Bijaya Kumarr Senapati

Others


3  

Bijaya Kumarr Senapati

Others


ସୁପାରୀ

ସୁପାରୀ

4 mins 428 4 mins 428

ସୁପାରି .......

ସ୍ବାର୍ଥପରତା କଣ ମଣିଷ ଆଜନ୍ମରୁ ପାଇଥାଏ ନାଁ ଏହା ଏକ ଜିନ୍ ବା ଗୁଣସୂତ୍ର ର ଦୋଷ? କିଏ କିଏ ବି କହନ୍ତି ଏହା ବ୍ୟବହାରିକ ତାରତମ୍ୟ ଓ ମଣିଷ ତାର ପାରିପାର୍ଶ୍ବିକ ପରିସ୍ଥିତି ବା ସାମାଜିକ ଚଳଣିରୁ ଶିଖିଥାଏ। ବେଳେବେଳେ ପିଲାଟିକୁ ବାଲ୍ୟାବସ୍ଥାରେ ଆମେ ତାର ମା କିମ୍ବା ବାପାଙ୍କୁ ନିଜର ବୋଲି ଦାବିକରିବା ସାଙ୍ଗେସାଙ୍ଗେ ସେ ତୁରନ୍ତ ଜାବୁଡିଧରି ମୋ ବାପା କି ମାଆ କହିଉଠିବା, ସ୍ବାର୍ଥପରତା ର ସ୍ଫୁଲିଙ୍ଗ ଟିଏ ନୁହେଁତ ? ହଁ , ଏମିତି ବି କୁହାଯାଇପାରେ ମଣିଷ ଜାତିଟା ହିଁ ତ ଊଣାଅଧିକେ ସ୍ବାର୍ଥପର। କିନ୍ତୁ ଯେତେବେଳେ ତାହା ସୀମା ଲଂଘିଥାଏ ତାହା ସମାଜରେ ଘୃଣିତ ହୋଇଥାଏ।

ସରୋଜ ବାବୁ ଜଣେ ଭଲ ସ୍କଲାର୍। ଅଧ୍ୟାପକ ହିସାବରେ ବିଶ୍ବବିଦ୍ୟାଳୟରେ ତାଙ୍କର ଢେର୍ ସୁନାମ। ମେଳାପୀ, ଭଦ୍ର,ନମ୍ର ଓ ସହନଶୀଳ। ଅବଶ୍ୟ ବେଳେବେଳେ କିଛି ନିନ୍ଦୁକ ତାଙ୍କୁ ମାଇପଗୋଲା କହିବାର ଶୁଣାଯାଇଥାଏ। ସେ କେବେକେବେ ପାର୍ଟି / ପିକନିକ୍ ରେ ଶ୍ରୀମତୀଙ୍କ ସହ ଆସିଥିଲେ , ଦେଖିବାଲୋକେ ତାଙ୍କୁଛାଡି ଘେରିଥାନ୍ତି, ଶ୍ରୀମତୀଙ୍କ ଚତୁର୍ପାଶ୍ବରେ। ମଡର୍ଣ ଖାଲିନୁହଁ, ଅଲଟ୍ରା ମଡର୍ଣ।

ନିକିତା ଦେବୀ ବି ଓଠ ଚାପିଚାପି କଥାହୁଅନ୍ତି ଷୋଡଶୀ ତରୁଣୀ ଟିଏ ପରି। ନିଜ ରୂପ ଯୌବନ ସମ୍ଭାର ପାଇଁ ସେ ନିଜକୁ ଗର୍ବିତ ବୋଲି ପ୍ରକାଶ୍ୟରେ ଘୋଷଣା କରିଥାନ୍ତି। ସେଥିପାଇଁ ବିବାହର ପାଞ୍ଚ ଛଅ ବର୍ଷ ପରେବି ପିଲା ପିଲି ନହେବାର ନିନ୍ଦାବି ତାଙ୍କ ଆଡକୁ ଗଡି ଯାଇଥାଏ। ସେ କିନ୍ତୁ ଫୁଟକି ମାରି ଏଡାଇ ଯାଇଥାନ୍ତି ସେ କଥାକୁ।

ଘରେ ପହଞ୍ଚିଲେ ତାଙ୍କର ରାଗ ଚରମସୀମାରେ ପହଞ୍ଚିଯାଏ ଶାଶୁ ବୁଢୀକୁ ଦେଖୁଦେଖୁ। ଗତସନ ବୁଢାଟା ଠକ୍ ପୁଣି ପଡିଲା ଆଉ ମଲା ଯେ ଦିକାନ ପୁଅ ଜାଣିଲେନି। ତା ପରଠୁଁ ସ୍ବାମୀବତ୍ସଳା ବୁଢୀ ଏକଅଙ୍ଗି ହୋଇ ପଡିଛି। ସରୋଜ ବାବୁ ଧାଇଟିଏ ରଖିବା ସଙ୍ଗେସଙ୍ଗେ ପ୍ରତିଦିନ ନିଜେବି ପାରୁ ପ୍ରମାଣେ ସେବା କରନ୍ତି। କିନ୍ତୁ ନିକିତାଦେବୀ ନିଜେତ କିଛି କରନ୍ତିନି ବରଂ ଯୁକ୍ତି ବାଢନ୍ତି,ଅକର୍ମଣ୍ୟ ମଣିଷ ର ବଞ୍ଚିବାର ଅଧିକାର ଉଚିତ ନୁହେଁ। ତାଙ୍କର ବି ଯଦି ଏ ପରିସ୍ଥିତି ଆସେ, ସେ ନିଜେ ସୁଇସାଇଡ୍ କରିବାକୁ କେବେ ବି ପଛେଇବେନି। ବିଛଣା ରେ ଝାଡା ପରିସ୍ରା କରି ଗୋଳେଇ ଘାଣ୍ଟି ହେବା ଅପେକ୍ଷା ମରିଯିବା ଶ୍ରେୟସ୍କର।

ଦିନେ ଖରାବେଳେ ସରୋଜ ବାବୁ ଘରକୁ ଫେରିଆସିଲେ, ହଠାତ୍ କ୍ଲାସ୍ ବାତିଲ୍ ହୋଇଯିବାରୁ। ଘର ଆଗରେ ଏକ ବୁଲେଟ୍ ମଟର ସାଇକେଲ୍ ଦେଖି ସେ ଚମକି ପଡିଲେ। ଏ ଗାଡିତ କେହି ସମ୍ପର୍କୀୟଙ୍କର ହୋଇଥିବାପରି ଜଣାପଡୁନି!

ତାଙ୍କ ପାଦଦୁଇଟି କେଜାଣି କାହିଁକି ନିଜର ଗତି କମାଇଦେଇ ଚାଲିଗଲା ବୈଠକଖାନାର ଝରକା ନିକଟକୁ।

ହେଲୋ! ନିକିତା,ଏତେଦିନ ପରେ କେମିତି ମନେପଡିଲା ?

.....ଆରେ, ତୁ ତ ଜାଣୁ,ମୁଁ ବଡ ମତଲବି।

ହଁ,କାମ କଣ କହ?

..... ବେଶୀ ବଡ ନୁହଁ। ଗୋଟେ ଦରମଲା କୁକୁଡାର ତଣ୍ଟି ମୋଡିବାକୁ ହେବ।

ସିଏତ ଆପେ ମରିଯିବ। ମାରିବା କଣ ଲୋଡା?

...ମୋର ଶାନ୍ତିରେ ରହିବା ପାଇଁ,ତାର ମରିବା ଦରକାର।

ମାନେ?ଖୋଲିକି କହ?

.....ମୋ ବୁଢୀ ଶାଶୁଟା ମ ।

ଧେତ୍ । ଏଇ ଛୋଟିଆ କଥା।

....ହଁ ।

ପାରିଶ୍ରମିକ ମିଳିବ ତ?

....କାହିଁକି ନୁହେଁ।

ଆରେ ନିକିତା,ତମର ମନେଅଛି ?କଲେଜ୍ ଇଲେକସନ୍ ଆଗରୁ ସେ ଛୋଟା ପ୍ରେସିଡେଣ୍ଟ୍ ପ୍ରାର୍ଥୀକୁ କିପରି ଯୋବ୍ରା ଆନିକଟ ଉପରେ କାମ ଫତେ କରିଦେଇଥିଲି? ସେହିପରି

ଚଳିବ ତ ?

......ଚଳିବ। କିନ୍ତୁ ତା ରାମଚଂଦ୍ର ପୁଅର ଯେପରି ସଂଦେହ ନହୁଏ।

ଜଣେ ସ୍ତ୍ରୀଲୋକ ଓ ଜଣେ ପୁରୁଷ ଲୋକର ମିଳିତ ହସରେ ଫାଟି ପଡୁଥିଲା , ଡ୍ରଇଂରୁମ୍। ପୁରୁଷ ଲୋକଟି ବାଏ ବାଏ କରି ଫେରିଯିବାର ଉପକ୍ରମ କରୁକରୁ ଅଟକି ଗଲା।

ଆରେ,ନିକିତା! ତୁମ ଛାତିରେ ଲମ୍ବିଥିବା ସୁନାହାରଟି ବହୁତ ଭଲ ହୋଇଛି ତ!

......ଯା! ନିକମା ! କିଛି କାମ ତ ଆଗେ କର। ତାପରେ .....

xxxxxxxx xxxxxx xxxxxxx xxxxxxxx xxxxx

ସେଦିନରୁ ସରୋଜବାବୁଂକ ଆଖିରୁ ନିଦ ହଜିଯାଇଥିଲା। ମୁଣ୍ଡରେ କିଛି କଥା ପଶୁନଥିଲା। ସେ ଭାବୁଥିଲେ ଏତେଦିନ ଧରି ଗୋଟିଏ ଘରେ,ଗୋଟିଏ ବିଛଣାରେ ଶୋଇଆସୁଥିବା ଗୋଟେ ଇଛାଧାରୀ ନାଗୁଣୀ କିପରି ଦଂଶିନି ତାଂକୁ?

ସେ ନିକିତାଂକୁ ଶୋଇବା ବେଳେ ପଚାରିଲେ,

ମାଆ ବୁଢୀ ତୁମର ଶାନ୍ତିଭଂଗ କରୁଛି ନାଁ ?

----- ମୁଁ କଣ ଖାଲି ମୋ କଥା ଭାବୁଛି ? ତୁମେବି ତ କଷ୍ଟ ପାଉଛ।

କଣ କରିବା? ତାଂକୁ ବୃଦ୍ଧାଶ୍ରମ କୁ ପଠାଇଦେବା ?

----- ଲୋକେ ବୋଲିବେ କଣ? ସମାଜରେ ମୁଣ୍ଡଟେକି ବାଟ ଚାଲିପାରିବ ତ?

ତାହେଲେ ?

------ବୟସ ତ ହେଲାଣି।ଅକର୍ମଣ୍ୟ ବି। ଶାନ୍ତି ପାଇଯାନ୍ତୁ।

ହେଲେ କିପରି ?

.......ସୁପାରି ।

ମୋର ଜଣେ ଚିହ୍ନାଲୋକ ଅଛି। କେହି ଜାଣିବେନି। କାମଫତେ ହୋଇଯିବ।

xxxxxx xxxxxxxx

ହଁ, ଠିକ୍ ଠାକ୍ ହୋଇଗଲା।

କିନ୍ତୁ ସରୋଜବାବୁ କହିଲେ,ଗୋଟେ ସର୍ତ୍ତ।ମୁଁ କିନ୍ତୁ ସେ ଲୋକ ସାଥିରେ ଯିବି। ମୋ ମାଆ,ଯିଏ ମୋତେ ଜନ୍ମ ଦେଇଛି, ପାଳିପୋଷି ଏତେବଡ କରିଛି,ତାର ଶେଷବେଳରେ ତା ମୁହଁରେ ମୁଁ ପାଣି ଦିଟୋପା ନଦେବି କିପରି?

....... ହେଲା ବାବା,ହେଲା। ତମେ ଯଦି ସମ୍ଭାଳିପାରିବ,ଯାଅ।କିନ୍ତୁ କିଛି ଗଡବଡ କରିବାକୁ ଚେଷ୍ଟାକରିବନି। ସେ ଖୁନ୍ ଖାର ଟୋକା ଦରକାର ହେଲେ ତୁମକୁବି ଛାଡିବନି।

ତା ପରଦିନ ଠିକ୍ ସଂଜ ଅଂଧାରରେ ଗୋଟେ ବୁଲେଟ୍ ମଟରସାଇକେଲ୍ ଆସି ଅଟକିଲା,ଘର ଗେଟ୍ ସମ୍ମୁଖରେ। ତା ପଛେପଛେ ଏକ ଅଟୋରିକ୍ସା। ସରୋଜ ବାବୁଂକ ଛାତିର ସ୍ପଂଦନ ହଠାତ୍ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା। ସେ ଛୋଟ ପିଲାଟେପରି ଭୟରେ ଥରିଥରି ଅଟୋର ଆଗ ସିଟ୍ ରେ

ବସିପଡିଲେ,ଡ୍ରାଇଭରକୁ ଏକପ୍ରକାର କୁଣ୍ଢେଇଧରି।

ଛାୟାମୂର୍ତ୍ତିଟି ଶୂନ୍ୟେ ଶୂନ୍ୟେ ଟେକିନେଇଗଲା ଛଅଖଣ୍ଡି ହାଡ ସର୍ବସ୍ବ ସେ ଦରମଲା ବୁଢୀକୁ,ଏକ ଏୈତିହାସିକ ଯାତ୍ରା ର ଶେଷଦୃଶ୍ୟ ପରି। ବୁଢୀ ଖାଲି ଗାଉଁଗାଉଁ ହୋଇ କଣ କହିବାକୁ ଚାହୁଁଥାଏ,ବୋଧେ ତା ପୁଅ ଉଦ୍ଦେଶ୍ୟରେ। ହାଣକୁ ଯିବା ଆଗରୁ ନିରୀହ ଛେଳିଟିର ମେଁମେଁ ଡାକର କିଛି ମାନେ ଥାଏ କି?

ଘଣ୍ଟାଏ ବ୍ୟବଧାନ ରେ ପୁଣି ସେଇ ବୁଲେଟ୍ ର ଶବ୍ଦ। ଅସ୍ଥିର ହୋଇ ଉଠିଲେ ସରୋଜ ବାବୁ। ଖାଲି ଏତିକି ସେ ଶୁଣିଲେ କି " ଜୋବ୍ରା ଆନିକଟରେ ପ୍ରବଳ ସୁଅ ପଡିଛି। ମାତ୍ର ଦୁଇମିନିଟ୍ ର କାମ।"

ମଣିଷ ଆଉ ମୁର୍ଦ୍ଦାର ଭିତରେ ଫରକ୍ କଣ? ସୁତା ଖିଅ ପରି ପବନ ଟିକିଏ ନାଁ? ବୃଦ୍ଧ ବୃଦ୍ଧା ଯୁବକ ଯୁବତୀ ପୁଅ ଝିଅ ସ୍ତ୍ରୀ ପୁରୁଷ ଧନୀ ଗରିବ ସମସ୍ତ ଙ୍କ ପାଇଁ ପ୍ରଯୁଜ୍ୟ ଏହି ସୁତ୍ର ଟି।

ଅଟୋଟି ଗନ୍ତବ୍ୟ ସ୍ଥଳ,ଯୋବ୍ରା ଆନିକଟର ଅନତିଦୂରରେ ସେମାନଂକୁ ଛାଡିଦେଇ,ମୋଟା ଅଂକର ଭଡା ନେଇ,ମିଶିଗଲା ସଂଜ ଅଂଧାରରେ।

ସରୋଜ ବାବୁ ଏକ ଗାମୁଛା ପୁଡିଆ ବାହାରକରି, ବୋଉର ମୁଣ୍ଡରେ ଛୁଆଁଇ ଦେଇ କହିଲେ, ବୋଉ ଲୋ ! ତୁ ତ ଯିବୁ। ତୋ ସୁନାଗହଣାର ପୁଡିଆକୁ ରଖି ମୁଁ କରିବି କଣ? ସିଏ ବି ଯାଉ ତୋ ସାଥିରେ ! ତୁ ରହିଲେ ନାଁ ଇଏ ରହିବ?

ହଠାତ୍ କିଏ ଯେମିତି ତାଙ୍କ ହାତରୁ ଝାମ୍ପିନେଲା , ସେ ଗାମୁଛା ପୁଡିଆ ଟିକୁ। ସରୋଜ ବାବୁ ନିରିଖେଇ ଦେଖିଲେ,ସେ ଚଣ୍ଡାଳ ଟୋକାଟା ବେଦମ୍ ହସିଚାଲିଛି।

x x x

ମଧ୍ୟରାତ୍ରୀରେ ଘରବୋଲି କୁହାଯାଉଥିବା ଇଟା କାନ୍ଥର ପାଚେରୀ କୁ ଫେରିଲେ,ସରୋଜବାବୁ। ମାନସିକ ଭାରସାମ୍ୟ ହରାଇ ଦେଇଥିବା ପରି ବୋଧ ହେଉଥିଲା, ତାଂକ ଚାଲିଚଳଣରୁ।

ସରୋଜବାବୁ ଚମକି ପଡିଲେ ନିକିତା ଦେବୀଂକୁ ଚାହିଁ। ଆରେ! ତୁମ ଛାତିରେ ଝୁଲୁଥିବା ସୁନାହାର ଟି କାହିଁ?

ନିକିତା ଦେବୀଂକ ପାଖରୁ ଅବା କି ଉତ୍ତର ଆଶା କରୁଥିଲେ ସେ!

ହଠାତ୍ ତାଙ୍କ ପାଟିରୁ ବାହାରିପଡିଲା, ଚିଟର୍ !

x x x

ସେଦିନରୁ ସରୋଜବାବୁଂକୁ ଆଉ କଲେଜ୍ ଯିବାର କେହି ଦେଖିନାହାନ୍ତି। କିଏ କିଏ କହନ୍ତି , ସେ କୁଆଡେ ପାଗଳ ହୋଇ ଯାଇଛନ୍ତି। ବକ୍ସି ବଜାର ସ୍ଥିତ ଜରାନିବାସ ରେ ଯାଇ ତାଂକ ମାଆ ପରି ଦିଶୁଥିବା ଜଣେ ବୃଦ୍ଧା ମହିଳାଂକ ସେବା ସୁଶୃତ୍ସା କରୁଛନ୍ତି। ଆଉ ପାଗଳଙ୍କ ପରି କହୁଛନ୍ତି, ରେ ନଷ୍ଟ ଭ୍ରଷ୍ଟ ସମାଜ! ଆସ ! ମୋ ପାଖକୁ ଆସ! ଦେଖିଯାଅ,ମାଆ ବୁଢୀ ହୋଇଗଲାପରେ ବି,ତା ପୁଅର କି ସମ୍ପର୍କ, ତା ସହିତ ।

@ବିଜୟ କୁମାର ସେନାପତି,ପୀରହାଟ,ଭଦ୍ରକ

୮୮୯୫୫୦୦୯୯୨

..


Rate this content
Originality
Flow
Language
Cover Design