ଯାହାର ମନ ଯେଡେ............
ଯାହାର ମନ ଯେଡେ............
ଯାହାର ମନ ଯେଡେ............
: ବଉଳ ! ତୁ ଆଉ କାନ୍ଦନା l
: କାନ୍ଦିବିନି, କ’ଣ ଆଉ କରିବି କହ ? ମୋର ତ ଭାଗ୍ୟ ଖରାପ l ମାସଟାଯାକର ଦରମା କାଟିଦେଲେ l ମୁଁ କ’ଣ କରିବି ? ବୁଢାକୁ କହିଲେ ମୋତେ ଘରୁ ବାହାର କରିଦେବ l ସେ କ’ଣ ବୁଝିବ ? ମୁଁ ପୋଡାମୁହିଁ କେମିତି ଦେଖି ପାରିଲି ନାହିଁ ? ମାଆଙ୍କର କେଡେ ସୁନ୍ଦର ଜିନିଷଟା ଭାଙ୍ଗିଗଲା l ତାଙ୍କ ପୁଅ ଆଣିଥିଲେ l ମାଆ ସବୁଦିନେ ମନେ ପକାଇ ଦିଅନ୍ତି l ବାସନ୍ତୀ ! ହୁସିଆରରେ ସଫା କରିବୁ l ହେଲେ ମୁଇଁ ଚାଣ୍ଡାଳୁଣୀ କ’ଣ କଲି ?
: ବଉଳ ! ତୁ କ’ଣ ଜାଣିଶୁଣି ଭାଙ୍ଗିଲୁ କି ? ଏତେ ନେହୁରା କାହିଁକି ହେଉଛୁ ? ବାସନ୍ତୀକୁ ତା’ ବଉଳ ଗୌରୀ ବୁଝାଉଥାଏ l
ଦୁହେଁ ବାବୁମାନଙ୍କ ଘରେ କାମ କରି ନିଜର ପରିବାର ଚଳାଉଥାନ୍ତି l ଆଜି ମାସର ଶେଷ ଦିନ l ହେଲେ ବାସନ୍ତୀ ପାଇଁ ଆଜି ବଜ୍ର ପଡିଛି l ମହାପାତ୍ରବାବୁଙ୍କ ଘରେ ସଫା କରୁ କରୁ କାଚର ସୌଖୀନ ମୂର୍ତ୍ତିଟି ହାତରୁ ଖସି ପଡିଲା l ସାତ ହଜାର ଟଙ୍କାର ମୂର୍ତ୍ତି, ପୁଣି ତାଙ୍କ ପୁଅ ଆଣିଥିଲେ ବାହାରୁ l ତେଣୁ ରାଗରେ ଶ୍ରୀମତି ମହାପାତ୍ର ଘରୁ ବାହାର କରି ଦେଲେ l ଦରମାରୁ ସବୁ ପଇସା କାଟି ଦେଲେ l ଗଉରୀ ବୁଝାଉଥାଏ, ଆଲୋ ! ମୋ କଥା ଟିକିଏ ଶୁଣୁ l ଆମ ମାଆ ଗତ ମାସରେ କପ୍ ଭାଙ୍ଗି ଦେଲି ବୋଲି ପଚାଶ ଟଙ୍କା କାଟିଦେଲେ l ରାଗ ତ ଥିଲା ମୋର l ପୁରା ସେଟ୍ ଜାଣି ଶୁଣି ପକେଇ ଦେଲି l ରାଗିକି ମୋ ଉପରେ ନିଆଁ l ତା’ ପର ଦିନ ଠାରୁ ଗଲିନି l କହିଲି କାଟୁଥା ଏଥର l ତୁ ଗୋଟେ କାମ କର l କାଲି ଯାଇ ଏକାଥରକେ ଚାରିଟା ଭାଙ୍ଗିବୁ l ତା ମୁହଁରୁ କଥା ଛଡେଇ ନେଇ ବାସନ୍ତୀ କହିଲା, ସେ ଅଲକ୍ଷଣା କଥା ମୋତେ ଶିଖାନା l ଯାହାର ଖାଉଛି, ତା’ର ଅନିଷ୍ଟ କଲେ ମୋତେ ଧରମ ସହିବ ?
ହଠାତ୍ ଗୋଟିଏ କାର୍ ଆସି ଦୁହିଁଙ୍କ ସାମ୍ନାରେ ଠିଆ ହେଲା l ଗାଡିକୁ ଦେଖୁ ଦେଖୁ ଜାଣିଲା ବାସନ୍ତୀ ଏଇଟା ତ ବାବୁଙ୍କର ଗାଡି l ଆଉ କିଛି ଭାବିବା ପୂର୍ବରୁ ମହାପାତ୍ର ବାବୁ କାର୍ ଭିତରୁ ବାହାରି ଆସିଲେ l କହିଲେ, ଭଲ ହେଲା ତୁ ଏଇଠି ଅଛୁ l ନହେଲେ କୋଉଠି ପୁଣି ଖୋଜିଥାନ୍ତି ତୋତେ ? ତୋ ମାଆ ମୋତେ ବସେଇ ଦେଲାନି l
: ଫେର୍ କ’ଣ ହେଲା ବାବୁ ?
: କିଛି ନାହିଁ l ହବ ଆଉ କ’ଣ ? ତତେ ଗାଳି ଦେଇ ପଇସା ନ ଦେଇ ତଡି ଦେଲା l ଏବେ ମୋତେ ପଠେଇଛି, ତୋ ହାତରେ ଟଙ୍କା ଦେଇ ଆସିବା ପାଇଁ lହତବାକ୍ ହୋଇ ବାସନ୍ତୀ ବାବୁଙ୍କ ହାତରୁ ଦରମା ଟଙ୍କା ନେଇ ଆସିଲା l ବାବୁ ଗାଡି ଷ୍ଟାର୍ଟ୍ କରୁ କରୁ କହିଲେ, ଆରେ ହଁ l ମାଆ କହିଛି, କାଲି ଗୁରୁବାର l ଟିକେ ଜଲଦି ଆସିବୁ l ଲୁହ ପୋଛି ମୁଣ୍ଡ ହଲେଇଲା ବାସନ୍ତୀ l ଏ ସବୁ କାଠ ଭଳି ଶୁଣୁଥିବା ଗୌରୀ କହିଲା, ତୁ ଯେମିତି, ତୋ ବାବୁଘର ବି ସେମିତି l ଯାହାର ମନ ଯେଡେ, ତାହାର ପ୍ରଭୁ ତେଡେ l ପୋଡାମୁହିଁ ତ ମୁଁ ନିଜେ l
ପ୍ରମୋଦ କୁମାର ଜେନା ©