Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚାଲି ଗଲୁ କି ରେ ଧନ
ଚାଲି ଗଲୁ କି ରେ ଧନ
★★★★★

© Narayan chandra Senapati

Tragedy

4 Minutes   419    15


Content Ranking

🎪 *ଚାଲିଗଲୁ କି ରେ ଧନ ?*🎪

ମରିସସର ଏକ ନିଘଞ୍ଚ ଜଙ୍ଗଲ।ସମୀରଣର କଅଁଳ ଛୁଆଁ ସାଙ୍ଗକୁ ପୁଅଝିଅ ନାତିନାତୁଣୀଙ୍କ ଅଭିମାନୀ ଆଉଜା ବୃକ୍ଷଲତାଙ୍କୁ ଆନନ୍ଦ ବିଭୋର କରିଦେଇଛି।ହେଲେ ସେଇ ଭିତରେ କାଲଭେରିଆଟା ବାହୁନି ବାହୁନି କାନ୍ଦୁଛି। ନାଁ ଅଛି ତା ପାଖରେ ପୁଅ ଝିଅ, ନାଁ ଅଛି ନାତି ନାତୁଣୀଙ୍କ ଅଳି ଅଝଟ।ନିଃସନ୍ତାନ ଅଭିଶପ୍ତ ଶୁଷ୍କ ଜୀବନ ଅତିବାହିତ କରୁଛି ସେ ଆଖିର ଲୁହକୁ ସାକ୍ଷୀ ରଖି।ପ୍ରାଣ ତା କାନ୍ଦୁଛି ଡୋଡୋ ପାଇଁ।କି ମଧୁର ଛୁଆଁ ପାଇ ନଥିଲାସେ ଡୋଡୋ ଠାରୁ!ଡୋଡୋ ମାନେ ଉଡି ଉଡି ଆସନ୍ତି,ତା ଉପରେ ବସନ୍ତି,କେତେ ସୁନ୍ଦର ଗୀତ ଗାଆନ୍ତି, ବେଳେ ବେଳେ ତା କୋଳରେ ଆଉଜି ବି ଯାଆନ୍ତି।ସେମାନେ ଯେତେବେଳେ କିଚିରି ମିଚିରି ଶବ୍ଦ କରନ୍ତି,ସେ ଜାଗା ଚହଲି ଉଠେ,ତାଙ୍କର ଗରମ ନିଃଶ୍ଵାସରେ ତା ଦେହରେ ଶିହରଣ ଖେଳି ଯାଏ। କି ଅନୁପମ ଥିଲା ତାଙ୍କ ସ୍ପର୍ଶ ! ବାତ୍ସଲ୍ୟ ମମତାରେ ଫାଟି ଉଠୁଥିଲା ସେ।କେମିତି ଦିନ ଗୁଡାକ ଚାଲି ଯାଉଥିଲା, ସେ ଜାଣିପାରୁ ନ ଥିଲା। ଦୀର୍ଘ ତିନିଶହ ବର୍ଷ ହେଲାଣି ସେ ଛୁଆଙ୍କ ମୁହଁ ଆଉ ଦେଖିନି।ନିଃସଙ୍ଗତାର ଯନ୍ତ୍ରଣାରେ ଛଟପଟ ହୋଇ ମରି ମରି ବଞ୍ଚି ରହିଛି ସେଇମାନଙ୍କୁ...... ଚାହିଁ, କେବେ ଦେଖିବ ତାଙ୍କୁ ଆଖି ପୁରେଇ....,କେବେ ଦେଖିବ ତାଙ୍କ କୁନି ଓଠର ଗୁଲୁରୁ ଗୁଲୁରୁ ହସ....।

ପାଖରେ ବୁଢା ପାହାଡ଼ଟା କ୍ଲାନ୍ତରେ ବିଶ୍ରାମ ନେଉଛି।ପାଖରେ ଛିଡା ହୋଇ ଥଣ୍ଟ ଘଷୁଛି ସୁନ୍ଦରୀ ମୟୁରଟା।ପବନରେ ନାଚି ଉଠୁଛି ତା ଚିକ୍କଣ ରଙ୍ଗୀନ ଆକର୍ଷଣୀୟ ପୁଚ୍ଛ।

ଦୁଃଖମିଶା ଗଳାରେ କାଲଭେରିଆ କହିଲା,ପାହାଡ଼ ଭାଇ,ମୋ ଡୋଡୋ କୁ ଦେଖିଛ କି?

ମୁଁ ତ ଅଚଳ ହୋଇ ବସିଛି ଅଥର୍ବ ପରି,ମୁଁ କେମିତି ଦେଖିବି ଯେ?ପାହାଡ ଉତ୍ତର ଦେଲା...।

ତା ପରେ କେତେ ଆଶା ନେଇ ମୟୂରୀକୁ ପଚାରିଲା...ଏ, ଭଉଣୀ, ମୋ ଡୋଡୋ କୁ ଦେଖିଥିଲ କି?

ନା ତ,ଅନେକ ଦିନ ହେବ ତାକୁ ମୁଁ ଖୋଜୁଛି,ହେଲେ ତାକୁ ମୁଁ ପାଉନାହିଁ।

କାଲଭେରିଆ ଭାବିଲା ଏ ପବନ ତ ସବୁଆଡେ ବୁଲୁଛି,ସେ ନିଶ୍ଚୟ ତା ଡୋଡୋ କୁ ଦେଖିଥିବ।ଆକୁଳ ଓ ଆତୁର ହୋଇ ପଚାରିଲା, ପବନ ଭାଇ ମୋ ଡୋଡୋ ତୁମ ନଜରରେ ନାହିଁ ?

ପବନ କିଛି ନ କହି ଗୁମ୍ ମାରି ବସିଲା।କଣ ବା କହିବ ଯେ।ଏ ଡୋଡୋ ବିଷୟରେ କ'ଣ ବା ସେ ନ ଜାଣିଛି ? ତା ଆଖି ଆଗରେ ତା'ର ସବୁ କିଛି ଧୂଳିସାତ ହୋଇଗଲା।କେଡେ ସରଳ ନିରୀହ ଜୀବଟିଏ ସେ।ଦେଖିଲେ ଦୟା ଲାଗେ।କି ସୁନ୍ଦର ଚେହେରା ଥିଲା ତା'ର ! ଦେଖିଲେ ପେଟ ପୁରି ଯିବ, ଆଖି ଖୋସି ହୋଇଯିବ ପରା ! ପକ୍ଷୀଟିଏ ସିନା କିନ୍ତୁ ଉଡିପାରେନା।ଖାଲି ଖପ୍ ଖପ୍ ହୋଇ ତ କେତେବେଳେ ଢଳି ଢଳି ଚାଲୁଥାଏ।ଗୋଟେ ଗୋଟେ ଡୋଡୋ ପାଖାପାଖି ପଚିଶ କେଜିରୁ ବେଶୀ ହେବେ।

ପବନ ଦେଖୁଥାଏ କାଲଭେରିଆ ର ବିକଳ।ବିଚରା ଭାବୁଛି, କାଇଁ ଡୋଡୋକୁ ତ କେବେ ବି ମୁଁ ରାଗି ନାହିଁ।ମୋତେ ଛାଡ଼ି କେମିତି ଚାଲିଗଲା ଯେ।ସେ ଥିଲା, ମୋତେ ସବୁ ଥିଲା ପରି ଲାଗୁଥିଲା।ଧୀର ଗଳାରେ କହିଲା, ପବନ ଭାଇ, କିଛି କହିଲ ନାହିଁ ଯେ।ମୋ ଡୋଡୋ କ'ଣ ମୋତେ ରାଗିଛି,ମୋ କଥା କ'ଣ କହୁଥିଲା କି ? ପିଲାଟାକୁ ଟିକେ ବୁଝେଇ ଦେଲ ନାହିଁ।ଭାରି ଅଝଟିଆଟା।

ଦୀର୍ଘଶ୍ଵାସ ଟେ ପକାଇଲା ପବନ।କେଉଁଠୁ ଆରମ୍ଭ କରିବ ସେ କାହାଣୀ ସେ ଭାଵି ପାରିଲା ନାହିଁ।କେମିତି ନ କହିବ ଯେ। ହଁ କହୁଛି ଶୁଣ କହି ଆରମ୍ଭ କଲା ସେ କରୁଣ କାହାଣୀ।ସେ ତ ଦିବ୍ୟଦ୍ରଷ୍ଟା, ଆଉ ଲୁଚେଇ ଲାଭ କଣ।।

ସେଦିନ ପର୍ତ୍ତୁଗୀଜ ସାହେବ ମାନେ ନଦୀ,ସମୁଦ୍ର ପାର ହୋଇ ଆସିଲେ ଏଠାକୁ।ଅତିଥି ମାନଙ୍କୁ ଦେଖି ଡୋଡୋ ମାନଙ୍କର ଖୁସି କହିଲେ ନ ସରେ?କ'ଣ ଗୁଣୁ ଗୁଣୁ କିଚିରି ମିଚିରି କରି ସ୍ୱାଗତ କରିବାକୁ ଗାଇଲେ ସ୍ୱାଗତ ସଂଗୀତ।ତାଙ୍କ ଚାରିପଟେ ଘୁରି କଲେ କେତେ ଯେ ନାନା ଵାୟା ନାଚ।ଖୁସି ରେ ଫାଟି ପଡୁଥିଲେ ସେମାନେ।ଲୋଭାତୁର ପର୍ତ୍ତୁଗୀଜ ମାନେ ଦଳ ବଳ ଧରି ଆସିଥିଲେ ସିନା ବଣିଜ ବେପାର କରିବା ଆଶାରେ ହେଲେ ସାଥିରେ ଆଣିଥିଲେ ସଉକରେ ରଖିଥିବା ବିଲେଇ ଓ କୁକୁର ଦଳକୁ।ଡୋଡୋ ମାନେ ଦେଖି ଡରୁଥିଲେ ସେମାନଙ୍କୁ।ସତରେ ସେ ବଦମାସ ଗୁଡାକ ଡୋଡୋଙ୍କର କି ସର୍ବନାଶ କଲେ... ଶୁଣିଲେ ତୁମେ ମୁଣ୍ଡରେ ହାତ ଦେବ।ଆଇସିଣିଆ ବିଲେଇ ଗୁଡାକ ଖାଇଦେଲେ ଡୋଡୋର ଅଣ୍ଡାଗୁଡିକୁ।ଆଉ ବଦମାସ କୁକୁର ଗୁଡାକ ମାରି ଖାଇଗଲେ ଡୋଡୋ ଚିଆଁ ଗୁଡାକୁ।ଧୀରେ ଧୀରେ ସଂଖ୍ୟା କମିବାକୁ ଲାଗିଲା।ଏତିକିରେ ଦୁଃଖ ସରିଲା ନାହିଁ।ମଦ୍ୟପ ସାହେବ ଗଣ ଖୋଜିଲେ ମଦ ସଂଗେ ମାଂସ।ଆମ ଦେଶୀୟ ତୋଷାମଦକାରୀ ଚୁଗୁଲିଆ ଦଳ ଦେଖାଇଲେ ଡୋଡୋର ସୁନ୍ଦର ଚେହେରା ତଳେ ଲୁଚିଥିବା ଛନ ଛନିଆ କଅଁଳିଆ ମାଂସକୁ।ଥରେ ଏ ମଧୁର ମାଂସ ପାଟିରେ ଲାଗିଲା ତ ଚାଲିଲା ଚାଖଣା।ଏସବୁ ଦେଖି ମୋ ହୃଦ ଫାଟି ଯାଉଥାଏ,ଆତ୍ମା କାନ୍ଦୁଥାଏ।ଧୀରେ ଧୀରେ ଡୋଡୋ ସଂଖ୍ୟା କମିଗଲା।ଯିଏ ରହିଲେ ପ୍ରାଣ ବିକଳେ ଲୁଚିଲେ ,ଉଡି ଜାଣି ନ ଥିବାରୁ ସହଜରେ ବି ଶୀକାର ହେଲେ।ଲୋପ ପାଇଗଲା ତାଙ୍କ ବଂଶ!

ଏତିକି ଶୁଣିବା ମାତ୍ରେ କାଲଭେରିଆଟା ରଡି ଛାଡି କାନ୍ଦିଲା।ପବନ ବୁଝାଇବାକୁ ବହୁତ ଚେଷ୍ଟା କଲା ହେଲେ ଧକେଇ ଧକେଇ ବାହୁନି କାନ୍ଦିଲା କାଲଭେରିଆ।କେମିତି କାନ୍ଦିବନି ଯେ।ଏ ଡୋଡୋ ପାଇଁ ପରା ତା ବଂଶ ବଢ଼ୁଥିଲା।ଲୁହ ପୋଛୁ ପୋଛୁ ପବନ କହିଲା, ଭାଇ ଏ ଡୋଡୋ ତୁମର ଏତେ ପ୍ରିୟ ଥିଲା !!! କେବଳ ପ୍ରିୟ ନ ଥିଲା ସେ ଥିଲା ଆମ ଜାତି ପାଇଁ ଜୀବନ।ଏଇ ଦେଖ, ଜଙ୍ଗଲରେ କେତେ ଗଛ ଲତା, କି ଆନନ୍ଦରେ ନାଚୁଛନ୍ତି,ନିଜ ପୁଅ ଝିଅ ନାତି ନାତୁଣୀକୁ ନେଇ କି ମଜା ଖୁସି କରିଛନ୍ତି।ଆଜି ଡୋଡୋ ନାହିଁ ବୋଲି ମୋ ସଂସାର ଭାସିଯାଇଛି।ମୁ ଆଜି ନିଃସ୍ବ,ନିଃସଙ୍ଗ,କେହି ମୋର ନାହିଁ।ଚିନ୍ତାର ଭଉଁରୀ ରେ ଘୁରୁଥିଲା ପବନ।ଭାବିଲା ଏ ଡୋଡୋ ସହ ୟା ବଂଶର କି ସମ୍ପର୍କ? କାଲଭେରିଆ କହିଲା ଭାଇ, ମୋ ଫଳ ଦେଖୁଛ.. ବହୁତ ଟାଣ । ତା ଚୋପା ଏତେ ଵହଳ ଯେ ଆପେ ଆପେ ତା ଭିତରୁ ବୀଜଟା ଫଟାଇ ଆସି ପାରେ ନାହିଁ।ସେ ଡୋଡୋଟା ଭାରି ଭଲ ପାଉଥିଲା ମୋ ଫଳକୁ।ଗିଳି ପକାଉଥିଲା ଗୋଟିକ ପରେ ଗୋଟେ।ମୁ ବି ଖୁସି ହେଉଥିଲି, କହୁଥିଲି,ଖାଉ ମୋ ଛୁଆଟା।ଗିଳି ସିନା ପକାଏ ତା ପେଟରେ ମୋ ଫଳ ରହି ନରମ ହୋଇଯାଏ।ହଜମ କରି ନ ପାରି ମଳରେ ବାହାରି ଯାଏ।ସେ ଫଳରୁ ଧୀରେ ଧୀରେ ଗଜା ବାହାରି ଗଛ ହୁଏ।ମୋ ବଂଶ ବଢିଯାଏ।ସେ ଯେଉଁଦିନରୁ ଗଲାଣି ସେଇ ଦିନଠୁ ମୁଁ ମୋ ପୁଅ ଝିଅ ମୁହଁ ଦେଖି ପାରିନାହିଁ।ମୋତେ ତିନିଶ ବର୍ଷ ହେଲାଣି।ମୋର ମୃତ୍ୟୁ ଆସିଲାଣି ପାଖେଇ ପାଖେଇ।

ଏତିକି କହୁ କହୁ ତା ଆଖିରୁ ଝରିପଡ଼ିଲା ସବୁକିଛି ହରାଇ ଥିବା ସର୍ବହରାର ଚିରସ୍ରୋତା ଅଶ୍ରୁ। ଆଉ ଡୋଡୋ ନ ଆସିବା ଶୁଣି ତା ହୃଦୟ ଫାଟିଯାଉଥିଲା।

ଚିତ୍କାର କରି କହିଲା,ରେ ହୀନ ମାନବ,ମାନବିକତା ବୋଲି ତୋର କ'ଣ କିଛି ନାହିଁ।ଦୁଇ ଦୁଇଟା ବଂଶକୁ ସମୂଳେ ଧ୍ବଂସ କରିଦେଲୁ।ରେ ସ୍ୱାର୍ଥପର ହୀନବୁଦ୍ଧି ବିଦେଶୀ,ନିଜ ଲାଳସା ପାଇଁ କ'ଣ ନ କଲୁ।କେବଳ ବଂଶ ଧ୍ବଂସ ନୁହଁ,ନିଜକୁ ଧ୍ୱସ୍ତ କରିବାକୁ ପଛେଇଲୁ ନାହିଁ,ନିଜ ଐତିହ୍ୟକୁ ବି ନଷ୍ଟ ଭ୍ରଷ୍ଟ କରିଦେଲୁ।ଜାଣିଛୁ ମୋ ଧ୍ୱସ୍ତରେ ହରେଇଲୁ ଅମ୍ଳଜାନ,କଲୁ ପରିବେଶ ଦୂଷିତ; କଲୁ ବର୍ଷା କ୍ଷୀଣ,ଜୀବଜଗତକୁ କଲୁ ରୁଗ୍ଣ; ମୃତ୍ତିକା କ୍ଷୟ କରି ନିଜ ସଭ୍ୟତାର କଲୁ ଅବକ୍ଷୟ।ଡୋ ଡୋ ବଂଶ ସିନା ନାଶ କଲୁ ହେଲେ ଗୋଟେ ପକ୍ଷୀ ଜାତି ଧ୍ବଂସ କରି ଜାତୀୟ ଇତିହାସ ଭୂଗୋଳ ପୃଷ୍ଠାରୁ ନିଶ୍ଚିହ୍ନ କଲୁ ତାର ନାମ ପୁଣି ମୋ ଜାତି ପ୍ରଜାତିର ନାମ।

ତୋତେ ଅଭିଶାପ ଦେଉଛିରେ ପାପିଷ୍ଟ. ତୁ କେବେ ବି ପ୍ରକୃତିରେ ଶାନ୍ତିରେ ରହି ପାରିବୁନି।ଏଇମିତି ଯୁଗ ପରେ ଯୁଗ ମତେ ତୁ ବି ମୋ ପରି ନିଃସଙ୍ଗ ହୋଇ ହା ସନ୍ତାନ ହା ସନ୍ତାନ କହି ଦୁର ଦିଗ୍ ବଳୟରେ ସୁର୍ଯ୍ୟ ଲୁଚିଲା ପରି ସବୁଦିନ ପାଇଁ ଲୁଚିଯିବୁ।

ଏସବୁ ଦେଖି ଦୁଃଖରେ ମ୍ରିୟମାଣ ଓ ଭାବବିହ୍ଵଳ ହେଲା ପବନ, ତା ଆଖିରୁ ଝରିଗଲା କେଇଟୋପା ଜଳକଣାଥିବା ଅଶ୍ରୁଧାର।ବାସ୍ତବରେ ଏ ସୃଷ୍ଟିର ସମ୍ପର୍କର ବନ୍ଧନଟାକୁ ପାଖରୁ ଅନୁଭବ କଲା ସେ।ଗୋଟିଏ ବିନା ଗୋଟିକ ଜୀବନ ଶ୍ମଶାନ- ଉପଲବ୍ଧି ହେଲା ତାର।

ବାର୍ଦ୍ଧକ୍ୟର ଝରକଫାଙ୍କରେ ବସି ନିଜର ଲୁହକୁ ନିଜେ ପୋଛୁଥିଲା କାଲଭେରିଆ।ଖାଲି ଏତିକି ଶୁଭୁଥିଲା ଆରେ ଡୋଡୋ.. ମୋତେ ଏ ଵୃଦ୍ଧକାଳରେ ଛାଡ଼ିଦେଇ ଏକା ଏକା ଶୁନ୍ୟକୁ ଚାଲି ଗଲୁରେ ଧନ।କିଏ ପୋଛିଦେଵ ମୋ ଆଖିର ଲୁହ?

🌻 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*🌻

ଡୋଡୋ କୁନି ଓଠ ବାତ୍ସଲ୍ୟ ମମତା

Rate the content


Originality
Flow
Language
Cover design

Comments

Post

Some text some message..