ଆଦର୍ଶ ମାଆ
ଆଦର୍ଶ ମାଆ
ବିଶ୍ୱକର୍ତ୍ତା ଦିବ୍ୟ ସ୍ରଷ୍ଟା ରୂପୀ କରୁଣାମୟ ବିଭୁଙ୍କର ଦେବ ତୁଲ୍ୟ ଶାଶ୍ୱତ ଅନୁପମ ବୈଭବମୟ ସୃଷ୍ଟିର ବୈଚିତ୍ରମୟ ସର୍ଜନା ହେଉଛି ମାନବ । ଐହିକ କାୟା ଧାରୀ ବିଭୁ କୃପା ପ୍ରାପ୍ତ ମଣିଷର ଜୀବନ ଏହି ପୁଣ୍ୟତୋୟା ପବିତ୍ର ଧରାଧାମରେ କ୍ଷଣସ୍ଥାୟୀ,ନସ୍ୱର ଓ ଅଭିଜ୍ଞତା ପୂର୍ଣ୍ଣ ଜନ୍ମ ରୂପକ ଆଦ୍ୟ ବିନ୍ଦୁରୁ ଆରମ୍ଭ ହୋଇ ମୃତ୍ୟୁ ରୂପକ ପ୍ରାନ୍ତ ବିନ୍ଦୁରେ ଶେଷ ହେଉଥିବା ଜ୍ୟାମିତିକ ରେଖା ଖଣ୍ଡ ସଦୃଶ ସୀମିତ ଏଇ ନର ଜନ୍ମ ।ପାଣି ଫୋଟକା ପରି କ୍ଷଣସ୍ଥାୟୀ ମାନବ ସ୍ନେହ,ପ୍ରେମ,ଦୟା, କ୍ଷମା,ତ୍ୟାଗ,ସହିଷ୍ଣୁତା,ଭଗବତ ପ୍ରୀତି,ଭକ୍ତି ପରି ସ୍ଵର୍ଗୀୟ ଆଧ୍ୟାତ୍ମିକ ଗୁଣର ଅଧିକାରୀ ହୋଇ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠା ମଣ୍ଡନ କରିଥାଏ ,ବିଶ୍ୱକର୍ତ୍ତାଙ୍କୁ ଅବାକ୍ ଓ ଆଶ୍ଚର୍ଯ୍ୟଚକିତ କରାଇ ସେଥିପାଇଁ ଭଗବତ ଗୀତାରେ କଥିତ ଅଛି:
ମନୁଷ୍ୟ ଦେହେ ଦିବ୍ୟଜ୍ଞାନ
ଦେଖି ସନ୍ତୋଷ ଭଗବାନ ।।
ଏହିଭଳି ଦିବ୍ୟତ୍ୱ,ଯଶ କୀର୍ତ୍ତି ର ଅଧିକାରିଣୀ,ସ୍ନେହର ଭଣ୍ଡାର କ୍ଷମାର ସାଗର,କରୁଣାର ଗନ୍ତାଘର ଆମ ଗର୍ବ ଗୌରବର ପ୍ରତୀକ ହେଉଛନ୍ତି ଆମ ମାଆ ।ଆମ ଜୀବନରେ ପୂଜନୀୟ ମାଙ୍କ ସ୍ଥାନ ସର୍ବାଗ୍ରେ ଉଚ୍ଚ ଓ ଆଦର୍ଶ ଗୁଣବତ୍ତାର ଦୃଷ୍ଟାନ୍ତ ।ମାଆ ଥିଲେ ଆମ୍ଭ ସଭିଙ୍କ ପ୍ରେରଣାର ଉତ୍ସ ।ତାଙ୍କ ଜୀବନ ଗାଥା ଅଭିଜ୍ଞତା ପୂର୍ଣ୍ଣ ସଂଘର୍ଷମୟ ଇତିହାସ ।ମା’ଙ୍କ ଗୁଣ ଗାରିମା ଅଵର୍ଣ୍ଣନୀୟ ଯାହା କି ସୀମିତ ଶବ୍ଦ ଭଣ୍ଡାର ମଧ୍ୟରେ ବର୍ଣ୍ଣନା କରିବା ମୋ ପକ୍ଷେ କଷ୍ଟକର ।ସେ ୧୩ ବର୍ଷ ବୟସରୁ ଶାଶୁ ଘରେ ପଦାର୍ପଣ କରି ସମସ୍ତଙ୍କୁ ସ୍ନେହ,ପ୍ରେମ ରୂପୀ ପୀୟୂଷ ବଣ୍ଟନ କରି ସମସ୍ତଙ୍କ ମନରେ ସ୍ବତନ୍ତ୍ରତାର ଆସନରେ ଅଳଙ୍କୃତା ହୋଇଥିଲେ ।ପରିବାର ବର୍ଗଠାରୁ ବନ୍ଧୁ ବାନ୍ଧବ,ଗାଁ ଭୁଇଁରେ ନିଜ ମିଷ୍ଟଭାଷି ସ୍ମିତ ହାସ୍ୟ ବଳରେ ପାଲଟି ଥିଲେ ମୌଡମିନୀ ।ନାମ ଥିଲା ତାଙ୍କର କାଂଚନ ଓ ବାସ୍ତବରେ ସେ ସଙ୍ଘର୍ଷ ରୂପକ କଷଟିପଥରରେ ନିଜେ ନିଷ୍ପେସିତ ହୋଇ ଅନ୍ୟ ପାଇଁ ପାଲଟିଥିଲେ ସୁଖର ସ୍ରୋତସ୍ଵିନୀ ।ବିବାହର କିଛି ବର୍ଷ ଉତ୍ତାରୁ ଶ୍ଵଶୁର ଚାକିରୀ ଛାଡିଲା ପରେ ମା ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜର ଦୃଢ ମନୋବଳ ଓ ଆତ୍ମପ୍ରତ୍ୟୟକୁ ଜାଗ୍ରତ କରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶ୍ରିତ ହୋଇ ଘରର ଗୁଜୁରାଣ ମେଂଟାଇବା ସହ ପୁତ୍ର କନ୍ୟାଙ୍କୁ ପାଠ ପଢାଇ ସୁସନ୍ତାନରେ ପରିଣତ କରିବାର ପ୍ରୟାସ ତାଙ୍କ ମହାନତାର ପରିଚୟ ଦେଇଥାଏ । ରୋଗ ଗ୍ରସ୍ତ ଶଯ୍ୟାଶାୟୀ ବଡ଼ ନଣନ୍ଦଙ୍କ ସେବା ଶୁଶ୍ରୁସା ଦୀର୍ଘ ଦଶ ବର୍ଷ ପର୍ଯ୍ୟନ୍ତ କରି ମଧ୍ୟ ହତାଶ ହୋଇ ନ ଥିଲେ ।ଜୀବନର ଅନ୍ୟ ନାମ 'ସଙ୍ଘର୍ଷର କଷଟିପଥର' ଏହା ତାଙ୍କ ଜୀବନରୁ ହିଁ ଅନୁମେୟ କରି ହୁଏ ଅତି ସୁଂଦର ଭାବରେ ।କେବଳ ଏତିକିରେ ତାଙ୍କ ମହନୀୟତା ସୀମିତ ନୁହେଁ ।ସ୍ଵାଦିଷ୍ଟ ରୋଷେଇ,ପିଠାପଣା, ବଡ଼ି,ଆଚାର ଇତ୍ୟାଦି ତିଆରିରେ ତାଙ୍କର ଏପରି ନିଶା ଥିଲା ଯେ ସେ ରାତ୍ରି ଅନିଦ୍ରା ରହି ସମସ୍ତଙ୍କ ମନ ଜାଣି ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ପାଇଁ ତିଆରି କରୁ ଥିଲେ । ଉଲ୍ ସୂତାରେ ଓ ଜରି ସାହାଯ୍ୟରେ ସୁଂଦର ଆସନ କରିବାରେ ମଧ୍ୟ ପାରଦର୍ଶିତା ଥିଲା ।ତାଙ୍କର ପ୍ରତିଟି କାର୍ଯ୍ୟଶୈଳୀକୁ ମୁଁ ବିଶ୍ଳେଷଣ କରିଛି ଓ ମହାନତାର ସ୍ୱାଦ ଆସ୍ଵାଦନ କରିଛି ଓ ତାଙ୍କୁ ଜଣେ ଆଦର୍ଶ ମା' ରୂପେ ହୃଦୟରେ ସ୍ଥାପିତ କରିଛି ।
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ମଧ୍ୟ ଗୀତାରୁ ଭାଗବତ ଯାଏ ସର୍ବ ପୁରାଣରେ ସେ ପ୍ରବୀଣା ଓ ଅଧିକାଂଶ ଶ୍ଳୋକ ସେ ମୁହଁରେ ଗାଇ ଦେଉଥିଲେ ଯାହାକି ତାଙ୍କର ଅଲୌକିକ ଆଧ୍ୟାତ୍ମିକତାର ପରିଚାୟକ ଅଟେ ।ସେ ଏତେ ଗପୁଡି ଥିଲେ ଯେ କଥା ବାର୍ତ୍ତା ଆଳରେ ପ୍ରତି ଲୋକଙ୍କ ସହ ସମ୍ପର୍କ ଯୋଡ଼ି ପ୍ରଥମ ଦେଖାରୁ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରୁଥିଲେ ।ତାଙ୍କ ସହ ଥରେ ଯିଏ କଥା ହେଇଛି ତାଙ୍କୁ କେବେ ଭୁଲି ପାରିବ ନାହିଁ ।ଶୋଇବା ସମୟ ଛାଡ଼ି ସେ ସବୁବେଳେ କଥା କହୁଥିଲେ ଯାହାକି ଆମ ସମସ୍ତଙ୍କ ପାଇଁ ହିତାକାଂକ୍ଷୀ ଥିଲା ।ତାଙ୍କର ତୀକ୍ଷଣ୍ ସ୍ମୃତି ଶକ୍ତି କଥା ଭାବିଲେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉ ।ଉଚ୍ଚ ଚିନ୍ତାଧାରୀ ଥିଲେ ଓ ମୁଁ ମୋର ଅସୁବିଧା ମୁଁ ନ କହିବା ଆଗରୁ ସେ ବୁଝି ସମାଧାନ କହୁଥିଲେ ।
ଶାଶୁ ଭାବରେ ପାଇଥିଲି ମୁଁ ପ୍ରକୃତ ମାଙ୍କୁ ଯିଏ କି ନାରୀଜାତି ଓ ମାତୃ ଜାତି ପାଇଁ ଆଦର୍ଶବତ୍ତାର ଦୃଷ୍ଟାନ୍ତ । ତାଙ୍କର ପ୍ରତିଟି କାର୍ଯ୍ୟ ମହନୀୟତା ବୋଲି ଜଣାଯାଏ ।
ସଂଘର୍ଷ ଜୀବନର ଶେଷ ପର୍ଯାୟରେ ତାଙ୍କୁ ଦୂରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ହୋଇ ଥିବାରୁ ଦୁଃଖଦ ଘଟଣା ଆମ ପରିବାରକୁ ଦେଇ ଥିଲା ଶକ୍ତ ଝଟକା ।ତଥାପି ତାଙ୍କର ଆରୋଗ୍ୟ ଲାଭ ପାଇଁ ଭଗବାନଙ୍କ ଉପରେ ଆଶାୟୀ ହୋଇ ଅସ୍ତ୍ରପଚାର କରି ଉତେଟୁସ ବାହାର କରିବା ସମୟରେ ଡକ୍ଟର ମାନେ କର୍କଟ ରୋଗର ଜୀବାଣୁ ଦେହ ଯାକ ମାଡ଼ି ଯାଇଥିବାର ଲକ୍ଷ୍ୟ କରିଥିଲେ ।ପ୍ରଥମେ ମା’ ତାଙ୍କ ରୋଗ ବିଷୟରେ ଅଜ୍ଞ ଥିଲେ,ପରେ ଜାଣି ପାରି ବହୁତ କାନ୍ଦିଥିଲେ ।ପ୍ରଥମେ କିଛି ସମୟ ପାଇଁ ଭାଙ୍ଗି ପଡିଥିଲେ ବି ପୁନଶ୍ଚ ନିଜ ମନୋବଳକୁ ଦୃଢ କରି ୧୨ ଥର କେମର ନେଉଥିବା ବେଳେ ଚିରା ଚରିତ ସମସ୍ତ କାର୍ଯ୍ୟରେ ଲିପ୍ତ ଥିଲେ ଆଉ ଯେମିତି ଲାଗୁଥିଲା ମା ଆରୋଗ୍ୟ ଅଛନ୍ତି,ସତେ ଅବା ତାଙ୍କ ଦୃଢ ଇଚ୍ଛାଶକ୍ତି ନିକଟରେ କର୍କଟ ହାର ମାନି ଯାଇଛି ।ମୃତ୍ୟୁ ଅଵଶ୍ୟମ୍ଭବି ଜାଣି ପାରି ସେ ଥରେ କହିଲେ ,ମୁଁ ମୋ ଜୀବନ ଯୁଦ୍ଧରେ ହାରିଗଲି, କିନ୍ତୁ ଆମେ ଦୁଇ ବୋହୂ କହିଥିଲୁ ,ତୁମର ଦୃଢ ଇଚ୍ଛାଶକ୍ତି ଓ ଆତ୍ମପ୍ରତ୍ୟୟ କୁ ରୋଗ କେବେ ମାରି ପାରିବେନି ।
ସମସ୍ତଙ୍କ ପାଇଁ ତାଙ୍କ ମମତା ଥିଲା ନିଆରା ଓ ଅଵର୍ଣ୍ଣନୀୟ ।ଏତେ ନିଃସ୍ୱାର୍ଥପର ଭଲ ପାଇବା,ତ୍ୟାଗର ମୂର୍ତ୍ତିମନ୍ତ ଦେବୀ ସବୁବେଳେ ନ୍ୟାୟ କଥା କହିବାରେ ପାଶ୍ଚାତପଦ ହେଉ ନ ଥିଲେ । ନିର୍ଭୀକା ଓ ପରିପୂର୍ଣ୍ଣ ମଣିଷ ଥିଲେ ସେ ଯାହାଙ୍କ ଜୀବନ ସବୁ ବେଳେ ପର ପାଇଁ ଉତ୍ସର୍ଗୀକୃତ ।
ଵହୁ ଝଡ଼ ,ଝଂଜାର ଜୀବନ ଅତିବାହିତ କରିବା ପରେ ଶେଷରେ ପାକସ୍ଥଳୀରେ ପାଣି ଜମା ହେବାକୁ ଲାଗିଲା ଓ ସପ୍ତାହକୁ ଥରେ ଲେଖାଏଁ ୫ ଲିଟର ପାଣି ବାହାର କରାଗଲା ।ଏହିପରି କଷ୍ଟ ଦୁଃଖ ମଧ୍ୟରେ ତାଙ୍କର ମୁର୍ମୁଷୁ ଅବସ୍ଥା ଆସନ୍ନ ହେଲା ।ପରିଶେ ୨୦୧୭ ମସିହା ମାର୍ଚ୍ଚ ମାସ ଅଠର ତାରିଖରେ ଶନିବାର ଦିବା ୧୦.୩୫ ସମୟରେ ତାଙ୍କ ଜୀବନ ପ୍ରଦୀପ ସବୁ ଦିନ ପାଇଁ ଲିଭିଗଲା ।ତାଙ୍କର ମହାପ୍ରୟାଣ ଆମ ହୃଦୟରେ ପ୍ରବଳ କୋହ ରୂପକ ଭୂମିକମ୍ପ ଖେଳାଇ ଦେଲା ।
ଆଜି ଵି ଆମ ମାନସ ପଟରେ ସେ ଚିର ସ୍ମରଣୀୟା ।ତାଙ୍କର ଆବଶ୍ୟକତା ଓ ଶୂନ୍ୟତା ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛୁ ।ତାଙ୍କର ଆଶିଷ ଓ ସ୍ନେହ ମମତା ପୂର୍ଣ୍ଣ ନିଃସ୍ୱାର୍ଥପର ଭଲ ପାଇବାକୁ ଆଜି ଵି ଆମେ ଝୁରୁଛୁ ।
ହେ କରୁଣାମୟ ଜଗତ କର୍ତ୍ତା ଭଗବାନ ! ତୁମେ ଆମ ମାଆଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ଓ ସ୍ଵର୍ଗପ୍ରାପ୍ତି କରାଅ । ଏହା ହିଁ ଆମର ତୁମ ପଦାରବିନ୍ଦରେ ଗୁହାରି ।
କଳ୍ପନା ଜେନା
ଶିକ୍ଷୟତ୍ରୀ , ଵ୍ରଜେନ୍ଦ୍ର ନାଥ ନୋଡାଲ ଉ.ପ୍ରା. ବିଦ୍ୟାଳୟ