Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2.0  

Amiya Bej

Others

ଲମ୍ବା ବେଣୀ

ଲମ୍ବା ବେଣୀ

4 mins
14.6K


✿ ଲମ୍ବା ବେଣୀ ✿

[୧]

ଆଣ୍ଟ ଭାଙ୍ଗିବନି ??? ଶୋରିଷକ୍ଷେତର ଲହଡିରେ ଦୁଷ୍ଟ ମଳୟର ବଳୟରେ ସଜ ଯଉବନ ତାଡନାରେ କୋଇଲି ତାନର ବିରହରେ ସଖିଙ୍କ ଅସିଦ୍ଧ ଗପସପ ରେ ବାଳୁଙ୍ଗା ଟୋକାଙ୍କ ପ୍ରଶ୍ୱାସରେ ଆଣ୍ଟ ଭାଙ୍ଗିବ ଈ ଭାଙ୍ଗିବ !!!

[୨]

ହେଲେ ହେଲା କ'ଣ? - ତୁମଠାରେ ସମ୍ଭାବନା କମ୍ ସୌମ୍ୟା ! - ମାନେ ? - ତୁମେ ଟ୍ରାଡ଼ିସନାଲ୍ ! ସମୟର ଜରୁରତ୍ କୁ ଭୟ କରିଯିବ ! ସେ ଫେରିଯାଅ କହିବା ଆଗରୁ ମୁଁ ଫେରିଆସିଥିଲି । ଆଦ୍ୟ ଯୌବନ ରେ , ପ୍ରଥମ ପ୍ରେମ ନେଇ ଉତ୍କଣ୍ଠିତ ମନଟିଏ ପ୍ରତ୍ୟାଖ୍ୟାତ ହେବାର ତିକ୍ତତା ମୋତେ ବିଦ୍ରୋହୀ କରିଦେଇଥିଲା । ଏତେବଡ ଜୀବନରେ ବହୁଥର ପ୍ରେମକୁ ନିକଟରୁ ଭେଟିଛି ସତ, କିନ୍ତୁ ନ'ଭରସି ଏଥିପାଇଁ ଏଡ଼ାଇ ଦେଇଛି ଯେ ପୁରୁଷ ମନର ମାପକାଠି ସବୁବେଳେ ସନ୍ଧିହାନ !!! ସେ ମାଙ୍କଡ଼ମୁହାଁ ସତ୍ୟପ୍ରିୟ , ମୋ' କୁଆଁରୀ ମନରେ ଦୁଃଖ ଦେଇ, ଅବଶ୍ୟ ମୋ' କୁମାରୀତ୍ୱ ପାଇଁ ଢେର୍ ସତର୍କ କରିଦେଇଥିଲା । ( ସେଇଟା କଣ କିଛି କମ୍ 'ସମୟର ଜରୁରତ୍' ଥିଲା କି ????)

[୩]

"ଦର୍ପଣ ସବୁବେଳେ ନିଜ କଥା କହେ " ଘଣ୍ଟାଘଣ୍ଟା ତା' ଆଗରେ ଛିଡ଼ାହୋଇ ତନ୍ନତନ୍ନ କରି ନିଜକୁ ଦେଖିଛି ! ଟ୍ରାଡ଼ିସନାଲ୍ !!! କ'ଣ ହୋଇପାରେ ? ପାଇଲି ଶେଷକୁ । ବହୁଙ୍କଠୁଁ ଭିନ୍ନ ମୁଁ । ମୋ' ଲମ୍ବାବେଣୀ ! ଉତ୍ତରାଧୀକାରସତ୍ୱ ରୁ ମୋ' ମା' ଠାରୁ ମିଳିଛି ମୋତେ । ମା' କହେ ସୌଭାଗ୍ୟବତୀ । ନିତମ୍ବ ଯାଏଁ ବାଳ ସଭିଙ୍କ ଭାଗ୍ୟ ରେ ମିଳେନି । ସ୍କୁଲ୍ ଠୁଁ କଲେଜ୍ ଯାଏଁ ସବୁ ଝିଅଙ୍କ ଇର୍ଷା ହେଉଛି ମୋ' "ଲମ୍ବାବେଣୀ" ! ପଦାକୁ ବାହାରିଲା ମାତ୍ରେ , ମା' କଣ ଗୋଟେ ମନ୍ତ୍ରୁରାଇ , ଥୁକିଦିଏ ମୋ ମଥାରେ । କହେ ନଜର ଲାଗିବନି କାହାର ତୋ' ବେଣୀକୁ !! 'ଫୁ!' ସେ ମାଙ୍କଡ଼ମୁହାଁ ସତ୍ୟପ୍ରିୟ କୁ । ଫୁ'! ତା' ପ୍ରେମକୁ !

[୪]

ଶାଶୂଘରେ ମୁଁ ଦର୍ଶନୀୟ । ମୋତେ କମ୍ , ମୋ' ବେଣୀକୁ ଦେଖିବାକୁ ପାଖପଡ଼ିଶା ଙ୍କ ଭିଡ଼ ବେଶି । ମୋ' ଶାଶୁ ବି କିଛି କମ୍ ତାନ୍ତ୍ରୀକ ନୁହଁନ୍ତି ! ସବୁଗଲାପରେ , ସେ ଗୁଣୁଗୁଣୁ ହୋଇ ମନ୍ତ୍ର ପଢି ଥୁକିଦିଅନ୍ତି ମୋ ମଥାରେ । " ଦୁନିଆଁ ର ସବୁ ପୁରୁଷ ଏକାପରି " ଏଇ ଲେଖାଥିବା ଟପ୍ ଟେ ପିନ୍ଧି , ମୋ' ଫୁଲେଇ ନଣନ୍ଦ ଯେବେ ମୋ' ପାଖକୁ ଆସିଲା , କୋରିହୋଇଗଲା ଛାତି । ଭୁଲି ସାରିଥିବା ସେ ମାଙ୍କଡ଼ମୁହାଁ ସତ୍ୟ କଥା ପୁଣି ମନେପଡିଗଲା । ପ୍ରୀୟାଂଶୁ ବି ମୋତେ ଟ୍ରାଡ଼ିସନାଲ୍ ଭାବୁନାହାନ୍ତି ତ?? ଜରୁରତ୍ ପୂର୍ଣ୍ଣ କରିବାରେ ଅକ୍ଷମ ମନେକରୁନାହାନ୍ତି ତ ?? ହୁଏତ ପରିବାରର ବାଧ୍ୟବାଧକତା ରେ ରାଜି ହୋଇପାରିଥାନ୍ତି? କେମିତି ଠଉରାଇବି ? ସବୁବେଳେ ଚୁପଚାପ୍ , ଥଟ୍ଟାମଜା ଠୁଁ ଦୂରରେ , ମଉନମୁହାଁ ମଣିଷଟା ଅରସିକିଆ ତ ନିଶ୍ଚିତ । ମୋ' ଭାଗ୍ୟ ! ଅଣ୍ଟାରେ କାନିଖୋସି ସଂସାର ମଂଗ ଧରିଲି । ମା' କହିଥିଲା ପୁରୁଷ ମନ ସାରୁପତ୍ର ଉପର ପାଣିଠୋପା ପରି । ଠିକ୍ ସେ ନ' ଧରିରଖିଲେ ଏଡ଼ିଯିବ ତଳକୁ ତଳକୁ !!

[୫]

ସଂସାର ଗାଡି ଜୋର୍ ଧରିସାରିଥିଲା । ପୁଅ ଜନ୍ମ ପରେ ମୁଁ ଆସିଯାଇଥିଲି ପ୍ରୀୟାଂଶୁ ଙ୍କ କର୍ମସ୍ଥଳ ପୁନା କୁ । ଦେହସୁଆ ହୋଇଯାଇଥିଲା ନିତିଘଟୁଥିବା ସକାଳରୁ ସଂଜ ଯାଏଁ ଘଟଣା ସବୁ । କିଛି ବି ନୂଆପଣ ନଥିଲା ଜୀବନରେ । ଫିକାଫିକା ସମୟ ସବୁ । ପ୍ରୀୟାଂଶୁ ଙ୍କ କାମରେ ବ୍ୟସ୍ତତା , ଆଉ ମୁଁ ଘରକରଣା ରେ । ପାଣିଚିଆ ଲାଗୁଥିଲା ପ୍ରେମରଂଗ । ଏତେଶିଘ୍ର ମଉଳିଯାଏ କ'ଣ ଉତ୍ସାହ ସବୁ ? ସାରୁପତ୍ର ଚହଲା ପାଣି ପରି ଏଡ଼ିଯାଉଛିକି ଆଉ ? ମନେପଡ଼ିଗଲାବି ନଣନ୍ଦ ର ସେ ଟିସାର୍ଟ ର ଲେଖା । ନାଃ ! ଧରିରଖିବାକୁ ହେବ କୌଣସିମତେ । ଆଦ୍ୟ ଯୌବନରେ ପ୍ରେମରୁ ପ୍ରତ୍ୟାଖ୍ୟାତ ହୋଇଥିଲି । ସେ ଅପମାନବୋଧ ର କଷ୍ଟ ଏଯାଏଁ ବି ଛାତି ଜଳାଉଛି !! ଏବେ ମୁଁ ଅନୁଭବି । ଜୀଇନେବାର କୌଶଳ ସବୁଙ୍କୁ ଆପଣାଇ ନେବାକୁ ହେବ । ପ୍ରୀୟ ବାନ୍ଧବୀ ଛନ୍ଦା ସବୁବେଳେ କୁହେ - - ଗୁଡିରୁ ନଟେଇ ଛିଡିବା ଆଗରୁ ସତର୍କ ହବା ଭଲ । ଭଲ ମାଞାସୂତା ଦେଇ ତାକୁ ନିଜ ନିୟନ୍ତ୍ରଣ ରେ ରଖ୍ ସବୁବେଳେ ।

[୬]

ଆସନ୍ତାକାଲି "ଭାଲେଣ୍ଟାଇନ୍ ଡ଼େ" ! କ୍ରମଶଃ ରଂଗ ଛାଡ଼ୁଥିବା ପ୍ରେମକୁ ନୂଆରଂଗ ର ପ୍ରଲେପ ଦେବାକୁ ପୂର୍ଣ୍ଣପ୍ରସ୍ତୁତି ରେ ଲାଗିପଡିଲି ମୁଁ । ଫେରିବାବେଳେ ସେ ପାର୍ଲର ଝିଅଟା କହୁଥିଲା - - ମାଡାମ୍ ନ୍ୟୁ ଲୁକ୍ । ଦେଖିକି , ସବୁ ପଛରେ ପଡିଯିବେ । ଛୋପରୀ ଟା । ମୁଁ ପଥର କରିଦେଇଥିଲି ଛାତିକୁ , ଯେବେ ସେ କଇଁଚି ଚଳାଉଥିଲା ମୋ ଲମ୍ବାବେଣୀ ରେ !!!! କିଛି ହରାଇ କିଛି ପାଇବା ନିଶାରେ !!!!

[୭]

ଅଫିସ୍ ରୁ ଫେରି , ମୋତେଦେଖି ,ପ୍ରୀୟାଂଶୁ ଙ୍କ କୌଣସି ପ୍ରତିକ୍ରିୟା ହେଲାପରି ମନେହେଉନଥିଲା । ସେଇ ଆଗପରି ଟିକେ ସ୍ମିତହାସ୍ୟ ! ବାସ୍ ଏତକ ପାଇଁ କ'ଣ ମୋର ଏତେବଡ ତ୍ୟାଗ ? ମୋ' ଲମ୍ବାବେଣୀ ? ନାଃ ! ଆଉ ଦରକାର ମୋତେ ଢେର୍ ସାରା ପ୍ରେମ । ଝୁଲିପଡିଲି ପ୍ରୀୟାଂଶୁ ଙ୍କ ଦେହରେ । - ଜାଣିଛ ! ଆଜି କିସ୍ ଡେ ? କାଲି ଭାଲେଣ୍ଟାଇନ୍ ! - ଓଃ ! ଭଲକଥା । ହସିହସି ମୋ ଗାଲରେ ଚୁମାଟିଏ ଦେଇ ବାଥରୁମ୍ ଚାଲିଗଲେ ପ୍ରୀୟାଂଶୁ । ପେଟ ପୂରୁନଥିଲା । ଟିକେତ ପ୍ରଶଂସା କରିପାରିଥାନ୍ତେ ମୋ ପ୍ରସ୍ତୁତି କୁ ! ପର ଙ୍କ ତୁଚ୍ଛା ପ୍ରଶଂସା ରେ କଣ ଅଛି? ନିଜ ପ୍ରୀୟ ତ ନିଦାବିଷ୍ଠୁଁ ।

[୮]

ରାତିସୁଖ ସାରି କ୍ଳାନ୍ତ ଦେହରେ ନିଦ୍ରାଯାନ୍ତେ , ନିଦ ଭାଙ୍ଗିଲା ଯାଇ ପ୍ରୀୟାଂଶୁ ଙ୍କ ଡାକରେ । ତରତର ରେ ଉଠି ମୁହଁ ଧୋଇବାକୁ ବେସିନ୍ କୁ ଯାଇ ଚମକିଗଲି ନିଜକୁ ଦେଖି ଦର୍ପଣ ରେ !!! ଏକ'ଣ ! ମୋ' କଟା ବାଳକୁ ମୋଡିମାଡ଼ି ଚାଖଣ୍ଡିଏ ବେଣୀ ପାରିଦେଇଛନ୍ତି ପ୍ରୀୟାଂଶୁ , ମୁଁ ଶୋଇଯିବା ପରେ ...!!!!! ଭକ୍ କିନା ଲୁହ ମେଞ୍ଚାଏ ବାହାରିଗଲା ମୋ' ଆଖି ଭିତରୁ । ଆଇନାରେ ଦେଖୁଥିଲି ପଛପଟୁ ପ୍ରୀୟ ହସୁଛନ୍ତି ମୁରୁକି ମୁରୁକି ! ଚମକିଲି ଆଉରି ଯେବେ - ପଛପଟୁ ଭିଡ଼ିଧରି ପ୍ରୀୟ କହୁଥିଲେ - - ଆଇ ଲଭ୍ ୟୁ ସୌମ୍ୟା । ହାପି ଭାଲେଣ୍ଟାଇନ୍ ଡେ ।।।

 

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in