ମୋ ଅନୁଭୂତିରେ ଶ୍ରୀ ଜଗନ୍ନାଥ
ମୋ ଅନୁଭୂତିରେ ଶ୍ରୀ ଜଗନ୍ନାଥ
ପୁରୀ ଯିବା ପାଇଁ ମତେ ଭଲ ଲାଗେ, ଦୁଇ ଚାରି ମାସରେ ଥରେ ଯାଇ କାଳିଆର ଚକା ଆଖି ଦେଖି ଆସିଲେ ମନଟା ହାଲୁକା ଲାଗେ ।ଠେଲାପେଲାରେ କାଳିଆକୁ ଦର୍ଶନ କରିବାର ଖୁସି ଯିଏ ଅନୁଭବ କରିଛି ସିଏ ଜାଣିଛି । ମୁଁ କିଛି ମାଗେନି କାଳିଆକୁ, ସେ ପରା ଭାବର ଠାକୁର, ଭକ୍ତର ଭାବରେ ବନ୍ଧା, ତାକୁ ଆଉ କ'ଣ ମାଗିବି ସେ ତ ସବୁ ଜାଣିପାରେ । ମୋ ଅନୁଭୂତିରୁ କହୁଛି ଏକ ଘଟଣା...
ମୋର ଜଣେ ବନ୍ଧୁ ଚେନ୍ନାଇରେ ରୁହନ୍ତି, କମ୍ପାନୀ କାମରେ କିଛି ମାସ ପାଇଁ ଭୁବନେଶ୍ଵର ଆସିଥାନ୍ତି ଆଉ ମୋ ସହ ରୁହନ୍ତି, ଦିନେ ଏମିତି ତାଙ୍କ ସହ କଥା ହଉ ହଉ ସେ କହିଲେ ତାଙ୍କର ପୁରୀ ଯିବାକୁ ବହୁତ ଇଚ୍ଛା ହେଉଛି, ଆଗରୁ କେବେବି ପୁରୀ ଯାଇନାହାନ୍ତି, ମୁଁ ବି ତାଙ୍କୁ ପୁରୀ ନେଇ କାଳିଆର ଦର୍ଶନ କରେଇବି ବୋଲି କଥା ଦେଲି, ସେ ଖୁସି ହେଲେ ।
କିନ୍ତୁ ଏହା ଭିତରେ ଦୁଇ ତିନି ମାସ ବିତି ସାରିଥିଲା, ମୁଁ ବି ବ୍ୟସ୍ତତା ଭିତରେ ଭୁଲି ଯାଇଥିଲି, ସେ ବି ପୁରୀ ଯିବାପାଇଁ ଆଉ କେବେ ମତେ କହିନଥିଲେ ।
ସେଦିନ ଶୁକ୍ରବାର ହେଇଥାଏ ହଠାତ୍ ସନ୍ଧ୍ୟାରେ ମତେ କହିଲେ...।
ପୁରୀ ଆଉ ଯାଇହେଲାନି, ମୁଁ ରବିବାର ଚେନ୍ନାଇ ଯାଉଛି, କାଳିଆକୁ ଆଉ ଦର୍ଶନ କରିହେବନି ଲାଗୁଛି, ମୋ ଭାଗ୍ୟରେ ବୋଧହୁଏ ନାହିଁ । ମତେ ବହୁତ କଷ୍ଟ ଲାଗିଲା, ମୁଁ ସ୍ଥିର କଲି, ଆଉ ତାଙ୍କୁ କହିଲି ଯେ ଆସନ୍ତା କାଲି ଶନିବାର ଅଛି ଅଫିସ ବି ହାଫ୍ ଡେ ଅଛି ଆମେ ଦିନ ୩ଟାରେ ବାହାରିବା, କାଳିଆକୁ ଦର୍ଶନ କରି ରାତିରେ ଫେରିବା, ବନ୍ଧୁ ବି ସହମତି ପ୍ରକାଶ କଲେ, ହେଲେ ଗୋଟେ ଡିମାଣ୍ଡ ରଖିଲେ ଯେ ସନ୍ଧ୍ୟା ଆଳତି ଦେଖିବେ, ମୁଁ ବି ବଡ ଭରସାଟେ ଦେଲି।
ମନରେ ଅନେକ ଉତ୍କଣ୍ଠା ବନ୍ଧୁଙ୍କର, ସାରା ରାତି ଶୋଇନାହାନ୍ତି, ଜୀବନରେ ପ୍ରଥମ ଥର କାଳିଆକୁ ଦର୍ଶନ କରିବେ, ରାତିରେ କି ଆଉ ନିଦ ହୁଏ, ପରଦିନ ମୁଁ ବି ଠିକ୍ ସମୟରେ ପହଞ୍ଚିଗଲି, ମୋ ବାଇକ୍ ଧରି ଦୁଇଜଣ ବାହାରିଲୁ ।
"ଏହା ଭିତରେ କିନ୍ତୁ ଗୋଟେ କଥା ରହିଗଲା"
ମୁଁ ସିନା ଗଲି କିନ୍ତୁ ମୋର ସେହି ଦିନ ଯିବାକୁ ବିଲକୁଲ୍ ଇଚ୍ଛା ନଥିଲା, ମୋର ବହୁତ ଗୁରୁତ୍ଵପୂର୍ଣ୍ଣ କାମ ଥିଲା ତଥାପି କଥା ଦେଇଥିଲି ଆଉ ହାତରେ ସମୟ ବି ନଥିଲା ତେଣୁ ବାଧ୍ୟହୋଇ ଗଲି ।
ଠିକ୍ ପିପିଲି ଟପିଛୁ ମୋ ବାଇକ୍ ର ଷ୍ଟାଟ୍ ବନ୍ଦ ହୋଇଗଲା, ପାଖରେ ବି କୌଣସି ଗ୍ୟାରେଜ ନଥାଏ, ବହୁ ପରିଶ୍ରମ କରି ପେଲିଠେଲି ଚନ୍ଦନପୁର ପର୍ଯ୍ୟନ୍ତ ଗଲୁ, ସନ୍ଧ୍ୟା ୬ଟା ହେଲାଣି ବନ୍ଧୁ ମୋର ବିରକ୍ତ ହେବା ଆରମ୍ଭ କରିଦେଲେଣି, ଟ୍ୟାକ୍ସିରେ ଯାଇଥିଲେ ଭଲହେଇଥାନ୍ତା ବାଇକ୍ ଆଣି ବଡ ଭୁଲ ହେଲା, ଲାଗୁଛି ଆଳତି ଆଉ ଦେଖି ହେବନି ବେକାର ହେଲା ଆସିବାଟା, ଏମିତି ସେ କହିଚାଲି ଥିଲେ, ମୁଁ କିନ୍ତୁ ନିଜକୁ ବହୁତ ଦୋଷୀ ମନେକରୁଥିଲି, ତଥାପି ମୁଁ ଭରସା ଦେଉଥାଏ ଆଳତି ତମେ ନିଶ୍ଚୟ ଦେଖିବ, କାଳିଆ ଉପରେ ବିଶ୍ଵାସ ରଖ ।
ମୁଁ ସିନା ବନ୍ଧୁଙ୍କୁ ଆଶ୍ଵାସନା ଦେଉଥାଏ କିନ୍ତୁ ମନେମନେ ମୁଁ ଭାରି ସନ୍ତାପି ହେଉଥାଏ, କାଳିଆରେ ସତରେ କ'ଣ ଆଜି ତୋର ସନ୍ଧ୍ୟା ଆଳତି ଦର୍ଶନ କରି ପାରିବେନି ମୋ ବନ୍ଧୁ, ଜୀବନରେ ପ୍ରଥମ ଥର ତୋର ଦର୍ଶନ ପାଇଁ ଆସିଛନ୍ତି, ତେଣିକି ତୋ ଇଚ୍ଛା ଯାହା କରିବୁ ।
ଚନ୍ଦନପୁରରେ ଏକ ଗ୍ୟାରେଜରେ ଗାଡ଼ିକୁ ଦେଖେଇଲି, ସମୟ ସନ୍ଧ୍ୟା ୬:୩୦ ହେଇ ଗଲାଣି, ମୋ ଛାତି ଭିତରଟା ଯେମିତି ଧଡ଼ ଧଡ଼ ହେଉଥାଏ, ମେକାନିକ୍ କହିଲା ଅଧଘଣ୍ଟା ଲାଗିବ, 'ଭାଇ ଟିକେ ଜଲଦି କରିଦିଅନ୍ତୁନା ପ୍ଲିଜ' ମୁଁ କାକୁତି ମିନତି ହୋଇ କହୁଥାଏ, ଏହି ସମୟରେ ବନ୍ଧୁ ଆସି ମୋ କାନ୍ଧରେ ହାତ ରଖି କହିଲେ ଛାଡ ବ୍ୟସ୍ତ ହୁଅନି ଆଜି ବୋଧେ ଦର୍ଶନ କରିବା ଆମ ଭାଗ୍ୟରେ ନାହିଁ, ମୋ ଆଖି ଛଳ ଛଳ ହେଇ ଗଲା, କ'ଣ କରିବି କିଛି ଭାବି ପାରୁନଥାଏ, ମନେମନେ କେବଳ କାଳିଆକୁ ନେହୁରା ହେଉଥାଏ, ସମୟ ୭ଟା ବାଜି ସାରିଥିଲା, ଗାଡିବି ଠିକ୍ ହୋଇଗଲା, ଏବେ ଆମେ ଜୟ ଜଗନ୍ନାଥ କହି ବାହାରିଲୁ । ଠିକ୍ ୭:୨୦ରେ ସିଂହଦ୍ଵାର ନିକଟରେ ପହଞ୍ଚିଗଲୁ । ଗାଡ଼ି ଷ୍ଟାଣ୍ଡରେ ରଖି ଭିତରକୁ ଗଲୁ ।
ବାଇଶି ପାହାଚରେ ପ୍ରଥମ ପାଦ ରଖିଛି ଭିତରୁ ହରି ବୋଲ ସହ ଘଣ୍ଟ ଧ୍ବନି ଶବ୍ଦ ଶୁଭିଲା, ଆଳତି ବୋଧେ ଆରମ୍ଭ ହେଲା ନାଁ କ'ଣ, ମୁଁ ଦୋଉଡିବାକୁ ଲାଗିଲି । ସେଦିନ ମନ୍ଦିରରେ ବେଶି ଗହଳି ନଥିଲା ଖୁବ୍ କମ୍ ଲୋକ ଗଣି ହେଲା ପରି, ହଠାତ କେହିଜଣେ ପଛରୁ ଡାକିଲା ଏଇ ପୁଅ ଏଇ ଭିତରକୁ ଯିବୁ ମୁଁ କହିଲି ନାଇଁ ଥାଉ, ଆରେ ଚାଲ୍ ମୁଁ ଟଙ୍କା ମାଗିବିନି ମ’ ଚାଲ୍ , ଏତିକି କହି ମୋ ହାତକୁ ଭିଡ଼ି ନେଲେ ଗର୍ଭଗୃହ ଭିତରକୁ, ମୋ ପଛେପଛେ ବନ୍ଧୁ ଚାଲିଥାନ୍ତି ।
ଏକଦମ୍ ମୋ ଆଖି ସାମ୍ନାରେ କାଳିଆ, ଆହା କି ରୂପ ତାର, ମୁଁ ଆଉ ମୋ ଭିତରେ ନଥାଏ, ତା'ର ସେଇ ଚକା ଚକା ଆଖି ଦୁଇଟିରେ ମୁଁ ଯେମିତି ହଜିସାରି ଥାଏ, ଆଳତି ଆରମ୍ଭ ହେଲା, ମୁଁ ତା'ର ସେଇ ଆଖିକୁ ଦେଖୁଥାଏ ପୁଣି ବନ୍ଧୁଙ୍କ ମୁହଁକୁ ବି, ସତରେ କାଳିଆ ତୁ ମହାନ, ଧନ୍ୟ ତୋର ଲୀଳା, ମୋ ଡାକ ତୁ ସତରେ ଶୁଣିଲୁ, କେତେ ବଡ ଭାଗ୍ୟ ମୋର, ତା ସହ ଏମିତି କଥା ହଉ ହଉ ଆଳତି ସରିଗଲା, ବନ୍ଧୁବି ବହୁତ ଖୁସି ଥିଲେ ଏତେ ପାଖରୁ ଦର୍ଶନ ପାଇ, ସବୁ ମନସ୍କାମନା ଯେମିତି ତାଙ୍କର ପୁରିଗଲା ପରି ଅନୁଭବ କରୁଥିଲେ ।
ଭିତରେ ବେଶି ଭକ୍ତ ନଥିଲେ କୋଡ଼ିଏ କି ତିରିଶିଜଣ ହେବେ, ରତ୍ନ ସିଂହାସନ ତଳେ ଜଣେ ସେବାୟତ ତୁଳସୀ ଧଣ୍ଡା ଦେଉଥାଆନ୍ତି, ଭକ୍ତମାନେ ଠେଲାପେଲାରେ ହାତ ବଢ଼େଇ ଧଣ୍ଡା ଆଣୁଥାନ୍ତି, ମୋ ବନ୍ଧୁ ମତେ କହିଲେ ତୁଳସୀ ଟିକେ ଆଣ ପାଇଦେଇ ଯିବା, ମୁଁ ବି ଯାଇ ହାତ ବଢ଼େଇଲି..
ଆଃ.. ହଠାତ୍ କେହିଜଣେ ମତେ ଶକ୍ତଧକ୍କାଟେ ଦେଲା, ମୁଁ ଭାବିଲି ଠେଲାପେଲାରେ ବୋଧହୁଏ ଏମିତି ହେଲା, ହଉ ଛାଡ ମୋର ତ ଲକ୍ଷ୍ୟ ଧଣ୍ଡାରେ କେମିତି ଟିକେ ମିଳିଗଲେ ମୋ ବନ୍ଧୁ ଖୁସି ହେବେ, ଏହି ଆଶାରେ ମୁଁ ଦ୍ବିତୀୟ ଥର ପୁଣି ଭିଡ଼ ଭିତରକୁ ଯାଇ ହାତ ବଢ଼େଇଲି, ଆରେ ଏ କ'ଣ ପୁଣି ଥରେ ମୁଁ ଧକ୍କା ଖାଇଲି, ପ୍ରଥମ ଥର ଅପେକ୍ଷା ଏଥର କିନ୍ତୁ ଅଧିକ ଜୋର୍ ରେ ଲାଗିଲା, କିନ୍ତୁ ତା ଠୁଁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା ମାରିବା ଲୋକଟିକୁ ଦେଖି , ଧଣ୍ଡା ଦେଉଥିବା ସେହି ବ୍ୟକ୍ତିଟି ମତେ ଧକ୍କା ମାରିବାର କାରଣ କ'ଣ? ଏହା ଭାବିଭାବି ଆଉଥରେ ହାତ ବଢେଇଲି ଧଣ୍ଡା ଟିକେ ପାଇବା ଆଶାରେ ।
ଓଃ.. ଏଥର କିନ୍ତୁ ଧକ୍କା ନଥିଲା, ଥିଲା ଏକ ବ୍ରହ୍ମ ଚାପୁଡା ଯାହା ମୋର କାନ ମୁଣ୍ଡା ଯେମିତି ଝାଇ଼ଁ ଝାଇଁ କରିଦେଉଥିଲା, ବହୁତ କଷ୍ଟ ଲାଗିଲା, ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ, ଗୋଟେ କୋଣରେ ଛିଡା ହେଲି ଆଉ କାଳିଆ ମୁହଁକୁ ଚାହିଁ କହିଲି - କାଳିଆରେ ତୋ ଆଖି ସାମ୍ନାରେ ଏସବୁ ଘଟୁଛି ଆଉ ତୁ ନୀରବ ଅଛୁ, ବାଃ ଭଲ କଲୁ, ଟିକିଏ ଧଣ୍ଡା ପାଇଁ ମତେ ମାଡ଼ ବି ଦେଲୁ, ଏଇଟା କ'ଣ ତୋର ବଡପଣ, ହଉ ଯାହା ତୋ ଇଚ୍ଛା । ଏମିତି ମନର କୋହକୁ ସମ୍ଭାଳି ନପାରି କେତେ କଥା କହି ଚାଲିଥିଲି, ଆଉ ତାରି ଭିତରେ ମୋ ନଜର ପଡିଲା ଲୋକମାନେ ଶହେ ପାଁଶହ ହଜାରେ ନୋଟ୍ ଦେଇ ତୁଳସୀ ଧଣ୍ଡା ଟିକେ ଆଣୁଛନ୍ତି, ଆଉ ଧଣ୍ଡା ଦେଉଥିବା ସେବାୟତ ଜଣଙ୍କ ଖୁସି ଖୁସିରେ ସେମାନଙ୍କୁ ଧଣ୍ଡା ଦେଉଛନ୍ତି, ଆଚ୍ଛା ଏବେ ଜାଣିଗଲି ମାଡ଼ ଖାଇବାର ଅସଲ କାରଣଟା କ'ଣ, ମୁଁ ଟଙ୍କା ନଦେଇ ହାତ ବଢଉଥିଲି, ସେଥିପାଇଁ ମାଡ଼ ଖାଇଲି । ତା'ର ଚକା ଆଖିକୁ ଆଉଥରେ ଚାହିଁଲି ଆଉ କହିଲି ହଉରେ କାଳିଆ ମୁଁ ଯାଉଛି, ମୋ ପାଇଁ ଧଣ୍ଡା ଆଣୁନଥିଲି ତ ବନ୍ଧୁଙ୍କ ପାଇଁ ଆଣୁଥିଲି ମାଡ଼ ତ ଖୁଆଇଲୁ ଭଲକଲୁ, ଆଉ କେବେବି ଆସିବିନି, ଏମିତି କହୁ କହୁ ମୋ ନଜର ପଡିଲା ରତ୍ନ ବେଦୀରେ ବସିଥିବା କାଳିଆର ମୁଖ୍ୟ ପୂଜକଙ୍କ ଉପରେ, ସେ କେତେବେଳୁ ଯେମିତି ମତେ ଚାହିଁଛନ୍ତି ଆଉ ହାତ ହଲେଇ ଡାକୁଛନ୍ତି, ମୁଁ ଆଗ ପଛକୁ ଚାହିଁଲି ଆଉ ନିଜକୁ ଇସାରା କରି କହିଲି " ମୁଁ , ହଁ ତମେ ଏଠିକି ଆସ, ମୁଁ ସନ୍ତାପି ହୋଇ ଗଲି ସେ ମୋ ମୁଣ୍ଡକୁ ରତ୍ନ ବେଦୀରେ ଲଗେଇ କହିଲେ ଜଗନ୍ନାଥ ତୋର ମଙ୍ଗଳ କରିବେ ଏତିକି କହି କାଳିଆ ପିନ୍ଧିଥିବା ବଡ଼ ତୁଳସୀ ମାଳାଟେ କାଢି ଆଣିଲେ ଆଉ କହିଲେ ନେ ଆଉ କାନ୍ଦେନି ଖୁସିରେ ଘରକୁ ଯା’।
ମୁଁ କୋହ ସମ୍ଭାଳି ପାରୁନଥାଏ, ଏହା କ'ଣ ବାସ୍ତବତା ନାଁ ମୋ ମନର ଭ୍ରମ, ଆଖିରୁ ସେମିତି ଧାର ଧାର ଲୁହ ବୋହି ଚାଲୁଥାଏ, ଲମ୍ଵ ହୋଇ ପଡ଼ିଗଲି ତା ଚରଣରେ ହେ ମହାବାହୁ, ହେ ବଳିଆର ଭୂଜ, ହେ କାଳିଆ ଠାକୁର ତମେ ସତରେ କେତେ ମହାନ, ମୁଁ ଅଧମ ଟିକିଏ ତୁଳସୀ ଧଣ୍ଡା ମାଗିଥିଲିରେ କାଳିଆ, ତୁ ତ ମାଳଟେ ଧରେଇ ଦେଲୁ, ଧନ୍ୟ ତୁ କାଳିଆ ଧନ୍ୟ ତୋର ଲୀଳା, ଧନ୍ୟ ତୋର ଲୀଳା ।