Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୨୯
ବିକ୍ରମ ବେତାଳ - ୨୯
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.6K    10


Content Ranking

ପିଣ୍ଡଦାନ

ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ ଚାହିଁବାରୁ ସେ ଦେଖିଲା ଜଣେ କିଏ ଠିଆ ହୋଇଛି । ସେ ଡରିଯାଇ ତାକୁ ପଚାରିଲା-“ତୁମେ କିଏ? ସେଠାରେ କାହିଁକି ଠିଆ ହୋଇଛ? ତୁମେ କ’ଣ ମୋ ଘରକୁ ଚୋରୀ କରିବାକୁ ଆସିଛ?” ଲୀଳାର କଥା ଶୁଣି ଚୋର କହିଲା, “ହଁ! ମୁଁ ଏକ ଚୋର । କିନ୍ତୁ ମୁଁ ତୋ ଘରେ ଚୋରୀ କରିବି ନାହିଁ । ରାଜାଙ୍କ ଉଆସରୁ ଚୋରୀ କରି ଆସିବା ସମୟରେ ସିପାହୀମାନେ ମୋତେ ଗୋଡାଇବାରୁ ମୁଁ ତୋର ଘରକୁ ପଶି ଆସିଲି ।”

ଚୋରଟିର କଥା ଶୁଣିବାପରେ ଲୀଳାର ମନରେ ଦୟା ହେଲା । ଅନ୍ୟ ଭାଷାରେ କହିବାକୁ ଗଲେ, ଲୀଳା ଚୋରଟି ପ୍ରତି ଆକୃଷ୍ଟ ହୋଇ ଯାଇଥିଲା । ଚୋରଟି ମଧ୍ୟ ଲୀଳାର ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଯାଇ ଥିଲା । ଏହାପରେ ରାତି ସାରା ସେମାନେ ଭୋଗ ବିଳାସରେ ମାତିଗଲେ । ସକାଳ ହେବା ପୂର୍ବରୁ ଚୋରଟି ଲୀଳାକୁ ପୁଣି ଆସିବାର ପ୍ରତିଶୃତି ଦେଇ ଚାଲିଗଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଚୋରଟି ସେହିଦିନ ରାଜାଙ୍କ ସିପାହୀ ମାନଙ୍କ ହାତରେ ଧରା ପଡିଗଲା । ଏଣେ ଏପଟେ ଲୀଳା ଗର୍ଭବତୀ ହେଲା । ଠିକ୍ ଏହି ସମୟରେ ଲୀଳାର ପିତା ଲୀଳାର ବିଭାଘର ଅନ୍ୟଏକ ବ୍ରାହ୍ମଣ ବ୍ୟକ୍ତି ସହିତ ଠିକ୍ କରିଦେଲେ । ବିଚାରୀ ଲୀଳା ଏ କଥା କାହାକୁ କହିପାରିଲା ନାହିଁ । ନିର୍ଦ୍ଦିଷ୍ଟ ସମୟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ । କିଛି ଦିନ ପରେ ଲୀଳାର ସ୍ୱାମୀ ମରିଗଲା । ଲୀଳାକୁ ଗର୍ଭବତୀ କରିଥିବା ଚୋର ମଧ୍ୟ ଫାସୀ ପାଇଗଲା । ଲୀଳାର ପୁଅ ବଡ ହେବାକୁ ଲାଗିଲା । କୌଣସି ଏକ ଅଜଣା ରୋଗରେ ଲୀଳା ମଧ୍ୟ ମୃତ୍ୟୁବରଣ କଲା ।

କିଛିଦିନ ପରେ ଅମାବାସ୍ୟା ପଡିଲା । ସେହି ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ତେଣୁ ଲୀଳାର ପୁତ୍ର ଫଲ୍ଗୁ ନଦୀ କୂଳକୁ ଯାଇ ପିଣ୍ଡଦାନ କରିବାକୁ ଠିକ୍ କଲା । ଅନ୍ୟ ବ୍ରାହ୍ମଣଙ୍କୁ ସାଙ୍ଗରେ ନେଇ ଫଲ୍ଗୁ ନଦୀ କୂଳରେ ଆସି ପହଁଚିଲା । ବିଧିମୁତାବକ ସମସ୍ତ କାର୍ଯ୍ୟ ସମାପ୍ତ ହେବାପରେ ସେ ପିଣ୍ଡଦାନ କରିବା ପାଇଁ ନଦୀ କୂଳକୁ ଗଲେ । ଯେମିତି ନଦୀକୂଳରେ ପହଁଚି ପିଣ୍ଡଦାନ କରିଛନ୍ତି, ସଂଗେ ସଂଗେ ତିନୋଟି ହାତ ନଦୀ ମଧ୍ୟରୁ ବାହାରି ଆସିଲା । ଏହାଦେଖି ପୁତ୍ର ଆଶ୍ଚର୍ଯ୍ୟ ହୋଇଗଲା । ସେ ପଚାରିଲା-“ଏଇ ପ୍ରଥମ ହାତଟି କାହାର? ଉତ୍ତର ଆସିଲା- “ମୁଁ ତୁମର ମା’ ଅଟେ ।” ପୁଅଟି ସଂଗେ ସଂଗେ ମା’କୁ ପିଣ୍ଡଦାନ କଲା । ଏହାପରେ ପୁଣି ପଚାରିଲା- “ଏହି ଦ୍ୱିତୀୟ ହାତଟି କାହାର? ଉତ୍ତର ଆସିଲା, ମୁଁ ତୁମର ପିତା ଅଟେ ।” ଉତ୍ତର ଶୁଣିବା ପରେ ସେ ପିଣ୍ଡଦାନ, ନ କରି ଅଟ୍କି ଗଲା, କହିଲା “ଏହି ତୃତୀୟ ହାତଟି କାହାର ଅଟେ? ଉତ୍ତର ଆସିଲା, ମୁଁ ମଧ୍ୟ ତୁମର ପିତା ଅଟେ ।” ବାଳକ ସଂଗେ ସଂଗେ ଦ୍ୱିତୀୟ ହାତଟିକୁ ପଚାରିଲା, ‘ତୁମେ କେମିତି ମୋର ପିତାହେବ?’ ପ୍ରକୃତରେ ସେହି ଦ୍ୱିତୀୟ ହାତଟି ଚୋରର ହାତ ଥିଲା । ସେ ପୁତ୍ର ନିକଟରେ ସମସ୍ତ ଘଟଣା ବର୍ଣ୍ଣନା କଲା । ଏହାପରେ ତୃତୀୟ ହାତକୁ କହିଲା, “ତୁମେ କେମିତି ତା’ହେଲେ ମୋର ବାପା ହେଲ”? ତୃତୀୟ ହାତଟି କହିଲା, “ପୁଅରେ! ମୁଁ ସିନା ତୋତେ ଜନ୍ମ ଦେଇ ନାହିଁ, ହେଲେ ତୋତେ ଲାଳନ ପାଳନ କରି ବଢାଇଲି । ଆଜି ତୁ ମୋତେ ଜାଣି ପାରୁ ନାହୁଁ ।” ପୁଅଟି ଠିକ୍ କରିପାରିଲା ନାହିଁ ପ୍ରକୃତରେ ସେ କାହାକୁ ପିଣ୍ଡଦାନ କରିବ ।

କାହାଣୀଟି କହିସାରି ବେତାଳ ବିକ୍ରମକୁ କହିଲା, “ହେ ରାଜା ବିକ୍ରମ! ତୁମକୁ ବର୍ତ୍ତମାନ କହିବାକୁ ପଡିବ । ପିଲାଟି କାହାକୁ ତା’ର ପିତାବୋଲି ମାନି ପିଣ୍ଡଦାନ କରିବ?”ବେତାଳର କଥା ଶୁଣି ରାଜା କିଛି ସମୟ ଚିନ୍ତା କରିବା ପରେ କହିଲେ, “ଶୁଣ ବେତାଳ! ପିଲାଟି ତାଙ୍କୁ ହିଁ ପିତା ବୋଲି ମାନି ପିଣ୍ଡଦାନ କରିବା ଉଚିତ୍, ଯିଏ ତାକୁ ଛୋଟ ବେଳୁ ପାଳି ପୋଷି ମଣିଷ କରିଛନ୍ତି । କେବଳ ଜଣେ ଜନ୍ମ ଦେଇ ଦେଲେ ସେ ପିତା ମାତା ହୁଅନ୍ତି ନାହିଁ । ସନ୍ତାନପ୍ରତି ଯିଏ ପିତାର କର୍ତ୍ତବ୍ୟ କରେ, ତାକୁ ଆଦର ଯତ୍ନରେ ପାଳି ପୋଷି ମଣିଷ କରେ ସେ ହିଁ ପ୍ରକୃତରେ ପିତା ପଦବାଚ୍ୟ ।” ତେଣୁ ବାଳକଟି ତୃତୀୟ ହାତରେ ପିଣ୍ଡଦାନ କରିବା ଉଚିତ୍ ।

ରାଜା ବିକ୍ରମ ଯେମିତି ଉତ୍ତର ଦେଇ ସାରିଛନ୍ତି, ବେତାଳ ସଂଗେ ସଂଗେ ତାଙ୍କର କାନ୍ଧରୁ ଉପରକୁ ଉଠିଗଲା । ଜୋର୍ରେ ଅଟ୍ଟହାସ୍ୟ କରିବା ସାଂଗକୁ ଉଡି ଉଡି ଯାଇ ପୁନର୍ବାର ସେହି ବୃକ୍ଷରେ ଓଲଟା ଝୁଲି ପଡିଲା । ରାଜାବିକ୍ରମ ମଧ୍ୟ ପୁଣି ବେତାଳ ପଛେ ପଛେ ଆସି ସେଠାରେ ପହଁଚିଲେ ।

ଚୋର ଲୀଳା ପିଣ୍ଡଦାନ

Rate the content


Originality
Flow
Language
Cover design

Comments

Post

Some text some message..