାହତ ହେଲାପରି ମନେ ହେଲା ।

ଘରକୁ କେହି କୁଣିଆଁ ଆସିଲେ କାଳେ ସେମାନଙ୍କ ପାଇଁ କିଛି କରିବାକୁ ପଡ଼ିବ ଭାବି ଅଳକା ଦେହ ଖରାପର ବାହାନା କରି ଶୋଇଯାନ୍ତି । ବଡ଼ମାଇଁ ରଜନୀ କିନ୍ତୁ ଅଳକାଙ୍କୁ ଆଯୋଗ୍ୟା ଓ ନୀଚ୍ଚା କରି ଦେଖାଇବାର ସାମାନ୍ୟ ସୁଯୋଗ ଟିଏ ଵି ହାତ ଛଡ଼ା କରିବାକୁ ଚାହାଁନ୍ତିନି । ସେହି ସମୟତକ ସେ ଅତିଥିଙ୍କ ସେବା ସାଙ୍ଗକୁ ଘରର ସମସ୍ତ ଦାୟିତ୍ୱ ଓ ମିଲିର ଯତ୍ନ ଖୁବ୍ ନିଅନ୍ତି । ସବୁକାର୍ଯ୍ୟ ସୁନ୍ଦର ଓ ସୁଚାରୁରୂପେ ସମାପ୍ତ କରି ବନ୍ଧୁ ବାନ୍ଧବଙ୍କ ଅଜସ୍ର ପ୍ରଶଂସା ସାଉଁଟି ନିଅନ୍ତି । ମିଲିର ସାନମାଇଁ ଅଳକାଙ୍କ ପାଇଁ ସୁନାମ ଓ ଦୁର୍ନାମର କୌଣସି ମୂଲ୍ୟ ନଥାଏ । ସେ କାହାରି ନିନ୍ଦା ପ୍ରଶଂସା କୁ ଖାତିର ନକରି ବେଡ୍ ରେ ପଡ଼ିରହନ୍ତି । ବଡ଼ ଜା' ଙ୍କ ଉପରେ ଭାରି ଖୁସି ହୁଅନ୍ତି ସେ ସବୁ କାମ ଏକୁଟିଆ କରିନେଉଥିବା ହେତୁ ।

ମିଲି ଯେତେ ବଡ଼ ହେଉଥାଏ ବଡ଼ ମାଇଁଙ୍କର ତା ପ୍ରତି ଦୁର୍ବ୍ୟବହାର ସେତେ ବେଶି ବଢ଼ି ଯାଉଥାଏ । ଘରର ଛୋଟ ଛୋଟ କାମରେ ସାହାଯ୍ୟ କରିବା ପାଇଁ ବଡ଼ମାଇଁ ସବୁବେଳେ ମିଲିକୁ ତାଗିଦ କରନ୍ତି । ଗାଳି ଗୁଲଜ କରନ୍ତି । ସାନମାଇଁ ଅଳକା ବାପା ମାଆ ଛେଉଣ୍ଡ ଛୁଆଟା ପ୍ରତି ବଡ଼ଜା' ଙ୍କର ଏମିତି ବ୍ୟବହାର କୁ ନାପସନ୍ଦ କରନ୍ତି । କିନ୍ତୁ ପାଟି ଖୋଲି କିଛି କହନ୍ତିନି । କାଳେ ବିରୋଧ କଲେ ସେହି କାମଟି ତାଙ୍କୁ କରିବାକୁ ପଡ଼ିବ, ସେହି ଭୟ ରେ ।

ମିଲି ପଢ଼ା ପଢ଼ିରେ ଭଲ । ସ୍କୁଲରେ ଭଲ ପୋଜିସନ୍ ତାର । ଆଶା ବର୍ଷା ଟିୟୁସନ୍ ଯାଆନ୍ତି । ମିଲି ଯାଏ ନାହିଁ । ଯାହା ଅବୁଝା ରହେ ଘରେ ଲୁସିନାନୀ ଠୁ ବୁଝିନିଏ କିମ୍ବା ଆଶା ଓ ବର୍ଷାଙ୍କ ଟିୟୁସନ୍ ନୋଟସ୍ ଆଣି ନିଜେ ବୁଝିବାକୁ ଚେଷ୍ଟା କରେ ।

ମିଲି ହାଇସ୍କୁଲ ରେ ପଢୁଥାଏ, ଲୁସିନାନୀର ବାହାଘର ଠିକ ହେଇଗଲା । ସମସ୍ତେ ଖୁବ୍ ଖୁସି । ଘରେ ପ୍ରଥମ ବାହାଘର । ସଭିଙ୍କର ନୂଆ ପୋଷାକ କିଣା ହେଲା । ମିଲି ପାଇଁ ବି ନୂଆ ହଳେ ନୀଳ ରଙ୍ଗର ସଲ୍ୱାର ସୁଟ୍ କିଣା ହୋଇ ଆସିଲା । ଆଶା ଓ ବର୍ଷା ଙ୍କ ମାପରେ ମିଲିର ଡ୍ରେସ୍ ଟି କିଣା ହେଇଥିଲା । ଗାଡ଼ି ରେ ଆଉ ଜାଗା ନଥିବାରୁ ଶପିଂ ପାଇଁ ମିଲି ଅନ୍ୟ ମାନଙ୍କ ସହ ଯାଇ ପାରିନଥିଲା । ସମସ୍ତେ ନିଜ ନିଜ ପୋଷାକ ରେ ଖୁବ୍ ଖୁସି ଥିଲା ବେଳେ ମିଲି ର ଟିକେ ମନ ଉଣା ହେଉଥିଲା ଆଶା ଓ ବର୍ଷା ଙ୍କ ସୁନ୍ଦର ସୁନ୍ଦର ଡ୍ରେସ କୁ ଦେଖି । ମିଲି କୁ ତା ନୂଆ ପୋଷାକ ଟି ପସନ୍ଦ ଆସୁନଥିଲା, ହେଲେ ସେ କିଛି କହି ପାରୁନଥିଲା ବଡ଼ ମାଇଁ ଙ୍କ ଡରରେ ।

ସାନ ମାଇଁ ଦେଖିଲେ ମିଲି ତା ଛୋଟିଆ ରୁମ୍ ଟିରେ ବେଡ୍ ଉପରେ ସେହି ନୀଳ ସଲ୍ୱାର ସୁଟ୍ ଟିକୁ ଖୋଲି କରି ବିଛେଇ ରଖିଛି ଆଉ ନିଜ ମୁହଁକୁ ତଳକୁ କରି ବସିଛି । ଅଳକା ଧୀରେ କବାଟ ଆଡେଇ ରୁମ୍ ଭିତରକୁ ପଶିଲେ । ମିଲିର ମୁଣ୍ଡକୁ ଶ୍ରଦ୍ଧାରେ ଆଉଁଷି ଦେଲେ । ମିଲି ମୁହଁ ଉଠେଇ ମାଇଁ ଙ୍କୁ ଦେଖିଲା । ଲୁହରେ ତାର ଆଖି ଛଳ ଛଳ ହେଇଗଲା । ଅଳକା ସବୁ ବୁଝିନେଲେ । କିଶୋରୀ ଭାଣିଜୀର ଗାଲରୁ ଲୁହ ବୁନ୍ଦା ଦୁଇଟି ପୋଛୁ ପୋଛୁ ଆଦରରେ କହିଲେ, "ମାଆ ରେ ଡ୍ରେସ ଟା ପସନ୍ଦ ଆସିଲାନି ନାଁ ? ମୁଁ ଜାଣେ ପରା । ଆଉ କଣ କୁନି ପିଲା ହେଇଛୁ ଯିଏ ଯାହା କିଣିଆଣିଦେବ ପିନ୍ଧି ପକେଇବୁ ? ନିଜର ବି ଗୋଟେ ପସନ୍ଦ ନାପସନ୍ଦ ପୁଣି ଅଛି ନା ! କାନ୍ଦେନା ମାଆ.. ନାଁ ଜମା ନୁହେଁ । ଛିଃ.. ଏଇ କଥାରେ ଗୋଟେ କି କାନ୍ଦ ! ଚାଲ ମୋ ସାଙ୍ଗରେ,ଆମେ ସଙ୍ଗେ ସଙ୍ଗେ ଏଇଟା ବଦଳେଇ ଦେଇ ତୋ ପସନ୍ଦ ର ଡ୍ରେସଟେ ନେଇ ଆସିବା । ତୁ ରେଡି ହୋ, ମୁଁ ତୋ ମାମୁଁଙ୍କୁ କହୁଛି ସେ ଆମକୁ ନେଇଯିବେ । ହେଲା । ତୁ ଜମା ବ୍ୟସ୍ତ ହୋନା ରେ ମାଆ ।"

ମିଲିର ମନ ଆଶ୍ଵସ୍ତ ହେଉଥିଲା କିନ୍ତୁ ଆଖିରୁ ଳୁହର ଧାର ଗଡ଼ିବା କମୁ ନଥିଲା । ସେ ସାନମାଇଁ ଙ୍କୁ ଆଦୌ ବୁଝି ପାରେନି । ବେଳେ ବେଳେ ସେ ଏକଦମ କୋମଳ ଓ ସ୍ନେହିଁ, ସ୍ନେହଁ ର ବର୍ଷା କରିପକାନ୍ତି ତ ପୁଣି କେବେ କେବେ ମିଲିକୁ ଦେଖି ମୁହଁ ବୁଲେଇ ନିଅନ୍ତି । କିନ୍ତୁ ମିଲି ଉପରେ କେହି ଅଳ୍ପ ଟିକେ ବି ଶ୍ରଦ୍ଧା ଅଜାଡ଼ି ଦେଲେ ମିଲିର ହୃଦୟ ତରଳି ଯାଏ ଆଉ ସେହି ତାତିଲା ତରଳ ତକ ଆଖି ବାଟେ ଝର ଝର ହେଇ ବହି ଆସେ ।

ମିଲିର ସେଦିନ ଡ୍ରେସ ବଦଳ ହେଇଆସିଲା । ରଜନୀ ରାଗରେ ମୁହଁ ଭଣ ଭଣ କରିଥିଲେ । ମିଲି କିନ୍ତୁ ଆଶା ଓ ବର୍ଷା ଙ୍କ ସହ ମିଶି ଖୁବ ଖୁସି ରେ ଲୁସି ନାନୀ ବାହାଘରକୁ ମନ ଭରି ଏଞ୍ଜୟ କରିବାର ଯୋଜନା ପ୍ରସ୍ତୁତ କରୁଥିଲା ।

ଲୁସି ବାହା ହୋଇ ତା ସ୍ୱାମୀଙ୍କ ସହ ଦିଲ୍ଲୀ ଚାଲିଯାଇଥିଲା । ରଜନୀ ଏବେ ଅଧିକାଂଶ ସମୟ ଝିଅ ସହ ଫୋନ ରେ କଥା ହେବାରେ କାଟୁଥିଲେ । ଘରର ଯାବତୀୟ ଦାୟତ୍ୱ ଛାଡ଼ି ଲୁସି ଏବେ କଣ କରୁଛି, କୁଆଡ଼େ କୁଆଡେ ବୁଲି ଗଲାଣି, ତା ଶାଶୁ ତାକୁ ଫୋନ କରୁଛନ୍ତି କି ନାହିଁ, ଜ୍ୱାଇଁ ନିଜ ବାପା, ମାଆ ଓ ଭଉଣୀଙ୍କ ପଛରେ ସବୁ ଟଙ୍କା ସାରିଦେଉଛନ୍ତି କି, ଏହି ସବୁ କଥା ନୂଆବାହା ହୋଇଥିବା ଝିଅଟାକୁ ଫୋନରେ ପଚାରି ପଚାରି ତା ସାଂସାରିକ ଜୀବନରେ ଅହରହ ନିଜ ମୁଣ୍ଡ ଓ ନାକ ଭର୍ତ୍ତି କରୁଥିଲେ । ଅଳକାଙ୍କୁ ଏସବୁ ବଡ଼ ବିରକ୍ତିକର ବୋଧ ହେଉଥିଲା । ଏଥିପାଇଁ ନୁହେଁ ଯେ ତାଙ୍କ ଉପରେ ଏବେ ଅନେକ ସମୟରେ ଘର କାମର ଚାପ ବେଶି ପଡୁଥିଲା ବରଂ ଏଥିପାଇଁ ଯେ ସେ ଆଉ କାହା ଘରର ନିନ୍ଦା,ଚର୍ଚ୍ଚା ନିଜ ଘରେ ହେଲେ ଶୁଣିବାକୁ ବିଲକୁଲ ପସନ୍ଦ କରୁନଥିଲେ ।

ମିଲି ଓ ଆଶା,ବର୍ଷାଙ୍କର ବୋର୍ଡ ପରୀକ୍ଷା ଥିଲା । ରଜନୀ ନିଜେ ମୋବାଇଲ ଧରି ଝିଅ ସହ ଭିଡ଼ିଓ କଲ୍ ରେ ବ୍ୟସ୍ତ ରହୁଥିଲେ ଓ ମିଲିକୁ ସନ୍ଧ୍ୟାରେ ଅଟା ଚକଟି ବାକୁ ଆଦେଶ ଦେଇଦେଉଥିଲେ । ଅଳକା ସନ୍ଧ୍ୟାରେ ଚା' କପ ଓ ମିକ୍ସଚର୍ ପ୍ଲେଟ ଧରି ଟିଭି ଦେଖିବାକୁ ବସିଯାଆନ୍ତି । ସେତେବେଳେ ସେ ଅନ୍ୟ କିଛି କାମ କରିବାକୁ ଆଗ୍ରହ ଦେଖାନ୍ତି ନାହିଁ । ମିଲି ଆଶା ଓ ବର୍ଷା ଙ୍କ ସହ ପଢ଼ିବାକୁ ଚାହେଁ । କିନ୍ତୁ ମୁହଁ ଖୋଲି କିଛି କହି ପାରେନାହିଁ । ସାନମାଇଁ ଙ୍କ ପାଖକୁ ଆସି ବିରାଟ ଅଟା ଚକଟା ବାସନ ଟା ଧରି ବିକଳରେ ତାଙ୍କୁ ଅନେଇ ରହିଲେ ମଧ୍ୟ ଅଳକା ବିଚାରୀ ଝିଅଟାକୁ ସାମାନ୍ୟ ଟିକେ ବି ଦୟା ନଦେଖେଇ ଟିଭି ଦେଖାରେ ମନୋନିବେଶ କରି ଦିଅନ୍ତି ।

ମିଲି କାମ ସାରି ଅନେକ ରାତି ଯାଏଁ ଡ୍ରଇଂ ରୁମ୍ ରେ ବସି ପଢୁଥାଏ । ଅଳକାଙ୍କର ନିଦ କେବେ ଭାଙ୍ଗିଗଲେ ପାଣି ପିଇବାକୁ ଆସି ମିଲି କୁ ଏକା ଏକା ପଢ଼ୁଥିବାର ଦେଖି ତା ମୁଣ୍ଡ ଆଉଁଷି ଦେଇ ପଚାରନ୍ତି, "ମାଆ ରେ କଫି କି ହର୍ଲିକ୍ସ୍ କିଛି ବନେଇ ଦେବିକି ତୋ ପାଇଁ ?"

ମିଲି ଖୁସି ହୁଏ । ଗଳା ପାଖରୁ ତାର ଛୋଟିଆ କାନ୍ଦଟେ ବାହାରି ଆସି ଅଟକି ଯାଏ । ସ୍ନେହଁ କାଙ୍ଗାଳି ଝିଅଟାର ସମ୍ବଳ ତ ସେତିକି, ଅନ୍ତରର ଅଳ୍ପ ଧୂଆଁଳିଆ କୋହ ଆଉ କେହି ବୁନ୍ଦା ଉଷ୍ମତାରେ ଭରପୁର ଲୁହ । ମିଲି ମୁଣ୍ଡ ହଲେଇ ନାଁ କହେ । ତଥାପି ଅଳକା ମିଲି ପାଇଁ ବେଳେ ବେଳେ ହର୍ଲିକ୍ସ୍ ତ ଆଉ କେବେ ବର୍ଣଭିଟା ବନେଇ ଆଣନ୍ତି । ତା ପାଖରେ କେଇ ମିନିଟ୍ ବସି ରହନ୍ତି । ମଝିରେ ମଝିରେ ସ୍ନେହଁ ରେ ତା ପିଠିରେ ହାତ ବୁଲେଇ ଆଣନ୍ତି ।

ମାଆ କୁ ଭଲ କରି ମନେ ରଖିନଥିବା ମିଲି ସାନ ମାଇଁ ଅଳକାଙ୍କ ଭିତରେ ନିଜ ମାଆ କୁ ଆବିଷ୍କାର କରେ । କାହିଁକି କେଜାଣି ତା ମନ କହେ ତା ମାମା ବଞ୍ଚିଥିଲେ ନିଶ୍ଚୟ ଏମିତି ତା ପାଇଁ ରାତି ଅଧିଆ ଗରମ କଫି କିମ୍ବା ହର୍ଲିକ୍ସ୍ ଆଣି ତାକୁ ପିଇବାକୁ ଦେଇଥାନ୍ତା ଓ ତା ପଢ଼ା ପାଖରେ ଠିକ ଏହିପରି ତାକୁ ଜଗିବସିଥାନ୍ତା । ମିଲି ବହିରୁ ମୁହଁ ଉଠେଇ ମାଇଁଙ୍କ ଆଡ଼େ ଦେଖେ । ମାଇଁ ହାଇ ମାରି ମିଲିର ମୁଣ୍ଡକୁ ଆଉ ଥରେ ଆଉଁଷି ଦେଇ ନିଜ ରୁମ୍ ଆଡ଼କୁ ଚାଲିଯାଆନ୍ତି । ମିଲି ପୁଣିଥରେ ମାଇଁଙ୍କୁ ମାଆର ଆସନରୁ ଓଲ୍ହେଇ ଆଣେ । ତାର ମନେ ପଡ଼ିଯାଏ ଡହ ଡହ ତାତି ରେ ବଡ଼ ମାଇଁ ଯେତେବେଳେ ମିଲିକୁ ଦୁଇ ବାଲ୍ଟି ଓଦା ଲୁଗା ଦେଇ ଛାତ ଉପରକୁ ଶୁଖେଇବାକୁ ପଠାନ୍ତି, ସାନ ମାଇଁ କେମିତି ଦେଖି ନଦେଖିଲା ପରି ନିଜ ରୁମ୍ ଭିତରକୁ ପଶି ଯାଇ କବାଟ ବନ୍ଦ କରିଦିଅନ୍ତି । "ନାଁ ମୋ ମାମା କେବେ ମୋତେ ଖରାରେ ଛାତ ଉପରକୁ ଓଦା ଲୁଗା ଶୁଖେଇବାକୁ ଛାଡ଼ି ନଥାନ୍ତା । ସେ ମୋ ହାତରୁ ବାଲ୍ଟି ଛଡ଼େଇ ନେଇ ନିଜେ ଯାଇଥାନ୍ତା,ଯେମିତି ଲୁସି ନାନୀ କୁ ବଡ଼ ମାଇଁ ଖରାରେ କୁଆଡ଼େ ଛାଡ଼ନ୍ତିନି, ଠିକ ସେମିତି ।",ମିଲି ମନ ଭିତରେ ନିଜ ମାଆ ଓ ସାନମାଇଁଙ୍କ ଭିତରେ ଥିବା ପାର୍ଥକ୍ୟ ବାହାର କରି ଗୁଣୁ ଗୁଣୁ ହେଇ କହିବାକୁ ଲାଗେ ।

ମିଲିର ରାତି ଅନିଦ୍ରା ରହି ପାଠ ପଢ଼ିବା, ତାର କଠିନ ଅଧ୍ୟବସାୟ ସାର୍ଥକ ହୁଏ । ସେ ଆଶାନୁରୂପ ଫଳ ପାଏ । ବୋର୍ଡ ପରୀକ୍ଷା ରେ ସେ ନିଜ ସ୍କୁଲରୁ ସର୍ବୋଚ୍ଚ ନମ୍ବର ଆଣି A + ଗ୍ରେଡ ରେ ଉତୀର୍ଣ୍ଣ ହୁଏ । ଦୁଇ ମାମୁଁ ତା ସଫଳତା ରେ ଖୁବ ଗର୍ବ ଅନୁଭବ କରନ୍ତି । ଶଯ୍ୟାଶାୟୀ ଅଜା ନିଜ ମୃତ ଝିଅ ଜ୍ୱାଇଁ ଙ୍କୁ ମନେ ପକେଇ ପେଜୁଆ ଆଖିକୁ ତାଙ୍କର ଓଦାଳିଆ କରିପକାନ୍ତି । ବଡ଼ ମାଇଁ ଙ୍କ ଖୁସି କିମ୍ବା ଦୁଃଖ କିଛି ଜଣା ପଡ଼େ ନାହିଁ । ସେ ଲୁସିର କିଛି ପାରିବାରିକ ସମସ୍ୟାକୁ ନେଇ ବ୍ୟସ୍ତ ଥାନ୍ତି । ସାନମାଇଁ ମଧ୍ୟ ଆଶା ଓ ବର୍ଷାଙ୍କ ମଧ୍ୟମ ଧରଣର ଫଳ ପାଇଁ ସାମାନ୍ୟ ମନ କଷ୍ଟ କରୁଥାନ୍ତି ।

ଆଶା ଓ ବର୍ଷା ନିକଟସ୍ଥ ଗାର୍ଲସ୍ କଲେଜ୍ ରେ ଯୁକ୍ତ ଦୁଇ କଳାରେ ନାମ ଲେଖାନ୍ତି ଓ ମିଲି ବି ସେଇଠି ସାଇନ୍ସ ପଢ଼ିବାକୁ ଆଡ଼ମିଶନ ନିଏ । ତିନି ଭଉଣୀ ସାଙ୍ଗ ହୋଇ ପୂର୍ଵ ଭଳି ପଢ଼ିବାକୁ ଯାଇଥାନ୍ତେ ଯଦି ସେମାନଙ୍କ ଟାଇମ ଟେବଲ ସମାନ ଥାନ୍ତା । ମିଲି ର କ୍ଲାସ ଟାଇମ ଆଶା,ବର୍ଷା ଙ୍କ ଟାଇମ ସହ ମେଳ ଖାଏନି । ତଥାପି ସେମାନେ ଖୁସିଥାନ୍ତି ତିନିହେଁ ସେହି ସମାନ ଗୋଟିଏ କଲେଜ୍ ର ସ୍ଟୁଡେଣ୍ଟସ ହେଇଥିବାରୁ ।

ମିଲି ଟେନ୍ଥ୍ ବୋର୍ଡ ପରି ପ୍ଲସ ଟୁ ପରୀକ୍ଷାରେ ମଧ୍ୟ ଖୁବ୍ ଭଲ ରେଜଲ୍ଟ କଲା । ସମସ୍ତେ କହୁଥିଲେ," ମିଲିର ମେଧା ଠିକ ତାର ସ୍ଵର୍ଗବାସୀ ବାପାଙ୍କ ପରି "। ମିଲି ର ଆଗକୁ ଆହୁରି ବେଶି ପଢ଼ିବାକୁ ବହୁତ ଆଗ୍ରହ । ସ୍ୱାବଲମ୍ବୀ ହୋଇ ସମାଜରେ ପ୍ରତିଷ୍ଠିତ ହେବା ହିଁ ତାର ଲକ୍ଷ୍ୟ ।

ଆଶା ଓ ବର୍ଷା ଯୁକ୍ତ ଦୁଇ ରେ ମଧ୍ୟ ପୂର୍ବ ପରି ଫଳ ଆଣିଲେ । ସେମାନଙ୍କର ଯୁକ୍ତ ତିନିର ନାମ ଲେଖା ଫର୍ମ୍ ପୂରଣ କରାଗଲା । ମିଲି କୁ ମଧ୍ୟ ଦୁଇ ମାମୁଁ କୋଉ କଲେଜ୍ ରେ ସେ ଗ୍ରାଜୁଏସନ୍ କରିବାକୁ ଚାହେଁ ପଚାରିଲେ । ମିଲିର ଖୁବ ଭଲ ମାର୍କ୍ସ ଥିଲା । ଯେଉଁ କଲେଜ ରେ ଦରଖାସ୍ତ କରିଥାନ୍ତା ସେଠି ତାକୁ ପଢ଼ିବାକୁ ସୁଯୋଗ ନିଶ୍ଚୟ ମିଳିଥାନ୍ତା । କିନ୍ତୁ ସେ କୌଣସି ନିର୍ଦ୍ଧିଷ୍ଟ ନାମୀ କଲେଜର ନାମ ନକହି ମାମୁଁ ମାନଙ୍କ ଉପରେ ଦାୟିତ୍ୱ ଛାଡିଦେଲା ।

ନୂଆ କଲେଜରେ ଆଡ଼ମିଶନ କୁ ନେଇ ମିଲିର ମନଟା କାହିଁକି କେଜାଣି ଖୁସିଥିଲା ପରି ଲାଗୁନଥିଲା । ଆଶା ଓ ବର୍ଷାଙ୍କ ପରି କୌଣସି ଆଗ୍ରହ କିମ୍ବା ଉତ୍ସାହ ତା ଭିତରେ ଆଦୌ ନଜର ଆସୁନଥିଲା । ସେ ଭୀଷଣ ଅନ୍ୟମନସ୍କ ରହୁଥିଲେ ବି ମାମୁଁଘରେ କାହାର ସେଥିପ୍ରତି ନଜର ନଥିଲା । ମିଲି ମନେ ମନେ ଭାବୁଥିଲା, "ଆଶା, ବର୍ଷା,ଟୁଲୁ ଭାଇ ଓ ଲୁସି ନାନୀଙ୍କର ନିଜର ବାପା ମାଆ ଅଛନ୍ତି । ମୋ ବାବା,ମାମା ଙ୍କୁ ତ ଭଗବାନ ଛଡ଼େଇ ନେଲେ, ମୋ ମନ କଥା ବୁଝିବ କିଏ ?" । ମିଲି ଏମିତି ଭାବୁ ଭାବୁ ଲୁହାର ଆଲମାରୀଟା ଖୋଲିଲା ଓ ସବା ଉପର ଥାକରୁ ବହୁତ ପୁରୁଣା ଆଲବମ ଟେ ବାହାର କଲା । ସେହିଟା ଥିଲା ତା ମାମାର ଆଲବମ । ପୁରୁଣା ଫୋଟୋ ସବୁ ଦେଖି ମିଲି ନିଜ ମାମାକୁ ଆଙ୍ଗୁଠିର ସ୍ପର୍ଶ ରେ ଅନୁଭବ କରୁଥିଲା । ବାବା ମାମାଙ୍କର ଗୋଟିଏ ଫୋଟୋ କୁ ଆଲବମ ର ଜରି କଭର ରୁ ବାହାର କରିଆଣି ଛାତିରେ ଯାକି ଧରିଲା । ଧକେଇ ଧକେଇ କାନ୍ଦିଲା । "କାହିଁକି ମୋତେ ତୁମେମାନେ ଏକା ଛାଡ଼ିଗଲ? ଏଇଥିପାଇଁ ନା ମୁଁ ଜିଦି କରେନି କୁଆଡ଼େ ଯିବାପାଇଁ ? ତୁମମାନଙ୍କୁ ଖୋଜି କାନ୍ଦେନି, ସେଥିପାଇଁ ଚାଲିଗଲ ଦୁଇଜଣ ଜାକ ଛୋଟ ଝିଅଟାକୁ ତୁମର ଆଉ କାହା ଜିମା ଦେଇ ! ମୁଁ କିନ୍ତୁ କାନ୍ଦେ, ବହୁତ କାନ୍ଦେ । କେହି ଦେଖିପାରନ୍ତିନି ମୋ କଷ୍ଟ, ମୋ ଝୁରାପଣ, ମୋ ଅଶ୍ରୁ ଆଉ ମୋ ସ୍ୱପ୍ନ । ଦେଖ ମୁଁ ତୁମକୁ ମନେ ପକେଇ କାନ୍ଦୁଛି । ମୋ ପାଖକୁ ଫେରିଆସ । ପ୍ଲିଜ଼ ମାମା, ବାବା । ପ୍ଲିଜ଼ ଫେରିଆସ " ।

କାହାର ହାଲ୍କା ହାତ ସ୍ପର୍ଶ ମିଲି ନିଜ ପିଠିରେ ଅନୁଭବ କଲା । ମିଲି ଆଶ୍ଚର୍ଯ୍ୟ ହୋଇ ଲୁହ ପୋଛି ପଛକୁ ବୁଲି ଚାହିଁଲା । ସାନମାଇଁ ଠିଆ ହେଇଥିଲେ । ତାଙ୍କ ଆଖି ଲୁହରେ ଭର୍ତ୍ତି । ମିଲି ଆଉ ଥରେ ଆଲବମର ଫୋଟୋ ଟିକୁ ଦେଖିଲା । ଫୋଟୋ ରେ ତା ମାମାର ମୁହଁ ତାକୁ ଠିକ ଏଇ ସାନମାଇଁଙ୍କ ପରି ଦିଶିଲା । ସେ ତରବରରେ ଆଲବମ ଟାକୁ ବନ୍ଦ କରି ପୁଣି ସାନମାଇଁଙ୍କ ଆଡ଼େ ଦୃଷ୍ଟିଫେରେଇଲା । ନାଁ,ଏଥର ଆଉ ତା ସାନମାଇଁ ଙ୍କ ମୁହଁ ମାମା ପରି ଦିଶୁନି । ଏମିତି ସାମଞ୍ଜସ୍ୟତା ଓ ଅସାମଞ୍ଜସ୍ୟତାର ରହସ୍ୟଟା କଣ ସେ ବୁଝିପାରିଲାନି ।

ଅଳକା କିନ୍ତୁ ମିଲିର ଅଜାଣତରେ ତା ଆଖିରୁ ଗଡି ଆସୁଥିବା ଲୁହ ସବୁକୁ ନିଜ କାନିରେ ପୋଛି ପକେଇ ତା ମୁଣ୍ଡକୁ ଆସ୍ତେ କରି ସ୍ନେହଁରେ ଟାଣି ଆଣି ନିଜ ଛାତିରେ ଜାକି ଦେଲେ ।

--କାନ୍ଦେନା ରେ ମାଆ । କାନ୍ଦେନା । ତୋ ବାବା ମାମା ସିନା ଆଉ ଫେରିଆସିବେନି, ଆମେ ତ ଅଛୁ ! ତୋର କଣ ଅସୁବିଧା ହେଇଛି ମୋତେ କହ ଝିଅ । ତୁ ଏମିତି କାନ୍ଦିଲେ ମୋତେ ଭୀଷଣ କଷ୍ଟ ହୁଏରେ । କହ ତୋର କଣ ଦରକାର ? ଟିକେ ବି ସଙ୍କୋଚ ନକରି କହ । ମୁଁ ସବୁ ବୁଝିବି ।

ମାଇଁଙ୍କ ସାହସ ପାଇ ମିଲି ଜଣାଇଲା ସେ ଯୁକ୍ତ ତିନି ପଢ଼ିବାକୁ ଇଚ୍ଛା କରେନାହିଁ ବରଂ ଡାକ୍ତରୀ ପଢ଼ିବା ପାଇଁ ଭଲ ଏକ ଇନଷ୍ଟିଚୁଟ୍ ରେ ପ୍ରସ୍ତୁତ ହେବାକୁ ଚାହେଁ । ବର୍ଷେ କୋଚିଂ ନେଲେ ସେ ନିଶ୍ଚୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବ ବୋଲି ନମ୍ର ଓ ଦୃଢତାର ସହକାରେ ଜଣାଇଲା ।

--ତୁ ବ୍ୟସ୍ତ ହୋନା ମିଲି । ମୁଁ ତୋ ମାମୁଁଙ୍କ ସହ ଏ ବିଷୟରେ କଥା ହେବି । ଠିକ ଅଛି ତୁ ଡାକ୍ତରୀ ପଢ଼ିବାକୁ ଚାହୁଁଛୁ ତ ନିଶ୍ଚୟ ପଢ଼ିବୁ ।

ମିଲି ଆଶ୍ଵସ୍ତ ହେଲା । ମନର ବୋଝ ଟିକେ ହାଲ୍କା ହେଇଗଲା । ମନ୍ଦାକିନୀ ଙ୍କ ପୁରୁଣା ଆଲବମ ଟା ଆଲମାରୀରେ ରଖିଦେଇ ଆଖି ବୁଜି ଶୋଇବାକୁ ଚେଷ୍ଟା କଲା ।

ଅଳକା ସକାଳୁ ଉଠି ଦେଖିଲେ କାମବାଲୀ ଆସିନଥିବାରୁ ଘର ଝାଡ଼ୁ, ପୋଛା ହେଇନି,ପୂର୍ବରାତିର ବାସନ ସବୁ ସେମିତି ପଡିଛି । ଚୁଲ୍ଲା ରେ ଚା' ବସିନାହିଁ । ବଡ଼ ଜା' ରଜନୀ ସିଡ଼ି ପାହାଚ ପାଖରେ ବସି ସ୍ମାର୍ଟ ଫୋନ ଟା ଧରି ସକାଳୁ ସକାଳୁ ଲୁସିକୁ କଣ ଗୋଟେ ଅତି ଗୋପନୀୟ ପରାମର୍ଶ ଦେବାରେ ବ୍ୟସ୍ତ ଅଛନ୍ତି ।

ଅଳକା ଯାଇ ତାଙ୍କ ପାଖେ ଠିଆ ହେଲେ ।

--ନାନୀ ଘରର ଏତେ କାମ ପଡିଛି, ସକାଳୁ କାହାକୁ ଫୋନ ନକଲେ ଚଳନ୍ତାନି?

--ବାସନ୍ତୀ ଆଜି ଆସିନି କି ?

--୮ ଟା ବାଜିଲାଣି, ଆଉ ସେ ଆସିବ ବୋଲି ଭାବୁଛ ?

--ମିଲି ନାହିଁ କି ?

--ସେ କରିବ ଝାଡ଼ୁ ପୋଛା, ବାସନ ମଜା କାମ ?

--କଣ ହେଲା ସେଠୁ ? ଘର କାମ, ଘରର ଝିଅ କଲେ ଅସୁବିଧା କୋଉଠି ?

--ନାନୀ ! ଗୋଟେ କଥା କହିବି ରାଗିବନି । ମିଲି କଣ ଏକା ଏ ଘରର ଝିଅ ? ଲୁସି କୋଉଦିନ ଏ ଘରେ ଝାଡ଼ୁ, ପୋଛା ମାରିଥିଲା କି ? ନା ଆଶା ଓ ବର୍ଷା ବି ଏ ଘରର ଝିଅ ନୁହଁନ୍ତି ? ତୁମେ କାହିଁକି ମିଲି କୁ ସବୁବେଳେ କାମ ରେ ଲଗେଇଦିଅ ? ଆମେ ଯଦି ଅନ୍ୟ ପିଲାଙ୍କ ଭଳି ତାକୁ ସ୍ନେହଁ, ଶ୍ରଦ୍ଧା ନକରିବା, ଭଲ ବ୍ୟବହାର ନଦେଖେଇବା ସେ ବିଚାରୀ ବାପ ମାଆ ଛେଉଣ୍ଡ ଝିଅଟା କେତେ କଷ୍ଟ ପାଇବ କହିଲ ? ସେ ଆଉ ଛୋଟ ହେଇ ନାହିଁ ନାନୀ । ବଡ଼ ହେଲାଣି, ସବୁ ବୁଝୁଛି ।

ରଜନୀ ସେତେବେଳେ କୁ ଝିଅର କଲ୍ ଟା କାଟିଦେଇଥିଲେ ଆଉ ଲୁସି ପୁଣି ଫୋନ କରୁଥିଲା । ରଜନୀ ରିସିଭ କରି ଦଶ ମିନିଟ୍ ପରେ କଥା ହେବେ କହି ରଖିଦେଲେ । ସେ ଜାଣିଥିଲେ ସାନ ଜା' ତାଙ୍କର ପ୍ରଚଣ୍ଡ ଅଳସୁଆ । ତାହାରି ସୁଯୋଗ ନେଇ କହିଲେ, "ଲୁସି ର ଦେହ ଭଲ ନାହିଁ । ରାତିରୁ ବାନ୍ତି ହେଉଛି । ତା ପାଖରେ କିଏ ଅଛି କହ ଅଳକା ? ମୁଁ ପରା ତା ଠୁ ସବୁ ଭଲ ମନ୍ଦ ଟିକେ ବୁଝୁଛି । ତୁ ଗୋଟେ କାମ କର, ବାସନ ଗୁଡ଼ା ମାଜି ପକା ମୁଁ କଥା ହେଇସାରି ଗଲେ ଝାଡ଼ୁ କରିଦେବି । ଘର ଆଜି ଗୋଟେ ଦିନ ପୋଛା ନହେଲେ ଚଳିବ ମ । "

ଅଳକାଙ୍କ ମୁଣ୍ତରେ ଚଡ଼କ ପଡ଼ିଲା । ପୁରା ପରିବାର ର କାଣ୍ଡିଏ ଅଇଁଠା ବାସନ ମାଜିବା କଥା ଭାବି ତାଙ୍କୁ ଜର ଆସିଲା । ସେ ଆସି ଆଶା ଆଉ ବର୍ଷାଙ୍କୁ ଅଳ୍ପ ଟିକେ ସାହାଯ୍ୟ କରିବାକୁ କହିଲାରୁ ଦୁହେଁ ଜାକ ଚିଡ଼ି ଉଠି ଏକା ସାଙ୍ଗରେ କହିଲେ , "ମାମା ତୁମ ମୁଣ୍ଡ ଖରାପ ହେଇଯାଇଛି କି? "

ଅଳକା ଆସି ମିଲିର ଦ୍ୱାରସ୍ଥ ହେଲେ । ମିଲି ବହିଟେ ଧରି ବସିଥିଲା । ନିଜ ମୁଣ୍ଡ କୁ ଚିପି ଧରି ମିଲି ପାଖରେ ବସିଲେ । ଆସ୍ତେ କରି କହିଲେ, 'ମାଆ ରେ ପଢ଼ୁଛୁ କି ? ମୋ ମୁଣ୍ଡ ଭାରି ବିନ୍ଧୁଛି । ଟିକେ ଚା' କରି ଆଣି ଦିଅନ୍ତୁ ନି? "

--ହଁ ମାଇଁ । ଏହି ସଙ୍ଗେ ସଙ୍ଗେ ଆଣୁଛି ।

ଅଳକା ପୁଣି ଥଙ୍ଗ ଥଙ୍ଗ ହେଇ କହିଲେ, "ହଁ ଶୁଣୁ । ଆଜି ବାସନ୍ତୀ ଆସିନି । ରାତିର ବାସନ ଗୁଡ଼ା ପଡିଛି । ସେତକ ଟିକେ ମୋ ସାଙ୍ଗରେ ମିଶିକି କରିବାକୁ ସେ ବଦମାସ ଆଶା କି ବର୍ଷା କେହି ରାଜି ହେଲେନି । ମୋର ତ ଦେଖୁଛୁ କେମିତି ମୁଣ୍ଡ ବିନ୍ଧା ହେଉଛି । ନହେଲେ ମୁଁ ଏକା ସବୁ କରିଦେଇଥାନ୍ତି । ତୁ ଗୋଟେ କାମ କର, ଆଗ ବାସନ ସଫା କରିଦେ । ତାପରେ ମୋତେ ଚା' ଆଣି ଦେବୁ । ମୁଁ ତୋ ପଢ଼ା କଥା ଆଜି ତୋ ମାମୁଁ ଙ୍କୁ କହି କିଛି ଗୋଟେ ବ୍ୟବସ୍ଥା ନିଶ୍ଚୟ କରିବି ।"

ମିଲିକୁ କାହିଁକି କେଜାଣି ବଡ଼ ଲଜ୍ୟାବୋଧ ହେଲା । ମନେ ମନେ ନିଜକୁ ନିନ୍ଦୁଥିଲା ଏମିତି ଜଣେ ହୃଦୟହୀନା ନାରୀ କୁ ନିଜ ହୃଦୟର କଥା କହି ଥିବାରୁ । ସେ ଏହି ନାରୀଟିକୁ ସଠିକ ଭାବେ ବୁଝିବାକୁ ଚେଷ୍ଟା କରି ପ୍ରତିଥର ଧକ୍କା ହିଁ ଖାଉଥିଲା । ତଥାପି ସେ ଉଠିଲା ଓ କିଚେନ୍ ଆଡ଼କୁ ଗଲା । ଗଦାଏ ଅଇଁଠା ବାସନ ର ବୋଝ ଏବେ ତା ମୁଣ୍ଡ ଉପରେ । ସେ ଭଲକରି ଜାଣିଥିଲା ସାନ ମାଇଁଙ୍କ ମୁଣ୍ଡ ବ୍ୟଥା ର ଅସଲ କାରଣ କଣ । ଅତୀତରେ, ସେ ଖୁବ୍ ଛୋଟ ଥିଲା ବେଳେ ଯେବେ ଯେବେ କାମବାଲୀ ଆସେନି ସାନ ମାଇଁଙ୍କର ଏମିତି ହିଁ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଯାଏ ଓ ବଡ଼ ମାଇଁ ମିଲି କୁ କାମଵାଲୀ ର ଯାବତୀୟ କାମ କରିବାକୁ ବାଧ୍ୟ କରିପକାନ୍ତି ।

ମିଲି ଅଇଁଠା ବାସନ ଗୁଡ଼ା ଖଡ଼ ଖାଡ୍ କରି ମାଜୁଥିଲା ବେଳେ ଅଳକାଙ୍କ ଛାତିରେ ବାସନ ମଜା ବ୍ରସ ଟା କିଏ ଘଷି ଦେଲା ପରି ତାଙ୍କୁ ଅନୁଭବ ହେଉଥିଲା । ତଥାପି ସେ ନିରୁପାୟ ଥିଲେ । ନିଜର ଅଳସୁଆମୀ ଓ ମିଲିର ଆଶା,ବର୍ଷାଙ୍କ ପରି 'ନାଁ'କହି ମନା ନକରିପାରିବାର ଅସାମର୍ଥ୍ୟତାର ଫଳସ୍ୱରୂପ ତାଙ୍କ ଚରିତ୍ରର ଗୋଟିଏ ପାଖହିଁ ଭାଣିଜୀ ମିଲି ସମେତ ବାକି ଅନ୍ୟ ସମସ୍ତେ ଦେଖୁଥିଲେ । ଆରପାଖ ଟା ଯେତେ ଉଜ୍ଜଳ ହେଲେ ବି ସାମ୍ନା କୁ ଆସୁ ଆସୁ ଲିଭି ଯାଉଥିଲା ।

ଅଳକା ତାଙ୍କ କଥା ରଖିଲେ । ସନ୍ଧ୍ୟାରେ ସମସ୍ତେ ବସି ଟିଭି ଦେଖୁଥିଲା ବେଳେ ସେ ମିଲିର କୋଚିଂ ନେବା ପ୍ରସଙ୍ଗ ଉଠେଇଲେ । ମାମୁଁ ମାନଙ୍କର ମିଲିର ଇଣ୍ଟେଲିଜେନ୍ସ ଓ ଅକ୍ଲାନ୍ତ ପରିଶ୍ରମ ଉପରେ ସାମାନ୍ୟ ସନ୍ଦେହ ନଥିଲା । ଦ୍ୱନ୍ଦ୍ୱ ଥିଲା କୋଚିଂ ସେଣ୍ଟର୍ ଗୁଡ଼ିକର ମୋଟା ଅଙ୍କର ଫି କୁ ନେଇ । ସେମାନେ ମିଲିର ଆଶା, ଆକାଂକ୍ଷା କୁ ବୁଝୁଥିଲେ କିନ୍ତୁ ଟଙ୍କାଟା ଦେବ କିଏ ସେ ନେଇ ପରସ୍ପର ପରସ୍ପରର ଖର୍ଚ୍ଚ-ବ୍ୟୟ ହିସାବ ଦେଖାଉଥିଲେ । ଠିକ ଏହି ସମୟରେ ରଜନୀଙ୍କର ମନେ ପଡିଗଲା ମିଲିର ବାପା ମାଆ ଙ୍କର ସେହି ହୃଦୟବିଦାରକ ଦୁର୍ଘଟଣା ପରେ ମିଳିଥିବା କ୍ଷତି ପୂରଣ ରାଶି କଥା । ସେ ମୁହଁ ଖୋଲିଲେ -ଆରେ ତୁମେମାନେ ଏତେ ବ୍ୟସ୍ତ କାହିଁକି ହେଉଛ ? ସେ ଯଦି କୋଚିଂ ନେଇ କିଛି ଟଙ୍କା ବର୍ବାଦ କରିବାକୁ ଚାହୁଁଛି ତାରି ଟଙ୍କା ତା ଅଯଥା ଖର୍ଚ୍ଚରେ ଲଗେଇ ଦିଅ । ମନ୍ଦାକିନୀ ଆଉ ବୀରେନ୍ଦ୍ର ବାବୁଙ୍କ ଆକ୍ସିଡେଣ୍ଟ କ୍ଷତିପୂରଣ ବାବଦକୁ ସେହି ଯୋଉ ଟଙ୍କା କିଛି ମିଲି ନାଁରେ ଅଛି ସେଇଥିରୁ କିଛି କାଢ଼ି ଆଣି ତାର ନାଁ ଲେଖେଇ ଦିଅ ନେଇକି ।

--ନାଁ ନାଁ ରଜନୀ, ସେତକ ଥାଉ ମିଲିର ଭବିଷ୍ୟତ ପାଇଁ । ଆମେ ଆଉ କିଛି ବାଟ ଦେଖିବା । ଶିତେଶ ଆଉ ମୁଁ ମିଶି ଅଳ୍ପ ଅଳ୍ପ କିଛି ଦେଇଦେଲେ ହେଇଯିବ ।

ବଡ଼ ମାମୁଁ ନରେଶ ଙ୍କର ଏପରି ଉକ୍ତି ରେ ବଡ଼ମାଇଁ ଆଦୌ ସନ୍ତୁଷ୍ଟ ଦିଶିଲେ ନାହିଁ । ତାଙ୍କ ଏକମାତ୍ର ପୁଅ ଟୁଲୁ ବାଙ୍ଗଲୋର ରୁ ଚାକିରୀ ଛାଡ଼ି ଆସି ଘରେ ବସିଛି । ନିଜ ସଞ୍ଚିତ କିଛି ଅର୍ଥ ଓ ବାପାଙ୍କ ଠାରୁ ବାକି କିଛି ସାହାଯ୍ୟ ନେଇ ଭୁବନେଶ୍ୱରରେ କଣ ଗୋଟେ ସଂସ୍ଥା ଆରମ୍ଭ କରିବ କହୁଛି । କାଲି ରାତିରେ ସେ ତା ମାଆ କୁ କହୁଥିଲା ତାର ଅନେକ ଟଙ୍କା ଦରକାର ।

"ଆଉ ଟୁଲୁ କଥା ବୋଧେ ଭୁଲିଗଲ । ଯାହା କରୁଛ କର ",କହି ରଜନୀ ଚା'ଆଣିବାକୁ ଚାଲିଗଲେ । ଦେଢ଼ଶୂର ଙ୍କ ଆଗରେ ନିଜର ମତ ଠିକ ଭାବେ ରଖି ପାରୁନଥିବା ଅଳକା ମଧ୍ୟ୍ୟ ସେ ସ୍ଥାନ ଛାଡ଼ି ଚାଲିଆସିଲେ ।

ରାତିରେ ଶିତେଶ ଙ୍କୁ ଅଳକା କହିଲେ, "ଶୁଣ, ଆଶା,ବର୍ଷା ଙ୍କ ସ୍କୁଟି କିଣା ଅପେକ୍ଷା ମିଲିର କୋଚିଂ ରେ ଟଙ୍କା ଇନଭେଷ୍ଟ କରିବା ବୁଦ୍ଧିମତାର କାମ ହେବ । ଏମାନେ ଆଉ ସ୍କୁଟି ନେଇ ଗଲେ କୋଉ ଆଇ.ଏ.ଏସ୍. ଅଫିସର ହେଇଯିବେ? ସେ ସ୍କୁଟି କିଣା ଭୂତ ମୁଣ୍ଡରୁ ବାହାର କରି ମିଲି ପାଇଁ ଭଲ କୋଚିଂ ଇନଷ୍ଟିଚ୍ୟୁଟ ଟେ ବୁଝ । ଆଉ ବେଶି କିଛି ଟଙ୍କା ଦରକାର ହେଲେ, ମୁଁ ଦେବି । ମୋ ପାଖରେ ବି ଅଳ୍ପ କିଛି ଶେଭିଂସ୍ ଅଛି । "

ଶେଷ ଧାଡ଼ି ଟା କହିଲା ବେଳେ କିନ୍ତୁ ଅଳକା ଆଉ ସ୍ୱମୀଙ୍କ ମୁହଁ କୁ ସିଧା ଅନେଇ କହିନଥିଲେ ।

ତାହା ହିଁ ହେଲା । ଆଶା ଓ ବର୍ଷା ଙ୍କୁ ଅଳକା ବୁଝେଇ କହିଲେ, "ବାପାଙ୍କର ବ୍ୟବସାୟ ଲସ୍ ରେ ଚାଲିଛି, ତେଣୁ ଆସନ୍ତା ବର୍ଷକୁ ତୁମମାନଙ୍କର ସ୍କୁଟି କିଣା ପକ୍କା । "

ମିଲି ଦୂର ଏକ ସହରକୁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାଲିଗଲା । ସେ କିନ୍ତୁ କୌଣସି ଦିନ ଜାଣିଲା ନାହିଁ କୋଚିଂ ସେଣ୍ଟର୍ ର ଫି ପାଇଁ ଟଙ୍କାଟା ଦେଲା କିଏ ? ମାମୁଁ ମାନେ ଦେଇଥିବେ ଭାବି ସେମାନଙ୍କ ଟଙ୍କାକୁ ବ୍ୟର୍ଥ ହେବାକୁ ନେଦେବା ପାଇଁ କଠୋର ସାଧନା ରେ ଲାଗିପଡ଼ିଲା ।

ଖବର କାଗଜରେ ମିଲିର ନାଁ । ପ୍ରବେଶିକା ପରୀକ୍ଷାରେ ଖୁବ ଭଲ କରିଛି । ପ୍ରଥମ ଚେଷ୍ଟାରେ ଏତେ ଭଲ rank ରଖିଥିବାରୁ ମାମୁଁମାନେ ପୁଣି ଥରେ ଭାଣିଜୀର ସଫଳତାରେ ଉଲ୍ଲୋସିତ ହେଲେ ଓ ଖୁବ ଗର୍ବର ସହ ନିଜର ବନ୍ଧୁମାନଙ୍କୁ ସୁସମ୍ବାଦ ଜଣେଇଲେ ।

ରଜନୀ ଙ୍କୁ କାହିଁକି କେଜାଣି ଲାଗୁଥିଲା ମିଲି ତାଙ୍କୁ ହରେଇ ଦେଇଛି । ସେ ଆଦୌ ଖୁସି ହେଇପାରୁନଥିଲେ । ମିଲି ଦେଖିଲା ସାନ ମାଇଁ ମଧ୍ୟ୍ୟ ଖୁସି ଜଣା ପଡୁନାହାଁନ୍ତି । ଆଶା ଓ ବର୍ଷା ତ ଈର୍ଷାନ୍ୱିତ ହେବା ସ୍ୱାଭାବିକ । ମିଲି ତାଙ୍କ ସମବୟସ୍କା । କିନ୍ତୁ ସାନ ମାଇଁ ତ ଏତେ ଈର୍ଷାଳୁ ନୁହଁନ୍ତି, ତଥାପି କାହିଁକି ସେ ଖୁସିରେ ମିଲି କୁ କୋଳେଇ ନେଲେନି ? ତାହେଲେ କଣ ସେ ମଧ୍ୟ ମିଲିର ଡାକ୍ତରୀ ପଢିବାରେ ଖୁସି ନୁହଁନ୍ତି?

ମିଲି ଆଉ ବେଶି କିଛି ଭାବିଲା ନାହିଁ । କାଉନ୍ସେଲିଂ ଓ ମେଡିକାଲ କଲେଜ ଚୟନ କୁ ନେଇ ସେ ଉତ୍ସାହିତ ଥିଲା । ସାନମାମୁଁ ପ୍ରତିଥର ତା ସହ ଯାଉଥିଲେ ଅଭିଭାବକ ଭାବେ । ଏଥର ବଡ଼ ମାମୁଁ ମିଲିର ଅଭିଭାବକ । ଶିତେଶ ଙ୍କୁ ତାଙ୍କ ଶ୍ଵଶୁର ଘରକୁ ଯିବାକୁ ପଡ଼ିବ ଅଳକାଙ୍କୁ ସାଙ୍ଗରେ ଧରି । ଅନେକ ଦିନ ଧରି ରୋଗ ଶଯ୍ୟାରେ ଥିବା ଅଳକାଙ୍କ ବୃଦ୍ଧ ବାପାଙ୍କୁ ଏବେ ତାଙ୍କ ଜୀବନର ଶେଷ ନିଶ୍ୱାସଟି ତ୍ୟାଗୀବାର ସମୟ ଆସିଯାଇଛି । ପିଲାବେଳୁ ଅଳକା ମାତୃହରା । ବାପା ତାଙ୍କର ସର୍ବସ୍ୱ । "ମାଆ ଛେଉଣ୍ଡି", କହି ସେ ଅଳକାଙ୍କୁ ମୁଣ୍ଡରେ ବସେଇଥିଲେ । କୌଣସି ଦିନ ଅଳକାଙ୍କ ବାପା ନିଜ ପ୍ରାଣର ଗେଲ୍ହା ଝିଅକୁ କିଛି କାମ କରିବାକୁ ଦେଇନାହାଁନ୍ତି କିମ୍ବା ମାଆର ଅଭାବ ଅନୁଭବ ହେବାକୁ ଦେଇନାହାଁନ୍ତି । ଅଳକା ବାପାଙ୍କର ସେହି ଶ୍ରଦ୍ଧା ଓ ସ୍ନେହଁ କୁ ମନେପକାଇ କାନ୍ଦି କାନ୍ଦି ଆଖି ଫୁଲେଇ ସାରିଲେଣି ।

ମିଲିର ଆଡ଼ମିଶନ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜରେ ହେଲା । ସ୍ୱପ୍ନ ତାର ପୂରଣ ହେବାକୁ ଯାଉଥିଲା । ମନରେ ଅଫୁରନ୍ତ ଆନନ୍ଦ ଓ ଆକାଶକୁ ଛୁଇଁଯିବାର ଅଭିଳାଷା ନେଇ ମିଲି ସ୍ୱପ୍ନ ଓ ସଫଳତାର ଦିଗ କୁ ଗୋଡ଼ ବଢ଼େଇ ଆଗେଇ ଚାଲିଲା ।

ସମୟ ବଦଳୁଥିଲା, ତା ସହ ମିଲିର ମନ ବି ଧୀରେ ଧୀରେ ବଦଳିବାରେ ଲାଗିଲା । ତାର ଆତ୍ମବିଶ୍ୱାସ ଖୁବ ବଢ଼ିଯାଇଥିଲା । ମିଲି ପଢ଼ା ପଢ଼ି ଭିତରେ ଏକଦମ ମଜ୍ଜି ଯାଇଥିଲା । ସେ ହଷ୍ଟେଲ ଛାଡ଼ି ଆଉ ଏତେଟା ମାମୁଁ ଘରକୁ ଆସେନି । ଯେବେ ବି ଆସେ ଗୋଟେ ଦୁଇ ଦିନ ରହି ଚାଲିଯାଏ । ମାମୁଁଘରେ ମଧ୍ୟ ତା ପ୍ରତି ସଭିଙ୍କ ବ୍ୟବହାର ରେ ଅନେକ ପରିବର୍ତ୍ତନ ଦେଖାଦେଇଥିଲା । ରଜନୀ ଆଉ ପୂର୍ବଦିନମାନଙ୍କ ଭଳି ମିଲିକୁ ଘରର ଛୋଟ ଛୋଟ କାମ କରିଦେବା ପାଇଁ ବାଧ୍ୟ କରିପାରୁନଥିଲେ ବରଂ ତାଙ୍କ ଚିହ୍ନା ପରିଚିତ ଲୋକ କେହି ରୋଗ ରେ ପଡ଼ି ମିଲିର ମେଡିକାଲ କଲେଜ ରେ ଭର୍ତ୍ତି ହେଇଥିଲେ, ସେ ମିଲିର ସାହାଯ୍ୟ ନେଉଥିଲେ ।

ମିଲି ଶେଷଥର ସେଭେନନ୍ଥ୍ ସେମିଷ୍ଟାର ପରୀକ୍ଷା ପରେ ଘରକୁ ଆସିଥିଲା । ଅଜା ଅସୁସ୍ଥ ଥିଲେ । ଚାଲିଗଲେ । ଅଜା ବହୁଦିନରୁ ପକ୍ଷାଘାତରେ ପୀଡିତ ହୋଇ ବିଛଣା ଧରି ପଡିରହିଥିଲେ । ମିଲି ସହ ଭଲ କରି କଥା ହେଇପାରୁନଥିଲେ, ତଥାପି କାହିଁକି କେଜାଣି ମିଲି ତାଙ୍କୁ ସବୁଠୁ ବେଶି ନିଜର ମନେ କରେ । ଅଜାଙ୍କ ଶୁଦ୍ଧି କ୍ରିୟା ପରେ ମିଲି ହଷ୍ଟେଲ ଫେରିଯାଇଥିଲା । ଅନେକ ଦିନ ହେବ ଆଉ ଆସିନଥିଲା । ହଠାତ ଦିନେ ବଡ଼ମାମୁଁଙ୍କ ଫୋନ ଆସିଲା । ମିଲି ଟିକେ ବିଚଳିତ ହେଲା । ମାଇଁମାନେ ମିଲିକୁ କେବେ ଫୋନ କରନ୍ତିନି । ଯେବେ ବି କରନ୍ତି ତାଙ୍କ ବନ୍ଧୁ ପରିଜନ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାର ସମାଧାନ ବିଷୟରେ ପରାମର୍ଶ ପାଇଁ କରନ୍ତି । ଆଉ ନିହାତି ଦରକାର ନଥିଲେ ମାମୁଁମାନେ ବି କଲ୍ କରନ୍ତିନି । ଆଶା ଓ ବର୍ଷା କେବେ କେବେ ମିଲି ସହ ହ୍ୱାଟ୍ସଅପ ରେ ଚାଟିଙ୍ଗ କରନ୍ତି । ବାଶ୍ ଏତିକି । ଆଜି ପୁଣି ବଡ଼ ମାମୁଁ କାହିଁକି ଫୋନ କରୁଛନ୍ତି ? ଦୁଇଥର କଲ୍ ମିଶ୍ଡ ହେଇସାରିଲାଣି । ମିଲି ଫୋନ ରିସିଭ କଲା ।

--ମାମୁଁ ପ୍ରଣାମ ।

--କେମିତି ଅଛୁ ରେ ମାଆ ?ପଢ଼ା ପଢ଼ି କେମିତି ଚାଲିଛି ?

--ହଁ ମାମୁଁ ସବୁ ଠିକ ।

ନରେଶ ଏଥର ମିଲିକୁ କହିଲେ ଛୁଟି ଦେଖି ଯେମିତି ହେଉ ତାକୁ ଦୁଇ ତିନି ଦିନ ଭିତରେ ଘରକୁ ଯିବାକୁ ହେବ । ଗୁରୁତ୍ୱପୂର୍ଣ୍ଣ କାମ ଅଛି । ଏତକ କହି ଫୋନ ରଖିଦେଲେ । ମିଲି ମାମୁଁଙ୍କ କଥା ମାନି ପର ଶନିବାର ସନ୍ଧ୍ୟାରେ ଆସି ଘରେ ପହଞ୍ଚିଲା ।

ରବିବାର ଦିନ ଏଗାରଟା ବେଳେ ଜଣେ ଭଦ୍ରଲୋକ ଆସିଲେ । ସାନ ମାଇଁ ଚା' ନେଇଗଲେ । ବଡ଼ ମାମୁଁ ଓ ମାଇଁ ଏବଂ ସାନମାମୁଁ ତିନିହେଁ ସେ ଆଗନ୍ତୁକଙ୍କ ସହ ବସି କଣ କଥା ହେଉଥିଲେ । ମିଲିର ମନରେ କେମିତି ଟିକେ ସନ୍ଦେହ ଆସିଲା । ସେ ଡ୍ରଇଂ ରୁମ ପାଖ ଅଜାଙ୍କ ରୁମ୍ ର ଝରକା ପାଖରେ ଯାଇ ଲୁଚି ଠିଆ ହେଲା ଘଟଣା କଣ ଜାଣିବା ପାଇଁ । ସେ ଯାହା ଶୁଣିଲା, ତା ମୁଣ୍ଡରେ ମସ୍ତବଡ଼ ପଥରଟେ କିଏ ଲଦି ଦେଲା ପରି ସେ ଅନୁଭବ କଲା ।

ଭଦ୍ରବ୍ୟକ୍ତି ଜଣେ ମଧ୍ୟସ୍ଥି ଥିଲେ । ସେ ମିଲିର ବାହାଘର ପ୍ରସ୍ତାବ ନେଇ ଆସିଥିଲେ । ସମସ୍ତେ ସେ ପ୍ରସ୍ତାବରେ ରାଜି ଥିବା ପରି ଜଣାଯାଉଥିଲେ । କାଲି ସେ ପିଲାର ଘରଲୋକଙ୍କୁ ମିଲି କୁ ଦେଖିବାକୁ ଡାକିବା ବିଷୟରେ ଆଲୋଚନା ହେଉଥିଲା । କେହି ଜଣେ ବି ହେଲେ ମିଲିର କଣ ଇଚ୍ଛା ଅନିଚ୍ଛା ସେ ବିଷୟରେ ଜାଣିବାକୁ ଚାହିଁଲେ ନାହିଁ । ମିଲି ର ଆଖି ଲୁହରେ ଛଳ ଛଳ ହେଇଗଲା ଓ ଛାତି ଭିତରେ ଅଗ୍ନୀ ପେଣ୍ଡୁଟେ ହୁତ୍ ହୁତ୍ ହେଇ ଜଳିଉଠିଲା । ଭଲ ଗୋଟେ ପେଡିଟ୍ରିଆସିଆନ୍ ହେବାର ସ୍ୱପ୍ନ ତାର ଭାଙ୍ଗି ଯାଉଥିଲା । ରଜତ ର ଛବି ତା ଆଖି ଆଗରେ ଅସ୍ପଷ୍ଟ ହେଇ ଯାଉଥିଲା । ରଜତ ଜଣେ ଶାନ୍ତ, ଭଦ୍ର ଓ ଅସମ୍ଭବ ମେଧାବୀ ଛାତ୍ର । ତାଙ୍କ ବ୍ୟାଚ ଟପର୍ ଓ ନିଟ୍ ପ୍ରବେଶିକା ରେ ଓଡିଶା ଟପର୍ ଥିଲା ରଜତ୍ ମହାପାତ୍ର । ମିଲିକୁ ସେ ସେମିତି କିଛି ପ୍ରତିଶୃତି ଦେଇନଥିଲେ ମଧ୍ୟ ମିଲି ଜାଣେ ରଜତ୍ ତାକୁ ପ୍ରାଣ ଭରି ଭଲ ପାଏ । ମିଲିର ମନରେ ନୂଆକରି ଉଙ୍କି ମାରିଥିବା ପ୍ରେମର ଛୋଟିଆ ସୌଧଟା ଭୁଶୁଡି ମାଟିରେ ମିଶିଯାଉଥିଲା । ସେ ଏବେ କଣ କହି ମନାକରିବ ଯେ ସେମାନଙ୍କ ପ୍ରସ୍ତାବ ରେ ସେ ରାଜି ନୁହେଁ ? ମିଲି ଆଉ ଥରେ ଝରକାର ସ୍କ୍ରିନ ଆଡେଇ ଦେଖିଲା ସାନମାଇଁ ଜଳଖିଆ ପ୍ଲେଟ୍ ଧରି ଡ୍ରଇଂ ରୁମ୍ ଭିତରକୁ ଯାଉଛନ୍ତି । ପ୍ଲେଟ୍ ଥୋଇ ସେ ଭଦ୍ରଲୋକଙ୍କୁ କଣ ଗୋଟେ କହିଲେ ବୋଧେ, ସମସ୍ତେ ଏକାବେଳେ ସ୍ତବ୍ଧ ହେଇଗଲେ ଯେ ! ମିଲି ଭଲ କରି କାନ ଡ଼େରିଲା ।

--ଦେଖନ୍ତୁ ନରେଶ ବାବୁ ମୁଁ ଆପଣମାନଙ୍କ ଭଲ ପାଇଁ କହୁଥିଲି । ମିଲିର ବାପା ମାଆ ନାହାଁନ୍ତି । ଏମିତି ଝିଅକୁ ଭଲ ସଂସ୍କାରୀ ପରିବାର ବୋହୂ କରିବା ପାଇଁ ପ୍ରାୟତଃ ରାଜି ହୁଅନ୍ତି ନାହିଁ । ଆପଣ ତ ଜାଣନ୍ତି ସୁଧାକର ବାବୁଙ୍କର କେତେ ନାଁ ଡାକ । ଅମାପ ସମ୍ପତ୍ତି । ବିଭୁଦତ୍ତ ତାଙ୍କର ଏକମାତ୍ର ପୁଅ । ଇଂଜିନିୟରିଂ ପାସ୍ କରିଛି । ସେଠି ମିଲିକୁ ବାହା ଦେଲେ ଆପଣମାନଙ୍କୁ ଟଙ୍କାଟାଏ ବି ଖର୍ଚ୍ଚ କରିବାକୁ ପଡ଼ିନଥାନ୍ତା । ମୁଁ ସବୁଆଡୁ ଦେଖି କହୁଥିଲି । କିନ୍ତୁ ଅଳକା ଦେବୀ ତ କହୁଛନ୍ତି ପ୍ରସ୍ତାବ ଟା ତାଙ୍କୁ ଠିକ ଲାଗୁନି । ମୁଁ ଆଉ କଣ କରିବି ? ସେ ଯଦି ବାପା ମାଆ ଛେଉଣ୍ଡ ଝିଅଟା ବିଷୟରେ ଭଲ କରି ଟିକେ ଭାବନ୍ତେ....

ଅଳକା କଥା ଛଡ଼େଇ ନେଇ ଖୁବ୍ ଗୋଟେ ବଡ଼ ପାଟିକରି କହିଲେ, "ଆପଣ ବାରମ୍ବାର ସେହି ମାଆ ବାପ ଛେଉଣ୍ଡ କଥା ଟା କାହିଁକି କହୁଛନ୍ତି? କିଏ କହିଲା ତାର ମାଆ ବାପ ନାହାଁନ୍ତି ? ଆମେମାନେ ସବୁ ଆଉ ତାର କଣ ବୋଲି ଆପଣ ଭାବନ୍ତି ? ସେ ମୋତେ କେତେ ମାଆ ଭାବେ ମୁଁ ଜାଣେନି କିନ୍ତୁ ମୁଁ ତାକୁ କୌଣସି ଦିନ ଭାଣିଜୀ ଭାବିନି । ସେ ମୋର ଝିଅ । ହଁ ମିଲି ମୋରି ଝିଅ । ମୁଁ ତାକୁ ଏମିତି ପଢ଼ା ଶେଷ ନକରି, ଡାକ୍ତରୀ ଡିଗ୍ରୀ ନପାଇବା ଯାଏଁ କୋଉଠି ବାହା ଦେଇ ପାରିବିନି । ତାର ବି କିଛି ସ୍ୱପ୍ନ ଥିବ । ଆଗକୁ ବଢିବାର ଇଚ୍ଛା ଥିବ । ସେ ଡିଗ୍ରୀ ହାସଲ କଲା ପରେ ତାକୁ ଏ ପ୍ରସ୍ତାବ ଠୁ କାହିଁରେ କେତେ ଗୁଣ ଭଲ ଯୋଗ୍ୟ ପାତ୍ରର ଅଭାବ ରହିବନି । ମୋ ଝିଅ ଜଣେ ସୁଦକ୍ଷା ଡକ୍ଟର ହେବାକୁ ଯାଉଛି । ମୁଁ ତା ଦକ୍ଷତା ର ଡେଣା କଟିଯିବାକୁ ଦେବିନି । ସେ ଯାହା ବି ହେଇଯାଉ । ମିଲିର ବାହାଘର ସେ ଅନାମଧେୟ ଇଞ୍ଜିନିୟର ସହ କେବେବି ହେଇପାରିବନି । "

ଭଦ୍ରଲୋକ ଅଳକାଙ୍କ କଥାରେ ଅପମାନିତ ବୋଧକଲାପରି ଦିଶିଲେ । ସ୍ୱାମୀ, ଦେଢ଼ଶୂର, ଜା' ସଭିଏଁ ହାଁ କରି ଅଳକାଙ୍କୁ ଅନେଇ ରହିଥିଲେ ଆଉ ଅଳକାଙ୍କ ଉଜ୍ଜ୍ୱଳ ମୁଖରେ ଆହତ ମାତୃତ୍ୱ ର ଆଭା ଉକୁଟି ଉଠୁଥିଲା । ମିଲି କୁ ଲାଗୁଥିଲା ତା ସ୍ୱପ୍ନ ପୁଣିଥରେ ଭାଙ୍ଗୁ ଭାଙ୍ଗୁ ସଜାଡ଼ି ହେଇଯାଉଛି । ସେ ତାର ସେହି ଅଳସୁଆ, କେବେ ବୁଝିହେଉନଥିବା ସାନମାଇଁ ଙ୍କୁ ଆଜି ନୂଆକରି ଯେମିତି ଦେଖୁଥିଲା । ତାଙ୍କ ପାଟିରୁ ବାହାରିଥିବା ବାକ୍ୟଗୁଡ଼ିକର ପ୍ରତିଟି ଶବ୍ଦ ମିଲିର ହୃଦୟକୁ ଛୁଇଁ ତା ଭିତରେ ଅଦ୍ଭୁତ ଅନୁଭବଟିଏ ଭରିଦେଉଥିଲା । ମିଲିର ଆଖି ସାମ୍ନାରେ ଏବେ ମାଆର ଜୀବନ୍ତ ମୂର୍ତ୍ତି । ମିଲିର ଥରିଲା ଓଠରେ ଧାରେ ହସ ଓ ଚକ୍ଷୁ ଯୁଗଳରେ ବୁନ୍ଦା ବୁନ୍ଦା ଅଶ୍ରୁ ଚିକମିକ କରୁଥିଲା । ଇଚ୍ଛା ହେଉଥିଲା ତାର ଧାଇଁଯାଇ ସାନମାଇଁ ଙ୍କୁ କୁଣ୍ଢେଇ ମନଭରି କାନ୍ଦନ୍ତା । କିନ୍ତୁ ସେ କରିପାରିଲାନି । ବରଂ ଦୌଡ଼ି ଯାଇ ନିଜ ରୁମ୍ ର ସେହି ଆଲମାରୀରୁ ତା ମାମା ର ପୁରୁଣା ଫୋଟୋ ଆଲବମଟା କାଢ଼ିଆଣିଲା । ଆଜି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ୍ୟ ଫୋଟୋ ଭିତରେ ସେ ତା ମାମା ମନ୍ଦାକିନୀଙ୍କୁ କୋଉଠି ଦେଖିପାରୁନଥିଲା । ମନ୍ଦାକିନୀଙ୍କ ପ୍ରତିଟି ଛବିରେ ସାନମାଇଁଙ୍କ ମୁହଁ ।

ସାନମାଇଁ ଙ୍କ ଉକ୍ତିର ଯଥାର୍ଥତା ଦୁଇ ମାମୁଁ ଠିକ ବୁଝିପାରିଲେ । ରଜନୀଙ୍କ ଶତ ଚେଷ୍ଟା ସତ୍ୱେ ମିଲିର ବିବାହ ନିମନ୍ତେ ପ୍ରସ୍ତାବ ଖୋଜା ସେତିକିରେ ରହିଲା ।

ସେହିଦିନ ଯେ ମିଲି ନିଜ ମାଆର ସ୍ଥାନରେ ସାନମାଇଁ ଙ୍କୁ ବସେଇଦେଇଥିଲା ଆଉ କୌଣସି ଦିନ ଓଲ୍ହେଇଦେବାର ସାହସ କରିପାରିନି । ସାନମାଇଁ ତ ଅପରିବର୍ତ୍ତନୀୟା । ତାଙ୍କର ବ୍ୟବହାର ମିଲି ପ୍ରତି ଅଠର ବର୍ଷ ତଳେ ଯାହା ଥିଲା ଆଜି ବି ସେମିତି । ମିଲି କିନ୍ତୁ ପରିପକ୍ୱତାର ସ୍ପର୍ଶରେ ଅନେକ କିଛି ବୁଝିନେବାକୁ ସକ୍ଷମ ହେଇପାରିଛି । ତାର ଆଉ ଏତକ ଜାଣିବାରେ ବାକି ନାହିଁ ଅଳକା ନାମ୍ନୀ ନାରୀଟିର ହୃଦୟ ସଦା ସଫେଦ ଓ ଆବିଳତା ଶୂନ୍ୟ ।

ଏ ଭିତରେ ଅନେକ ବର୍ଷ ବିତିଯାଇଛି । ମିଲିର ସବୁ ସ୍ୱପ୍ନ ଯେ ପୂର୍ଣ୍ଣ ହେଇଯିବ ସେଇଟା ତ ଆଉ ସମ୍ଭବ ନୁହେଁ ! ମଣିଷ ର କିଛି ଆଶା ଅବଶୋଷର ରୂପ ନେଇ ଜୀବନର ଅନ୍ତ ଯାଏଁ ରହିଯାଏ । ମିଲି ରଜତର ପତ୍ନୀ ହେଇଛି କିନ୍ତୁ ଜଣେ ଶିଶୁରୋଗ ବିଶେଷଜ୍ଞା ହେବାକୁ ସମର୍ଥ ହୋଇପାରିନି । ବଦଳରେ ପ୍ରସିଦ୍ଧ ଚକ୍ଷୁରୋଗ ବିଶେଷଜ୍ଞା ଭାବରେ ପରିଚିତି ଲାଭ କରିଛି ।

ଅଜାଙ୍କ ଦଶମ ମୃତ୍ୟୁ ବାର୍ଷିକୀ ରେ ମିଲି ନିଜ ଛୋଟ ଆଉ ସୁନ୍ଦର ପରିବାର ସହ ମାମୁଁଘରକୁ ଆସିଛି । ଆଶା ଓ ବର୍ଷା ମଧ୍ୟ ନିଜ ନିଜ ସାଂସାରିକ ଜୀବନରୁ ଅଳ୍ପ କିଛି ଦିନ ବିରତି ନେଇ ବାପଘର ଛାତ ତଳେ ଏକାଠି ହେଇଛନ୍ତି ।

ତିନି ଭଉଣୀ ପୁରୁଣା ଫୋଟୋ ଆଲବମ ଟେ ଦେଖି ପୁରୁଣା ସ୍ମୃତିରେ ହଜି ଯାଉଛନ୍ତି, ମିଲି ଗୋଟେ କଳା ଧଳା ଫୋଟୋ ପାଖରେ ଅଟକି ଗଲା ।

--ଆଶା ଏଇଟା ସାନମାଇଁ ଙ୍କ ଫୋଟୋ ନାଁ ?

--ହଁ ମାମାର ବାହାଘର ବେଳର ଫୋଟୋ ।

--ଦେଖ ତ ମାଇଁଙ୍କ ଜୁଏଲାରୀ ମୋ ବାହାଘର ଜୁଏଲାରୀ ସେଟ୍ ର ଅବିକଳ ନକଲ ପରି ଦିଶୁନି ?

--ଆରେ ନକଲ କଣ , ଏଇଟା ତ ସେହି ସେଟ୍ ।

--ମାନେ ?

--ମାନେ ମନ୍ଦାକିନୀ ଅପାଙ୍କ ଗହଣା ତୋ ବଡମାମା ରଖିଦେଇଥିଲେ, ଦେଲେ ନାହିଁ । ତୋ ବାହାଘର ଅଳ୍ପ ଦିନ ଆଗରୁ ବର୍ଷା ର ବାହାଘର ଆଉ ତା ପୂର୍ବରୁ ମୋ ବାହାଘର ପାଇଁ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଇଯାଇଥିଲା । ସେଥିପାଇଁ ମାମା, ବାବାଙ୍କୁ ତା ନିଜ ଗହଣା ଦେଇ କହିଥିଲା ସଫା କରି ନେଇଆସିବାକୁ ତୋ ବାହାଘର ପାଇଁ । ତୁ ଖୁସି ହେବୁ ବୋଲି ତତେ ସମସ୍ତେ କହିଦେଇଥିଲେ ସେ ସବୁ ତୋ ମାମା ର ।

ମିଲି ଏଥର ଆଉ ନିଜକୁ ଅଟକେଇ ପାରିଲାନି । ପାଗଳୀ ପରି ଖୋଜି ଖୋଜି ସାନମାଇଁ ଙ୍କ ପାଖକୁ ଦୌଡ଼ିଗଲା । ମାଇଁ ତାଙ୍କ ବେଡ୍ ରେ ଆଖି ବୁଜି ଗଡୁଥିଲେ । ମିଲି ଧାଇଁଯାଇ ତାଙ୍କୁ ଜାବୁଡ଼ି ଧରିଲା । ତାଙ୍କ ନିଦ ଚାଉଁ କରି ଭାଙ୍ଗିଗଲା ।

--କିଏ ମିଲି କିରେ ?

--ହଁ, ତୁମ ଝିଅ ।

--କିଏ ମନା କଲା ?

--ମୁଁ ତୁମକୁ ମାଇଁ ନଡାକି ମାମା ଡାକିପାରିବି ?

--ସେଇ ନାଁରେ ଡାକିବା କଣ ନିହାତି ଦରକାର? ମାଇଁ ଭିତରେ ବି ଆଉ ଅଲଗା କିଛି ନଥାଏ ଲୋ ବାୟାଣୀ ! ସେହି ତ ଗୋଟିଏ ମାଆର ହୃଦୟ,ନାଁ କେଵଳ ଭିନ୍ନ । ନାମଟେ ରେ କଣ କିଛି ବଦଳିଯାଏ ?

ମାଇଁ ମିଲିକୁ ନିଜ ପାଖକୁ ଭିଡ଼ିଆଣୁଥିଲେ, ମିଲି ବି ଅଳକାଙ୍କୁ ଜାବୁଡ଼ି ଧରିଥିଲା ଛୋଟ ଝିଅଟେ ନିଜ ମାଆକୁ କୁଣ୍ଢେଇ ଧରିଲା ପରି ।

ମିଲି ମାଇଁଙ୍କ ଛାତି ପାଖ ଉଷ୍ମ ସ୍ନେହଁର ସ୍ପର୍ଶପାଇ ନିଜକୁ ଓଦାଳିଆ କରି ଭିଜାଉଥିଲା ବେଳେ ଆଶା ଓ ବର୍ଷା ଆସି ବେଡ୍ କଡ଼ରେ ଠିଆ ହୋଇ ସେହି ମାଆ-ଝିଅ ଦୁହିଁଙ୍କ ଅଦ୍ଭୁତ ଅପୂର୍ଵ ମିଳନର ଦୃଶ୍ୟକୁ ମୁଗ୍ଧ ହୋଇ ଦେଖୁଥିଲେ ଓ ତାସହ ଚାରିଧାର ସାମାନ୍ୟ ଇର୍ଷାର ଓ ଖୁବ ବେଶି ଆନନ୍ଦରେ ଶିକ୍ତ ଅଶ୍ରୁକୁ ନିଜ ନିଜ ଚିବୁକ୍ ଦେଇ ବୋହିଯିବାକୁ ଦେଉଥିଲେ ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପୁର

ସକାଳ ରଜନୀ ମନ୍ଦାକିନୀ

Rate the content


Originality
Flow
Language
Cover design

Comments

Post

Some text some message..