Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୭୪
ଜହ୍ନମାମୁଁ -୭୪
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.8K    10


Content Ranking

ଅପୂର୍ବଙ୍କ ପରାକ୍ରମ -୨

ସ୍ତ୍ରୀ ଲୋକଟିର ଏଭଳି ଚିତ୍କାର ଶୁଣି ତା’ର ପଡୋଶୀମାନେ ନିଜ ନିଜ ଘରୁ ବାହାରି ଆସିଲେ । ସମସ୍ତେ ଅଳ୍ପ ସମୟ ଭିତରେ ବୁଝିଗଲେ ଯେ ଘଟଣା କ’ଣ ହୋଇଛି । କିନ୍ତୁ ସମସ୍ତେ ଭୈରବ ସର୍ଦ୍ଦାର ଆଗରେ ଏକଦମ୍ ଅସହାୟ । କେହି କିଛି ହେଲେବି କରିପାରିଲେ ନାହିଁ ।

ଅପୂର୍ବ ଦେଖିଲା ଯେ ଗାଁ ବାଲା କେହି କିଛି କରୁନାହାଁନ୍ତି, କାରଣ ଭୈରବ ସର୍ଦ୍ଦାର ଆଗରେ ତାଙ୍କର ଏତେ ସାହସ ନଥିଲା । ତେଣୁ ଆଉ କାଳବିଳମ୍ବ ନକରି ଅପୂର୍ବ ସେମାନଙ୍କର ପିଛା କଲା ।

ସେମାନେ ପ୍ରାୟ ପାଞ୍ଚମାଇଲ୍ ପର୍ଯ୍ୟନ୍ତ ଚାଲିଲେ । ତା’ପରେ ପାହାଡ ଦ୍ୱାରା ଘେରିଥିବା ଏକ ଛୋଟ ପାହାଡ ଉପରେ ସେମାନେ ଯାଇ ପହଁଚିଲେ । ସେଠାରେ କେତେଗୁଡିଏ ଗୁମ୍ଫା ଓ ସେହି ଗୁମ୍ଫାମାନଙ୍କ ସାମନାରେ ସବୁ ଡାକୁମାନେ ଠିଆ ହୋଇଥିଲେ ।

ସର୍ଦ୍ଦାର ପ୍ରଶ୍ନ କଲା “ଦେବତାଙ୍କ କରୁଣାରୁ ଆମକୁ ଆମର ପସନ୍ଦମତ ଜିନିଷ ମିଳିଗଲା ସର୍ବଲକ୍ଷଣ ସମ୍ପନ୍ନ । ତୁମେମାନେ ପୂଜା ପାଇଁ ପ୍ରସ୍ତୁତ ତ?”

ଜଣେ ଡାକୁ କହିଲା “ପ୍ରସ୍ତୁତ ସର୍ଦ୍ଦାର, ଜ୍ୟୋତିଷ ପାଞ୍ଜିଦେଖି ସମୟ ନିର୍ଦ୍ଧାରିତ କରିଛି; ଅଧରାତି ହେଉଛି ଏଥିପାଇଁ ପ୍ରକୃଷ୍ଟ ସମୟ ।”

ସର୍ଦ୍ଦାର ହୁକୁମ୍ ଦେଲା “ସାବାସ୍ । ଏବେ ଏହାକୁ ନେଇ ଦେବତାଙ୍କ ଗୁମ୍ଫାର ପାଖ ଗୁମ୍ଫାରେ ବନ୍ଦୀ କରି ରଖ । ଏହି ନିଅ ନିଦର ଔଷଧ । ଅଳ୍ପ ପାଣି ସହିତ ତାହା ଖୁଆଇବ । ଅଳ୍ପ ଔଷଧ ପକାଇବ । ବେଶି ହେଲେ ରାତିରେ ସେ ଆଉ ଉଠିପାରିବ ନାହିଁ । କର୍ମକାଣ୍ଡ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ; ସେ ବନ୍ଦୀ ସମୟରେ ଜାଗ୍ରତ ହେବା ଦରକାର ।”

ଅପୂର୍ବ ଦେଖିଲା ଜଣେ ବ୍ୟକ୍ତି ଗୁମ୍ଫାରୁ ହାତରେ କିଛି ପାଣି ସହିତ ବାହାରି ଆସିଲା, ତହିଁରେ ନିଦ ଔଷଧ ମିଶାଇଲା ଓ ପିଲାଟିକୁ ଜୋର୍ ଜବରଦସ୍ତ ସେତକ ଗିଳାଇବା ପାଇଁ ଚେଷ୍ଟା କଲା ।

ଭୈରବ ସର୍ଦ୍ଦାର କହିଲା “ସିଏ ନିଦରେ ଶୋଉ ନା ନାହିଁ, ଔଷଧ ଖାଉ ନା ନାହିଁ, ଏତେ କଷ୍ଟରେ ଆମେ ଲକ୍ଷଣଯୁକ୍ତ ପିଲାଟିଏ ପାଇଛୁ ତାକୁ ଯେପରି କେହି ଛଡାଇ ନ ନିଏ ।”

ଜଣେ ଡାକୁ କହିଲା “କିଏ ନେବ ଓ କୁଆଡେ ବା ନେବ? ଏଠାରୁ ରାସ୍ତା ପାଇ ପଳାଇବା ପରି ବୁଦ୍ଧିମାନ୍ ସେ ନୁହେଁ । ଏ ଘାଟିରୁ ବାହାରକୁ ଯିବାର ରାସ୍ତା ମିଳିଲେ ତ?”

ସର୍ଦ୍ଦାର କହିଲା “ଏବେ କଥା ବନ୍ଦ କରି ମୁଁ ଯାହା କହୁଛି ତାହା କର ।”

ଜଣେ ଡାକୁ କହିଲା “ଯେ ଆଜ୍ଞା ସର୍ଦ୍ଦାର । ହୁକୁମ୍ ଦିଅନ୍ତୁ ।”

ପିଲାଟିକୁ ଗୁମ୍ଫା ଭିତରକୁ ନେଇ ତାକୁ ଏକ ସପ ଉପରେ ଶୁଆଇ ଦିଆଗଲା । ଅପୂର୍ବ ଏସବୁ ଲୁଚି ଲୁଚି ଦେଖୁଥିଲା । ସେ ହଲିବାରୁ ଗଛଗୁଡା ବି ହଲିଲା । ଜଗୁଆଳୀ ଡାକୁ କହିଲା, “କିଏ କିରେ ଏଠି ଗଛ ହଲାଉଛି?” ଆଉ ଜଣେ କହିଲା, “ହୁଏତ ଠେକୁଆ ହୋଇଥିବ ନହେଲେ ଏଠିକି ଆଉ କିଏ ବା ଆସିବ?”

ଡାକୁ ଦୁଇଜଣ ସେ ଶବ୍ଦ କଥା ଭୁଲିଯାଇ ପୁଣି ନିଜ କାମରେ ମନ ଦେଲେ । ଅନ୍ଧାର ହୋଇଥିବାରୁ ଅପୂର୍ବ ପାଇଁ ଅଧିକ ସୁବିଧା ହେଲା । ସେ ଅନ୍ଧାର ଭିତରେ ବୁଲି ବୁଲି ସେମାନଙ୍କ କାମ ଦେଖିଲା । ତା’ପରେ ସେ ଅପୂର୍ବ ପୂର୍ବୋକ୍ତ ବାଳକ ବନ୍ଦୀ ହୋଇଥିବା ଗୃହକୁ ଗଲା । ଦେଖିଲା ବାଳକଟି ଔଷଧ ଖାଇ ଶୋଇ ପଡିଛି । ଅପୂର୍ବ ଦେହରେ ତ ହାତୀଟିଏ ଟେକି ନେବାର ବି ଅଲୌକିକ ଶକ୍ତି ଥିଲା । କିନ୍ତୁ ସେ ବିଚାର କରି ଦେଖିଲା ଯେ ସେ ଯଦି ପିଲାକୁ ସେଠାରୁ ଟେକିନେବ ତେବେ ଡାକୁମାନେ ତାକୁ ନପାଇ ଖୋଜିବେ ଓ ଶେଷରେ ସେ ଦୁହେଁ ଧରା ପଡିବେ । କାରଣ ଅପୂର୍ବର ସିନା ଅଦୃଶ୍ୟ ହୋଇଯିବାର ଶକ୍ତି ଅଛି, କିନ୍ତୁ ସେ ବାଳକର ତ ଆଉ ନାହିଁ ।

ତା’ପରେ ସେ ବାହାରକୁ ଆସି ଦେଖିଲା, ସେମାନେ ସମସ୍ତେ ମଦ ପିଇ ହସି ହସି ଗଡୁଛନ୍ତି ତାହା ପୁଣି ତାଙ୍କ ଦେବତାଙ୍କ ସମ୍ମୁଖରେ; ତାଙ୍କର ଦେବତା ହେଲେ ଶାର୍ଦ୍ଦୁଳର ଏକ ପ୍ରତିମୂର୍ତ୍ତି । ଅପୂର୍ବ ଏସବୁ ଦେଖି ନିଜେ ଟିକିଏ ହସିଦେଲା ।

ସର୍ଦ୍ଦାର ଗର୍ଜି ଉଠି କହିଲା ଦଦୁଆ, ତୁମେ ପୂଜକ । ତୁମେ ଆମଭଳି ବହୁତ ପିଇଲେ ବଳୀ ପକାଇବାବେଳେ ହାତରେ ଆଉ ବଳ ରହିବ ନାହିଁ ହାତ ଥରିବ । ତା’ପରେ ତମେ ଏକା ଚୋଟରେ ସେ ଟୋକାଟାର ମୁଣ୍ଡଗଣ୍ଡି ଦି’ଖଣ୍ଡ କରିପାରିବ ନାହିଁ । ସେତକ କରି ନପାରିଲେ ଜାଣିଥାଅ ଯେ ତୁମର ମୁଣ୍ଡଟି ଗଣ୍ଡିଠାରୁ ଅଲଗା ହୋଇଯିବ । ସେ ପୁଣି ଧମକ ଦେଇ କହିଲା “ମନେରଖ, ଭୈରବ ସର୍ଦ୍ଦାର ପାଖରେ ଦୁର୍ବଳତାର କୌଣସି ସ୍ଥାନ ନାହିଁ ।”


ଚିତ୍କାର ଦେବତା ନିର୍ଦ୍ଧାରିତ

Rate the content


Originality
Flow
Language
Cover design

Comments

Post

Some text some message..