Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ-110
ଜହ୍ନମାମୁଁ-110
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   6.9K    10


Content Ranking

ଦେବୀଙ୍କ ଅଳଙ୍କାର-2

ଏକଥା ଶୁଣି ମା’ କାଳୀ ଅଳ୍ପ ଅଳ୍ପ ହସି କହିଲେ, “ଶିବରାମ ମୋର ପରମ ଭକ୍ତ । ସେ ମୋତେ କହିଛି ଗହଣା ଗୁଡିକ ସେ ଫେରାଇ ଆଣିବ । ମୁଁ ତା’ ସ୍ତ୍ରୀକୁ ଚାରିଦିନ ସମୟ ଦେଇଛି । ଚାରିଦିନ ଭିତରେ ସେ ନିଜର ଅପରାଧ ଉପଲବ୍ଧି ନ କଲେ ତା’ର ମୁଣ୍ଡରେ ଆଘାତ ଲାଗି ସେ ମରିଯିବ ।”

ମନ୍ଦିର ବାହାରେ ଥାଇ ଶିବରାମ ଦେବୀଙ୍କ କଥା ଶୁଣୁଥିଲେ । ସେ ଭୟରେ କମ୍ପି ଉଠିଲେ । ତା’ପରେ ମନ୍ଦିରରେ ତାଲା ଦେଇ ସେ ତାଙ୍କ ଘରକୁ ଗଲେ । ଘରେ ପହଁଚି ସେ ତାଙ୍କ ପତ୍ନୀ ରମାକୁ ଗହଣା ଗୁଡିକ ଦେଇ ଦେଲେ । ରମା ମଧ୍ୟ ଖୁସିରେ ତତ୍କ୍ଷଣାତ୍ ସେଗୁଡିକ ପିନ୍ଧି ପକାଇଲେ ।

ଶିବରାମ ରମାକୁ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ ଓ ସବୁ ଘଟଣା କହିଲେ । କିନ୍ତୁ ରମା ସେସବୁ କଥା ଉପରେ କିଛି ମୂଲ୍ୟ ଦେଲେ ନାହିଁ । ବରଂ ସେ ଶିବରାମଙ୍କୁ କହିଲେ, “ତମେ ଭୀରୁ । ମୁଁ କୌଣସି ମତେ ଏ ଅଳଙ୍କାର ତୁମକୁ ଫେରସ୍ତ ଦେଉନାହିଁ । ଦେବୀଙ୍କର ଯଥେଷ୍ଟ ଶକ୍ତି ଅଛି; ଏପରି ଅନେକ ଅଳଙ୍କାର ସେ ଆଣି ପାରିବେ ଓ ପିନ୍ଧି ମଧ୍ୟ ପାରିବେ ।”

ଏକଥା ଶୁଣି ଶିବରାମ ଚୁପ୍ ରହିଲେ ଓ ମନେ ମନେ ଦେବୀଙ୍କୁ ପ୍ରାର୍ଥନା କଲେ, “ମା’! ତୁ ତ ସବୁ ଜାଣୁ । ରମା ନିପଟ ମୂର୍ଖ । ଅଳଙ୍କାର ଲୋଭରେ ପଡି ଧର୍ମ କର୍ମ ସବୁ ସେ ହରାଇଲା । ତାକୁ ଏ ଭୟଙ୍କର ପାପରୁ ଉଦ୍ଧାର କରିବାର ଦାୟିତ୍ୱ ତୋର ।”

ତିନିଦିନ ବିତିଗଲା । ତଥାପି ରମା ସେ ଅଳଙ୍କାର ଗୁଡିକୁ ଛାଡୁ ନଥା’ନ୍ତି । ଶିବରାମ ମହା ଚିନ୍ତାରେ ପଡିଥା’ନ୍ତି ।

ଚତୁର୍ଥ ଦିନ ଅଧ ରାତିରେ ଗୋଟିଏ ଚୋର ସେ ଘରେ ପଶିଲା । ରମା ତ ଗଭୀର ନିଦରେ ଶୋଇଥା’ନ୍ତି । ଚୋର ତାଙ୍କ ଦେହରୁ ସବୁତକ ଅଳଙ୍କାର ଓହ୍ଲାଇ ନେଲା ଓ ସେସବୁକୁ ଏକ ଗଣ୍ଠିଲିରେ ଭରି କାଳୀମାତାଙ୍କ ମନ୍ଦିର ଆଡକୁ ଗଲା । ଚୋରଗହଣା  ପୂର୍ବରୁ ଠିକ୍ କରିଥାଏ ଗ୍ରାମରୁ ଚୋରୀ କରିବା ପରେ କାଳୀମାତାଙ୍କ ଅଳଙ୍କାର ସବୁ ସେ ଚୋରାଇ ନେବ । କିନ୍ତୁ ସେଠାରେ ପହଁଚି ସେ ଦେଖିଲା ତାଲା ଆଗରୁ ଭଙ୍ଗା ହୋଇଛି । ସେ ନିଜ ହାତରେ ଥିବା ଲାଠିକୁ ଭଲ ଭାବରେ ଧରି ମନ୍ଦିରରେ ପ୍ରବେଶ କଲା । ପ୍ରଥମ ଡାକୁ ଯିଏ ମନ୍ଦିରରେ ଥିଲା, ସେ କାଳୀମାତାଙ୍କ ଦେହରେ ଅଳଙ୍କାର ନ ଦେଖି ହଠାତ୍ ଚମକି ପଡିଲା । ସେ ଭାବିଲା ହୁଏତ ତା’ ପୂର୍ବରୁ କେହି ଚୋର ଆସି ସବୁ ଅଳଙ୍କାର ଚୋରୀ କରି ନେଇଛି କିମ୍ବା ପୂଜକ ମହାଶୟ ଚୋରୀ ଯିବା ଭୟରେ ଅଳଙ୍କାରକୁ ଏଠାରୁ ନେଇ ଅନ୍ୟ କେଉଁଠି ରଖିଛନ୍ତି । ଶେଷକୁ ନିରାଶ ହୋଇ ସେ ମନ୍ଦିର ଭିତରୁ ବାହାରକୁ ଆସିବାକୁ ବସିଛି ତା’ର ଆଖି ଦ୍ୱିତୀୟ ଚୋର ଉପରେ ପଡିଲା । ସେ କ୍ରୋଧାନ୍ୱିତ ହୋଇ କହିଲା, “ଆରେ ଦୁଷ୍ଟ, ମୁଁ ଆସିବା ପୂର୍ବରୁ ତୁ ସବୁ ଅଳଙ୍କାର ଚୋରାଇ ନେଇଛୁ? ଆଚ୍ଛା, ଏବେ ଦଣ୍ଡ ଭୋଗ କର । ଦେବୀ ସିନା ତୋତେ ଦଣ୍ଡ ଦେଲେ ନାହିଁ, ହେଲେ ଏବେ ମୁଁ ଦେଉଛି ।” ଏକଥା କହି ଚୋରର ମୁଣ୍ଡ ଉପରେ ଲାଠିରେ ଏକ ପ୍ରହାର ଦେଲା ।

ଦ୍ୱିତୀୟ ଚୋର ଏକଥା ଆଗରୁହିଁ ଅନୁମାନ କରି ଜାଣିପାରିଥିଲା । ତେଣୁ ସେ ସାବଧାନ ଥିଲା ଓ ସେଇ ମୁହୂର୍ତ୍ତରେହିଁ ସେ ମନ୍ଦିରର ତାଲା ଭାଙ୍ଗିଥିବା ଚୋର ଉପରେ ଏକ ନିର୍ଘାତ ପାହାର ଦେଲା । ଦୁହେଁ ଦୁହିଁଙ୍କ ମାଡ ଖାଇ ବେହୋସ୍ ହୋଇ ପଡିଥା’ନ୍ତି ।

ପରଦିନ ସକାଳେ ରମା ଗହଣା ଚୋରୀ କଥା ସ୍ୱାମୀକୁ କହିଲେ । ଶିବରାମ ବ୍ୟସ୍ତ ହୋଇ ଦେବୀଙ୍କ ମନ୍ଦିର ଆଡକୁ ଦୌଡିଲେ । ସେଠାରେ ଅଳଙ୍କାର ଗଣ୍ଠିଲି ସହିତ ଦୁଇ ଚୋର ବେହୋସ୍ ହୋଇ ପଡିଥିବାର ଦେଖି ସେ ସମସ୍ତ ଘଟଣା ଅନୁମାନ କରି ନେଲେ ।

ପ୍ରଥମେ ସେ ଗଣ୍ଠିଲି ଖୋଲି ଦେବୀଙ୍କୁ ଅଳଙ୍କାର ସବୁ ପିନ୍ଧାଇ ଦେଲେ । ଠିକ୍ ସେତିକିବେଳେ ସ୍ୱାମୀଙ୍କୁ ଅନୁସରଣ କରି ରମା ମନ୍ଦିରରେ ଆସି ପ୍ରବେଶ କଲେ । ପତ୍ନୀକୁ ଦେଖି ଶିବରାମ କହିଲେ, “ଦେଖ, ଦେଖ, ଦେବୀ କହିଥିଲେ ଯେ ଚାରିଦିନ ମଧ୍ୟରେ ଅଳଙ୍କାର ନ ଫେରାଇଲେ ମଥାରେ ଆଘାତ ପ୍ରାପ୍ତ ହେବ । ଏବେ ଦେଖ । ଚତୁର୍ଥ ରାତିରେ ଯାହାଠିଁ ଅଳଙ୍କାର ତା’ ମୁଣ୍ଡରେ ଆଘାତ ପଡିଛି ।”

ରମା ଦେବୀଙ୍କୁ ପ୍ରାର୍ଥନା କରି କହିଲେ, “ମା’, ମୁଁ ବହୁତ ମୂର୍ଖ, ମୋତେ କ୍ଷମା କରି ଦେ । ତୁ ହିଁ ମୋ ସ୍ୱାମୀଙ୍କର ପ୍ରାର୍ଥନା ଶୁଣି ମୋତେ ରକ୍ଷା କରିଛୁ । ଏଇ ମୁହୂର୍ତ୍ତଠାରୁ ମୁଁ ତୋର ଭକ୍ତ ହୋଇ ରହିଲି ।”

ଗ୍ରାମର ପ୍ରହରୀମାନେ ଚୋରମାନଙ୍କୁ ହାଜତକୁ ନେଇଗଲେ । ସେହିଦିନଠାରୁ ରମାଙ୍କ ସ୍ୱଭାବ ପୁରାପୁରି ବଦଳିଗଲା ।

କାଳୀ ଶିବରାମ ଗହଣା

Rate the content


Originality
Flow
Language
Cover design

Comments

Post

Some text some message..