ମାଆ
ମାଆ
ମାଆ
ପିଲାଟିଏ ଯେତବେଳେ ଜନ୍ମ ହୁଏ ବାପା ମା' ଠୁ ଆରମ୍ଭକରି ବନ୍ଧୁ ବାନ୍ଧବ ସାହିପଡିଶା ସମସ୍ତେ ଖୁସି ହୋଇଥାନ୍ତି । କିନ୍ତୁ ମୋ ଜୀବନରେ ସେଭଳି କିଛି ଘଟିନଥିଲା ନା ଖୁସି ଥିଲେ ଘରଲୋକ ନା ଖୁସି ହେଉଥିଲେ ସାହିପଡିଶା । ସତେ ଯେପରି ଦୁଃଖ ଦରିଆ ଭିତରେ ମୋ ଜନ୍ମ ହେବା ଖୁସିଟା ଜଳ ବିନ୍ଦୁଟେ ପରି ମିଳେଇ ଯାଇଥିଲା । ତଥାପି ଏହି ଦୁଃଖ ଦରିଆ ଭିତରେ କାଣିଚାଏ ଖୁସିର ଆସର ନେଇ ଯିଏ ଆସିଥିଲା ସେ ହେଉଛି ମୋ ମା' । ମୋ ପାଇଁ ବହୁତ କଷ୍ଟ ସହିବାକୁ ପଡୁଥିଲା ମୋ ମା' କୁ, ସତେ ଯେପରି ଦୁନିଆର ସବୁଠୁ ବଡ ଭୁଲ କରିଛି ସେ ମତେ ଜନ୍ମ ଦେଇ । ଏମିତିକି ନା ମତେ ବାପା ଭଲ ପାଉଥିଲେ ନା ଘରଲୋକେ । ଛୋଟ ପିଲାଟିକୁ ଘରେ ସମସ୍ତେ ଆଦର କରନ୍ତି କୋଳେଇ ନିଅନ୍ତି ଗେଲ ବି କରନ୍ତି, କିନ୍ତୁ ଘରେ ମା' ଛଡା ମତେ କୋଳେଇ ନେବା ପାଇଁ କାହା ହାତ ବି ଯାଉନଥିଲା । ମରୁଭୂମିରେ ଜଳ ଖୋଜିଲା ପରି ଟିକିଏ ସ୍ନେହ ମମତା ଖୋଜି ଖୋଜି ଚାଲିଯାଏ ଚାରିବର୍ଷ । ଏହି ସମୟରେ ଜନ୍ମନିଏ ମୋର ଗୋଟେ ଛୋଟ ଭାଇ ଯେପରି ଆକାଶର କଳା ମେଘଟାକୁ ଆଜି ହଟେଇ ପୂର୍ଣ୍ଣିମାର ଚାନ୍ଦ ଆସିଯାଇଛି ଆମ ଘର ଆକାଶରେ । ଯାହାହେଉ ସେଦିନ କିନ୍ତୁ ମୋ ମା' ଜୀବନରୁ ହଟି ଯାଇଥିଲା ଅମାବାସ୍ୟାର କଳା ଅନ୍ଧାର, ଘରେ ସେଦିନ ମା' କୁ କେହି ଟିକିଏ ଗାଳି ବି କରୁନଥିଲେ । ଘରେ ସମସ୍ତ ଲୋକଙ୍କ ନଜର ଆଢୁଆଳରେ ରହିଯାଉଥିଲି ମୁଁ ଯେପରି ଘରେ ମୁ ନାହିଁ କି ମୋର କୌଣସି ଆବଶ୍ୟକତା ନାହିଁ । କିଛି ଦିନ ପରେ ଆମ ଭାଇ ଭଉଣୀ ଦୁଇ ଜଣଙ୍କର ପାଠ ପଢା ଆରମ୍ଭହେଲା ମୋ ଭାଇ ପଢିଲା ଗାଁ ଠୁ ଅନତି ଦୂର କେଉଁ ଗୋଟେ ବଡ ସହରର ଏକ ଇଂଲିଶ ମିଡିୟମ ସ୍କୁଲ୍ ରେ ଆଉ ମତେ ପଢାଗଲା ସେଇ ଆମର ଗାଁ ସ୍କୁଲ୍ ରେ । ମୁଁ ଭଲ ପାଠ ପଢୁଥାଏ ବୋଲି ଆମ ସ୍କୁଲ୍ ସାର୍ ଘରେ ଆସି କହିଲେ ମଧ୍ୟ ବାପାଙ୍କ ମନରେ ଟିକିଏ ଖୁସିନଥାଏ ମୋ ପାଠ ପଢିବାକୁ ନେଇ । .......କିଛି ଦିନ ପରେ ଦଶମ ପରୀକ୍ଷା ପଢିବାକୁ ମତେ ଟାଇମ୍ ବି ଟିକେ ଘରେ ଦେଉନଥାନ୍ତି । ଜେଜେ ମା' ସବୁବେଳେ କହୁଥାନ୍ତି ତୁ ତ ଟୋକି ଟା, ପଢି କି କଣ କରିବୁ, ଯାଇ ଯାଇ ସେଇ ଚୁଲି ମୁଣ୍ଡକୁ ଯିବୁ, ଯା' କାମ ଦାମ ଟିକେ ଶିଖ, ଶାଶୁଘରେ କାମ ଦେବ । ତଥାପି ମା' ସମସ୍ତଙ୍କ ନଜର ଆଢୁଆଳରେ ପଢିବାକୁ ମତେ ପଠାଇଦିଏ । ଶେଷରେ ମୋର ଦଶମ ପରୀକ୍ଷା ହେଲା ଆଉ ମୁଁ ଭଲ ମାର୍କ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ବି ହେଲି । ଆଉ ତାର କିଛି ଦିନପରେ ମୋ ଭାଇ ଅଳ୍ପ କିଛି ମାର୍କ ରଖି ପାସ୍ କଲା ଆଉ ଗୋଟେ ଭଲ କଲେଜ୍ ରେ ପଢିଲା । କିନ୍ତୁ ମୋ ଦଶମ ପରୀକ୍ଷା ପରେ ମତେ ଆଉ କଲେଜରେ ପଢିବାକୁ ଦିଆଯାଉନଥିଲା ତଥାପି ମା' ର ବାପାଙ୍କୁ ବହୁତ ବୁଝାଇବାପରେ ମୁଁ କଲେଜରେ ପଢିଲି । ଯାହାହେଉ ସେଦିନ ମା' ର ବାପାଙ୍କୁ ସେଇ ନେହୁରା ପାଇଁ ମୁଁ ଆଜି ଗୋଟେ ଭଲ ଜାଗାରେ ଚାକିରି କରିଛି । ହେଲେ ମୋ ଭାଇ ଏବେ ପାଠଶାଠ ପଢି ବି ମଦ ଗଞ୍ଜେଇ ଖାଇ ରାସ୍ତା ଘାଟରେ ଗଡୁଛି ଆଉ ଘରଲୋକଙ୍କୁ ବହୁତ ହଇରାଣ କରୁଛି । ଆଜି ଘରେ ସମସ୍ତେ ବଦଳିଯାଇଛନ୍ତି ଓ ବାପା ତାଙ୍କ ଭୁଲ ବୁଝିପାରିଛନ୍ତି ଏମିତିକି ଦିନେ ଯେଉଁ ଜେଜେ ମା' ମତେ କାମ କରିବାକୁ ବାଧ୍ୟ କରୁଥିଲା ସେ ବି ଆଜି ମତେ ଟିକେ ବି କାମ କରିବାକୁ ଦେଉନି । ପିଲାଦିନର ହରେଇଥିବା ସବୁ ସୁଖ ଆଜି ପାଇଛି ସିନା ହେଲେ ତୁ ମୋ ପାଖରେ ନାହୁଁ ମା' । ତୋର ସେଦିନର ସେଇ ସ୍ନେହ ଭଲପାଇବା ଆଉ ମୋ ଲାଗି ସହିଥିବା ଘରଲୋକଙ୍କଠୁ ପ୍ରତ୍ୟେକଟି କଷ୍ଟ ପାଇଁ ମୁଁ ଆଜି ଏଠି ପହଞ୍ଚିଛି । ଯେତେବେଳେ ମୁଁ ସବୁକିଛି ପାଇଛି ମୋ ହାତ ପାହାନ୍ତାରେ ସେତେବେଳେ ତୁ ନାହୁଁ ମୋ ପାଖରେ । ଝଡ ତୋଫାନର ରାତିସିନା ମୋ ଜୀବନରୁ ଚାଲିଯାଇଛି ହେଲେ ସେ ଝଡ ତୋଫାନ ନେଇଯାଇଛି ମୋ ଅତି ଆପଣାର ମା' କୁ କାହିଁ କେତେ ଦୁରକୁ । ସତରେ ମା' ମୁଁ ତତେ ବହୁତ୍ ମିସ୍ କରୁଛି । ଯଦି ଆଉଗୋଟେ ଜନ୍ମ ଦିଅନ୍ତେ ଭଗବାନ ତେବେ ମା' ମୁଁ ପୁଣିଥରେ ତୋରି କୋଳରେ ଜନ୍ମ ନେବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ।
ଦିବ୍ୟଜ୍ୟୋତି ମହାନ୍ତି