ଦୀପାବଳୀ
ଦୀପାବଳୀ
ପ୍ରକାଶ ତ୍ରିପାଠୀ
ଏଇ ଦୀପାବଳୀ ଉତ୍ସବ ସନ୍ଧ୍ୟା ରେ ପଡିଶା ଘର ଝିଅ ରିୟା କୁ ଦେଖି ନେହା କଥା ବେଶି ମନେ ପଡ଼ିଲା।ରିୟା ଗୋଟେ ଜଳନ୍ତା ମହମ ବତୀ ରେ ଝୁର୍ଝୁରି ଧରି ଲଗାଉ ଥାଏ। ପଛରେ ଠିଆ ହୋଇଥିବା ତା ସାନଭାଇ ତାକୁ "ଠୋ" କହି ଚମକାଇ ଦେଉଥାଏ ଓ ରିୟା ଚମକି ପଡି ଝୁର୍ଝୁରି କୁ ନିଆଁ ରୁ କାଢି ଆଣୁଥାଏ।ଝୁର୍ଝୁରି ଫୁଟେ ନାହିଁ, କେବଳ ରଙ୍ଗ ବେରଙ୍ଗ ର ଆଲୋକ ବିଛୁରଣ କରେ ବୋଲି ରିୟା ଜାଣିଥିଲେ ବି ସାନଭାଇ ତାକୁ ଚମକାଇ ଦେବାରେ ବାରମ୍ବାର ସଫଳ ହେଉଥିଲା ଓ ରିୟା ବି ବାଣ ଫୁଟିଯିବା ଭୟ ରେ ସବୁଥର ଝୁର୍ଝୁରି କୁ ମହମବତୀ ପାଖ ରୁ କାଢି ଆଣୁଥିଲା। ଅନେକ ଥର ବିଫଳ ହେବାପରେ ଯେଉଁ ଥର ଝୁର୍ଝୁରି ଟି ଜଳିଲା , କି ଖୁସି ରିୟା ର।ଆଲୋକ ର ଫୁଆରା ଭିତରେ ରିୟା ର ମୁହଁ ଟି ମୋତେ ବାରମ୍ବାର ନେହା ପାଖ କୁ ଟାଣି ନେଉଥିଲା।
ପ୍ରତି ଦୀପାବଳୀ ପୂର୍ବଦିନ ନେହା ମୋ ସଂଗେ ମାର୍କେଟ ଯାଏ।ଝୁର୍ଝୁରି, ଚକ୍ରି,ଦିଆସିଲି,ସାପ ବାଣ ଆଣିବାକୁ କହିଲେ ଚିଡି ଉଠେ। କୁହେ, ମୁ କ'ଣ ଛୋଟ ପିଲା ହେଇଚି ଯେ ଝୁର୍ଝୁରି ଧରି ଦାଣ୍ଡ ରେ ଠିଆ ହେବି। ତେବେ କୋଉ ବାଣ ନେବ ବୋଲି ପଚାରିଲେ କୁହେ, ତାଳ ଫୋଟକା,ହବେଳି, ରକେଟ ଓ ବମ ନ ଫୁଟାଇଲେ ଦୀପାବଳୀ ର ମଜା ଆସିବନି। ମୋତେ ଡରପୋକ କହି ଝୁର୍ଝୁରି ଓ ସାପ ବାଣ କିଣିବାକୁ ପ୍ରସ୍ତାବ ଦିଏ।ବାଣ ଦୋକାନ ଆଗରେ ମୁଁ ଚୁପ୍ ରୁହେ। ନେହା ର ମୋର ପ୍ରତିବେଳ ଏମିତି ତୁତୁ ମେମେ ହେଉ। ଘରେ ଓ ବାହାରେ ବି।ନେହା ମୋର ବେଷ୍ଟ ଫ୍ରେଣ୍ଡ ଥିଲା। ସେଇ ହିସାବ ରେ ଉଭୟଙ୍କର ଉଭୟଙ୍କ ଉପରେ ଢେର ଅଧିକାର ଥିଲା।ଏଥିପାଇଁ ଉଭୟ ପରିବାର ବି ସ୍ୱୀକୃତି ଦେଇଥିଲେ।
ପ୍ରତି ଦୀପାବଳୀ ସନ୍ଧ୍ୟା ମୁଁ ନେହାଘରେ କଟାଏ।ମନଭରି ବାଣ ଫୁଟାଏ।ଏକା ନୁହେଁ,ନେହା,ମୁଁ ଓ ସୋହା ଅପା। ସୋହା ଅପା ନେହା ର ବଡ଼ ଭଉଣୀ।ମୋତେ ସେ ଖୁବ ସ୍ନେହ କରନ୍ତି।ସେଦିନ ସନ୍ଧ୍ୟା ରେ ବି ଆମେ ତିନିହେଁ ବାଣ ଫୁଟାଇବାକୁ ପ୍ରସ୍ତୁତ ହୋଇଗଲୁ। ପ୍ରଥମେ ଦୀପ ଲାଗିଲା । ଠାକୁର ଘର , ଦାଣ୍ଡ ପାହାଚ, ଗେଟ ଓ ପାଚେରୀ ସାରା ଆଲୋକ ର୍ ସମ୍ଭାର। ଛାତ ଉପରୁ ତଳ ଯାଏଁ ରଙ୍ଗୀନ ଲିଚୁ ଲାଇଟି।ସେଦିନ ପ୍ରଥମେ ତାଳ ଫୋଟକା ନେହା ଫୁଟାଇବାକୁ ବାହାରିଲା। ସେ ଗୋଟେ ଲମ୍ବା ବାଡ଼ି ର ଅଗ କୁ ଟିକେ ଫାଳିଦେଇଥାଏ ଓ ସେଇ ଫାଳ ଭିତରେ ତାଳ ଫୋଟକା କୁ ପୁରାଇ ଦୀପ ନିଆଁ କୁ ଦେଖାଉଥାଏ। ବାଣ କିଣିଲା ବେଳେ ଯେଉଁ ବଡ଼ ବଡ଼ କଥା ନେହା କହୁଥିଲା, ତାର ତାଳଫୋଟକା ଫୁଟାଇବାର ପ୍ରସ୍ତୁତି ଦେଖି ମୋତେ ହସ ଲାଗିଲା।ଭୟ ରେ ହାତ ତା'ର
ଥରୁଥିବାରୁ ଲମ୍ବା ବାଡ଼ି ଟି ବି ଥରୁଥାଏ ଓ ବାଣ ର ନାସିଟି ନିଆଁ ପାଖରେ ରହି ପାରୁ ନଥାଏ। ମୁଁ ମଜା ଦେଖିବା ପାଇଁ ନେହା ପଛପଟେ ଠିଆ ହୋଇ "ଢୋ" କହିଦିଅନ୍ତେ ନେହା ବାଡି ସହ ବାଣ ଫୋପାଡ଼ି ଦେଉଥାଏ। ଏହାଦେଖି ସୋହା ଅପା ଓ ମୁଁ ହସି ହସି ବେଦମ ହୋଇଯାଉଥିଲୁ। ଅନେକ ଥର ପ୍ରୟାସ କରି ବିଫଳ ହେବାପରେ ନେହା ଚିଡିଗଲା।କହିଲା, ଆଛା ଗୋଟେ ଫୁଟାଇ କରି ଦେଖା ତ।ଜାଣିବା କେମିତି ଅଣ୍ଡିରିପୁଅ। ନେହା ମୋତେ ତା ଫଳା ହୋଇଥିବା ବାଡିଟି ଦେଉଥିଲା,ମୁ ମନାକଲି। କହିଲି ଏଇଟା ଝିଅ ମାନଙ୍କର ଆବଶ୍ୟକ। ଆମ ପାଇଁ ନୁହେଁ। ମୁଁ ହାତ ରେ ଗୋଟିଏ ପରେ ଗୋଟିଏ ତାଲଫୋଟକା ନିଆଁ ଧରାଇ ଫିଙ୍ଗି ଚାଲିଲି ଓ ଢୋ ଢା ଶବ୍ଦ କରି ସବୁ ଗୁଡିକ ମୋର ଅଣ୍ଡିରିପୁଅ ର ସାର୍ଟିଫିକେଟ ଦେଇଚାଲିଥିଲା।ନେହା ମୁହଁ ଅମ୍ବିଳିଆ ଦେଖାଯାଉଥିଲା। ସୋହା ଅପା ମୋତେ ପ୍ରଶଂସା ରେ ପୋତି ପକାଉଥିଲା ବେଳେ ମୁଁ ଝୁର୍ଝୁରି ଟେ ଲଗାଇ ନେହା ହାତକୁ ବଢାଇଦେଇ କହିଲି,ନିଅ, ଏଇଟା ତୁମ ହାତକୁ ମାନିବ।ନେହା ମୋ ନାକ କୁ ଜୋର ରେ ଚିପି ଦେଇ କହିଲା,ଅପା ଅଛି ବୋଲି ମୁଁ ଚୁପ୍ ରହୁଛି, ତୁମ କଥା ପରେ ବୁଝିବି।
ସମୟ ବେଶି ନୁହେଁ,ରାତି ଆଠଟା ଖଣ୍ଡେ ହେବ। ବାଣ ର ଏକଚତୁର୍ଥାଂଶ ବି ସାରି ନଥାଏ। ଏହି ସମୟ ରେ ଟ୍ୟାକ୍ସି ଟିଏ ନେହା ଘର ସମ୍ମୁଖରେ ଲାଗିଲା। ମଧ୍ୟ ବୟସ୍କ ବ୍ୟକ୍ତି ଟିଏ ଓହ୍ଲାଇ ନେହା ଘରକୁ ଆସିଲେ। ନେହା ଓ ସୋହା ଅପା ସେହି ଭଦ୍ର ବ୍ୟକ୍ତି ଙ୍କୁ ନମସ୍କାର କଲେ। ସୌଜନ୍ୟତା ଦୃଷ୍ଟିରୁ ନ ଚିହ୍ନି ବି ମୁଁ ତାଙ୍କୁ ନମସ୍କାର କଲି। ପ୍ରତି ନମସ୍କାର କରି ସେଇ ଭଦ୍ରବ୍ୟକ୍ତି ଘର ଭିତର କୁ ପ୍ରବେଶ କଲେ।ଆମେ ପୁଣି ବାଣ ଫୁଟାରେ ମନ ଦେଲୁ। ମୋ ଭଳି ହାତରେ ତାଳ ଫୋଟକା ଫୁଟାଇବାକୁ ନେହା ଓ ସୋହା ଅପା ଚେଷ୍ଟା କରୁଥାନ୍ତି। ନେହା ଗୋଟିଏ ବାଣଫୁଟାଇବାରେ ସଫଳ ହୋଇଯିବା ପରେ ଖୁସି ରେ ପାଗଳ ହୋଇଗଲା। ସୋହା ଅପା ପାଖରେ ଥାଇ ବି ନେହା ମୋତେ ଜୋର ରେ କୁଣ୍ଢାଇ ପକାଇଲା। କୁଣ୍ଢାଇ ଧରି ସେ ପିଲାଙ୍କ ଭଳି ଡେଇଁ ଚାଲିଥାଏ।ନେହା ର ଖୁସି ରେ ମୁଁ ଆତ୍ମହରା ହୋଇଯାଉଥିଲି। ଠିକ୍ ଏତିକିବେଳେ ମାଉସୀ ଆସି କହିଲେ, ପିଲେ ଆଉ ବାଣ ଫୁଟାଅ ନାହିଁ। ମାଉସା ହାର୍ଟ ପେସେଣ୍ଟ। ତାଙ୍କୁ ଭଲ ଲାଗୁନି।ନେହା, ସୋହା ,ଘରକୁ ଆସ। ମୋତେ ଲକ୍ଷ କରି କହିଲେ,ସୁନୀଲ, ତୁମେ ବାଣ ନେଇଯାଅ, ନହେଲେ ଏଠି ରଖିଦିଅ, କାର୍ତିକ ପୂର୍ଣ୍ଣମୀ କୁ ଫୁଟାଇବ।ମାଉସୀ ଙ୍କ କଥା ମୋତେ କାହିଁକି କିଛି ଠିକ୍ ଲାଗିଲାନି।ସେ ମୋତେ କିଛି କଥା ଲୁଚାଉଥିବା ଭଳି ଲାଗିଲା।ମୁଁ ଚୁପ୍ ଚାପ ସେଦିନ ଚାଲି ଆସିଲି। ଆସିଲାବେଳେ ପ୍ରତିଥର ଭଳି ନେହା ଗେଟ ପର୍ଯ୍ୟନ୍ତ ବି ସେଦିନ ଆସିନଥିଲା।
ମୁଁ ଏହା ପରେ କିଛି ଦିନ ନେହା ଘରକୁ ଯାଇପାରି ନଥିଲି। ଦିନେ ମାର୍କେଟ ରେ ସୋହା ଅପା ଦେଖା ହେଲେ।ଦୀପାବଳୀ ଦିନ କିଏ ତାଙ୍କ ଘରକୁ ଆସିଥିଲେ ବୋଲି ପଚାରିଲି।ସେ ଯାହା କହିଲେ,ତାହା ଶୁଣି ମୁଁ ପ୍ରତିକ୍ରିୟା ତ ପ୍ରକାଶ କରିପାରିଲିନି, ହେଲେ ଅନେକ ଦିନ ପର୍ଯ୍ୟନ୍ତ ମୁକ ହୋଇଗଲି। ସେ ଭଦ୍ରବ୍ୟକ୍ତି ମଉସା ଙ୍କ ବାଲ୍ୟ ବନ୍ଧୁ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ସର୍ଭିସ କରନ୍ତି। ତାଙ୍କ ପୁଅ ସହ ନେହା ର ବିବାହ ପାଇଁ ମଉସା ଓ ସେ ଅନେକ ବର୍ଷ ତଳୁ ନିଷ୍ପତି ନେଇ ସାରିଛନ୍ତି।ଭୁବନେଶ୍ୱର ରେ କାମ ଥିବାରୁ ସେ ଆସିଛନ୍ତି ଓ ଏଇ ମଉକା ରେ ତାଙ୍କ ଭାବି ବୋହୁ ଓ ସମୁଦି ସମୁଦୁଣୀ ଙ୍କୁ ଟିକେ ଦେଖିଯିବେ।
ଏଥର ମୁଁ ବୁଝିପାରିଥିଲି କାହିଁକି ସେଦିନ ମାଉସୀ ବାଣ ନ ଫୁଟାଇବାକୁ କହିଲେ ଓ ସୋହା ଅପା ଓ ନେହା କୁ ଘରଭିତରକୁ ନେଇଯାଇଥିଲେ।
ନେହା ଏ ସବୁ ବିଷୟ ରେ କଣ ଜାଣିଥିଲା ? ଯଦି ଜାଣିଥିଲା, ତେବେ ମୋତେ କେବେ କହିନଥିଲା କାହିଁକି ?
@ କୋଣାର୍କ,ପୁରୀ।
###########