Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

3  

ଓଡ଼ିଆ ଗଳ୍ପ ଓ କବିତା - ୧

ଶେଷ ଇଚ୍ଛା

ଶେଷ ଇଚ୍ଛା

5 mins
562


ବହୁ ବର୍ଷ ତଳର କଥା । ଗୋଟିଏ ଗାଁରେ ଧୋବାଟିଏ ଲୁଗା ସଫା କାମ କରି ଚଳୁଥିଲା । ସେ ମରିଗଲା । ତା ଅନ୍ତେ ସ୍ତ୍ରୀ ତା’ର ତା ବଦଳି ଲୁଗାସଫା କାମ ନିଜେ କଲା । ତା’ର ଗୋଟିଏ ପୁଅ । ତା’ର ବୟସ କୋଡିଏ ବର୍ଷ । ପୁଅଟି ତା’ ମାଆକୁ କାମରେ ସାହାଯ୍ୟ କରେ । ସେମାନେ ମଇଳା ଲୁଗା ସବୁ ନେଇ ନଈରେ କାଚନ୍ତି । ତାକୁ ନଈ କୂଳରେ ଶୁଖାନ୍ତି । ତାପରେ ଲୁଗାକୁ ଭାଙ୍ଗି ଲୋକମାନଙ୍କ ଘରେ ଦେଇ ଆସନ୍ତି । ସେମାନେ କେବଳ ଗାଁ ଲୋକଙ୍କ ଲୁଗା କାଚୁ ନଥିଲେ, ସେ ରାଜାଙ୍କର ଲୁଗା ମଧ୍ୟ କାଚୁଥିଲେ ।

ଧୋବଣୀ ପ୍ରତିଦିନ ସକାଳୁ ରାଜ ପ୍ରାସାଦକୁ ଯାଏ । ରାଣୀଙ୍କ ଦାସୀ ଠାରୁ ମଇଳା ଲୁଗା ସଂଗ୍ରହ କରେ ଓ ସନ୍ଧ୍ୟା ପୂର୍ବରୁ ସେ ସବୁ ସଫା କରି ରାଜପ୍ରାସାଦରେ ପହଞ୍ଚାଇ ଦିଏ ।

ଧୋବଣୀଟି କର୍ତ୍ତବ୍ୟନିଷ୍ଠ । ସେଥିପାଇଁ ରାଣୀ ତା’ ଉପରେ ଖୁସି । ତା ପ୍ରତି ତାଙ୍କର ଶ୍ରଦ୍ଧା ବଦୁତ ।ତାକୁ ସେ ନିଜର ଦାସୀ ଭଳି ଭଲ ପାଉଥିଲେ ।ରାଣୀଙ୍କ ଦୟାରୁ ମାଆ ପୁଅଙ୍କର ଅଭାବ କିଛି ନଥିଲା । ପ୍ରଚୁର ପଇସା ପାଇବା ଫଳରେ ସେ ବେଶ୍ ଆରାମରେ ଚଳୁଥିଲେ ।

ଦିନେ ସେ ନଈ କୂଳରେ ରାଜପରିବାରର ଲୁଗା ଶୁଖାଉଥାଏ ଘାସତଳେ ଲୁଚି ରହିଥିବା ପଥର ଉପରେ ଗୋଡ ପଡି ମୋଡି ହୋଇଗଲା । ସେ ଯନ୍ତ୍ରଣାରେ ଚିତ୍କାର କଲା ।

ସେତେବେଳେ ତାଙ୍କ ପୁଅ ନଈରେ ଲୁଗା କାଚୁଥିଲା । ମାଆର ଚିତ୍କାର ଶୁଣି ସେ ମାଆ ପାଖକୁ ଦୌଡି ଆାସିଲା । ମାଆ ଠାରୁ ଶୁଣିଲା ତା’ର ବଳାଗଣ୍ଠି ମୋଡି ହୋଇଯାଇଛି । ତେଣୁ ସେ ମାଆକୁ କହିଲା - “ମା ତମେ ଟିକେ ବିଶ୍ରାମ ନିଅ । ମୁଁ ଏସବୁ କାମ କରିଦେବି ।” ମାଆର ବିଶ୍ରାମ ଦରକାର । ତେଣୁ ତାକୁ ନେଇ ସେ ଗୋଟିଏ ଗଛ ମୂଳରେ ବସାଇ ଦେଲା । ଲୁଗାକୁ ଶୁଖାଇ ସେ ସବୁ ଭଲ ଭାବେ ଭାଙ୍ଗି ଦେଲା । ଏଥର ଲୁଗାଗୁଡିକୁ ଲୋକମାନଙ୍କ ଘରେ ଦେବାର କଥା । ମା’ କହିଲା - “ପୁଅ, ମୋର ଗୋଡ ମୋଡି ହୋଇ ଯାଇଛି । ମୋ ଗୋଡରେ ଯନ୍ତ୍ରଣା ବହୁତ ।ମୁଁ ଚାଲିପାରୁନାହିଁ । ତୁ ଟିକିଏ ରାଜପ୍ରସାଦକୁ ଯାଇ ଲୁଗା ଦେଇ ଆସ ।”

ପୁଅ ଉତ୍ତର ଦେଲା - “ହଁ ମାଆ, ମୁଁ ଯିବି । କିନ୍ତୁ ରାଜପ୍ରହରୀ କଅଣ ମତେ ରାଣୀଙ୍କର କକ୍ଷ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେବେ ?”

“ନିଶ୍ଚୟ । ତୁ ତାଙ୍କୁ ଯଦି ତୋର ପରିଚୟ ଦେବୁ ।” ଧୋବା ପୁଅ ଲୁଗା ଗଣ୍ଠିଲି ଧରି ରାଜପ୍ରାସାଦକୁ ଗଲା ।ପ୍ରହରୀ ଭିତରକୁ ନ ଛାଡିବାରୁ ସେ କହିଲା - “ମୁଁ ଧୋବଣୀର ପୁଅ । ମୋ ମାଆର ଗୋଡ ମୋଡି ହୋଇଯାଇଛି । ତା’ ବଦଳି ମୁଁ ଲୁଗା ଦବାକୁ ଆସିଛି ।”

ପ୍ରହରୀ ଏ ଖବର ଜଣେ ସୈନ୍ୟ ହାତରେ ରାଣୀଙ୍କ ପାଖକୁ ପଠେଇ ଦେଲା । ପୁଅଟି ତାଙ୍କ ଆଦେଶ ପାଇଁ ଅପେକ୍ଷା କଲା । ରାଣୀ ଅନୁମତି ଦେଲେ । ଧୋବଣୀର ପୁଅ ରାଣୀଙ୍କ କକ୍ଷରେ ପହଞ୍ଚିଲା । ସେ ଦେଖିଲା - ରାଣୀ ଅତ୍ୟନ୍ତ ସୁନ୍ଦରୀ ଓ ରୂପବତୀ । ସେ ଗୋଟିଏ ଦୋଳିରେ ବସି ଝୁଲୁଥାନ୍ତି । ତାଙ୍କ ଦାସୀମାନେ ତାଙ୍କ ପାଦତଳେ ବସିଥାନ୍ତି ।

ରାଣୀଙ୍କର ସୌନ୍ଦର୍ଯ୍ୟରେ ସେ ମୁଗଧ୍ । ସେ ପ୍ରଥମ ଦେଖାରେ ରାଣୀଙ୍କର ପ୍ରେମରେ ପଡିଗଲା । ସେ ଅପଲକ ନୟନରେ ରାଣୀଙ୍କୁ ଚାହିଁରହିଲା । ରାଣୀ ତା’ ମାଆ କଥା ପଚାରିବାରୁ ତା’ର ପୂର୍ବ ଚେତା ଫେରିଲା । ରାଣୀଙ୍କ ସହ କଥାବାର୍ତ୍ତା କରୁଥିବାରୁ ସେ ଖୁବ୍ ଉତଫୁଲ୍ଲିତ । ଆନନ୍ଦରେ ଗଦ୍ ଗଦ୍ ।

କିଛି ଦିନ ପର୍ଯ୍ୟନ୍ତ ସେ ପ୍ରତିଦିନ ସକାଳେ ରାଜପ୍ରାସାଦକୁ ଯାଇ ଲୁଗା ଆଣେ ଓ ଉପରବେଳା ଲୁଗାଦିଏ । ତେଣୁ ତାକୁ ପ୍ରତ୍ୟହ ରାଣୀଙ୍କୁ ଦୁଇବେଳା ଦେଖିବାର ସୁଯୋଗ ଜୁଟେ ।

ଧୀରେ ଧୀରେ ପୁଅଟି ରାଣୀଙ୍କ ପାଇଁ ପାଗଳ ହୋଇଗଲା । ତାକୁ ରାଣୀଙ୍କ ବିନା ବଞ୍ଚିବା ଅର୍ଥହୀନ ଭଳି ଲାଗିଲା ।

ଏହା ଭିତରେ ଧୋବଣୀ ଭଲଭାବରେ ଚାଲିବାକୁ ସକ୍ଷମ ହୋଇଗଲାଣି । ତେଣୁ ପୁଅକୁ ଆଉ ପ୍ରାସାଦକୁ ଯିବାକୁ ଅନୁମତି ମିଳିଲା ନାହିଁ । ଫଳରେ ପୁଅଟି ଆଉ ରାଣୀଙ୍କୁ ଦେଖି ପାରିଲା ନାହିଁ । ରାଣୀଙ୍କୁ ଦେଖା କରିବାର ସବୁ ଚେଷ୍ଟା ତା’ର ବିଫଳ । ଫଳରେ ସେ ଖୁବ୍ ଭାଙ୍ଗି ପଡିଲା ।

ଦିନ ଗଡି ଚାଲିଥାଏ । ସେ ସବୁବେଳେ ରାଣୀଙ୍କ ପାଇଁ ଚିନ୍ତିତ । ସେ ତା’ର ଖାଇବା ଓ ପିଇବା ଛାଡିଦେଲା ନଖାଇ ନପିଇ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା । ପୁଅର ଅବସ୍ଥା ଦୟନୀୟ ଏହା ମା’ଟି ଦେଖିଲା ।

ଏହାର କାରଣ ଜାଣିବାକୁ ତା’ର ଇଚ୍ଛା । ସେ ଏହାର ଅନୁସନ୍ଧାନ କଲା । ସେ ଜାଣିବାକୁ ପାଇଲା ଯେ, ତାଙ୍କ ପୁଅ ରାଣୀଙ୍କୁ ଭଲ ପାଇ ବସିଛି । ଫଳରେ ସେ ଭୟଙ୍କର ଭାବରେ

ଡରିଗଲା ।

ସେ ତାଙ୍କ ପୁଅକୁ ବହୁତ ବୁଝାଇଲା - “ରାଣୀଙ୍କର ସହିତ ତୋର ସମ୍ପର୍କ ଅସମ୍ଭବ କଳ୍ପନାନୀତ ପ୍ରେମରେ ଅନ୍ଧ ହୁଅନାହିଁ ।” କିନ୍ତୁ ଏ ଉପଦେଶ ଅର୍ଥହୀନ । ଧୀରେ ଧୀରେ ପୁଅଟି ରାଣୀଙ୍କ ଚିନ୍ତାରେ ଶଯ୍ୟାଶାୟୀ ହୋଇଗଲା । ଚଳପ୍ରଚଳ କରିବାକୁ ସେ ଅକ୍ଷମ । ପୁଅର ଦୟନୀୟ ଅବସ୍ଥା ଦେଖି ମା ଖୁବ୍ ବିଚଳିତ ।ତା’ର ଆଉ ଉପାୟ ନଥିଲା ସେ ଠିକ୍ କଲା - “ତା’ର ଦୁଃଖ ସେ ରାଣୀଙ୍କୁ କହିବ ।”

ରାଣୀ ଧୋବଣୀ କଥା ଧୈର୍ଯ୍ୟରେ ମନ ଧ୍ୟାନ ସହ ଶୁଣିଲେ । ସେ କିଛି ସମୟ ପାଇଁ ନୀରବ ରହିଲେ । ଗଭୀର ଚିନ୍ତା କଲେ । ତାପରେ ସେ ଦୀର୍ଘ ନିଃଶ୍ୱାସ ପକାଇ କହିଲେ - “ମୁଁ ସର୍ବଶକ୍ତିମାନ ଈଶ୍ୱରଙ୍କ ନାମ ନେଇ କହୁଛି ଜଣେ ଲୋକର ଜୀବନ ରଖିବା ଏକ ମହତ କାମ ।

ସେଥିପାଇଁ ଆଜି ରାତିରେ ମୁଁ ତମ ଘରକୁ ଯିବି । କିନ୍ତୁ ମନେରଖ । ଏକଥା ଯେମିତି କେହି ନଜାଣନ୍ତି । ମୁଁ କେବଳ ତୁମର ଅନୁରୋଧକୁ ରକ୍ଷା କରି ଯାଉଛି । ଏଥିରେ ମୋ ଜୀବନ ପ୍ରତି ସଙ୍କଟ ରହିଛି ।”

ରାଣୀ ସମସ୍ତଙ୍କ ଅଜାଣତରେ ଛଦ୍ମ ବେଶରେ ରାଜପ୍ରାସାଦ ଛାଡି ଧୋବଣୀର ଘରେ ପହଞ୍ଚିଲେ । ପୁଅଟିର ଶେଷ ଇଚ୍ଛା ପୁରଣ କରିଦେଲେ । ତା’ର କିଛି ସମୟ ପରେ ପୁଅଟି ମରିଗଲା । ଶବକୁ ଶ୍ମଶାନକୁ ନିଆଗଲା । ଶବକୁ ଦାହ କରିବା ପାଇଁ ତା’ ଉପରେ କାଠ, ଘଷି ଏବଂ କୁଟା ଲଦାହେଲା ।

କଥାରେ ଅଛି ମୃତ ଲୋକଟି ଯାହାକୁ ବେଶି ଭଲ ପାଉଥିବ ସେ ଯେବେ ଚିତାରେ ଅଗ୍ନି ସଂଯୋଗ କରେ, ଶବଟି ପୋଡି ପାଉଁଶରେ ପରିଣତ ହୋଇଯିବ । ନଚେତ ଶବଟିରେ ଅଗ୍ନି ଲାଗିବ ନାହିଁ । ପୁଅଟି ତ ମାଆର ଅତି ଆପଣାର । ତେଣୁ ପ୍ରଥମେ ଧୋବଣୀ ଚିତାରେ ଅଗ୍ନି ସଂଯୋଗ କଲା । କିନ୍ତୁ ଚିତାରେ ନିଆଁ ଧରିଲା ନାହିଁ । ସେ ବାରମ୍ବାର ଚେଷ୍ଟା କଲା । କିନ୍ତୁ ତା’ର ସବୁ ଉଦ୍ୟମ ବ୍ୟର୍ଥ । ଏହା ଦେଖି ଶବ ସାଥିରେ ଯାଇଥିବା ଲୋକମାନେ ବିଚଳିତ । ତାପରେ ମୃତ ବ୍ୟକ୍ତିର ବନ୍ଧୁବାନ୍ଧବ, ସାଙ୍ଗ ସାଥୀ ସମସ୍ତେ ଆସି ଅଗ୍ନି ସଂଯୋଗ କଲେ । କିନ୍ତୁ ଶବରେ ଆଦୌ ନିଆଁ ଲାଗିଲା ନାହିଁ ।

କେତେକ ଗାଁଆ ଲୋକ ମଧ୍ୟ ଚେଷ୍ଟା କଲେ । କିନ୍ତୁ ସବୁ ବିଫଳ ହେଲା । ଏ ଘଟଣା ଯାଇ ରାଜାଙ୍କ କାନରେ ପଡିଲା । ସେ ତାଙ୍କ ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ ଜଣ ଜଣକରି ଚିତାରେ ଅଗ୍ନି ସଂଯୋଗ ପାଇଁ ଆଦେଶ ଦେଲେ । କିନ୍ତୁ ଚିତାଟି ସେହି ପରି ପୂର୍ବ ଭଳି ଅକ୍ଷତ ଅବସ୍ଥାରେ ରହିଥାଏ ।

ରାଜା ଭାବିଲେ ବୋଧହୁଏ ରାଣୀଙ୍କର କୌଣସି ଦାସୀକୁ ମୃତ ବ୍ୟକ୍ତି ଜଣକ ଭଲ ପାଇ ପାରି ଥାନ୍ତି । ତେଣୁ ସେ ରାଣୀଙ୍କର ସମସ୍ତ ଦାସୀଙ୍କୁ ଶବଦାହ ପଡିଆକୁ ପଠାଇଲେ । ସେମାନେ ମଧ୍ୟ ଟେଷ୍ଟା କଲେ । କିନ୍ତୁ ତଥାପି ମଧ୍ୟ ଶବରେ ନିଆଁ ଲାଗିଲା ନାହିଁ ।

ପୁରା ରାଜ୍ୟରେ ଆଉ କେବଳ ଦୁଇଜଣ ବ୍ୟକ୍ତି ଚେଷ୍ଟା କରିବାକୁ ବାକି ଥାଆନ୍ତି । ସେମାନେ ହେଲେ ରାଜା ଓ ରାଣୀ । ଶେଷରେ ରାଜା ଚେଷ୍ଟା କଲେ । କିନ୍ତୁ ସେ ମଧ୍ୟ ସେଥିରୁ ଅସଫଳ ହେଲେ । ତା’ପରେ ସେ ରାଣୀଙ୍କୁ ଚାହିଁ କହିଲେ - “ତମେ ଟିକିଏ ଚେଷ୍ଟା କର । ଏହା ହେଉଛି ଆମର ଶେଷ ଚେଷ୍ଟା । ଏଥର ଯଦି ଚିତାରେ ନିଆଁ ନଧରେ, ତେବେ ଶବଟିକୁ ନେଇ ସମୁଦ୍ରରେ ଫିଙ୍ଗି ଦିଆଯିବ । ଫଳରେ ସିଏ ମଗର ମାଛମାନଙ୍କର ଖାଦ୍ୟ ହେବ ।

ରାଜାଙ୍କର କଥା ଶୁଣି ରାଣୀଙ୍କର ମେରୁଦଣ୍ଡର ହାଡ କମ୍ପି ଉଠିଲା । ସେ ଥରି ଥରି ନିଆଁ ହୁଳାଟି ନେଇ ଚିତାରେ ଅଗ୍ନି ସଂଯୋଗ କଲେ । ସମସ୍ତେ ଆଶ୍ଚର୍ଯ୍ୟ । ଚିତାଟି ସଙ୍ଗେ ସଙ୍ଗେ ଜଳିବାକୁ ଲାଗିଲା । ଏହା ଦେଖି ସମସ୍ତେ ରାଣୀଙ୍କୁ ସନ୍ଦେହ ଚକ୍ଷୁରେ ଚାହିଁ ଥାଆନ୍ତି । ରାଣୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ପଡିଲା ।

ରାଜା ରାଗରେ ପୁରା ଲାଲ । ସେ ଚିନ୍ତା କରୁଥାନ୍ତି ରାଣୀଙ୍କୁ କଅଣ କହିବେ ? ସେତେବେଳେ ରାଣୀ କହିଲେ -

ମୁଁ କେବେହେଲେଖାଦ୍ୟରୁ ତା’ର ନେଇନାହିଁ ଅଂଶ,କେବେହେଲେ ସେ ତ ମୋ ପାଇଁ ଦେଇନାହିଁ ବାସ ।

ତାକୁ ବଞ୍ଚେଇ ରଖିବାର ପ୍ରବଳ ଆଶା ନେଇ,ତୃଷା ତା’ର ନିବାରଣ କରିଥିଲି ମୁହିଁ ।

ମୁଁ ଜଣେ ସତୀ ନାରୀ ସ୍ୱାମୀ ପ୍ରତି ରହିଛି ବିଶ୍ୱସ୍ତ ,ଭଗବାନଙ୍କ ନାମରେ କହୁଅଛି ସତ,ଏ ସଂସାରରେ ବଞ୍ଚିବାକୁ ସେ ମତେ ଦିଅନ୍ତୁ ସାମର୍ଥ୍ୟ । ଏତିକି କହି ରାଣୀ ଚିତାର ଜୁଇ ଉପରକୁ ଡେଇଁ ନିଜକୁ ଅଗ୍ନିକୁ ସମର୍ପଣ କରିଦେଲେ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



Rate this content
Log in