Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱାତୀ
ସ୍ୱାତୀ
★★★★★

© Binay Mohapatra

Inspirational

12 Minutes   3.2K    9


Content Ranking

ସ୍ୱାତୀ, ଝିଅଟିଏର ନାଆଁ, ମୋ ଅଫିସର ଜଣେ ସହକର୍ମୀ, ସୁନ୍ଦର ଗୋରା ତକ ତକ ଦୁଧ ଅଳତା ତାର ଦେହର ରଙ୍ଗ । ସ୍ୱାତୀ କହିଲେ ମନରେ ଯେତିକି ପବିତ୍ରତାର, ସୌନ୍ଦର୍ଯ୍ୟର କଳ୍ପନା ଆସେ, ସେତିକିର ଗୋଟିଏ ମୁର୍ତ୍ତିମତୀ ରୂପ ।


ଏଇ ଅଳ୍ପ ଦିନହେଲା ବଦଳି ହୋଇ ଆସିଥାଏ ଆମ ଅଫିସକୁ । କେଜାଣି କାହିଁକି ପ୍ରଥମ ଦିନର ପ୍ରଥମ ଦେଖାରେ ହିଁ ତାର ଗୋଟିଏ ଛବି ଛାପି ହୋଇଯାଇଥିଲା ମୋ ହୃଦୟର ଗଭୀରତମ ପ୍ରଦେଶରେ । ଖୁବ ସ୍ପଷ୍ଟ ନହେଲେ ବି ସେତେଟା ଅସ୍ପଷ୍ଟ ବି ନଥିଲା, ବିଶ୍ୱାସ ହୁଏନା, ଥରୁଟିଏ ଦେଖାରେ କିଏ କାହା ମନ ଭିତରେ ଏମିତି ଘରକରି ଯାଇପାରେ।


ମୋ ସାମ୍ନା ଟେବୁଲରେ ତାର ସିଟ୍ । ସିଏ କେବେ ଅଫିସ୍ ଲେଟ୍ ହେବାର ମୁଁ ଦେଖିନି । ମୁଁ ଅଫିସ ପହଞ୍ଚିବା ଆଗରୁ ସେ ତା ସିଟରେ ବସି ସାରିଥାଏ । ସବୁବେଳେ ତା ମୁଁହରେ ସରୁ ସ୍ମିତ ହସଟିଏ ଲାଗି ରହିଥାଏ । ସେ ହସ କିନ୍ତୁ ଆମନ୍ତ୍ରଣର ନୁହେଁ, ଅଭିନନ୍ଦନ କିମ୍ବା ନମସ୍କାର ପରି ତ ମୋଟେ ଲାଗେନି । ଲାଗେ ସତେ ଯେମିତି ଛୋଟିଆ ପ୍ରଶ୍ନବାଚୀଟିଏ । ସତେଅବା ପଚାରୁଛି, କେମିତି ଅଛନ୍ତି ? ଆପଣଙ୍କର ସବୁ ଭଲ ତ ?


ଅଫିସ ଭିତରେ ଅନେକ ସମୟରେ ଏକ ଚାପା ଗୁଞ୍ଜରଣ ଲାଗିରହିଥାଏ । ଅବଶ୍ୟ ଏ ଗୁଞ୍ଜରଣ ସ୍ୱାତୀ ଅନୁପସ୍ଥିତିରେ ହିଁ ଶୁଭେ । ସେ ଅଫିସ ଆସିବା ଆଗରୁ କିମ୍ବା ଅଫିସ ଛାଡିବା ପରେ । ଏଇଟା ତ ଏକ ସ୍ୱାଭାବିକ ଘଟଣା । କୌଣସି ଏକ ଯୁବତୀକୁ ନେଇ ତାର ରୂପ, ତାର ଚାଲି ଚଳନ, ତାର ବ୍ୟବହାର, ସର୍ବୋପରି ତାର ପ୍ରେମ ପ୍ରସଙ୍ଗକୁ ନେଇ ସମସ୍ତେ ଯେପରି ବହୁତ କୌତୁହଳି ହୋଇଯାଆନ୍ତି । କିଛି ନ ଜାଣି ନଶୁଣି ନିଜର ମନଗଢା ଗଳ୍ପରେ ନାୟିକା କରିଦିଅନ୍ତି ତାକୁ । ପ୍ରାୟ ସବୁ ପ୍ରକାରର, ସବୁ ବୟସର ପୁରୁଷ ଏଥିରୁ ଆମୋଦ ଗ୍ରହଣ କରିପାରନ୍ତି, ମନ୍ତବ୍ୟ ଦେଇପାରନ୍ତି, ତିନି ତୁଣ୍ଡରେ ଛେଳି କେବେ କୁକୁର ପାଲଟି ଯାଏ ତ କେବେ କୁକୁର, ଛେଳି ହୋଇଯାଏ । ସବୁକିଛି ଚଳେ ପୁରୁଷ ସମାଜରେ, କେବଳ ଚଳେନି ତ ଚଳେନି ଗୋଟିଏ କଥା, ସେଇଟା ହେଲା ନିଜ ପରିବାରର କୌଣସି କନ୍ୟା କିମ୍ବା ମହିଳାଙ୍କ ବିଷୟରେ ଏପରି ଆଲୋଚନା । ନିଜ ସୁନା ତ ସୁନା, ବାକି ଦୁନିଆ ଯାକର ସୁନା ଭେଣ୍ଡି ପାଲଟିଯାଏ ଯେପରି । କେମିତି ଏପରି ଦୋହରା ମାନସିକତା ନେଇ ଚାଲନ୍ତି ଏ ନିର୍ଲଜ ପୁରୁଷମାନେ ?


ମୋ ବୟସର ଯୁବକଟିଏ ଏପରି ଆଲୋଚନାରୁ ଭରପୁର ମଜ୍ଜା ନେବା କଥା, ଏବଂ ନିଜ ତରଫରୁ ଦୁଇ ଚାରୋଟି ରସାଳ ଉପାଖ୍ୟାନ ଶୁଣାଇ ନିଜେ ଆମୋଦିତ ହୋଇ ବାକି ସଭାସଦ୍ ମାନଙ୍କୁ ଆମୋଦର ଖୁରାକ ଯୋଗାଇଦେବା କଥା । କିନ୍ତୁ କାହିଁକି କେଜାଣି, ସ୍ୱାତୀ ବିଷୟରେ ଏପରି ଆଲୋଚନାକୁ ମୁଁ ମୋଟେ ସହ୍ୟ କରିପାରେନା, ବରଂ ଇର୍ଷା ଏବଂ କ୍ରୋଦ୍ଧ ବି ଆସେ ମନରେ । ସତେଅବା, ସ୍ୱାତୀ ମୋର ନିଜସ୍ୱ ସଂପତ୍ତି ମାନଙ୍କ ଭିତରେ ଗୋଟିଏ ଖୁବ୍ ମୂଲ୍ୟବାନ ରତ୍ନ । ସ୍ୱାତୀକୁ ଏପରି ଖୋଲା ଖୋଲି ଗୁଲି ଗଳ୍ପର ବିଷୟବସ୍ତୁ କରିଦେବା ନିହାତି ଅଭଦ୍ରାମୀ ଓ ଅଶୋଭନୀୟ ।


ସ୍ୱାତୀକୁ ଏପରି, ଏତେଟା ନିଜସ୍ୱ, ଏତେ ଆପଣାର କଳ୍ପନା କରିବା ପଛରେ ମୋର କୌଣସି ବଳିଷ୍ଟ ତର୍କ ଥିବା ଭଳି ମୋର ମନେହୁଏନା । ସ୍ୱାତୀ ନା' ମୋର ସମ୍ପର୍କୀୟା ଥିଲା, ନା' ମୋର ପ୍ରେମିକା, ନା' ମୋର ବାନ୍ଧବୀ ନା' ମୋର ସହପାଠୀ । ସିଏତ ଅନ୍ୟମାନଙ୍କ ଭଳି କେବଳ ଏକ ସହକର୍ମୀ ଥିଲା, ଯେତିକି ହକ୍ ମୁଁ ତା ଉପରେ ଦାବୀ କରି ପାରିବି, ସେତିକି ହକ୍ ଅନ୍ୟ କେହି ବି ଦାବୀ କରି ପାରେ । ମୁଁ ତ କିଛି ସ୍ପେସାଲ ନ ଥିଲି, ନା ସ୍ୱାତୀ ପାଇଁ ନା ଆଉ କାହା ପାଇଁ । ସ୍ୱତୀ ମନରେ ମୋ ପାଇଁ କିଛିବି ବି ନଥିଲା । ଏପରିକି ଆମେ କିଛି ଅଫିସିଅଲ କଥାବାର୍ତ୍ତା ଛଡା କେବେ ଅନ୍ୟ କିଛି ବିଷୟରେ ଡିସକସ କରିନୁ । ଫାଇଲ ଦବା ନବା ଛଡା ଆଉ କିଛି ଦିଆ ନିଆ ବି ନଥିଲା ଆମ ଭିତରେ । ତା ଛଡା ଅଫିସ ଟାଇମ ପରେ ବାହାରେ ଆମର କେଉଁ ପାର୍ଟି, ପିକନିକ୍ କି ମେଳା ମଉତ୍ସବରେ କେବେ ବି ଦେଖା ହେଇନି । ସ୍ୱାତୀ ପରି ଗୋଟିଏ ଗମ୍ଭୀର ସ୍ୱଭାବର ଝିଅ ଠାରୁ ଏପରି କିଛି ଆଶା କରିବା ମଧ୍ୟ ବୃଥା ।

କିନ୍ତୁ, ସ୍ୱାତୀ ପାଖରେ ଏମିତି କଣ ଥିଲା ? ଯାଦୁ କଲା ପରି ମୁଁ ତା ଆଡକୁ ଧୀରେ ଧୀରେ ଟାଣି ହୋଇ ଯାଉଥିଲି । ମୁଁ ସ୍ୱାତୀକୁ ଏତେ ବ୍ୟକ୍ତିଗତ ଭାବୁଥିଲି ! ଅଜାଣତରେ ତାର ଏତେ ନିକଟତର ହୋଇ ଯାଉଥିଲି ଯେ ମୋର ଭୟ ହୁଏ, କେବେ ଜାଣ ଅଜାଣତରେ ମୁଁ କେବେ ତା ହାତକୁ ଧରି ପକାଇବି ଅବା ଆପଣ ଜାଗାରେ ତୁମେ କରି ସମ୍ବୋଧନ କରିଦେବି । ଯଦି ଏପରି କିଛି କେବେ ହୋଇଯାଏ କିଛି ବିଚିତ୍ର ହେବନି । ମୁଁ ଯେପରି ତାହାରି ଭାବନାର ଅଥଳ ସମୁଦ୍ରରେ ଉବୁଟୁବୁ ହେଉଥିଲି, କେଉଁ ମୁହୁର୍ତ୍ତରେ କିଛି ବି ଘଟି ପାରେ, ମୁଁ ମୋ କାବୁରେ ନଥିଲି ! ଏସବୁ ଏପରି କାହିଁକି ହେଉଥିଲା, ମୁଁ ମୋ ନିଜକୁ ପଚାରେ, ମୁଁ କଣ ସ୍ୱାତୀର ସଜଫୁଟା ଫୁଲଟି ପରି ସୁନ୍ଦର ରୂପ ପଛରେ ପାଗଳ ହୋଇଯାଉଛି ? ତାର ଏଇ ସୁନ୍ଦର ନୀଳ ନୀଳ ଆଖି ଦୁଇଟି ମୋତେ ମତୁଆଲ କରି ଦେଉଛି ? ନା ତାର ଗୋଲାପି ଓଠ ଦୁଇଟି ? ନା ତାର ପୂର୍ଣ ଯୌବନା ସୁଗଠିତ ରୂପ ମୋତେ ଭ୍ରମର ପରି ମତୁଆଲ କରି ଦେଉଛି ? ମନ କିନ୍ତୁ ଦୋ ଦୋ ପାଞ୍ଚ ହୁଏ ଜବାବ୍ ଦେଇ ପାରେନା, ତାର ରୂପର ଆକର୍ଷଣକୁ ତ ନା କରି ହେବନି, କିନ୍ତୁ ଅନେକ ସୁନ୍ଦର ଯୁବତୀଙ୍କୁ ଦେଖିଛି ଜୀବନରେ । ଆଉ କାହା ପଛରେ ତ ମନ ଏପରି ଧାଇଁ ଯାଇନି କେବେ ! ଯେମିତି ସ୍ୱାତୀ ପଛରେ ମାରାଥନ ରେସ ଲଗାଉଛି ।


ସ୍ୱାତୀର ନିର୍ମଳ ନିଷ୍ପାପ ହୃଦୟ ମୋତେ ଟାଣି ନେଉଛି ? ହେଲେ ମୋତେ କଣ ବା ଜଣା ତା ହୃଦୟ ଆଉ ତାର ମନ ବିଷୟରେ ? କେବେ ଖୁସିରେ ଦି ପଦ କଥାବି ହୋଇନୁ ଆମେ, ନା ହାତ ଧରାଧରି ହୋଇ ପାର୍କରେ କେବେ ବୁଲିଛୁ ନା ସିନେମା କି ଥିଏଟର ଯାଇଛୁ ନା ରେଷ୍ଟୁରାଣ୍ଟରେ କେବେ ଲଞ୍ଚ କି ଡିନର କରିଛୁ ? କଣ ଜାଣିଛି ମୁଁ ତା ବିଷୟରେ ? କେମିତି କହିଦେବି ତାର ବକ୍ଷୋଜ ଠାରୁ ବିଶାଳ ତାର ହୃଦୟ, ତାର ସ୍ମିତ ହସ ପରି ନିର୍ମଳ ତାର ମନ ? ମୋ ମନ କିନ୍ତୁ ଏ ଯୁକ୍ତିକୁ ସ୍ୱୀକାର କରି ପାରେନା କି ମୁଁ ସ୍ୱାତୀର ମନ ଆଉ ହୃଦୟର ହୃଦୟ ବିଷୟରେ କିଛି ବି ଜାଣିନି ବୋଲି । ମନ ତାର ଦଲିଲ୍ ଶୁଣାଇ ଯାଏ । ଏତେ ସୁନ୍ଦର ମୁଖ ଆଉ ତାର ଜ୍ୟୋତି କେବଳ ଏକ ନିର୍ମଳ ହୃଦୟର ଆଭା ହୋଇ ପାରେ, କଳୁଶିତ ହୃଦୟର ଭାବ, ମୁଖର ଏ ଛଟାକୁ ମଳିନ କରିଦିଏ । ହେଲେ ସ୍ୱାତୀର ସୌନ୍ଦର୍ଯ୍ୟ କେବଳ ଏକ ରକ୍ତ ମାଂସର ତିଆରି ପ୍ରତୀମାଟିଏ ନୁହେଁ, ତାର ମୁଖର ଆଭା, ତାର ହୃଦୟର ଆଇନା, ଯେଉଁଥିରେ ତାର ହୃଦୟର ପବିତ୍ରତା ଜଳରେ ଚନ୍ଦ୍ରମାର ପ୍ରତିବିମ୍ବ ପରି ଷ୍ପଷ୍ଟ ଦିଶିଯାଉଛି । ତାର ସ୍ମିତ ହସ ତାର ମଧୁଭରା ମନର ପ୍ରତିବିମ୍ବ, ଏକ କପଟି ମନ ଏପରି ମଧୁର ସ୍ମିତ ହସର ଜନନୀ କତଇ ହୋଇ ନ ପାରେ !


ଅନେକ ସାବଧାନତା ପରେ ମଧ୍ୟ ଶେଷରେ ମୁଁ ଧରା ପଡି ଯାଇଥିଲି ସ୍ୱାତୀ ପାଖରେ । ଏମିତି ଦିନେ ଅଫିସରେ, ଫାଇଲ୍ ଉପରୁ ମୁହଁ ଉଠାଇ, ଦାନ୍ତରେ କଲମକୁ କାମୁଡି ଧରି, ନିର୍ମିନେଶ ନୟନରେ, ଏକ ଲୟରେ, କେଜାଣି କେତେ ସମୟ ଧରି ମୁଁ ସ୍ୱାତୀର ମୁହଁକୁ ଚାହିଁ ରହିଛି ମୋର ଖୟାଲ ନାହିଁ । ହଠାତ ମୋର ଧ୍ୟାନ ଭଗ୍ନ ହେଲା, ଯେତେବେଳେ ସ୍ୱାତୀ ମୋ ଟେବୁଲ ସାମ୍ନାକୁ ଆସି, ମୋ ଟେବୁଲରେ ଖଟ ଖଟ କରି ପଚାରିଲା କଣ ଦେଖୁଛନ୍ତି?

ଏଁ...., ନା'.... ନା'..... କିଛି ନାହିଁ, ମାନେ ମୁଁ ଏମିତି........ ମୁଁ କିନ୍ତୁ ଜବାବ ଖୋଜି ପାଉ ନଥିଲି । ସତେ ଅବା, ଆଚାର ବୋତଲରୁ ଆଚାର ଚୋରି କରୁ କରୁ ବିଚରା ପିଲାଟିଏ ମାଆ ସାମ୍ନାରେ ଧରା ପଡିଯାଇଛି । ଆଚାର ନେଉନି ବୋଲି ସଫେଇ ଦେଇ ପାରୁନି, କାରଣ ଆଚାର ବୋତଲଟା ଏବେ ଯାଏ ଯେ ହାତରେ ସେମିତି ଦରଖୋଲା ଅବସ୍ଥାରେ ଅଛି ! ସେମିତି ଏକ ସ୍ଥିତିରେ ମୁଁ ରଙ୍ଗେହାତ୍ ଧରାପଡି ଯାଇଥିଲି ।


: କିଛି ନାହିଁ ମାନେ? ମୁଁ ଦେଖୁଛି, ଅଧଘଣ୍ଟାଏ ହେବ, ଆପଣ ଏମିତି ମୋ ମୁହଁକୁ ଚାହିଁ ରହିଛନ୍ତି, କଣ ଭାବୁଛନ୍ତି?

କିଛି ନାହିଁ, ବାସ୍ ଏମିତି, ନା ନା ସେ କିଛି ନୁହେଁ... ବଡ ଅପ୍ରସ୍ତୁତ କଣ୍ଠରେ ମୋର ଜବାବ ଥିଲା ।


: ଓହଃ, ଦେହ ଭଲ ନାହିଁ ବୋଧ ହୁଏ ଆପଣଙ୍କର !


ଆରେ ନା, ନା, ମୋ ଦେହ ଠିକ୍ ଅଛି, ହେଲେ...., ହେଲେ, ହଠାତ୍ ଅଟକି ଗଲି ମୁଁ ।


: ହେଲେ? ହେଲେ କଣ?


ହେଲେ ସେ ବହୁତ କଥା, କିନ୍ତୁ.... କହିବା ସମ୍ଭବ ନୁହେଁ, ମାନେ....... ମୋର ଏପରି ଅପ୍ରତିଭ ବ୍ୟବହାର ଦେଖି ଠୋ ଠୋ ହୋଇ ହସି ଉଠିଥିଲା ସ୍ୱାତୀ, ସତେ ଯେପରି ଚପଳତାମୟୀ ପ୍ରଗଳ୍ଭା କିଶୋରୀଟିଏ ।

ତାର ସେଇ ହସରେ ମୁଁ ଯେପରି ନର୍ଭସ ହୋଇ ଯାଉଥିଲି । ବହୁତ ସମୟ ହତବାକ୍ ହୋଇ ବସି ରହିଥିଲି, ହଠାତ୍ ଚଉକି ଛାଡି ମୁଁ ଠିଆ ହୋଇପଡିଲି ଏବଂ କହିଲି, ପ୍ଲିଜ୍ ସ୍ୱାତୀ, ତୁମେ ଏପରି ହସ ନାହିଁ (ମୋର ମନେ ନାହିଁ କିପରି ଭାବରେ ମୁଁ ତାର ନାମ ଏବଂ ଆପଣ ଜାଗାରେ ତୁମେ ବୋଲି ଉଚ୍ଚାରଣ କରିଗଲି) ।


ମୋର ତୁମକୁ ଅନେକ କିଛି କହିବାକୁ ଅଛି, ହେଲେ ମୋର ସେ ସାହସ ନାହିଁ ସବୁକଥା ତୁମକୁ ଖୋଲି କହିଦେବାପାଇଁ, ମୋତେ ଡର ଲାଗୁଛି କାଳେ ମୋ କଥାରେ ତୁମ ମନରେ କଷ୍ଟ ହେବ ।


: ଆରେ କଷ୍ଟ କାହିଁକି ହେବ, ଆପଣ ଏମିତି କଣ କଣ କହିବେ ଯେ ? ଚିନ୍ତା କରନ୍ତୁ ନାହିଁ, ଯାହା କହିବା କଥା ଖୋଲି କୁହନ୍ତୁ, ମୁଁ କିଛି ବି ଭାବିବି ନାହିଁ ।


ହୁଁ, ହେଲେ ଏବେ, ଏମିତି, ଏଇଠି...? ନା’ ନା’ ଏମିତି ନୁହେଁ, ଯଦି କିଛି ନଭାବିବେ, ନିରୋଳାରେ ଦି'ଘଡି ଯଦି ବସି ପାରନ୍ତେ....ଏତିକ କହି ମୋ ଚୁପ୍ ହୋଇ ଗଲି । ସ୍ୱତୀ କିଛି ସମୟ ପାଇଁ ନିରବ ଏବଂ ଗମ୍ଭୀର ଭାବେ ଠିଆ ହୋଇରହିଲା, ଯେପରି ସେ ଭାମ୍ପି ନେବାକୁ ଚାହୁଁ ଥିଲା, କଣ ଏମିତି ସିକ୍ରେସି ଅଛି ମୋ ପାଖରେ ଯେ ମୋତେ ଦି ଘଡି ନିରୋଳା ସମୟ ଦରକାର ? କିଛି ସମୟ ଭାବି କହିଲା, ଠିକ୍ ଅଛି, କେବେ ସମୟ ସୁବିଧା ଦେଖି ଆସନ୍ତୁ ମୋ ବସା ଆଡକୁ ।


ମୋର ଆଉ ଧୈର୍ଯ୍ୟ ନଥିଲା ସମୟ ସୁବିଧାକୁ ଅପେକ୍ଷାକରିବା ପାଇଁ । ସେଇ ଦିନ ସଂଧ୍ୟାରେ, ମୁଁ ସ୍ୱାତୀର ବସାରେ ପହଞ୍ଚି ଯାଇଥିଲି । ସିଏ ବି ଥିଲା ତା ବସାରେ, ସତେ ଯେମିତି ମୋର ଅପେକ୍ଷା କରିଥିଲା, ତା ଓଠରେ ସେଇ ସ୍ମିତ ହସ ଏବେବି ସେମିତି ଥିଲା, ଯାହାର ମାନେ ମୁଁ ଆଜିଯାଏ ବୁଝିପାରୁ ନଥିଲି ।


ଏକ ସ୍ୱଭାବିକ୍ ଗମ୍ଭୀର ଝିଅର ରୁଚିକୁ ନେଇ ତା ଘରର ସାଜସଜ୍ଜା, ସିମ୍ପଲ ଏବଂ ସୁନ୍ଦର । ସାଧାରଣ ଶିଷ୍ଟତା ଦେଖାଇ ଆମେ ସୋଫାରେ ବସିଗଲୁ ସାମ୍ନା ସାମ୍ନି ହୋଇ । ସାମାନ୍ୟ ଶିଷ୍ଟାଚାର ଚାହା ବିସ୍କୁଟ ସରିବା ପରେ ଏବଂ କିଛି ସମୟର ନିରବତାପରେ, ସ୍ୱାତୀ ଆରମ୍ଭ କଲା, କୁହନ୍ତୁ, ଆପଣ କଣ କହିବାକୁ ଚାହୁଁଥିଲେ !


ମୁଁ ପ୍ରଥମେ ନିଜକୁ ସଜାଡି ନେଲି, ମୋର ମନର ବିକ୍ଷିପ୍ତ ଭାବନା ମାନଙ୍କୁ ଶବ୍ଦରେ ସଜାଡି ଆକାର ଦେବାକୁ ବହୁତ ଚେଷ୍ଟା କରୁଥିଲି । କିଛି ସମୟ ଏମିତି ଚାଲିଗଲା, କଥାଟା କିପରି କେଉଁଠୁ ଆରମ୍ଭ କରିବି ବୋଲି। । ହେଲେ ମୁଁ ମୋ ଶବ୍ଦମାନଙ୍କୁ ଗୋଟିଏ ସୁତାରେ କ୍ରମାନୟରେ ସଜାଡି ପାରୁ ନଥିଲି । ହଠାତ୍ ମୋ ମୁହଁରୁ ବାହାରି ପଡିଲା,

ସ୍ୱାତୀ, ତୁମେ ମୋତେ ବିବାହ କରିବ??


ସେତେ ବେଳକୁ ଭାବାବେଗରେ ମୋ ମୁଁହ ଲାଲ କି ସେଥା ପଡି ଯାଇଥିଲା ମୋତେ ଜଣା ନାହିଁ, କିନ୍ତୁ ମୋ କଥା ଶୁଣି ସ୍ୱାତୀର ମୁଁହ ଲାଲ ହୋଇଯାଇଥିଲା । ସେ କିଛିସମୟ ହତବାକ୍ ହୋଇ ମୋ ମୁଁହକୁ ଅନେଇ ରହିଲା । ଯେପରି ସେ ବୁଝି ପାରୁନଥିଲା, ମୁଁ କଣ କହିଦେଲି, ସେ ହୁଏତ ଭାବିଥିଲା, ପ୍ରଥମେ ମୁଁ ତାର ରୂପର ପ୍ରଶଂସା କରିବି, ମୁଁ ତାକୁ କେତେ ଭଲପାଏ ବଖାଣିହେବି ପୁଣି ଶେଷରେ ତାକୁ ପ୍ରଣୟ ନିବେଦନ କରିଦେବି । ଯାହାକୁ ସେ ଖୁବ୍ ସହଜରେ ପ୍ରତ୍ୟାଖ୍ୟାନ କରି ଦେଇପାରିବ, କିନ୍ତୁ ମୁଁ ତ ତାକୁ ସିଧା ବିବାହ ପ୍ରସ୍ଥାବ ଦେଇ ଦେଇଥିଲି । ଭଲପାଇବା ଏତେ ଗଭୀର ନ ହେଲେ କିଏ କଣ କାହାକୁ ସିଧା ବିବାହ ପ୍ରସ୍ଥାବ ଦେଇପାରେ ? ମୋ ପ୍ରସ୍ଥାବକୁ ସେ ନା କରିବ କି ହଁ, ଭାବିପାରୁ ନଥିଲା, ନା କରିବ ତ କିପରି ନା କହିବ, ହୁଏତ ତାର ବାଟ ଖୋଜୁ ଥିଲା ସ୍ୱାତୀ ! ଧୀରେ ଧୀରେ ସ୍ୱାତୀର ମୁଁହ ଗମ୍ଭୀର ହୋଇଆସୁଥିଲା, ସେଇ ଗମ୍ଭୀରତା ଭିତରେ ଦୁଇଟି କରୁଣ ଆଖି ମୋ ଉପରେ ଘୁରି ଯାଇ ଝରକାବାଟେ କାହିଁ କେତେଦୂରରେ କେଉଁ ଅତିତରେ ହଜିଗଲା ବୋଧହୁଏ ।


ମୁଁ ନୀରବତା ଭାଙ୍ଗି କହିଲି, ଦେଖ ସ୍ୱାତୀ, ବିବାହ ପାଇଁ ମୁଁ ତୁମକୁ ବାଧ୍ୟ ତ କରି ପାରିବିନି ! ମୁଁ ତୁମର ଉତ୍ତର ଏବେ ସାଙ୍ଗେ ସାଙ୍ଗେ ବି ମାଗୁନି । ତୁମେ କାହା ସହିତ କେବେ ବିବାହ କରିବ, ସେଇଟା ତୁମର ଇଚ୍ଛା ଉପରେ ନିର୍ଭର କରୁଛି । କିନ୍ତୁ ମୁଁ ଏତିକି ଚାହୁଁଛି, ତୁମେ ଯେବେବି ବିବାହ କରିବାକୁ ସ୍ଥିର କରିବ, ଥରେ ମୋ ପ୍ରସ୍ଥାବ ଉପରେ ବିଚାର କରିବ । ତୁମକୁ ମୁଁ ଜୀବନ ସାଥୀ ରୂପରେ ପାଇଲେ ବହୁତ ଖୁସି ହେବି । ମୋତେ ଲାଗିବ, ଯେପରି ମୋତେ ମୋର ସାତଜନ୍ମ ତପସ୍ୟାର ସଫଳତାର ଫଳ ମିଳିଗଲା । ହୁଏତ ତୁମେ ମୋ ଜୀବନ ପାଇଁ ସର୍ବସ୍ରେଷ୍ଟ ଉପହାର ହେବ । ଏବେ ମୁଁ ଆସୁଛି କହି, ଯିବା ପାଇଁ ଠିଆ ହୋଇ ପଡିଲି ।


ଏ ପର୍ଯ୍ୟନ୍ତ ସ୍ୱାତୀ ନିରବରେ ତଳକୁ ମୁହଁ ପୋତି ମୋ କଥା ଶୁଣୁଥିଲା । ମୁଁ ଉଠିବାର ଦେଖି ସେ ବି ଠିଆ ହୋଇଗଲା । ହଠାତ୍ ଖପ୍ କରି ମୋ ହାତକୁ ଧରି ପକାଇଲା ଏବଂ ମୋ ମୁହଁକୁ ଥରେ କରୁଣ ଭାବେ ଚାହିଁ ପୁଣି ତଳକୁ ମୁଁହକରି କହିଲା, ବସନ୍ତୁ, ଆପଣ ତ ନିଜକଥା କହିଗଲେ, ମୋର ବି କିଛି କହିବାର ଅଛି, ଶୁଣି କି ଯାଆନ୍ତୁ । ସ୍ୱାତୀ ଆରମ୍ଭକଲା ତାର କାହାଣୀ ।


: ମଣିଷର ଅସରନ୍ତି ଆଶା, ଯଦିଓ ଆମେ ଜାଣୁ, ଆମର ଆଶା, ଇଚ୍ଛା, କାମନା ସବୁ ଆମର ଦୁଃଖର କାରଣ, ତଥାପି ମଣିଷ ମରୁଭୂମୀର ଓଟ ପରି ମୁହଁରେ କଣ୍ଟାର ଆଘାତ ବାରମ୍ବାର ପାଇ ମଧ୍ୟ କ୍ଷତାକ୍ତ ପାଟିରେ ପୁଣି ସେଇ କଣ୍ଟକିତ ସପ୍ତଫେଣି ଖଇବାର ପ୍ରୟାସ ଥରକୁ ଥର କରିଥାଏ । ପତଙ୍ଗଟିଏ ପରି ଅଗ୍ନିଶିଖାର ଲୋଭ ଛାଡିପରେନା । ଜାଣିଶୁଣି ଅବା ଅଜାଣତରେ ସେଇ ଶିଖା ଆଡକୁ ଆକର୍ଷିତ ହୋଇଯାଏ, ଶେଷରେ ସେଇ ଅଗ୍ନିରେ ନିଜର ଡେଣା ଜଳେଇ ଛଟପଟ ହୋଇ ମରିଯାଏ । ମୁଁ ବି ତ ମଣିଷ ଟିଏ, କେମିତି ବର୍ତ୍ତି ଯାଇଥାନ୍ତି କାମନାର ଅଗ୍ନିଶିଖାର ମୋହରୁ ? ମୋର ଆଶା ସରିନି, କିନ୍ତୁ ମୁଁ ଜାଣିଛି, ମୋର ପଥ ସରିଯାଇଛି । ଜୀବନର ଏହି ଦୋଛକିରୁ କିଛିବାଟ ପରେ ମୋ ଜୀବନର ରାସ୍ତା ସରିଯାଇଛି । ସରିଯାଇଛି କଣ, ଗୋଟିଏ ଜାଗାରେ ସ୍ଥାଣୁ ପାଲଟି ଯାଇଛି ମୁଁ, ବୁଢା ବରଗଛଟିଏ ପରି । ବଞ୍ଚିରହିଛି ସେଇଟା ବଡ କଥା, ଜୀବନରେ କେଉଁ ଏକ ଦୁର୍ବଳ ମୁହୁର୍ତ୍ତରେ ଭୂତ ଦେଖି ଡରି ଯାଇଛି, ହାରି ଯାଇଛି ଜୀବନର ଯୁଦ୍ଧ, ହେଲେ ପଥଭାଙ୍ଗି ପଛଘୁଞ୍ଚା ଦେଇନି । ଜୀବନ ହାରିଦେଇନି । କଥା ମଝିରେ ହଠାତ୍ ଅଟକି ଯାଇ ସ୍ୱାତୀ ମୋ ମୁହଁକୁ ଚାହିଁଲା, ଯେପରି ମୋ ମୁହଁର ଭାବ ପଢିବାକୁ ଚେଷ୍ଟା କରୁଥିଲା । ବିନା କିଛି ସଙ୍କୋଚରେ ହଠାତ ପଚାରିଲା ଆପଣ କେବେ ଚୁଇଙ୍ଗମ ଖାଇଛନ୍ତି ?


ଚୁଇଙ୍ଗମ ?? ହଠାତ୍ ଏପରି ଗୋଟିଏ ପ୍ରଶ୍ନ ଶୁଣି ମୋ ମୁହଁର ଭାବ ବଦଳି ଗଲା, ଭାବି ପାରୁ ନଥିଲି ଏପରି ଏକ ସିରିୟସ କଥାବାର୍ତ୍ତା ଭିତରେ ହଠାତ୍ ଏତେ ହାଲକା ଫୁଲକା ପ୍ରଶ୍ନ ? ତଥାପି ଉତ୍ତର ଦେଲି ହଁ, ପିଲା ଦିନେ ବହୁତ ଚୁଇଙ୍ଗମ ଖାଇଛି, କିନ୍ତୁ ହଠାତ୍ ଏପରି ପ୍ରଶ୍ନ କାହିକି? ମୋର ପ୍ରଶ୍ନକୁ ଅଣଶୁଣା କରି ସ୍ୱାତୀ ପୁଣି ପଚାରିଲା ଚୁଇଙ୍ଗମ କେମିତି ଖାଆନ୍ତି ? ପିଲାଦିନର ଚୁଇଁଗମ କଥା ମନେ ପକାଇ ହସ ତ ବହୁତ ଲାଗୁଥିଲା, କିପରି ଚୁଇଁଗମ ଖାଇ ପାଖବାଲା ସିଟ୍ ରେ ଚିପକେଇଦେଇ ସାଙ୍ଗମାନଙ୍କୁ ହଇରାଣ କରିବା, କେବେ କାହା ବାଳରେ ଚୁଇଁଗମ ଲଗେଇ ତୋ ମୁଣ୍ଡରେ କାଉ ହଗିଦେଲା କହି ମଜା କରୁଥିଲୁ । କିନ୍ତୁ ନିଜ ହସକୁ ମନରେ ରଖି କହିଲି, ଚୁଇଁଗମ ପାଟିରେ ପକାଇ ଚୋବେଇ ଚାଲ, କିଛି ସମୟ ପରେ ତାର ମିଠା ସରିଯାଏ, ତଥାପି ଚୋବାଇ ଚାଲ, ଯେତେବେଳେ ବୋର ହୋଇଯିବ ଥୁ କରି ଫୋପାଡି ଦେବ ।


ହୁଁ, ଖୁବ୍ ଛୋଟିଆ ଥିଲା ଏ ଶବ୍ଦଟିଏ ! ଗୋଟିଏ ଅକ୍ଷରର ଏଇ ଶବ୍ଦ କେତେ ଗମ୍ଭୀର ସତେ । ସତେ ଅବା ମହାଶୁନ୍ୟର ନିଥର ମଣ୍ଡଳର ସେଇ ଶବ୍ଦ । ସେ କହେ, କେବଳ ସେଇ ନିଜେ ହିଁ ଶୁଣେ, ଆଉ କେହି ଶୁଣି ପାରେନା, କିନ୍ତୁ ଯିଏ ଶୁଣେ ସେ ବୁଝି ବି ଅବୁଝା ରହିଯାଏ, ସେଇ ଶବ୍ଦର ଅର୍ଥ କଣଥିଲା, ହଁ ଅବା ନା । ମୁଁ ବି ଅବୁଝା ଶିଶୁଟିଏ ପରି ଚାହିଁ ରହିଥାଲି ସ୍ୱାତୀ ମୁହଁକୁ ତାର ପରବର୍ତ୍ତି ଶବ୍ଦ ଗୁଡିକ ପାଇଁ । ମୋର ଅବୁଝାପଣ ଦେଖି ସ୍ୱାତି ମୁହଁ ଖୋଲିଲା । କହିଲା ଫୋପଡା ଯାଇଥିବା ଚୁଆଁଗମକୁ ଉଠାଇ ଆଉ କେହି କଣ କେବେ ଖାଏ??

ସ୍ୱାତୀର ପ୍ରଶ୍ନର ଉତ୍ତରରେ ମୁଁ କହିଲି, ନା, ସେଇ ଚୁଇଁଗମରେ କଣ ବାକିଥାଏ ଯେ? ପବନ ବାଜି ସେ ଟାଣ ବି ହୋଇଯାଏ ।


ଫିକ୍ କିନା ହସିଦେଲା ସ୍ୱାତୀ, ବଡ ନିରାଶାର ସୁଖିଲା ହସଟିଏ । ପୁଣି କହିଲା, ବୋଧହୁଏ ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଗଲେ ।


: ମାନେ? ଆପଣଙ୍କ କଥା ବୁଝି ପାରିଲିନି । ମୁଁ ଚୁଇଁଗମ, ଆଉ ମୋର ପ୍ରଶ୍ନ ଏବଂ ତାର ଉତ୍ତର, ଏ ସମସ୍ତଙ୍କୁ ଗୋଟିଏ ସୁତାରେ ବାନ୍ଧିବାକୁ ଚେଷ୍ଟା କରୁଥିଲି । ଜ୍ୟାମିତିର କେଉଁ ଉପପାଦ୍ୟର ସୁତ୍ର ଖୋଜୁଥିଲି, ସେମାନଙ୍କୁ ଗୋଟିଏ ସରଳରେଖାରେ ଯୋଡି ହୋଇ ପାରିବ କି ନାହିଁ ! ମୋ ଅବୁଝାପଣ ଦେଖି ସ୍ୱାତୀ କହିଲା, ସେଇ ଚୁଇଁଗମ ଆଉ ମୁଁ ଆମେ ଗୋଟିଏ ଜିନିଷ । ମୁଁ ସେଇମିତି ଫୋପଡା ଯାଇଥିବା ଚୁଇଁଗମଟିଏ, ଆପଣଙ୍କ ପାଇଁ ମୁଁ ଯୋଗ୍ୟ ନୁହେଁ । ଆପଣ ଆଉ ମୋ ଅତୀତ କଥା ପଚାରି ମୋତେ ବ୍ୟଥିତ କରିବେନି ବୋଲି ଆଶା । ଆପଣ ଏବେ ଆସିପାରନ୍ତି ବୋଲି କହି ସ୍ୱାତୀ ତା ଜାଗା ଛାଡି ଠିଆ ହୋଇଗଲା ।


ମୁଁ କିନ୍ତୁ ବସିରହିିି ସ୍ୱାତୀର ମୁହଁକୁ ଚାହିଁ ରହିଥିଲି । ସେଇ ଦରମଉଳା ଫୁଲରେ ରଙ୍ଗମାନଙ୍କୁ ଖୋଜୁଥିଲି, ଉଡି ଯାଇଥିବା ମହକ ସବୁ ଖୋଜୁଥିଲି । ମୋତେ କାହିଁକି ଲାଗୁଥିଲା, ଏଇଟା ଗୋଟିଏ ଦରମଉଳା ଫୁଲର କାହାଣୀ ନୁହେଁ, ଏଇଟା ତ ଶରତ ଆକାଶର ପୁର୍ଣ୍ଣମୀ ଚାନ୍ଦର କାହାଣୀ । ଅଦିନିଆ ବାଦଲ ଢାଙ୍କି ଦେଇଛି କିଛି କ୍ଷଣପାଇଁ, ସଫେଦ ପତଳା ବାଦଲ ତଳେ ଲୁଚି ଯାଇଛି ପୁନେଇର ଚାନ୍ଦ । ଦି'ମିନିଟ ପରେ ବାଦଲ ହଟିଯିବ, ପୁଣି ହସି ଉଠିବ ଜହ୍ନ । ତାର ତୋଫା ମୁଁହ ଦେଖେଇ ଦେବ, ଚାନ୍ଦିନୀ ବିଛାଡି ଦେବ ଚାରିଦିଗରେ ।


ମୁଁ ମଧ୍ୟ ଠିଆ ହୋଇ ପଡିଲି, ସ୍ୱାତୀର ଠିକ୍ ସାମ୍ନାସାମ୍ନି । ଟିକେ ଗଳା ସଫାକରି ପଚାରିଲି, ସ୍ୱାତୀ, ତୁମେ କେବେ ଆଇସ କାଣ୍ଡି ଖାଇଛ ? ହଠାତ୍ ସ୍ୱାତୀର ଭୃକୁଞ୍ଚିତ ହୋଇଗଲା । ସତେ ଯେମିତି ପଛ ବେଞ୍ଚର ପିଲାଟିକୁ ସାର୍ ସାଇକୋଲୋଜୀର ସ୍ପେଲିଂ ପଚାରିଦେଲେ । ସ୍ୱାତୀ ଠିକ୍ ବୁିଝ ପାରୁନଥିଲା, ତାର ଚୁଇଙ୍ଗମ ଥିଓରୀର ଜବାବରେ ମୋର ଏଇ ଆଇସ୍ କାଣ୍ଡିର ଥିଓରୀ କଣ? ଏବଂ ତା'ପଛରେଥିବା ମୋ ଲଜିକଟା । ସେ ବୁଝି ପାରୁନଥିଲା, ମୁଁ କଣ ପ୍ରମାଣ କରିବାକୁ ଚାହୁଁଥିଲି । ତାର ଏ କନଫ୍ୟୁଜନକୁ ଦେଖି ମୁଁ ତାକୁ କହିଲି, ଛାଡ ସେସବୁ, କଥାଟାକୁ ମୁଁ ସିଧାସିଧା କହୁଛି । ଆମେ ଆଇସ୍ କାଣ୍ଡିକୁ ବଡ ଜତ୍ନରେ ଖାଉ, ଗୋଟିଏ ଟୋପାଏ ରସ ତରଳି ଯେପରି ତଳେ ପଡି ନଯାଏ, ସେଥିପାଇଁ ବଡ ସାବଧାନ ରହୁ । ଯେତେ ବେଳେ ଆଇସ କାଣ୍ଡିଟି ପୁରା ସରିଯାଏ, ତେବେବି ଆଇସ୍ କାଣ୍ଡିର କାଠିଟିକୁ ଶେଷଥର ପାଇଁ ଥରେ ମୁହଁରେ ପୁରାଇ ଚୁଷିନେଉ । କାଳେ ଟୋପାଏ ଲାଗି ରହି ଯାଇଥିବ ସେଥିରେ । ସେମିତି ମଣିଷର ଜୀବନ ଆଉ ଜୀବନର ସବୁ ସଂପର୍କ । ମଣିଷ ଜୀବନର ସଂପର୍କର ବନ୍ଧନ ମଧ୍ୟ ସେମିତି ଥାଏ । ଜଣେ ଆଉ ଜଣଙ୍କ ସହିତି ଜୀବନର ଶେଷମୁହୁର୍ତ୍ତ ପର୍ଯ୍ୟନ୍ତ ରହେ । ଯେବେ ଜୀବନ ସରିଯାଏ ସେତେବେଳେ ଖାଲି ନିର୍ଜୀବ ଦେହଟି ଆଇସ୍ କାଣ୍ଡିର କାଠିଟିଏ ପରି ହୋଇଯାଏ । ଦେଖ ସ୍ୱତୀ, କିନ୍ତୁ ମଣିଷର ଜୀବନ କିଛି ଚୁଇଙ୍ଗମ କିମ୍ବା ଆଇସ୍ କାଣ୍ଡି ନୁହେଁ । ମଣିଷ ଜୀବନର ତୁଳନା ଏକ ଧଳା ଲୁଗାସହିତ ମଧ୍ୟ କରାଯାଇ ପାରେ । ଲୁଗାତ କେବେ ନା କେବେ ଆସନା ହେବ, ତାବୋଲି ତାକୁ କେହି ଫୋପାଡି ଦିଏନା । ଅସନା ଲୁଗାକୁ ଧୋଇଧାଇ ପରିଷ୍କାର କରିଦିଅ, ପୁଣି ବ୍ୟବହାର କର ।


ଆମେ ମଣିଷ, ଆମେ ଜୀବନରେ ଠିକ୍ ବି କରୁ, ଜାଣ ଅଜାଣତରେ କିମ୍ବା ଭାବାବେଗରେ ଭୂଲ ବି କରୁ । କିନ୍ତୁ ତାର ଅର୍ଥନୁହେଁ ଗୋଟିଏ ଭୂଲର ବୋଝ ସାରାଜୀବନ ମୁଣ୍ଡରେ ବୋହି ବାକିଥିବା ଜୀବନକୁ ସମାପ୍ତ କରିଦେବୁ । ତୁମର ଅତୀତ ସହିତ ମୋର କିଛି ଯା ଆସ ନାହିଁ । ସେ ତୁମର ଅତୀତ ଥିଲା । ମୁଁ ସେ ବିଷୟରେ କିଛି ଜାଣିବାକୁ ଚାହୁଁନି, କେବେ ବି ଜାଣିବାକୁ ଚାହିଁବି ନାହିଁ । ମୁଁ ଭବିଷ୍ୟତ ବିଷୟରେ ଭାବୁଛି । ତୁମେ ଯଦି ଚାହିଁବ ଆମେ ଆମର ଭବିଷ୍ୟତ ଜୀବନକୁ ସାଥିହୋଇ ଜିଇଁପାରିବା । ତୁମେ ସବୁକିଛି ଭୂଲି ମୋ ସହିତ ଏକ ନୁଆ ଜୀବନ ଆରମ୍ଭ କରି ପାରିବ? ତୁମେ ମୋତେ ବିବାହ କରି ପାରିବ ସ୍ୱାତୀ?


ସ୍ୱାତୀର ଆଖି ଛଳଛଳ ହୋଇ ଆସୁଥିଲା, କଣ୍ଠ ରୁନ୍ଧିହୋଇ ଆସୁଥିଲା । ସେ କିଛି କହିପାରୁ ନଥିଲା, ଧାଇଁ ଆସିଲା ମୋ ପାଖକୁ, ମୋ ଛାତିରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦି ଉଠିଲା । ଭାବାବେଗରେ ମୋର ଦୁଇବାହୁ ତାକୁ ନିବିଡ ଭାବେ ଜାବୁଡି ଧରିଥିଲେ ।


***$***

ସହକର୍ମୀ ଅଳତା ଛବି

Rate the content


Originality
Flow
Language
Cover design

Comments

Post

Some text some message..