Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

3  

Kulamani Sarangi

Others

ଢୁମ୍ପା ସଂଗୀତ

ଢୁମ୍ପା ସଂଗୀତ

2 mins
7.2K


ପରିଆ ଭାଇନା କାନ୍ଧରେ ନାଲି ଗାମୁଛା ପକେଇ ,ଖାନଦାନୀ ପେଟଟିକୁ ସଗର୍ବେ ପ୍ରଦର୍ଶିତ କରି ଗାଁ'ଦାଣ୍ଡରେ ଚାଲିଲାବେଳେ ଲାଗୁଥିଲା ସତେ ଯେମିତି ପେଟଟି ଆଗେ ଆଗେ ଓ ପରିଆ'ନା ତା ପଛେ ପଛେ ଯାଉଛନ୍ତି ।ପରିଆ'ନାଙ୍କର ଚିକ୍କଣ ଚାକଣ ପେଟଟିକୁ ଦେଖି ସୁରେଶର ମନ କୁଣ୍ଢେମୋଟ । କହିଲା "ନନା ! ଏଥର ଢୁମ୍ପା ସଂଗୀତଟା ଜମିଯିବ । ଆସନ୍ତା ପାର୍ବଣ ସମୟରେ ଦେବୀଙ୍କ ପାଖରେ ଢୁମ୍ପା ସଂଗୀତ ଯୋଜନା ଅଛି । ତମେ ଏଥର ଢୁମ୍ପିବ । "

ପାଠକେ ! ଏ "ଢୁମ୍ପା ସଂଗୀତ", "ଢୁମ୍ପିବା" ଇତ୍ୟାଦି ଆପଣଙ୍କୁ ସାଙ୍କେତିକ ଶବ୍ଦ ଭଳି ଲାଗୁଥିବ ତଥା ପୃଥୁଳ ପେଟ ସହିତ ଢୁମ୍ପା ସଂଗୀତର ସମ୍ବନ୍ଧ ମନରେ କେତେ ପ୍ରଶ୍ନବାଚୀ ଆଣୁଥିବ ।  ଲାଗିବା କଥା । କାରଣ ଓଡିଶାର ଏହି ଅତି ସୁନ୍ଦର ଲୋକ- ସଂଗୀତ କଳାଟି ପ୍ରାୟ ଲୋପ ପାଇବାକୁ ଯାଉଛି । ଏହା ବିଷୟରେ ବହୁତ କମ୍ ଲୋକଙ୍କୁ ଜଣା ।

ଢୁମ୍ପା ସଂଗୀତର ଇତିହାସ ଜାଣିବାକୁ ହେଲେ ଆମକୁ ଅଷ୍ଟାଦଶ ଶତାବ୍ଦୀକୁ ଯିବାପାଇଁ ପଡିବ । ଗଞ୍ଜାମର ବଡଖେମୁଣ୍ଡିରେ 1789 ମସିହାରେ ଜନ୍ମଗ୍ରହଣ କରିଥିଲେ ବାଣୀ ବରପୁତ୍ର କବିସୂର୍ଯ୍ୟ ବଳଦେବ ରଥ । 1845 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା । ଜୀବନ କାଳ ଭିତରେ ସେ ଯେଉଁ ସାହିତ୍ୟକୃତି କରିଯାଇଛନ୍ତି ତାର ପଟାନ୍ତର ନାହିଁ  । କିଶୋର ଚନ୍ଦ୍ରାନନ ଚମ୍ପୂ,ରତ୍ନାକର ଚମ୍ପୂ,ଚନ୍ଦ୍ରକଳା ଏବଂ ସର୍ପ ଜଣାଣ ତାଙ୍କ କୃତିମାନଙ୍କ ମଧ୍ୟରେ ଅନ୍ୟତମ । ଆଜିକାଲିର ତଥାକଥିତ ସାହିତ୍ୟିକମାନେ ଏସବୁ ପଢିଥିବେ ନା ନାହିଁ ସନ୍ଦେହ ।

ତାଙ୍କ ଦ୍ୱାରା ରଚିତ ସଂଗୀତ ଗୁଡିକୁ ଗାଇବାପାଇଁ ସଂଗୀତ ଆସରର ଗଠନ କରାଯାଉଥିଲା । ସେହି ଆସରକୁ ଢୁମ୍ପା ସଂଗୀତ ଆସର କୁହାଯାଉଥିଲା । ସେଥିରେ ଯେଉଁ ମୂଖ୍ୟ ବାଦ୍ୟଯନ୍ତ୍ରଟି ବ୍ୟବହୃତ ହେଉଥିଲା ତା'ନା ଥିଲା ଢୁମ୍ପା । ଏହା 'ରାଜମଇ' କିମ୍ବା 'ଭେଣ୍ଡିଆ ମର୍ଦ୍ଦନ' ଗଛର ପଳଖ ବା ଖୋଳରୁ ପ୍ରସ୍ତୁତ । ଢୁମ୍ପା ସଂଗ୍ରହ ମୂଖ୍ୟତଃ ବର୍ଷାଦିନେ ଜଙ୍ଗଲରୁ ହୋଇଥାଏ । ସଳଖରେ ବଢିଥିବା ଏବଂ ମଝିରେ ଗଣ୍ଠିନଥିବା 'ଭେଣ୍ଡିଆମର୍ଦ୍ଦନ' ଗଛ କିମ୍ବା 'ରାଜମଇ' ଗଛକୁ କାଟି ତାର ମୋଟା ଖୋଳପାକୁ ଗଣ୍ଡିରୁ ଅଲଗା କରି ପ୍ରାୟ ଆଠ/ଦଶ ଫୁଟ ଲମ୍ବର ବାଦ୍ୟଯନ୍ତ୍ରଟି ପ୍ରସ୍ତୁତ କରାଯାଏ । ଖୋଳଟି ସୁଖିଗଲା ପରେ ତା'ଉପରେ କାଠିରେ ,ତାଳ ଅନୁସାରେ ମାଡଦେଲେ ସୁନ୍ଦର ଶବ୍ଦର ସୃଷ୍ଟି ହୁଏ । ଢୁମ୍ପାଟିର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ । ଜଣେ ପୃଥୁଳପେଟଧାରୀ ନିଜ ପେଟଉପରେ ଢୁମ୍ପାର ଗୋଟିଏ ପାଖ ମୃଦୁ ମୃଦୁ ମାଡ କରନ୍ତି ଓ ଅପସାରିତ କରନ୍ତି । ଦୁଇ ଖଣ୍ଡ ବାଉଁଶ କାଠିରେ ଅନ୍ୟ ଦୁଇଜଣ ଦୁଇ ପଟେ "ତାରିଖିଟା ତାକଝିଣା" ତାଳରେ ଢୁମ୍ପା ଉପରେ ବାଜଣା କରନ୍ତି । ତା'ସଙ୍ଗେ ସଙ୍ଗେ ହାରମୋନିୟମ, ଡୁବି ତାବଲା,ପଖଜ ଇତ୍ୟାଦି ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଏ । ଢୁମ୍ପା ସଂଗୀତ/ଚମ୍ପୁ ବୋଲାହୁଏ ଏବଂ ଆସର ଜମି ଉଠେ । ଗୋଟିଏ ଢୁମ୍ପାଯନ୍ତ୍ର ଗୋଟିଏ ବା ଦୁଇଟି ଆସରରେ ନଷ୍ଟ ହୋଇଯାଏ ।

ଏହି ଢୁମ୍ପାସଂଗୀତ ରାଜୁଡା ସମୟରେ ଖଣ୍ଡପଡା,ନୟାଗଡ଼, ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତର ସମ୍ମାନ ଲାଭ କରିଥିଲା । ଏବେ ତାହା ଲୁପ୍ତପ୍ରାୟ । ତଥାପି ଏହି ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଖଣ୍ଡପଡାର କିଛି କଳାକାର ପ୍ରୟାସ ଜାରି ରଖିଛନ୍ତି  । ଦୁର୍ଗାପୂଜା ସମୟରେ ଏବଂ ସାମନ୍ତ ଜୟନ୍ତୀ ସମୟରେ ଏହି କଳାକାରମାନେ ଢୁମ୍ପା ସଂଗୀତ ପରିବେଷଣକରି ଉପସ୍ଥିତ କଳାପ୍ରେମୀ ମାନଙ୍କର ମନୋରଂଜନ କରନ୍ତି । ସାମନ୍ତ ଚନ୍ଦ୍ରଶେଖରଙ୍କ ସୁପୁତ୍ର ଗଦାଧର ସିଂହ ସାମନ୍ତଙ୍କ ରଚିତ ଢୁମ୍ପାସଂଗୀତ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଚମ୍ପୁ ଏବଂ ପୁରାତନ ସଂଗୀତର ପରିବେଷଣ ମଧ୍ୟ ଏହି ଆସର ମାନଙ୍କରେ ହୁଏ ।

ଏହି ପରିପ୍ରେକ୍ଷୀରେ ପରିଆ'ନାଙ୍କ ଚିକ୍କଣ ପେଟଟି ଦେଖି ଢୁମ୍ପାଗାୟକ ସୁରେଶ ଖୁସି ହେଉଥିଲା । ପରିଆ ଭାଇନା କହିଲେ "ବାଃ,ପେଟଟିକି ମୋର ଭାରି ଶସ୍ତା ପାଇଚୁରେ ସୁର । ଏଣେ ଡାକ୍ତର କହୁଚି 'ତମକୁ ଡାଇବେଟିସ୍,ଶୀଘ୍ର ପେଟ କମାଅ । ତୁ କହୁଚୁ କଣ ନା ଢୁମ୍ପିବ ଆସ । କାହିଁକି ତମ ଜାନକୀଭାଇନା ତ ଢୁମ୍ପୁଥିଲେ,ତାଙ୍କର କଣ ଅସୁବିଧା ହେଲା?"

ସୁରେଶ କହିଲା "ତମେ ଜାଣିନକି ପରିଆ'ନା?ଜାନେକୀ ଭାଇନାଙ୍କର ଆଉ ପେଟ ଅଛି ?ବହୁମୁତ୍ରରେ ପୀଡିତ,ତମପରି । ପୁରା ଡାଙ୍ଗ ହେଇଗଲେଣି । ସିଏ ଆଉ ଢୁମ୍ପି ପାରୁନାହାନ୍ତିମ ।

ତମେ ଏଥର ଆଉ ମନାକରନି । ଏଇଥରଟା ଢୁମ୍ପିଦିଅ,ଭାଇଟା ପରା । "

କୁନ୍ଥେଇ ମୁନ୍ଥେଇ ପରିଆ ଭାଇନା ରାଜି ହେଇଚନ୍ତି ଏଥର ଢୁମ୍ପା ସଂଗୀତରେ,ଦୂର୍ଗାପୂଜା ସମୟରେ ଢୁମ୍ପିବେ ।


Rate this content
Log in