Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୧୩
ବିକ୍ରମ ବେତାଳ - ୧୩
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.6K    7


Content Ranking

ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ - ୧

ନିସ୍ତବ୍ଧ ରାତି । ଘନ ଅନ୍ଧକାର । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ବିଲୁଆମାନଙ୍କର ହୁ କ୍ୟା ହୁଆ ହୁ କ୍ୟା ହୁଆ ରଡି ସାଙ୍ଗକୁ କୁକୁରମାନଙ୍କର ଭୋ ଭୋ ରଡି । ତା’ ସାଙ୍ଗକୁ ଭୁତ ପିଶାଚ ମାନଙ୍କର ହିଁ ହିଁ ହୋ… ହୋ ଅଟ୍ଟହାସ୍ୟ । କିନ୍ତୁ ରାଜା ବିକ୍ରମାଦିତ୍ୟ ଏ ସବୁକୁ ତିଳେମାତ୍ର ଭୟ ନକରି, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ କାଢ଼ିଆଣିଲେ । ସେ ତାକୁ କାନ୍ଧରେ ପକାଇ ମଶାଣୀ ଭୂଇଁକୁ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା – “ରାଜନ, ଏହା ମତେ ଜଣାଅଛି ଯେ ତୁମ୍ଭର ତଥା ତୁମ୍ଭ ରାଜ୍ୟରେ କୌଣସି ଅଭାବ ଅସୁବିଧା ନାହିଁ । ତେବେ ମୋର ଧାରଣା ହୁଏ ଯେ ତୁମ୍ଭେ ନିଶ୍ଚିତ ଭାବରେ କୌଣସି ଆକର୍ଷଣୀୟ ଯୁକ୍ତା ସୁନ୍ଦରୀ କନ୍ୟାର ଚିନ୍ତାରେ ଥାଇ ଏପରି କାର୍ଯ୍ୟ କରୁଅଛ । ତୁମ୍ଭକୁ ଏଥିରୁ ନିବୃତ ହେବା ନିମନ୍ତେ ମୁଁ ତୁମ୍ଭକୁ ଗୋଟିଏ କାହାଣୀ କହୁଅଛି । ଯେଉଁ କାହାଣୀ ଶୁଣିଲେ ତୁମ୍ଭର ଗନ୍ତବ୍ୟ ପଥର ପରିବର୍ତ୍ତନ ହେବା ସହିତ ତୁମ୍ଭର ପଥଶ୍ରମ ଜନିତ କ୍ଳାନ୍ତ ବି ଲାଘବ ହେବ । ଏହା କହି ସେ ବେତାଳ କାହାଣୀଟି କହିବା ଆରମ୍ଭ କଲା”

ମଗଧ ନାମକ ଏକ ପ୍ରସିଦ୍ଧ ରାଜ୍ୟ । ସେ ରାଜ୍ୟର ରାଜାଥିଲେ ଜୟବର୍ମା । ତାଙ୍କର ଏକମାତ୍ର ପୁତ୍ର, ତାର ନାମ ମହେନ୍ଦ୍ର ବର୍ମା । ମହେନ୍ଦ୍ର ବର୍ମା ଅସ୍ତ୍ର ବିଦ୍ୟାରେ ଖୁବ୍ ଧୁରନ୍ଧର ଥିଲେ । ଅସ୍ତ୍ର ଚାଳନାରେ ସମ୍ଭବତଃ ତାଙ୍କ ସମକକ୍ଷ କେହି ବି ନଥିଲେ । ସ୍ୱଭାବରେ ସେ ଅତ୍ୟନ୍ତ ଶାନ୍ତ, ସରଳ ଓ ନମ୍ର ଥିଲେ । ରୂପରେ ମଧ୍ୟ ଯୁବରାଜ ମହେନ୍ଦ୍ର ଅତ୍ୟନ୍ତ ସୁନ୍ଦର ଥିଲେ । ତେଣୁ ରୂପ ଗୁଣରେ ପରିପୁର୍ଣ୍ଣ ଥିବା ରାଜକୁମାର ମହେନ୍ଦ୍ର ବର୍ମାଙ୍କୁ ବିଭିନ୍ନ ରାଜ୍ୟର ରାଜାମାନେ ନିଜର କନ୍ୟା ସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ।

ସେ ସମୟରେ ସେ ରାଜ୍ୟର ରାଜପ୍ରାସାଦରେ ଜଣେ ଚିତ୍ରକର ଥିଲେ । ସେ ମଧ୍ୟ ଯୁବକ ଥିବାରୁ ଯୁବରାଜ ମହେନ୍ଦ୍ରଙ୍କ ସହିତ ସେ ଚିତ୍ରକରଙ୍କର ବନ୍ଧୁତ୍ୱ ଅତି ନିବିଡ ଥିଲା । ଏପରି ଏକ ସମୟ ଆସି ଉପଗତ ହେଲା ଯେ ସ୍ୱୟଂ ଯୁବରାଜ ନିଜ ତରଫରୁ ବନ୍ଧୁଙ୍କର ଚିତ୍ରଶାଳାରେ ଯାଇ ପହଁଚିଗଲେ । ସେ ସମୟରେ ସେ ଚିତ୍ରକର ଯୁବକ ଜଣକ ଏକ ସୁନ୍ଦରୀ କନ୍ୟାର ଚିତ୍ରରେ ରଙ୍ଗ ଦେବାରେ ବ୍ୟସ୍ତ ଥିଲେ । ସେଦିନ ରାଜକୁମାର ସେ ସୁନ୍ଦରୀ କନ୍ୟାର ଚିତ୍ରପଟ ଦେଖି, ଚିତ୍ରକର ବନ୍ଧୁଙ୍କ ଉପରେ ଅତ୍ୟନ୍ତ ପ୍ରୀତହୋଇ, ଭାବ ବିହ୍ୱଳିତ ମନ ନେଇ ତାଙ୍କୁ ପଚାରିଲେ ବନ୍ଧୁ… ଏ ଯେଉଁ ସୁନ୍ଦରୀ ଆକର୍ଷଣୀୟଯୁକ୍ତା କନ୍ୟାର ଚିତ୍ରଟି ଅଙ୍କନ କରିଛନ୍ତି, ଏହା ତୁମ୍ଭର କଳ୍ପନାରୁ ସୃଷ୍ଟି ନା କୌଣସି ସୁନ୍ଦରୀ କନ୍ୟାର ଅବିକଳ ରୂପକୁ ନେଇ ତମେ ଏ ଛବିକୁ ଅଙ୍କନ କରିଛ?

ତହୁଁ ସେ ଚିତ୍ରକର ବନ୍ଧୁ ଶୁଭେନ୍ଦୁ ଅଳ୍ପ ହସି କହିଲେ ଦେଖ ଯୁବରାଜ, ଏ ଚିତ୍ରପଟଟି କେବେ ବି କାଳ୍ପନିକ ନୁହେଁ କି ମୁଁ ମୋ ମନ ମଧ୍ୟରୁ ୟାକୁ ସୃଷ୍ଟି କରିନାହିଁ । ଏହା ହେଉଛି, ଆମ ରାଜ୍ୟର ଜଣେ କୃଷକର କନ୍ୟା, ଆଉ ସେ କନ୍ୟାଟିର ନାମ ହେଉଛି ଦେବକୀ ।

ଏହାପରେ ଯୁବରାଜ ମହେନ୍ଦ୍ର ବନ୍ଧୁ ଶୁଭେନ୍ଦୁଙ୍କ ଠାରୁ ଅତି ଅନ୍ୟମନସ୍କ ଭାବରେ ଚାଲିଗଲେ । ଦିନ ସରି ରାତି ଆସିଲା । ଯୁବରାଜଙ୍କୁ ରତ୍ନ ପଲଙ୍କରେ ଆଉ ନିଦ ନାହିଁ । ସେ ଚିନ୍ତା କଲେ ତାଙ୍କ ରାଜ୍ୟରେ ପୁଣି ଜଣେ କୃଷକର କନ୍ୟା ଏତେ ଆକର୍ଷଣୀୟ ଯୁକ୍ତା, ଶିରୀ, ସଉରଭା ଓ ସୁନ୍ଦରୀ କନ୍ୟା ଅଛି ଅଥଚ ସେ ତାହା କିପରି ଜାଣିନାହାଁନ୍ତି ।

ଏହିପରି ଭାବରେ ଉବୁଟୁବୁ ହୋଇ ରାଜକୁମାର ବିଳମ୍ବିତ ରାତିରେ ନିଦ୍ରାଗଲେ । ସେହି ନିଦ୍ରା ଅବସ୍ଥାରେ ସେ ଦେଖିଲେ ଗୋଟେ ଅଦ୍ଭୁତ ସ୍ୱପ୍ନ । ସେ ସ୍ୱପ୍ନଟି ହେଉଛି – ଜଣେ ତାନ୍ତ୍ରିକର କଣ୍ଠ ଦେଶରେ ତା’ର ରୁଦ୍ରାକ୍ଷ ମାଳ ଓ ରତ୍ନ ଖଚିତ ଆଉ ଗୋଟିଏ ମାଳ, ହସ୍ତରେ ମନ୍ତ୍ର ଦଣ୍ଡ ସହିତ ସେ ଏକ ବ୍ୟାଘ୍ର ପୃଷ୍ଠରେ ବସି ଅଛି ଓ ତା’ର ସମ୍ମୁଖ ଭାଗରେ ଜଣେ ଅପୂର୍ବ ସୁନ୍ଦରୀ କନ୍ୟା ।

ତା’ପରେ ସେ ଦେଖିଲେ, ବ୍ୟାଘ୍ରଟି ଧିରେ ଧିରେ ଆଗକୁ ଆଗକୁ ଚାଲନ୍ତେ, ରାଜକୁମାର ମଧ୍ୟ ତାଙ୍କର ପଥ ଅନୁସରଣ କରି ତାଙ୍କ ପଛେ ପଛେ ଚାଲିଲେ । ଏହା ପରେ ସେ ବ୍ୟାଘ୍ରଟି ଏକ ବଡ ଗୁମ୍ଫା ମଧ୍ୟରେ ପ୍ରବେଶ କରିଲା । ସେ ଗୁମ୍ଫା ଦ୍ୱାର ଦେଶରେ ଅଛି ଏକ ବିରାଟ ବଟବୃକ୍ଷ, ଏହା ପରେ ଯୁବରାଜ ମହେନ୍ଦ୍ର ବର୍ମାଙ୍କର ନିଦ ହଟାତ୍ ଭାଙ୍ଗିଗଲା ।

ସେତେବେଳକୁ ତ ରାତି ପାହି ପାହି ଆସୁଥାଏ । ଆସନ୍ନ ପ୍ରଭାତ । ଯୁବରାଜ ନିଦ୍ରାତ୍ୟାଗ କରି, ରାଜ ନଅରର ବାହାରକୁ ଆସନ୍ତେ ସେ ଏକ ସମ୍ବାଦ ଶୁଣିଲେ ଯେ ବ୍ୟାଘ୍ରଦୀପ ନାମକ ଏକ ଦୁଷ୍ଟ ତାନ୍ତ୍ରିକ ଗତ ରାତିରେ ଦେବକୀଙ୍କୁ ଅପହରଣ କରି ନେଇଛି । ସେ ଏପରି ଏକ ଭୟଙ୍କର ତାନ୍ତ୍ରିକ ଯେ ତା’ ସମ୍ମୁଖକୁ ଯାଇ ଦେବକୀକୁ ଉଦ୍ଧାର କରିବାର ସାହସ କାହାରି ବି ନାହିଁ । ଅବଶ୍ୟ ତାନ୍ତ୍ରିକ ତା’ର ବାହୁ ବଳରେ ଏତେ ଶକ୍ତିଶାଳି ହୋଇ ନଥିଲେ ମଧ୍ୟ ତାହାର ତନ୍ତ୍ର ବିଦ୍ୟାରେ ବିଚକ୍ଷଣତା, ବଶୀକରଣ ଉଚ୍ଚାଟନ ମନ୍ତ୍ର ଆଦିର ଦକ୍ଷତାରେ ସେ ସମସ୍ତ ଅସମ୍ଭବକୁ ସମ୍ଭବ କରିପାରେ ।

ଏକଥା ଜାଣିବା ପରେ ଯୁବରାଜ ମହେନ୍ଦ୍ର ବର୍ମା ଆଉ ଧୈର୍ଯ୍ୟ ଧରି ଯମା ରହିପାରିଲେ ନାହିଁ । ତାଙ୍କର ମନେ ହେଲା ଯେ, ଗତ ରାତ୍ରରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନର କିଛି ନା କିଛି ସତ୍ୟତା ଏହିଠାରେ ରହି ଥାଇପାରେ । ସେଥିପାଇଁ ଯୁବରାଜ ମହେନ୍ଦ୍ର ବର୍ମା ନିଜର ଅଶ୍ୱ ଉପରେ ବସି ସେ ପାହାଡିଆ ଅଂଚଳକୁ ଚାଲିଗଲେ ।

କିଛି ବାଟ ଅତିକ୍ରମ କରିବା ପରେ ଯୁବରାଜ ଆପଣା ସ୍ଥାନରେ ଯାଇ ପହଁଚିଗଲେ । ସେଠାରେ ବହୁ ସ୍ଥାନ ଖୋଜିବା ପରେ ସେ ସ୍ୱପ୍ନରେ ଦେଖିଥିବା ଅଂଚଳ ଉପରେ ଦୃଷ୍ଟିପାତ କଲେ । ସେହିପରି ଗୁମ୍ଫା ସମ୍ମୁଖରେ ବଟବୃକ୍ଷ । ସେଠାରେ ସେ ଦେଖିଲେ ଗୁମ୍ଫାର ଦ୍ୱାରଦେଶରେ ଏକ ପ୍ରସ୍ତର ଓ ସେହି ପ୍ରସ୍ତର ଉପରେ ଗୋଟିଏ ବ୍ୟାଘ୍ର ବସିଅଛି । ଆଉ ସେହି ବ୍ୟାଘ୍ରର କଣ୍ଠରେ ଏକ ରତ୍ନହାର ମଧ୍ୟ ଝୁଲୁଅଛି । ଯୁବରାଜ ଏବେ ଚିନ୍ତାକଲେ ଯେ, ସେହି ରତ୍ନ ହାରଟି ନିଶ୍ଚୟ ସେହି ତାନ୍ତ୍ରିକର ହୋଇପାରେ । କାରଣ ଠିକ୍ ସେହିପରି ରତ୍ନହାର ଗୋଟିଏ ରାତିରେ ଦେଖିଥିବା ସ୍ୱପ୍ନରେ ତାନ୍ତ୍ରିକ ପିନ୍ଧିଥିବାର ସେ ଦେଖିଥିଲେ ।

ଏହାପରେ ଅଶ୍ୱର ପାଦ ଶବ୍ଦ ଟପ୍ ଟପ୍ ଶୁଣିବା ପରେ ବ୍ୟାଘ୍ରଟି ଜାଣିଲା ଯେ, ବର୍ତ୍ତମାନ ଗୁମ୍ଫା ମଧ୍ୟକୁ କେହି ନା କେହି ମନୁଷ୍ୟ ଆସୁଅଛି । ସେଥିପାଇଁ ବ୍ୟାଘ୍ର ଯୋଜନା ପ୍ରସ୍ତୁତ କରିବା ସମୟରେ ଯୁବରାଜ ମହେନ୍ଦ୍ର ବର୍ମାଙ୍କର ଶରାଘାତରେ ସେ ବ୍ୟାଘ୍ରଟି ନିଜ ପ୍ରାଣ ହରାଇଲା । ତା’ପରେ ଯୁବରାଜ ତା’ କଣ୍ଠରୁ ରତ୍ନମାଳାଟିକୁ ସଂଗ୍ରହ କରି ଗୁମ୍ଫା ମଧ୍ୟରେ ପ୍ରବେଶ କରି ଦେଖନ୍ତି ଯେ, ଗୋଟିଏ ବ୍ୟାଘ୍ର ଛାଲ ଉପରେ ତାନ୍ତ୍ରିକର ସମ୍ମୁଖରେ ସେ ଦେବକୀ ନାମ୍ନୀ କୃଷକର ସୁନ୍ଦରୀ କନ୍ୟା ବସିଅଛି । ତାନ୍ତ୍ରିକ ବ୍ୟାଘ୍ରଦୀପ କହୁଛି – ଦେଖ ଦେବକୀ,… ମୁଁ ମୋର ରତ୍ନହାର ଦ୍ୱାରା ଅସାଧ୍ୟକୁ ସାଧନ କରିପାରେ ସତ, କିନ୍ତୁ ସେହି ରତ୍ନ ହାରର ସାହାଯ୍ୟ ନେଇ, ମୁଁ ତୁମକୁ ନିଜର କରିବାର ଉଦ୍ଧେଶ୍ୟ ମୋଟେ ରଖିନାହିଁ । ସେଇଥି ପାଇଁ ତ ମୁଁ ମୋର ରତ୍ନ ହାରଟିକୁ ଗୁମ୍ଫାର ଦ୍ୱାରଦେଶରେ ଥିବା ବ୍ୟାଘ୍ରର କଣ୍ଠରେ ପକାଇ ତୁମ ସହିତ ଏ ସ୍ଥାନକୁ ଆସିଅଛି ।

ନିସ୍ତବ୍ଧ ଅନ୍ଧକାର ଶୀତଳ

Rate the content


Originality
Flow
Language
Cover design

Comments

Post

Some text some message..