Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋକ୍ଷ
ମୋକ୍ଷ
★★★★★

© Kamala Satpathy

Inspirational Abstract Others

12 Minutes   14.0K    15


Content Ranking

ଆକାଶରେ ମେଘର ପଟୁଆର । ଶୂନଶାନ୍ ଆଉ ନିସ୍ତବ୍ଧ ରାତିର ବୋଝିଲା ପରିବେଶରେ ଘୁମେଇ ପଡିଥିଲା ସ୍ବାମୀ ଯୋଗାନନ୍ଦଙ୍କର ସାରା ଆଶ୍ରମଟା । ଘଡଘଡିର କାନଫଟା ଶବ୍ଦ ସାଙ୍ଗକୁ ପବନର ସୁ ସୁ ଶବ୍ଦ, ପୂରା ବାତାବରଣକୁ କରିଦେଉଥିଲା ଆହୁରି ଭୟଙ୍କର । ଆଶ୍ରମବାସୀ ସନ୍ଧ୍ୟା ଆରାଧନା ଯଥାଶୀଘ୍ର ସାରିଦେଇ କେତେବେଳୁ ନିଜ ନିଜ କୁଡିଆ ଭିତରେ ପଶିଗଲେଣି । ହୁଏତ ସେମାନଙ୍କ ଭିତରୁ ଅଧିକାଂଶ ଶୋଇପଡିବେଣି । କିନ୍ତୁ ସ୍ବାମୀ ଧରଣୀଧରଙ୍କ ଆଖିରେ ଆଜି ଟିକିଏ ବି ନିଦ ନାହିଁ । କାହିଁ କେତେବେଳୁ ସେ ବସିଛନ୍ତି ନିଜ ମୃଗଛାଲ ଉପରେ, ଆଉ ଧ୍ୟାନ କେନ୍ଦ୍ରିତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କାହିଁକି କେଜାଣି ତାଙ୍କ ଧ୍ୟାନ ଆଜି ଜମାରୁ ସ୍ଥିର ହେଇପାରୁନାହିଁ । ଆଖି ବୁଜିବା ମାତ୍ରେ ଈଶ୍ବରଙ୍କ କାଳ୍ପନିକ ଚେହେରା ଦିଶିବା ପରିବର୍ତ୍ତେ ଦିଶିଯାଉଛି ଆଉ କିଛି ଅସ୍ପଷ୍ଟ ଦୃଶ୍ୟ, ଯାହା ନଦେଖିବାକୁ ସେ ବାରମ୍ବାର ଚେଷ୍ଟା କରିଚାଲିଛନ୍ତି ।

ପୁଣି ଥରେ ଆଖି ବୁଜିଲେ ସେ । ଏଥର ଗୁରୁଙ୍କ ପାଦପଦ୍ମକୁ ସ୍ମରଣ କରିବାକୁ ଚେଷ୍ଟା କଲେ । ତାଙ୍କ ସନ୍ୟାସୀ ଜୀବନର ପ୍ରଥମ ଆଧାର ସେହି ପାଦପଦ୍ମର ଧ୍ୟାନ କରୁ କରୁ ସେ ସବୁକିଛି ଭୁଲିଗଲେ । ଧ୍ୟାନରେ ଧିରେ ଧିରେ ନିଜକୁ ବୁଡେଇ ଚାଲିଗଲେ । ଗୁରୁଙ୍କ ମୁଖନିସୃତ ବାଣୀ ତାଙ୍କ କାନରେ ମଧୁର ଝଙ୍କାର ତୋଳିଚାଲିଲା । ସେ ଉର୍ଦ୍ଧ୍ବକୁ .. ଉର୍ଦ୍ଧ୍ବକୁ .. ଆହୁରି ଉର୍ଦ୍ଧ୍ବକୁ ଉଠି ଚାଲିଗଲେ । ଗୁରୁ ନିଜର ହାତ ବଢେଇ ତାଙ୍କୁ ନିଜ ପାଖକୁ .. ଆହୁରି ପାଖକୁ ଡାକି ନଉଥିଲେ । ହଠାତ୍ ସେ ହାତ ତାଙ୍କୁ ଅସ୍ବାଭାବିକ ଭାବରେ କୋମଳ ଲାଗିଲା । ମଧୁର ଏକ ସୁଗନ୍ଧରେ ତାଙ୍କ ଆଖପାଖ ଭରିଗଲା । ସେ ଚମକି ଉଠିଲେ । କାହାର ହାତ ଇଏ ? କିଏ ସେ ତାଙ୍କୁ ଏମିତି ତୋଳି ଧରିଛି ? ଧରାର ଏଇ ରୁକ୍ଷତା ଭିତରୁ ତାଙ୍କୁ କିଏ ସେ ଉଠେଇ ନଉଛି ? କିଏ ସେ ? କାହାର ଏ ମନ ମତାଣିଆ ସ୍ପର୍ଶ ?

ଚମକି ଉଠିଲେ ଆଜୀବନ ବହ୍ମଚାରୀ ସ୍ବାମୀ ଧରଣୀଧର । ପୁଣି ତାଙ୍କର ଧ୍ୟାନ ଭଙ୍ଗ ହେଇଗଲା । ଅଜଣା ଏକ ବ୍ୟାକୁଳତାରେ ମନ ଭାରି ଭାରି ହେଇଉଠିଲା । ଆଉ ସ୍ଥିର ହୋଇ ବସିରହିବା ସମ୍ଭବ ନଥିଲା । କୁଡିଆର ଦରଜା ଖୋଲି ସେ ବାହାରକୁ ଚାଲିଆସିଲେ । ବାହାରେ ଅନ୍ଧାରର ସାମ୍ରାଜ୍ୟ । ବାଜା ବଜେଇ, ବାଣ ଫୁଟେଇ ମେଘ ଧାଇଁଛି ଆଗକୁ । ଆଜି ତା’ର ମିଳନ ହେବ ଧରିତ୍ରୀ ସାଙ୍ଗରେ । ମିଳନର ପ୍ରତୀକ୍ଷାରେ କ୍ଷଣ ପ୍ରତିକ୍ଷଣ ଅସହ୍ୟ ହେଇଉଠୁଛି । ଧରା ବି ପଣତ ମେଲେଇ ମେଘର ସ୍ବାଗତରେ ଅପେକ୍ଷା କରି ରହିଛି । କେଉଁ ମୁହୂର୍ତ୍ତରେ ବି ଏହି ପ୍ରତୀକ୍ଷାର ଅନ୍ତ ହୋଇଯିବ । ଧରିତ୍ରୀକୁ ନିଜ ପ୍ରେମରେ ସରାବୋର କରିଦେବ ମେଘ, ଆଉ ତା’ପରେ ଧରିତ୍ରୀ ସାଜିବ ସବୁଜ ରୂପରେ ।

ଆକାଶକୁ ପୁଣି ଥରେ ଚାହିଁଲେ ଧରଣୀଧର । ନିଜର ଚିନ୍ତା ଆଜି ତାଙ୍କୁ ଆଶ୍ଚର୍ଯ୍ୟ କରି ପକୋଉଥିଲା । ଏ ଆଶ୍ରମରେ ରହିବା ଆଜକୁ ପ୍ରାୟ ତିରିଶ ବର୍ଷ ଉପରେ ହେଇଗଲାଣି । କେତେ ବର୍ଷା ବସନ୍ତ ଏଇଠି ସେ ଦେଖି ସାରିଛନ୍ତି । କିନ୍ତୁ ଏପରିକା ଚିନ୍ତା ତାଙ୍କ ମୁଣ୍ଡକୁ ଆଗରୁ କେବେ ପଶିନଥିଲା । ବର୍ଷାର ଧରିତ୍ରୀ ସହିତ ମିଳନ ବିଷୟରେ ସେ କେବେ କଳ୍ପନା ବି କରିନଥିଲେ । ତେବେ ଆଜି କାହିଁକି ଏତେ ସବୁ ଉଦ୍ଭଟ ଚିନ୍ତା !

ନିଜ ଉପରେ ତାଙ୍କର ଖୁବ୍ ରାଗ ଆସୁଥିଲା । ରାତିର ଏଇ ନିଶିଦ୍ଧ ପ୍ରହରରେ ତାଙ୍କ ପରି ଜଣେ ସନ୍ୟାସୀ କ’ଣ ନିଜକୁ ଏଇ ବାଜେ ଚିନ୍ତାରେ ବୁଡେଇବା କଥା ! ଗୁରୁଙ୍କ ବଚନାନୁସାରେ ଏପରି ସମୟ ଭଗବତ ଧ୍ୟାନ ପାଇଁ ସବୁଠାରୁ ଉତ୍କୃଷ୍ଟ ସମୟ । ସେ କେମିତି ଭୁଲିଗଲେ ଗୁରୁଙ୍କର ଏହି ଆପ୍ତ ବାକ୍ୟକୁ ?

ସେ ଏହାର ପ୍ରାୟଶ୍ଚିତ କରିବେ । ନିଶ୍ଚୟ କରିବେ । ଆଜି ସାରା ରାତି ଭଗବତ୍ ଧ୍ୟାନ କରିବେ ଆହାର ନିଦ୍ରା ତ୍ୟାଗ କରି ।

ବୁଲି ପଡି ନିଜ କୁଡିଆ ଭିତରକୁ ପଶି ଆସୁଥିଲେ, ହଠାତ୍ କିଛି ଗୋଟାଏ ତାଙ୍କର ଦୃଷ୍ଟି ଗୋଚର ହେଲା । ଆଶ୍ରମର ଦକ୍ଷୀଣ ପଟକୁ ଥିବା ବୁଢା ବରଗଛ ମୂଳେ କେହି ଜଣେ ଠିଆ ହୋଇ ହାତ ଠାରି ତାଙ୍କୁ ଡାକୁଛି । ପ୍ରଥମେ ନିଜ ଆଖିକୁ ବିଶ୍ବାସ ହେଲା ନାହିଁ ତାଙ୍କର । ଏ ଅନ୍ଧାର ମେଘ ଘଡଘଡି ରାତିରେ କିଏ ବା କାହିଁକି ସେଠିକୁ ଯିବାକୁ ସାହାସ କରିବ ! ଏହା ତାଙ୍କର ଦୃଷ୍ଟିର ଭ୍ରମ ନିଶ୍ଚୟ । କିନ୍ତୁ ନା, ସତରେ ସେଠି କେହି ଜଣେ ଠିଆ ହୋଇଛି । ଯିବେ ନଯିବେ ହୋଇ ହୋଇ ସେଇ ଆଡକୁ ଧିରେ ଧିରେ ଆଗେଇ ଗଲେ ।

ଶୂନ୍ ଶାନ୍ ରାସ୍ତାର ଛାପିଛାପିକିଆ ଅନ୍ଧାର ଭିତରେ ଏକା ଏକୁଟିଆ ସେ ଆଗେଇ ଚାଲିଥିଲେ । କୁଆଡେ ଯାଉଛନ୍ତି, କେମିତି ଯାଉଛନ୍ତି, ତାଙ୍କର କିଛି ବି ହୋସ୍ ନଥିଲା । ସେ କେବଳ ଏତିକି ଜାଣିଥିଲେ ଯେ ତାଙ୍କୁ ଯିବାକୁ ହେବ, ସେଇ ନିଶିଦ୍ଧ ଇଲାକାର ଚୁପଚାପ୍ ଝାଉଁବଣରେ ପ୍ରତି ରାତିରେ ଆସି ସବୁକିଛି ହଜିଯିବା ପୂର୍ବରୁ ତାକୁ ଥରେ ଦେଖିନେବାକୁ ହେବ । କାହାକୁ ? ସେ ଜାଣନ୍ତିନି । କାହିଁକି ? ତା’ ବି ଜାଣନ୍ତିନି । କିନ୍ତୁ ସେ ଯିବେ । ଅନ୍ଧାରର ପଞ୍ଜା ଯେତେ ଦୃଢ ହେଇଯାଉ, ତା’ ଭିତରେ ତାଙ୍କ ଅସ୍ତିତ୍ବ ସଂପୂର୍ଣ୍ଣ ରୂପରେ ହଜିଯାଉ ପଛେ, ତଥାପି ସେ ଯିବେ । ଝାପ୍ସା ଆଲୁଅରେ ସେ କେବଳ ନିଜକୁ ହି ଦେଖି ପାରୁଥିଲେ । ତଥାପି ଚିହ୍ନା ପରିଚିତ ରାସ୍ତା ପରି ସେ ଆଗେଇ ଚାଲିଲେ ।

କ’ଣ ଗୋଟାଏ ଝୁଣ୍ଟି ପଡିଲେ । ଓଃ ! ବୁଢା ଆଙ୍ଗୁଠିଟା ଜୋରରେ ମକଚି ହେଇଗଲା । ରକ୍ତ ବାହାରି ପଡିଲା ବୋଧହୁଏ । ତଥାପି ସେ ଅଟକିଲେ ନାହିଁ । ଏପରି ଛୋଟ ଛୋଟ ଆଘାତକୁ ଦୃଷ୍ଟି ଆଢୁଆଳ ନକଲେ ନିଜ ଲକ୍ଷ୍ୟସ୍ଥଳରେ ସେ କେବେ ବି ପହଞ୍ଚ ପାରିବେ ନାହିଁ । ଏ ମେଘଭର୍ତ୍ତି ଆକାଶର ଚନ୍ଦ୍ରତାରା ଶୂନ୍ୟ ରାତିରେ ସେ କେବଳ ଏକ କ୍ଷୀଣ ଆଲୋକର ବର୍ତ୍ତିକାକୁ ଅନୁସରଣ କରି କରି ଆଗେଇ ଚାଲିଥିଲେ । ସେ ଆଲୋକର ବର୍ତ୍ତିକା ତାଙ୍କ ଠାରୁ ଯଥେଷ୍ଟ ଦୂରତା ବଜାୟ ରଖ ଆଗେଇ ଚାଲିଥିଲା । ତାକୁ ଧରିବା ପାଇଁ ସେ ଆଜି ବଦ୍ଧ ପରିକର । ଏ ଥଣ୍ଡା ପବନ, ଅନ୍ଧାର ରାତି, ବର୍ଷା ଘଡଘଡି କିଛି ବି ଆଜି ତାଙ୍କୁ ସେଥିରୁ ବିଚ୍ୟୁତ କରିପାରିବ ନାହିଁ । ସେ ଯିବେ, ନିଶ୍ଚୟ ଯିବେ । ତାକୁ ନିଜର କରିବେ । ପାଖରେ ବସେଇବେ । ହାତରେ ସ୍ପର୍ଶ କରିବେ । ଅନୁଭବ କରିବେ ତା’ ଯୌବନକୁ ….

ଚମକି ପଡିଲେ ବାଳ ବହ୍ମଚାରୀ ଧରଣୀଧର ! ଛାତି ଭିତରେ ଅତଡାଟାଏ ଖସି ପଡିଲା । ହାତଗୋଡ ସବୁ ସ୍ଥାଣୁ ପାଲଟିଗଲା । ଏ କ’ଣ ! କ’ଣ ସବୁ ଏମିତି ଭାବି ଚାଲିଛନ୍ତି ? ସେ ବର୍ତ୍ତମାନ କୋଉଠି ? କାହା ପାଇଁ ସେ ଧାଇଁ ଚାଲିଛନ୍ତି ନିଜର ମାନସମ୍ମାନ, ଧ୍ୟାନ, ସବୁକିଛିକୁ ବେଖାତିର କରିଦେଇ ?

ଚାରିଆଡୁ ଥରେ ଆଖି ବୁଲେଇ ଆଣିଲେ । ହେ ପ୍ରଭୁ ! ଆଶ୍ରମ ଛାଡି ଏତେ ବାଟ ସେ କେମିତି ଚାଲିଆସିଲେ ? ତାଙ୍କର ବେମାର ଶରୀର, ଶ୍ବାସ ରୋଗ, ଆଣ୍ଠୁ ଗଣ୍ଠିର ବାତ, ଏସବୁ ଏଇଲେ ନିଶ୍ଚୟ ମୁଣ୍ଡ ଉଠେଇ ପକେଇବେ । କେଉଁ ଖିଆଲରେ ସେ ଆଶ୍ରମରୁ ବାହାରି ଆସିଲେ, କିଛି ବି ମୁଣ୍ଡରେ ପଶୁନଥିଲା । ଖାଲି ଏତିକି ଜାଣୁଥିଲେ ଯେ ଯାହା ବି କରିଛନ୍ତି, ଭୁଲ୍ କରିଛନ୍ତି ।

ଝିଂକାରିର ଝିଂ ଝିଂ ଶବ୍ଦ ସାଙ୍ଗକୁ ରାତ୍ରୀଚରଙ୍କର ବିକଟାଳ ରଡି ତାଙ୍କ ଛାତି ଭିତରେ ଅଦ୍ଭୁତ କମ୍ପନ ସୃଷ୍ଟି କରୁଥଲା । ଜୀବନରେ ପଥମ ଥର ପାଇଁ ସେ ଭୟ ଅନୁଭବ କରୁଥିଲେ । କ’ଣ ପାଇଁ ଏ ଭୟ ? ରାତି ପାଇଁ ? ନା ତ, ସେ ତ ଏମିତି କେତେ କେତେ ରାତି ଶ୍ମଶାନରେ କାଟି ଦେଇଛନ୍ତି ! ଗୁରୁଙ୍କ ଆଜ୍ଞାରେ ଗାଁ ଗାଁ ବୁଲି ପ୍ରବଚନ ଦେଲା ବେଳେ ଏମିତି ଅନ୍ଧାର ରାତିରେ ଶହ ଶହ ମାଇଲ୍ ତାଙ୍କୁ ଯିବାକୁ ପଡେ । କେବେ କାଇଁ ଭୟ ତ ଲାଗିନି ! ତେବେ ଆଜି କାହିଁକି ? ତାଙ୍କ ମନରେ ଉଠୁଥିବା ଏ ଭୟ କେବଳ ଆଜିର ନୁହେଁ, ବିଗତ କିଛି ଦିନର । କ’ଣ ଏ ଭୟର ଅସ୍ତିତ୍ବ ? ପାପ !

ପୁଣି ଥରେ ଚମକି ଉଠିଲେ ସେ । ରାସ୍ତାର ସେଇ ସ୍ଥାନକୁ ଚାହିଁଲେ, ଯେଉଁଠି ତାଙ୍କୁ ଏ ଅନ୍ଧାରରେ ଆଶ୍ରମରୁ ଏଠିକୁ ନେଇ ଆସିଥିବା ସେଇ ଆଲୋକ ବର୍ତ୍ତିକା ଠିଆ ହେଇଥିଲା । କାହିଁ ସେଠି ତ କେହି ନାହିଁ ! ସେ କ’ଣ ସ୍ବପ୍ନ ଦେଖୁଥିଲେ ! କାହା ପଛେ ପଛେ ଏତେ ବାଟ ତା’ହେଲେ ସେ ଚାଲିଆସିଲେ ? କାହା ପଛେ କ’ଣ, ସେ କ’ଣ ଜାଣିନାହାନ୍ତି ସେ ଆଲୋକ ବର୍ତ୍ତିକା ସତୀ ବୋଲି !

ସତୀ!!

ସହସ୍ର ବୀଣାର ଝଙ୍କାର ମୁହୂର୍ତ୍ତକ ଭିତରେ ନିର୍ଜନ ବନପ୍ରଦେଶକୁ ଝଙ୍କୃତ କରିପକେଇଲା । ଉଠିପଡିଲେ ଧରଣୀଧର। ଏପର୍ଯ୍ୟନ୍ତ ବି ସେ ଜାଣି ନଥିଲେ ଏ ଘନ ଅନ୍ଧକାର ରାତିରେ ସତୀ ତାଙ୍କୁ ଏତେ ଦୂରକୁ କାହିଁକି ଡାକି ଆଣିଛି । ଯଦିବା ଡାକିଲା, କିଛି କହିବା ପରିବର୍ତ୍ତେ କାହିଁକି ଉଭେଇଗଲା ।

ଏବେ ତାଙ୍କୁ ନିଜ ଉପରେ ରାଗ ମାଡୁଥିଲା । ଆଜିକାଲି ସବୁ ହିସାବକିତାବ ତାଙ୍କର ଓଲଟ ପାଲଟ ହେଇଯାଉଛି । ସେ କରୁଛନ୍ତି କିଛି, କିନ୍ତୁ ହେଇଯାଉଛି ଆଉ କିଛି । ସେଥିପାଇଁ ତାଙ୍କ ଗୁରୁଭାଇମାନେ ତାଙ୍କୁ ଆକ୍ଷେପ କରୁଛନ୍ତି ଯେ ତାଙ୍କର ମନ ଧ୍ୟାନ ସବୁ ଆଜିକାଲି ଅନ୍ୟ କେଉଁଆଡେ ରହୁଛି । ସତରେ କ’ଣ ସେମାନଙ୍କ କଥା ଠିକ୍ ! ଯଦି ଠିକ୍‌ ତେବେ କେଉଁଆଡେ ଅଛି ତାଙ୍କର ମନ ଧ୍ୟାନ ? ସତୀ ଆଡେ ?

ଚମକି ପଡିଲେ ଧରଣୀଧର । ସତୀର ହସିଲା ହସିଲା ଚେହେରା ତାଙ୍କ ଆଖି ଆଗରେ ନାଚିଉଠିଲା । ହସିଲା ବେଳେ ତା’ ଗାଲରେ ଖେଳି ଉଠୁଥିବା ଭଉଁରିର ଆକର୍ଷଣରେ ସେ ଏଇ କିଛି ଦିନ ହେବ ଦିଗହରା ହେଇଉଠିଛନ୍ତି । ତାଙ୍କର ସବୁ ତପ ଧ୍ୟାନ ‘ସତୀମୟ’ ହେଇଉଠିଲାଣି । ତା’ ଆଖିର ମାୟାଜାଲରେ ସେ ବନ୍ଦି ହେଇଗଲେଣି । ତା’ ଗୋଲାପି ଅଧରର ମୋହରେ ସେ ନିଜକୁ ଭୁଲିଯାଇ ସାରିଲେଣି । ସବୁବେଳେ ତା’ର ସେହି କମନୀୟ ରୂପ ଏବେ ତାଙ୍କ ଆଖି ଆଗରେ ହିଁ ନାଚିଉଠୁଛି । ଚେହେରା ଉପରରୁ ଆଖି ତାଙ୍କର ଏଥର ଖସି ଖସି ଆସିଲା ତଳକୁ .. ଆହୁରି ତଳକୁ .. ପୁଣି ତଳକୁ .. ଇସ୍ ! କି କଦର୍ଯ୍ୟ ତାଙ୍କର ଚିନ୍ତାଧାରା ! କି କୁତ୍ସିତ ମନୋଭାବ !

ନା, ନା, ଏସବୁ ତାଙ୍କ ପରି ଜଣେ ବ୍ରହ୍ମଚାରୀ, ଯିଏ ବହୁ ତପ ଧ୍ୟାନ କରି ଯଶ ଖ୍ୟାତି ଅର୍ଜନ କରିଛି, ଯାହାର ଶହ ଶହ ଭକ୍ତ ଦିବାରାତ୍ର ତାଙ୍କରି ନାମ ଜପ କରୁଛନ୍ତି, ତା’ ପକ୍ଷରେ ଏସବୁ ଶୋଭା ଦିଏନା । ଏସବୁ ଚିନ୍ତାରୁ ସେ କାହିଁ କେତେ ଉର୍ଦ୍ଧ୍ବକୁ ଉଠିଗଲେଣି । ନିଜର ଶିଷ୍ୟମାନଙ୍କୁ ସକାଳେ ସଞ୍ଜେ ଶିକ୍ଷା ଦେଉଛନ୍ତି ଯେ ନାରୀ ହେଉଛି ନର୍କର ଦ୍ବାର … କାମନାର ବିନାଶରେ ଦୁଃଖର ବିନାଶ … ମନକୁ ତୁମେ ବଶ କର, ମନ ତୁମକୁ ନକରୁ .. । ଆଉ ଆଜି ସେହି ସାମାନ୍ୟ ନାରୀର ମାୟାରେ ନିଜେ ସେ ସବୁକିଛି ଭୁଲିଯିବାକୁ ବସିଛନ୍ତି ! ନା, ସେ ଏପରି ହେବାକୁ ଦେବେ ନାହିଁ । ମାତ୍ର କେମିତି ?

ନିଜ ମନକୁ ଭୁଲେଇବାକୁ ସେ ଲାଗିପଡିଲେ । ମନର ଯନ୍ତ୍ରଣାକୁ ଭୁଲି ଶରୀରର ଯନ୍ତ୍ରଣା ବିଷୟରେ ମନେ ପକେଇବାକୁ ଚେଷ୍ଟା କଲେ । କିନ୍ତୁ ନା, ସେସବୁ କିଛି ସେ ଅନୁଭବ କରିପାରୁ ନଥିଲେ । କେମିତି ଏକ ଧୁଆଁଳିଆ ଧୁଆଁଳିଆ ଭାବ ତାଙ୍କ ମନକୁ ଆଚ୍ଛାଦିତ କରି ପକୋଉଥିଲା । ଭିନ୍ନ କିଛି ଅନୁଭବରେ ତାଙ୍କର ସମଗ୍ର ସତ୍ତା ବୁଡି ବୁଡି ଯାଉଥିଲା । ସେ ଭାସି ଭାସି ଆଗକୁ ଆଗେଇ ଆଗେଇ ଚାଲି ଯାଉଥିଲେ ।

ମେଘ ଏବେ କୋଉ ମୁହୂର୍ତ୍ତରେ ଲମ୍ପ ଦେଇ ଓହ୍ଲେଇ ଆସିବ ତଳକୁ । ଆହୁରି ଘନୀଭୂତ ହେଇଉଠୁଥିଲା ଅନ୍ଧାର । ତଥାପି ନିର୍ବିକାର ଚିତ୍ତରେ ଧରଣୀଧର ଆଗେଇ ଚାଲିଥିଲେ । ଏମିତି ଆଗେଇ ଆଗେଇ କେତେ ବାଟ ସେ ଚାଲିଯାଇ ପାରିବେ, ତାଙ୍କୁ କିଛି ଜଣାନାହିଁ । ଏକଥା କିନ୍ତୁ ସ୍ଥିର ନିଶ୍ଚିତ ଯେ ଯେପର୍ଯ୍ୟନ୍ତ ସତୀ ତାଙ୍କୁ ବାଟ କଢେଇ କଢେଇ ନେଇଚାଲିବ, ସେ ସେମିତି ଚାଲିଯାଉଥିବେ, କୌଣସି କଥାକୁ ଭୃକ୍ଷେପ ନକରି ।

ସତୀ !! ମଳୟର ମଧୁର ବାସ୍ନା ବାସ୍ନାୟିତ କରିପକେଇଲା ଧରଣୀଧରଙ୍କ ଅସ୍ତିତ୍ବକୁ । ତପ ସାଧନା, ଧ୍ୟାନ ଯୋଗ ବ୍ୟତିରେକ ବି ଜୀବନରେ ଏମିତି ମଧୁର ଅନୁଭବ କିଛି ରହିଥାଇ ପାରେ, ତାହା ପ୍ରଥମ ଥର ପାଇଁ ସେ ଜାଣିଲେ ଯେଉଁ ଦିନ ସତୀକୁ ଆଶ୍ରମର ବାହାର ପଟ ରାସ୍ତାରେ ଝାଡୁ ମାରୁଥିବାର ଦେଖିଲେ । ତା’ର ଝାଳ ସରସର ଅନାବୃତ୍ତ ଶରୀର, ଆଉ ତା’ ଭିତରୁ ଉକୁଟି ଆସୁଥିବା ଯୌବନର ମୁଗ୍ଧ ପରିଚୟ, ତା’ ଖୋଜିଲା ଖୋଜିଲା ଆଖି, ନିଶାଗ୍ରସ୍ତ ଚାଲି .. କ୍ଷଣୀକ ପାଇଁ ସବୁକିଛି ଭୁଲିଗଲେ ସନ୍ୟାସୀ ଧରଣୀଧର । ସେ ଯେ ଆଶ୍ରମ ପରିଭ୍ରମଣରେ ବାହାରିଛନ୍ତି, ଆଉ ତାଙ୍କ ସାଥିରେ ଅଛନ୍ତି ତାଙ୍କର ଅନେକ ଶିଷ୍ୟ, ଯେଉଁମାନଙ୍କୁ ବ୍ରହ୍ମଚର୍ଯ୍ୟର ଶିକ୍ଷା ଦେବା ତାଙ୍କର ପ୍ରଥମ କାର୍ଯ୍ୟ, ଆଜି ସେ ନିଜେ ହିଁ ସେ ସବୁ ଭୁଲି ଯାଉଥିଲେ । ନାରୀର ରୂପରେ ଈଶ୍ବର ଏତେ ସମ୍ମୋହନ ଭରିଛନ୍ତି ଯେତେବେଳେ, ତେବେ କାହିଁକି ପୁରୁଷକୁ ସେଥିରୁ ବଞ୍ଚିତ ରହିବାକୁ ସେ ଚାହିଁବେ ! ସେମାନଙ୍କ ଠାରୁ ଦୂରେଇ ରହିବାରେ କିପରି ମୋକ୍ଷ ମିଳିବ ବା ତାଙ୍କୁ ! ବ୍ରହ୍ମଚର୍ଯ୍ୟର ପାଳନ କରି ଈଶ୍ବରଙ୍କ ସୃଷ୍ଟିର ଅପମାନ କରୁନାହାନ୍ତି ତ ସେ !

ଅଜବ ପ୍ରଶ୍ନଟିଏ ନିଜ ଅଜାଣତରେ ମୁଣ୍ଡ ଉଠେଇ ନୃତ୍ୟ କରିବାକୁ ଲାଗିଲା ତାଙ୍କ ମନମସ୍ତିଷ୍କରେ । ହେଲେ ଏ ପ୍ରଶ୍ନର ଉତ୍ତର କାହାକୁ ପଚାରିବେ ସେ ? କିଏ ତାଙ୍କୁ ସଠିକ୍ ଭାବରେ କହିବ କୋଉଥିରେ ଅଛି ମୋକ୍ଷ – ନାରୀଠୁ ଦୂରେଇ ରହିବାରେ, ନା ତା’ ନିକଟରେ ସମର୍ପଣ କରିଦେବାରେ !

ନା, ସମ୍ଭବ ନୁହେଁ ଏ ପ୍ରଶ୍ନର ଉତ୍ତର ପାଇବା । ତାଙ୍କ ମୁଖରୁ ଏପରି ପ୍ରଶ୍ନ ଶୁଣିଲେ ନିଆଁ ଲାଗିଯିବ ଆଶ୍ରମରେ । ପ୍ରଳୟ ଆସିଯିବ ପୃଥିବୀରେ । କିନ୍ତୁ ଅନ୍ୟ ପଟରେ ଏହାର ଉତ୍ତର ନପାଇଲେ ତାଙ୍କ ଜୀବନଟା ଛାରଖାର ହେଇଯିବ ନିଶ୍ଚୟ । ସତୀର ଉଦ୍ଗତ ଯୌବନର କାମନା କରି କରି ସେ ନିଶ୍ଚୟ ପାଗଳ ହୋଇଯିବେ, ଏଥିରେ ତାଙ୍କର ସନ୍ଦେହ ନାହିଁ । ମାତ୍ର ନିଜ ମନକଥା କାହାକୁ ଅବା ସେ କହିବେ !

ଟୁପ୍ ଟାପ୍ କରି ଗୋଟେ ଦୁଇଟା ବର୍ଷା ବୁନ୍ଦା ତାଙ୍କ ମୁଣ୍ଡ ଉପରେ ପଡିଲା । ପୁଣି ଆଉ ଦୁଇ ତିନିଟା ଲାଗ୍ ଲାଗ୍ କରି ଆଖି ନାକ ଉପରେ ପଡିଲା । ପୁଣି ଆହୁରି ଦି’ ତିନିଟା, ଚାରିଟା .. ନଅ, ଦଶ ଏଗାର .. ତା’ ପରେ ପରେ ଏହା ତ ବଢିଚାଲିଲା । ସେ ଭିଜିବାକୁ ଲାଗିଲେ । ଝମ୍ ଝମ୍ ଶବ୍ଦ କରି ବର୍ଷା ଝରି ଯାଉଥିଲା । ମୁଣ୍ଡ, ବାଳ, ଆଖି, ନାକ, ସବୁ ଓଦା ହେଇଯାଉଥିଲା । ସେ ନୀରବ ନିଷ୍ପନ୍ଦ ହୋଇ ସେଠି ଠିଆ ରହିଥିଲେ । ବର୍ଷାର ଶୀତଳ ସ୍ପର୍ଶରେ ଉନ୍ମାଦିତ ହେଇଉଠୁଥିଲା ତାଙ୍କ ସନ୍ୟାସୀ ଶରୀର । ତାଙ୍କ ଆଖି ଆଗରେ ସତୀର ସମଗ୍ର ଶରୀର ବର୍ଷାରେ ଗାଧୋଇ ପଡୁଛି । ତା’ର ମୁଣ୍ଡ, ଦେହ, ହାତ ସବୁ ବର୍ଷା ପାଣିରେ ଧୋଇଯାଉଛି । ତା’ ସୌନ୍ଦର୍ଯ୍ୟର ଦୀପଶିଖା ଶତଗୁଣୀତ ହୋଇ ଉଜ୍ଜଳ ଦିଶୁଛି । ଏତେ ବର୍ଷା ସତ୍ତ୍ବେ ବି ଧରଣୀଧରଙ୍କ ଓଠ ଶୁଖି ଶୁଖି ଯାଉଥିଲା । କାମନାର ଲେଲୀହାନ ଶିଖା ତାଙ୍କର ସମଗ୍ର ଶରୀରକୁ ଜଳିପୋଡି ଭସ୍ମୀଭୂତ କରିଚାଲିଥିଲା । ଆଉ ବର୍ଷାର ବେଗ ଆହୁରି ବଢି ବଢି ଚାଲିଥିଲା ।

କଳ୍ପନାର ଚାଦର ଭିତରୁ ସତୀ ମୁଣ୍ଡ କାଢୁଛି । ତା’ ମାଂସଳ ଶରୀର ଧରଣୀଧରଙ୍କୁ ନିଜ ଆଡକୁ ଭିଡିଆଣୁଛି । ନିଜ ଅଙ୍ଗକୁ ଧରଣୀଧରଙ୍କ ଶରୀରରେ ମିଶେଇ ଦେଇ ମଥାରେ ତାଙ୍କର ସେ ଚୁମ୍ବନ ଆଙ୍କୁଛି । ନିଜକୁ ସଂପୂର୍ଣ୍ଣ ରୂପେ ସତୀର ଶରଣାଗତ କରିଦେଲେ ସେ । ସେ ତୃପ୍ତ ହେବାକୁ ଚାହୁଁଛନ୍ତି । ମୁକ୍ତ ଆକାଶରେ ପକ୍ଷ ମେଲେଇ ଉଡି ବୁଲିବାକୁ ଚାହୁଁଛନ୍ତି । କିଏ କୁହେ ନାରୀ ନର୍କର ଦ୍ବାର ବୋଲି ? ତାଙ୍କ ପାଇଁ ସତୀ ସାକ୍ଷାତ ସ୍ବର୍ଗର ଦର୍ଶନ । ଏ ବର୍ଷ ବର୍ଷର ତପସ୍ୟା, ତ୍ୟାଗ, ପ୍ରତିଷ୍ଠା – କିଛି ମୂଲ୍ୟ ନାହିଁ ଏସବୁର ! ଆଜିଠୁ ଏ ସବୁକିଛିକୁ ସେ ଭୁଲିଯିବେ । ସବୁ ଛାଡିଦେବେ । ଆଉ ଲୋଡା ନାହିଁ ତାଙ୍କର ଏସବୁ ।

ନିଜ ଜୀବନକୁ ଆଜି ଠାରୁ ସେ ଭରପୁର ବଞ୍ଚିବେ । ଯେଉଁ ମାୟାମୋହରୁ ଦୂରେଇ ରହିବାକୁ ଗୁରୁଦେବ ତାଙ୍କୁ ଶିକ୍ଷା ଦେଇଥିଲେ, ସେ ନିଜେ ଜାଣିନଥିବେ ଏ ମୋହର ମହତ୍ତ୍ବ କେତେ ! ଜାଣିଥିଲେ କେବେ ବି ତାଙ୍କୁ ଏଥିରୁ ଦୂରେଇ ରହିବାକୁ କହିନଥାନ୍ତେ । ତାଙ୍କ ହିସାବରେ ଏ ମାୟା ସଂସାରରେ ଘାଣ୍ଟି ହେଉଥିବା ବ୍ୟକ୍ତିକୁ କେବେ ମୋକ୍ଷ ମିଳିନଥାଏ । ମିଥ୍ୟା .. ମିଥ୍ୟା .. ସଂପୂର୍ଣ୍ଣ ମିଥ୍ୟା .. ମୃତ୍ୟୁ ପରେ ମୋକ୍ଷ ମିଳୁଛି କି ଜନ୍ମ, କିଏ ଜାଣିଛି ! କିଏ କହିପାରିବ ମୋକ୍ଷରେ ସାର୍ଥକ ହୋଇଥାଏ ଜୀବନ, ନା ପୁର୍ନଜନ୍ମରେ ! ଜୀବନଟା ଯଦି ସତରେ ଏକ ମାୟା, ତେବେ ବି ସେ ଏଇ ମାୟାରେ ଆଜିଠୁ ଘାଣ୍ଟି ହେବାକୁ ଚାହିଁବେ । ସେଇ ମୋହରେ ବନ୍ଦି ହେଇ ସଂସାରର ଅନ୍ୟ ପାର୍ଶ୍ବକୁ ଦେଖିବାକୁ ଚାହିଁବେ । ନା, ନା, ସେ ଆଉ ଏଇ ମିଥ୍ୟା ଆଚରଣ ସଂହିତାରେ ନିଜକୁ ବାନ୍ଧି ରଖିପାରିବେ ନାହିଁ । .. ସେ ଚାହାନ୍ତି ମୁକ୍ତି .. ପରମ ମୁକ୍ତି .. ସେ କାମନା କରନ୍ତି ନିଚ୍ଛକ ମଧୁରତାରେ ଭରା ଏକ ଜୀବନ!

“କିନ୍ତୁ ତୁ ଯେଉଁ ପଥରେ ନିଜ ଜୀବନକୁ ବାହି ନେଉଛୁ, ତାହା ହିଁ ତ ମୁକ୍ତିର ମାର୍ଗ ବତ୍ସ .. ଆଉ କେଉଁ ମୁକ୍ତିର ମାର୍ଗ ତୁ ଖୋଜି ବୁଲୁଛୁ?”

କିଏ ? କିଏ ସେ କହୁଛି ଏସବୁ ତାଙ୍କୁ ? ଚମକି ଉଠିଲେ ଧରଣୀଧର । ଅସହାୟତାର ଆତଙ୍କ ଖେଳିଗଲା ତାଙ୍କ ମୁହଁରେ । ଏ ତ ତାଙ୍କ ଗୁରୁଙ୍କ ମୁଖନିସୃତ ବାଣୀ ! ତାଙ୍କରି ଆତ୍ମାର ଡାକ ! ସେ କ’ଣ ନିଜ ଗୁରୁଙ୍କ ସହିତ ବିଶ୍ବାସଘାତ କରିବେ ? ତାଙ୍କ କଥାକୁ ଅମାନ୍ୟ କରିବେ ? ଭୁଲିଯିବେ ତାଙ୍କ ଆଦର୍ଶକୁ ? ଦୀର୍ଘ ବର୍ଷର ତପସ୍ୟାକୁ ଏମିତି ନଷ୍ଟ ହେଇଯିବାକୁ ଦେବେ ?

ଓଃ, ତାଙ୍କ ଛାତି ଭିତରଟା ଅଜଣା ଯନ୍ତ୍ରଣାର ଭାରରେ ଦବି ଦବି ଯାଉଛି । ଏବେ ତାଙ୍କର କ’ଣ ହେବ ସତରେ ? ଗୁରୁଙ୍କର ସବୁ ଆଶା, ସବୁ ବିଶ୍ବାସକୁ ନିଜ କାମନାର ଅଗ୍ନିରେ ଜାଳିପୋଡି ଭସ୍ମ କରିଦେଇଥିବା ସନ୍ୟାସୀକୁ ଆଉ କିଏ ବା କେମିତି ବିଶ୍ବାସ କରିବାକୁ ଯିବ ? ବ୍ରହ୍ମଚର୍ଯ୍ୟର ପାଳନରେ ଜୀବନର ସବୁ ମୂଲ୍ୟବାନ୍ ସମଯକୁ ନଷ୍ଟ କରିସାରିଲା ପରେ ଏଇ ପରିଣତ ବୟସରେ ଗୃହସ୍ଥିର ସ୍ବପ୍ନ ଦେଖୁଥିବା ବ୍ୟକ୍ତିର ସ୍ଥାନ କ’ଣ ଆଶ୍ରମରେ ଆଉ ରହିବ ? କୁଆଡେ ଯିବେ ସେ ଏବେ ? କେଉଁ ମୁହଁରେ ସେ ଏବେ ଗୁରୁଙ୍କର ସମ୍ମୁଖୀନ ହେବେ ?

ଝର ଝର ହୋଇ ପାପ ସବୁ ଲୁହ ଆକାରରେ ବହି ଚାଲିଗଲା । ବର୍ଷାର ଧାରରେ ମିଶିଯାଇ ଏକାକାର ହେଇଗଲା । ତଥାପି ଛାତି ତଳର ଅଗ୍ନି ନିର୍ବାପିତ ହେଲା ନାହିଁ । ଧରଣୀଧର ଫେରିଯିବାକୁ ସ୍ଥିର କଲେ । ଆଶ୍ରମର ନିଶିଦ୍ଧ ବାତାବରଣକୁ ଫେରିଯିବା ତାଙ୍କ ପକ୍ଷରେ ସର୍ବଥା ଉଚିତ ରହିବ । ଗୁରୁଙ୍କର ଶିକ୍ଷା ଦୀକ୍ଷା, ବର୍ଷ ବର୍ଷର ଧ୍ୟାନ, ଯୋଗ, ତପସ୍ୟାର ବିଜୟ ହେବା ଆବଶ୍ୟକ । ମନ ତଳର ସବୁ କୁଚିନ୍ତାକୁ ଦୂରେଇ ଦେବାକୁ ହେବ । ସେ ନିଶ୍ଚୟ ସେଥିରେ ବିଜୟ ଲାଭ କରିବେ । ବର୍ଷାର ଶୀତଳ ଜଳରେ ନିଜ ଶରୀରକୁ ଧୋଇ ପବିତ୍ର କରି ପକେଇଲେ । ମନ ପବିତ୍ର ହେଲା କି ନାହିଁ, ସେ ଜାଣିନଥିଲେ । ସେ ଆଡକୁ ସେ ଆଉ ଧ୍ୟାନ ଦେବେ ନାହିଁ । ବୁଲି ପଡି ଆଶ୍ରମର ଦିଗକୁ ପାଦ ବଢେଇଦେଲେ ।

କାହାର ମଧୁର ହସର ଧ୍ବନି ତାଙ୍କ କାନର ପରଦାକୁ ଭେଦ କରି ହୃଦୟର ନିଭୃତ କୋଠରିକୁ ପ୍ରବେଶ କରିଗଲା । ଥମକି ଠିଆ ହେଇଗଲେ ସେ । ହାତଗୋଡ ସ୍ଥାଣୁ ପାଲଟିଗଲା ।

“କିଏ ? କିଏ ସେଠି ?” ଅଜଣା ସେଇ ସ୍ବର ପ୍ରତି ଚିତ୍କାର କରିଉଠିଲେ ଧରଣୀଧର । ଭିତରର ଅସହାୟତା ସ୍ବର ମାଧ୍ୟମରେ ଫୁଟି ଉଠୁଥିଲା ।

“ମୁଁ ସତୀ …!” ଚମକି ଉଠିଲେ ଧରଣୀଧର । ପବନର ବେଗ ଠାରୁ ବି ଅଧିକ ବେଗମତୀ ଥିଲା ସେ ସ୍ବରର ତିବ୍ରତା । ଦଉଡିଗଲେ ସେହି ଦିଗକୁ । କିନ୍ତୁ କାହାକୁ ବି ଦେଖିପାରିଲେ ନାହିଁ । କୋଉଠି ସତ !! ଚାରିଆଡକୁ ବିକଳ ହୋଇ ଅଣ୍ଡାଳି ପକେଇଲେ । ନା, ବହଳ ଅନ୍ଧାରକୁ ଭେଦି ତାଙ୍କ ଆଖି କିଛି ବି ଦେଖିପାରିଲା ନାହିଁ । ତଥାପି ସେ ଅନୁଭବ କରୁଥିଲେ କାହାରି ଉପସ୍ଥିତି । ତାଙ୍କର ଖୁବ୍ ନିକଟରେ ନିଶ୍ଚୟ କେହି ଅଛି । .. ବୋଧେ ସତୀ !

ସେ ପୁଣି ଥରେ ଚିତ୍କାର କରିଉଠିଲେ, “ସତୀ ..! ସତୀ .. ତୁ କୋଉଠି ? .. ମୁଁ ତତେ ଦେଖିବାକୁ ଚାହେଁ .. ଆପଣାର କରିବାକୁ ଚାହେଁ ..”

ପୁଣି ସେହି ମଧୁର ହସର ଧ୍ବନି । ଏଥର କିନ୍ତୁ ଅପରିଚିତ ଲାଗୁନଥିଲା । “ତୁମେ ପରା ବ୍ରହ୍ମଚାରୀ ..! ଦୀକ୍ଷାଧାରୀ ! .. ଗୁରୁ ମହାରାଜଙ୍କର ପରମ ଭକ୍ତ .. ତୁମେ କେମିତି ମତେ ଆପଣାର କରିବ ..? କେମିତି ଗୃହସ୍ଥ ହେବ ..?”

“ହଁ ହେବି .. ନିଶ୍ଚୟ ହେବି ..! ଆଜି ଠାରୁ ସବୁ ଶିକ୍ଷା ଦୀକ୍ଷା ମୁଁ ଛାଡିଦେବି । ତୋ’ ପାଇଁ ଗୁରୁ ଛାଡିଦେବି .. ଆଶ୍ରମ ଛାଡିଦେବି .. କିନ୍ତୁ ତତେ ଆଉ ଛାଡିବିନି କେବେ ! ମାନବ ଶରୀର ଧରି ନିଜର ସବୁ ଇଚ୍ଛାକୁ, କାମନାକୁ ତିଳ ତିଳ କରି ନିର୍ବାପିତ କରିବାକୁ ମୁଁ ଚାହେଁନା । ତୁ ମତେ ଥରେ ଖାଲି ଆପଣେଇ ନେ .. ତୋରି ବାହୁରେ ମୁକ୍ତିର ସନ୍ଧାନ କରିନେବି ମୁଁ ..! ଅତୃପ୍ତିର ଦାବାନଳରେ ନ ଜଳି ତୃପ୍ତତାରେ ଭାସିଯିବାକୁ ମୁଁ ଚାହେଁ ସତୀ ! ଥରେ ଖାଲି ତୋ’ ଭିତରେ ମତେ ହଜିଯିବାକୁ ଦେ ।“

“ସତ କହୁଛ .. ତୁମେ କ’ଣ ସେସବୁ କରିପାରିବ?”

“ହଁ, ମୁଁ ନିଶ୍ଚୟ ପାରିବି !”

“ତେବେ ଆସ ମୋ ପଛେ ପଛେ ।”

 କେଜାଣି କେତେ ଦୂର ଚାଲିଥିଲେ ତେଜସ୍ବୀ ସନ୍ୟାସୀ ଧରଣୀଧର । ପଛରେ ରହି ଯାଉଥିଲା ସବୁ ପୂଣ୍ୟ, ସବୁ ତପସ୍ୟା, ଶିକ୍ଷା ଦୀକ୍ଷା, ସାଧନା, ଗୁରୁ, ଆଶ୍ରମ, ମୋକ୍ଷ, ସବୁ କିଛି । ଏବେ ତାଙ୍କ କାନକୁ ଆଉ ଶୁଭୁନଥିଲା କାମନାର ବିନାଶରେ ଦୁଃଖର ବିନାଶ .. ନାରୀ ହେଉଛି ନର୍କର ଦ୍ବାର .. । ତାଙ୍କୁ ଖାଲି ଶୁଭୁଥିଲା ସତୀର ମଧୁର ହସର ପବିତ୍ର ଧ୍ବନି । ସେ ଧ୍ବନି ଭିତରେ ତାଙ୍କ ପାଇଁ ଖୋଲି ଯାଉଥିଲା ବହୁ ଇପ୍ସିତ ତାଙ୍କ ମୋକ୍ଷର ପ୍ରକୃତ ଦ୍ବାର !

ସେ ଆଗେଇ ଚାଲିଥିଲେ ଦୂରକୁ .. ଆହୁରି ଦୂରକୁ ……

ଦୀର୍ଘ ତିରିଶ ଘଣ୍ଟାର ଲଗାଣ ବର୍ଷା ପରେ ଆକାଶ ନିର୍ମଳ ହୋଇଉଠିଲା । ଭୀଷଣ ବର୍ଷାରେ ଆଶ୍ରମ ଖୁବ୍ ବେଶି କ୍ଷତିଗ୍ରସ୍ତ ହୋଇପଡିଥିଲା । ସେ କ୍ଷୟକ୍ଷତିର ପରିମାଣର ସର୍ବେକ୍ଷଣ କରିବାକୁ ସନ୍ୟାସୀ ଯୋଗାନନ୍ଦ ଆଶ୍ରମର ଚାରିପଟରେ ଘୂରି ବୁଲୁଥିଲେ । ଯେତେବେଳେ ଆଶ୍ରମର ଦକ୍ଷୀଣ ପାର୍ଶ୍ବରେ ଥିବା ସେହି ବୁଢା ବରଗଛ ତଳେ ଯାଇ ପହଞ୍ଚିଲେ, ଅକସ୍ମାତ୍ ତାଙ୍କ ପାଟିରୁ ଛୋଟିଆ ଚିତ୍କାରଟିଏ ବାହାରି ଆସିଲା । ଆଶ୍ଚର୍ଯ୍ୟରେ ଆଖି ବଡ ବଡ ହେଇଗଲା । ସ୍ଥାଣୁ ପାଲଟିଗଲେ ସତେ ଯେମିତି ! ତାଙ୍କ ସମ୍ମୁଖରେ ସ୍ବାମୀ ଧରଣୀଧରଙ୍କ ଉଲଗ୍ନ ଶରୀର ମାଟି କାଦୁଅରେ ସରାବୋର ହୋଇ ସେଠି ପଡି ରହିଥିଲା । ବର୍ଷା ମାଡ ଖାଇ ବଡ ବିଭତ୍ସ ଦିଶୁଥିଲା ତାଙ୍କ ଶରୀର । କିନ୍ତୁ ଆଶ୍ଚର୍ଯ୍ୟର କଥା ଓଠରେ ତାଙ୍କର ଏପର୍ଯ୍ୟନ୍ତ ବି ଝଲସି ଉଠୁଥିଲା ପରମ ତୃପ୍ତିର ହସଟିଏ, ଯେପରିକି ମୃତ୍ୟୁର ଅବ୍ୟବହିତ ପୂର୍ବରୁ ମୋକ୍ଷର ସନ୍ଧାନ ସେ ପାଇଯାଇଥିଲେ !!

                                                                       -0-

ମୋକ୍ଷ ରାତି ପ୍ରାୟଶ୍ଚିତ

Rate the content


Originality
Flow
Language
Cover design

Comments

Post

Some text some message..