Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଙ୍କଡ଼ ଓ ମାଙ୍କିଡ଼ି ମାଉସୀ
ମାଙ୍କଡ଼ ଓ ମାଙ୍କିଡ଼ି ମାଉସୀ
★★★★★

© Aravinda Das

Inspirational Others

4 Minutes   7.5K    23


Content Ranking

"ମାଙ୍କିଡି ମାଉସୀ" ନାଁଟା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

ନଖିପୁର ବ୍ଲକ'ର ଜେମାପୁର ଗାଁରେ ମୋର ନୂଆ କରି ପୋଷ୍ଟିଙ୍ଗ ହୋଇଥାଏ । ଜାଗାଟା ପାହାଡିଆ,ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ମ୍ୟାଲେରିଆ ପ୍ରବଣ ଅଞ୍ଚଳ; ତା ଉପରେ ପୁଣି ମାଓବାଦୀଙ୍କ ଭୟ । ପରିବାର ଓ ସାଙ୍ଗମାନେ ମନା କରୁଥିଲେ ଜଏନ କରିବାକୁ, ହେଲେ ସରକାରୀ ଚାକିରୀ ଛାଡିବାର ଦୁଃସାହାସ କରି ପାରିଲିନି । ଧରାଧରି କରି ଅନ୍ୟ କେଉଁଠି ପୋଷ୍ଟିଙ୍ଗ କରାଇବାର କ୍ଷମତା ବି ନଥିଲା ମୋର ।

ଦୀର୍ଘ ୧୬ ଘଣ୍ଟାର ବସ୍ ଯାତ୍ରା ପରେ ପହଂଚିଲି ମୋ ଲକ୍ଷ୍ୟସ୍ଥଳରେ ।

ଅଫିସ ହତାଭିତରେ ଗୋଟେ ପୁରୁଣା କ୍ୱାଟରରେ ମୋ ରହିବା ବ୍ୟବସ୍ଥା ହୋଇଥିଲା । ସାଙ୍ଗରେ ନେଇଥିବା ବେଡ଼ ହୋଲ୍ଡର ତପ୍ତପୋଷ ଖଟରେ ବିଛାଇଲି ଓ ମଶାରୀ ଲଗାଇଦେଇ ଟିକେ ନିଶ୍ଚିତ ହେଲି ।

ପାଖରେ ଠିଆ ହୋଇଥିବା ସହକର୍ମୀ ରାଘବ ବାବୁ କହିଲେ, "ଦିନରେ ୧୦/୧୨ ଘଣ୍ଟା ଏଠି ପାୱାର ରହେନା । କିରାସିନି,ମହମବତୀ,ଏମର୍ଜେନ୍ସି ଲାଇଟ ରଖିବେ ପାଖରେ । ଆପଣଙ୍କୁ ରୋଷେଇ ଆସେ ନା ଅନ୍ୟ ବ୍ୟବସ୍ଥା କରିବେ ? "

"ଏଠି ହୋଟେଲ ବା ମେସ୍ ନାହିଁ ?"

ମୋ କଥା ଶୁଣି ରାଘବ ବାବୁ ହସିଦେଇ କହିଲେ, "ଏ ଛୋଟିଆ ଜାଗାରେ ସେ ସୁବିଧା କେଉଁଠୁ ଆସିବ ?ସ୍କୁଲ ପାଖରେ ଗୋଟେ ଚା/ଜଳଖିଆ ଦୋକାନ,ଗୋଟେ ତେଜେରାତି ଓ ଗୋଟାଏ ସାଇକେଲ/ମଟରସାଇକେଲ ରିପେୟାର ଦୋକାନ ଯାହା ଅଛି ।

ଅନ୍ୟ ସବୁ ଜିନିଷ ପାଇଁ ୫ କିଲୋମିଟର ଯିବାକୁ ପଡିବ । ତେବେ ମାଙ୍କିଡି ମାଉସୀକୁ ଟଙ୍କା ଦେଲେ ସେ ଆପଣଙ୍କ ପାଇଁ ରୋଷେଇ କରିଦେବ । "

ନାଁ ଟା ଶୁଣି ଆଖାଡୁଆ ଓ ହସ ମାଡ଼ିଲା । ତଥାପି ସେ ହିଁ ମୋର ଭବିଷ୍ୟତ ଦିନ ପାଇଁ ଅନ୍ନପୂର୍ଣ୍ଣା ଭାବି ଚୁପ୍ ରହିଲି ।

ଅଫିସ ହତାକୁ ଲାଗି ଗୋଟେ ଚାଳଘରେ ରହୁଥିଲା ମାଙ୍କିଡି ମାଉସୀ ଓରଫ ନୁଖୁରି ମାଉସୀ ।

ବିଧବା ସ୍ତ୍ରୀ ଲୋକଟି,ସଂସାରରେ ଏକୁଟିଆ ।

ରାଘବ ବାବୁ ତାକୁ ଡାକି ଆଣିଲେ । ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ମୋତେ ଅନାଇ ଜୁହାର ହେଲା ।

ବୟସ ପ୍ରାୟ ୫୫ /୬୦ ହେବ । ପତଳା ନହାକା ଚେହେରା, ମୁଣ୍ଡରେ କେରାଏ ଧଳା ଚୁଟି ଯାହା ବନ୍ଧା ନହୋଇ ଅଯତ୍ନରେ ଝୁଲୁଥାଏ  ।

"ନୂଆ ବାବୁଙ୍କ ପାଇଁ ରୋଷାଇବାସ କରିଦେବୁ । "

ମୋତେ ଏକ ତୀକ୍ଷ୍ଣ ଦୃଷ୍ଟରେ ଚାହିଁ କହିଲା, "ଘର ଓ ବାସନ ସଫା ଅଲଗା ପଇସା ଦେବ । ଦୁଇ ଓଳି ରାନ୍ଧିବି । ରବିବାର ସକାଳ ଓଳି ଆସିବିନି । ମୋର ଛୁଟି ସେଦିନ । ପାଆଁଶ ଟଙ୍କା ଆଡ଼ଭାନ୍ସ ଜିନିଷ ପାଇଁ । "

ମୁଁ କିଛି ପଚାରିବା ଆଗରୁ,ରାଘବ କହିଉଠିଲା, "ରବିବାର ଦିନ ସକାଳୁଆ ସାପ୍ତାହିକ ହାଟ । ବୁଢ଼ୀ ସେଦିନ ପରିବା ଓ ବରା, ପିଆଜି ବିକେ । "

ମୁରୁକି ହସି ସମ୍ମତି ଜଣାଇ, ପାଞ୍ଚ ଶହ ଟଙ୍କା ବଢ଼ାଇଦେଇ କହିଲି," ଏବେ ରାତି ପାଇଁ କିଛି ବ୍ୟବସ୍ଥା ଜଲଦି କର । ବହୁତ ଭୋକ ହେଲାଣି । "

ରାତି ଆଠଟା ବେଳକୁ ନୁଖୁରୀ ମାଉସୀ ଭାତ,କାନ୍ଦୁଲ ଡାଲି, ଝୁଡ଼ଙ୍ଗ ଛୁଇଁ ଆଳୁ ଭଜା ଆଣି ଦେଇଗଲା । ଅମୃତ ଭଳି ଲାଗୁଥିଲା ମୋ ଅବଶ ଦେହ ଓ ଭୋକିଲା ପେଟକୁ ସେ ଖାଇବା । ଇଛାଥାଇବି ପଚାରିପାରିଲି ନାହିଁ ଯେ ତାକୁ ମାଙ୍କିଡି ମାଉସୀ କାହିଁକି ସମ୍ବୋଧନ କରାଯାଏ ।

ଗଭୀର ନିଦରେ ଶୋଇପଡିଲି । ସ୍ୱପ୍ନରେ ଦେଖୁଥିଲି ନୁଖୁରୀ ମାଉସୀ ଓରଫ ମାଙ୍କିଡି ମାଉସୀ ମୋ ମୁଣ୍ଡ ସାଉଁଳୋଉଦେଉଛି । ହଠାତ୍ ନିଦ ଭାଙ୍ଗିଗଲା  । ଛୋଟ ବେଳେ ବୋଉକୁ ହରାଇଥିଲି । ଆଇ ମୋତେ ପାଳି ପୋଷି ବଡ଼ କରିଥିଲେ । ନୁଖୁରୀ ମାଉସୀଙ୍କ ଚେହେରା ଅନେକାଂଶରେ ଆଇ ର ଚେହେରା ସହ ମିଶୁଥିଲା । ସେଇ ପତଳା ଚେହେରା ଓ ଝୋଟ ଭଳି ଚୁଟି । ମନରେ ଏକ ଅନୁରକ୍ତି ଭାବନା ଜାଗି ଉଠୁଥିଲା ।

ପରଦିନ ଅଫିସ କାମରେ ବ୍ୟସ୍ତ ରହିଲି । ତା ପରଦିନ ରବିବାର । ସେଦିନ ସକାଳ ଓଳି ମାଉସୀ ଆସିବନି । ତେଣୁ ନିତ୍ୟକର୍ମ ସାରି ସାପ୍ତାହିକ ହାଟକୁ ଚାଲିଲି । ଛକରେ ଦେଖାହେଲେ ରାଘବ ବାବୁ । ମୋତେ ସୁବିଧା ହେଲା ହାଟ ଭିତରେ ନୁଖୁରୀ ମାଉସୀକୁ ପାଇବା ପାଇଁ । ବେଶ ଭିଡ଼ ଜମିଥିଲା ମାଉସୀଙ୍କ ପାଖରେ । ବରା,ପିଆଜି,ଲଙ୍କା ଚପ୍ ଓ ଗୁଲଗୁଲା ବେପାର ସାଙ୍ଗକୁ କଞ୍ଚା ଲଙ୍କା ବିକୁଥିଲା ମାଉସୀ ।

ଗୋଟେ କଳା ମୁହାଁ ହନୁ ମାଙ୍କଡ଼କୁ ମାଉସୀ ପାଖରେ ବସିଥିବାର ଦେଖି, ଆଶ୍ଚର୍ଯ୍ୟ ହୋଇ ପଚାରିଲି, " ଏଇଟା କଣ ତାଙ୍କର ପୋଷା ମାଙ୍କଡ଼ ?"

ହସିଦେଇ ରାଘବ ବାବୁ କହିଲେ, " ନା, ପୋଷା ନୁହେଁ,କିନ୍ତୁ ପୋଷାଠୁ ଅଧିକ ।  ସେଇଥିପାଇଁ ଲୋକେ ତାକୁ ମାଙ୍କିଡି ମାଉସୀ ବୋଲି ଡାକନ୍ତି । ମାଙ୍କଡଟା ସବୁଦିନ ଗଛରୁ ଓଳ୍ହାଇ ବୁଢ଼ୀ ହାତରୁ ଭାତ ଡାଲି,ପରିବା ଆଦି ଖାଏ,ପାଣି ପିଏ । ବୁଢ଼ୀ ମୁଣ୍ଡରୁ ଉଙ୍କୁଣୀ ବାଛେ । କିଏ ଯଦି ବୁଢ଼ୀ ଦିହରେ ହାତ ଦିଏ,ତାକୁ କାମୁଡିବାକୁ ଦାନ୍ତ ଦେଖାଏ ।  ହାଟ ପାଳି ଦିନ ଏ ମାଙ୍କଡ଼ କେଉଁଠି ଥାଏ କେଜାଣି, ସିଧା ଆସି ହାଜର ହୋଇଯାଏ ଓ ଚୁପ୍ କିନା ବୁଢ଼ୀ ପାଖରେ ବସେ । ଦେଖୁନାହାନ୍ତି କେମିତି ସୁନା ପିଲା ଭଳି ବସିଛି ?କେହି ଯଦି ଏ ମାଙ୍କଡ଼କୁ ଧରିବାକୁ ବା ବାନ୍ଧିବାକୁ ଚେଷ୍ଟା କରେ ,ବୁଢ଼ୀ ଛୁରୀ ପନିକି ଧରି ଗୋଡାଏ । ଦେଖୁନାହାନ୍ତି ,କିଛି ଲୋକ ମାଙ୍କଡ଼କୁ ହନୁମାନ ଅବତାର ଭାବି ପଇସା ପକାଉଛନ୍ତି । ସେଇ ପଇସାରେ ବୁଢ଼ୀ ମାଙ୍କଡ଼ ପାଇଁ ଫଳ କିଣେ । "

ମଣିଷ ଓ ପଶୁ ଭିତରେ ଥିବା ଏ ଅଦ୍ଭୁତ ବିଶ୍ଵାସ ଓ ବନ୍ଧନକୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେଲି ।

ସହର,ବଜାରରେ ମାଙ୍କଡ଼କୁ ଚେନ୍ ରେ ବାନ୍ଧି ଖେଳ ଦେଖାଇ ଟଙ୍କା ରୋଜଗାର କରୁଥିବା ମଣିଷ, ଅଥବା ମାଙ୍କଡ଼କୁ ମାରି ପଇସା କମାଉଥିବା କେଳା କିମ୍ବା ମାଙ୍କଡ଼କୁ ପିଞ୍ଜରା ଭିତରେ ରଖି ତା ଉପରେ ବିଭିନ୍ନ ନୂଆ ଔଷଧର ପ୍ରତିକ୍ରିୟା ପରୀକ୍ଷା ନିରୀକ୍ଷା / ଗବେଷଣା କରୁଥିବା ଡାକ୍ତର/ବୈଜ୍ଞାନିକ ଓ ମାଙ୍କିଡି ମାଉସୀଙ୍କ ଭିତରେ ଢେର ଫରକ ଥିଲା ଭଳି ଲାଗିଲା ମୋତେ । ସବୁ ମଣିଷଙ୍କର ହୃଦୟ ଥାଏ; ହେଲେ ମଣିଷ ପଣିଆ ଲୁପ୍ତ ପ୍ରାୟ ଆଜିର ଦୁନିଆରେ ନୁଖୁରୀ ମାଉସୀ ଭଳି ହୃଦୟବତୀ ମହିଳା କେତେଜଣ ଅଛନ୍ତି ?

"ମାଉସୀ ଭଲ ଅଛ ? ପିଆଜି,ବରା ଦଶ ଟଙ୍କାର ଦିଅ । "କହି କୋଡିଏ ଟଙ୍କାର ନୋଟ ବଢ଼ାଇଦେଲି ।  ଗୋଟେ ପତ୍ର ଠୋଲାରେ ବୁଢ଼ୀ ମୋତ ପିଆଜି,ବରା ଦେଇ, ବାକି ଦଶ ଟଙ୍କା ବଢ଼ାଇଦେଲା ।

"ଦଶ ଟଙ୍କା ତମ ମାଙ୍କଡ଼ ପାଇଁ ରଖ । ଆଜି ୟା ପାଇଁ ତମର ଭଲ ରୋଜଗାର ହେଉଛି । "

ଟିକିଏ ବିରକ୍ତି ଭରା ସ୍ୱରରେ ନୁଖୁରୀ ମାଉସୀ କହିଉଠିଲା, "ମାଙ୍କଡ଼ କାହାକୁ କହୁଛ ବାବୁ ?ଆଉ କେବେ କହିବନି । ବାରମ୍ବାର ଇନ୍ଦିରା ଆବାସ ପାଇଁ ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ଆଜିଯାଏଁ ଘର ଖଣ୍ଡେ ମୋର ହେଲାନାହିଁ । ସେଇ ଲୋକ ଗୁଡାକ ମାଙ୍କଡ଼ । ବି ପି ଏଲ ଖାତା ଥାଇ ବି ମୋତେ ପୁରା ରାସନ ଦେଉନଥିବା ଓ ମୋ ବିଧବା ପେନସନରୁ କିଛି ଟଙ୍କା ଲାଞ୍ଚ ଭାବେ କାଟୁଥିବା ତମ ଅଫିସ ଲୋକ ମାଙ୍କଡ଼ । ହାଟର ଏଇ ଜାଗା ଖଣ୍ଡେରେ ବସିବା ପାଇଁ ହପ୍ତା/ବଟି ଦାବି କରୁଥିବା ଗୁଣ୍ଡା ହିଁ ମାଙ୍କଡ଼ । ମୋ ଦେହ ଖରାପ ହେଲେ ମୋତେ ପଚାରୁ ନଥିବା ସାହିପଡ଼ିଶା ଲୋକେ ମାଙ୍କଡ଼ । ଭୋଟ ପାଇଲା ପରେ ଆଉ ମୋ ଦୁଆର ମୁହଁ ମାଡୁ ନଥିବା ସେଇ ପୋତାମୁହାଁ ନେତା ଗୁଡାକ ମାଙ୍କଡ଼ । "

ଟିକେ ଦମ୍ ନେଲା ବୁଢ଼ୀ ।  ଆଖି ଛଳ ଛଳ ହୋଇଗଲା ତାର । "ମୋ କଥାକୁ ଦିହ କୁ ନବନି ବାବୁ । ମୁରୁଖ ନିଆଶ୍ରୀ ବୁଢ଼ୀଟେ ମୁଁ । ପଶୁଟେ ହେଲେ ବି ଇୟେ ମୋ ମନକଥା ବୁଝେ । ଚୁପ୍ କିନା ପାଖରେ ବସି ଗେଲ ହୁଏ ଓ ମୋତେ ଗେଲ କରେ । ଦିନେ ହେଲେ କାହାର କ୍ଷତି କରିନି । ମୋତେ ଲାଗେ ଭଗବାନ ମୋ ବରକୁ ୟାରି ଦେହରେ ଯେମିତି ପଠାଇଛନ୍ତି । "

ଦୁଃଖ ଓ ଅନୁଶୋଚନା ରେ ମ୍ରିୟମାଣ ହୋଇପଡୁଥିଲି ମୁଁ । "କାଲି ଅଫିସ ଆସ, ତୁମର ସବୁ କାମ ମୁଁ କରାଇଦେବି । ଦରକାର ପଡିଲେ ତୁମକୁ ନେଇ କଲେକ୍ଟରଙ୍କ ପାଖକୁ ଯିବି । ଆଛା, ତମ ବରଙ୍କ ନାଁ କଣ ଥିଲା ?"

ନିଜ ପିନ୍ଧା ମସିଆ ଶାଢ଼ୀର କାନିଟାକୁ ନିଜ ମୁହଁ ପାଖକୁ ଆଣି, ମାଙ୍କଡ଼ ଆଡ଼କୁ ଆଙ୍ଗୁଠି ଦେଖାଇ ଲାଜ ଲାଜ ହୋଇ କହିଲା, " ୟା’ରି ନାଁ; ରାମଙ୍କ ପାଖରେ ବସିଥିବା ଲାଙ୍ଗୁଡ଼ ଥିବା ଭଗବାନ । ଗେରସ୍ତ ନାଁ କଣ ମୁହଁରେ ଧରନ୍ତି ?"

ଫଟ୍ କିନା ମୋ ମୁହଁରୁ ବାହାରି ପଡ଼ିଲା, "ହନୁମାନ ?"

ମୁଣ୍ଡ ଟୁଙ୍ଗାରୁ ଥିଲା ନୁଖୁରୀ ମାଉସୀ । ଭିଡ଼ ଅଧିକ ଜମା ହେଉଥିଲେ, ମାଙ୍କଡ଼ ପାଖରେ.....ଓଃ, ଭୁଲ କହିଦେଲି, ଭିଡ଼ ଜମୁଥିଲା ହନୁମାନଙ୍କ ପାଖରେ  । "ଜୀବନ ଓ ଯନ୍ତ୍ରଣା ଅନୁଭବର କେତେ ପାଖାପାଖି" ? କେଉଁଠି ଗୋଟେ ପଢ଼ିଥିଲି ।

ସ୍ମିତ ହସଭରା ମୁହଁରେ ନୁଖୁରୀ ମାଉସୀ ମୋତେ ଲାଗୁଥିଲେ ଜଣେ ଅଦ୍ଵିତୀୟ ମହିଳା ଆଉ ତାଙ୍କ ପାଖରେ ବସିଥିବା ହନୁ ,ଲାଗୁଥିଲା ଏକ ଅବତାର । ତେବେ ସେ ଅବତାର ମଣିଷ ଅଥବା ଦେବତାଙ୍କ ଅବତାର, ତା'ର ଉତ୍ତର ଖୋଜୁଥିଲି ମୁଁ ।

(ଅରବିନ୍ଦ

ମାଉସୀ ନଖିପୁର ମାଙ୍କିଡି

Rate the content


Originality
Flow
Language
Cover design

Comments

Post

Some text some message..