ଆବାସିକ
ଆବାସିକ
{୧}
- ମୁଁ ତ଼ ଡାକ୍ତର ହେବି । ନିଶ୍ଚୟ ହେବି ।
ମୋତେ କାହିଁକି ଏ ଲିଟ୍ରେଚର୍ , ହିଷ୍ଟ୍ରୀ , ଜିଓଗ୍ରାଫି ପରି ବେକାର ସବ୍ଜେକ୍ଟ ସବୁ ପଢିବାକୁ ବାଧ୍ୟ କରାଯାଉଛି ?ମ୍ୟାଥ୍ , ସାଇନ୍ସ ଏନଫ୍ ପାପା ।
- ଓଃ! କି ଅବାନ୍ତର ? ଏଇ ସବୁ ପଢିପାଢି ଦୁନିଆସାରା ଡାକ୍ତର ବାହାରିଛନ୍ତି । ତୋର କ’ଣ ପ୍ରୋବ୍ଲେମ୍ ?
- ହଁ! ଏଇ ଭୁଲ୍ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ହିଁ ଗୋଟେ ପ୍ରୋବ୍ଲେମ୍ ପାପା ।
- ସଟଅପ୍! ବାହାନା କାଢେନା କହୁଛି । କୁଆଡ଼େ ଗଲ ?
- କ’ଣ ? କ’ଣ କହିଲୁ ବାପାଙ୍କୁ ?
- ଏ ପିଲା ଆଉଟ୍ ଅଫ୍ କଣ୍ଟ୍ରୋଲ୍ । ମନଇଛା ଯା ତା' କହୁଛି । ବୁଝା ତାକୁ, ନୋଇଲେ ମୁଁ ଅଲଟରନେଟ୍ ବ୍ୟବସ୍ଥା କରିବି ।
- ଓକେ । କୁଲ୍ । ତୁମେ ଯାଅ, ଚା' ଥଣ୍ଡା ହେଲାଣି ।
{୨}
- ତା' ଆଗରେ କିଛି କହିଲିନି । ସତରେ କିନ୍ତୁ ସେ ବିଗିଡି ଗଲାଣି । ଏଠି ସବୁବେଳେ ସାଙ୍ଗସାଥୀ । ସବୁବେଳେ ଭୋଜିଭାତ, ବୁଲାବୁଲି । ଯେତେ ବଢୁଛି, ସେତେ ମନମୁଖୀ । ତୁମେ ଯା' ଚିନ୍ତା କରିଛ କର, ମୋର କିଛି କହିବାର ନାହିଁ ।
- ଘରୁ ପଦାକୁ ଗଲେ ଯାଇ ସଜାଡିହେବେ ପିଲେ । ଆମ ସାହୁ ବାବୁଙ୍କ ଝିଅଟା ଗାୟତ୍ରୀ ରେସିଡେଣ୍ଟାଲ୍ ରେ ପଢୁଥିଲା । ଦେଖ ଏଇଥର ଓଏସ୍ ପାଇଛି ।
ସେଠି ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ଯାଏଁ, ଦେଖା ରଖା । ସେଇଠି ଖେଳକୁଦ , ସେଇଠି କୋଚିଂ ।
ଭଲ ପରିବେଶ । ମଣିଷ ତିଆରି କାରଖାନା । କହିବ ଯଦି କଥାହେବି ।
- ହଁ! ଭଲ ଯଦି , ମନାକାଇଁ କରିବି ?
{୩}
ଡଷ୍ଟବିନଟାକୁ କିଏ ଘର ସାରା ଅଜାଡି ପକେଇଛି ? ଅଧା ଖାଇବା କିଏ ପ୍ଳେଟ୍ ରେ ଛାଡ଼ିଛି ? ଏ ଟିଭି ରିମୋର୍ଟ୍ ଟା କୁଆଡ଼େ ଗଲା ? ସାଇକେଲ କୁ ଏମିତି ଢଙ୍ଗରେ ଥୋଇଛି କିଏ , ସେପଟକୁ ଯାଇ ହେଉନି ? ଖୋଜି ଆଣିଲେବି , ଏ ଘରେ ଖୁଚୁରାଟେ ମିଳୁନି ! ବାଲକୋନୀରେ ସେ ଓଦା ଲୁଗା ସବୁ କିଏ ଏମିତି ଲୋଚାକୋଚା କଲାଆସି ?
{୪}
ଘରଟା ଥରେ ଓଳାଇଦେଲେ , ଆଉ ଅସନା ହେଉନଥିଲା ଜମା । ପର୍ସରୁ ଟଙ୍କାଟିଏ ବି ଏପଟସେପଟ ହେଉନଥିଲା ଏବେ । ଖୋଜୁଖୋଜୁ ଟିଭି ରିମୋର୍ଟ୍ ମିଳିଯାଉଥିଲା । ବିସ୍କୁଟ୍ ଡବାରୁ ଖଣ୍ଡେ ବି କମୁନଥିଲା । କିଚେନ୍ ସାରା ଅମୁଲ୍ ଗୁଣ୍ଡ ବିଞ୍ଚି ହେଉନଥିଲା । ଜୋତା ଷ୍ଟାଣ୍ଡରେ ଜୋତା ସବୁ , ବହି ଥାକରେ ପୁରୁଣା ବହି ତକ , କପ ବୋର୍ଡରେ ଇସ୍ତ୍ରୀଦିଆ ବଳକା ପୋଷାକ , ଶିଢିତଳେ ସେ ଗିୟର୍ ବାଲା ସାଇକେଲ , ଟେବୁଲ୍ ଉପରେ ସେ ଭିଡ଼ିଓଗେମ୍ , କମ୍ପ୍ୟୁଟର କଡେ ଥୁଆ ସନଗ୍ଲାସ୍ ଆଉ ସେ ମେରୁନ୍ କ୍ୟାପ୍ , ଆଦି ଅନେକ କିଛି , ହଲଚଲ୍ ହେଉନଥିଲେ , ନିଜନିଜର ସାଇତା ଜାଗାମାନଙ୍କରୁ !
ସୁମିତ୍ ଫେରୁଥିଲେ ଅଫିସ୍ ରୁ । ଚା' ନେଇ ବସିପଡ଼ୁଥିଲେ ଟିଭି ପାଖରେ । ସମୟରେ ଖାଇଦେଇ ବିଛଣାରେ ଗଡିପଡୁଥିଲେ । ସକାଳୁ ସଅଳ ଉଠି , ସେ ତିଆରୁଥିଲା ବ୍ରେକଫାଷ୍ଟ୍ । ସୁମିତଙ୍କୁ ବାଏ ବାଏ କଲାପରେ , ଆଉକିଛି କାମ ନଥିଲା ଏ ଭୂତକୋଠୀରେ !
କିଛି ନିତିଦିନିଆ ମଇଳା କପଡ଼ା ରହୁନଥିଲା ଧୋଇବାକୁ । ଠିକ୍ ଦୁଇଟା ପନ୍ଦରରେ , ଖାଇବା ଗରମ କରି ,କାହାର ଆସିବା ବାଟ ଚାହିଁବାକୁ ପଡୁନଥିଲା ଆଉ । ଟିକେ ଶୋଇପଡ , ଉଠି ଟ୍ୟୁସନ୍ ଯିବୁ କହିବା ଦର୍କାର ନଥିଲା ।
- ମାମା ! ପାଣି ଗ୍ଲାସେ ଦେଲୁ ।
ରହ ଦେଉଛି କହି , ପାଣି ଧରି ତା' ପଢାଘରକୁ ଆସିବାରୁ , କେହି ନାହିଁ କେଉଁଠି ! କେହି ଆସି ପଛପଟୁ ଆଖି ବନ୍ଦକରି ଓହଳି ପଡୁନି ଆଉ !
- କୁଆଡ଼େ ଗଲୁ ସୋନୁ? ନେ ପାଣି । ଆରେ କାଇଁ ତୁ ? କେଉଁଠି ଲୁଚିଛୁ କହ ଧନ ? ପିଇଦେ ନେ , ଶୋଷ କରୁଥିବରେ .......
✿ ଅମିୟ ବେଜ୍, ଘଟଗାଁ, କେନ୍ଦୁଝର ✿