Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆସ୍ଥା
ଆସ୍ଥା
★★★★★

© Pramod Kumar Jena

Abstract Inspirational

9 Minutes   14.7K    10


Content Ranking

ଆରେ ବାବା ଟିକେ ସାଇଡ୍ ଦିଅ l ହୋ ହଲ୍ଲା ଠେଲା ପେଲାରେ ଟ୍ରେନ୍ ବଗିଟା ଫାଟି ପଡୁଛି l ଲୋକାଲ୍ ଟ୍ରେନ୍ l ପୁଣି ଲାଷ୍ଟ୍ ଲୋକାଲ୍ l ଅଫିସ୍ ଫେରିବା ଠାରୁ ଆରମ୍ଭ କରି ହାଟ ଫେରନ୍ତା ସମସ୍ତଙ୍କର ଭିଡ l କେମିତି ଗୋଟେ ସିଟ୍ ମିଳିଯାଆନ୍ତା କି ? ବଗି ସାରା ଖଚା ଖଚ୍ ଭରି ହୋଇଛନ୍ତି ଲୋକ l ହେଲେ ଏ ସବୁ ଖାତିର ନାହିଁ ଭାନୁପ୍ରତାପଙ୍କର l ଆଜି ଶନିବାର ; ସପ୍ତାହର ଶେଷ ଦିନ l ଭିଡ ହେବ ଜାଣି ଟିକେ ଆଗରୁ ପଳେଇ ଆସିଛନ୍ତି l ତେଣୁ ସିଟ୍ ଖଣ୍ଡକ ପାଇ ଯାଇଛନ୍ତି ଆରାମ୍ ସେ l ପୁଣି ଝରକା ପାଖ ପ୍ରଥମ ସିଟ୍ l ଏତେ ଗହଳି ଭିତରେ ମ୍ୟାଗାଜିନ୍ ଗୋଟିଏ ଧରି ପଢୁଥାନ୍ତି l ହଠାତ୍ ଗୋଟିଏ କଅଁଳ ସ୍ୱର ଶୁଣି ମ୍ୟାଗାଜିନରୁ ମୁହଂ ଉଠେଇଲେ l

       : ସାର୍ ! ଟିକେ ଜାଗା ଦେବେ ?

       ଅସଞ୍ଜତ କେଶ ରାଶି l ପରିପାଟୀ ବେଶ୍ ସାଧାରଣ l ଗୋଟେ ହାତରେ ବ୍ୟାଗ୍ l କାଖରେ ଦୁଇ ତିନି ବର୍ଷର ପୁଅଟିଏ l ଗୋଟେ ଝଟକାରେ ଝରକା ପାଖକୁ ଟିକେ ଚାପି ହୋଇଗଲେ ସେ ଭଦ୍ରମହିଳାଙ୍କୁ ଜାଗା ଟିକେ ଦେବା ପାଇଁ l ବ୍ୟାଗଟିକୁ ସିଟ୍ ତଳକୁ ପେଲି ଦେଇ ଟିକେ ଥକ୍କା ମାରିଲେ ଭଦ୍ରମହିଳାଜଣଙ୍କ l କୋଡର ଛୁଆଟି ବେଶ୍ ଗୁଲୁଗୁଲିଆ ଥିଲା l ଆଖି ଦୁଇଟା ବେଶ୍ ଚଳଚଞ୍ଚଳ l ଭିଡ ନ ଥିଲେ ବୋଧେ ସମସ୍ତଙ୍କର ଗେହ୍ଲାର ପାତ୍ର ହୋଇଥାନ୍ତା l ନଜର ଫେରାଇଲେ ଭାନୁ ମ୍ୟାଗାଜିନ୍ ଉପରକୁ l ଏମିତି କେତେ ଲୋକ ଆସନ୍ତି, କେତେ ଲୋକ ଯାଆନ୍ତି l ବେଳେବେଳେ କୋଉଠି କେଜାଣି ନଜର ଅଟକି ଯାଏ l କିଛି ସମୟ ପରେ, ଛୁଆଟି ଭାନୁ ପ୍ରତାପଙ୍କ ସାଙ୍ଗେ ଖେଳିବାକୁ ଆରମ୍ଭ କରିଦେଲା l କେତେବେଳେ ସାର୍ଟ୍ ଟାଣିଲାଣି ତ କେତେବେଳେ ପକେଟରୁ ପେନ୍ ଟାଣିଲାଣି l ସେ ସବୁ ପ୍ରତି ଯେମିତି ତା’ ମାଆର ନିଘା ନାହିଁ l ଦେଖିଲେ ତା’ ମାଆ କୋଉ ଏକ ଭିନ୍ନ ଦୁନିଆରେ ହଜିଯାଇଛି l ଛୁଆଟି କିନ୍ତୁ ତା’ କାମରେ ଲାଗି ପଡିଛି l ଛୋଟ ପିଲାଙ୍କ ସାଙ୍ଗେ ଖେଳିବାକୁ ତାଙ୍କୁ ବହୁତ ଭଲ ଲାଗେ l ତାଙ୍କ ସାଙ୍ଗ ପ୍ରଭାତ କହୁଥିଲା, ଫୁଲ ଆଉ ଛୋଟ ଛୁଆ କୁଆଡେ ସ୍ରଷ୍ଟାଙ୍କର ସୁନ୍ଦର ସୃଷ୍ଟି l ସେ ବି ଛୁଆଟି ସାଥିରେ ଖେଳିବା ଆରମ୍ଭ କଲେ l ଯେତେବେଳେ ଭଦ୍ରମହିଳା ଜଣଙ୍କ ଦେଖିଲେ ଭାନୁଙ୍କର ପେନ୍ ଆଉ ଚଷମା ପୁଅର ଅକ୍ତିଆରକୁ ଆସିଗଲାଣି, ହଠାତ୍ ଚିଲ୍ଲେଇ ପାଟି କରି କହିଲେ, ‘ମୁନା ! ଅଙ୍କଲଙ୍କ ଜିନିଷ ଲାଗନା l ଦେଇ ଦେ l’ ଭାନୁ ବିରୋଧ କରି କହିଲେ, ଛୋଟ ଛୁଆଟା l କଥା ଶୁଣି ଭଦ୍ରମହିଳାଜଣଙ୍କ ଭାନୁଙ୍କ ମୁହଁକୁ ବକ୍ ବକ୍ ଚାହିଁ ରହି କହିଲେ, କିଏ ଭାନୁ ଭାଇ ? ଏତେ ଚିହ୍ନା ସ୍ୱରଟି ଶୁଣି ଚମକି ପଡିଲେ ସେ l କାହାକୁ ଦେଖୁଛନ୍ତି ? ଆରେ ୟେ ତ କୁନି l ତାଙ୍କ ପଡିଶା ଘରର ଝିଅ l ହତବାକ୍ ହୋଇ ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ l

       : କୁନି.............

       : ହଁ ଭାନୁ ଭାଇ ! କୁନି........... ତୁମ କୁନି........... ଛଳ ଛଳ ଆଖିରେ ଚାହିଁ ରହିଲା ସେ l

       : ୟେ କ’ଣ ତୋ’ ପୁଅ ?

       : ହଁ......

       : ଆଉ ତୋ’ ବାବୁ ?

       ଚୁପ୍ ଚାପ୍ ତଳକୁ ମୁହଁ କଲା କୁନି l କିଛି ପଚାରିବାକୁ ସାହସ କଲେନି ଭାନୁ l ପଛ କଥା ସବୁ ତାଙ୍କ ଆଖି ଆଗରେ ଭାସି ଆସିଲା l

       ପଡିଶା ଘର ଶ୍ୟାମ ମଉସାଙ୍କ ଝିଅ କୁନି l କେତେ ସୁନ୍ଦର ଥିଲା l ଗାଆଁ ଯାକରେ ସବୁ ଠାରୁ ସୁନ୍ଦରୀ l ପରୀଟିଏ ଭଳି ଚେହେରା l ରୂପ ଯେମିତି, ବ୍ୟବହାର ବି ସେମିତି l ଅନେକ ସ୍ୱପ୍ନ ଦେଖିଥୁଲେ ତା’କୁ ନେଇ l ପିଲାଟି ଦିନରୁ ତା’ ସାଙ୍ଗରେ ମିଶି ଆସିଛନ୍ତି l ସବୁ ଦିନେ ତାଙ୍କ ଘରକୁ ଆସେ l ଘରେ କଥାବାର୍ତ୍ତା, ହସଖୁସି, ଟାହିଟାପରା ସବୁ ଚାଲେ l କଲେଜରୁ ଫେରୁ ନ ଫେରୁ ଘରେ ଆସି କୁନି ହାଜର ହୋଇଯାଏ l ତା’କୁ ନ ଦେଖିଲେ ଭାନୁକୁ ଦିନଟା ଯେମିତି ଅଧା ଅଧା ଲାଗେ l କୁନି ପ୍ରତି ତାଙ୍କର ଆସକ୍ତି ଦିନକୁ ଦିନ ବଢି ଚାଲିଲା l ତା’କୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ l ହେଲେ ମନ କଥା କହିବି କହିବି ବୋଲି କହି ପାରି ନ ଥିଲେ l ସମୟ ଗଡି ଚାଲିଲା l ଦିନେ ଏମ୍.ଏ. ପଢିବାକୁ ଭାନୁ ଭୁବନେଶ୍ୱର ଚାଲିଗଲେ l ଖରାଛୁଟିରେ ଘରକୁ ଆସିଥାନ୍ତି l ଏ ପାଖ ସେ ପାଖ ହେଲେ l କୁନିକୁ ଛଅ ମାସ ହେଲା ଦେଖିନାହାନ୍ତି l ଖବର ପାଇ ସେ ଦଉଡି ଆସିବା କଥା l ତିନି ଚାରି ଥର ବାଡି ଆଡକୁ ଗଲେଣି l ତାଙ୍କ ଘର ଆଡେ ଆଖି ବୁଲେଇ ଆଣିଲେଣି l ହେଲେ କୁନିର ଦର୍ଶନ ନାହିଁ l ବୋଉ ତାଙ୍କ ହାବଭାବ ଦେଖୁଥାନ୍ତି l କହିଲେ, କାହାକୁ ଖୋଜୁଛୁ ?

       : ନା ବୋଉ l ସେ କିଛି ନୁହେଁ l

       : ହଉ ଘର ଭିତରକୁ ଚାଲ l ବସରେ ଆସି ହାଲିଆ ହୋଇ ଯାଇଥିବୁ l ହଁ ବୋଉ l ତୁ ଯାଆ l ମୁଁ ଯାଉଛି l ପୁଣି ତାଙ୍କ ଘର ଆଡେ ଚାହିଁ ରହିଲେ l ମିଛି ମିଛିକା ଖଣ୍ଡି ଖଣ୍ଡି ସିନେମା ଗୀତର ସ୍ୱରକୁ ପାଟିରେ ହ୍ୱିସିଲ୍ ବଜେଇ ବଜେଇ ଗାଇଲେ l ହେଲେ କୁନିର ଦେଖା ନାହିଁ l ମନଟା କେମିତି କେମିତି ଲାଗିଲା l ବାପା ଆସିବା ଜାଣି ଭାନୁ ଘରକୁ ଗଲେ l ସମସ୍ତଙ୍କ ସାଙ୍ଗେ ଖିଆ ପିଆ କରୁ ଶୋଇବାକୁ ଗଲେ l ବୋଉ ଆସି ଟିକେ ତେଲ ଆଣି ପାଦରେ ଘସି ଦେଉଥାନ୍ତି l ପୁଅ ଆସିଛି l କେତେ ଆଦରରେ ପାଦକୁ ସାଉଁଳି ଦେଲେ l ପଚାରିଲେ,‘କୁନିକୁ ଖୋଜୁ

ଥିଲୁ କି ?’  

       : ହଁ, ହଁ........ ସିଏ କୁଆଡେ ଗଲା ?

       : ସେ କ’ଣ ଆଉ ଅଛି ?

       : ମାନେ........?

       : ସେ ପରା ଆର ସାହି ରବି ସାଙ୍ଗରେ ପଳେଇଲା l

       : ପଳେଇଲା ? ମାନେ........?

       : ମାନେ କ’ଣ ବୁଝି ପାରୁନୁ ବା ?

       ବିଶ୍ୱାସ କରିପାରିଲେନି ସେ ଦିନ ସେ ବୋଉ କଥା l ଏ ସେହି କୁନି l ବାପା, ମାଆ, ଭାଇ, ଭଉଣୀ, କୁଟୁମ୍ବ ସମସ୍ତଙ୍କୁ ପଛରେ ପକେଇ ପଳେଇଲା ରବି ସାଙ୍ଗରେ l

***   ***   ***   ***   ***

       କୁନିକୁ ଚାହିଁଲେ ସେ ତଳକୁ ମୁହଁ ପୋତି କାନ୍ଦୁଥିଲା ସେ l ଇଚ୍ଛା ହେଲା କିଛି ପଚାରିବାକୁ l ହେଲେ ସାହସ ହେଲାନି l କ’ଣଟା ପଚାରିଥାନ୍ତେ ଯେ ? କିଛି ସମୟ ପରେ ସେ ଶାନ୍ତ ହେଲା l ହେଲେ ଲୁହ ଗଡି ଚାଲିଥିଲା l ତାଙ୍କର ଗୋଟିଏ ପାପୁଲିକୁ ଚାପି ଧରି କୋହ ଭରା କଣ୍ଠରେ କହିଲା,

       : ଭାନୁ ଭାଇ ! ମୋର ଭୁଲ ହୋଇଗଲା l ମସ୍ତ ବଡ ଭୁଲ ହୋଇଗଲା l

       ତା’ ହାତରେ ହାତ ରଖି କିଛିଟା ସାନ୍ତ୍ୱନା ଦେଇ କହିଲେ, ‘ଏତେ ବଡ ନିଷ୍ପତ୍ତି ନେଇଗଲୁ........ ତୋ’ ଭାନୁ ଭାଇକୁ ଟିକେ ପଚାରିଲୁନି ?’

       କିଛି ଉତ୍ତର ଦେଲାନି କୁନି l ଭାନୁଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ଚାଲିଲା l କିଛି ସମୟ ପରେ ଭାନୁ ପଚାରିଲେ, ତା’ ପରେ କ’ଣ ହେଲା ? ଗୋଟେ ପରେ ଗୋଟେ ଘଟଣା କହିଚାଲିଲା କୁନି l କେମିତି ସେ ରବିର ପ୍ରେମର ଜାଲରେ ଫସିଗଲା l ମିଠା ମିଠା କଥା ..... ଗାଡି...... ଚାକିରି..... ଘର...... ପୁଣି ଭୁବନେଶ୍ୱର ସହର....... ଏ ସବୁ ଭେଳିକିରେ ମୁଁ ହଜିଗଲି l ମୋ ଅଜାଣତରେ ମୋ ପାଦ ତଳକୁ ଖସିଗଲା l ତା’ପରେ ଆଉ କିଛି କହିପାରିଲା ନାହିଁ l ତଳକୁ ମୁହଁ କରି ପୁଣି କାନ୍ଦି ଚାଲିଲା l କୁନିର ଲୁହ ଆଉ ନିରବତାରୁ ଅନୁମାନ କରିପାରିଲେ ଭାନୁ କ’ଣ ଘଟିଯାଇଥିବ l ତା’ପରେ ପୁଣି କହି ଚାଲିଲା, ଯେତେବେଳେ ମୁଁ ମାଆ ହେବାକୁ ଯାଉଛି ଜାଣିଲି, ମୋ ମୁଣ୍ଡରେ ବଜ୍ର ପଡିଲା l ସବୁ ଆଡ ଶୂନ୍ୟ ଦେଖାଗଲା l ଭାବିଲି, କ’ଣ କରିବି ? ବୋଉ ଜାଣିବ, ବାପା ଜାଣିବେ, ସାଇ ପଡିଶା ଗାଆଁ ଲୋକ ସମସ୍ତେ ଜାଣିବେ l ବିକଳ ହୋଇ ତୁମ ଘରକୁ ଧାଇଁଲି l ତମେ ବି ନ ଥିଲ l ଗଲ ଯେ ଗଲ........... କେତେ ଖୋଜିଲି l କିଛି ଦିନ ପରେ ରବି ଆସି ଗାଆଁରେ ପହଞ୍ଚିଲା l ତା’କୁ ଖୋଲି ସବୁ କଥା କହିଲି l ମୋତେ ଜଲଦି ବାହା ହୋଇଯାଅ l ହେଲେ ସେ ମୋ କଥା ବୁଝିବାକୁ ନାରାଜ l ମୁଁ କହିଲି ମୋତେ ଯଦି ବାହା ନ ହେବ, ମୁଁ ବିଷ ଖାଇଦେବି l ଯାହା କରୁଛ, ଜଲଦି କର l ଡେରି ହେଲେ ସମସ୍ତେ ଜାଣିଯିବେ l ତା’ପରେ ଦିନେ ରାତିରେ ଗୋଟେ ଗାଡି ଆଣି ସେ କହିଲା, ‘ଚାଲ ପଳେଇବା l ଏଠି ଏମାନେ ବାହାଘର କରେଇ ଦେବେନି l ଭୁବନେଶ୍ୱର କୋର୍ଟରେ ବାହା ହେବା l’ ବାହାଘର କଥା ଶୁଣି ଟିକେ ଆଶ୍ୱସ୍ତ ହେଲି l ଚିନ୍ତା କରିବାକୁ ସମୟ ନ ଥିଲା l ନା ଆଗ ଦେଖିଲି, ନା ପଛ l ସେ ଦିନ ରାତିରେ ଭୁବନେଶ୍ୱର ପଳେଇଆସିଲି l

: ତା’ପରେ.............

: ତା’ପରେ ଆଉ କ’ଣ ? ପାଣି ପାଇଁ ମରିଚୀକା ପଛରେ ଧାଇଁଥିଲି l ନେଇଗଲେ ମୋତେ ଗୋଟେ କ୍ଲିନିକକୁ l

: ଆମେ ପରା କୋର୍ଟକୁ ଯାଇଥାନ୍ତେ ? ଏଠିକି କାହିଁକି ଆଣିଲ ? ମୁଁ ତାଙ୍କୁ ପଚାରିଲି l

ରବି କହିଲେ ଟିକେ ପ୍ରୋବ୍ଲେମ୍ ଅଛି l ଏଥର ଆବର୍ସନ୍ କରେଇନେବା l ପରେ ସମୟ ହେଲେ କୋର୍ଟ୍ ମ୍ୟାରେଜ୍ କରିବା l

ମୁଁ କହିଲି, ତୁମେ ମୋ କଥା ଚିନ୍ତା କରି ପାରୁଛ ? ୟା ପରେ ମୁଁ କୁଆଡେ ଯିବି ? ଆବର୍ସନ୍ ପାଇଁ ଜମ୍ମା ରାଜି ନ ହେବାରୁ ଅନିଚ୍ଛା ସତ୍ତ୍ୱେ ମୋତେ ଆଣି ଗୋଟେ ଭଡା ଘରେ ରଖିଲେ l ତା’ ପରଠୁ ଖାଲି ସବୁ ସମୟରେ ମୋତେ ଗରଗର ହେଉଥାଆନ୍ତି l ତାଙ୍କର ହାବ ଭାବ ଦେଖି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଉ ନ ଥିଲି, ତା’ ଠାରୁ ବେଶି ଦୁଃଖ କରୁଥିଲି l ଭାବୁଥିଲି ଏ ଲୋକଟା କିଏ ? ଆସ୍ତେ ଆସ୍ତେ ଜାଣିଲି, ମୋ ସହ ସେ ମିଛ ନାଟକ କରି ମୋ ଜୀବନକୁ ନଷ୍ଟ କରି ଦେଇଛନ୍ତି l ମୋ ଭଳି ଆଉ ଗୋଟିଏ ଝିଅକୁ ସେ ଆଗରୁ ବାହା ହୋଇ ସାରିଛି l ସେ ଝିଅଟି ତାଙ୍କ ଅଫିସରେ ଚାକିରି କରେ l ଜାଣିନି, କେମିତି ସିଏ ଫସିଗଲା ୟା ଜାଲରେ ? ସେମାନେ ରହୁଥିଲେ ରବିର ନିଜ ଘରେ l ଠିକ୍ ସମୟରେ ମୁନା ଜନ୍ମ ହେଲା l ହେଲେ ତାଙ୍କ ମୁହଁରେ ଟିକିଏ ବି ଖୁସି ନ ଥିଲା l ନା ଏକୋଇଶିଆ, ନା ସ୍ୱନକ୍ଷତ୍ର l ପାଖ ପଡିଶା କାହା ସାଙ୍ଗରେ କଥାବାର୍ତ୍ତା ନାହିଁ l ଯିବା ଆସିବା ତ ଦୂରର କଥା l ଯିବା ଆସିବା ତ ଦୂରର କଥା l ଆଗରୁ କହିଥିଲେ, ଏମାନେ କୁଆଡେ ଭଲ ଲୋକ ନୁହଁନ୍ତି l ତେଣୁ କାହା ସାଙ୍ଗରେ ମିଳା ମିଶା କରିବା ନାହିଁ l ଦିନେ ମୋତେ ପଡିଶା ଘର ସ୍ତ୍ରୀ ଲୋକ ସାଙ୍ଗେ କଥାବାର୍ତ୍ତା ହେବା ଦେଖିଲେ l ସେ ଦିନ ମୋତେ ଭୀଷଣ ଗାଳି ଦେଲେ l ଏତେ କରି କହିଥିଲି l ତଥାପି ତମେ ମାନୁନ ? କାହିଁକି ସେମାନଙ୍କ ସହ କଥାବାର୍ତ୍ତା କରୁଛ ? ସେମାନେ କେହି ଭଲ ଲୋକ ନୁହନ୍ତି l ସେହି ଦିନ ଠାରୁ ବାହାରୁ ତାଲା ପକେଇ ଯାଆନ୍ତି l

: ତୁ କ’ଣ ସାରା ଦିନ ଏକା ରହୁଥିଲୁ ?

       : ହଁ......... କାହା ସାଙ୍ଗେ କଥାବାର୍ତ୍ତା ନାହିଁ ..............ବାହାରକୁ ଯିବା ମନା l ତେଣୁ ସବୁ ସମୟ ଘରେ ରହୁଥିଲି l ମୁନା ମୁହଁକୁ ଚାହିଁ ଦୁଇ ବର୍ଷ କାଟିଦେଲି l ପର୍ ଦିନ ପୁଅକୁ ଭୀଷଣ

ଜର l ପାଖରେ ଫୋନ୍ ନାହିଁ l କାହାକୁ ଡାକିବି ? ତା’ ଦେହର ତାତି ଯେମିତି ବଢିଲା, ମୋତେ ଛାନିଆଁ ଲାଗିଲା l ଆଗପଛ ବିଚାର ନ କରି ଝର୍କା ବାଟେ ଡାକିଲି l ମୋ ବିକଳ ଡାକ ଶୁଣି ପଡିଶା ଘର ମାଉସୀ ତାଙ୍କ ପୁଅକୁ ପଠେଇଲେ l ସେ ବାଡ ଡେଇଁ ଆସି ପଚାରିଲା, କ’ଣ ହେଇଛି ? ତା’କୁ ସବୁ କଥା ଝର୍କା ବାଟେ କହିଲି l ତାଙ୍କ ମଉସା ଡାକ୍ତର l ତାଙ୍କୁ ପଚାରି ଔଷଧ ଦେଲେ, ଆଉ ଆମ କଥା ଶୁଣି ପୋଲିସକୁ ଖବର ଦେବେ କହିଲେ l ମୁଁ ନେହୁରା ହୋଇ ମନା କଲି l ରାତିରେ ଯେମିତି ଜାଣିଲେ ଏ କଥା, ପୁଅ କଥା କ’ଣ ଚିନ୍ତା କରିବେ, ମୋତେ ପିଟିଲେ l କାନ୍ଦିବାକୁ ଲାଗିଲା କୁନି l କହିଲେ, ବେଶି ଚାଲାକି କରୁଛୁ ମୋ ସାଙ୍ଗରେ ? ଶେଷ କରିଦେବି ଦୁଇ ଜଣଙ୍କୁ l ଭାବିଲି, ମୋର ତ ଜୀବନଟାକୁ ନଷ୍ଟ କରି ଦେଇଛି l ମୋ ପୁଅକୁ ବି କୋଉ ଦିନ ମାରି ଦେବ l

: ତା’ପରେ ...........

: ଭାବିଲି ଏମିତି ଡରି ଡରି ବଞ୍ଚିବା ଅପେକ୍ଷା, ଥରକେ ମରିଯିବାଟା ଭଲ l ହେଲେ ମୁନା ମୁହଁକୁ ଚାହିଁ ମାୟା ଲାଗିଲା l କାହାକୁ ଦେବି ? କାହା ପାଖରେ ଛାଡି ଦେବି ?

: ତା’ପରେ ...........

: ଯାହାର ମରିବାକୁ ଭୟ ନାହିଁ, ରବିକୁ କ’ଣ ଡରିବ ? ବାଡ ଡେଇଁ ପଳେଇ ଆସିଲି . ଆସିବା ବେଳକୁ ପାଖରେ ଶହେଟା ଟଙ୍କା ଥିଲା l

ଭାନୁ କହିଲେ, ଚାଲ ଏବେ ଥାନାକୁ ଯିବା l

: ଥାନାକୁ ଗଲେ କ’ଣ ହେବ ? ମୋ ଅତୀତ ଫେରି ଆସିବ ? ନା ଭବିଷ୍ୟତ ଆଲୁଅ ହୋଇଯିବ ? ଭାନୁଭାଇ ! ତମ ଫୋନ୍ ନମ୍ବରଟା ଟିକିଏ ଦେବ ? କେତେବେଳେ ଦରକାର ହେଲେ............

: ହଁ.......... ହଁ.......... ଯେତେବେଳେ ଇଚ୍ଛା ହେବ ଫୋନ୍ କରିବୁ l ତୋ’ ପାଇଁ ଚବିଶି ଘଣ୍ଟା ମୋ ଫୋନ୍ ଖୋଲା ଅଛି l ଭାନୁ ନମ୍ବରଟା ଡାକିଲେ l

ବ୍ୟାଗ୍ ଭିତରୁ ଡାଇରୀଟିଏ ବାହାର କରି କୁନି ନମ୍ବରଟା ଟିପିଲା l ତା’ପରେ ମୁଣ୍ଡିଆ ମାରି ଆଗ ଷ୍ଟେସନରେ ଓହ୍ଲାଇବାକୁ ବସିଲା l ଭାନୁ ପଚାରିଲେ, ଏଠି କାହିଁକି ଓହ୍ଲାଉଛୁ ?

: ମୋର ଟିକେ ଉପରକୁ ଯିବାକୁ ଅଛି ତ........ କହି ତରବରରେ ଓହ୍ଲେଇ ପଡିଲା କୁନି l

: ଆରେ ................. ଆରେ ଶୁଣ୍..............ଶୁଣ୍............

ଗୋଟେ ମିନିଟର ରହଣୀ l ଟ୍ରେନ୍ ଛାଡିଦେଲା l ଏତେ ଅସହାୟ, ଏତେ ରାଗ, ଏତେ ଘୃଣା ଲାଗୁଥିଲା l କ’ଣ ଗୋଟେ କରି ପକେଇବାକୁ ଇଚ୍ଛା ହେଉଥିଲା l କିଛି ସମୟ ପରେ ଟ୍ରେନ୍ ଆସି ତାଙ୍କ ଗାଆଁ ଷ୍ଟେସନରେ ଲାଗିଲା l ଥକ୍କା ମାରି ପ୍ଲାଟଫର୍ମରେ ଗୋଟେ ସିଟ୍ ଉପରେ ବସି ପଡିଲେ ଭାନୁ l ଷ୍ଟେସନ୍ ଠାରୁ ତାଙ୍କ ଗାଆଁ 20 କିଲୋମିଟର୍ l ତାଙ୍କୁ ପ୍ଲାଟଫର୍ମରେ ଦେଖି ତାଙ୍କ ଗାଆଁ ବସନ୍ତ ପାଖକୁ ଆସି ପଚାରିଲା, ଆରେ ଭାନୁ ଭାଇ ! ଏଠି ବସିଛ ? ଗାଆଁକୁ ଯିବ ନା କ’ଣ ? ବେଶି ଜିନିଷ ନ ଥିଲେ ମୋ ସାଥିରେ ଚାଲି ଆସ l ମୁଁ ଷ୍ଟେସନ୍ ଆସିଥିଲି ମାଉସୀଙ୍କୁ ଛାଡିବା ପାଇଁ l ଯନ୍ତ୍ରଚାଳିତ ଭଳିଆ ଯାଇ ତା’ ମୋଟରସାଇକେଲ୍ ପଛରେ ବସିଗଲେ ଭାନୁ l ବାଟଯାକ ଖାଲି କୁନି କଥା ହିଁ ଭାବୁଥାଆନ୍ତି l ନା........ ତା’କୁ ସେ ଏମିତି ଛାଡି ଦେଇ ପାରିବେ ନାହିଁ l ଗାଆଁରେ ପହଞ୍ଚିବା ବେଳକୁ ଘଣ୍ଟାଏ ଲାଗିଗଲା l ଘରେ ନ ପଶୁଣୁ ଗୋଟେ ଫୋନ୍ କଲ୍ ଆସିଲା l ଚମକି ପଡିଲେ ଭାନୁ l ଏଇଟା ତ ପୋଲିସ୍ ନମ୍ବର୍ l ତୁରନ୍ତ ଦେଖା କରିବାକୁ

କହିଲେ l ବସନ୍ତକୁ କହିବାରୁ ସେ ରାଜି ହୋଇଗଲା l ସେଇଠୁ ସିଧା ଚାଲିଲେ ମୁକ୍ତାପୁର ରେଲୱେ ଷ୍ଟେସନ୍ l ପାଖାପାଖି 30/35 କିଲୋମିଟର୍ l ହେଲେ ଏବେ ରାସ୍ତା ଖୁବ୍ ଭଲ ହୋଇଯାଇଛି l

ରେଲୱେ ଷ୍ଟେସନ୍ ଫାଣ୍ଡିରେ ପହଞ୍ଚି ଦେଖିଲେ, ଥାନା ଅଧିକାରୀଙ୍କ ଚାରିପଟେ ଲୋକମାନେ ଘେରି ରହିଛନ୍ତି l ଭିଡ କାଟି ସେ ଆଗକୁ ବଢିଲେ l

: ଆପଣ ମୋତେ ଡକେଇଥିଲେ ?

: ଆପଣ ମିଃ ଭାନୁ ?

: ଆଜ୍ଞା l

: ଏ ଛୁଆ ପକେଟରୁ ଆପଣଙ୍କ ନମ୍ବର୍ ମିଳିଲା l ଆଉ ଏ ଚିଠି l

ଛୁଆକୁ ଦେଖି ତାଙ୍କ ଛାତି ଧଡ୍ କିନା ହୋଇଗଲା l ଇଏ ତ କୁନିର ପୁଅ ମୁନା l ଥାନା ଅଧିକାରୀ କହିଲେ, ଏ ସ୍ତ୍ରୀ ଲୋକଟି ଆତ୍ମହତ୍ୟା କରିଛି l ବୋଧେ ୟେ ତା’ର ପୁଅ l ଚିଠିଟା ନେଇ ପଢିଲେ ଭାନୁ l ଲେଖାଥିଲା, ଭାନୁ ଭାଇ ! ମୁଁ ଯାଉଛି l ମୁଁ ସବୁ କଥା ପୋଲିସକୁ ଚିଠି ଦ୍ୱାରା ଜଣେଇ ଦେଇଛି l ଡାଇରୀ ବି ଅଛି l ରବିକୁ ତା’ ସଜା ଯେମିତି ମିଳେ l ନ ହେଲେ ଆମ ଭଳିଆ ଆଉ କେତେ ଝିଅଙ୍କ ଜୀବନ ନଷ୍ଟ ହୋଇଯିବ l ମୋ ପୁଅ ଲାଗିଲା l ମୁନା ପାଇଁ ତୁମକୁ ଖୋଜୁଥିଲି l ପୁଅକୁ ଧରି ଭୋ ଭୋ ହୋଇ କାନ୍ଦିଲେ ଭାନୁ l ତୁ ଉପରକୁ ଯିବୁ ବୋଲି କହିଲୁ l ମୁଁ ଚାଣ୍ଡାଳ ଜାଣିପାରିଲିନି l ମୋତେ ହଲାଇ ଦେଇ ଥାନା ଅଧିକାରୀ କହିଲେ, ‘ଚାଲନ୍ତୁ l ଥାନାରେ କିଛି ଫର୍ମାଲିଟିସ୍ ଅଛି l ପୁରଣ କରି ପୁଅକୁ ନେଇଯିବେ l’

ମୁନାକୁ ଧରି ତାଙ୍କୁ ଅନୁସରଣ କଲେ ଭାନୁ l


ବି.ଦ୍ର. ସ୍ଥାନେ ସ୍ଥାନେ ଇଂରାଜୀ ଭାଷାର ପ୍ରୟୋଗ ଯୋଗୁଁ କ୍ଷମା ପ୍ରାର୍ଥନା କରୁଛି l ଗପର ଆବଶ୍ୟକତା ଦୃଷ୍ଟିରୁ ଏହି ପ୍ରୟୋଗ ହୋଇଛି l

ଭାନୁ କୁନି ମୁନା ରବି

Rate the content


Originality
Flow
Language
Cover design

Comments

Post

Some text some message..