ହୃଦୟର ତୋଫାନ
ହୃଦୟର ତୋଫାନ
ଗ୍ରୀଷ୍ମ ର ପ୍ରଚଣ୍ଡ ତାପ ଆଉ ତା ସାଥିରେ ହାଇଦ୍ରାବାଦ ର ଧୂଳି ବୋହୁତ୍ କଷ୍ଟ ପ୍ରଦାୟି । ବେଳେ ବେଳେ ଇଛା ହୁଏ କର୍ମ ବହୁଳ ଜୀବନ ରୁ କିଛି ସମୟ ବିରତି ନେଇ କୋଉ ଏକ ସୁଦୂର ଥଣ୍ଡା ପ୍ରଦେଶ କି ନହଲେ ଜଙ୍ଗଲ ଜାଗା ଦେଖି ପଳେଇଯିବାକୁ କିନ୍ତୁ ସେମିତି କିଛି ହୁଏନି କେତେ ଦିନ ବା ତମେ ଲୁଚିବ ଆଉ ଅବା କେତେ ଥର ପୁଣି ତୁମକୁ ନିଜ ସ୍ଥାନକୁ ଫେରିବାକୁ ହବ । ଠିକ୍ ସେମିତି ସୁଚି କିଛି ଦିନ ପାଇଁ ଶିମଲା ଯିବାକୁ ପ୍ଲାନ୍ ବନେଇ ଟିକେଟ୍ କାଟି ପୁଣି ତାକୁ cancel କରିଦେଇଥିଲା କିଛି ଜରୁରୀ ଅଫିସ୍ କାମ ଯୋଗୁ । ପୁଣି ଥରେ ନିଜ ବ୍ୟସ୍ତ ବହୁଳ ଜୀବନ ରେ ନିଜକୁ ହଜେଇ ଦେଇଥିଲା । ପୁରା ସପ୍ତାହ କାମ କରି କରି ବିରକ୍ତ ହୋଇ ଯାଇଥିଲା । ଘରୁ କି ସାଙ୍ଗ ସାଥି ଯାହା ର ବି ଫୋନ୍ ଆସୁଥିଲା ତାଙ୍କ ସାଥିରେ ଚିଡ଼ ଚିଡ଼ ହୋଇ କଥା ହଉଥିଲା । ବାପା ତାର ବୁଝିପାରି କହିଥିଲେ -" ମାଆ ରେ ଟିକେ ସନ୍ଧ୍ୟା ବେଳା ବୁଲି ଦେଇ ବାହାରେ କ'ଣ ଟିକେ ଖାଇ ଦେଇ ଆସୁନୁ ସୁଚି ର ମନ ନଥିଲେ ବି ସୁଦ୍ଧା ବାପା ଜୋର୍ କରି ତାକୁ ବାହାରକୁ ପଠାନ୍ତି ଟିକେ ତା ମନ ହାଲକା ହବା ପାଇଁ । ବାସ୍ ସେଥିପାଇଁ ସୁଚି ଆଜି ତା କାର୍ ଧରି ବାହାରି ପଡ଼ିଚି Necklace Road ଏମିତି ରେ ବି ଆଜି ରବିବାର ଆଉ ଅଫିସ୍ ଛୁଟି । ରାସ୍ତା ରେ ଗାଡ଼ି ରଖେଇ କିଛି କିଛି ତା ମନ ପସନ୍ଦ ର ଖାଦ୍ୟ ଖାଇ ଖାଇ ରୋଡ ରେ ଯାଉଥିଲା ହଠାତ୍ ଗାଡି ର କାଚ ରେ ଦେଖା ଗଲା ବିଜୁଳି ଚମକିବା ଲଗାତାର ଚମକିବା ତାକୁ ସନ୍ଦେଶ ଦଉଥିଲା ହୁଏତ ବର୍ଷା ହୋଇପାରେ କିନ୍ତୁ ସେ ଖାତିର୍ କରିନଥିଲା । ଗାଡି କୁ ସାଇଡ ରେ ରଖି ହୁସେନ୍ ସାଗର ପାଖ କୁ ଲାଗିଥିବା ବଗିଚା ରେ ବସି ଦେଖୁଥିଲା ହୁସେନ୍ ସାଗର ଭିତରେ ଥିବା ବଡ ବୁଦ୍ଧଙ୍କ statue କୁ ଆଉ ସୁଅ ପରି ବଗିଚା ଭିତରକୁ ଛୁଟି ଆସୁଥିବା ଲୋକମାନଙ୍କୁ । ହୁସେନ୍ ସାଗର ରେ ଜମା ହୋଇଥିବା ଡ୍ରେନ୍ ପାଣି ର ଦୁର୍ଗନ୍ଧ ରେ ବି ବାସ୍ନା ଖୋଜିବାକୁ କାହିଁ କେତେ ଦୂର ରୁ ଲୋକ ଦୌଡ଼ି ଆସୁଥିଲେ ସତେ ଯେମିତି ପଙ୍କ ରେ ପଦ୍ମ ଖୋଜିବାକୁ ବାହାରି ପଡ଼ିଛନ୍ତି । ପୁଣି ହଠାତ୍ ବିଜୁଳି ଚମକିଲା କିନ୍ତୁ ଏପାଳି ବିଜୁଳିର ଗର୍ଜନ ଟିକେ ଭୟଙ୍କର ଥିଲା ଏପାଳି ସୁଚି ଟିକେ ଭୟ ଅନୁଭବ କଲା । ଆଖ ପାଖରେ ବସିଥିବା ଲୋକମାନଙ୍କୁ ଦେଖିବାକୁ ଲାଗିଲା କେହି କେହି ବିଚଳିତ ହୋଇ ସ୍ଥାନ ପରିତ୍ୟାଗ କରି ଚାଲି ଯାଉଥିଲେ ତ ଆଉ କିଛି ପ୍ରେମୀ ଯୁଗଳ ଆହୁରି ନିବିଡ଼ ଭାବରେ ଆଲିଙ୍ଗନ କରି ବସୁଥିଲେ ।
ଏମିତି କିଛି ସମୟ ବସିବା ପରେ ହଠାତ୍ ମୁଷଳ ଧାରା ରେ ବର୍ଷା ଆରମ୍ଭ ହୋଇଗଲା ଆଉ ସମସ୍ତେ ଦୌଡିବାକୁ ଲାଗିଲେ ଗଛ ତଳକୁ । ବେଶ୍ ବଡ ବଡ ଗଛ ମାନ ଥିଲା କିନ୍ତୁ ଝଙ୍କାଳିଆ ନଥିଲା ଅଧା ପତ୍ର ତ ଝଡ଼ି ଯାଇଥିଲା ସେଥିରେ ବି ଲୋକମାନେ ତା ଆଶ୍ରୟ ନବାକୁ ଦୌଡ଼ି ଯାଇଥିଲେ । ସୁଚି ନିଜକୁ ବର୍ଷା ଦାଉରୁ ରକ୍ଷା କରିବାକୁ ଯାଇ ଗୋଟେ ଗଛ ତଳେ ଆଶ୍ରୟ ନେଇଥିଲା ଦିଟା ପ୍ରେମୀ ଯୁଗଳ ବି ଆସି ସେଠି ଆଶ୍ରୟ ନେଇଥିଲେ । ସୁଚି ର ବୟସ ପ୍ରାୟ ତିରିଶ ପାଖାପାଖି ହେଇଥିବା ପୁନେନ୍ଦୁ ସାଥିରେ ତା ବିବାହ ବିଚ୍ଛେଦ କୁ ପ୍ରାୟ ଏକ ବର୍ଷ ପୁରି ଯାଇଥିଲା । ଆଜି କାହିଁକି କେଜାଣି ପୁନେନ୍ଦୁ କଥା ତାର ବୋହୁତ୍ ମନେ ପଡୁଥିଲା ବୋଧହୁଏ ପ୍ରେମୀ ଯୁଗଳ ଦୁହିଁଙ୍କୁ ଦେଖି । କାହିଁକି ସେମାନଙ୍କ ପ୍ରେମରେ ବାଧା ଦବ ଭାବି ଆଖ ପାଖ ସବୁ ଗଛ ଆଡ଼େ ନଜର ପକେଇ ଦେଲା ପ୍ରାୟ ସବୁ ଗଛ ତଳେ ପ୍ରେମୀ ଯୁଗଳମାନଙ୍କ ଭିଡ କିଛି ବିକଳ୍ପ ନପାଇ ସେଠି ରହିଗଲା । ନଦେଖିବାକୁ ଚାହିଁ ବି ସବୁ ଦେଖି ପାରୁଥିଲା କେମିତି ବର୍ଷା ସବୁ ପ୍ରତିକୂଳ କୁ ଅନୁକୂଳ ରେ ପରିଣତ କରି ଦେଇଛି ଦୃଢ଼ ଆଲିଙ୍ଗନ ରେ ସେମାନଙ୍କୁ ବାନ୍ଧି ଦେଇଚି କିଏ ଥଣ୍ଡା ରେ ଥରୁଥିଲା ତ ଆଉ କିଏ ଓଦା ସର ସର ହୋଇ ନିଜକୁ ଆହୁରି ଭିଜେଇବାକୁ ଉଦ୍ୟତ ହଉଥିଲା ଆଉ ତା ସାଥୀ ତାକୁ ଆକଟ କରୁଥିଲା । ସୁଚି ର ଖୁବ୍ ମନେ ପଡୁଥିଲା ପୁନେନ୍ଦୁ କଥା ଭାବୁଥିଲା ଭୁଲ କୋଉଠି ଥିଲା ତାଙ୍କ ଦୁହିଁଙ୍କ ବ୍ୟସ୍ତ ବହୁଳ ଜୀବନ ଆଉ ସୁଚି ର ଜିଦଖୋର ସ୍ଵଭାବ ଆଉ ପୁନେନ୍ଦୁଙ୍କ ଟିକେ ଟିକେ କଥା ରେ serious ହେଇଯିବା ଗୁଣ ତାଙ୍କ ସମ୍ପର୍କ କୁ ଭାଙ୍ଗି ଦେଇଥିଲା । କେହି ଚାହିଁକି ବି କିଛି କରି ପାରି ନଥିଲେ । ବୋଧହୁଏ ସେମାନେ ଚାହିଁ ନଥିଲେ ନିଜେ ନିଜ ବାଟର ଚାଲି ଯାଇଥିଲେ ଦୁହେଁ ଦୁହିଁଙ୍କ ଉପରେ ଅଭିମାନ କରି । ସୁଚି ଜାଣି ଶୁଣି ଟିକେ ନିଜକୁ ଭିଜେଇବାକୁ ଚେଷ୍ଟା କରୁଥିଲା ଆଜି ହୁଏତ ପୁନେନ୍ଦୁ ଥିଲେ ଆକଟ କରି କହିଥାନ୍ତେ -" ସୁଚି ଥଣ୍ଡା ହୋଇଯିବଏତେ ଓଦା ହୁଅନି " । ସୁଚି ଜମା ଜିଦ୍ କରିବନି ଚୁପ୍ ଚାପ୍ ପୁନେନ୍ଦୁ କଥା ମାନିଯିବ । ଠିକ୍ ଏମିତି ସବୁ ଭାବନା ଭିତରେ ସୁଚି ତା ଆଖି ଆଗରେ ପ୍ରକୃତି ର ପ୍ରେମ ଦେଖୁଥିଲା ବର୍ଷା ପବନ ଆଉ ତା ସହ ପତ୍ର ଝଡ଼ିବା ଠିକ୍ ସେଇ ଦିଗରେ ଯୋଉ ଦିଗରେ ବର୍ଷା ହଉଥିଲା । ତାକୁ ଆଜି ହୁସେନ୍ ସାଗର ର ପୋଚରା ପାଣି ର ଗନ୍ଧ ଅତର ପରି ଲାଗୁଥିଲା । ପ୍ରାୟ ତିରିଶ ମିନିଟ୍ ପରେ ବର୍ଷା ଥମି ଥିଲା ଆଉ ସୁଚି ଆସି ବସିଥିଲା ତା ଗାଡ଼ିରେ ଘର ଅଭିମୁଖେ । ବର୍ଷା ଯୋଗୁ ରାସ୍ତା ଘାଟ ବୋହୁତ୍ ଭିଡ ଥିଲା ଆଉ ସ୍ଥାନେ ସ୍ଥାନେ ପାଣି ଜମି ରହିଥିଲା । ସୁଚି ନିଜକୁ ପୁଣି ଥରେ ବାସ୍ତବିକ ଦୁନିଆ କୁ ଫେରେଇବାକୁ ଚେଷ୍ଟା କରୁଥିଲା । ଟ୍ରାଫିକ ବୋହୁତ୍ ଥିବାରୁ ଗାଡି କୁ ରଖେଇ ରଖେଇ ନବାକୁ ପଡ଼ୁଥିଲା ଆଉ ମଝିରେ ମଝିରେ ଗାଡି steering ରୁ ହାତ ହଟେଇ ମୋବାଇଲରେ ଟାଇମ ଦେଖୁଥିଲା । ଆଖି ମଝିରେ ମଝିରେ ଗାଡି ର କାଚ ଦେଇ ବାହାରକୁ ଚାଲି ଯାଉଥିଲା ଆଉ ଦେଖୁଥିଲା ତା ଗାଡି ପାଖକୁ ଲାଗି ବାଇକ୍ ରେ ବସିଥିବା ପ୍ରେମୀ ଯୁଗଳମାନଙ୍କୁ ।
ବର୍ଷାରେ ଭିଜି ଥିବା ଯୋଡ଼ି ମନ ତାର ପୁଣି ଝୁରୁଥିଲା ପୁନେନ୍ଦୁ କୁ ଆଉ ତା ଫଡ ଫଡ଼ିଆ ମୋଟର ସାଇକେଲ କୁ । ମଝିରେ ମଝିରେ ସୁଚି ହସି ଦଉଥିଲା ମନେ ପକେଇ କେମିତି ସେ ପୁନେନ୍ଦୁକୁ ଚିଡ଼େ ତା ମୋଟର ସାଇକେଲ ର ଶବଦ ପାଇଁ ଘର ଗଳି ଭିତରେ ପଶିଲେ ସମସ୍ତେ ଜାଣି ଯାଉଥିଲେ ପୁନେନ୍ଦୁ ଗାଡି ଆସୁଚି ବୋଲି । ଡହଳ ବିକଳ ପରି ଆଜି ତାର ଆଖି ଦିଟା ପ୍ରେମୀ ଯୁଗଳମାନଙ୍କ ଭିତରେ ନିଜକୁ ଆଉ ପୁନେନ୍ଦୁ କୁ ଖୋଜିବାକୁ ଚେଷ୍ଟା କରୁଛି ଆଉ ନପାଇ ମନ ଦୁଃଖ କରୁଛି । ଗାଡି ର କାଚଟାକୁ ଟିକେ ତଳକୁ କରି ଦେଉ ଦେଉ ମୁନ୍ଦାଏ ହାଲକା ବର୍ଷା ଛିଟା ମିଶା ଥଣ୍ଡା ପବନ ତା ମୁହଁରେ ବାଡ଼େଇ ହେଇଗଲା ପୁଣି ଥରେ ତାକୁ ଥଣ୍ଡା ଲାଗିଲା ଠିକ୍ ସେଇ ଗଛ ତଳ ପ୍ରେମୀ ଯୁଗଳଙ୍କୁ ଥଣ୍ଡା ଲାଗିବା ପରି ସେ ଅନୁଭବ କରୁଥିଲା ଆଉ ପାଖ ସିଟକୁ ଅନେଇ ଦେଇ ପୁଣି ମନ ଦୁଃଖ କରୁଥିଲା କାହିଁକି ସେ ପୁନେନ୍ଦୁ କୁ ଯିବାକୁ ଦେଲା ସେ ଚାହିଁଥିଲେ ସବୁ ଠିକ୍ କରି ପାରିଥାନ୍ତା । ସେ ଯାହା ହେଉ ପଛେ ସେ ଆଜି ସ୍ଥିର କରିଦେଇଛି ପୁନେନ୍ଦୁ କୁ ନିଜ ଜୀବନରେ ପୁଣି ଥରେ ଫେରେଇ ଆଣିବାକୁ ଚେଷ୍ଟା କରିବ ଆଉ ପୁଣି ଥରେ ତା ସଂସାର କୁ ଯୋଡ଼ିବ ସବୁ ରାଗ ଅଭିମାନକୁ ଦୁରେଇ । ନିଜ ଭିତରେ ଆଜି ସେ ପୁଣି ନିଜକୁ ଖୋଜି ପାରିଛି ଆଉ ତା ସାଥିରେ ପୁନେନ୍ଦୁ ପାଇଁ ଥିବା ଭଲ ପାଇବାକୁ ଫେରି ପାଇଛି ।