Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାଧାକୁଞ୍ଜ
ରାଧାକୁଞ୍ଜ
★★★★★

© Soumya Shubhadarshinee

Horror

10 Minutes   3.8K    18


Content Ranking

କିଛି ଘଟଣା ମଣିଷର ବୋଧ ଶକ୍ତି ବାହାରେ । ସେସବୁ ରୁହେ ଅବୋଧ୍ୟ ସବୁବେଳେ ।

**************

- ''ଶୁଣ ସେ ଘରଟା ରହିବାକୁ ଠିକ ନୁହେଁ । କିଛି ସେମିତି କାରଣ ଅଛି ବୁଝିଲୁ । "

ରୋଜି ଅପା କହିଲେ ଏମିତି । କିନ୍ତୁ ଘରଟି ଭଲ ଲୋକେସନ୍ ରେ ଅଛି , ପୁଅର ସ୍କୁଲ ପାଖରେ, ଅଂଶୁଙ୍କ ଅଫିସ ପାଇଁ ଟେମ୍ପୁ ମିଳିବାକୁ ସୁବିଧା। ଆହୁରି ପାଖରେ ଦୋକାନ ବଜାରବି ଅଛି । ସେଇ ଘରଟି ଘଡା ନେଲେ ଭଲ ହୁଅନ୍ତା।

ଅଂଶୁ ବଦଳି ହେଇ ଆସିଥିବା ଏ ନୂଆ ସହରରେ ଭଡା ଘରଟିଏ ଖୋଜିବା ବଡ଼ କଷ୍ଟକର। ଛୋଟ ସହରରେ ସୁବିଧା ସୁଯୋଗର ଅଭାବ। ବହୁତ ଖୋଜିବା ପରେ ଭଲ ଲୋକେସନ୍ ରେ ମିଳିଛି ଏ ଘର ଆଉ ସବୁଠୁ ମୁଖ୍ୟ କଥା ଘର ମାଲିକ ରହୁନାହାନ୍ତି। ତେଣୁ ଅଯଥା କଟକଣା କରିବେନି କେହି । ସୁଗନ୍ଧାକୁ ଭାରି ପସନ୍ଦ ଆସିଛି। କିନ୍ତୁ ରୋଜି ଅପା ମନା କରୁଛନ୍ତି।କି ମୁସ୍କିଲ କଥା କ'ଣ ଯେ କରିବ ମଣିଷ??

ସେ ଟିକେ ସାହସ କରି କହିଲି , "ଅପା ସବୁ ଦୃଷ୍ଟି ରୁ ଘରଟି ଆମ ପାଇଁ ଉପଯୁକ୍ତ ହେବ। କଣ ଅସୁବିଧା ଅଛି କୁହନ୍ତୁ କିଛି ସମାଧାନ କରିବା। ଘର ଖୋଜି ଖୋଜି ବଡ଼ ବ୍ୟସ୍ତ ହେଇଗଲୁଣି ଆମେ।''

ଅପା ଏକ ରକମ ଚିଡିଗଲେ, ଭୟଙ୍କର ଭାବେ ବିରକ୍ତ ହେଲେ । ବିଲକୁଲ ସେ ଘର କଥା ଉଠା ଯିବ ନାହିଁ ବୋଲି ଶୁଣେଇ ଦେଲେ । ଆଉ କହିଲେ ସୁଗନ୍ଧାର ସାଧାରଣ ଶିଷ୍ଟାଚାରବି ନାହିଁ। ତାଙ୍କର ବଡ଼ ହିସାବରେ କହୁଥିବା ଉପଦେଶ ସେ ଗ୍ରହଣ କରୁନି। ଏଇଟା ପୂରା ତାଙ୍କର ଅବମାନନା। ଖୁଵ ରାଗିଗଲେ ସେ।

ସୁଗନ୍ଧା ପୁରା ଅବାକ ! କିଛି ତ' ସେମିତି କହିନାହଁ ସେ କେବଳ କାରଣ ପଚାରିଥିଲା। କାହିଁକି ଏତେ ଉତକ୍ଷୀପ୍ତ ହେଇଗଲେ ଅପା ?

ତାକୁ ବଡ଼ ଖରାପ ଲାଗିଲା। ଏଠିକି ଆସିବା ଆଗରୁ ଘରେ ଶାଶୁ କହିଥିଲେ ସେଠି ରୋଜି ଅପା ଅଛି ସବୁ ବ୍ୟବସ୍ଥା କରିଦେବେ , ହେଲେ ସେ ଭାରି ରାଗି ସ୍ୱଭାବର ଟିକେ ଜଗିକି ତାଙ୍କ ସହ କଥା ହେବାକୁ। ସେଥିପାଇଁ ବୋଧେ ଏମିତି ଅଗ୍ନି ବର୍ଷୁଛନ୍ତି ।

ହେ ଭଗବାନ!.........

***********

ଅଂଶୁଙ୍କ ଏ ଗୁଣ ଭଲ ଲାଗେ ନାହିଁ ସୁଗନ୍ଧାକୁ । ସବୁ କଥାରେ ଖାମଖେୟାଲ୍ । ଆରେ ବଦଳି ହେଇ ନୂଆ ସହରକୁ ସ୍ତ୍ରୀ ପିଲାଙ୍କୁ ଆଣିବା ଆଗରୁ ଘର ଠିକ କରିବା କଥା ନା' ନାହିଁ ?

କିନ୍ତୁ ନା' ମହାଶୟ ଆରାମରେ ପରିବାର ସହ ଆସି ଏବେ ବନ୍ଧୁ ଘରେ ଅଡ୍ଡା ଜମେଇଛନ୍ତି । କେଡେ ସହଜ ଭାବେ କହିଦେଲେ , '' ଆରେ ସାଙ୍ଗ ଆଉ କାହିଁକି ହାଁ ! ସେଠି ରହି ଦୁଇ ଚାରି ଦିନ ଭିତରେ ଘର ଖୋଜି ନେବାନି ! ''

ସେଥିପାଇଁ ସୁଗନ୍ଧା ଦୁଇଦିନ ହେଲା ଟେମ୍ପୁ ଧରି ଘର ଖୋଜୁଛି ଆଉ ଅଂଶୁ ତା' ଅଫିସରେ। ସନ୍ଧ୍ୟାରେ ଅଫିସରୁ ଫେରିଲେ ସହଜ ପ୍ରଶ୍ନ କରିବେ , ''ତୁମକୁ ଯେଉଁ ଘର ଦେଖିବାକୁ କହିଥିଲି , ଦେଖିଲ ଟି ?''

ସେ ବୁଲି ଦେଖୁଥିବ ଆଉ ପ୍ରଭୁ କେବଳ ଠିକଣା ଗୋଟେ ଧରେଇ ଦେବେ । ବ୍ୟସ୍ତ ଲାଗିଲାଣି ତାକୁ , କିନ୍ତୁ ଅଂଶୁକୁ ଟିକେବି ଅସୁବିଧା ହେଉନି , ବିଚିତ୍ର !

ବହୁତ ବେକାର ଏ ଛୋଟ ସହର । ବ୍ୟାଙ୍କ ବାଲାଏ ଚନ୍ଦ୍ର ପୃଷ୍ଠରେ ବି ଖୋଲି ପକେଇବେ ବ୍ୟାଙ୍କ ! ବସନ୍ତପୁର ଭଳିଆ ଗୋଟେ ଅନାମଧେୟ ସହର । ହୁଁ ପ୍ରକୃତରେ ବଡ଼ ଗାଁଟେ । କିନ୍ତୁ ଧାମରା ବନ୍ଦର ପାଖ ବୋଲି ଛତୁ ଫୁଟିଲା ପରି ଖୋଲିଯାଇଛି ବ୍ୟାଙ୍କ । ବ୍ୟାଙ୍କର ବେପାର ହେଉଛି ଟ୍ରଲର ଵାଲା ବେପାରୀ , ଚିଙ୍ଗୁଡ଼ି ଚାଷୀ , ଜାହାଜରେ କାମ କରୁଥିବା ଶ୍ରମିକ ମାନଙ୍କ ସହ । ଲୋନ ଦିଅ ସଭିଙ୍କୁ ଆଉ ବଢାଆ ବ୍ୟାଙ୍କିଙ୍ଗ ।

ଏଠି ଭଲ ଘର କୁଆଡୁ ଆସିବ ! ସୁଗନ୍ଧା ଜାଣିଛି ଅଂଶୁ ଠିକ ଜାଣନ୍ତି ଏଇ ଅସୁବିଧା ତେଣୁ ସୁଗନ୍ଧାକୁ ଭାଲୁ ଧରେଇ ନିଜେ ବାଟ କାଟି ପାର ।

ପୁଅ ପଢିବାକୁ ମାତ୍ର ଗୋଟିଏ ପ୍ଲେ' ସ୍କୁଲ ଅଛି । ପୁଣି ସ୍କୁଲ ବସ୍ ନାହିଁ । ସ୍କୁଲ ପାଖକୁ ରହିବା ଜରୁରୀ ନହେଲେ କେମିତି ଛୋଟ ପୁଅ ଯା' ଆସ କରିବ ? ଅଂଶୁତ ଅଫିସ ଗଲେ ଭୁଲି ଯିବେ ସଂସାର । ହଁ ବ୍ୟାଙ୍କ ନୁହେଁ ଯେମିତି ଅଠା କାଠି ଥରେ ଗଲେ କେତେବେଳେ ଆସିବେ କେହି ଜାଣିନି । ଆଜି ମିଟିଂ , କାଲି ଭିଜିଟ୍ , ପହରି ଦିନ କଲେକ୍ସନ , ରାତିରେ ପାର୍ଟି , ରବିବାର ଲୋକ ଅଦାଲତ। ଅସରନ୍ତି କାମ ଲିଷ୍ଟ । ଘର କହିଲେ ସୁଗନ୍ଧା ।

ଖୋଜି ଖୋଜି ନୟାନ୍ତ ହେଲା ପରେ ଘରଟେ ମିଳିଛି । ଆଉ ଖୋଜିବା ସମ୍ଭବ ନୁହେଁ । ରୋଜି ଅପାକୁ ମାର ଗୋଲି, କିଛି ସାହାଯ୍ୟ ତ' କରିବାର ନାହିଁ ଆହୁରି ଷଣ୍ଢ ପୂରେଇଲେ ଆସି, ହୁଁ । ......

ଆଜିକାଲି କିଏ ନିଜ ଘରେ ଗେଷ୍ଟ ରଖୁଛି ?ସକାଳୁ ଆସି ସଂଜକୁ ଯାଉଥିବା ଲୋକକୁବି ଚର୍ଚ୍ଚା କରିବାକୁ ଇଚ୍ଛା ହେଉନି କାହାର । ଏମିତି ସ୍ଥିତିରେ ସେମାନେ ଆସି ପୂରା ଚାରି ଦିନ ରହିଲେଣି । ନା' ଆଉ ନୁହେଁ , ଯେମିତିବି ହେଉ ତାଙ୍କ ଘରୁ ଯିବାକୁ ହେବ ସେମାନଙ୍କୁ ।

ସେ ଯେଉଁ ଘର ଦେଖିଛି ସେଇଟିର ଠିକଣା ଦେଇ ନଥିଲେ ଅଂଶୁ । କିନ୍ତୁ ବଜାରରେ ବୁଢା ମଉସା ଜଣେ ଜୁଟେଇ ଦେଲେ । ଭାରି ଭଲ ଲୋକ ରୁହନ୍ତି ସେଇ ଘରର ଉପର ମହଲାରେ।

ସୁଗନ୍ଧା ଅପାଙ୍କୁ କିଛି କହିଲା ନାହିଁ । ସେଠୁ ସିଧା ଚାଲିଲା ସେଇ ଘରକୁ । ଦୁଇ ମହଲା ବିଶିଷ୍ଟ ଘରଟାର ଉପର ମହଲାରେ ରହୁଥିବା ସେ ମଉସାଙ୍କୁ ଭେଟି ଦୁଇ ମାସର ଭଡା ଦେଇଦେଲା। ଆଉ ରବିବାର ସିଫ୍ଟ କରିବ ବୋଲି ଜଣେଇ ଦେଲା। ହଁ ଛୁଟି ଦିନ ଛଡା ଅନ୍ୟଦିନେ କ'ଣ ଆଉ ଘର ସିଫ୍ଟ ସମ୍ଭବ ? ......

ଅଂଶୁ ପୂରା ଖୁସ୍ ହେଇଗଲେ ଘର ଠିକ ହେବା ଖବର ଶୁଣି। ଆଉ ରବିବାର ଦିନ ସିଫ୍ଟିଙ୍ଗ୍ ବି ସାରିଦେଲେ ଆରାମରେ ଜଟାଧାରୀ ପ୍ୟାକର୍ସ ଆଣ୍ଡ ମୁଭର୍ସ ଟିମ୍ କୁ ଧରି । ସେମାନେ ହିଁ ଭୁବନେଶ୍ୱରରୁ ଧରି ଆସିଥିଲେ ସବୁ ଘରର ଜିନିଷ ପତ୍ର ।

ଅଶ୍ୱସ୍ତ ହେଲା ସୁଗନ୍ଧା । ଯା ହେଉ ନିଜ ଘରକୁ ଆସିଲା ସେ। ନହେଲେ ଗେଷ୍ଟ ହେଇ ରହିବା ବାପରେ ! ଆଉ ଅଧିକ ହେଇଥିଲେ ସେ ''ଅତିଥୀ ତୁମ୍ କବ୍ ଯାଓଗେ'' ଫିଲ୍ମ ଭଳିଆ ଭାବି ଥାନ୍ତା ବନ୍ଧୁ !.........

**************

ଘରଟା ଅବଶ୍ୟ ପୁରୁଣା କାଳିଆ । ତିନିଟା ବଡ଼ ବଡ଼ ବଖରା , ଠାକୁର ଘର , ରୋଷେଇ ଘର, ମଝିରେ ବଡ଼ ଅଗଣା ଆଉ ସେଠି ପାଣିକଳ । ଘର ଆଗରେ ସୁନ୍ଦର ଚଉଁରାରେ ସାଜି ସୁଜି ବୃନ୍ଦାବତୀ । ଝରକା ଖୋଲିଲେ ଦୂର ମନ୍ଦିରର ଦୃଶ୍ୟ ।

ସିଧା ସ୍ମାର୍ଟ ସିଟିର ଆପାର୍ଟମେଂଟରୁ ବାହାରି ଏଠି ଅଡ଼ଜଷ୍ଟ କରିବା ସହଜ ନୁହେଁ , କିନ୍ତୁ ଅନ୍ୟ ବିକଳ୍ପ ନାହିଁ । ଗ୍ଲେଜ୍ ଟାଇଲ୍ ଘରେ ରହୁଥିବା ସୁଗନ୍ଧାକୁ ଏ ସିମେଣ୍ଟ ଚଟାଣ ଲାଗୁଥିଲା ଭାରି ଅସୁନ୍ଦର। କମୋଡ଼୍ କି ସ୍ପ୍ରେୟର୍ ବିହୀନ ଟଏଲେଟ୍ ଦେଖି ପୁଅ କାନ୍ଦିଲା । ନଥିଲା ଗୀଜରର ଗରମ ପାଣି କି ଏ.ସି ର ଥଣ୍ଡା ପବନ । ଆହୁରି ନଥିଲାବି ସେଲୁଲାର୍ କିଚେନ୍ ର ସାଜ ସରଞ୍ଜାମ। ଘରଟାବି ବହୁତ ବଡ଼ ଥିଲା ବାପା, ମା , ଛୁଆ ତିନୋଟି ଲୋକଙ୍କ ପାଇଁ।

ହେଲେ ବିରୋଧାଭାଷ ଭିତରେ ନିଜକୁ ଚଳେଇ ନେବାହିଁ ଜୀବନ । ସୁଗନ୍ଧା ପରିସ୍ଥିତି ସହ ସାଲିସ କରି ନିଏ । ଆଉ ଏଥିପାଇଁ ଅଂଶୁ ତା' ଉପରେ ସବୁ କିଛି ଲଦି ଦେଇ ଆରାମ କରନ୍ତି । ଜାଣିଛନ୍ତି ସେ ସ୍ତ୍ରୀ ସମ୍ଭାଳି ନେବ । କେବେ ଅଭିଯୋଗ କଲେ ସିଧା ସିଧା ଶୁଣେଇ ଦିଅନ୍ତି,

'' ପାଠ ପଢ଼ୁଆ,ବୁଦ୍ଧିଆ ଝିଅ ଆଉ କାହିଁକି ଖୋଜିଛନ୍ତି ? ଏ ନାକକାନ୍ଦୁରା ଅଭିଯୋଗ ମୂର୍ଖ ମାନେ କରିବେ । ''

ବାସ ସୁଗନ୍ଧା ଚୁପ , କିଛି ଉତ୍ତର ନାହିଁ !

**********

କଳେ ବଳେ କୋୖଶଳେ ସୁଗନ୍ଧା ଘରଟାକୁ ନିଜର କରିନେଲା । ଅଂଶୁ କମୋଡ଼ ଓ ସ୍ପ୍ରେୟର ଲଗେଇ ବାଗେଇ ଦେଲେ ଟଏଲେଟ୍ । ଗୀଜର ଆଉ ଏ.ସିର ବି ବନ୍ଦୋବସ୍ତ ହେଇଗଲା । ସୁଗନ୍ଧା ଛୋଟ ମୋଟ ଜିନିଷ ସଜାଡି ଘରକୁ ପୂରା ଆଧୁନିକ କରିନେଲା ।

ପୁଅ ନିଜ ପ୍ଲେ ସ୍କୁଲରେ ସାଙ୍ଗ ଖୋଜିନେଲା ଆଉ ସେମାନଙ୍କ ମମି ସବୁ ସୁଗନ୍ଧାର ବାନ୍ଧବୀ ହେଇଗଲେ । ବ୍ୟାଙ୍କ ବାବୁଙ୍କ ଘରଣୀ ଭାବେ ତାକୁ ଲିଫ୍ଟବି ମିଳିଲା । ଅଜଣା , ପୁରୁଣା , ଗାଁଉଲି ସହରଟା ଧୀରେ ଧୀରେ ନିଜର ନିଜର ଲାଗିଲା ।

ସବୁଠୁ ବଢିଆ ଥିଲେ ମଉସା ଆଉ ମାଉସୀ । କେତେ ଭଲ ପାଉଥିଲେ କହିବାର ନୁହେଁ । ପୁଅକୁ ତ' ଯେମିତି ଜେଜେ ଆଉ ମା' ମିଳି ଯାଇଥିଲେ । ମାଉସୀ ଠିକ ନିଜ ନାତି ପରି ଗେଲ୍ହା କରୁଥିଲେ । ପୁଅକୁ ବହୁତ ସମୟ ଡାକି ନେଇ ଘଣ୍ଟା ଘଣ୍ଟା ଧରି ଗପ କରୁଥିଲେ । ପୁଅର ବଡ଼ ଯିବା ଆସିବା ଥିଲା କିନ୍ତୁ ସୁଗନ୍ଧା ଯାଉ ନଥିଲା କାରଣ ସେ ସୁଗନ୍ଧାକୁ କେବେ ଘରକୁ ଡାକୁ ନଥିଲେ । ସୁଗନ୍ଧାବି ଥିଲା ଟିକେ ରିଜର୍ଭ ଟାଇପ୍ ର ତେଣୁ କେବଳ କଥା ହେଉଥିଲା ଦେଖା ହେଲେ ହସିକି ।

ଏଠିକୁ ଆସିବା ପରେ ପୁଅ ବେଳେବେଳେ ବିଚିତ୍ର କଥା କହୁଥିଲା , ଯେମିତି'' ମାମା ଆମେ କାହିଁକି ରୋଷେଇ କରୁଛନ୍ତି ଯେ ?''

ସୁଗନ୍ଧା ହସୁ ଥିଲା ଆଉ ପଚାରୁ ଥିଲା , '' ତା' ହେଲେ କେମିତି ଖାନା ବନେଇବା ଯେ ?'' ପୁଅର ସହଜ ଉତ୍ତର ଥିଲା ମାଉସୀଙ୍କ ପରି !

କିନ୍ତୁ ଯେବେ ସୁଗନ୍ଧା ପଚାରୁଥିଲା , କେମିତି ପୁଅ କିଛି କହୁ ନଥିଲା । ହସୁଥିଲା ଖାଲି ।

କେବେ କେବେ ସୁଗନ୍ଧା ଭାରି ବଢିଆ ରୋଷେଇର ମହକ ପାଉଥିଲା ଉପର ଘରୁ । କିନ୍ତୁ କିଛି ନିମନ୍ତ୍ରଣ ମିଳୁ ନଥିଲା । ପୁଅ ସ୍କୁଲରୁ ଆସି ଧାଉଁ ଥିଲା ଉପରକୁ ଆଉ ସେଇଠି ଖିଆ ସରୁଥିଲା ତା'ର ।

ଯେବେ ଅଂଶୁ ରହୁ ନଥିଲେ , ସୁଗନ୍ଧା ସେଇ ମାଉସୀଙ୍କ ସହ ଗପ କରିବାକୁ ଭାବୁଥିଲା । ତାଙ୍କ ଘରକୁ ଯାଇ ଘଡ଼ିଏ ବସିବାକୁ ଇଚ୍ଛା କରୁଥିଲା କିନ୍ତୁ ଯାଉନଥିଲା କେବେ । କେଜାଣି କାହିଁକି ସେ ଉପର ଘର ସିଡ଼ି ଚଢ଼ିବାକୁ ଗଲା ବେଳକୁ ମନ ଖରାପ ହେଇଯାଉଥିଲା ।

ଥରେ ବଜାର ଯିବାକୁ ଥିଲା , ପୁଅ କିନ୍ତୁ କାର୍ଟୁନ୍ ଦେଖାରେ ମାତିଥିଲା । ଛୋଟ ପୁଅକୁ ଏକା ଛାଡି ଯିବାକୁ ଭୟ ଲାଗିଲା ତାକୁ । ସେ ତଳୁ ଡାକ ଦେଲା ମାଉସୀଙ୍କୁ । ସେ ବାଲକୋନି ରୁ ଦେଖା ଦେଲେ । ସୁଗନ୍ଧା ତାଙ୍କୁ ତଳକୁ ଆସି ଟିକେ ପୁଅ ପାଖେ ବସିବାକୁ କହିଲା । ସେ କିନ୍ତୁ ମନା କରିଦେଲେ । ପୁଅ ଉପରକୁ ଆସି ଖେଳୁ କହିଲେ । ବିଚିତ୍ର ଲାଗିଲା ତାଙ୍କ ବ୍ୟବହାର।। ନା' ତ' ସେ କେବେ ତଳକୁ ଆସୁଥିଲେ ନା ସୁଗନ୍ଧା ଉପରକୁ ଯାଉଥିଲା !

ଅଂଶୁଙ୍କୁ ଯିବାକୁ ହେଲା ବାହାରକୁ । ଏଠିକୁ ଆସିବା ପରେ ଏଇଟା ଥିଲା ପ୍ରଥମ ଟୁର୍ । ସୁଗନ୍ଧାକୁ ଆଜି ସାରା ରାତି ଏକା ରହିବାକୁ ଥିଲା। ପୁଅ ସହ ଟିଭି ଦେଖି , ଖାଇ ପିଇ ଶୋଇବାକୁ ଯାଉଥିଲା ସେ ହେଲେ କେଜାଣି କାହିଁକି ମନରେ ଟିକେ ଭୟ ଥିଲା । କିନ୍ତୁ ସବୁ ମ୍ୟାନେଜ କରିବାକୁ ହେବ । ଶୋଇଗଲେ ସବୁ ଠିକ ହେଇଯିବ । ମୁଣ୍ଡ ଶାନ୍ତ ପଡିଯିବ।

**************

ରାତିରେ କିନ୍ତୁ ନିଦ ଆସିଲା ନାହିଁ । ଦଗା ଦେଇ ହଜିଗଲା ଅନ୍ଧାର ଭିତରେ । କେମିତି ଟିକେ ଅଡ଼ୁଆ ଲାଗିଲା । ହୁଏତ ଏତେ ବଡ଼ ଘରେ ପୁଅ ସହ ଏକା ଥିବା ହେତୁ .......

ରାତି ବଢ଼ିଲା ଆଉ ଭୟବି , ହେଲେ ସେମିତି ଭୟ ପାଇଲା ପରି ଘଟୁନଥିଲା କିଛି । ପୁଅ ଆରାମରେ ଶୋଇ ଥିଲା ଆଉ ସବୁକିଛି ଠିକ୍ ଠାକ୍ ଲାଗୁଥିଲା । ହେଲେ ନିଦ ଆସୁନଥିଲା ଯାହା ।

ପ୍ରାୟ ଅଧ ରାତି ବେଳକୁ କିଛି ଅସ୍ପଷ୍ଟ ଶବ୍ଦ ଶୁଭିଲା । ଯେମିତି କେହି ଚାପା ଗଳାରେ କଥା ହେଉଛି। ହଁ ଉପର ମହଲାରେ ଥିବା ମଉସା ମାଉସୀ ହୁଏତ କିଛି କଥା ହେଉଛନ୍ତି ।

କିନ୍ତୁ ଧୀରେ ଧୀରେ ସେ ଶବ୍ଦ ତୀବ୍ର ରୁ ତୀବ୍ରତର ହେଲା। କାନ ଦୁଇଟା ଯେମିତି ଫାଟି ଯିବ ତା'ର ଓଃ ! ଜୋରରେ ସେ କାନ ଦୁଇଟା ବନ୍ଦ କରିବାକୁ ଅପଚେଷ୍ଟା କଲା । କିନ୍ତୁ କିଛି ଲାଭ ହେଲାନି। ଆହୁରି ଶାଣିତ ହେଲା ସେଇ ଶବ୍ଦ। ଭୟଙ୍କର ଭାବେ ମୁଣ୍ଡ ଝାଇଁ ଝାଇଁ ମାରିଲା ତା'ର, ସବୁ ଅନ୍ଧାର ଦିଶିଲା , ପାଗଳ ଭଳି ଲାଗିଲା । ସେ ଗୋଟେ ସେକେଣ୍ଡ ବି ଆଉ ସ୍ଥିର ହେଇ ରହିଲା ନାହିଁ ।

ପୁଅ କିନ୍ତୁ ସେମିତି ଶୋଇ ଥିଲା , ବିନା ହଲ୍ ଚଲ୍ ହେଇ। ମାନେ ପୁଅକୁ ଶୁଭୁନି ଶବ୍ଦ ! ଆଶ୍ଚର୍ଯ୍ୟ ହେଇଗଲା ସେ ଇଏ କେମିତି କଥା ?

ଆଉ ରହି ହେଲାନି , ସେ ପୁଅକୁ କଷ୍ଟରେ କାଖେଇ ବାହାରି ଆସିଲା ରୁମ ଭିତରୁ । ଜୋରରେ ମଉସା ମଉସା ଡାକି ଡାକି ଉପର ଘରକୁ ଦଉଡିଲା। ଘର କବାଟ ବନ୍ଦ ଥିଲା । ଜୋର ଜୋର ବାଡେଇଲା କବାଟ । କିନ୍ତୁ କେହି ଖୋଲିଲେ ନାହିଁ । କି ବିଚିତ୍ର ଲୋକ ଏଡେ ଜୋରରେ ବାଡେଇଲା ପରେ ବି ଖୋଲୁ ନାହାଁନ୍ତି !.........

ଏମିତି ରୁମ ଭିତରୁ ବାହାରି ଆସିବା ପରେ କିନ୍ତୁ ଶବ୍ଦ ବନ୍ଦ ହେଇଗଲା । ସୁଗନ୍ଧା ଟିକେ ଅଶ୍ୱସ୍ତ ହେଲା , କିନ୍ତୁ ପୁଣି ସେଇ ତଳ ଘରକୁ ଯିବାର ସାହସ କରିପାରିଲା ନାହିଁ । ଓଃ! ଅଂଶୁଙ୍କୁ ଫୋନ୍ କରିବା ଉଚିତ ହୁଏତ କିଛି ଉପାୟ ମିଳିବ । କିନ୍ତୁ ଧେତ୍ ! ଫୋନ୍ ତଳେ ରହିଯାଇଛି । ଏଣେ ମଉସା କବାଟ ଖୋଲୁ ନାହାନ୍ତି , ତାଙ୍କ ଫୋନ୍ ଟା ମିଳିଲେବି ଚଳନ୍ତା । କିନ୍ତୁ ସେମିତିବି ହେଉନି । ବଡ଼ ବ୍ୟସ୍ତ ଲାଗିଲା ଆଉ କାନ୍ଦବି।

ଏଇ ସ୍ଥିତି ଭିତରେ ହଠାତ୍ ସେ ବହୁତ କ୍ଲାନ୍ତ ଅନୁଭବ କଲା ଆଉ ନିଦ ଲାଗିଲା ତାକୁ । ଓଃ ! ସବୁକିଛି ଝାପ୍ସା ଦେଖାଗଲା ଆଉ ବାସ !.........

*************

ସକାଳ ନିଦ ଭାଙ୍ଗିଲା ବହୁତ ଡେରିରେ ନିଶ୍ଚିତ କାରଣ ଖରା ଭର୍ତ୍ତି ହେଇଯାଇଥିଲା ଅଗଣା ସାରା । ପୁଅ ନଥିଲା ପାଖରେ , ଖଟ ଉପରେ ସେ ଥିଲା ଏକା । ଅଳସ ଭାଙ୍ଗି ସେ ଉଠିଲା , ହେଲେ ସେ ନିଜ ଖଟକୁ କେମିତି ଆସିଲା ? ହାଁ ସେତ ଉପର ଘର ଦରଜା ପାଖରେ ଥିଲା ! ପୁଅ ହଁ ହଁ ପୁଅ କାହିଁ ? ସେ ବ୍ୟତିବ୍ୟସ୍ତ ହେଇ ଖୋଜିଲା ପୁଅକୁ । କିନ୍ତୁ ପୁଅ କୁଆଡେ ବି ଯାଇନଥିଲା ଖେଳୁଥିଲା ଭିଡିଓ ଗେମ୍ ।

ଏବେ ସେ ଧାଇଁଲା ଉପର ମହଲାକୁ , କିନ୍ତୁ ସେଠିକୁ ଆସି ସ୍ତବ୍ଧ ହେଇଗଲା ସେ , ପାଦ ତଳୁ ମାଟି ଖସି ଗଲା । ପରିତ୍ୟକ୍ତ ହେଇ ପଡିଥିଲା ଉପର ମହଲାର ବଲକୋନି ଆଉ ବିରାଟ ଗୋଟେ ତାଲା ଝୁଲୁ ଥିଲା ସେଇ ଘର ଦର୍ଜାରେ। ଯେମିତି ଅନେକ ଦିନ ହେବ କେହି ନାହିଁ ସେଠି । ଆଶ୍ଚର୍ଯ୍ୟ କଥା ସେ କିନ୍ତୁ କାଲି ରାତିରେ ଦେଖିଛି ଜଳୁଥିବା ଲାଇଟ , ଭିତରୁ ବନ୍ଦ କବାଟ , ଯାହାକୁ ବାଡେଇ ବେହୋସ ହେଇଛି ତା' ସମ୍ନାରେ !!......

ସେ ଅଧିକ ସମୟ ସେଠି ନରହି ଚାଲି ଆସିଲା ତଳକୁ , ପୁଅ ପାଖକୁ । ଖେଳୁଥିଲା ପୁଅ ସେମିତି ସାବଲୀଳ ଭାବେ । ସେ ପୁଅ ପାଖକୁ ଯାଇ ବସିଲା , ଦେଖିଲା ପୁଅକୁ ନୀରିଖେଇ । ପୁଅ ହସିଲା ନିରୋଳା ହସ ଆଉ ବଢ଼େଇ ଦେଲା ବଢିଆ ଗରମ ବରା ଆଉ ଆଳୁ ଚପ। ସେ ଖାଇଲା ଗୋଟେ ବହୁତ ଟେଷ୍ଟି ଲାଗିଲା । ଭୋକ ହେଉଥିଲା ତାକୁ ।

ହେଲେ କୁନି ପୁଅ କେଉଁଠୁ ଆଣିଲା ଏଗୁଡା ? ସେ ପଚାରିଲା ପୁଅକୁ ଆଶ୍ଚର୍ଯ୍ୟ ହେଇ ,'' କିଏ ଆଣିଲା ବରା ?'' ପୁଅ ହସିକି କହିଲା ,

'' ମାମା ଜୋକ୍ କରନି , ତୁମେ ଦେଇକି ଗଲ ଏବେ !''......

ସତରେ ଭୟ ଲାଗିଲା ଏବେ ସୁଗନ୍ଧାକୁ । ଫୋନ୍ ଖୋଜିଲା ସେ ବ୍ୟସ୍ତ ହେଇ । କିନ୍ତୁ ଫୋନ୍ ନଥିଲା , ଓଃ ! କୁଆଡେ ଗଲା ଫୋନ୍ ?

ଆଉ ରହି ହେଲାନି ସେ ଘରେ । ସେ ବାହାରି ଆସିଲା ପୁଅକୁ ନେଇ । କଣ କରିବ ଭାବି ପାରୁନଥିଲା । କିନ୍ତୁ ଆଉ ରହିବା ସମ୍ଭବ ନୁହେଁ । ସେ ମନ୍ଦିର ଆଡ଼କୁ ଚାଲିଲା ।

ପହଞ୍ଚି ଗଲା ଯାଇ, ପ୍ରଭୁଙ୍କ ପାଖରେ ଜୋଡ ହସ୍ତ ହେଇ। ମୁଣ୍ଡିଆ ମାରି ବସିଗଲା ସେଠି । ସୌମ୍ୟ ଦର୍ଶନ ପଣ୍ଡିତ ଜଣଙ୍କ ଆସି ପୂଜା ପାଇଁ ଡାକିଲେ। ସୁଗନ୍ଧା କୌଣସି ଉପକ୍ରମ ବିନା ପଚାରିଲା , " ନନା , ସେ ରାଧାକୁଞ୍ଜ ଘର ଉପର ମହଲାରେ କିଏ ରୁହନ୍ତି କୁହନ୍ତୁ ?''

ନନା ଟିକେ ଚିନ୍ତିତ ଦିଶିଲେ ଆଉ କହିଲେ , '' କାହିଁକି ପଚାରୁଛ ମା' , ତୁମେ ସେ ଘର ସଂକ୍ରାନ୍ତରେ ?''

ସୁଗନ୍ଧା ଉତ୍ସାହିତ ଭାବେ କାନ୍ଦି କହିଲା , '' କୁହନ୍ତୁ ନନା , ସେଇ ଘର ତଳ ମହଲାରେ ରହୁଛି ମୁଁ ଆଉ ଏବେ ଅଛି ବହୁତ ସମସ୍ୟା ଭିତରେ !''

ନନା ସୁଗନ୍ଧାର ହାତ ଧରି ନେଇଗଲେ ଟିକିଏ ଦୂରକୁ । ଯେଉଁଠୁ ରାଧାକୁଞ୍ଜ ଘରଟି ଦିଶୁଥିଲା ସ୍ପଷ୍ଟ ଭାବେ । ସୁଗନ୍ଧା ଦେଖି ଭୟ ପାଇଗଲା , ସ୍ତବ୍ଧ ରହିଗଲା ସେ। ଘରଟା ପରିତ୍ୟକ୍ତ ଆଉ ଜରାଜୀର୍ଣ୍ଣ ଦିଶୁଥିଲା , ଯେମିତି କେହି ରହୁନି ସେଠି । କିନ୍ତୁ ସେ ତ' ସେଠି ଓଃ !!....

ନନା କହିଲେ , '' ତୁମେ ତ' ଆସୁଛ ପ୍ରତି ସୋମବାର କିନ୍ତୁ ସେଠି ରହୁଛ ବୋଲି ଜାଣି ନଥିଲି। ମା' ବହୁ ବର୍ଷ ଧରି କେହି ରହୁନି ସେଠି !''

ସୁଗନ୍ଧା କାନ୍ଦି କାନ୍ଦି କହିଲା , '' ନନା ମଉସା ମାଉସୀ ଦୁଇଜଣ ରୁହନ୍ତି ନାହିଁ ସେଠି ?"

ନନା ଜଣେଇଲେ , '' ରୁହନ୍ତି ନୁହେଁ ରହୁଥିଲେ ନିଜ ଏକମାତ୍ର ନାତି ସହ । ତାଙ୍କ ପୁଅ ବୋହୂ ବାହାରେ ଚାକିରୀ କରୁଥିଲେ । ଗୋଟେ ଦୁର୍ଘଟଣାରେ ନାତିଟି ଚାଲିଗଲା । ବୁଢା ବୁଢ଼ୀ ଦୁହେଁ ସେଇ ଦୁଃଖରେ ଭାଙ୍ଗି ଗଲେ ବହୁତ । ମା' କେହି ଜାଣିନି କେମିତି କିନ୍ତୁ ଦିନେ ସେ ଦୁଇଜଙ୍କ ମୃତ ଦେହ ମିଳିଲା ବନ୍ଦ ଘରୁ । ହୁଏତ ଆତ୍ମହତ୍ୟା ହେଇପାରେ ବା' କେହି ଦୁର୍ବୁତ୍ତ ମାରି ଦେଇଥାଇପାରେ। ତା' ପରଠୁ ଆଉ କେହି ରୁହେନି ସେଠି । କେହି ଭଡା ନେଲେ ବିଭିନ୍ନ ସମସ୍ୟାରେ ପଡ଼ନ୍ତି । ତେଣୁ ସେମିତି ପଡିଛି ଘରଟା । ହେଲେ ତୁମେ କେମିତି ସେଠିକି ଗଲ ? ''

ସୁଗନ୍ଧା କେବଳ କାନ୍ଦୁଥିଲା ପୁଅକୁ କୋଳରେ ଜାବୁଡି ଧରି । କୁନି ପୁଅ ମାମାକୁ ବୋକା ହେଇ ଅନେଇଥିଲା !........

*ସୌମ୍ୟା ଶୁଭଦର୍ଶିନୀ *

ଅଂଶୁ ସୁଗନ୍ଧା ପୁଅ ଘର

Rate the content


Originality
Flow
Language
Cover design

Comments

Post

Some text some message..