Satyabrata Ojha

Tragedy


3  

Satyabrata Ojha

Tragedy


ବାହୁଡା

ବାହୁଡା

5 mins 8.0K 5 mins 8.0K

ଝିପିଝିପି ବର୍ଷା ଲାଗିରହିଥିଲା। ତଥାପି ଆଠଜଣ ଲୋକ ପାଣିରେ ଦୁଇଘଣ୍ଟା ଧରି ପୋଖରିଯାକ ଖୋଜିଲେ, ହେଲେ କିଛି ଲାଭ ହେଲାନି। ଦେଢଏକର ପରିମିତ ତିନିପୁରୁଷର ଜମିଦାରିଆ ପୋଖରୀ। ଆଷାଢ଼ ମାସ। ପାଣିରେ ଉବୁଟୁବୁ। ସେଥିରେ ପୁଣି ବୁଦାବୁଦା କଇଁ, ପଦ୍ମ ସାଙ୍ଗକୁ ମାଛଚୋରିକୁ ରୋକିବା ପାଇଁ ପଡିଥିବା ଅଗରା ବାଧକ ସାଜୁଥାଏ।

ସାନଭାଇ ପୀତବାସ ମନେମନେ ବୁଢାବାପା ଉପରେ ବିରକ୍ତ ହେଲେ ବି ମଝିଆଁ ଭାଇ ଆଗରେ ଵ୍ୟସ୍ତ ହେବାର ଅଭିନୟ କରି କହୁଥାଏ, "ବାପାଙ୍କର ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଛା ଥିଲା, ତେଣୁ ତାଙ୍କୁ ନେଇ ପୁରୀ ବହାରିଥିଲୁ, ହେଲେ ଭୋରୁ ଉଠି ବାପା ଗାଡ଼ିଆକୁ ଗାଧୋଇବାକୁ ଆସିଲେ ଯେ ଆଉ ଫେରିଲେନି।" ହେଲେ ଜାଣିବା ଲୋକ କହୁଥାନ୍ତି, ବର୍ଷକ ବରମାସୀ ଜଗନାନା ଗଡ଼ିଆରେ ଗାଧଉଥିଲେ ଆଜି କୋଉ ନୁଆ ଗାଧଉଥିଲେକି ତାଙ୍କ ଗୋଡ ଖସିଗଲା!

ବସ୍ ରେ ବସି ଜଗମୋହନ ଭାବୁଥିଲେ, ଧାଇଁ ଧାଇଁ ଜୀବନରେ କଣ ମିଳିଲା ତାଙ୍କୁ? ଶେଷକୁ ତାଙ୍କ ଜୀବନ ଲଗେଜ ସହ ସମାନ ହୋଇଗଲା। ବୋଧହୁଏ ଆଉକିଛି ଦିନ ପରେ ପରିତ୍ୟକ୍ତ ଵସ୍ତୁ ହୋଇଯିବେ।

ପେନସନ ଗଣ୍ଡାକ ମିଳୁଛି ବୋଲି ପିଲାମାନେ ବାପା ବୋଲି ପଦେ ଡାକୁଛନ୍ତି ବା ସେ ଜୀଵିତ ଅଛନ୍ତି। ନହେଲେ ସ୍ତ୍ରୀ କାମିନୀ ପଛେପଛେ ସେ ବି ବାଟ କାଟି ସାରନ୍ତେଣି। କାମିନୀ ଚାଲିଗଲା ପରେ ସେଦିନ ସେ ମନ ଭରି କାନ୍ଦିଥିଲେ, ଯେଉଁଦିନ ପିଲାମାନଙ୍କର କଥା ଛିଡ଼ିଲା ବାପାଙ୍କ ପେନସନ ପଇସା ଯିଏ ନେବ ବାପା ତା ପାଖେ ରହିବେ। ମନେ ମନେ ଭାବୁଥିଲେ ଚାରିଜଣ ପିଲାଙ୍କୁ ଭରଣ ପୋଷଣ କରିବା ପାଇଁ କେଉଁ ପିଲା ତାଙ୍କୁ କେତେ ପେନସନ ଦେଇଥିଲା? ହେଲେ ଆଜି ତାଙ୍କୁ ପାଖରେ ରଖିବା ପାଇଁ ପିଲାମାନେ ତାଙ୍କ ପେନସନ କୁ ଯୋଗ୍ୟତା ହିସାବରେ ବିଚାର କରୁଛନ୍ତି। ସେଥିପାଇଁ ସେ ସିଧାସଳଖ କହିଦେଲ ସେ କାହାରି ପାଖରେ ରହିବେନି ଏକୁଟିଆ ମଲାଯାଏଁ ଗାଁ ରେ ରହିବେ ନହେଲେ କୋଉ ବୃଦ୍ଧାଶ୍ରମକୁ ପଳେଇବେ। କେବଳ ପିଲାମାନଙ୍କ ସମ୍ମାନ କୁ ଜଗି ଗାଁ ରେ ଏକୁଟିଆ ନିଃସଙ୍ଗ ଜୀବନ ବିତାଇଲେ ପଛେ କେଉଁ ବୃଦ୍ଧାଶ୍ରମ କୁ ଗଲେନି ସେ।

ଏଇ ଛ'ମାସ ହେବ ସାନପୁଅ ପୀତବାସର ଗାଁ ପାଖକୁ ବଦଳି ହୋଇଯାଇଥିବାରୁ ସେ ନିଜ ପରିବାର ଧରି ଆସି ଗାଁ ରେ ରହୁଛି ତାଙ୍କରି ପାଖରେ। କାମିନୀ ଚାଲିଗଲା ପରେ ପଇସା ହେଲାନି ରୋଜଗରିଆ ପିଲାମାନଙ୍କ ପାଖରେ। ପରସ୍ପର ମଧ୍ୟରେ ଟଣାଓଟରା ହେବା ଦେଖି ସେ ସୁଧରେ ପଇସା ଆଣି ନିଜ ସ୍ତ୍ରୀ ର ଶୁଦ୍ଧିକ୍ରିୟା ସମ୍ପନ୍ନ କଲେ। ପରେ ଅଫିସ ରୁ ଲୋନ ଆଣି ସେ କରଜ ପଇସା ସୁଝିଲେ।

ମନେମନେ ଭାବୁଥିଲେ ମଣିଷ ପିଲା ଜନ୍ମ କରିଦେଲେ ସିନା ହେଲେ ସେମାନଙ୍କୁ ମଣିଷ କରିପାରିଲେନି।

ବଡ଼ପୁଅ ଆମେରିକାରୁ ଫୋନ କଲେ, କେମିତି ଅଛ ବୋଲି ପଦେ ନ ପଚାରି ଖାଲି କହିବ, "ବାପା ପଇସା ଦରକାର ହେଲେ କହିବ"। କିନ୍ତୁ ମା'ଟା ମଲା ଯେ ନା ପଇସା ପଠେଇଲା ନା ଶୁଦ୍ଧି ହେବାକୁ ଆସିଲା। ମଝିଆଁ ପୁଅ କୃତ୍ତିବାସ କୁ ନିଜ ଚାକିରୀ ଦେଲେ, ହେଲେ ସବୁବେଳେ ତାକୁ ନିଅଣ୍ଟ। ଯେଉଁ ଚାକିରୀ କରି ସେ ଆଠ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସେଇ ଚାକିରୀ କରି ସେ ତିନିପ୍ରାଣୀ କୁଟୁମ୍ବ ପୋଷିପରୁନି। ଖାଲି କହିବ ତମ ସମୟ ଏ ସମୟ ଭିତରେ ବହୁତ ଫରକ। ସାନ ପୁଅ ତ ଶ୍ୱଶୁର ଘର ମାୟା ରେ ବାୟା। ଭାତହାଣ୍ଡି ଜମି ଏକେରେ ବିକି ଗୋଟିଏ ବୋଲି ଝିଅ ପ୍ରମିଳାକୁ ବହାଦେଲେ, ବେପାର କରିବା ପାଇଁ ନିଜ ପ୍ରୋବିଡେଣ୍ଟ ଫଣ୍ଡ ରୁ ଦେଢଲକ୍ଷ ଟଙ୍କା ଉଠାଇ ଜ୍ୱାଇଁଙ୍କୁ ଦେଲେ, ହେଲେ ତା ଘରକୁ ଯେତେବେଳେ ଯା'ନ୍ତି ସେ କହେ, " ମତେ କ'ଣ ଦେଇ ପକେଇଲ କି?"

ନିଜର ଅପାରଗତା ଉପରେ ବେଳେବେଳେ ତାଙ୍କୁ ହସ ଲାଗେ ବେଳେବେକେ କାନ୍ଦ ବି।

ଦିନ ୧୧ଟା ପାଖାପାଖି ବୃଦ୍ଧ ଜଗମୋହନ ଓହ୍ଲାଇଲେ ପୁରୀ ବସ୍ ଷ୍ଟାଣ୍ଡ ରେ। ପାଖରେ ଥିବା ଏକ ଝଙ୍କାବରଗଛ ଚଉପାଡିରେ ଥକ୍କା ମାରି ବସିଗଲେ। ତାଙ୍କୁ ଲାଗୁଥିଲା ଜୀବନ ଜିଇଁବାକୁ ଦୀର୍ଘ ପଚାଶ ବର୍ଷ ତଳେ ଯେଉଁ ଦୌଡ଼ିବା ଆରମ୍ଭ କରିଥିଲେ ତା ପରେ ଆଜି ଏଇଠି ଶ୍ରୀକ୍ଷେତ୍ରରେ ପ୍ରଥମ ବିଶ୍ରାମ ନେଉଛନ୍ତି। କାଲି ଖରାବେଳେ ପୀତବାସ ତାଙ୍କୁ କହିଲା, " ବାପା ତୁମ ବୋହୁ କହୁଥିଲା ତୁମେ ଏ ବୟସରେ ତୀର୍ଥ ସ୍ଥାନ ବୁଲିବା କଥା। ତେଣୁ ଆମେ ସମସ୍ତେ କାଲି ବାହୁଡାରେ ପୁରୀ ଯିବା ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ସାନ ପୁଅର କଥା ଶୁଣି ଜଗମୋହନଙ୍କ ଆଖିରେ ଲୁହ ଆସିଗଲା, ଏଥି ପାଇଁ ନୁହେଁ କି ତାଙ୍କ ପୁଅବୋହୁ ତାଙ୍କୁ ଏତେ ଭଲ ପାଉଛନ୍ତି, ଏଥିପାଇଁ ଯେ ସେ କାଲି ପୁଅବୋହୁ କଥାହେବାର ଶୁଣିଥିଲେ। ସାନ ବୋହୁ କାଦମ୍ବିନୀ ସାନ ପୁଅକୁ କହୁଥିଲା, "ବୁଝିଲ ମୋ ବାପାବୋଉ କହୁଥିଲେ ଏଥର ବାହୁଡା କୁ ପୁରୀ ଯିବେ ବୋଲି। ତମେ ଯଦି ଟିକେ ସମୟ ବହାର କରନ୍ତ ଦୁଇ ତିନି ଦିନିଆ ପ୍ରୋଗ୍ରାମ କରି ପୁରୀ କୋଣାର୍କ ଇତ୍ୟାଦି ବୁଲିକି ଆସନ୍ତେ।" "ହଁ ଯେ ହେଲେ ବାପାଙ୍କ ଖାଇବା ଖବର କିଏ ବୁଝିବ?" ସାମାନ୍ୟ ଚିନ୍ତା ପ୍ରକଟ କଲା ପୀତବାସ। "ତମେ ଟିକେ ତମ ଭଉଣୀ ପ୍ରମିଳାଙ୍କୁ କହୁନ ଆସି ଦି'ତିନି ରହିଯାନ୍ତେ।" ବୁଦ୍ଧିଦେଲା ସାନବୋହୁ। ପ୍ରମିଳା ପୀତବାସକୁ କ'ଣ କହିଲା କେଜାଣି ପୀତବାସର ପ୍ରତିକ୍ରିୟାରୁ ଲାଗୁଥିଲା ପ୍ରମିଳା ରାଜିହେଲାନି ଆସିବାକୁ। "ଠିକ୍ଅଛି ବାପାଙ୍କୁ ସାଙ୍ଗରେ ନେଇଯିବା" ସାନବୋହୁ କହିଲା। "ହେଲେ ଗାଡ଼ିରେ ଯାଗାକାହିଁ? ମୁଁ ତ ଡ୍ରାଇଭିଂ କରିବି, ତମେ ଆଗରେ ବସିବ, ମଝିରେ ତମ ବାପା, ବୋଉ ଓ ଭଉଣୀ ଆଉ ଆମ ପୁଅ ବସିବ, ପଛରେ ତ ଲଗେଜ ରହିବ।" ସାନବୋହୁ ସମାଧାନର ବାଟ ବତେଇ କହିଲା, "ପଛରେ ପରା ଦୁଇଟା ସିଟ ଅଛି,ବାପା ସେହି ଲଗେଜ ପାଖରେ ଟିକେ ଆଡ଼ଜଷ୍ଟ କରିଦେବେନି, ମୁଁ ମୋ ବାପାଙ୍କୁ କହିଦିଅନ୍ତି ଯେ ପଛରେ ବସିବାକୁ ହେଲେ ସେ କୁଣିଆ ଲୋକ, କାଳେ ଖରାପ ଭାବିବେ। ଆଉ ତମ ବାପାତ ଘର ଲୋକ।" ସାନବୋହୁ କଥାରେ ପୁଅ ସମ୍ମତି ପ୍ରକାଶ କଲା

ସେଦିନ ରାତିରେ ଶୋଇ ପାରିଲେନି ଅବହେଳିତ ବୃଦ୍ଧ ଜଗମୋହନ। କାମିନୀ ବାର୍ ବାର୍ ଆସି ତାଙ୍କୁ କହୁଥାନ୍ତି, " ପୁଅ ବୋହୁଙ୍କ କଥାକୁ ଧରିଲ କି? ବାପା ମା' କ'ଣ ପିଲାଙ୍କ କଥା ଧରନ୍ତି!" ତାଙ୍କର ମନେ ପଡୁଥାଏ, ସେ ଯାଇଥାନ୍ତି କମିନୀଙ୍କୁ ଧରି ମଝିଆଁ ପୁଅ ବସାକୁ। ସେ ଓ ମଝିଆଁ ପୁଅ ଖାଇବସିଥାନ୍ତି। ବୋହୁ ଖାଇବା ପରଶୁ ଥାଏ। କାମିନୀ ସେଇ ପାଖରେ ଗୋଟେ ଚେୟାରରେ ବସିଥାନ୍ତି। କାମିନୀ ବଡ ପାଟିରେ କହିଲେ , " ଆଲୋ ମା' ପୁଅକୁ ଶାଗ ଭଜା ଦେଲୁନି।" " ନା, ବୋଉ ସେ ଶାଗ ଭଜା ଖାଇବାକୁ ଭଲ ପା'ନ୍ତିନି।" ଉତ୍ତର ରଖିଲା ମଝିଆଁ ବୋହୁ। "କ'ଣ କହିଲୁ! ସେ ନାଲି କୋଶିଳା କୁ ଭଲ ପାଏ ବୋଲି ମୁଁ ବାଡ଼ି ରୁ କେବଳ ତା'ରି ପାଇଁ ବାଛିବାଛି ନାଲି କୋଶିଳା ନେଇକି ଆସିଲି ଆଉ ନିଜ ହାତରେ ଭାଜିଲି, ତୁ କ'ଣ କହୁଛୁ ନା ସେ ଶାଗ ଖାଇବାକୁ ଭଲ ପାଏନି।" ଏତିକି କହି କାମିନୀ ବସିବା ଜାଗାରୁ ଉଠିଯାଇ ତା ଭାତଥାଳି କଡରେ ଟିକେ ସାଗଭଜା ଥୋଇଦେଲେ। ଏତିକିରେ ଚିହିଁକି ଉଠିଲା ମଝିଆଁ ପୁଅ, "ବୋଉ ମୁଁ କ'ଣ ଖାଏ କଣ ନାହିଁ ତୋ ବୋହୁ ଭଲକରି ଜାଣିଛି। ତୁ ଦି'ଦିନ ପାଇଁ କୁଣିଆ ହେଇ ଆସିଛୁ କୁଣିଆ ହେଇକି ରହ। ଏତିକିବେଳେ ବୋହୁ ନିଜ ହସକୁ ଲୁଗାକାନିରେ ଘୋଡେଇ ଦେଲା। ସେଦିନ ମନରେ କାନ୍ଦି ଓଠରେ ହସି ଆଖିଲୁଚେଇ କାମିନୀ କହିଲେ , " ହଁ ରେ ବାପା,ବୋହୁ ଠିକ କହୁଥିବ; ମୋର ତ ଆଉକିଛି ମନେ ରହୁନି, ବୁଢ଼ୀ ହେଇଗଲିଣି ତ!" ସେଇଠି ସଙ୍ଗେ ସଙ୍ଗେ ଜଗମୋହନ କହିଲେ, ହଁ ରେ ପୁଅ ମୁଁ ବାହାରକୁ ଗଲାବେଳେ ଗାମୁଛା ଟେ ମାଗିଲେ, ସେ ତା ସହ ଛତା, ପାଣି ବୋତଲ ବି ଆଣି ଦିଏ। ବୁଢ଼ୀ ହେଇଗଲାଣି ତ ତାର ଆଉକିଛି ମନେ ରହୁନି, ତୁ ସେ ସାଗଭଜା ଖା'ନି, ମତେ ଦେଇଦେ।" ମନେ ମନେ କହିଲେ ସେମିତିରେ ବି ସେ ଶାଗ ଖାଇବାରେ ତୋର ଯୋଗ୍ୟତା ଅନେକ ଦିନ ହେଲାଣି ତୁ ହରାଇ ବସିଲୁଣି। ସେହି ଦିନଠୁଁ କାମିନୀଙ୍କ ଆଖିରୁ ଯୋଉ ଲୁହ ଝରିବା ଆରମ୍ଭ ହେଲା ଯେ ମଶାଣି ଜୁଈରେ ଶେଷହେଲା।

ରାତିରେ ଜଗମୋହନ ଭାବିଲେ ସେ ପୁରୀ ଯିବେ ନିଶ୍ଚିତ, କିନ୍ତୁ ସେମାନଙ୍କ ସଂଗେ ନୁହେଁ। ଏକୁଟିଆ ଯିବେ। ଭୋରୁ ପିନ୍ଧିଥିବା ଧୋତିଭିତରେ ସାର୍ଟ ପୁରେଇ, ଗାମୁଛା ଖଣ୍ଡେ କାନ୍ଧରେ ପକେଇଲେ। କାଦମ୍ବିନୀକୁ ପୋଖରୀକି ଗାଧୋଇ ଯାଉଛି କହି ଘରୁ ବାହାରି ଅସିଲେ। ଆଷାଢୁଆ ପୋଖରୀଟା। ପାଣି ରେ ଉବୁଟୁବୁ। ତୁଠରେ ମନ୍ତ୍ରସ୍ନାନ ସାରି ଅଳ୍ପଦୁରରେ ଥିବା ବସ୍ ଷ୍ଟାଣ୍ଡ ରୁ ପୁରୀ ବସ୍ ଧରି, ଜଗ ବାହାରି ଆସିଲେ ଜଗା ପାଖକୁ। ଦିନ ୧୧ ଟା ପାଖାପାଖି ପୁରୀ ବସ୍ ଷ୍ଟାଣ୍ଡ ରେ ପହଞ୍ଚି ଗଲେ ବୃଦ୍ଧ ଜଗମୋହନ। ପାଖରେ ଥିବା ଏକ ଝଙ୍କାବରଗଛ ର ଚଉପାଡି ରେ ଥକ୍କାମାରି ବସି ବିଗତ ଦିନର ସ୍ମୃତିଖିଅ ସବୁ ସାଉଣ୍ଟୁ ଥିଲେ। ତାଙ୍କ ଜୀବନ କାହାଣୀଟା ତାଙ୍କୁ ଲାଗୁଥିଲା ସତେକି 'ଏକ ଅସହାୟ ଜୀବନର ଅଲୋଡ଼ା କାହାଣୀ' ଭଳି। ଏହି ସମୟରେ ଝିପିଝିପି ବର୍ଷା ହେବାରୁ ସେଠାରୁ ଉଠି ଗୋଟେ ରିକ୍ସା ଧରି ପହଁଚିଲେ ମାଉସୀମା' ମନ୍ଦିର ପାଖେ। ସେଠି ଭିଡ ଆଡେଇ ପହଞ୍ଚିଲେ ନନ୍ଦିଘୋଷ ରଥପାଖେ। ଭାଙ୍ଗି ଯାଇଥିବା ଅଣ୍ଟାକୁ ସଳଖ କରି ଅନେଇ ରହିଥିଲେ ରଥ ଉପରେ ଜଗାକୁ। ଜଗା ଆଖିରେ ତାଙ୍କ ଆଖି ମିଶିଗଲା ପରେ ତାଙ୍କୁ ଲାଗୁଥିଲା ସତେ ଯେମିତି ମୁହୂର୍ତ୍ତକ ପାଇଁ ନିଶ୍ଚଳ ହୋଇଗଲା ଏ ସଂସାର ଟା। ଘଣ୍ଟ ଘଣ୍ଟା ର ଶବ୍ଦ, ସମୂଦ୍ର ଲହରୀ ର ତରଙ୍ଗାୟିତ ଗତି, ସୂର୍ଯ୍ୟଙ୍କ ସମେତ ସମସ୍ତ ମହାଜଗତିକ ଗତି ଓ ସର୍ବୋପରି ପତିତପାବନ ବାନା ଫରଫର ହୋଇ ଉଡ଼ିବା ବନ୍ଦ କରିଦେଇଥିଲା କିଛି ସମୟ ପାଇଁ। ଆଖିରୁ ଝରିପଡୁଥିଲା ଧାର ଧାର ଲୁହ। ଦେହ ଥରୁଥିଲା ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ରୁ। କମ୍ପିଉଠୁଥିଲା ନିସ୍ତେଜ ଓଠଦୁଇଟି, ସତେକି ଅନେକ କିଛି କହିବାକୁ ଚାହୁଁଥିଲେ ହେଲେ କିଛି ବି କହିପାରୁନଥିଲେ। "ଆଜି ତୁମ ବାହୁଡା ରେ ମତେ ବାହୁଡେଇ ନିଅ ପ୍ରଭୁ।" ଶେଷରେ ଏତିକି କହି ଭିଡ଼ କାଟି ବାହାରି ଆସି ବସିଗଲେ ଅନତିଦୂରରେ ଥିବା ଏକ ପିଣ୍ଡି ଉପରେ। ଅପଲକ ନୟନ ରେ ଚାହିଁ ରହିଥିଲେ ନନ୍ଦିଘୋଷ ର ନେତ ତ୍ରଲୋକ୍ୟ ମୋହିନୀ କୁ। ରଥ ଟଣା ଆରମ୍ଭ ହେବା ମାତ୍ରେ ଟଳି ପଡିଲେ ବୃଦ୍ଧ ଜଗମୋହନ।

ବାହୁଡ଼ି ଗଲେ ଉଭୟ ଜଗ ଓ ଜଗା।

★★★


Rate this content
Originality
Flow
Language
Cover Design