Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବଡ଼ଲୋକ
ବଡ଼ଲୋକ
★★★★★

© Lopamudra Mishra

Inspirational Tragedy

9 Minutes   7.0K    17


Content Ranking

ଲୋପାମୁଦ୍ରା ମିଶ୍ର

"ଏ ପିଲା ! ଏଠି କଣ କରୁଛୁ? ଉଠ ଉଠ.. ମୁଁ ଠାକୁର ପୂଜା କରିବାକୁ ଭିତରକୁ ଯିଵି l ଉଠ ପରା କହୁଛି l ଏ ହେ.. କଣ କରିଛୁ ଏଠି ବିସ୍କିଟଗୁଣ୍ଡ ଗୁଡାଏ ପକେଇ l ଏ ତୁ କାହା ଛୁଆ? ଏଠି କିଏ ଛାଡିଲା ତୋତେ? ଓଲ୍ହା ଏଠୁ l ମୋ ଠାକୁର ଚାନ୍ଦିନୀ ଅଇଁଠା କରି କି ଅପରିଷ୍କାର କରିସାରିଲାଣି ଏ ପିଲା ! ଛି ଛି.. କି ଅସନା ପିଲାଟା ! ଆରେ ଆରେ... ଏ କଣ ? ଛାଡ ମୋ କାନି.. ଛାଡ ଛାଡ... ଛି ମତେ ତୁ ଛୁଇଁଲୁ ? ରହ ଦଉଛି ଏବେ ତୋ କାନକୁ ମୋଡି ଦୁଇ ଚଟକଣୀ l" ଏହା କହି ମିସେସ ମହାପାତ୍ର ତାଙ୍କ ଫାଟକକୁ ଲାଗିଥିବା ନିଜର ସେହି ଛୋଟ ଠାକୁର ମନ୍ଦିରର ଚାନ୍ଦିନୀ ଉପରୁ ଅଜଣା ଶିଶୁଟିର ନହକା ନହକା ବାହୁ ଦୁଇଟିକୁ ଧରି ଟାଣି ଟାଣି ତଳକୁ ଓଲ୍ହେଇଦେଲେ l

ପିଲାଟି ସେହିଠାରେ ସେହିପରି ଠିଆ ହୋଇ ରାହା ଧରି କାନ୍ଦୁଥାଏ l ଶିଶୁଟିର ବୟସ ଅନୁମାନ ତିନିରୁ ଚାରି ବର୍ଷ ହେବ l ଦେହରେ ହଳେ ଛିଣ୍ଡା ମଇଳା ସାର୍ଟ ପ୍ୟାଣ୍ଟ l ମୁଣ୍ଡର ବାଳ ନୁଖୁରା l ନାକ ଆଖିରୁ ପାଣି ଗଡି ଏକାକାର ହୋଇଯାଉଛି l ହାତରେ ଧରିଛି ଗୋଟେ ପାଞ୍ଚଟଙ୍କିଆ ବିସ୍କିଟ ପ୍ୟାକେଟ l ପିଲାଟାର କାନ୍ଦ ଶୁଣି ସେହି ସଭ୍ୟ କଲୋନୀର ଆଉ ଦୁଇ ତିନୋଟି ଫାଟକ ଖୋଲିଗଲା l କିଛି ଭଦ୍ର ମହିଳା ବାହାରି ଆସି ମିସେସ ମହାପାତ୍ରଙ୍କ ଗେଟ ନିକଟରେ ମେଳି ହେଲେ l ସଭିଙ୍କ କୋମଳ କର୍ଣକୁ ପିଲାଟାରର କ୍ରନ୍ଦନର ରୋଳ ଖୁବ ଯନ୍ତ୍ରଣା ଦେଇଛି l

ସେଠି ଉପସ୍ଥିତ ମିସେସ ପଟ୍ଟନାୟକ କହିଲେ, "ଆରେ ଏ ପିଲା କାହାର l ଦେଖ କେମିତି ତଳୁ ବିସ୍କିଟ ଗୋଟେଇ ଖାଇଦେଉଛି l କେତେ ଜୀବାଣୁ ଲାଗିଥିବା l ଏହେ.. ଛି.. "l ତାଙ୍କ କଥା ଶୁଣି ମିସେସ ଦାଶ କହିଲେ, "ନାଇଁ ମ ଏମାନଙ୍କୁ କିଛି ହେବନି l ଆମ ପିଲାଙ୍କୁ ସିନା ଟିକେ ନଜଗିଲେ ଇନଫେକ୍ସନ ହେଇଯାଏ l ଏମାନଙ୍କୁ ଦେଖ, ଦିନ ରାତି ଧୂଳିରେ ଗଡି ବି କିଛି ନାହିଁ "l ସେହି ଭଦ୍ରମହିଳା ମାନଙ୍କ ମଧ୍ୟରୁ ସବୁଠୁ ବୟସ୍କା ମିସେସ ଦ୍ବିବେଦୀ ଯିଏ ଦୀର୍ଘ ପନ୍ଦର ବର୍ଷ ହେଲା ନିଜ ବୟସ ବୟାଳିଶି କହିଆସୁଛନ୍ତି, ସେ କହିଲେ, " ରୀନା (ମିସେସ ମହାପାତ୍ରଙ୍କ ଡାକ ନାମ )ସାବଧାନ l ଏମାନେ ସବୁ ଅତିଭୟଙ୍କର l କିଛି ଲୋକ ଏହି ପିଲାଙ୍କୁ ବ୍ୟବହାର କରି ବିଭିନ୍ନ ଅପରାଧ କରୁଛନ୍ତି l ସଙ୍ଗରେ ପିଲା ଥିଲେ କେହି ସନ୍ଦେହ କରିବେନାହିଁ l ଇଏ ଗୋଟେ ନୂଆ ତରିକା ଚୋରଙ୍କର l ଚୋରି ଡକାୟତି ଉଦେଶ୍ୟରେ କେହି ୟାକୁ ଏଠି ଛାଡ଼ି ଯାଇନି ତ ?"

ଯିଏ ଯାହା ଆପଣା ମନ୍ତବ୍ୟ ଅଳ୍ପରେ ଉପସ୍ଥାପନା କରି ପିଲାଟିକୁ ଗେଟ ବାହାରକୁ ବାହାର କରିଦେବାକୁ ମିସେସ ମହାପାତ୍ରଙ୍କୁ ଉପଦେଶ ଦେଇ ଚାଲିଗଲେ l

ମିସେସ ମହାପାତ୍ର ଭିତରକୁ ଯାଇ ଆଉ ଥରେ ଗାଧୋଇ ଶାଢ଼ୀ ବଦଳେଇ ଆସିଲେ l ପିଲାଟାକୁ ତାଙ୍କ ଗେଟ ବାହାରକୁ ଚାଲିଯିବାକୁ ନିର୍ଦେଶ ଦେଲେ l ସେ ପିଲା କିନ୍ତୁ ଟିପିଏ ବି ଘୁଞ୍ଚୁନାହିଁ l ତାଙ୍କ ହାଉସ ମେଡ ଆସିଲା ମନ୍ଦିର ଚାନ୍ଦିନୀଟାକୁ ଧୋଇ ସଫା କରିବା ପାଇଁ l ପିଲାଟାକୁ କାନ୍ଦୁଥିବାର ଦେଖି କହିଲା "ମାଆ, ଛୁଆଟାର ବାପ ମାଆ ସେପଟେ ଯୋଉ ନୂଆ ରାସ୍ତା ତିଆରି ହେଉଛି ସେଇଠି କାମ କରୁଛନ୍ତି l ଏହି ଛୁଆକୁ ତା ମାଆ ଆଣି ଏହି ଦଶ ପନ୍ଦର ମିନିଟ ହେଲା ଏଠି ଛାଡ଼ିଯାଇଛି l କହିଛି ଘଣ୍ଟାଏ ଭିତରେ ଆସି ନେଇଯିବ lପିଲାକୁ ଗେଟ ବାହାରକୁ ବିଦା କରନ୍ତୁନି ମାଆ l ବିଚରା ଛୋଟ ପିଲା ଟା l ରାସ୍ତାରେ କେତେ ଗାଡି ଘୋଡା, ପାଗଳ କୁକୁର l ଛୁଆଲୋକ ଯିବ କୁଆଡେ? ସେଠି ରାସ୍ତା କାମରେ ଭାରି ଧୂଳି ଧୂଆଁ ଆହୁରି ବି ମଟର ମେସିନ ଗୁଡା ଏବେ ଚାଲିଛି , ସେହି ସକାଶେ ୟାକୁ ଏଠି ଆଣି ତା ମାଆ ଛାଡିଲା l"

"କି କଥା !ମୋ ଘରଟା ଗୋଟେ ସରକାରୀ ବିଶ୍ରାମଗାର ନା କଣ ? କାହା ଛୁଆ ନାହିଁ କାହା ଛୁଆ ମୋ ଠାକୁର ଚାନ୍ଦିନୀ ଉପରେ ବସିବ ? ଆରେ..ଏମାନଙ୍କୁ ପୁଣି ଧୂଳି ଧୂଆଁର କି ଡର? ମାଟି ଧୂଳିରେ ତ ରୋଜ କାମ ୟାଙ୍କର l ଲତା ତୁ ତାକୁ ଶୀଘ୍ର ଏଠୁ ବାହାର କର l" ମିସେସ ମହାପାତ୍ରଙ୍କର କଡ଼ା ଆଦେଶ l

ଲତା ବୁଝେଇ କହିଲା " ମାଆ ଏବେ ତ ସାଢେ ଏଗାର ବାଜିଲାଣି l ଗୋଟେ ସୁଦ୍ଧା ଯଦି ୟା ମାଆ କି ବାପ କେହି ୟାକୁ ନବାକୁ ନଆସିବେ, ମୁଁ ନିଜେ ନେଇ ଛାଡ଼ି ଆସିବି l ଆଉ କେଇବା ଘଣ୍ଟା l ଥାଉ ସେ ଏଇଠି "l

ମିସେସ ମହାପାତ୍ର ପିଲାଟା ଆଡକୁ ଘୃଣାରେ ଦେଖି ନାକକୁ ଟେକି କହିଲେ, " ହଉ ହଉ.. ଏବେ ତାକୁ କହ ସେ କାନ୍ଦ ବନ୍ଦ କରିବ"l

ଟିକି ପିଲାଟି ଲତାର ସସ୍ନେହ ଆକଟରେ ଟିକେ ସମୟ ମୌନ ରହି ଗେଟ ପାଖକୁ ଲାଗିଯାଇ ଠିଆ ହେଲା l ଲତା ଗେଟଟା ଭିତର ପଟୁ ବନ୍ଦ କରିଦେଇ ଘର ଭିତରକୁ ଚାଲିଗଲା l ମିସେସ ମହାପାତ୍ର ମଧ୍ୟ ପୂଜା ସାରି ପିଲାଟାକୁ ବିରକ୍ତିରେ ଆଉ ଟିକେ ଚାହିଁଦେଇ ଭିତରକୁ ପଳେଇଲେ l

ଫାଟକର ଗ୍ରିଲ ମଧ୍ୟଦେଇ ବାହାରକୁ ଏକଧ୍ୟାନରେ ଚାହିଁରହି ପିଲାଟିର ଦୁଇଆଖି ବୋଧେ ତା ମାଆକୁ ଖୋଜୁଥିଲା l ସେ ଧ୍ୟାନ ଭାଙ୍ଗି ପୁଣି ଠାକୁର ଚାନ୍ଦିନୀ ପାଖକୁ ଚାଲିଆସି ପୁଣି ଫାଟକ ପାଖକୁ ଫେରିଯାଉଥିଲା l

ଅନେକ ସମୟ ବିତିଗଲା l ପିଲାକୁ ନେବାକୁ କେହି ଆସିଲେନାହିଁ l ସେ ପୁଣି କାନ୍ଦ ଆରମ୍ଭ କରିଦେଲା l ଏଥର କାନ୍ଦଟା କିନ୍ତୁ ଭିନ୍ନ ପ୍ରକାରର l ଏହି କ୍ରନ୍ଦନ ସେହିସବୁ ମାଆମାନଙ୍କ ହୃଦୟକୁ ତରଳାଇ ପାରେ ଯେଉଁମାନେ ମାନେ ଭୋକିଲା ପିଲାର କ୍ଷୁଧା ନମେଂଟାଇଲା ଯାଏଁ ଶାନ୍ତି ପାଆନ୍ତିନାହିଁ l

ପିଲାର ରହି ରହି କ୍ରନ୍ଦନର ଲହର ମିସେସ ମହାପାତ୍ରଙ୍କୁ ଭୀଷଣ ବିରକ୍ତ କରୁଥିଲା l ତାଙ୍କୁ ମନେ ହେଉଥିଲା ପିଲାଟାର କାନ୍ଦିବା ସ୍ୱର ଯେପରି କୌଣସି ମଣିଷ ପିଲାର ନୁହେଁ, କୋଉ ଗୋଟେ କ୍ଷୁଧାର୍ତ୍ତ ଶ୍ଵାନର କର୍କଶ ରାବ l କାନ୍ଥ ଘଣ୍ଟାରେ ସମୟ ଗୋଟାଏ ପନ୍ଦର l ତାଙ୍କ ଗେଲ୍ହା ପୁଅ ବିଟୁର ସ୍କୁଲରୁ ଫେରିବା ସମୟ l ଏ ଛୁଆ ଏଠୁ ଏଯାଏଁ ଯାଇନି l ବିଟୁ ସ୍କୁଲରୁ ଫେରିଲେ ଖାଇକରି ଶାନ୍ତିରେ ଶୋଇପାରିବନାହିଁ l

- ଏ ଲତା ଯାଇ ଦେଖିଲୁ ତା ମାଆ ଆସିଲା କି ନାହିଁ l ତାକୁ ନେଇ ଛାଡିଆସେ ନହେଲେ l ମିସେସ ମହାପାତ୍ର ଚଢା ଗଳାରେ କହିଲେ l

"ମାଆ ଛୁଆଟା ବୋଧେ ଭୋକିଲା l ବିଟୁ ବାବୁ ସକାଳେ ଯେଉଁ ଜଳଖିଆ ଛାଡ଼ିଯାଇଥିଲେ ଦେଇଦେବି ? ପିଲାଟା କିଛି ଖାଇଲେ ନିଶ୍ଚେ ଚୁପ ହେଇଯିବ l " ଲତା ଡରି ଡରି ପଚାରିଲା l

-ଆରେ ତୁ ପାଗଳୀ ହେଲୁ ନାଁ କଣ ? ସକାଳୁ ଦୁଇକଂସା ଲେଖାଁ ପଖାଳ ନଖାଇଲେ ପେଟ ପୁରୁନଥିବା ପିଲାକୁ ତୁ ବ୍ରେଡ ଓମଲେଟରେ ଚୁପ କରେଇବୁ ଭାବୁଛୁ?

ଲତା ମାଲିକାଣୀଙ୍କ କଥାରେ ଚୁପ ହେଇଯାଇ ପୁଣି କିଛି ସମୟ ପରେ କହିଲା "ମାଆ ଏ ଛୁଆର ମାଆକୁ ବୋଧେ କାମ ସାରିବାରେ ଡେରି ହେଉଛି l ମୁଁ ଯାଉଛି ତାକୁ ଟିକେ ଡାଲି ଭାତ ଦେଇ ତା ମାଆ ପାଖେ ଛାଡ଼ି ଆସିବି l"

ଏଥର ମାଲିକାଣୀ ସହମତ ହେବାରୁ ଗୋଟେ ପ୍ଲାଷ୍ଟିକ ଠୁଙ୍ଗାରେ ଅଳ୍ପ କିଛି ଭାତ ଡାଲି ଓ ତରକାରୀକୁ ମିଶାଇ ଲତା ପିଲାଟିକୁ ନେଇଦେଲା l ଖାଦ୍ୟ ଦେଖି ପିଲାଟିର କାନ୍ଦ ଅପେକ୍ଷାକୃତ କମିଆସିଲା l ନାକ ଆଖିରୁ ବୋହି ଆସୁଥିବା ଲୁହ ସିଂଘାଣିକୁ ବାମ ହାତ କଚଟିରୁ କହୁଣୀ ପର୍ଯ୍ୟନ୍ତ ଟାଣିନେଇ ଠୁଙ୍ଗା ଟାକୁ ମହା ଆନନ୍ଦରେ ତାର କୁନି କୁନି ପାପୁଲିରେ ତୋଳି ଧରିଲା l

ବାହାରେ ହୋ ହାଲ୍ଲା ଗହଳୀର ଶବ୍ଦ ଶୁଣି ଘଟଣା କଣ ଜାଣିବା ପାଇଁ ମିସେସ ମହାପାତ୍ର ବାହାରକୁ ଚାଲିଆସିଲେ l ପଛେ ପଛେ ଲତା l ଆସି ଦେଖିଲେ କିଛି ଲୋକ ଗେଟ ପାଖରେ ଠିଆ ହୋଇଛନ୍ତି l ସାଙ୍ଗରେ ବିଟୁ l ବିଟୁ ମୁଣ୍ଡରେ ବ୍ୟାଣ୍ଡେଜ କପଡା l ଲତା ଧାଇଁଯାଇ ଗେଟ ଖୋଲିଦେଲା l ମିସେସ ମହାପାତ୍ର ବିଟୁକୁ ଏପରି ଅବସ୍ଥାରେ ଦେଖି ଧର୍ଯ୍ୟ ହରା ହୋଇଗଲେ l ପୁଅକୁ କୋଳେଇ ଧରି କାନ୍ଦିପକେଇଲେ l ବିଟୁ ସାଙ୍ଗରେ ଆସିଥିବା ଲୋକମାନେ ସମସ୍ତେ ସେହି ରାସ୍ତା କାମର ମଜୁରୀଆ l ଜଣେ ମଜୁରିଆ କହିଲା -ବ୍ୟସ୍ତ ହୁଅନ୍ତୁନି ମାଆ l ବାବୁଙ୍କର କିଛି ହେଇନି l ସାମାନ୍ୟ ଟିକେ ହାଲୁକା ଆଘାତ ଲାଗିଛି l ରାସ୍ତା କାମ ପାଇଁ ଯୋଉ ଏକ ପାଖିଆ ଗାଡି ଚାଲୁଛି, ତାହାରି ପାଇଁ ଏମିତି ସବୁ ଦୁର୍ଘଟଣା ହେଉଛି l ୟାଡୁ ମିନି ଟ୍ରକଟା ଯାଉଥିଲା ଆଉ ଛୋଟ ବାବୁ ସ୍ୟାଡୁ ସ୍କୁଲରୁ ଆସୁଥିଲେ, ମୋଡ ରାସ୍ତା କେହି କିଛି ଜାଣିପାରିଲେନାହିଁ l ଭାଗ୍ୟ ଭଲ ଅଳ୍ପକେ ବର୍ତ୍ତିଗଲେ l କୁନି, ଆମ ସଙ୍ଗେ କାମ କରୁଥିବା ସ୍ତ୍ରୀଲୋକଟେ, ଝପଟି କି ଯାଇ ବାବୁଙ୍କୁ ଗାଡି ଆଗରୁ ଟାଣିଆଣିଲା l ହେଲେ ମାଆ ବାବୁଙ୍କୁ ତ ବଞ୍ଚେଇଦେଲା ସେ ବିଚାରୀ କିନ୍ତୁ ଚକତଳେ ପଶିଗଲା l ବହୁତ ରକ୍ତ ଯାଇଛି ତା ଦେହରୁ l ତାକୁ ଡାକ୍ତରଖାନା ନେଇଗଲେଣି l ବିଚାରୀ ବଞ୍ଚିଯାଉ l ହଉ ମାଆ ପୁଅକୁ ନେଇ ଘରକୁଯାଆନ୍ତୁ l ଆମେ କୁନି ପାଖକୁ ଯାଉଛୁ l

ମିସେସ ମହାପାତ୍ର ଠାକୁରଙ୍କ ଉଦେଶ୍ୟରେ ହାତଯୋଡ଼ି ଧନ୍ୟବାଦ ଜଣେଇଲେ l ସେହି ଅଜଣା ସ୍ତ୍ରୀଲୋକ କୁନିର ବି କୋଟିପରମାୟୁ କାମନା କରି ପୁଅକୁ କୁଣ୍ଢାଇ ଧରି ଘର ଭିତରକୁ ଚାଲିଗଲେ l ଭିତରକୁ ଯାଇ ଲତାକୁ କହିଲେ ଯାଇ ବୁଝିଆସିବା ପାଇଁ କୁନି କୋଉ ଡାକ୍ତରଖାନାରେ ଅଛି l ମନେ ମନେ ସ୍ଥିର କରିସାରିଥିଲେ ବାବୁ ଆସିଲେ ସେ ତାଙ୍କୁ ନିଶ୍ଚୟ ପଠାଇବେ ବିଚାରୀକୁ ଚିକିତ୍ସା ଖର୍ଚ ଯୋଗାଇଦେବା ପାଇଁ l

ଏ ସବୁ ଭିତରେ ସେହି ଅଜଣା ଅଭାଗା ଶିଶୁଟି ଯାହାକୁ ତା ମାଆ ଏଗାରଟା ବେଳୁ ପରଘର ଦାଣ୍ଡଦୁଆରେ ଛାଡ଼ିଯାଇଥିଲା ତା କଥା ସଭିଏଁ ପାସୋରି ପକେଇସାରିଲେଣି l ପିଲାଟା ବି ଆଉ କାଂଦୁନାହିଁ l ବେଶୀ ଲୋକଙ୍କୁ ଦେଖି ସେ ତା ଖାଇବା ଠୁଙ୍ଗାଟା ଧରି ଠାକୁର ଚାନ୍ଦିନୀ ତଳକୁ ଗୋଟେ କୋଣ ଜାଗା ଦେଖି ବସିଯାଇଛି l ନିଜ ହାତେ ଭାତ ଖାଇବାରେ ଅନଭିଜ୍ଞ ତାର ଛୋଟ ଛୋଟ ହାତ ଯୋଡିକରେ କୁନି କୁନି ମୁଠି କରି ସେହି ଡାଲିଗୋଳା ଭାତକୁ ସେ ଉଦରଗ୍ରସ୍ଥ କରିବାରେ ବ୍ୟସ୍ତ ଥାଏ l ଦେଖିଲେ ମନେ ହୁଏ ପିଲାଟି ଖୁବ ଭୋକିଲା ଥିଲା l ବାମହାତ ଡାହାଣହାତ ଉଭୟ ଭାତଡାଲିରେ ବଲବଲ l ତଳେ ଯଦି କିଛି ପଡିଯାଉଥିଲା ତାକୁ ବି ଉଠେଇଆଣି ପାଟିରେ ପୁରେଇଦେଉଥାଏ l

ଲତା ବାହାରକୁ ଆସୁଥିଲା କୁନିର ଖବର ବୁଝିବାକୁ, ଏହି ସମୟରେ ପୁଣି ଗେଟ ପାଖେ କାହାର ବିକଳ ଡାକ ଶୁଭାଗଲା l ଲତା ଆଉ ତା ମାଲିକାଣୀ ଉଭୟ ଆସି ଦେଖିଲେ କେହିଜଣେ ପୁରୁଷ ଲୋକ ଗେଟ ସେପଟେ ଠିଆ ହୋଇଛନ୍ତି l ମାଲିକାଣୀ ମିସେସ ମହାପାତ୍ର କାହାକୁ ଖୋଜୁଛ ପଚାରିଲାରୁ ଲୋକଟି କହିଲା - ମାଆ ଗୋଟେ ସାଢେ ତିନି ବର୍ଷର କୁନି ପୁଅକୁ ଖୋଜୁଛି l ମୋରି ପୁଅ l ମୋ ସ୍ତ୍ରୀ ତାକୁ କୋଉ ବଡ଼ଲୋକ ଘର ଗେଟ ଭିତରେ ଛାଡ଼ି କାମକୁ ଯାଇଥିଲା l ସବୁଘରେ ପଚାରିସାରିଲିଣି କୋଉଠି ସେ ନାହିଁ ମାଆ l କେତେଜଣ କହିଲେ ଏଇଠି ତାକୁ ଦେଖିଥିଲେ l ମାଆ ଆପଣ ମୋ ପୁଅକୁ ଦେଖିଥିଲେ କି?

ବାପର କଣ୍ଠ ସ୍ୱର ଶୁଣି ଶିଶୁଟି କୋଣ ଜାଗାରୁ ଉଠି ତା ଠୂଙ୍ଗିଟିକୁ ଧରି ଦୌଡ଼ି ଦୌଡି ଫାଟକ ପାଖକୁ ଚାଲିଆସିଲା l ଲତା ଗେଟ ଖୋଲିଦେଲା l ମାଲିକାଣୀ ଗର ଗର ହେଇକହିଲେ, "ଏମିତି କାମ ଆଉ କେବେ କରିବନାହିଁ l ଆମକୁ ନପଚାରି ପିଲାକୁ ଏମିତି ଏଠି ଛାଡିକି ଯିବନି l କାନ୍ଦି କାନ୍ଦି ଏ ପିଲା ନାକେଦମ କରିସାରିଲାଣି l ଘଣ୍ଟାଏ ଭିତରେ ନେଇଯିବ କହି ତିନିଘଣ୍ଟା ହେଲା କୁଆଡେ ଯାଇଥିଲ ? ଏମିତି ଦଶ ବାର ଛୁଆ ଜନ୍ମ କରିଦେଇ କାହାକୁ କୁଆଡେ ଛାଡ଼ି ମଦ ଖାଇ ସବୁ ଭୁଲିଯାଉଛ l"

ଲୋକଟି ଡରି ଡରି କହିଲା, " ନାଇଁ ମାଆ ! ପୁଅକୁ କୋଉଠି ଛାଡ଼ିଛି ତା ମାଆ ହିଁ ଜାଣିଥିଲା l ମୁଁ ଜାଣିନଥିଲି l ସିଏ ଅସିଥାନ୍ତା ନେବାକୁ ସେହିସମୟରେ ଗୋଟେ ଛୋଟ ଛୁଆର ଜୀବନ ବଂଚେଇବାକୁ ଯାଇ ବିଚାରୀ ରକ୍ତାକ୍ତ ହେଇ ଡାକ୍ତରଖାନାରେ l ଏବେ ବି ହୋସ ଫେରିନି l ଚେତା ପାଇଲେ ପୁଅକୁ ଖୋଜିବ l ମୁଁ ତାକୁ ସେଇଠି ମେଡିକାଲରେ ଛାଡ଼ି ପୁଅକୁ ନେବାକୁ ଧାଇଁ କି ଆସିଛି l ସେଇ ମତେ ସେତେବେଳେ ଏଠି ପୁଅକୁ ଛାଡ଼ି ଗଲାପରେ କଇଥିଲା କୋଉ ବଡଘରେ କାହାକୁ କହିକି ଗେଟ ଭିତରେ ଛୁଆକୁ ରଖିଛି ବୋଲି l ମୁଁ ସବୁ ବଡ଼ଘର ଖୋଜି ଖୋଜି ଏଇଠି ପହଞ୍ଚିଲି ମାଆ l ଆମେ ତ ଗରିବ ଦୁଃଖୀ ଲୋକ l ଦୁହେଁ ନଖଟିଲେ ନଚଳେ l ଏ ଛୁଆକୁ ରୋଜ ଆମେ ରାସ୍ତା କଡରେ ବସେଇଦେଇ କାମ କରୁ l ଆଜି ବଡ ବଡ ରୋଲର ମେସିନ ଚାଲୁଛି l ଛୋଟ ପିଲା କାଳେ ଦୌଡି ମେସିନ ପାଖକୁ ଚାଲିଯିବ l ସେଇଥିପାଇଁ ଏୟା ମାଆ ଡ଼ରିକି ୟାକୁ ଏଇଠି ଛାଡ଼ିଯାଇଥିଲା l "

ଛୁଆଟା ଏତେବେଳକୁ ତା ବାପକୁ କୁଣ୍ଢେଇ ଧରି 'ମାଆ' 'ମାଆ' ହେଇ ମାଆ କଥା ପଚାରୁଥାଏ l" ମାଆ ଅଛି ମାଆ ଅଛି" କହି ଲୋକଟି ଛୁଆକୁ କାଖକୁ ନେଲା l ତା ନାକ ଆଖିକୁ ନିଜ ମଇଳା ଗାମୁଛାରେ ଭଲ କି ପୋଛି ପକେଇଲା l ପୁଣି କାନ୍ଦ କାନ୍ଦ ହେଇ କହିଲା l "ୟେ ଛୁଆର ମାଆ ଡାକ୍ତରଖାନାରେ l ବଞ୍ଚିବା ମରିବା ଠିକ କରି ଡାକ୍ତର ବାବୁ କହୁନାହାଁନ୍ତି l ବହୁତ ରକତ ବୋହିଯାଇଛି l ମୋ ସ୍ତ୍ରୀ ଛୋଟ ପିଲାଙ୍କୁ ଖୁବ ଭଲପାଏ ମାଆ l ସେଥିପାଇଁ ସିନା ପର ଛୁଆ ପାଇଁ ଗାଡି ଆଗକୁ ଡେଇଁପଡିଲା l"

ମିସେସ ମହାପାତ୍ର ଏକଦମ ମୌନ ରହି ଶୁଣୁଥାନ୍ତି l ଲୋକଟି ଛୁଆକୁ କାନ୍ଧରେ ପକାଇ ମିସେସ ମହାପାତ୍ରଙ୍କ ଉଦେଶ୍ୟରେ ହାତ ଯୋଡି ପୁଣି କହିଲା, " ମାଆ ଆପଣ ଗରିବ ଭୋକିଲା ପିଲାଟା ପେଟରେ ଦାନା ଦେଇଛନ୍ତି l ଭଗବାନ ଆପଣଙ୍କର ଭଲ କରନ୍ତୁ l ଆପଣଙ୍କୁ ଆହୁରି ବଡ଼ଲୋକ କରନ୍ତୁ l ମୁଁ ଆସୁଛି ମାଆ l ଛୁଆଟା ଆପଣଙ୍କୁ ବଡ ହଇରାଣ କଲା l ଆମକୁ କ୍ଷମା କରିଦେବେ l

ଲୋକଟି ସେହି ମଇଳା ଛିଣ୍ଡା ପୋଷାକ ପିନ୍ଧା ଛୋଟ ପିଲାକୁ ଧରି ଚାଲିଗଲା l ମିସେସ ମହାପାତ୍ରଙ୍କର ଆଉ ଜାଣିବାକୁ ବାକି ରହିଲାନାହିଁ କୁନି କିଏ l ସେ ସେଇଠି ସେହିପରି ଠିଆ ହୋଇ ମନେ ମନେ ଭାବୁଥିଲେ, "ବଡ଼ଲୋକ କିଏ? ସେହି ମୂଲିଆଣୀ ଯିଏ ନିଜ ଜୀବନକୁ ବାଜିଲଗେଇ ମୋ ପୁଅକୁ ବଞ୍ଚେଇଛି ସିଏ , ନାଁ ମୁଁ ନିଜେ, ଏହି ବଡଘର ମାଲିକାଣୀ ଯିଏ ଗୋଟେ ଗରିବ ପିଲାକୁ ନିଜ ଘର ଚାନ୍ଦିନୀରେ ମଧ୍ୟ ବସିବାକୁ ଟିକିଏ ଜାଗା ଦେଇନାହିଁ ??

ଡାକ୍ତରଖାନାରେ ଗରିବ ମୂଲିଆଣୀ କୁନିର ହୋସ ଫେରିଲା କି ନାହିଁ ସେକଥା ତ ଜଣାପଡିନାହିଁ ; ମାତ୍ର ଆଜି ଏହି ବଡ଼ଘରେ ଧନୀ ସମ୍ଭ୍ରାନ୍ତ ମହିଳା ମିସେସ ମହାପାତ୍ରଙ୍କ ହୋସ ଫେରିଆସିଲା ପରି ତାଙ୍କ ପରିବର୍ତିତ ସ୍ଵଭାଵରୁ ଜଣାପଡୁଥିଲା l

ଲୋପାମୁଦ୍ରା ମିଶ୍ର

Lopamudra mishra

ଛୁଆ ମିସେସ ମହାପାତ୍ର ବଡ଼ଲୋକ

Rate the content


Originality
Flow
Language
Cover design

Comments

Post

Some text some message..