Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Kumar Misra

Inspirational

4  

Santosh Kumar Misra

Inspirational

ଅନୁଭୂତି ୨

ଅନୁଭୂତି ୨

5 mins
14.5K


ଅନୁଭୁତି ୨

ଅନେକ ଦିନ ତଳର କଥା | ମୁଁ ସେତେବେଳେ ଅତିରିକ୍ତ ତହସିଲ୍‌ଦାର ଭାବରେ କୋରାପୁଟ ଜିଲ୍ଲାରେ ଚାକିରୀ କରୁଥାଏ | ମୁଁ ଦିନେ ଅନୁଭବ କଲି ଯେ ସ୍ଥାନୀୟ ତହସିଲ ଅନ୍ତର୍ଗତ ଏକ ଦୂରାନ୍ତ ଗାଁର ଜଣେ ଲୋକ କିଛି ଦିନ ଧରି ଲଗାତର ଭାବରେ ତହସିଲ ଅଫିସକୁ ଆସୁଛି | ପରେ ପରେ ମୁଁ ଜାଣିବାକୁ ପାଇଲି ଯେ ସେ ଲୋକଟି ବିଗତ ହପ୍ତାଏ ପନ୍ଦର ଦିନ ହେଲା ତହସିଲ ଅଫିସର ବରଣ୍ଡାରେ ରାତିରେ ଶୋଇ ରହୁଛି | ସେ କେଉଁ କାରଣରୁ ଯେ ତହସିଲ ଅଫିସର ବରଣ୍ଡାରେ ଶୋଇ ରହୁଛି ବା ତା’ର କଣ କାମ ତହସିଲ ଅଫିସରେ ପଡି ରହିଛି ହେଇପାରିନି ସେ ବିଷୟରେ କୌଣସି ସୂଚନା କିନ୍ତୁ ପାଇ ପାରିଲିନି | ମୁଁ ଜଣେ ବିଶ୍ଵସ୍ତ ସହକର୍ମୀଙ୍କୁ ଏ ସମ୍ପର୍କରେ ଖବର ନେବା ପାଇଁ କହି ସେ ଦିନ ଏକ ଜରୁରୀ କାମରେ ଅଫିସ୍‌ ବାହାରକୁ କିଛି ସମୟ ପାଇଁ ଚାଲିଗଲି |

ଅଫିସକୁ ଫେରିଲା ପରେ ଦେଖିଲି ଲୋକଟି ସାମନା ପଟ ବରଣ୍ଡାରେ ଚଟାଣ ଉପରେ ଗାମୁଛାଟିଏ ପାରିଦେଇ ଶୋଇଛି| ମୁଁ ଏଭଳି ଏକ ଦୃଶ୍ୟ ଦେଖି ବିବ୍ରତ ହେଇଗଲି | ଦେଖିଲି ମଧ୍ୟାହ୍ନ ଭୋଜନ ସମୟ ହେତୁ ଅଫିସ୍‌ ପୁରା ଫାଙ୍କା ହେଇଯାଇଥିଲା | କେବଳ ମୋର ଅର୍ଦ୍ଦଳି ରାମୁଲୁ ଖାଇବାକୁ ନଯାଇ ମୋତେ ଅପେକ୍ଷା କରି ରହିଥିଲା | ମୁଁ ମଧ୍ୟ ଖାଇବାକୁ ନଯାଇ ଲୋକଟିକୁ ଡାକି ଦେଇ ସାରି ଖାଇବାକୁ ଯିବା ପାଇଁ ରାମୁଲୁକୁ କହିଲି | ଡାକରା ପାଇ ଲୋକଟି ତରବର ହୋଇ ମୋ କୋଠରୀ ଏରୁଣ୍ଡି ପାଖରେ ଆସି ଛିଡାହେଲା କିନ୍ତୁ କୋଠରୀ ଭିତରକୁ ଆସିଲା ନାହିଁ | ମୁଁ ମୋ ଟେବୁଲ ପାଖରେ ବସି ତାକୁ ଲକ୍ଷ୍ୟ କରୁଥାଏ| ସେ ସେହିଠାରେ ଛିଡା ରହିବାରୁ ମୁଁ ତାକୁ ଆଉ ବିଳମ୍ବ ନକରି ଭିତରକୁ ଆସିବାକୁ ଡାକିଲି | ସନ୍ତର୍ପଣରେ ଆସି ମୋ ପାଖରେ ଛିଡାହେଲା ଲୋକଟି | ବହୁ ପଚରା ଉଚରା ପରେ ଡରି ଡରି ସେ ଯାହା ମୋତେ କହିଲା ତାହାଥିଲା ଏପରି: ତା’ର ନାଁ ପଦମନ ଜାନି | ତା’ର ଘର ତହସିଲ ଅଫିସ୍‌ ଠାରୁ ପ୍ରାୟ ଶହେ କିଲୋ ମିଟର ଦୂର ପାହାଡ ପର୍ବତ ଘେରା ଅପନ୍ତରା ଅଞ୍ଚଳର ଏକ ଗାଁରେ | ଗତ ଖରାଦିନେ ଗାଁରେ ନିଆଁ ଲାଗିଯିବାରୁ ତା’ର ଘରଟି ପୋଡି ଯାଇଥିଲା ଏବଂ ତା’ର ଜମିର ପଟ୍ଟାଟି ମଧ୍ୟ ସେହି ନିଆଁରେ ପୋଡି ଯାଇଥିଲା| ଏବେ ଝିଅ ବାହାଘର ପାଇଁ ଟଙ୍କା ପଇସା ନିଅଣ୍ଟ ପଡିବାରୁ  ସେ ଖଣ୍ଡେ ଜମି ବିକ୍ରି କରିବାକୁ ଚାହୁଁଛି| କିନ୍ତୁ ତା’ ପାଖରେ ଯେହେତୁ ଜମିର ପଟ୍ଟାଟି ନାହିଁ ସେ ଜମି ବିକ୍ରି କରି ପାରୁନି | ତେଣୁ ସେ ଗତ ପନ୍ଦରଦିନ ହେଲା ଗାଁରୁ ଆସି ତା’ର ଜମି ପଟ୍ଟାର ଏକ ପ୍ରମାଣୀକୃତ ନକଲ ପାଇବା ପାଇଁ ହାକିମଙ୍କ ପାଖରେ ଆବେଦନ କରିଛି| କିନ୍ତୁ ସେ ତାହା ଏ ଯାବତ ପାଇପାରିନଥିବାରୁ ଅପେକ୍ଷା କରିଛି |

ତହସିଲର ରେକର୍ଡରୁମ୍‌ ମୋ ଦାୟିତ୍ଵରେ ଥିଲା| ଲୋକଟିର ଏପରି ଦୁର୍ଦ୍ଦଶା ଦେଖି ମୋତେ ବହୁତ ଦୁଃଖ ଲାଗିଲା | କାରଣ ଲୋକଟି ଚାହିଁଥିବା ତା’ ଜମିର ପ୍ରମାଣିକୃତ ନକଲଟି ତହସିଲର ରେକର୍ଡରୁମରୁ ହିଁ ସେ ପାଇବା କଥା| ମୁଁ ଉଚ୍ଛୁକତା ବଶତଃ ତା’କୁ ପଚାରିଦେଲି : ତୁମେ  ଏତେ ଦିନ ହେଲା ଏଠି ବରଣ୍ଡାରେ ଶୋଇ କଷ୍ଟ ପାଉଛ , ହାକିମଙ୍କୁ ଦେଖା କରି କହିଲନି କାହିଁକି? ଲୋକଟି କୌଣସି ଦ୍ଵିଧା ନକରି କହିଲା ଅମିନ ବାବୁ ତାକୁ ମନା କରିବାରୁ ସେ କହିନି | ଅମିନ ବାବୁ ସମୟ ସୁବିଧା ଦେଖି ହାକିମଙ୍କ ଠାରୁ ପଟ୍ଟାଟି ସନ୍ତକ କରେଇଦେବେ ବୋଲି କହିଛନ୍ତି| ସେଥିପାଇଁ ସେ ତକୁ ୧୬୦୦ ଟଙ୍କା ମାଗିଛନ୍ତି କିନ୍ତୁ ସେ ମାତ୍ର ୨୦୦ ଟଙ୍କା ସାଙ୍ଗରେ ଆଣିଥିବାରୁ ବଳକା ଟଙ୍କା ନେଇ ଆସିବାକୁ ତା’ର ଭାଇକୁ ଖବର ଦେଇଛି | ଗାଁରୁ ଭାଇ ଟଙ୍କା ନେଇ ଆସିଲେ ଅମିନ ବାବୁ ତାର କାମ କରିବେ| ଯେହେତୁ ତାର କେହି ବନ୍ଧୁ ବାନ୍ଧବ ପାଖ ଆଖରେ ନାହାନ୍ତି  ତହସିଲ ଅଫିସର ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଇଛି | ମୋ କୋଠରୀରେ ବସିବାକୁ କହି ତାକୁ, ମୁଁ ଖାଇବାକୁ ମୋ ବସାକୁ ଚାଲି ଗଲି|

ମୁଁ ଖାଇସାରି ଆସିଲା ବେଳକୁ ଅଫିସକୁ ପ୍ରାୟ ସବୁ କର୍ମଚାରୀ ଆସିଯାଇଥିଲେ| ମୁଁ ରେକର୍ଡ କିପରଙ୍କୁ ମୋ ଅର୍ଦ୍ଦଳି ଦ୍ୱାରା ଡକେଇ ପଠେଇଲି ଓ କହିଲି ଆସିଲାବେଳେ ଜମି ପଟ୍ଟାର ପ୍ରମାଣୀକୃତ ନକଲ ଦେବାକୁ ବ୍ୟବହାର ହେଉଥିବା ରେଜିଷ୍ଟରକୁ ସାଙ୍ଗରେ ଧରି ଆସିବାକୁ| ଅଫିସରେ କେହି ଜାଣି ନଥିଲେ ଯେ ମୁଁ ଏହା ଭିତରେ ସେ ଲୋକଟି ସହିତ କଥା ହେଇ ସାରିଛି| ତେଣୁ ଅଫିସ୍‌ର ରେକର୍ଡକିପର ମିଶ୍ର ବାବୁ କିଛି ସମୟ ପରେ ରେଜିଷ୍ଟର ଧରି ଆସିଲେ | ମୁଁ ଦେଖିଲି ପଦମନ ଜାନି କରିଥିବା ଦରଖାସ୍ତ ଉପରେ ତା’ର ଜମି ପଟ୍ଟାର ପ୍ରମାଣୀକୃତ ନକଲ ଦଶ ଦିନ ତଳୁ ପ୍ରସ୍ତୁତ ସରିଛି କିନ୍ତୁ ତାକୁ ହସ୍ତାନ୍ତର କରାଯାଇନି | କାହିଁକି ସେ ନକଲଟି ପଦମନକୁ ଦିଆଯାଇନି ବୋଲି ପଚାରିବାରୁ ମୋତେ ଉତ୍ତର ମିଳିଲା କେହି ଆସିନାହନ୍ତି ତାହା ନେବାକୁ | କାହା ଘରେ ନେଇ ଦେଇ ଆସିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ| ମୁଁ ଏହି ଉତ୍ତର ପରେ ସହଜରେ ଅନୁମାନ କରିନେଲି ଯେ କେତେଜଣ ତଳିଆ କର୍ମଚାରୀ ମିଶି ତହସିଲ ଅଫିସ୍‌କୁ ଆସୁଥିବା ଲୋକଙ୍କୁ ବିନା ଦ୍ୱିଧାରେ ଶୋଷଣ କରୁଛନ୍ତି | ମୁଁ ପଦମନକୁ ଡାକି ମୋ ଉପସ୍ଥିତିରେ ରେକର୍ଡକିପରଙ୍କ ଠାରୁ ତା’ର ପଟ୍ଟାର ନକଲଟି ଦିଆଇଲି| ପଦମନର ମୁହଁରେ ସ୍ମିତ ହସଟିକକ ମୋତେ ଖୁବ୍‌ ଆତ୍ମ ତୃପ୍ତି ଦେଲା|

ତରବର ହେଇ ପଦମନ ମୋ କୋଠରୀ ଭିତରୁ ବାହାରି ଯାଇ ତା ଲୁଗା କୁଞ୍ଚ ଗଣ୍ଠି ଫିଟେଇଲା ଓ କିଛି ଟଙ୍କା ବାହାର କରି ଗଣିଲା| ମୋ ମନକୁ ପାପ ଛୁଇଁଲା| ମୁଁ ତାକୁ ଡାକିଲି ଏବଂ କହିଲି ପଇସାପତ୍ର କାହାରିକୁ ଦବୁନି, ସିଧା ଗାଁକୁ ଯିବୁ| ସେ ନିହାତି ସରଳତାର ସହିତ ଉତ୍ତର ଦେଲା ଯେ ସେ ବସ ଭଡା ପାଇଁ ପଇସା ଗଣୁଥିଲା | ତା ପାଖରେ ଏବେ ଆବଶ୍ୟକ ଭଡାଠାରୁ କୋଡିଏ କି ତିରିଶ ଟଙ୍କା କମ ଅଛି | କାହାକୁ ହେଲେ ମାଗିଯାଚି ସେ ଚାଲିଯିବ | ମୁଁ ତାକୁ ତିରିଶ ଟଙ୍କା ଦେଲି ଓ କହିଲି ଗାଁକୁ ଯିବୁଭାରି| ପଦମନ ଅଫିସ୍‌ ବାହାରକୁ ଚାଲିଗଲା ସିନା କିନ୍ତୁ ଅଫିସ ଗେଟ ପାଖରେ ତାକୁ ଘେରି ଗଲେ ତହସିଲ ଅଫିସରେ ଦଲାଲି କରୁଥିବା କିଛି ଲୋକ| ପଦମନ ବିଷୟରେ ସବୁକିଛି ସେମାନଙ୍କୁ ଜଣାଥିଲା| ସେମାନଙ୍କ ଭିତରୁ ଜଣେ, ପଦମନ ହାତରୁ ସେ ଏବେ ଏବେ ମୋ ପାଖରୁ  ନେଇଥିବା ତା’  ଜମି ପଟ୍ଟାର ପ୍ରମାଣୀକୃତ ନକଲଟି ଛଡେଇ ନେଲା ଏବଂ ଅନ୍ୟ ସାଥୀ ମାନଙ୍କୁ ଦେଖେଇ ଅନେକ ତାଚ୍ଛଲ୍ୟ କଲା | ସେମାନେ ସମସ୍ତେ ଏକାଠି ହୋଇ ଲାଗିପଡିଲେ ପଦମନକୁ ବିଶ୍ୱାସ ଦିଆଇବାକୁକି ସେ ମୋ ଠାରୁ ପାଇଥିବା ନକଲ ଖଣ୍ଡିକ ନକଲି ଅଟେ| ତହସିଲ ଅଫିସରେ କେବେ ବି କେହି ହେଲେ ବିନା ପଇସାରେ କାମ କରି ପାରନ୍ତି ନାହିଁ| ସେ କିଛି ପଇସା ଦେଇନାହିଁ ମାନେ ଏହା ପ୍ରକୃତ ପଟ୍ଟା ନକଲ ନୁହେଁ| ବିଚରା ପଦମନ ସେମାନଙ୍କ କଥା ଶୁଣି କ’ଣ କରିବ  ବା କ’ଣ ନକରିବ କିଛି ଭାବି ପାରିଲାନି|

ସେହି ଖଳ ବ୍ୟକ୍ତି ମାନେ ଏହି ମଉକାରେ ତା’କୁ ମୋ ଠକାମି ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଉସୁକାଇବାରେ ସକ୍ଷମ ହେଇଗଲେ ଓ ତା’କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କର ପ୍ରକୋଷ୍ଠ ଯାଏଁ ନେଇଗଲେ|

 

ସେଦିନ ଥିଲା ରାଜସ୍ଵ କମିଶନରଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ଅଫିସ୍‌ର ନିରୀକ୍ଷଣର ଦିନ | ପଦମନ ସେତେବେଳକୁ ମୋ ଉପରେ ରକ୍ତ ଚାଉଳ ଚୋବାଉଥିଲା କାରଣ ସେ ନିଶ୍ଚିତ ହେଇ ଯାଇଥିଲା ଯେ ମୁଁ ତା’କୁ ଠକି ଦେଇଛି| ସେ ପଇସାପତ୍ର ଦେଇ ଠିକ୍‌ ନକଲଟି ନେବାପାଇଁ ପ୍ରସ୍ତୁତ ଥିବା ବେଳେ ମୁଁ ତାକୁ ବିନା ପଇସାରେ ଏକ ନକଲି କାଗଜ ଦେଇ ତାର ନିରୀହତା ପ୍ରତି ଗଭୀର ଭାବରେ ବିଶ୍ୱାସଘାତକତା କରିଛି|  ସେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଭିତରକୁ ପଶିଯିବାକୁ ଗଲାବେଳେ ତାକୁ ସେଠାକାର ଦ୍ୱାରପାଳ ବାରଣ କଲେ| ଏକଥା କିନ୍ତୁ ପ୍ରକୋଷ୍ଠ ଭିତରେ ବସିଥିବା ରାଜସ୍ୱ  କମିଶନରଙ୍କ ନଜରରେ ପଡିଯାଇଥିଲା

 

ରାଜସ୍ଵ କମିଶନରଙ୍କ ନିର୍ଦ୍ଦେଶରେ ଦ୍ଵାରପାଳ ପଦମନକୁ ପ୍ରକୋଷ୍ଠ ଭିତରକୁ ପଶିବାକୁ ଅନୁମତି ଦେଲେ ଏବଂ ପଦମନ ଉଭୟ ରାଜସ୍ଵ କମିଶନର ଓ ଜିଲ୍ଲାପାଳଙ୍କ ଆଗରେ ଏକା ନିଶ୍ଵାସରେ ସେ ଠକି ହେଇଯାଇଥିବାର ଅଭିଯୋଗ କଲା| ରାଜସ୍ଵ କମିଶନର ଅଭିଯୋଗ ଶୁଣି ଖୁବ୍‌ ରାଗିଗଲେ ଏବଂ ତାଙ୍କ ନିକଟରେ ତୁରନ୍ତ ହାଜର ହେବା ପାଇଁ ନିର୍ଦ୍ଦେଶ  ଦେଲେ| ଜିଲ୍ଲାପାଳ ମୋତେ ହୁଏତ ଠିକ ଭାବରେ ଆଗରୁ ପରଖି ଥିଲେ| ସେ ପଦମନ ହାତରୁ ପଟ୍ଟାର ନକଲଟି ନେଇ ଜିଲ୍ଲା ରେକର୍ଡରୁମ୍‌ର ପଟ୍ଟା ନକଲ ସହିତ ମିଳାଇ ଯାଞ୍ଚ କରିବାପାଇଁ ତାଙ୍କ ପେସ୍କାର ବାବୁଙ୍କୁ ନିର୍ଦ୍ଦେଶ ଦେଲେ| ସେତେବେଳକୁ ମୁଁ ପହଞ୍ଚିସାରିଥାଏ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ| ରାଜସ୍ଵ କମିଶନର ମୋତେ ମୋର ନାମ ପଚାରିଲେ ଏବଂ ପଦମନ ଘଟଣାକୁ ନେଇ ଆଖିବୁଜା ଗାଳି ଆରମ୍ଭ କରିଦେଲେ ଏପରିକି ମୋ ନାମରେ ପୋଲିସ କେସ କରିବାକୁ ମଧ୍ୟ ଧମକ ଦେଲେ |  ଜିଲ୍ଲାପାଳଙ୍କ ଦପ୍ତରରେ ତଳିଆ କର୍ମଚାରୀ ମାନେ ଛକାପଂଝା ହେଇ ନିରେଖି ଚାଲିଥିଲେ ମୋ ପ୍ରତି ରାଜସ୍ୱ କମିଶନର କରିଚାଲିଥିବା  ଦୁର୍ବ୍ୟବହାରକୁ | କାରଣ କର୍ମଚାରୀଙ୍କ ମହଲରେ ଆଗରୁ ପ୍ରଘଟ ହେଇଥିଲା ଯେ ରାଜସ୍ୱ କମିଶନର କର୍ମଚାରୀମାନଙ୍କୁ ବହୁତ ଦୁର୍ବ୍ୟବହାର କରନ୍ତି| ମୁଁ ସେ ପର୍ଯ୍ୟନ୍ତ ଜାଣି ପାରୁନଥିଲି କି ରାଜସ୍ୱ କମିଶନରଙ୍କର ମୋ ପ୍ରତି ଏତାଦୃଶ ବ୍ୟବହାରର କାରଣଟି କଣ ହେଇପାରେ| କିନ୍ତୁ ପଦମନକୁ ସେଠି ଦେଖିବାପରଠାରୁ ମୁଁ ଅନୁମନ କରୁଥିଲି କି ତାର ସମସ୍ୟାକୁ କେନ୍ଦ୍ର କରି କିଛି ଘଟିଥାଇପାରେ|

 

କିଛି ସମୟ ପରେ ଜିଲ୍ଲା ରେକର୍ଡ ରୁମର ଅଧିକ୍ଷକ ଆବଶ୍ୟକ ରେକର୍ଡପତ୍ର ସହିତ ପଦମନକୁ ମୁଁ ଦେଇଥିବା ପଟ୍ଟାର ନକଲଟି ଧରି ଜିଲ୍ଲପାଳଙ୍କ ପ୍ରକୋଷ୍ଠ ଭିତରକୁ ପଶିଲେ| ଜିଲ୍ଲାପାଳ କାଗଜ ପତ୍ର ଦେଖିସାରି ପଦମନ ହାତକୁ ପଟ୍ଟାଟି ବଢେଇ ଦେଇ କହିଲେ ତୁମକୁ ତୁମ ଜମିଜମା ପଟ୍ଟାର ଠିକ ନକଲ ତହସିଲରୁ ଦିଆଯାଇଛି |

ପଦମନ ଚାଲିଯିବାକୁ ବସିଲା ଜିଲ୍ଲାପାଳଙ୍କ ଦପ୍ତରରୁ କିନ୍ତୁ ତା’ ମନରେ ଉଙ୍କି ମାରୁଥିଲା ପ୍ରଶ୍ନ କି ବିନା ପଇସାରେ ସେ ପାଇଯାଇଥିବା ପଟ୍ଟାର ନକଲ ସତରେ କଣ ଠିକ୍ ନା ସେ ଜଣେ ଗରୀବ ଲୋକ ବୋଲି ସରକାରୀ ବାବୁ ମାନେ ମିଶିକରି ତାକୁ ଠକି ଦେଇଛନ୍ତି?

 

ସମାପ୍ତ

 


Rate this content
Log in

Similar oriya story from Inspirational