Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Inspirational

4  

Anil Kumar Parhi

Inspirational

ଦର୍ପଣ - 14

ଦର୍ପଣ - 14

8 mins
13.9K


ସାହିତ୍ୟର କୁମ୍ଭମେଳା। ଓଡିଶାରେ!

ବନ୍ଧୁ କହିଲେ - ସବୁକଥାରେ ତମର ଏଇମିତି ଗୋଟେ ଥଟ୍ଟା!

ନାଇଁ ମ, ଶୁଣିବାକୁ ଭଲଲାଗିଲା ତ! ବନ୍ଧୁ ମୋ ଇଙ୍ଗିତ ବୁଝିପାରି କହିଲେ - ନିମନ୍ତ୍ରଣପତ୍ର ପାଇଛ?

ମୁଁ କହିଲି - ନାଇଁ ତ! ତମେ?

ହଁ। ସେ କହିଲେ।

ମୁଁ କାହିଁକି ପାଇନି! ମାଲକାନାଗିରି ଆଖଡାର ମହନ୍ତ, ବଲାଙ୍ଗୀର ସର୍ବଧର୍ମ ସମ୍ମିଳନୀର ସଭାପତି, କୋରାପୁଟ, କଳାହାଣ୍ଡିର ପୂଜକ, ବାରିପଦା ଆଉ କେନ୍ଦୁଝରର ମଠାଧୀଶ, କଟକର ସବୁ ବାବାଜୀ, ଭୁବନେଶ୍ବର ଆଉ ପୁରୀର ସବୁ ମାତାଜୀ ନିମନ୍ତ୍ରଣ ପାଇଲେ, ମୋର ନାଇଁ! ମୁଁ କଣ୍ ଏଡିକି ତୁଚ୍ଛ ଯେ ଜଟାଜୁଟ ରଖି, କଉପିନୀ ମାରି, ମୁହଁରେ ଭସ୍ମ ବୋଳି ବି ସାହିତ୍ୟର ଗଙ୍ଗାବୁଡ ପକେଇବାରୁ ବଞ୍ଚିତ ହେଲି! ଭାଇରେ, ତମେ ମୋର ବ୍ରହ୍ମଚର୍ଯ୍ୟ ପରୀକ୍ଷା କର! ଥଟ୍ଟାରେ ପଚାରିଲି।

ଲାଗ, ଲାଗ ସେ ପଣ୍ଡା, ମହାନାୟକ, ମିଶ୍ରଙ୍କ ବିଷୟରେ ୟାଡୁସ୍ୟାଡୁ କୁହ! ତମକୁ ଦିଅଣା ଦିପଇସାରେ କେହି ପଚାରିବେନି।

ମୁଁ କହିଲି - ଭାଇ, ମୁଁ କା ସାଙ୍ଗରେ କିସ ଲାଗିବି। ପଣ୍ଡା ସହ କଥା ପଦେ ହେଇନି, ଚିହ୍ନିନି। ସେ ମୋ ପଛରେ ପଡିଲା ନା! ଆଉ ଏ ମହାନାୟକ! ମୋ ଘରର ନାମ ଓଡିଆରେ ଲେଖି ପୁଣି କାହିଁକି ଇଂଗ୍ରାଜୀରେ ଲେଖିଲି ପଡିଲା ପଛରେ!

ସେ ଯାହା ହଉ, ସାହିତ୍ୟରେ ତିଷ୍ଠିବାକୁ ହେଲେ ନୀଳକଣ୍ଠ ସାଜିବାକୁ ହବ। ନହେଲେ କେହି ତମ ନାଁ କୁ ବି ମନେପକେଇବେନି। ଦେଖ, ଯିଏ ନାଇଁ ସେ ନିମନ୍ତ୍ରଣ ପାଇଛି ତମର ନାଇଁ! ବନ୍ଧୁ କହିଲେ।

କିଛି ଟଙ୍କାଫଙ୍କା ଦେଇ ଆସନମଣ୍ଡନ କରିହେବନି ଭାଇ! ମୁଁ କହିଲି।

ସେଇତ, ସବୁକଥାରେ ତମର ଗୋଟେ ଥଟ୍ଟା! ଲୋକେ କହୁଛନ୍ତି ଏଇଟା ତମର ବେଖାତିର ଭାବ। ବନ୍ଧୁ ମୋ ନିମନ୍ତ୍ରଣ ନପାଇବା କଥାରେ ବ୍ୟଥିତ ହୋଇପଡିଥିଲେ।

ମୁଁ ବି ଏହି ସାହିତ୍ୟିକ ପରିଚୟ ପାଇଁ ବଡ ହୀନସ୍ତା ହୋଇଛି! ଥରେ ମୁଁ ପ୍ଲସ୍ ଟୁ ଖାତା ଦେଖୁଥିଲି। ମୋ ସହିତ ମୋର ଆଉ ଜଣେ ଘନିଷ୍ଠ, ଯିଏ ମୋତେ ମୋ ବନ୍ଧୁଙ୍କ ପରି ଅକାରଣ ମାନ୍ୟତା ଦିଅନ୍ତି ଓ ସାହିତ୍ୟର ଯୁଗପୁରୁଷ ମନେକରନ୍ତି ସେ ବି ଖାତା ଦେଖୁଥିଲେ। କବି ଲୋକ। ହଠାତ୍ ଆବିର୍ଭାବ ହେଲା ଈଷତ୍ ଧଳା ରଙ୍ଗ ଉପରେ ବଡବଡ ଫୁଲ ପ୍ରିଣ୍ଟ ପଡିଥିବା ଶାଢି ପରିହିତା ଶ୍ୟାମାଙ୍ଗୀ ମହିଳାଙ୍କର। ବୋଧେ, ପାଖ ଟେବୁଲରେ ସେ ଖାତା ଦେଖୁଥିଲେ ଏବଂ ଆମ ଟେବୁଲ ପାଖକୁ ଟାଇମପାସ ପାଇଁ ଆସିଥିଲେ।

ବନ୍ଧୁ ଚିହ୍ନେଇ ଦେଲେ - ମାଡାମ୍, ୟାଙ୍କୁ ଚିହ୍ନିଛନ୍ତି! ୟେ ଓଡିଶାର ଜଣେ ବିଶିଷ୍ଟ ସାହିତ୍ୟିକ।

ମାଡାମଙ୍କ ଶାଢିର କାନିଟା ସାଏଁ କରି ମୋ ଦିହରେ ବାଡେଇଗଲା। ସୋଢାରେ ଶାଢି ସଫା କରିଥିଲେ କି କଅଣ। ବହୁବର୍ଷ ତଳେ ଗାଁ ରେ ଏହି ସୋଢାଗନ୍ଧକୁ ହଜେଇଦେଇଥିଲି ମୁଁ। ମନେ ପଡିଲା। ଆମୋଦିତ ହେଲି।

ଶ୍ୟାମାଙ୍ଗୀ ନାୟିକା ମୋତେ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ। ସେ ଚାହାଣୀ ମେଟାଲ ଡିଟେକ୍ଟର ପରି ମୋତେ ଛାନଭିନ୍ କରିପକାଇଲା। ଯାହା ହେଉ ଯେଉଁ ଥଟ୍ଟାଟି ମୋ ଭିତରେ ସାରପାଣି ଦିଆଯାଇ ପ୍ରତିପାଳିତ, ସେ ଶୋଇପଡିଥିଲା।

ଶ୍ୟାମାଙ୍ଗୀ କିଛି କହିଲେନାହିଁ। ପାଖରେ ବସିଥିବା ମୋ ବିଷୟର କିଛି ଅଧ୍ୟାପକ ମାଡାମଙ୍କୁ ମୋତେ ଚିହ୍ନେଇଦେଲେ। ଇଏ ଜଣେ ବଡ କବୟତ୍ରୀ। ବର୍ଷସାରା ୟାଙ୍କ କବିତା ପତ୍ରିକାରେ ବାହାରେ।

ମାଡାମ ଲାଜେଇଗଲେ। କହିଲେ - ଆପଣମାନଙ୍କ ପରି ପ୍ରଶଂସକମାନେ ମୋତେ ଆଉ ରାସ୍ତାଘାଟ ଚଲେଇଦେଉ ନାହାଁନ୍ତି। ଏଥର ବୁର୍ଖା ପକେଇ ବାହାରିବି!

ସେ ହସିଲେ। ପାନ ଖାଆନ୍ତି କି କଣ!

ମୋ ବନ୍ଧୁ ନଛୋଡବନ୍ଧା। ସେ ପଚାରୁଥାନ୍ତି - ଆପଣ ୟାଙ୍କୁ ଚିହ୍ନିପାରିଲେ ନାହିଁ ବୋଧେ ମାଡାମ୍!

ମାଡାମ୍ କିଛି ସମୟ ଚୁପ୍ ରହି ମୋତେ କହିଲେ - ଆପଣ ଅମୁକ କଲେଜର ଅଧ୍ୟାପନା କରନ୍ତି ନା!

ବନ୍ଧୁ ଖୁସିହେଲେ। ମୁଁ ଖୁସିହେଲି। ଡେରିରେ ହେଉ ପଛକେ ମାଡାମ ଚିହ୍ନିଲେ ମୋତେ! ଯଦି ପ୍ରଶ୍ନ ପଚାରନ୍ତି କୋଉକୋଉ ଗପ କି ଉପନ୍ୟାସ ଉପରେ କହିବି ତାହାର ଗୋଟେ ବ୍ଲ୍ୟୁ ପ୍ରିଣ୍ଟ ମୁଁ ମନେମନେ ପ୍ରସ୍ତୁତ କରିନେଲି।

ବନ୍ଧୁ କହିଲେ - ଆପଣ ଓଡିଆ ଅଧ୍ୟାପିକା ମାଡାମ୍। ସାହିତ୍ୟିକମାନଙ୍କୁ ଚିହ୍ନିବା ଆପଣଙ୍କ ଦାୟିତ୍ବ ବି! ଧନ୍ୟବାଦ ଆପଣ ଏବର ସାହିତ୍ୟିକଙ୍କୁ ପଢନ୍ତି, ଚିହ୍ନନ୍ତି।

ନାଇଁ ଆଜ୍ଞା! ଆଜ୍ଞାଙ୍କୁ ମୁଁ କଣ ଚିହ୍ନେ! ନୂଆନୂଆ ଲେଖୁଛନ୍ତି ବୋଧେ କି କଅଣ! ନାମକରା ପତ୍ରପତ୍ରିକାରେ ମୋ ଲେଖା ଛପାଯାଏ। ମୁଁ ଆଉ ସାଧାରଣ ପତ୍ରପତ୍ରିକା ପଢିବାକୁ ସମୟ ପାଉନି!

ମୋ ମନଟା ଖଟ୍ଟା ହେଇଗଲା।

ତେବେ ୟାଙ୍କ କଲେଜ ନାମ ଜାଣିଲେ କିପରି ମାଡାମ୍? ବନ୍ଧୁ ପ୍ରଶ୍ନକଲେ।

ତାଙ୍କ କଲେଜର ଦୁଇଜଣ ଓଡିଆ ଅଧ୍ୟାପକ ତ ଏଇଠି ଖାତା ଦେଖୁଛନ୍ତି। ୟେ ସାର୍ ସେମାନଙ୍କ ସାଙ୍ଗରେ ଗପିବାର ଦେଖି ଅନୁମାନ କରିନେଲି! ଶ୍ୟାମାଙ୍ଗୀ କହିଲେ।

ଓହୋ! ବନ୍ଧୁ କହିଲେ, ମୁଁ କହିଲି।

ସାହିତ୍ୟିକର ପରିଚୟଟା ପାଇବା ଯେତିକି ସହଜ ଜଣାପଡେ ପ୍ରକୃତରେ ସେତିକି ନୁହେଁ। ପୁଣି, ପରିଚୟଟା ପାଇଗଲା ପରେ ହାତଗୋଡ ଜାକିଜୁକି ବସିଲେ ବି ଫାଇଦା ନାହିଁ। ଏଇ ଯେମିତି ମୋ ଦଶା। କୁମ୍ଭମେଳାର ଦର୍ଶନ କରିହେବନି! ପାଞ୍ଚଦିନର ପ୍ରୋଗ୍ରାମ। ପ୍ରତିଦିନ ଚାଳିଶ ଲେଖକ, ମାନେ ପାଞ୍ଚଦିନରେ ଦୁଇଶ। ଶଃ। ଦୁଇଶ ଭିତରେ ବି ମୋ ସ୍ଥାନ ନାଇଁ!

ଜାଣ, ଲିଷ୍ଟ ବନେଇଛନ୍ତି ତମର ସେଇ ପଣ୍ଡା, ମିଶ୍ର, ମହାନାୟକ। ତମେ ଏ ଜନ୍ମରେ କଣ, ସାତ ଜନ୍ମରେ ବି ନିମନ୍ତ୍ରଣ ପାଇବନି! ବନ୍ଧୁ ଜଣେଇଲେ।

ଏତେ ସାନ ପିଲାଗୁଡାକ, ମୋର ଷ୍ଟୁଡେଣ୍ଟର ଷ୍ଟୁଡେଣ୍ଟ ହେବେ, ସେମାନେ ଲିଷ୍ଟ ବନେଇବେ! କାହିଁକି ଅନ୍ୟମାନଙ୍କୁ ମୋତିଆବିନ୍ଦୁ ହୋଇଗଲାଣି କି! ମୁଁ ପୁଣି ବ୍ୟଙ୍ଗ କଲି।

କଣ୍ କହୁଛ ଯେ ତମେ! ସେମାନଙ୍କ ହାତରେ ଏବେ ସାତଟା ଦାମୀ ପ୍ରକାଶନ ସଂସ୍ଥା, ଦଶଟା ପତ୍ରିକା, ପନ୍ଦରଟା ପୁରସ୍କାର। ତମ ହାତରେ! ସବୁ ଅଯଥା କଥାଯାକ ତମର। କିଏ କୋଉଠି କଣ କଲା, ମଲା ସେଥିରେ ତମର ଯାଏଆସେ କେତେ! ବନ୍ଧୁ ବିରକ୍ତ ହେଲେ। ତମେ କଣ ରାଜା ରାମମୋହନ ରାୟ!

ମୁଁ ହସିଲି।

ଶ୍ରୀକୃଷ୍ଣଙ୍କ ଶେଷ ହସ ପରି ବନ୍ଧୁଙ୍କୁ ତା ରହସ୍ୟମୟ ଲାଗିଲା। ସେ ମୁହଁ ବୁଲେଇଦେଲେ।

ଠିକଅଛି ଭାଇ, ମୋତେ ନିମନ୍ତ୍ରଣ ନମିଳୁ। ତମକୁ ତ ମିଳିଛି। ଆମେ କଣ ଅଲଗା। ମୁଁ ବୁଝେଇବା ପାଇଁ କହିଲି।

ଏପରି ମୋତେ ଥରେ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ବୁଝେଇଥିଲେ। ଏଥର ନହେଲା ନାଇଁ, ଆରଥରକୁ, ବା ସମୟ କଣ ପଳେଇଯାଉଛି, ବା ଆହୁରି ପଢାପଢି କର, ବା ଜୀବନର ମାନେ ସାହିତ୍ୟ ନୁହେଁ ଇତ୍ୟାଦି।

ମୋ ସହିତ ସାହିତ୍ୟରେ ଦୁଇଟି ପ୍ରଚଣ୍ଡ ଅଘଟଣ ଘଟିଥିଲା। ଏକ - ଥରେ ମୋର କବିତା ଲେଖା ଡାଏରୀକୁ ଫାଡି ପୁଅ କାଗଜଡଙ୍ଗା କରି ଭସେଇଦେଇଥିଲା। ଯେବେ ବର୍ଷା କବିତାକବିତା ବାସିଲା, ମୁଁ ଦେଖିଲାବେଳକୁ ଡଙ୍ଗାମାନେ ଅଙ୍କାବଙ୍କା ନାଳରେ ଭାସିଭାସି ସମୁଦ୍ରମୁହାଁ ହୋଇସାରିଲେଣି। ଗୋଟେ ଦିଟା ନାଳ ଧାରରେ ଲାଗିଥିଲେ ଯେ ହେଲେ ସେଥିରେ ଆଉ କବିତା ଲାଗିନଥିଲା। ଆହୁରି ଆଗରୁ, ପ୍ରାୟ ଦଶମଶ୍ରେଣୀରେ ମୁଁ ରଫଖାତାର ଶେଷଆଡକୁ ଲେଖିଥିବା କିଛି କବିତାକୁ ଚିରି ମା ମୋ ପୁତୁରାମାନଙ୍କ ଘୁଅ ପୋଛି ଦେଇଥିଲା।

ଦ୍ବିତୀୟ - ଆଉଥରେ, ଏମ୍ଏ ପରେପରେ ମୋର କବିତାମାନଙ୍କୁ ଉତାରି, ସ୍ପାଇରାଲ ବାଇଣ୍ଡିଂ କରି କଟକର ପ୍ରକାଶକମାନଙ୍କ ପାଖକୁ ଯିବାକୁ ବାହାରିଥିଲି। ବାଣୀବିହାର ବସଷ୍ଟପରୁ କଟକ।

ହାତରେ କବିତା ଧରି ଠିଆହୋଇଛି। ଡରଡର ଲାଗୁଥାଏ। ବହି କେମିତି ଛପାଯାଏ, ପବ୍ଲିଶରମାନେ କଣ୍ କୁହନ୍ତି, ମୁଁ ସେମାନଙ୍କୁ କଣ୍ କହିବି, ଏଇସବୁ ଚିନ୍ତା ମନକୁ ଘାରୁଥାଏ। ଏଣେ, ବସ୍ ଗୁଡାକ ଲୋକଭର୍ତ୍ତି।

ମଧ୍ୟାହ୍ନ ଶୁଖିଲା ଗୁଲୁଗୁଲା ପରି ଟାଣ୍। ହଠାତ୍ ମୁଁ ଅନୁଭବ କଲି ଯେ ମୁଁ ହାତରେ ଧରିଥିବା ପାଣ୍ଡୁଲିପିକୁ କିଏ ଟାଣୁଛି। ମୁଁ ପଛକୁ ବୁଲିପଡିଲା ବେଳକୁ ହାତରୁ ପାଣ୍ଡୁଲିପି ଟଣାହୋଇ ଯାଇଥିଲା। ଏବଂ ପଛରେ ଠିଆହୋଇଥିଲେ ବିଶାଳକାୟ ଷଣ୍ଢ ମହାରାଜ। ଲୋକେ ହେ ହାସ୍ ହୋ କହିବା ସତ୍ତ୍ବେ ଷଣ୍ଢ ମହାପ୍ରୁ ହଲଚଲ ହଉନଥିଲେ। ମୋ ପାଣ୍ଡୁଲିପିଟା ତାଙ୍କ ମୁହଁର ନିଶ ଆଉ ଲାଳରେ ଗୋଟେ ସଁବାଳୁଆ ପରି ଲାଗୁଥିଲା!

ଷଣ୍ଢମାନେ କାଗଜ ଖାଆନ୍ତି! ମୋ ପାଟିରୁ ବାହାରିପଡିଲା। ମୁଁ ଆମ ଗାଈବଳଦ ଆଉ ଷଣ୍ଢମାନଙ୍କୁ ତୋରାଣୀ ପିଇବା ଆଉ ଘାସ ଖାଇବାର ଦେଖିଛି।

ଆରେ, ଇଏ ରାଜଧାନୀ ଷଣ୍ଢ ପରା! ଜଣେ ଦେଖଣାହାରୀ ମନ୍ତବ୍ୟଦେଲେ। ପେଣ୍ଟ ଆଉ ଚଡି ବି ଖାଇଯିବେ।

ଆଉଜଣେ ପଚାରିଲେ - କିଛି ସାର୍ଟିଫିକେଟ ନଥିଲା ତ!

ମୁଁ କହିଲି - ନାଇଁ ମୋ କବିତା।

କବିତା! ତିନିଚାରି ଦର୍ଶକ ଚମକି ଉଠିଲେ ଓ ବାଣୀବିହାର ଉପରେ ପ୍ରଥମ ସଶକ୍ତ ମନ୍ତବ୍ୟଟି ଥୋଇଲେ - ଆଉ କଣ୍ ପିଲେ ୟୁନିଭରସିଟିରେ ପାଠ ପଢୁଛନ୍ତି! ୟୁନିଭରସିଟି ଟା ତିନି ପାଞ୍ଜିରୁ ଗଲା। ଏଇଠୁ ଆଇଏଏସ୍, ଓଏଏସ୍ ବାହାରୁଥିଲେ, ଏବେ କବି ବାହାରିଲେଣି। ଶଳା ବାପ ତେଣେ ଜମି,ଗହଣା ବନ୍ଧାପକେଇ ଛୁଆକୁ ଉଚ୍ଚଶିକ୍ଷା ପାଇଁ ବାଣୀବିହାର ପଠେଇବ, ଆଉ ଇଏ କବି ହେବେ! ଫୁଲକୋବି!

ଷଣ୍ଢମାନେ କାଗଜ ଖାଆନ୍ତି! ମୋ ପାଟିରୁ ପୁଣି ବାହାରିଲା।

ଷଣ୍ଢ କାଗଜ ଖାଇଲେ, ମୂତିଲେ ଆଉ ଗୋବର ବି କଲେ। ସେହି ଗୋବର ସ୍ତୁପ ଭିତରୁ ମୋ କବିତାମାନଙ୍କ ଶେଷ ଆର୍ତ୍ତନାଦ ମୋତେ ଶୁଭିଥିଲା।

ଦୁଇତିନିଥର ମୋତେ ଈଶ୍ବରଙ୍କ ଠାରୁ ସଙ୍କେତ ମିଳିସାରିଥିଲା ଯେ ମୁଁ ସାହିତ୍ୟିକ ହୋଇପାରିବି ନାହିଁ। ତଥାପି ଈଶ୍ବରଙ୍କ ବିରୁଦ୍ଧରେ ଗଲି! ନେପୋଲିଅନ ସିନା ଭାଗ୍ୟକୁ ଜିଣିଗଲେ, ମୁଁ ଗୋଟେ କୁମ୍ଭମେଳାର ଟିକେଟ ପାଇଲିନି!

ଖାତାଦେଖା ବେଳର ସେହି ଶ୍ୟାମାଙ୍ଗୀ ମହିଳା ସ୍ବପ୍ନରେ ଆସି ମୋତେ କିଛିଦିନ ଡରେଇସାରିଥିଲେ। ତାଙ୍କ ମୁହଁ ଭୁବନେଶ୍ବର ସାଇନ୍ସ ପାର୍କରେ ସଂରକ୍ଷିତ ଅଦ୍ଭୁତ ଆଇନାରେ ମୁହଁ ପରି ଭୟଂକର ଦିଶୁଥିଲା। ଆଉ କବିତା ଲେଖିବୁ..... ଆଉ ସାହିତ୍ୟ କରିବୁ! ଶ୍ୟାମାଙ୍ଗୀ ମହିଳା ଗୋଟାଏ ଶାଂକୁଚ ଲାଙ୍ଗୁଡର ଚାବୁକ୍ କୁ ସପାଟସପାଟ ମାଟିରେ ପିଟି ମୋତେ ଡରଉଥିଲେ। ତାଙ୍କ ଦାନ୍ତମାନ ଦିଶୁଥିଲା ଏବଂ ପାନ କଷର କହଁରିଆ ରଙ୍ଗ ସତ୍ତ୍ବେ ସେ ଯେ ରାତିରେ ପାଳଙ୍ଗ ଶାଗ ଖାଇଥିଲେ ଜଣାପଡି ଯାଉଥିଲା।

ଏବେ କଣ୍ ଏ ସାହିତ୍ୟର କୁମ୍ଭମେଳା ମୋତେ ଡରେଇବ!

ଏବେ କଣ୍ ସାହିତ୍ୟର ଷଣ୍ଢମାନେ ମୋ ସାହିତ୍ୟ ସତ୍ତାକୁ ଚୋବେଇ ପାକୁଳି କରିଦେବେ, ମୂତିଦେବେ ଆଉ ଗୋବର କରିଦେବେ!

ଏବେ ସହରରେ ଆଉ କଣ ଗୁହାଳ ଅଛି। ରାସ୍ତା ଉପରେ ହାଉଯାଉ ଗାଈ, ବଳଦ, ବାଛୁରୀ, ଷଣ୍ଢ! କିଏ ଜଣେ କହୁଥିଲା କାଳେ ନନ୍ଦନକାନନରୁ ଖସିଆସିଥିବା ଗୋଟେ ବାଘକୁ ଷଣ୍ଢ ଖେଦି ନେଇଥିଲା ଦି' କିଲୋମିଟର!

ତମେ ନଗଲେ ତ ମୁଁ ଯିବିନାହିଁ। କହିଲେ ବନ୍ଧୁ।

ମୁଁ ଟିକିଏ ସିରିୟସ ହେଲି। କହିଲି - ଇଏ କୋଉ କଥା ଯେ ଭାଇ! ସେମିତି କଣ ହୁଏ! ତମେ ଯାଅ!

ନାଇଁ, କହିଲେ ବନ୍ଧୁ। ତମକୁ ଡାକି ବି ପାରିବିନି। ସେମାନେ ଜାଣିଶୁଣି ତମକୁ ଅପମାନିତ କରିବାପାଇଁ ଡାକିନାହାଁନ୍ତି! ତମେ ମୋ ସାଙ୍ଗରେ ଯିବାକୁ କହିଲେ ମଧ୍ୟ ମୁଁ ମନାକରିବି।

ମୁଁ ତାଙ୍କ ପିଠି ଥାପୁଡେଇଲି ଏବଂ ସଂକଳ୍ପ କରିନେଲି ଯେ ଅନିମନ୍ତ୍ରିତ ହେଲେ ବି ଯିବି।

ଗେଟ୍ ସାମ୍ନାରେ ଗୁଲୁଆସି, ଗୋଲାପ, ରଜନୀଗନ୍ଧା ଫୁଲ ଝୁଲୁଥିଲା। କେତେଟା ଫିନିଫିନିଆ କାର୍ ହତା ଭିତରେ ପଶୁଥିଲେ, କେତେଟା ବାହାରୁଥିଲେ। ଶୁଦ୍ଧ ଓଡିଆଣୀମାନେ ଥାଳିରେ ଗୋଲାପଚନ୍ଦନ ଧରି ଅଭ୍ୟର୍ଥନା ପାଇଁ ଠିଆହୋଇଥିଲେ।

ଆହା! ବଡବଡ ହିନ୍ଦୀ କବି, ଇଂରାଜୀ କବି। ତାଙ୍କ ସାଙ୍ଗରେ ଓଡିଆ ଦିଗ୍ଗଜ! ସବୁ କଥାବାର୍ତ୍ତା ଇଂଗ୍ରାଜୀ ନହେଲେ ହିନ୍ଦୀରେ! ଓଡିଆ ହିଁ ନାହିଁ। ସେମାନଙ୍କୁ ଦଶଫୁଟ ବ୍ୟାସାର୍ଦ୍ଧରେ ଘେରିଥାନ୍ତି ବହୁ କବିଲେଖକ। ସେମାନଙ୍କ ମୁହଁ ପଡିଲା ମାତ୍ରେ କିଏ ନମସ୍ଖାର କରୁଥାଏ, କିଏ ପାଦ ଛୁଇଁ ପ୍ରଣାମ। କିଏ ଦିଗ୍ଗଜଙ୍କ ହାତକୁ ନିଜର ବହି ବଢାଉଥାଏ। ଅଣଓଡିଆଙ୍କ ହାତରେ ଓଡିଆ ବହି! ବନ୍ଧୁ ମୋ ସନ୍ଦେହ ମୋଚନ କଲେ - କେହି କାହାକୁ ପ୍ରକୃତରେ ନିଜ ବହି ପଢିବାକୁ ଦିଏ ଭଲା! ସେଥିରେ ଲେଖକର ଫଟୋ ଅଛି। ଫୋନନମ୍ବର, ଠିକଣା ଇଙ୍ଗ୍ରାଜୀରେ ଲେଖା ହୋଇଛି ପରା!

ମୁଁ ବୁଝିଗଲି। ପ୍ରକୃତରେ ଖାତାଦେଖାଳ ସେହି ଶ୍ୟାମାଙ୍ଗୀ ମହିଳାଙ୍କ ସହ ସାକ୍ଷାତକାର ପରେ ମୁଁ ସାହିତ୍ୟିକମାନଙ୍କୁ ଟିକିଏ ଡରିଯାଇଥିଲି।

ଏଇଠି ଠିଆହେବା? ମୁଁ ପଚାରିଲି।

ନାଇଁ, ଚାଲ ଭିତରକୁ। ବନ୍ଧୁ କହିଲେ।

ଶୁଦ୍ଧ ଓଡିଆଣୀମାନଙ୍କ ଆଗରେ ମୁଁ ମୁଣ୍ଡ ନୋଇଁଲି। ସେମାନେ ଚନ୍ଦନ ପିନ୍ଧେଇଦେଲେ। ଗୋଲାପଟିଏ ଦେଲେ, କହିଲେ ବନ୍ଦେ ଉତ୍କଳ ଜନନୀ। ଆମେ କହିଲୁ ବନ୍ଦେ ଉତ୍କଳ ଜନନୀ।

ବାଃ। ଭିତରେ ମଞ୍ଚ ସଜ୍ଜା ଦେଖିବାର ଥିଲା। କୁଢକୁଢ ଫୁଲ। ମୋର ସନ୍ଦେହ ହେଲା - ପ୍ଲାଷ୍ଟିକ ଫୁଲ କି? ବନ୍ଧୁ ନାରାଜ ହେଲେ - ପ୍ଲିଜ୍ ନୋ କମେଣ୍ଟସ।

ପଛରେ ହଠାତ ପହଞ୍ଚିଗଲେ ଚନ୍ଦନ ମାରିଥିବା ଜଣେ ଓଡିଆଣୀ। ବନ୍ଧୁ ଓ ମୋ ହାତକୁ ଗୋଟେଗୋଟେ କୁପନ୍ ବଢେଇ କହିଲେ - ସରି ସାର୍। ଏଇଟା ଫୁଡ୍ କୁପନ। ସେପଟେ ଫୁଡ କୋର୍ଟ। ଚା, ସୁପ, ବ୍ରେକଫାଷ୍ଟ, ଲଞ୍ଚ ସବୁ ପାଇଁ ଏ କୁପନ!

ଆମେ କୁପନ ଗ୍ରହଣକଲୁ ଧନ୍ୟବାଦର ସହିତ। ହେଲେ ମୋତେ କଷ୍ଟ ହେଲା। ମୁଁ ପଚାରିଲି - ଭାଇ ଏ କୁପନ କଣ୍ ଯେ! ବାହାରେ ଠିଆହୋଇଥିବା ଦିଗ୍ଗଜମାନେ କଣ କୁପନ ଦେଖେଇ ଖାଇବେ? ଆମେ କାହିଁକି!

ବନ୍ଧୁ ମୋ ପାଇଁ ସତରେ ହଇରାଣରେ ପଡୁଥିଲେ। ତଥାପି ସେ କହିଲେ - ତମେ ଜାଣିନ। ବାହାଘର ପ୍ରୋସେସନ ସମୟରେ ଯେମିତି ବରଯାତ୍ରୀ କହି ଚୋରତସ୍କର ପଶିଆସି ଖାଇଦେଇ ଯାଉଛନ୍ତି, ସେମିତି ସାହିତ୍ୟ ସଭାରେ ବି ହେଉଛ। କୁପନରେ ଅସୁବିଧା କଣ !

ଆଜିଥିଲା ଚତୁର୍ଥ ଦିବସ। ଭାଗ୍ୟ ଭଲ ବନ୍ଧୁଙ୍କ କାର୍ଯ୍ୟକ୍ରମ ଥିଲା ପ୍ରଥମ ସେସନରେ। ଆଲୋଚନାର ବିଷୟବସ୍ତୁ - ଓଡିଆ ଗଳ୍ପ ଧାରା - ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ।

ମୁଁ ପଚାରିଲି - ଭାଇ, ତମେମାନେ ଆଲୋଚନା କଣ୍ ଇଙ୍ଗ୍ରାଜୀରେ କରିବ?

କାହିଁକି? ବନ୍ଧୁ ପଚାରିଲେ। ଓଡିଆରେ।

ହେଲେ, ବାହାରେ ଯେଉଁ ଅଣଓଡିଆ ଲେଖକ ଅଛନ୍ତି, ସେମାନେ? କେମିତି ବୁଝିବେ ଯେ! ପଚାରିଲି।

ଏଠି କଣ କାହାକୁ ବୁଝିବାପାଇଁ ଅଣାଯାଇଛି! ସେ ତାଙ୍କ କାମ କରିବେ, ଆମେ ଆମ କାମ। ବନ୍ଧୁ କହିଲେ।

ସାହିତ୍ୟର ମହାକୁମ୍ଭରେ କେହି କାହାକୁ ଶୁଣିବେ ନାହିଁ, ବୁଝିବେ ନାହିଁ! ମନକୁମନ କହିଲି ମୁଁ।

ପ୍ରଥମେ ସେମାନେ ହିଁ ଭାଷଣ ଦେବେ। ଆମ ସେସନ ଆରମ୍ଭ ବାରଟା ପନ୍ଦରରୁ। ସରିବ ଗୋଟାଏରେ। କହିଲେ ବନ୍ଧୁ।

ହାତ ଘଣ୍ଟାରେ ଏଗାରଟା ସେତେବେଳକୁ। କମସେ କମ୍ ଚାରିଜଣ ଭାଷଣ ଦେବେ। ବାରଟା ପନ୍ଦରରେ ସରିବ! କେଜାଣି।

ବନ୍ଧୁଙ୍କୁ ପଚାରିଲି - ଆଲୋଚନାରେ କେତେଜଣ ଅଛ?

ଆଠ। ବନ୍ଧୁ କହିଲେ।

ଆଠଜଣଙ୍କୁ ପଇଁଚାଳିଶ ମିନିଟ୍! ମାନେ ଜଣକା ପାଞ୍ଚ ମିନିଟ୍ ପାଖାପାଖି! କି ଆଲୋଚନା ହେବ ଯେ! ମୁଁ କହିଲି।

ଜଣକା ପାଞ୍ଚ ମିନିଟ୍! ପାଗଳ ହେଲ! ସେହି ସେସନର ସଭାପତି ତ ଅତି କମରେ ପନ୍ଦର ମିନିଟ୍ ଖାଇଯିବ। ବନ୍ଧୁ ଉତ୍ତର ଫେରେଇଲେ।

ତେବେ! ମୁଁ ବିସ୍ମିତ, ଦୁଃଖିତ ହେଲି।

ଖାଲି ଗୋଟେ କା' ରଖିବା କଥା। ବନ୍ଧୁ ବିଷଣ୍ଣ ହୋଇ କହିଲେ।

ଭାଷଣ ଆରମ୍ଭହେଲା। ଲୋକେ ଗୋଟେଗୋଟେ ଉଠିଲେ ଫୁଡକୋର୍ଟ ଆଡେ। କିଛି ଏସି ପବନରେ ଢୁଳେଇପଡିଲେ।

ସେସନ ଆରମ୍ଭ ବେଳକୁ ସାଢେ ବାର। ସଭାପତି ନେଲେ ପନ୍ଦରମିନିଟ। ରେବତୀ, ମାଂସର ବିଳାପ, ବୁଢା ଶଂଖାରି, ଡିମିରଫୁଲ ଗଳ୍ପର ଆଲୋଚନା କରିସାରିଲା ପରେ ମୋ ବନ୍ଧୁ ଏବଂ ଆଲୋଚକମାନଙ୍କୁ କେବଳ ନିଜର ପରିଚୟ ପ୍ରଦାନ ଆଉ ଫଟୋ ଉଠେଇବାକୁ ବେଳ ମିଳିଲା। ଲଞ୍ଚ ବ୍ରେକ୍ ରୁ ସମୟ ନେଇହବନି ନା!

ଆମେ ଫେରିଲୁ। ମନରେ ସେହି ଅଣଓଡିଆ ଲେଖକମାନଙ୍କୁ ନେଇ ପ୍ରଶ୍ନ ଉଠୁଥିଲା। ଏମାନେ କାହିଁକି? କାହିଁକି!

ଗେଟର ସାଜସଜ୍ଜା ଉପରେ ନଜର ପଡିଲା। ଆରେ, କେବଳ ଗେଣ୍ଡୁ ଆଉ ଗୋଲାପ ନୁହେଁ। ଭିତରେ ଭିତରେ ଖୁନ୍ଦା ହୋଇଛି ଗୋଟେଗୋଟେ ବିଦେଶୀ ଫୁଲ!

ଗୁଲୁଆସି ଫୁଲ ନଥିଲେ ସେହି ବିଦେଶୀ ଫୁଲମାନଙ୍କ ଗୁରୁତ୍ବ ବଢିବ କେମିତି!!

ବାଇକ୍ ଷ୍ଟାର୍ଟ କରି ବାହାରିଛୁ ଯେ ମାରଣା ଷଣ୍ଢଟେ ଖେଦିଆଣିଲା। ମୁଁ ଏକ୍ସିଲେଟର ମୋଡିଲି। ଶୁଣିଥିଲି ବରଂ ବାଘମାନଙ୍କ ଆକ୍ରମଣରୁ ବଞ୍ଚିହେବ ହେଲେ ଏ ରାଜଧାନୀ ଷଣ୍ଢ ପଛରେ ପଡିଲେ ଜୀବନ ଗଲା ଜାଣ!

ବନ୍ଧୁ କହିଲେ ପ୍ରଭୁ ଲିଙ୍ଗରାଜଙ୍କୁ ଡାକି ପଳେଇଚାଲ।

ମୁଁ ଲିଙ୍ଗରାଜଙ୍କୁ ମନେପକେଇଲି ଯେ ହେଲେ ପରମାତ୍ମା ମାୟା କଲେ। ତାଙ୍କ ମୁହଁ ବଦଳରେ ମୋତେ ଦିଶିଲା ବାହାରେ ଠିଆହୋଇ ଗପୁଥିବା ସେହି ଓଡିଆ ସାହିତ୍ୟର ମହାପଣ୍ଡିତମାନଙ୍କ ମୁହଁ !

ଧନ୍ୟ ପଭୁ! ଧନ୍ୟ ତମ ଲୀଳା!!

ଦୁଃଖ


Rate this content
Log in

Similar oriya story from Inspirational