Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Tragedy

3  

srutakirti Tripathy

Tragedy

ପ୍ରେମ ପାଳନ ସପ୍ତାହ

ପ୍ରେମ ପାଳନ ସପ୍ତାହ

4 mins
667


ଫେବୃଆରୀ ମାସର ଦ୍ଵିତୀୟ ସପ୍ତାହକୁ ପ୍ରେମ ସପ୍ତାହ ରୂପେ ପାଳନ କରିବା ଭାରତରେ ପ୍ରାୟ ଏଇ କିଛି ବର୍ଷ ହେଲା ଆରମ୍ଭ ହୋଇଛି l ପ୍ରତ୍ୟେକ ବର୍ଷ ଏହି ସମୟରେ ପ୍ରେମୀମାନେ ଟିକେ ବେଶୀ ଚଳଚଞ୍ଚଳ ହୋଇ ଉଠନ୍ତି l ବର୍ଷସାରା ପ୍ରେମ ପାଳନ ହଉ ନ ହଉ ଏହି ସପ୍ତାହ ଟି ଯଦି ପାଳନ ନ ହୋଇଛି ,ତା ହେଲେ କଥା ସଇଲା l ଆଜିକାଲିର ଏଇ ଲୋକଦେଖାଣିଆ ପ୍ରେମକୁ ଦେଖି ମୋତେ ୨o ବର୍ଷ ତଳର କିଛି କଥା ମନେପଡିଗଲା ,ତାହା ଆଜି ଲେଖୁଛି l ମୋ ବାପା ସମ୍ବଲପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ କାର୍ଯ୍ୟରତ ଥିବା ବେଳର କଥା l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୋଲି ଦିନରାତି ଚବିଶି ଘଣ୍ଟା ରୋଗୀ ସେବା ପାଇଁ ଖୋଲା l ତେଣୁ ସିଫ୍ଟ ରେ କାମ କରିବାକୁ ପଡେ l ବାକି ସବୁ ସିଫ୍ଟ ରେ ଖାଇବା ପିଇବା ପାଇଁ ବିଶେଷ କିଛି ଅସୁବିଧା ହୁଏନି ,ମାତ୍ର ସନ୍ଧ୍ୟା ୬ ରୁ ରାତି ୧o ସିଫ୍ଟରେ ଘରକୁ ଫେରି ,ଖାଇଲାବେଳକୁ ରାତି ୧୧ ଟା ପରେ ହୋଇଯାଏ l ଆମ ସରକାରୀ ବାସଭବନ ଠାରୁ ଚିକିତ୍ସାଳୟର ଦୂରତା ୫ କିଲୋମିଟର ରୁ ଅଧିକ ହବ l ବାପା ଙ୍କୁ ପ୍ରାୟ ଅଧଘଣ୍ଟା ଲାଗେ ସେତକ ତାଙ୍କ ସ୍କୁଟର ରେ ଅତିକ୍ରମ କରି ଆସିବା ପାଇଁ l କିନ୍ତୁ ଯଦି କେଉଁଦିନ ରୋଗୀ ଗୁରୁତର ଅବସ୍ଥା ରେ ଆସିଲା ,କାମ ସାରି ଘରକୁ ପହଂଚିବା ଡେରି ହୁଏ l ମୁଁ ଲକ୍ଷ୍ୟ କରେ ମାଆ ଆମ ସମସ୍ତଙ୍କୁ ଖାଇବାକୁ ଦେଇ ବାପାଙ୍କ ଫେରିବା ବାଟକୁ ଅନେଇବସିଥାଏ l ଯେତେ କହିଲେ ବି ଜମା ଶୁଣେନି ,କହେ 'ରହ ତୋ ବାପା ଆସନ୍ତୁ ,ମିଶିକି ଖାଇବୁ l'ସେମିତି ଗୋଟିଏ ଜାଗାରେ ବସି ବସି କେତେବେଳେ ଆଖିକୁ ନିଦ ଆସିଯାଏ ,ହେଲେ ଖାଇନି କି ଶୋଇବାକୁ ଯାଏନି l ଭୋର ରୁ ଉଠେ ,ଦିନଯାକ ଘରକାମ ରେ ଲାଗିରହେ l ଆମମାନଙ୍କର ଅଳିଅର୍ଦ୍ଦଳି କୁ ଧୈର୍ଯ୍ୟଦେଇ ଶୁଣେ ଓ ପାରୁପର୍ଯ୍ୟନ୍ତ ପୂରଣ କରିବାକୁ ଚେଷ୍ଟା କରେ l ତା ଭିତରେ କୁଣିଆ ମଇତ୍ରଙ୍କ ଯିବା ଆସିବା ,ତାଙ୍କୁ ଆପ୍ୟାୟିତ କରି ତାଙ୍କ ସୁବିଧା ଅସୁବିଧା ବୁଝିବାରେ ତାର ପୁରାଦିନ ଚାଲିଯାଏ l ରାତି ହେଲା ମାନେ ସେ ହାଲିଆ ହୋଇଯାଏ ,କିନ୍ତୁ ବାପା ନ ଆସିଲା ଯାଏ ତାକୁ ଖାଇବାକୁ କହିବା ଯାହା ନ କହିବା ସେୟା l ବାପା ନିଜେ ବି ତାକୁ କହିବେ ,'ତୁମେ ପିଲାଙ୍କ ସାଙ୍ଗରେ ଖାଇଦେଉନ ?' ହେଲେ ସେ କଣ ଗୋଟିଏ କହି ଚତୁରତାର ସହିତ କଥାଟାକୁ ଏଡାଇଦିଏ l ଦିନେ ଏମିତି ବାପାଙ୍କର ସନ୍ଧ୍ୟା ସିଫ୍ଟ ଥାଏ,ତାଙ୍କ ଫେରିବା ଡେରି ହବ ଜାଣି ମାଆ ସବୁ ସଜାଡି ଟିଭି ଦେଖୁ ଦେଖୁ ବସିକି ଢୁଳାଉଥାଏ l ବାପା ସାମାନ୍ୟ ଡେରି କରିକି ଆସିଲେ l ସବୁଦିନ ପରି ମାଆ ବଢିବାକୁ ଗଲାବେଳେ ବାପା କହିଲେ ,ମୁଁ ଆଜି ସାଙ୍ଗମାନଙ୍କ ସହିତ ଖାଇଦେଇକି ଆସିଛି ',ଆଉ ଖାଇବିନି l ତମେ ଖାଇଦିଅ l' ମାଆ ସିନା ମୁହଁରେ କିଛି କହିଲାନି କିନ୍ତୁ ତା ମନଟା ପୁରା ନିରାଶ ହୋଇଗଲା l କହିଲା ,'ଫୋନ କରିକି ଜଣେଇଦେଇଥାନ୍ତ l ବାପା ଅନ୍ୟମନସ୍କ ହୋଇକହିଲେ 'ଭୁଲିଗଲି 'l ମାଆ ସେଦିନ ଆଉ ରାତିରେ ଖାଇଲାନି l ଆମେ ଯେତେ କହିଲୁ ଖାଇବାକୁ,ଶୁଣିଲାନି l ତା ମୁହଁର ରାଗ, ଅଭିମାନ କୁ ତ ଲୁଚେଇଦେଲା ,କିନ୍ତୁ ମନର ଉଦାସପଣ କୁ ଲୁଚେଇବାକୁ ଚାହିଁ ମଧ୍ୟ ଲୁଚେଇପାରିଲାନି I ବାପା ମଧ୍ୟ ଗ୍ଳାନିରେ ଆଉ ତା ସହିତ କିଛି କଥା ହୋଇପାରିଲେଣି ନାହିଁ l ତାଙ୍କୁ ମାଆର ନ ଖାଇବାଟା ମାଡି ମାଡି ପଡୁଥାଏ l ପୁରୁଷ ସ୍ୱାଭିମାନ ଯୋଗୁଁ କିଛି ଖୋଲିକି କହି ନ ପାରିଲେ ମଧ୍ୟ ନିଜକୁ ଦୋଷୀ ମାନୁଥାନ୍ତିl ତାଙ୍କ ମନରେ ଥିବା ଅବ୍ୟକ୍ତ ସଙ୍କୋଚର ପରିଭାଷା ସ୍ପଷ୍ଟ ଭାବେ ତାଙ୍କ ମୁଖମଣ୍ଡଳରେ ବାରି ହଉଥାଏ l ତା ପରଠୁ ବାପା କେବେ ନ ଜଣାଇ ବାହାରୁ ଖାଇକି ଆସନ୍ତିନି l ଯଦି କେବେ କିଛି ଆକସ୍ମିକ ଖାଇବା ନିମନ୍ତ୍ରଣ ଆସିଯାଏ ,ଯିବାର ଥିଲେ ଫୋନ କରି ମାଆ କୁ ଜଣାଇଦିଅନ୍ତି ତାଙ୍କୁ ଅପେକ୍ଷା ନ କରିବାପାଇଁ l

ମାଆକୁ ବାରମ୍ବାର ପଚାରିଥିବା ପ୍ରଶ୍ନର ଉତ୍ତର ସେଦିନ ମୁଁ ପାଇଯାଇଥିଲି l ତାର ବାପା ଆସିଲେ ହିଁ ଖାଇବାର ଦୃଢ ନିଷ୍ପତ୍ତି ପଛରେ ଥିବା ନିଗୁଢ଼ରହସ୍ୟଟି ମୋ ଆଗରେ ଉନ୍ମୋଚିତ ହୋଇସାରିଥିଲା l ସେହି ଘଟଣା ପରେ ଆମେ ପିଲାମାନେ ଯଦି ମାଆକୁ ଖାଇବା କଥା କହୁ ,ସେ ଖାଲି ମୁରୁକି ହସିଦିଏ l ସେ ଠିକ ଜାଣିଛି ଯଦି ସେ ବାପାଙ୍କୁ ନ ଅପେକ୍ଷା କରି ଖାଇଦେବ ,ତା ପରଠୁ ବାପାଙ୍କ ସହିତ ଏକାଠି ବସି ଖାଇବାର ସେ ଅତ୍ମୀୟତା ଏବଂ ତାଙ୍କୁ ତୃପ୍ତିରେ ଭୋଜନ କରୁଥିବାର ଦେଖି ସ୍ତ୍ରୀ ମନର ଶାନ୍ତି ତାକୁ ଆଉ ମିଳିବନି l ବାପା, ମାଆ ପାଇଁ କେବେ ଗୋଲାପଫୁଲ କି ଚକୋଲେଟ ଆଣିବାର ମୁଁ ଦେଖିନି ,କିନ୍ତୁ ମାଆର ଜନ୍ମଦିନରେ ଏବଂ ତାଙ୍କ ବିବାହବାର୍ଷିକୀ ଦିନ ତା ପସନ୍ଦର ମଲପୁଆ କି ଛେନାପୋଢ ଆଣିବାକୁ ଭୁଲିବାର ମୁଁ ଦେଖିନି l କେବେ ସିନେମାହଲ ଯାଇ ଚଳଚ୍ଚିତ୍ର ଦେଖିବାର ଦେଖିନି ,ହେଲେ ୭o କିମ୍ବା ୮o ଦଶକର ମାଆର ପସନ୍ଦର କଳାକାର ଅଭିନୀତ କୌଣସି ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହଉଥିଲେ ସବୁକାମ ଛାଡି ବାପା ତାଙ୍କ ସହିତ ମିଶିକି ଦେଖିବାକୁ ବାଧ୍ୟ କରିବା ଦେଖିଛି l ସାବିତ୍ରୀବ୍ରତ ଦିନ ପୁରାଦିନ ଖାଡା ଉପବାସ ରେରହିଲା ପରେ ମାଆ ପୂଜାଥାଳ ଧରି ବାପାଙ୍କୁ ମୁଣ୍ଡିଆ ମରିସାରିଲାପରେ ,ବାପା ପୂର୍ବରୁ ନିଜ ହାତ ରେ ପ୍ରସ୍ତୁତ କରିରଖିଥିବା ସାଗୁ ,କଦଳୀ ,ନଡ଼ିଆ ଚକଟା ମାଆ ହାତକୁ ବଢ଼େଇଦେଇ ସବୁତକ ଶେଷ କରିବାର ତାଗିଦ ଏବେବି ମୋ ସ୍ମୃତିପଟରୁ ଲିଭିନି l ଏଇ ପ୍ରେମ ସପ୍ତାହ ପାଳନର ନୂଆ ନୂଆ ପ୍ରଣାଳୀ ଏବେଯାଏଁ ମୋ ମନକୁ ଛୁଇଁପାରିନି କାରଣ ପ୍ରେମକୁ ପରିପ୍ରକାଶ କରିବା ପାଇଁ ପୁରା ବର୍ଷଟା ଯାକରେ କଣ ଏଇ ଗୋଟିଏ ସପ୍ତାହ ଯଥେଷ୍ଟ ? ଉପହାର ,ଫୁଲ ,ଚୋକଲେଟ କଣ ଏହିସବୁ ହିଁ ପ୍ରେମକୁ ମାପିବାର ମାପକାଠି ? ବୋଧହୁଏ ମୁଁ ଟିକିଏ ପଛୁଆ l ସେ ଆଧୁନିକତାକୁ ମୁଁ ଗ୍ରହଣ କରିପାରୁନି l ମୋ ମତରେ ପ୍ରେମର ପରିଭାଷା ଏବେବି ବିନା କଥୋପକଥନରେ ଦୁହେଁ ଦୁହିଁଙ୍କ ମନର ଅବସ୍ଥା ପଢିନେବା l ସୁଖ ହଉ କି ଦୁଃଖ ସବୁବେଳେ ଛାଇ ଭଳି ପାଖେ ପାଖେରହି ଉଭୟେ ଉଭୟଙ୍କର ଯତ୍ନନେବା l ଜୀବନର ଚଲାପଥରେ ଏମିତି ସାଥିଟିଏ ଯଦି ମିଳିଯାଏ ,ଯାହାକୁ ନିଜର ଟିକିନିକି କଥା ନିଃସଂକୋଚରେ କହିହଉଥିବ I ନିଜର ଛୋଟବଡ ଆବଶ୍ୟକତା ନିର୍ଦ୍ବନ୍ଦରେ ବରାଦ କରାଯାଇପାରୁଥିବ ଏବଂ ବେଳେବେଳେ ନିରଙ୍କୁଶ ଭାବରେ ତା ଉପରେ ନିଜର ଆଧିପତ୍ୟ ଜାହିର କରିହଉଥିବ l ଏସବୁ କରିବାପରେ ଯଦି ପ୍ରେମ ଅତୁଟରହିଲା ,ତା ହେଲେ ସେହି ପ୍ରେମ ସଫଳ ବୋଲି କହିପାରିବା l କିନ୍ତୁ ଏବେତ ସମ୍ପୂର୍ଣ୍ଣ ପ୍ରେମ ସପ୍ତାହ ପାଳନ କଲାପରେ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବଶୀଘ୍ର ହୋଇଯାଏ ପ୍ରେମ ବିଚ୍ଛେଦ l ପ୍ରେମ ହେବାପାଇଁ ବେଶୀ ସମୟ ଲାଗେନା ଏବଂ ହଠାତ ଶୁଣିବାକୁ ମିଳେ ବିଚ୍ଛେଦର ଖବର l ମାତ୍ର ଆଶ୍ବସ୍ତିର ବିଷୟ ଯେ ନା ପ୍ରେମିକ କିମ୍ବା ପ୍ରେମିକା, କାହାକୁ ହେଲେ ଟିକେ ମଧ୍ୟ ଏହି ଘଟଣା ସବୁ ପ୍ରଭାବିତ କରିପାରେନି l ସେମାନେ ପୁଣିଥରେ ପସନ୍ନ ଓ ପ୍ରଫୁଲ୍ଲ ମନରେ ଲାଗିପଡନ୍ତି ଭିନ୍ନ ଏକ ସାଥିଟିଏ ଖୋଜିବାରେ l ସତରେ ସେଇ ପୁରୁଣା ଦିନ ସବୁକୁ ମନେପକେଇଲେ ଆଜିର ଏହି ପ୍ରେମ ସପ୍ତାହ ପାଳନ ବିଷୟଟି ତା ଆଗରେ ଫିକା ପଡ଼ିଯାଏ !ମନରେ ପୁଣି ସେଇ ପ୍ରଶ୍ନ ଉଙ୍କିମାରେ ପ୍ରେମ ସପ୍ତାହ ପାଳନ କରିବାଦ୍ୱାରା ତାର ପ୍ରଭାବ କଣ ପ୍ରେମ ଜୀବନ ଉପରେ ପଡେ ?


Rate this content
Log in

Similar oriya story from Tragedy