Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କମ୍ବଳ
କମ୍ବଳ
★★★★★

© Subal Mohapatra

Inspirational Abstract Others

7 Minutes   13.7K    19


Content Ranking

ବାହାଘର ର ଚାରିବର୍ଷ ପୁରିଲା ପରେ ବି କୋଳ ରେ ଛୁଆଟେ ନ ଥିବାରୁ କେତେ ଥର ଲୋକ ହସା ହେଲା ପରେ ଚମ୍ପା ବାହାରିଲା ମଙ୍ଗୁ ମା’ ବତେଇଥିବା ବାବା ପାଖକୁ I ବାବା କୁଆଡେ ଭାରି ପ୍ରତ୍ୟକ୍ଷ I ସିଧା ସିଧା ଭଗବାନଙ୍କ ସହ କଥା ହୁଏ I କେତେ ବଡ ବଡ ଲୋକ ତା' ଭକ୍ତ I ଲୋକ ଗାଡି କରି ଆସନ୍ତି ତା ପାଖକୁ I ସେଦିନ ଭାବ କୁ ନ ଜଣେଇ ସେ ମଙ୍ଗୁ ମା ସହ ବାହାରି ଗଲା ବାବା ପାଖକୁ I ଭାବ ତା' ଗେରସ୍ତ I ଛୁଆ ନ ଥିଲେ ତା'ର ମାଈ ରେ ଯାଏ ନି କି ଗାଈ ରେ ଯାଏନି I କହିଲେ କହିବ ଭଗବାନଙ୍କର ଦେବାର ଥିଲେ ଦେବେ , ନ ହେଲେ ନାହିଁ I କିନ୍ତୁ ସେ କ'ଣ ଶୁଣେ ଏ ସାଇ ଭାଇଙ୍କ କଥା ? ସବୁ ତ ଚମ୍ପା କୁ ଶୁଣିବା କୁ ପଡେ, କେତେ ମୁହଁ ମୋଡା, ନାକ ଛିଂଚିଡା ଆଉ ସିଧା ସିଧା କଥା ଶୁଣି ସେ ତୁନି ରହେ I ହେଲେ ସେଦିନ କହୁ କହୁ ସେ ରଥ ବୁଢ଼ୀ ତାକୁ ବାଞ୍ଝ ବୋଲି କହିଦେଲା I ଭାରି ବାଧିଲା ତାକୁ ଏ କଥା ଟି I ହେଲେ କରିବ କଣ? ଡାକ୍ତର ଯେଉଁଠି ମନା କଲା ଆଉ କାହାର କଣ କରିବାର ଅଛି ? ଡାକ୍ତର ମନା କଲା , ଚମ୍ପା କେବେ ମା ହେଇ ପାରିବ ନାହିଁ I ତାପରେ ଭାବ କୁ ସେ କଣ କମ ବୁଝେଇଛି ଦ୍ଵିତୀୟ ହେବା ପାଇଁ I ହେଲେ ସବୁ ବେଳେ ଭାବ କଥା ଟାଳି ଦିଏ I କହେ, "ଭଗବାନଙ୍କର ଦେବାର ଥିଲେ ଆମକୁ ଦେଇ ଥାନ୍ତେ I ନ ଦେଲେ ନାହିଁ I ତୁ ମନ ଦୁଃଖ କରନି କି ମୋତେ ଆଉ କିଛି କହନି I ସେଥିପାଇଁ ସେ ଆଜି ଭାବ କୁ କିଛି ନ ଜଣେଇ, ମଙ୍ଗୁ ମା ସହ ଏ ବାବା ପାଖକୁ ଆସିଛି I 

ବାବା ପାଖରେ ପହଁଚିଲା ପରେ ବାବା ୟା ହାତ ମୁହଁ ଦେଖି କହିଲା, "ହବୁ, ହବୁ , ତୁ ବି ମା ହବୁ I କିନ୍ତୁ ତୁ ଅଫଳନ୍ତି ଗଛ I ତୋ ଠୁ ହବନି I ଗୋଟେ କାମ କର, ମୁଁ ପୂଜା କରିବି I ତୁ ଜିନିଷ ଯୋଗାଡ କର I ନିଜର ନ ହେଲେ ବି ଆଉ କାହାର ପାଇବୁ I ପୂଜା ପାଇଁ ଟଙ୍କା ପନ୍ଦର ହଜାର ଖର୍ଚ ହେବ I ଯା.. ଟଙ୍କା ଯୋଗାଡ ସରିଲେ ମୋ ପାଖକୁ ଆସିବୁ " I

ପନ୍ଦର ହଜାର ଟଙ୍କା ? ଏତେ ଟଙ୍କା କିଏ ଚମ୍ପା କିଏ? ଗେରସ୍ତ ତା'ର ବାବୁଙ୍କ ଘରେ ହଳିଆ I ମାସ କୁ ଚାରି ହଜାର ଟଙ୍କା ପାଏ I ସେଇଥିରେ ଦି ପ୍ରାଣୀ ଚଳନ୍ତି I ଏତେ ଗୁଡ଼େ ଟଙ୍କା ସେ କୁଆଡୁ ଆଣିବ? ହଉ ଦେଖିବା କହି ଭାବି ଭାବି ସେ ଘରକୁ ଆସିଲା I 

ସନ୍ଧ୍ୟା ରେ ଭାବ ବାବୁ ଘରୁ, ଘରକୁ ଫେରି ତା ସାର୍ଟ ପକେଟ ରେ ଥିବା କଏନ କେତୋଟି ତା ଠଣା ରେ ଗଳେଇ ଦେଲା I ଚମ୍ପା ସବୁ ଦିନେ ଦେଖେ ଭାବ ଏହିପରି କରେ I ସବୁଦିନ ସନ୍ଧ୍ୟା ରେ କିଛି କିଛି ସେ ଠଣା ରେ ପକାଏ କିନ୍ତୁ ଶୀତଦିନେ ସେଥିରୁ ସବୁ ବାହାର କରି ନେଇ ଯାଏ I ସବୁ ବର୍ଷ ସେ ଏହିପରି କରେ I ଚାରି ବର୍ଷ ହେଲା ଚମ୍ପା ଦେଖୁଛି, ସେ ଏହିପରି କରୁଛି କିନ୍ତୁ କେବେ ତାକୁ କିଛି ପଚାରି ନାହିଁ I ଆଜି ପଇସା ଦରକାର ହେଲାରୁ ତା ର ଏ ଦିଗକୁ ଧ୍ୟାନ ଗଲା I ସେ ଜାଣି ଜାଣି ଭାବ କୁ ପଚାରିଲା , " ଏଥିରେ କେତେ ପଇସା ହଵଣି? 

"କେଜାଣି" ପରି ଛୋଟ ଉତ୍ତର ଟିଏ ଦେଇ ଭାବ ଗାଧୁଆ ଘରକୁ ପଶିଗଲା I 

ଚମ୍ପା ର ତ ମନ ଲାଗିଛି, ସେ ବି କେଉଁ ଛାଡିବା ଜନ୍ତୁ ? ସବୁଦିନ ସେ ଠଣା ଉପରେ ନଜର ରଖେ I ଦିନେ ସୁବିଧା ଦେଖି ସେ ଗଣି ବସିଲା I ଦୁଇ ହଜାର ସାତ ଶହ ଚଉତିରିଶି ଟଙ୍କା I ଏବେ ସୀତା ପଡି ଆସିଲାଣି I ଚମ୍ପା ଜାଣେ ଏବେ କେବେ ଭାବ ଏ ଟଙ୍କା ସବୁ ନେଇଯିବ I କୁଆଡେ ନବ ? କାହାକୁ ଦବ କିଛି ସେ ଜାଣିନି I ଏଥର ଦେଖିବ ସେ, କଣ କରୁଛି I 

ସେଦିନ କହୁ କହୁ ବାବା କଥା ଭାବ କୁ କହିଦେଲା ଚମ୍ପା I ଭାବ ରାଗିଗଲା I କହିଲା , " ଥରେ କହିଲେ ଜଣା ପଡୁନି ? କଉ ବାବା, ଫାଵା ପାଖକୁ ଯିବା ଦରକାର ନାହିଁ" I 

ଚମ୍ପା ବି ଶୁଣେଇ ଦେଲା, " ମୋର ଛୁଆ ଟେ ଦରକାର I ତମେ ଦ୍ଵିତୀୟ ହୁଅ ପଛେ I ନହେଲେ ଯା କାହାଠୁ କିଣି କି ଆଣ କି ଚୋରି କରି ଆଣ I ମୁଁ ଜାଣିନି I ସେ ବାବା କହିଛି ପନ୍ଦର ହଜାର ଟଙ୍କା ନବ କିନ୍ତୁ ପୂଜା କରିଦେବ ଛୁଆଟେ ପାଇଁ I ଭଗବାନଙ୍କ ସହ ସେ କଥା ହୁଏ I ନିଶ୍ଚିତ ଆସିବ ଆମ ପାଖକୁ ଛୁଆ ଟେ" I

ପନ୍ଦର ହଜାର କଥା ଶୁଣି ଭାବ ଆହୁରି ରାଗିଗଲା I ମନେ ମନେ ଭାବିଲା ପଇସା ତକ ଏବେଠୁ ନେଇ ନ ଗଲେ , ଚମ୍ପା ଏ ପଇସା କୁ ଅଡ଼ି ବସିବ I ତେଣୁ ସେ ଠଣା ଟି ଧରି ବାହାରକୁ ପଳେଇଲା I   

ଏପଟେ ଠଣା ଟି ଧରି ଭାବ କୁ ବାହାରକୁ ଯିବା ର ଦେଖି ଚମ୍ପା କି ଆଉ ସମ୍ଭାଳେ ? ସେ ବି ତା ପଛେ ପଛେ ଚାଲିଲା I ସମୟ ରାତି ଦଶଟା ପାଖାପାଖି ହେବ I ରାଜଧାନୀ ରେ ଶୀତ ପଡି ପଡି ଆସିଲାଣି I ଦିନରେ ବେଶୀ ନ ହେଲେ ବି ରାତିରେ ଅଳ୍ପ ଅଳ୍ପ ଶୀତ ଅଛି I ରାସ୍ତା କଡ ରେ ଲୋକ ମାନେ ଶୋଇବାକୁ ତିଆର ହେଲେଣି I ଦୋକାନ ବଜାର ସବୁ ବନ୍ଦ ହେଇ ଆସିଲାଣି I କିଛି କିଛି କାଠି କୁଟା ଜାଳି ଶୀତ ରୁ ରକ୍ଷା ପାଇବାକୁ ହାତ ଗୋଡ ପୁହିଁ ହେଉଛନ୍ତି I ରାସ୍ତା ରେ ଘଇତା ମାଈପ ଦି ଟା ଆଗ ପଛ ହେଇ ଚାଲିଥାନ୍ତି I ଭାବ ଜାଣି ନଥାଏ ଯେ ଚମ୍ପା ତା ପଛେ ପଛେ ଆସୁଛି I ଚମ୍ପା ବି ଦେଖି ଦେଖି ଚାଲିଥାଏ ଯେମିତି ଭାବ ତାକୁ ନ ଦେଖେ I ସବୁ ବର୍ଷ ପଇସା ସଂଚିବ, ହେଲେ ଏ ଶୀତ ଦିନେ ସବୁ କୁଆଡେ ଦେଇ ଦବ I ଆଜି ଚମ୍ପା ଦେଖିବ ଯେ ଭାବ କଣ କରୁଛି ପଇସା I ମଦ, ଗଂଜେଇ ତ କେବେ ଖାଇନି I ଦୋହରା ସ୍ତ୍ରୀ କହିଲେ ମନା କରୁଛି I କଣ କରୁଛି ତେବେ ? ଭାବ ବି ମଝିରେ ମଝିରେ ପଛକୁ ଚାହୁଁଥାଏ କିଏ ଆସୁଛି କି ବୋଲି ଦେଖିବାକୁ I

ଚାଲୁ ଚାଲୁ ସେ ଅଟକି ଗଲା ଗୋଟେ ନେପାଳୀ ଦୋକାନ ପାଖରେ I ନେପାଳୀ ସ୍ଵେଟର, ମଫଳର, କମ୍ବଳ ଆଦି ବିକ୍ରି କରେ I ତା ଦୋକାନ ରେ ବସି ଭାବ ଆଉ ସେ ନେପାଳୀ ପଇସା ଗଣିବାକୁ ଲାଗିଲେ I କିଛି ସମୟ ପରେ ପଇସା ରଖି ନେପାଳୀ ଭାବ ହାତକୁ କେତେ ଗୁଡିଏ କମ୍ବଳ ବଢ଼େଇ ଦେଲା I ଚମ୍ପା ମୁଣ୍ଡରେ କିଛି ପଶୁ ନଥାଏ I ଏତେ ଗୁଡ଼େ କମ୍ବଳ ଭାବ କଣ କରିବ? ଘରେ ତ ଦି ଟା ଭଲ କମ୍ବଳ ଅଛି I ଆହୁରି କଣ ହେବ? ଗୋଟେ ଦି ଟା ହେଲେ କଣ କରନ୍ତା I ଏତେ ଗୁଡ଼େ? ୨୫ - ୩୦ ଟା ହେବ I

ଏତେ ଗୁଡ଼େ କଣ ହେବ ? ଭାବ କମ୍ବଳ ସବୁ ଧରି ଯାଇ ଗୋଟେ ଛକ ର ଚାନ୍ଦିନୀ ଉପରେ ବସିଲା I ଏପଟେ ଚମ୍ପା କେବିନ ପଛ ପଟେ ଲୁଚି କି ଦେଖୁ ଥାଏ I ରାତି ଏଗାରଟା ପରେ ହେଲାଣି I ଲୋକ ସବୁ ରାସ୍ତା ରେ କୁଙ୍କୁରି କାଙ୍କୁରି ହୋଇ ସୋଇ ପଡିଲେଣି I ଛିଣ୍ଡା ଚାଦର, କମ୍ବଳ ଅବା କନ୍ଥା, ଶୀତ ରଖିବାକୁ ସମର୍ଥ ନୁହଁ I ଶୀତରୁ ରକ୍ଷା ପାଇବାକୁ ଗୋଟେ ଗୋଟେ କନ୍ଥା ତଳେ ଦି ତିନି ଜଣ ପଶି ଥାନ୍ତି I ଭାବ ଏବେ ଉଠିଲା I ନିଜ ମୁହଁ ଘୋଡେଇ ହୋଇ ସମସ୍ତଙ୍କ ଉପରେ ଗୋଟେ ଗୋଟେ କମ୍ବଳ ଘୋଡେଇ ଦେଉଥାଏ ଆଉ ଆଗକୁ ଆଗକୁ ଯାଉଥାଏ I ସେ କମ୍ବଳ ଦେଇ ଦେଇ ଏବେ ଚମ୍ପା ଠିଆ ହୋଇଥିବା କେବିନ ପାଖରେ ଆସି ପହଁଚିଲା I ଚମ୍ପା କିଛି ରାଗ ଆଉ କିଛି ଅଭିମାନ ଭରା ସ୍ୱର ରେ କହିଲା , "ମୋତେ ଜଣେଇ ଥିଲେ କଣ ମୁଁ ମନା କରିଥାନ୍ତି? ନା ମୋ ଛୁଆ ପାଇଁ ପଇସା ମାଗିବି ବୋଲି ସବୁ ବାଣ୍ଟି ଦେଲ? ଚମ୍ପା କୁ ଦେଖି ଭାବ ଚମକି ପଡିଲା I ଶେଷ କମ୍ବଳ ଟି ଗୋଟେ ବୁଢ଼ୀ ଉପରେ ଘୋଡେଇ ଦେଇ ଚମ୍ପା ଆଖିରୁ ଲୁହ ପୋଛି ତା ହାତ ଧରି ପୁଣି ସେ ଚାନ୍ଦିନୀ ପାଖକୁ ଡାକି କି ନେଲା ଆଉ କହିଲା, " ବସ ଏଠି ସବୁ କହୁଛି" I 

ଭାବ ର କଥା ମାନି ଚମ୍ପା ଚାନ୍ଦିନୀ ଉପରେ ବସିଲା I ଭାବ ତା ହାତ ଧରି କହିଲା , " ନା , ତୁ ମନା କରି ନଥାନ୍ତୁ I ଚାରି ବର୍ଷ ହେଲା କେବେ ପଚାରିନୁ I ମୁଁ ଚାକିରୀ କଲା ଦିନୁ, ସବୁ ଦିନ ଏହିପରି କିଛି କିଛି ପଇସା ରଖେ ଆଉ ଶୀତ ଦିନେ କମ୍ବଳ କିଣି ଏ ବାହାରେ ଶୋଉଥିବା ଲୋକ ମାନଙ୍କ ଉପରେ ଘୋଡେଇ ଦେଇ ଯାଏ I ମୁଁ ଏ ସବୁ ଆଜିକୁ ବାରବର୍ଷ ହେଲା କରୁଛି I ଏଥର କାଳେ ତୁ ସେ ବାବାକୁ ପଇସା ଦେଇ ଦେବୁ ବୋଲି ମୁଁ ଡରରେ ଆଜି ବାଣ୍ଟି ଦେଲି I ଆମର ସିନା ଘର ଟିଏ ଅଛି ହେଲେ ଏ ବାସହରା ଗୁଡିକ ରାତିରେ କେମିତି ଶୋଉଛନ୍ତି ଭାବିଲୁ" I କହୁ କହୁ ତା ଆଖି ଲୁହ ରେ ଟଳଟଳ ହେଇଯାଇଥାଏ I "ଛୋଟ ସମୟରୁ ପରିବାରର ବୋଝ କୁ କାନ୍ଧେଇଛି, ବାପାକୁ ଛୋଟ ସମୟରୁ ହରାଇଛି, ଲୁହକୁ ଅମୃତ ଭାବିଛି , କେତେ ଯେ ରାତି ଭୋକ ଉପାସରେ ଶୋଇଛି, ଟଙ୍କାଟିଏ ପାଇଁ କଣ କଣ ନ କରିଛି। ଏଇ ଆଖିରେ ଦେଖିଛି ମାଆ ଙ୍କ ଉପବାସରେ ଶୋଇବା । ତଥାପି ଅବଶୋଷ ନାହିଁ ଜୀବନରେ। କାହିଁକିନା ଭଗବାନ ଠୁ ବଳି ମାଆ ଟିଏ ପାଇଛି ଆଉ ତାଙ୍କଠୁ ମାନବିକତା ଗୁଣ ଟେ । " ଏତିକି କହୁ କହୁ କାନ୍ଦି ପକେଇଲା ସେ I 

ଭାବ ର ଲୁହ କୁ ନିଜ ହାତରେ ପୋଛି ଦେଲା ଚମ୍ପା ଆଉ ରାସ୍ତା ମଝିରେ କୁଣ୍ଢେଇ ପକେଇଲା ନିଜ ଗେରସ୍ତ କୁ I ଭାବି ଯାଉଥିଲା କେତେ ନିରୀହ ତା ଗେରସ୍ତ ଟା I ବସ୍ତି ର ଅନ୍ୟ ଅଣ୍ଡିରା ଗୁଡା ସବୁ ଦିନ ମଦ ପିଇ ଘରକୁ ଆସନ୍ତି I ସ୍ତ୍ରୀ ପିଲାଙ୍କୁ ମନା ଇଛା ଅସଭ୍ୟ ଭାଷା ରେ ଗାଳି ଦିଅନ୍ତି I ସ୍ତ୍ରୀ ପିଲାଙ୍କ ଠାରୁ ପଇସା ଛଡେଇ ନେଇ ଯାନ୍ତି I କେବେ କେବେ କେଉଁ ବେଶ୍ୟା ପାଖକୁ ଯାଇ ସବୁ ପଇସା ସାରି ଫେରନ୍ତି I ହେଲେ ଭାବ ? ସେ ମଦ , ଗଂଜେଇ , ବିଡି କିଛି ବି ଖାଏନି I କେତେ ଭଲ ପାଏ ଚମ୍ପା କୁ I ଦ୍ଵିତୀୟ ବି ହଉନି I ପୁଣି ଶୀତ ରାତିରେ ଏ ବାସହରା ଗୁଡା କେମିତି ଶୋଇବେ ବୋଲି ଚିନ୍ତା କରି ବାର ବର୍ଷ ହେଲାଣି ସବୁ ବର୍ଷ କମ୍ବଳ କିଣି ବାଂଟୁଛି I ଆଉ କେମିତିଆ ସ୍ୱାମୀ ସେ ପାଇଥାନ୍ତା ? ଭଗବାନଙ୍କୁ ଧନ୍ୟବାଦ ଦେଇ ସ୍ୱାମୀ ସ୍ତ୍ରୀ ଦି ଜଣ ଯାକ ଏବେ ଘରକୁ ବାହାରିଲେ I କିଛି ବାଟ ଯିବା ପରେ ପଛରୁ କିଛି ଶୁଣିବାକୁ ପାଇଲେ , "ଏ ବାବୁ ରହ ରହ , ୟାକୁ ନେଇ କି ଯା I"  

ଚମ୍ପା ଆଉ ଭାବ ପଛକୁ ଚାହିଁଲେ I ଶେଷ କମ୍ବଳ ଘୋଡେଇ ଦେଇଥିବା ବୁଢ଼ୀ ଟା କୋଳ ରେ ଛୁଆଟିଏ ଧରି ଛୋଟେଇ ଛୋଟେଇ ଆସୁଥିଲା I ପାଖକୁ ଆସି କହିଲା," ତୁ ଭଲ ଲୋକ I କେତେ ଲୋକଙ୍କ କଥା ଚିନ୍ତା କରୁଛୁ I ଆଜି ସକାଳେ ଗୋଟେ କାର ରେ ଲୋକ ଟେ ଆସି ଏ ଝିଅ ଟିକୁ ମୋ ପାଖରେ ଶୁଏଇ ଦେଇ ଗଲା I ମୁଁ ତ ପାଚିଲା ପତର I କେତେବେଳେ ଝଡି ପଡିବି ଜାଣିନି I ମୁଁ ନ ଶୋଇ ତମ କଥା ଶୁଣୁଥିଲି I ନେ ପାଳିବୁ କହି ଚମ୍ପା ହାତ କୁ ଛୁଆଟିକୁ ବଢ଼େଇ ଦେଲା I      

ଭାବ ଆଉ ଚମ୍ପା ଥରେ ଜଣେ ଆଉ ଜଣଙ୍କୁ ଓ ଥରେ ବୁଢ଼ୀ କୁ ଚାହିଁଲା ପରେ ଚମ୍ପା ଛୁଆଟିକୁ କୋଳକୁ ନେଲା। ଏବେ ତାକୁ କୋଟିନିଧି ପାଇଲା ପରି ଲାଗୁଥାଏ। ଚମ୍ପା ଉପରକୁ ଚାହିଁ, ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲା ବେଳେ ଭାବ ଉପରକୁ ଚାହିଁ ତାରା ମେଳରୁ ତା ମା କୁ ଖୋଜୁଥିଲା।

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ

ଚମ୍ପା ସନ୍ତାନ କମ୍ବଳ

Rate the content


Originality
Flow
Language
Cover design

Comments

Post

Some text some message..