Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Comedy Fantasy Others

3  

Lopamudra Mishra

Comedy Fantasy Others

ଫୁଙ୍କା ଡାକ୍ତର

ଫୁଙ୍କା ଡାକ୍ତର

12 mins
14.9K


ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ଭଲ ନଥିଲେ ସଂସାରର କୌଣସି ବି ସୁନ୍ଦର ଦ୍ରବ୍ୟ ସୁଖ ଦେଇପାରେନାହିଁ । ଶରୀର ଥାଇ ରୋଗ ସଭିଙ୍କୁ ଆକ୍ରମଣ କରେ । ରୋଗକୁ ଦରକାର ଚିକିତ୍ସା । ମଣିଷ ଶରୀରର କେଉଁ ଅଙ୍ଗକୁ କି ପ୍ରକାର ରୋଗ ଗ୍ରାସିଲା, ସେହି ରୋଗର ସଠିକ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଯୋଗାଇବା ସାଧାରଣ କଥା ନୁହେଁ । ଠିକ ରୋଗଟିକୁ ଚିହିଁ ଚିକିତ୍ସା କରିବା ପୂର୍ବରୁ ଆଗ ଶରୀର ସମ୍ବନ୍ଧୀୟ ସମସ୍ତ ଜ୍ଞାନ ଆହରଣ କରିବାକୁ ପଡେ । ମଣିଷର ଶାରୀରିକ ସଂରଚନା ଖୁବ ଜଟିଳ । ଶରୀର ତତ୍ତ୍ୱ ଓ ରୋଗ ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ବିଜ୍ଞାନ ଭିତ୍ତିକ । ତାହାକୁ ଚିକିତ୍ସା ବିଜ୍ଞାନ କୁହାଯାଏ । ଚିକତ୍ସା ବିଜ୍ଞାନର ଛାତ୍ର ଛାତ୍ରୀ ବଡ କଷ୍ଟ ସ୍ୱୀକାର କରି ତତ୍ସମ୍ବନ୍ଧୀୟ ସମସ୍ତ ବିଦ୍ୟା ଆହରଣ କରି ଭବିଷ୍ୟତ ରେ ଉତ୍ତମ ଚିକିତ୍ସକ ଓ ଚିକିତ୍ସିକା ହୋଇପାରନ୍ତି । ବଡ କଠିନ ସେହି ବିଦ୍ୟା । ସମସ୍ତଙ୍କ ଦ୍ୱାରା ଏହି ଚିକିତ୍ସା କାମଟି ହୋଇପାରେନାହିଁ । କେବଳ ଚିକିତ୍ସା ବିଜ୍ଞାନ ରେ ଯେଉଁମାନେ ଦକ୍ଷ , ସେହିମାନଙ୍କ ପକ୍ଷେ ତାହା ସମ୍ଭବ । ସେମାନ ସମସ୍ତଙ୍କୁ ମଧ୍ୟ ଡାକ୍ତର କୁହାଯାଏ ।

ଆଜି କିନ୍ତୁ ଆମେ ଏମିତି ଜଣେ ଡାକ୍ତରଙ୍କ ବିଷୟରେ ଜାଣିବା, ଯିଏ ଏହି ବିଜ୍ଞାନ ଭିତ୍ତିକ ଚିକିତ୍ସା ପଦ୍ଧତିର ଧାର ଧାରନ୍ତି ନାହିଁ । ଶରୀରରେ କେଉଁ ଅଙ୍ଗର କାର୍ଯ୍ୟ କ'ଣ ତାହା ବି ଠିକରେ କହିପାରିବେ ନାହିଁ । ତଥାପି ସେ ଚିକିତ୍ସା କରିବାରେ ସିଦ୍ଧହସ୍ତ । ହଁ ସିଏ ହେଲେ ସବୁପ୍ରକାର ରୋଗୀଙ୍କ ପ୍ରିୟ ଆମ 'ଫୁଙ୍କା ବାବା ' ବା 'ଫୁଙ୍କା ଡାକ୍ତର', ଆପଣ ଯାହାବି ଡ଼ାକିପାରନ୍ତି, ସମାନ କଥା । ଫୁଙ୍କା ଡାକ୍ତରଙ୍କ ଅସଲ ନାମଟି ଥିଲା ' କରୁଣାକର ଦାସ ' । ବାପା ମାଆ ଦେଇଥିବା ସେହି ପୁରୁଣା ନାଁଟି ଏବେ ତାଙ୍କ ପାଇଁ ଅଦରକାରୀ । ଖାଲି ଫୁଙ୍କା ବାବା କହିଦେଲେ ଓଡିଶା ଯାକର ଲୋକ ତାଙ୍କୁ ଜାଣିପାରିବେ ।

ଫୁଙ୍କା ବାବା ଓରଫ ଫୁଙ୍କା ଡାକ୍ତରଙ୍କ ଏପରି ନାମକରଣର କାରଣଟି ହେଲା ସେ କୋଉ ବି ଦୁଃସାଧ୍ୟ ରୋଗକୁ ମନ୍ତ୍ର ଦ୍ୱାରା ଫୁଙ୍କି ଭଲ କରିଦେଇପାରନ୍ତି । ଯୋଉ ରୋଗୀକୁ ବଡ ବଡ ଡାକ୍ତର ପାରନ୍ତିନାହିଁ ତାକୁ ଫୁଙ୍କା ଡାକ୍ତର ନିଜସ୍ୱ ଶୈଳୀରେ ଚିକିତ୍ସା କରି ଭଲ କରିପାରିବେ ବୋଲି ଦାବୀ କରନ୍ତି ।

ସେ ଖାଲି ଫୁଙ୍କନ୍ତି ନାହିଁ ତା ସହିତ ଔଷଧ ମଧ୍ୟ ଦିଅନ୍ତି । ସେ ଦେଉଥୁବା ଔଷଧ କୌଣସି ମେଡ଼ିସିନ ଷ୍ଟୋରରେ ମିଳେନାହିଁ । ତାଙ୍କରି ହସ୍ତ ପାଦରୁ ସୃଷ୍ଟି ହୁଏ । ବିଧା, ଚାପୁଡ଼ା,ଗୋଇଠା, ରାମ୍ପୁଡା,ଚିମୁଟା, ଚୁଟି ଭିଡା, ଆଉଁଷା ଏମିତି ଅନେକ ପ୍ରକାର ଉପାଦେୟ ଓଷଧ ପ୍ରୟୋଗ କରି ସେ ରୋଗୀ ଚିକିତ୍ସା କରନ୍ତି । ଫୁଙ୍କା ଡାକ୍ତରଙ୍କର ଏପରି ଅଦ୍ଭୁତ ନିଆରା ଢଙ୍ଗର ଚିକିତ୍ସା ପଦ୍ଧତି ଓଡିଶାର ବହୁ ଲୋକଙ୍କୁ ଆକର୍ଷିତ କଲା । ଲୋକେ ତ ଚମତ୍କାରିତା ଦେଖିବାକୁ ଖୁବ ସୁଖ ପାଆନ୍ତି । ତେଣୁ ଏହି ଫୁଙ୍କା ଡାକ୍ତରଙ୍କ ଚମତ୍କାର ଚିକିତ୍ସା ଦେଖିବା ପାଇଁ ଓଡିଶାର କୋଣ ଅନୁକୋଣରୁ ଅନେକ ରୋଗୀ ଓ ଅରୋଗୀ ଆସି ଠୁଳ ହେଲେ । ବହୁ ରୋଗୀ ଉପକୃତ ହୋଇ, "ଜୟ ଫୁଙ୍କା ବାବା ଙ୍କର ଜୟ " କହି ହାତ ଯୋଡି ଯୋଡି ଫେରୁଥାନ୍ତି ।

ଫୁଙ୍କା ବାବାଙ୍କ ପ୍ରସିଦ୍ଧି ଖୁବ ଜଲଦି ବଢ଼ିଯିବାରୁ , ଓଡିଶା ସାରା ତାଙ୍କର ଚିକିତ୍ସା ଶିବିର ମାନ ଖୋଲା ହୋଇଗଲା । ଯେଉଁ ରୋଗୀ ମାନେ ଡାକ୍ତରୀ ଔଷଧ ଖାଇ ଖାଇ ଭଲ ହେଉନଥିଲେ, ସେମାନେ ଏହି ଫୁଙ୍କା ବାବାଙ୍କ ଦୁଇଟି ଗୋଇଠା ବା ଚାରୋଟି ବ୍ରହ୍ମଚାପୁଡ଼ାରେ ସମ୍ପୂର୍ଣ ଆରୋଗ୍ୟ ଲାଭ କରି ଗାଲ, ପିଠି ଆଉଁଷି ଆଉଁଷି ଶିବିରରୁ ବାହାରିଯାଉଥିଲେ ।

ସମୟ ଗଡିଚାଲିବା ସହ ଫୁଙ୍କା ଡାକ୍ତରଙ୍କ ରୋଗୀ ସଂଖ୍ୟା ମଧ୍ୟ ବଢିଚାଲିଲେ । ଏତେ ସଂଖ୍ୟକ ରୋଗୀ ଏକ ସାଙ୍ଗରେ ଆସିଲେ ଯେ ଡାକ୍ତର ସଭିଙ୍କୁ ଗୋଟି ଗୋଟି କରି ଫୁଙ୍କି ଔଷଧ ଦେବା ଆଉ ସମ୍ଭବ ହେଲା ନାହିଁ । ବହୁ ଦୂରରୁ ଆସିଥିବା ରୋଗୀ ଟିକଟ କରିନପାରି ଫେରିଯାଉଥିଲେ । ଡାକ୍ତର ଆଜ୍ଞା ଚିନ୍ତାରେ ପଡିଗଲେ । ସେ କାହାରିକୁ ନିରାଶ କରିବାକୁ ଚାଁହୁନଥିଲେ । ଅତିଶୀଘ୍ର ବିକଳ୍ପ ବ୍ୟବସ୍ଥା ମଧ୍ୟ ହୋଇଗଲା । ଯେଉଁମାନେ ଅନେକ ଦୂରରୁ ଆସିବାକୁ ଚାହିଁ ମଧ୍ୟ ଆସିପାରୁ ନ ଥିଲେ ଡାକ୍ତର ତାଙ୍କୁ ମୋବଇଲ ଫୋନ କିମ୍ବା ଭିଡ଼ିଓ କଲିଙ୍ଗ ଜରିଆରେ ଫୁଙ୍କିଲେ । ସେ ଫୋନରେ ଫୁଙ୍କୁ ଥିଲା ବେଳେ ସେପଟେ ରୋଗୀ ପାଖେ ଥିବା ଯେକୌଣସି ଲୋକ ଫୁଙ୍କା ଡାକ୍ତରଙ୍କ ପରାମର୍ଶ କ୍ରମେ 'ଜୟ ଫୁଙ୍କା ବାବା' କହି ନିଜେ ବାବାଙ୍କ ମହୋଷଧି(ଚାପୁଡ଼ା,ଗୋଇଠା... ) ଦେଇଦେଉଥିଲେ । ଏହି ମୋବାଇଲ ଜରିଆରେ ଚିକିତ୍ସା ପାଇଁ ବାବାଙ୍କ ପାଉଣାଟି ଅନଲାଇନରେ ପେମେଣ୍ଟ କରିବାକୁ କୁହାଯାଉଥିଲା ।

ଥରେ ଏକ ନିର୍ଦ୍ଧିଷ୍ଟ ଗ୍ରାମରୁ ଦଳେ ଶ୍ୱାସ ରୋଗୀ ଫୁଙ୍କାଡାକ୍ତରଙ୍କୁ ନିଜ ଗ୍ରାମକୁ ନିମନ୍ତ୍ରଣ କଲେ, ସେମାନଙ୍କୁ ଫୁଙ୍କି ତାଙ୍କୁ ଶ୍ୱାସ ରୋଗ ଜନିତ କଷ୍ଟରୁ ମୁକ୍ତି ଦେବା ପାଇଁ । ବାବା ସେତେବେଳେ ଏକ ଜରୁରୀ କାମରେ ଯାଇ ବିଦେଶରେ ଥାନ୍ତି । ସେ ନିଜର କିଛି ଶିଷ୍ୟ (ଯେଉଁମାନେ ନିଜକୁ କମ୍ପାଉଣ୍ଡର କହୁଥିଲେ )ଙ୍କୁ ଉକ୍ତ ଗ୍ରାମକୁ ପଠାଇଲେ । ସେମାନେ ବାବାଙ୍କ ଉପଯୁକ୍ତ ତାଲିମ ପାଇ ଔଷଧ ଦେବାର କିଛିଟା କଳା ଶିଖିଯାଇଥିଲେ । ବାବା ଭିଡ଼ିଓ କଲିଙ୍ଗ ଜରିଆରେ ସଭିଙ୍କୁ ଏକାସଙ୍ଗରେ ଫୁଙ୍କିବା ଆରମ୍ଭ କରିଦେଲେ ତତସହିତ ସେହି ସଙ୍ଗେ ସଙ୍ଗେ କମ୍ପାଉଣ୍ଡର ମାନଙ୍କୁ ଗୋଇଠା ଔଷଧଟି ପ୍ରୟୋଗ କରିବାକୁ ନିର୍ଦେଶ ଦେଇଦେଲେ । କମ୍ପାଉଣ୍ଡର ବାବୁମାନେ "ଜୟ ବାବା ଫୁଙ୍କା ଡାକ୍ତର ", "ଜୟ ଫୁଙ୍କା ମହା ଗୁରୁ " କହି ଗୋଇଠା ଉପରେ ଗୋଇଠା କୋଡ଼ି ପକେଇଲେ । ଯେତିକି ରୋଗୀକୁ ସେତିକିଟି କମ୍ପାଉଣ୍ଡର । ରୋଗ ଭଲ ନହେଇ ଯିବ କୁଆଡେ? ଶ୍ୱାସ ରୋଗୀ ଗୁଡାକ ତଳେ ପଡି ଚିତ୍କାର କରୁଥାନ୍ତି । କମ୍ପାଉଣ୍ଡର ମାନେ କିନ୍ତୁ ଥମୁ ନାହାନ୍ତି । ଡାକ୍ତରଙ୍କ ନିର୍ଦେଶ ନମିଳିଲା ଯାଏ ଔଷଧ ଜାରି ରହିବ । ଶେଷରେ ରୋଗୀ ଗୁଡାକ ହାତ ଯୋଡି ଡାକ୍ତରଙ୍କୁ ଭିଡ଼ିଓ କଲ ମାଧ୍ୟମରେ ଜଣେଇଲେ, "ସମ୍ପୂର୍ଣ ଆରୋଗ୍ୟ ଲାଭ କଲୁ । ବାବାଙ୍କର ଜୟ ହେଉ । ଜୟ ଫୁଙ୍କା ଡାକ୍ତର "। ଡାକ୍ତର ହାତ ଦେଖେଇ ଔଷଧ ବନ୍ଦ କରିବାକୁ ନିର୍ଦେଶ ଦେଲେ । ଏକା ପାନେକେ ରୋଗ ଗାୟବ । ରୋଗୀମାନେ ଝାଡ଼ି ଝୁଡି ହୋଇ ଉଠିଲେ । ଛୋଟେଇ ଛୋଟେଇ ଯାଇ ଟଙ୍କା ଆଣି ବାବାଙ୍କ ଶିଷ୍ୟ ମାନଙ୍କୁ ଅର୍ପଣ କଲେ ।

ଏହା ଭିତରେ ଫୁଙ୍କା ଡାକ୍ତର ମହାଶୟଙ୍କ ଖ୍ୟାତି ଏପରି ବିସ୍ତା ରଲାଭ କରିସାରିଥିଲା ଯେ ରୋଗୀ ଆଉ ପାଠ ପଢୁଆ ଡାକ୍ତରଙ୍କ ପାଖକୁ ଯାଇ ସମୟ ନଷ୍ଟ କରିବାକୁ ଚାହିଁଲେ ନାହିଁ । କିଛି ପଢୁଆ ଡାକ୍ତର ମଧ୍ୟ ଏ ଫୁଙ୍କା ଡାକ୍ତରଙ୍କ କାରନାମାରେ ଖୁସି ଥିଲେ । ଯେଉଁ ସମସ୍ତ ଅସନ୍ତୁଷ୍ଟ ରୋଗୀ ଓ ତାର ପରିବାର ବର୍ଗ ଆଗରୁ କାଣ୍ଡ ଜ୍ଞାନ ହରେଇ ଡାକ୍ତରମାନଙ୍କ ଉପରକୁ ଅକାରଣେ ସକାରଣେ ହାତ ଉଠେଇ ମାରୁଥିଲେ , ସେ ଆଜି ଫୁଙ୍କା ଡାକ୍ତରକୁ ପଇସା ଦେଇ ବେଶ କିଛି ଉତ୍ତମ ମଧ୍ୟମ କଡା କରି ପାଉଛନ୍ତି ଜାଣି ପାଠୁଆ ଡାକ୍ତର ବି ଖୁବ ଆନନ୍ଦିତ ।

ଫୁଙ୍କା ଡାକ୍ତର ଏବେ ଆଉ ଯାଇତାହି ଡାକ୍ତର ନୁହଁନ୍ତି । ସୃଷ୍ଟିର ସବୁପ୍ର କାର ରୋଗର ଚିକିତ୍ସା ସେ ଫୁଙ୍କି କରିପାରନ୍ତି । ଏମିତି କହିବାକୁ ଗଲେ ସେ ଏକଧାରା ରେ ପେଡିଆଟ୍ରିକସ, ମେଡ଼ିସିନ, ଗାଇନୋକୋଲୋଜି, ସାଇକିଆଟ୍ରି,ଅର୍ଥୋପେଡିକସ, ଇଏନଟି , ଚକ୍ଷୁ ରୋଗ ଏବଂ ଆହୁରି ଅନେକ ଚିକିତ୍ସା ବିଭାଗର ସ୍ପେଶିଆଲିଷ୍ଟ ଡକ୍ଟରଙ୍କ ସହ ସମାନ ବା ତାଠାରୁ ଆହୁରି ଅଧିକ । ଜଣେ ହିଁ ଡାକ୍ତର, ଅନେକ ବିଭାଗରେ ବିଶେଷଜ୍ଞତା । କାହିଁକି ରୋଗୀ ତାଙ୍କ ପାଖକୁ ଦୌଡି ନଯିବେ? ଟିଭି ଵାଲା ମଧ୍ୟ ଫୁଙ୍କା ବାବାଙ୍କ ସାକ୍ଷାକାର ନେବାକୁ ବ୍ୟାକୁଳିତ ହେଲେ । ଅନେକ ଗୁଡିଏ ଚ୍ୟାନେଲ ଆସି ଧାଡି ଲଗେଇଲେ । ଥରେ ଗୋଟେ ଚ୍ୟାନେଲରେ ଫୁଙ୍କା ଡାକ୍ତରଙ୍କ ସାକ୍ଷାତ୍କାର କାର୍ଯ୍ୟକ୍ରମ ଚାଲିଥାଏ । ଫୁଙ୍କା ବାବାଙ୍କୁ ପ୍ରଶ୍ନ -ଆପଣ କାହିଁକି ରୋଗୀ ମାନଙ୍କୁ ଫୁଙ୍କି ଭଲ କରିବାକୁ ଚାହିଁଲେ?

ଫୁଙ୍କା ଡାକ୍ତର -ଛୋଟ ବେଳୁ ମୁଁ ଡାକ୍ତର ହୋଇ ରୋଗୀଙ୍କୁ ରୋଗ ଯନ୍ତ୍ରଣାରୁ ମୁକ୍ତ କରିବି ବୋଲି ସ୍ୱପ୍ନ ଦେଖୁଥିଲି । କିନ୍ତୁ ଭଗବାନଙ୍କର ଇଚ୍ଛା ଥିଲା ଅନ୍ୟ ପ୍ରକାର । ସେ ଚାଁହୁ ନ ଥିଲେ ମୁଁ ଜଣେ ସାଧାରଣ ଡାକ୍ତର ହୁଏ । ମୁଁ ମାଟ୍ରିକ ମାତ୍ର ଚାରିଥର ଫେଲ ହେବା ପରେ, ଈଶ୍ୱର ମୋତେ ଆଗକୁ ପଢିବାକୁ ବାରଣ କରି ସେହି ଅସାଧାରଣ ଇଶ୍ଵରୀୟ ଶକ୍ତି ପ୍ରଦାନ କଲେ । ସେବେଠୁ ମୁଁ ସେହି ଶକ୍ତି ଲୋକଙ୍କ କଲ୍ୟାଣରେ ଲଗାଉଛି । ଫୁଙ୍କି ରୋଗ ଭଲ କରୁଛି ।

ଚ୍ୟାନେଲ -ଆପଣ କେବେ ଓ କିପରି ଜାଣିବାକୁ ପାଇଲେ ଆପଣଙ୍କୁ ସେହି ଦୈବୀ ଶକ୍ତି ପ୍ରାପ୍ତ ହୋଇଛି?

ଫୁଙ୍କା ଡାକ୍ତର - ମୁଁ ଦିନେ ମଧ୍ୟ ରାତ୍ରରେ ଗଭୀର ନିଦ୍ରାରେ ଥିଲାବେଳେ, ମୋତେ ଈଶ୍ୱରଙ୍କ ସ୍ୱପ୍ନାଦେଶ ହେଲା, " ଉଠ ବତ୍ସ !ଆଖି ଖୋଲି ଦେଖ ତୁମ ଚତୁର୍ପାଶ୍ୱର ଲୋକଙ୍କୁ । କେମିତି ସେମାନେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏମିତି ଶୋଇରୁହନା । ଜାଗ୍ରତ ହୁଅ । ମୁଁ ତୁମକୁ ଏଠାକୁ ଏକ ମହାନ ଉଦେଶ୍ୟରେ ପଠାଇଛି । ଯାଅ ସେମାଙ୍କର ସେବା କର । ତୁମ ଜନ୍ମ ସାର୍ଥକ କର । ତୁମରି ହସ୍ତରେ ଅଛି ସବୁ ମହୋଷଧି "। ମୁଁ ହଠାତ ନିଦରୁ ଉଠିପଡିଲି । ଆଉ ଶୋଇପାରିଲି ନାହିଁ । ମୋ ଭିତରେ ମୁଁ ଅଦ୍ଭୁତ ଶକ୍ତି ଅନୁଭବ କଲି । ଈଶ୍ୱରଙ୍କ ସତ୍ତାକୁ ନିଜେ ଭିତରେ ପାଇଲି । ମୋ ଜନ୍ମର ଉଦେଶ୍ୟ ମୁଁ ଜାଣିଗଲି ।

ନିୟୁଜ ଚ୍ୟାନେଲ - ପ୍ରଥମ ଥର ପାଇଁ ଆପଣ ଆପଣଙ୍କ ମହୋଷଧିର ସଫଳ ପରୀକ୍ଷଣ କିପରି କଲେ ଏବଂ ଫୁଙ୍କିଲା ବେଳେ ଆପଣ କଣ କହି ଫୁଙ୍କନ୍ତି?

ଫୁଙ୍କା ଡାକ୍ତର ଟିକେ ଗାମ୍ଭିର୍ଯ୍ୟର ସହ ଏଥର ଉତ୍ତର ଦେଲେ, "ସେ ଫୁଙ୍କା ମନ୍ତ୍ର ମୋତେ ଈଶ୍ୱରଙ୍କ ଠୁ ପ୍ରାପ୍ତ ହୋଇଛି । ତାହା ଅତି ଗୋପନୀୟ । ପ୍ରଥମେ ଯେବେ ମୁଁ ମୋ ନିଜ ଶକ୍ତି ବିଷୟରେ ଅବଗତ ହେଲି, କିପରି ପରୀକ୍ଷା କରିବି ଚିନ୍ତା କରୁ କରୁ ରାସ୍ତା କଡରେ ଦେଖିଲି କୋଷ୍ଠକାଠିନ୍ୟତାର କଷ୍ଟରେ କୁନ୍ଥାଉଥିବା ଗୋଟେ କୁକୁରକୁ । ଆପଣମାନେ ତ ଜାଣନ୍ତି ସବୁ ନୂଆ ଔଷଧକୁ କେବେ ତତକ୍ଷଣାତ ମଣିଷ ଉପରେ ପ୍ରୟୋଗ କରାଯାଏ ନାହିଁ । ମୂଷା ଉପରେ ପ୍ରୟୋଗ କରି ଦେଖାଯାଏ । ମୁଁ ସେହିପରି ସେଇ କୁକୁରଟିକୁ ଶକ୍ତି ପରୀକ୍ଷାର ମାଧ୍ୟମ ଧରିନେଇ ଗୋପନୀୟ ମନ୍ତ୍ର ଫୁଙ୍କନ୍ତେ କୁକୁରଟିର କୋଷ୍ଠକାଠିନ୍ୟ ଗାୟବ । ତାପର ଠୁ ହିଁ ରୋଗୀ ସେବାରେ ମୋ ଜୀବନକୁ ଉତ୍ସର୍ଗ କରିଦେଲି ।"

ଆଉ ଗୋଟେ ନିଉଜ ଚ୍ୟାନେଲରେ ବାବାଙ୍କ ସାକ୍ଷାକାର ଚିଲିଥିଲା ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, "ଅନ୍ୟ ସମସ୍ତ ଡିଗ୍ରୀ ଧାରୀ ଯୋଗ୍ୟ ଡାକ୍ତର ମାନେ ରୋଗୀ ଦେଖାପାଇଁ ଶହେ କି ଦୁଇଶହ ଟଙ୍କା ଫିସ ନେଉଥିଲା ବେଳେ, ଆପଣ କାହିଁକି ଚାରିଶହ ଏକ ଟଙ୍କା ନିଅନ୍ତି? "

ଫୁଙ୍କା ଡାକ୍ତର ଏହି ପ୍ରଶ୍ନର ଉତ୍ତର ମଧ୍ୟ ଅତି ବିନମ୍ରତାର ସହ ଦେଲେ, " ସେହିସବୁ ଡାକ୍ତର ମାନେ ଖାଲି ରୋଗଟାକୁ ଚିହିଁ ଔଷଧ ଲେଖିଦିଅନ୍ତି । ରୋଗୀକୁ ଅନ୍ୟତ୍ର ଟଙ୍କା ଦେଇ ଔଷଧ କିଣିବାକୁ ପଡେ ତା ଛଡା ରୋଗ ଯନ୍ତ୍ରଣାରୁ ବି ସଙ୍ଗେ ସଙ୍ଗେ ମୁକ୍ତି ମିଳେନାହିଁ । ମୁଁ କିନ୍ତୁ ରୋଗୀକୁ ଫୁଙ୍କି ରୋଗ ଭଲ କରିବା ସହ ଔଷଧ ବି ନିଜେ ଦିଏ । ମୋ ଔଷଧର ପ୍ରଭାବ କେଇ ସେକେଣ୍ଡରେ ଜଣାପଡ଼ିଯାଏ । ଯନ୍ତ୍ରଣା ମଧ୍ୟ ସଙ୍ଗେ ସଙ୍ଗେ ଦୂର ହୁଏ । ପାର୍ଥକ୍ୟଟା ଆପଣ ଜାଣିପାରୁଥିବେ ନିଶ୍ଚୟ । ଆଉ ରହିଲା ପାଉଣା କଥା । ସେ ଚାରିଶହ ଏକ ଟଙ୍କା ମୁଁ ନିଜ ପାଇଁ ନିଏ ନାହିଁ । ସେ ଟଙ୍କା ସବୁ ସେହି ରୋଗୀ ମାନଙ୍କ କଲ୍ୟାଣ ପାଇଁ ମୁଁ ଯାଗଯଜ୍ଞ ଆଦିରେ ବିନିଯୋଗ କରେ । ତାହା ଈଶ୍ୱରଙ୍କ ଆଦେଶ ।" କହୁ କହୁ ଫୁଙ୍କା ଡାକ୍ତର ଉପରକୁ ହାତଟେକି ଭଗବାନଙ୍କ ଉଦେଶ୍ୟରେ ପ୍ରଣାମ କଲେ ।

"ଓଃ କି ମହାନ ଏହି ଡାକ୍ତର ! ରୋଗୀଙ୍କ କଲ୍ୟାଣ ପାଇଁ କିଏ ଏତେ ଚିନ୍ତା କରୁଥିବ? ଧନ୍ୟ ତୁମେ ଫୁଙ୍କା ବାବା । ଧନ୍ୟ ତୁମ ମାନବିକତା "। ଲୋକେ ଟିଭି ଆଗରେ ବସି ଏହିପରି ବାବାଙ୍କ ଗୁଣ ଗାନ କରୁଥିଲେ । କିଛି ଲୋକ ତ କହୁଥିଲେ ସରକାରୀ ଡାକ୍ତର ଗୁଡ଼ାଙ୍କୁ ଚାକିରୀରୁ ବାହାର କରିଦେଇ ଡାକ୍ତରଖାନାଗୁଡିକ ବନ୍ଦ କରିଦେବା ଠିକ ହେବ । ସମସ୍ତ ରୋଗୀଙ୍କୁ ଫୁଙ୍କା ବାବାଙ୍କ ଆଶ୍ରମକୁ ରାସ୍ତା ଦେଖେଇବା ଉଚିତ ।

କେଉଁ ରୋଗୀକୁ କୋଉ ଔଷଧ କେତେ ମାତ୍ରାରେ ଦେଲେ ରୋଗୀଟି ଠିକ ହେବ, ତାହା ଫୁଙ୍କା ବାବା ବେସ ଭଲ ଭାବରେ ଜାଣିଥିଲେ । ତାଙ୍କ ଔଷଧ କେବେ ନିଷ୍ଫଳ ହୁଏନାହିଁ । ରୋଗୀର ଲିଙ୍ଗ ଓ ବୟସ ଭେଦରେ ସମାନ ରୋଗ ପାଇଁ ଭିନ୍ନ ଭିନ୍ନ ଔଷଧ ବି ଦିଆଯାଏ । ଏହି ଯେମିତି କଟିକଟା ଗାଁର ବୃଦ୍ଧା କନକ ସାହୁ ଓ ତା ଷୋହଳ ବର୍ଷୀୟା ନାତୁଣୀ ଝୁନୁଲତା ଉଭୟଙ୍କ ଏକା ରୋଗ ପାଇଁ ବାବା ଅଲଗା ଅଲଗା ଔଷଧର ବ୍ୟବସ୍ଥା କରିଥିଲେ । ଜେଜେ ମାଆ ନାତୁଣୀ ଉଭୟଙ୍କର ପେଟ ଯନ୍ତ୍ରଣା ହେଉଥିଲା । ସେମାନେ ଆଉ ଅଲଗା କୋଉ ଡାକ୍ତରୀ ଔଷଧ ଉପରେ ଅଯଥା ଭରଷା ନକରି ସିଧା ଫୁଙ୍କା ଡାକ୍ତରଙ୍କ ଚିକିତ୍ସା ଶିବିରରେ ଆସି ହାଜର ହେଲେ । ଆଗ ଆଗ ଜେଜେମାଆ ଭିତରକୁ ଗଲେ । କନକଙ୍କ ପରେ ପଡିଲା ଝୁନୁର ପାଳି । ଝୁନୁ ଭିତରୁ ଆସିଲା ପରେ ଜେଜେମାଆ ତାର ନାତୁଣୀକୁ ଟିକେ ଆଉଁଷି ଦେଇ କହିଲା, "ଟିକେ ସହିଯା ଲୋ ଝିଅ । ଏମିତି ତ ଅଲଗା କୋଉ ଡାକ୍ତର ପାଖକୁ ଯାଇଥିଲେ କେତେ ପିତା ପିତା ଉଷୁଦ ଲେଖିଥାନ୍ତା । ଅଣ୍ଟାରେ ଇଞ୍ଜେକ୍ସନ ଫୁଟେଇ ଥାନ୍ତା । ସେ କଣ କମ କଷ୍ଟ କି?ଏଇ ଟିକେ ଅଣ୍ଟା ରାମ୍ପୁଡା ବେଶି କଷ୍ଟ କଣ ତା ଆଗରେ "?

ନାତୁଣୀ ତା ଜେଜେମାଆକୁ ହସି ହସି କହିଲା, "କୋଉ ରାମ୍ପୁଡା କଥା କହୁଛୁ କି ଲୋ ଜେଜେମାଆ?ଫୁଙ୍କା ବାବା ତ ମନ୍ତ୍ର ଫୁଙ୍କି ମୋ ଅଣ୍ଟା ପେଟ କେବଳ ଆଉଁଷି ଦେଲେ ।ରାମ୍ପୁଡା ରାମ୍ପୁଡ଼ି କିଛି କରିନାହାଁନ୍ତି । କାଟିବ କାହିଁକ?"

ବୁଢୀ ନାତୁଣୀ କଥା ଶୁଣି ଖପ୍ପା ହୋଇ କହିଲା, "ଆରେ ମୋର ତ ଯୋଉ ରୋଗ ତୋର ସେହି ରୋଗ । ତତେ ଆଉଁଷା ମତେ ରାମ୍ପୁଡା? ଇଏ କି ପାତର ଅନ୍ତର? " ବୁଢୀ ଗର ଗର ହେଇ ଆଉ ଥରେ ଡାକ୍ତରଙ୍କ ପାଖକୁ ଗଲା । ବୁଢୀର ରାଗ ଭଣ ଭଣ ମୁହଁ ଦେଖି ଦୁଇଜଣ କମ୍ପାଉଣ୍ଡର ତାକୁ ଅଟକାଇ ଦେଲେ । ଜଣେ କମ୍ପାଉଣ୍ଡର ବୁଢୀର ପ୍ରଶ୍ନକୁ ଅତି ସରଳରେ ବୁଝାଇ କହିଲେ, "ମାଉସୀ ଆମେ ମାନୁଛୁ ତୁମ ଦୁହିଁଙ୍କର ସମାନ ରୋଗ । କିନ୍ତୁ ଔଷଧ ସମାନ ହେବନାହିଁ । ତୁମେ କଣ ଡାକ୍ତରଙ୍କ ଠାରୁ ବେଶି ଜାଣିଛ? ଯେତେବେଳେ ଆଉ କୋଉ ପାଠୁଆ ଡାକ୍ତର ପାଖକୁ ଯାଅ, ସେ କଣ ଜର ପାଇଁ ଛୋଟ ଛୁଆଙ୍କୁ ଯୋଉ ଔଷଧ ଦିଅନ୍ତି ବୟସ୍କ ଲୋକଙ୍କୁ ସେହି ଔଷଧ ଦିଅନ୍ତି? ଅଲଗା ଅଲଗା ବୟସକୁ ଅଲଗା ଅଲଗା ଡୋଜ ଦିଆଯାଏ ପରା । ଫୁଙ୍କା ଡାକ୍ତରଙ୍କୁ ବେସ କରି ଜଣା ତୁମେ ବୁଢୀ ଲୋକ, ତୁମ ପେଟ ଟଣା ରାଂପୁଡା ରେ କମିବ । ନାତୁଣୀ ର ବୟସ କମ, ତେଣୁ ତା ପେଟ ଟଣାକୁ ଟିକେ ଅଲଗା ଔଷଧ ଦରକାର । ସେଇ ହିସାବରେ ଔଷଧ ଦିଆଗଲା ।"

ବୃଦ୍ଧା କନକ କମ୍ପାଉଣ୍ଡର ବାବୁଙ୍କ କଥା ଏକଦମ ବୁଝିଗଲେ । ତାଙ୍କ ପେଟ ଯନ୍ତ୍ରଣା କମିଲା କି ନାହିଁ କେଜାଣି ।, ମୁହଁ ଟାକୁ କିନ୍ତୁ ହାଣ୍ଡି କରି ଅଣ୍ଟାର ପୋଡାଜଳା କୁ ଆଉଁସି ଆଉଁସି ନାତୁଣୀକୁ ନେଇ ପଳେଇଆସିଲେ ।

ନିନ୍ଦୁକ ମାନଙ୍କର କାମ ହିଁ ନିନ୍ଦା କରିବା,ତେଣିକି କାର୍ଯ୍ୟଟି ଭଲ ହେଉ ବା ମନ୍ଦ । ଫୁଙ୍କା ଡାକ୍ତରଙ୍କର ମଧ୍ୟ ଅନେକ ନିନ୍ଦୁକ ଥିଲେ । ସେମାନେ କହୁଥିଲେ ଏ ଫୁଙ୍କା ଡାକ୍ତରଟା କୁଆଡେ ଗୋଟେ ଟାଉଟର । ତାକୁ ଖୁବ ଶୀଘ୍ର ଆରେଷ୍ଟ କରିବା ଥିଲା ନିନ୍ଦୁକଙ୍କର ଦାବୀ । ସେମାନେ ମଧ୍ୟ ଫୁଙ୍କା ଡାକ୍ତରଙ୍କୁ ଚ୍ୟାଲେଞ୍ଜ କରୁଥିଲେ ଆସି ତାଙ୍କ ସାମ୍ନାରେ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ । ଆରେ ବାବୁ ! ବାବାଙ୍କୁ ତର କାହିଁ, ସେ ଏତେ ସବୁ ରୋଗୀଙ୍କୁ ଛାଡ଼ି ଆପଣମାନଙ୍କୁ ନିଜ ଶକ୍ତି ଦେଖେଇବେ? ଫୁଙ୍କା ବାବା ନିନ୍ଦୁକଙ୍କ କଥାକୁ କାନ ନଦେଇ ନିଜ କାମ ଜାରିରଖିଥିଲେ । ଓଡିଶା ଯାକର ଲୋକଙ୍କୁ ତ ବାବାଙ୍କ ବିଧା ଗୋଇଠା ବେସ ଭଲ ଲାଗୁଛି,ସେମାନେ ବା କାହିଁକି ଏ ମୁଷ୍ଟିମେୟ ନିନ୍ଦୁକ ଗୋଷ୍ଠୀରେ ମିଶି ବାବାଙ୍କ ପରୀକ୍ଷା ନେବେ?

ଫୁଙ୍କା ଡାକ୍ତରଙ୍କ ପୁରୁଣା ରୋଗୀ ରତ୍ନାକର ପଣ୍ଡାଙ୍କର ଆଠ ବର୍ଷର ପୁଅ ରିଙ୍କୁକୁ ଡେଙ୍ଗୁ ହେଲା । ରତ୍ନାକର ତତକ୍ଷଣ।ତ ରିଙ୍କୁକୁ ନେଇ ମେଡିକାଲରେ ଭର୍ତ୍ତି କଲା । ଅବସ୍ଥା ସଙ୍କଟାପନ୍ନ । ରିଙ୍କୁ ICUରେ ରହି ଟ୍ରିଟମେଣ୍ଟ ହେଲା । ରତ୍ନାକରର ସ୍ତ୍ରୀ କହିଲା, " ହଇହୋ !ତୁମେ ତ ନିଜ କାନ ଟଣା ରୋଗ ପାଇଁ ଫୁଙ୍କା ବାବାଙ୍କ ପାଖକୁ ଯାଇ କର୍ଣ୍ଣମୁଳିଆ ଚାପୁଡ଼ା ଖାଇ ଭଲ ହେଇଫେରିଥିଲ । ପୁଅକୁ ସେଠିକି ନେଉନ କିଆଁ? ଆମେ ଚାଲ ରିଙ୍କୁକୁ ଫୁଙ୍କା ଡାକ୍ତର ପାଖକୁ ନେଇଯିବା । ସେ ନିଶ୍ଚେ ଫୁଙ୍କା ଫୁଙ୍କି କରି ଠିକ କରିଦେବେ "।

ରତ୍ନାକରର ଫୁଙ୍କା ଡାକ୍ତର କଥା ମନେ ପଡିଲାରୁ ସେ ନିଜ କର୍ଣ୍ଣମୂଳକୁ ଟିକେ ଆଉଁଷି ପକେଇଲା । ସ୍ତ୍ରୀକୁ ସଫା ମନା କରିଦେଲା ରିଙ୍କୁ ସେଠିକୁ ଯିବନି ।

ଏଠି ଏଣେ ଡାକ୍ତର ମାନେ ଆସି କହୁଛନ୍ତି "ଅବସ୍ଥା ଟିକେ ସିରିଅସ ଅଛି । ଚେଷ୍ଟା ଚାଲିଛି । ବ୍ୟସ୍ତ ହୁଅନି "। ରିଙ୍କୁର ମାଆ ଆଉ ସମ୍ଭଳ। ହେଉନାହିଁ । ସେ ନିଜର କିଛି ପ୍ରିୟଜନଙ୍କ ସହ ମିଶି ଫୁଙ୍କା ଡାକ୍ତରଙ୍କୁ ଫୋନ କରି ହସ୍ପିଟାଲକୁ ଡକେଇଲେ । ଫୁଙ୍କା ବାବା ବି ନିଜ କମ୍ପାଉଣ୍ଡର ମାନଙ୍କ ସହ ଆସି ମେଡିକାଲରେ ପହଞ୍ଚିଗଲେ । କିନ୍ତୁ ମେଡିକାଲ କର୍ମଚାରୀ ଓ ଡାକ୍ତରମାନେ ବାବାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲେନାହିଁ । ବାବାଙ୍କର ତ କେବଳ ରୋଗୀ କଲ୍ୟାଣରେ ଧ୍ୟାନ । ସେଥିପାଇଁ ସିନା ଧାଇଁ ଆସିଥିଲେ । ଏମାନେ ତ ତାଙ୍କୁ ରିଙ୍କୁ ପାଖକୁ ଛାଡ଼ୁନାହାନ୍ତି ।

ରିଙ୍କୁର ମାଆ ଓ ଆଉ କିଛି ଶୁଭାକାଂକ୍ଷୀ କହିଲେ," ଆମ ପୁଅକୁ ଆମକୁ ଦେଇଦିଅ । ଆମେ ତାକୁ ଫୁଙ୍କା ଡାକ୍ତରଙ୍କୁ ଦେଖାଇବୁ ।" ସେମାନେ ଜୋରଜବରଦସ୍ତ ରିଙ୍କୁକୁ ICU ବାହାରକୁ ନେଇଆସିଲେ । ଫୁଙ୍କା ବାବା ପିଲାକୁ ଖୁବ ଫୁଙ୍କିଲେ । କହିଲେ ଏବେ ମୁଥ ଔଷଧ ଟି ଦେଇଦେଲେ ପିଲା ଉଠି ବସିବ । ରିଙ୍କୁର ମାଆ ତଳେ ବସି ବାବାଙ୍କ ନାମ ଜପୁଥାଏ । ବାବାଙ୍କର ଗୋଟେ ମୁଥରେ ରିଙ୍କୁ ଟିକେ ହଲଚଲ ହେଲା । ଉପସ୍ଥିତ ଲୋକେ ବାବାଙ୍କ ଜୟ ଜୟକାର କଲେ । ଆଉ ଗୋଟେ ମୁଥ ମାରିବାକୁ ଯାଇଛନ୍ତି, ଡାକ୍ତରମାନଙ୍କ ଫୋନରେ ସେଠି ପୁଲିସ ଓ ବାବାଙ୍କର କିଛି ନିନ୍ଦୁକ ଆସି ପହଞ୍ଚିଗଲେ ।

ବାବା ନିଶ୍ଚୟ ରିଙ୍କୁକୁ ଭଲ କରି ନିନ୍ଦୁକଙ୍କ ଆଗରେ ନିଜ ଶକ୍ତିର ପ୍ରମାଣ ଦେଇଥାନ୍ତେ, ତାହା ପୂର୍ବରୁ ବାବା ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡି ଛାଟିପିଟି ହେଲେ । ରିଙ୍କୁ ପୂର୍ବ ପରି ପାଠୁଆ ଡାକ୍ତରଙ୍କ ହାତକୁ ଚାଲିଗଲା । ବାବାଙ୍କୁ ମଧ୍ୟ ଜଣେ ଡାକ୍ତର ଚେକ କରିବାକୁ ଆସୁଥିଲେ, ବାବାଙ୍କର କିଛି କମ୍ପାଉଣ୍ଡର କହିଲେ, "ବାବାଙ୍କୁ କୋଉ ବି ଡାକ୍ତର ଛୁଇଁବେନାହିଁ । ଆମେ ଜାଣୁ ୟେ ରୋଗର ଔଷଧ । ବାବା ଆମକୁ ଶିଖେଛନ୍ତି । ଆଜି ଯଦି ବାବାଙ୍କୁ ଠିକ କରିନପାରିଲୁ, ତାହେଲେ ଆମର ତାଲିମ କୋଉ କାମକୁ? "

ଏହା କହି ସେମାନେ ବାବାଙ୍କ ଉପରେ ଗୋଇଠା ମାଡ଼ କରିଚାଲିଲେ । ବାବା ଯନ୍ତ୍ରଣାରେ ଆଖି ବୁଝି ପକାଇ ବୋଉଲୋ ବାପାଲୋ ହେଉଥାନ୍ତା । ଔଷଧ ସରିନି ବାବା ଚେତାଶୂନ୍ୟ ହୋଇପଡିଲେ ।

ସେହିଯେ ବାବାଙ୍କ ଚେତା ବୁଡିଥିଲା, ହୋସ ଆସିଲା ଯାଇ ଥାନା ହାଜତରେ । ବାବାଙ୍କର ଅନେକ ରୋଗୀ ମଧ୍ୟ ସାମ୍ନାକୁ ଆସି ଅଭିଯୋଗ କଲେ, "ଖାଲି ଗୁଡ଼ାଏ ଏଣୁ ତେଣୁ ମନ୍ତ୍ର ଫୁଙ୍କି ଏ କରୁଣାକର ଦାସ ଆମକୁ ମାଡ଼ ମେଞ୍ଚାଏ ଦେଇଛି । ରୋଗ ଫୋଗ କିଛି ଭଲ କରିନି । ଆମ ରୋଗ ଯେମିତିକୁ ସେମିତି ଅଛି । ୟାକୁ ଠକେଇ ଅଭିଯୋଗରେ ଶାସ୍ତି ଦିଆହେଉ ଆଉ ଆମ ଟଙ୍କା ଆମକୁ ଫେରସ୍ତ ମିଳୁ । "

ଫୁଙ୍କା ଡାକ୍ତରଙ୍କ ବିରୁଦ୍ଧରେ ସବୁ ଅଭିଯୋଗ ପ୍ରମାଣିତ ହେଲା । ଫୁଙ୍କା ଡାକ୍ତରଙ୍କ ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଅବୈଜ୍ଞାନିକ ଓ ସମାଜ ପାଇଁ ବିପଦଜନକ ହେଇଥିବ ହେତୁ ସେ ଦଣ୍ଡ ପାଇବାକୁ ଯୋଗ୍ୟ ବୋଲି କୁହାଗଲା । ନିଜକୁ ଈଶ୍ୱରଙ୍କ ଦୂତ କହି ଲୋକଙ୍କୁ ଅନେକ ଠକିଥିବାରୁ ତାଙ୍କୁ କ୍ଷତିପୂରଣ ବାବଦକୁ ଜୋରିମାନା ରାଶି ଭରଣା କରିବାକୁ ମଧ୍ୟ ଆଦେଶ ଦିଆଗଲେ ।

ବାବା ଏବେ ଚୌଦ୍ୱାର ଜେଲରେ । ଢ଼ିଙ୍କି ଯୁଆଡେ ଗଲେ ମଧ୍ୟ ଧାନ କୁଟିବ । ଫୁଙ୍କା ଡାକ୍ତର ସେଠି ବି କେତେ କଏଦୀ ବନ୍ଧୁଙ୍କ ରୋଗ ଠିକ କରିବା ଶୁଣାଗଲାଣି । ବାବା ସିନା ଠକ ପ୍ରମାଣିତ ହୋଇଗଲେ, ଯୋଉ ଲୋକ ଆଦୌ ଠକାମିର ଶିକାର ହେଇନି ତାର ବି ତ ଆହୁରି ଠକିହେବା ବାକି ଅଛି !! ଯେତେ ଭଣ୍ଡ ବାବା ଧରାପଡିଲେ ମଧ୍ୟ ଆମ ଲୋକଙ୍କୁ ଠକାମିରେ ପଡିବାରୁ କେହି ବଞ୍ଚେଇ ପାରିବେ ନାହିଁ ।

ଏବେ ଏବେ ଖବର ମିଳିଛି ଖୋଦ ଜେଲର ସାହେବଙ୍କ ପତ୍ନୀ ଦୁଇ ତିନି ଥର ଜେଲ ପରିଦର୍ଶନରେ ଆସି ନିଜ ଗାଲ, ପିଠି ଆଉଁଷି ଆଉଁଷି ହୋଇ ଫେରୁଛନ୍ତି ।।

*********ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Comedy