Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିରିମାଖି ଝିଅଟିଏ
ନିରିମାଖି ଝିଅଟିଏ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

6 Minutes   7.1K    14


Content Ranking

ରାଜ କିଶୋର ଡାକୁଆ

ମଣିଷ ଜନ୍ମଟା କ’ଣ ତା’ର ପୂର୍ବ ଜନ୍ମର ଫଳ ? ଭଗବାନ କାହାକୁ ଧନୀ ଘରେ ଜନ୍ମ ଦିଅନ୍ତି ତ କାହାକୁ ଦରିଦ୍ର ଘରେ ଜନ୍ମ ଦେଇଥା’ନ୍ତି । ତେବେ ଦରିଦ୍ର ବା ଗରିବ ଘରେ ଜନ୍ମ ହେବଟା କ’ଣ ଅଭିଶାପ ? କାହିଁକି ଏ ଅବିଚାର ? କିଏ ସୁନା ଥାଳିଆରେ ଖାଉଚି ତ କାହାକୁ ଭଙ୍ଗା ଖପରାରେ ଗଣ୍ଡେ ମିଳୁନି । କିଏ ରାଜମହଲର ରୁପାର ଚାନ୍ଦୁଆ ତଳେ ଗଜଦନ୍ତ ପଲଙ୍କରେ ଆରାମ କରେ ତ ଆଉ କିଏ ରାସ୍ତା କଡ଼ ଗଛମୂଳକୁ ଭରସା କରି ରହିଥାଏ । କିଏ ଚିକିମିକିଆ ପୋଷାକ ପିନ୍ଧି ଆଖି ଝଲସାଉ ଥାଏ ତ କିଏ ଫୁଙ୍ଗୁଳା ଦେହରେ ଇଜ୍ଜତ ବଞ୍ଚେଇବାକୁ ଖଣ୍ଡେ ଛିଣ୍ଡା କପଡ଼ା ପରିଧାନ କରିବାକୁ ପାଏନି । ଏହା ହେଉଛି ଦାରିଦ୍ର୍ୟତାର ଗୋଟେ ଗୋଟେ ନମୁନା । ଜଣେ ଗରିବ ଲୋକକୁ କାହିଁକି ଏ ସମାଜ ହୀନ ଚକ୍ଷୁରେ ଦେଖୁଛି । ଦାରିଦ୍ର୍ୟତା ଭିତରେ ଶଢ଼ି ଶଢ଼ି ବୁଢ଼ୀ ମାଆଟା ଆଖି ବୁଜିଦେଲା । ଭିକ୍ଷାବୃତ୍ତି କରିବାକୁ ଯାଇ ବୁଢ଼ା ବାପାଟା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଗଲା । ଭାଈ-ଭଉଣୀ ଦୁଇଟା ଭୋକ ଉପାସରେ ବାର ଦୁଆର ହେଉଥିଲେ । ଆହା ପଦେ କହିବାକୁ କେହି ନାହାନ୍ତି । ଯଦି ଏ ସମାଜ ସେମାନଙ୍କ କର୍ମ ଫଳ ବୋଲି କହିବ ତେବେ କାହାର କର୍ମ ଫଳ ଏଇ ପିଲା ଦୁଇଟା ଭୋଗୁଛନ୍ତି । ବାପା, ନା ମାଆ, ନା ଏଇ ପିଲା ଦୁଇଜଣଙ୍କର କର୍ମ ଫଳ । ଶେଷରେ ଛୋଟ ଭାଈଟା ମଧ୍ୟ ଧୋକ୍କା ଦେଇଦେଲା । ଧନୀ ଶ୍ରେଣୀର ଲୋକମାନେ ନିଜର ଶୌକ ପାଇଁ ଘରେ କୁକୁର ପୋଷିଥା’ନ୍ତି । ତାକୁ ସାଙ୍ଗରେ ଖୁଆନ୍ତି, ଶେଯରେ ଶୁଆନ୍ତି, ବରାବର ଡାକ୍ତରୀ ପରୀକ୍ଷା କରାନ୍ତି, ଚିକେନ୍‌, ମଟନ ଖାଇବାକୁ ଦିଅନ୍ତି । କିନ୍ତୁ କୌଣସି ଅନାଥ ପିଲା ଯଦି ମୁନ୍ଦାଏ ଥଣ୍ଡା ପାଣି ପିଇବାକୁ ମାଗେ ତା’ ଉପରକୁ ଗରମ ପାଣି ଫୋପଡ଼ାଯାଏ । ସମାଜରେ ପ୍ରମୁଖ ବ୍ୟକ୍ତିଭାବେ ନାଁ ବୋଲାଉଥିବା ଲୋକଙ୍କର ଏ ସମାଜ ପ୍ରତି କ’ଣ ଏଇ କର୍ତ୍ତବ୍ୟ । ସେ ନେଇ ଅନେକ ପ୍ରଶ୍ନ.......

ଏକ ନିପଟ ତଳିଆ ଗାଁରେ ବାପା, ମାଆ, ପୁଅଟାଏ, ଝିଅଟାଏ ମିଶି ୪ ଜଣ ବାସ କରୁଥିଲେ । ଛୋଟ ଛୋଟ ପିଲା ଦୁଇଟି । ବାପା, ମାଆ ଦୁହେଁ ରୋଗାଗ୍ରସ୍ତ । ତଥାପି ବାପାଟି କିଛି କାମ ଧନ୍ଦା କରି ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରେ । ନିଜ ପାଇଁ କିମ୍ବା ସ୍ତ୍ରୀ ପାଇଁ ଔଷଧ ଟୋପାଏ ଆଣିପାରେନି । ଏମିତି ବହୁ ଦୁଃଖ କଷ୍ଟରେ ଚଳିବା ପରେ ସହରକୁ ଚାଲି ଆସିଲେ ଅଧିକ କିଛି କାମ କରି ରୋଜଗାର କରିବାକୁ । ରାସ୍ତା କଡ଼ରେ ଜରି ପାଲଟିଏ ଟାଣି ତାରି ଭିତରେ ଚାରିଜଣଯାକ ରହୁଥିଲେ । ଛୋଟ ପୁଅଟିକୁ ଧରି ବାପା ଖାଦ୍ୟ ଅନ୍ୱେଷଣରେ ବାହାରିଲେ । ଦୁହେଁ ଭୋକରେ ଆଉଟୁ ପାଉଟୁ ହେଲେଣି । ଦୁହେଁ ଯାଇ ଏକ ଅଳିଆ ଗଦା ପାଖରେ ପହଞ୍ଚିଲେ । ସେଇ ସମୟରେ ଜଣେ ଭଦ୍ର ମହିଳା ପଲିଥିନିରେ କିଛି ଆବର୍ଜନା ଆଣି ସେଠାରେ ପକାଇ ଚାଲିଗଲେ । ଲୋକଟି ସେଇ ଜରିରେ କ’ଣ ଅଛି ବୋଲି ଭାବି ଦେଖେତ ସେଥିରେ ୪ଟି ରୁଟି ଆଉ କିଛି ତରକାରୀ ଅଛି । ତରକାରୀ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ହେଲେ ଲୋକଟି ଆନନ୍ଦରେ ତାହାକୁ ନେଇ ଆସିଲା । ବାପା-ପୁଅ ଦୁହେଁ ବସି ଅତି ଆନନ୍ଦରେ ଖାଇଲେ । ପୁଅଟିକୁ ଭାରି ଶୋଷ ହେଲା । ଏହା ସହ କାଶି କାଶି ନୟାନ୍ତ ହେଇଯାଉଥାଏ । ବାପା ପାଣି ଟୋପାଏ ଆଣିବାକୁ ଏ ଦୁଆର ସେ ଦୁଆର ହେଲା । ପାଣି ଟୋପାଏ ପାଇଁ ସବୁ ଦୁଆରୁ ନିରାଶ ହୋଇ ଫେରିବା ପରେ ଆଉ ଏକ ଦୁଆରେ ଯାଇ ପହଞ୍ଚିଲେ । ସେହି ଘରୁ ଜଣେ ଭଦ୍ର ମହିଳା କିଛି ପାଣି ଏକ ପାତ୍ରରେ ନେଇକି ଆସିଲେ । ଲୋକଟି ଦେଖି ଖୁସି ହୋଇଗଲା । ହେଲେ ଭଦ୍ର ମହିଳା ଜଣକ ସେଇ ପାଣିକୁ ଲୋକଟି ଉପରକୁ ରାଗରେ ଫୋପାଡ଼ି ଦେଲେ । ଲୋକଟି ଛଟପଟ ହେଇଯାଉଥାଏ । ଛିଣ୍ଡା ଗାମୁଛାରେ ଦେହ ମୁହଁକୁ ପୋଛି ପକାଉଥାଏ । ହାତକୁ, ଗୋଡ଼କୁ ଫୁଙ୍କି ପକାଉଥାଏ । କାରଣ ସେ ପାଣି ଥଣ୍ଡା ନଥିଲା, ଥିଲା ଗରମ । ଫୁଟନ୍ତା ଗରମ ଜଳର ଜ୍ୱାଳା ସହି ପାରୁନଥାଏ । ଜୀବନ ବିକଳରେ ସେଠାରୁ ଦୌଡ଼ି ଆସିଲା । ତେବେ ଇଏ କ’ଣ ମଣିଷପଣିଆ ? ଯଦି ଜଣକୁ ମୁନ୍ଦାଏ ଥଣ୍ଡାଜଳ ଦେଇପାରୁନ, ତେବେ ତା’ ଉପରକୁ ଗରମ ପାଣି ଫୋପାଡ଼ିବାକୁ ଅଧିକାର ଦେଲା କିଏ ? ଯଦି କାହାର ଉପକାର କରିନପାରୁଛ ତେବେ କାହାର ଅପକାର ଚିନ୍ତା କର ନାହିଁ ।

ଲୋକଟି ଆତ୍ମା ବିକଳରେ ଦୌଡ଼ି ଦୌଡ଼ି ଯାଉଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା । ଦୁଃଖ ମଣିଷକୁ ଯେତେବେଳେ ଗ୍ରାସ କରେ ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବକୁ ସାଙ୍ଗରେ ନେଇକି ଆସେ । ଠିକ୍‌ ସେତିକିବେଳେ ବିପରୀତ ଦିଗରୁ ଏକ ଗାଡ଼ି ଆସୁଥିଲା । ଲୋକଟି ସହ ଜୋର୍‌ରେ ଧକ୍କା ହେଲା । ପରିବାରର ଆଖି ସାମ୍‌ନାରେ ଲୋକଟି ଆରପାରିକୁ ଚାଲିଗଲା । ସିଏ ଚାଲିଗଲା, ଏ ଦୁଃଖର ସଂସାରରୁ ତରିଗଲା । ହେଲେ ଲୁହଭରା ତିନୋଟି ଜୀଅନ୍ତା ଶବକୁ ଛାଡ଼ି ଚାଲିଗଲା । ବର୍ତ୍ତମାନ ଘରେ ତିନି ଜଣଙ୍କ ମଧ୍ୟରୁ ମାଆଟି ରୋଗୀଣା, ପୁଅଟି ୫-୬ ବର୍ଷର ଛୋଟ ପିଲାଟିଏ । ୧୨-୧୩ ବର୍ଷର ଝିଅଟି ଉପରେ ପରିବାରର ବୋଝ ଲଦି ହେଇଗଲା ।

ୟାରି ଭିତରେ ୩ ଜଣ ଯାକର ଉପବାସରେ ୪-୫ ଦିନ ବିତିଗଲାଣି । ସେପଟେ ମାଆଟି ବିଛଣାରୁ ଉଠୁନି । ଏପଟେ ଛୋଟ ଭାଇଟି ଭୋକରେ ଆଉଟୁ ପାଉଟୁ ହୋଇ ନିରୀହ ମୁହଁରେ ଭଉଣୀକୁ ଚାହିଁ ରହିଛି । ସତେକି ମୋତେ ଖାଇବାକୁ ଗଣ୍ଡାଏ ଦିଏ ବୋଲି କହୁଛି । ଝିଅଟିର ଆଖିରୁ ଧାରଧାର ଅଶ୍ରୁ ନିଗିଡ଼ି ପଡ଼ୁଥାଏ । ଦୁଃଖର ଯନ୍ତ୍ରଣାକୁ ଅନ୍ତରରେ ଚାପି ରଖି ଆଖିରୁ ଲୁହ ପୋଛି ବାହାରକୁ ଆସିଲା । କିଛି କାମଧନ୍ଦା ପାଇଁ ବାହାରିଲା । ସେଦିନ ଏକ ଜଳଖିଆ ଦୋକାନରେ ପ୍ଲେଟ୍‌ ସଫା କରି କିଛି ବଳକା ଜିନିଷ ଓ କିଛି ପଇସା ଆଣିଲା । ସେଇ ପଇସାରେ ମାଆ ପାଇଁ ଔଷଧ ଆଣି କୁଡ଼ିଆରେ ପହଞ୍ଚିଲା । ଯାହା ହେଉ ସେଦିନ ବିତିଗଲା । ଏମିତି କିଛି ଦିନ ହୋଟେଲ, ଜଳଖିଆ ଦୋକାନରେ କାମ କରି ଚଳିଯାଆନ୍ତି । ହେଲେ ଏପଟେ ମାଆର ଅବସ୍ଥା ଦିନକୁ ଦିନ ସଙ୍ଗୀନ ଆଡ଼କୁ ଗତି କଲାଣି । ମାଆକୁ ଔଷଧ ଟିକିଏ ଦେଇପାରୁନି କି କାହା ପାଇଁ ଖଣ୍ଡେ ଲୁଗା କିଣିପାରୁନି । ମାଗିଯାଚି ଲୁଗା ଖଣ୍ଡେ ଆଣି ପିନ୍ଧୁଛନ୍ତି ।ତା’ ପରେ ଝିଅଟି ଜଣେ ବିଶିଷ୍ଟ ବିତ୍ତଶାଳୀ ବ୍ୟକ୍ତିଙ୍କ ଘରେ ଚାକରାଣୀଭାବେ କାମ କଲା । ଘରର ସମସ୍ତ କାମ କରେ । ଫେରିଲା ବେଳେ କିଛି ବଳକା ଖାଦ୍ୟ ନେଇ ଘରକୁ ଫେରେ । ସେଥିରେ ତିନି ଜଣ ବଞ୍ଚନ୍ତି । ଏକଦା ସେହି ବିତ୍ତଶାଳୀଙ୍କ ଘରେ କୌଣସି ଏକ ପାର୍ଟି(ଭୋଜି)ର ଆୟୋଜନ ହୋଇଥିଲା । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଧନୀ ମାନି ଲୋକମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ନାନାଦି ପ୍ରକାର ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ସେହି ଦିନ ଏହି ଝିଅଟି ଉପରେ ବହୁତ କାମର ଚାପ ପଡ଼ିଯାଇଥିଲା । ତଥାପି ମାଲିକ, ମାଲିକାଣୀଙ୍କ ହୁକୁମ୍‌ ଆଉ ଭୟରେ ସବୁ କାମ କଲା । ଭୋଜିରେ ବିଭିନ୍ନ ପ୍ରକାର ଆଇଟମ୍‌ର ବାସ୍ନା ଆଘ୍ରାଣ କରୁଥାଏ । ପ୍ଲେଟ୍‌ ଉଠାଇଲାବେଳେ ସବୁ ଦେଖୁଥାଏ, ହେଲେ ଏ ପର୍ଯ୍ୟନ୍ତ ସ୍ୱାଦ ମଧ୍ୟ ଜାଣିପାରିଲାନି । ଭାବିଲା ଶେଷରେ କିଛି ଖାଦ୍ୟ ଘରକୁ ନେଇକି ଯିବ । ମାଆ, ଭାଇ ଓ ସେ ଖାଇବେ । ସମସ୍ତ ଅତିଥି ଖାଇସାରି ଯିଏ ଯାହା ଘରକୁ ଚାଲିଗଲେ । ଆଉ ଅଳ୍ପ କିଛି ଖାଦ୍ୟ ବଳକା ଥିଲା । ଭାରି ଆନନ୍ଦରେ ଭାବିଲା କିଛି ଖାଇ ଆଉ କିଛି ଘରକୁ ନେବ ବୋଲି । ହେଲେ ମାଲିକାଣୀ ଆସି କୁକୁରଟା ଖାଇ ନାହିଁ ବୋଲି ବ୍ୟସ୍ତ ବିବ୍ରତ ହୋଇ ବଳକା ଖାଦ୍ୟ କିଛି ଫ୍ରିଜ୍‌ରେ ରଖି ଦେଇ ଆଉ ସବୁ କୁକୁରକୁ ଖାଇବାକୁ ଦେବା ପାଇଁ ଝିଅଟିକୁ ନିର୍ଦ୍ଦେଶ ଦେଇଦେଲେ । ହେଲେ ପିଲାଟା କାମ କରି କରି ନୟାନ୍ତ ହେଲାଣି କିନ୍ତୁ କିଛି ଖାଇଛି କି ନାହିଁ ସେଥିପ୍ରତି ଦୃଷ୍ଟି ନାହିଁ । ପିଲାଟି ଯୋଉ ଖୁସିରେ ଖାଇବା ପାଇଁ ଯାଉଥିଲା ଏଥର ତା’ ମନ ମଉଳିଗଲା । କିଛି କହିବା ପାଇଁ ତା’ର ସାହସ ନାହିଁ । ସେଠାରେ ସବୁ କାମ ଧନ୍ଦା କରି ଘରକୁ ଫେରିଲା । ଘରେ ଆସି ଦେଖେତ ମାଆର ଅବସ୍ଥା ଶୋଚନୀୟ । ମାଆ କାଶି କାଶି ନୟାନ୍ତ ହୋଇଗଲାଣି । ଘରେ ଛୋଟ ଭାଇଟା ଅବା କ’ଣ କରିପାରିବ । ଏପଟେ ନଖାଇ ନପିଇ ଭୋକ ତାକୁ ପରିହାସ କଲାଣି । ସେପଟେ ମାଆର ଏଇ ଅବସ୍ଥା । ଭାବିଲା ଔଷଧ ଟିକିଏ ମାଆକୁ ଖୁଆଇ ଦେବ । ଦେଖେତ ସେଥିରେ ଔଷଧ ନାହିଁ । ଶେଷରେ କାଶି କାଶି ମାଆ ଆରପାରିକୁ ଚାଲିଗଲା । ପୁଣି ଦୁଃଖ ପରେ ଦୁଃଖ ଘୋଟିଗଲା । ବୋଝ ଉପରେ ପଥରଟାଏ ପୁଣି ଲଦି ହୋଇଗଲା ।

ବର୍ତ୍ତମାନ ଭାଇ-ଭଉଣୀ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଥାନ୍ତି । ଭାଇଟିର ବିକଳାଙ୍ଗ ଚେହେରା, ମାଆର ମୃତ ଦେହ ଦେଖି ଭାଙ୍ଗି ପଡ଼ୁଥାଏ । ତଥାପି ଛାତିକୁ ପଥର କରି ମାଆର ଶବକୁ ସତ୍କାର କରିଦେଲା । ତା’ ପାଇଁ ଆଉ ଗୋଟେ ଯୁଦ୍ଧ ଆରମ୍ଭ ହୋଇଗଲା । ଏଇ ଜୀବନ ଯୁଦ୍ଧରେ ସିଏ ଜିତିବ କି ହାରିବ କଳନା କରିପାରୁ ନ ଥାଏ । ସତରେ ସେ କ’ଣ ଜିତିବ ନା’ ହାରିଯିବ ! ଏମିତି ଅନେକ ପ୍ରଶ୍ନ ତା’ ମନରେ ଉଙ୍କି ମାରୁଥାଏ । ଏମିତି ବିତିଗଲା କିଛି ଦିନ କିଛି ରାତି । ସତରେ କ’ଣ ଜୀବନରେ ଦୁଃଖଟା କେବେ ଅପସରି ଯାଏନି ? ହଁ ! ସତକଥା । ଜୀବନର ଦୁଃଖଟା କେବେ ବି ଅପସରି ଯାଏନି । ତାହା ଯିବା ପରିବର୍ତ୍ତେ ତା’ର ପସରା ମେଲିଦିଏ । ନହେଲେ ନିରୀହ ଭାଇ-ଭଉଣୀ ଦୁଇଟା କାହିଁକି ଦୁଃଖର ଜଳଭରା ନଦୀରେ ଉବୁଟୁବୁ ହେଉଥାନ୍ତେ । କପାଳ ଲିଖନ କେ କରିବ ଆନ । ବର୍ତ୍ତମାନ ନିରାଶ୍ରୟ, ଲୁହ ବୋହୁଥିଲେ ମଧ୍ୟ ପୋଛି ଦେବାକୁ କେହି ନାହାନ୍ତି । ନିଗିଡ଼ା ଲୁହକୁ ପୋଛି ପୋଛି ଆଉ ଲୁହ ବୋହୁନି । ଆଖିରେ ବନ୍ଧ ପଡ଼ିଗଲାଣି । ଦୁଃଖ ଦୁଃଖ ଦୁଃଖ । ପୁଣି ଏକ ଦୁଃଖ ଆସି ପହଞ୍ଚିଗଲା । ଛୋଟ ଭାଇଟା ରୋଗ ଶଯ୍ୟାରେ ପଡ଼ିଗଲା । ଭୀଷଣ ଜ୍ୱରରେ କମ୍ପୁଥାଏ । ଦିନକୁ ଦିନ ତା’ ଅବସ୍ଥା ସଙ୍ଗୀନ ଆଡ଼କୁ ଗତି କରୁଥାଏ । ଦେହ ହାତ କ୍ଷିଣ ହେବାରେ ଲାଗିଲା । ଭଉଣୀ ପାଖରେ ସେତିକ ଅର୍ଥ ନାହିଁ ବିକଳାଙ୍ଗ, ରୋଗାଗ୍ରସ୍ତ ଭାଇଟାକୁ ଡାକ୍ତରଖାନା ନେବାକୁ କି ଔଷଧ ଟିକିଏ ଆଣିବାକୁ । ଶେଷରେ ଛୋଟ ଭାଇଟା ମଧ୍ୟ ଭଉଣୀର ହାତ ଛାଡ଼ି ଆରପାରିକୁ ଚାଲିଗଲା । ଝିଅଟି ବର୍ତ୍ତମାନ ଏକା, ନିଃସ୍ୱ, ଅସହାୟ ହୋଇଗଲା ।

ଜୀବନର ଚଲାପଥରେ ଚାଲୁ ଚାଲୁ ଏକା ହୋଇଗଲା । ଥକି ପଡ଼ିଲା । ଏକ ଅପନ୍ତରା ଗାଁରୁ ଅଜଣା ସହରକୁ ଆସି ଅସହାୟ ଭାବେ କିପରି ଦିନ କାଟିବ ଗୁମୁରି ହେଉଥାଏ । ଛିଣ୍ଡା କତରା ଉପରେ ଗୋଡ଼ ଦୁଇଟାକୁ ଲମ୍ବାଇ ପୋତା ହୋଇଥିବା ବାଉଁଶକୁ ଆଉଜି ବସି ଉପରକୁ ଚାହିଁ ଆକାଶର ତାରାଗୁଡ଼ିକୁ ଏକ ଲୟରେ ଦେଖୁଛି । ଆଉ ସେହି ତାରାମାନଙ୍କ ମଧ୍ୟରେ ତା’ ବାପା, ମାଆ, ଛୋଟ ଭାଇଙ୍କୁ ଖୋଜୁଛି । ଦେଖିଲେ ପଚାରିବ ମୁଁ ତୁମର କ’ଣ ଦୋଷ କରିଥିଲି ? କାହିଁକି ମୋତେ ଏଇ ଦଣ୍ଡ ଦେଲ ? ଏଇ ଅଜଣା ସହରରେ ମୁଁ କିପରି ନିଜକୁ ବଞ୍ଚେଇବି ? ଉତ୍ତର ମାଗିବ କାହାକୁ ? କ’ଣ ତା’ର ଦାରିଦ୍ର୍ୟତା ତାକୁ ଉତ୍ତର ଦେଇପାରିବ ? ସେମିତି ଘନ ଅନ୍ଧକାର ମଧ୍ୟରେ ଜୁଳୁଜୁଳିଆ ପୋକର ଆଲୋକକୁ ନିରେଖି ଚାହିଁ ରହିଛି ଏକ ଅପନ୍ତରା ଗାଁର ନିରିମାଖି ଝିଅଟି..........

ମଣିଷ ଦରିଦ୍ର ଝିଅ

Rate the content


Originality
Flow
Language
Cover design

Comments

Post

Some text some message..