Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

କରି କରାଉ ଥାଏ ମୁହିଁ

କରି କରାଉ ଥାଏ ମୁହିଁ

4 mins
7.8K


ଅପୁତ୍ରିକ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁ ଭକ୍ତିର ପରମ ପରାକାଷ୍ଠା ନେଇ ରାଜୁତି କରୁଥାନ୍ତି । ରାଣୀ ଗୁଣ୍ଡିଚା ସ୍ୱପ୍ନାଦେଶରେ ଆବିଷ୍ଟ । ଦେଖୁଛନ୍ତି ସ୍ୱୟଂ ମହାବିଷ୍ଣୁ ତାଙ୍କ କୋଳ ମଣ୍ଡନ କରିଛନ୍ତି । ତାଙ୍କୁ ଆଦେଶ ଦେଉଛନ୍ତି ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ପଂଚକ୍ରୋଶୀ କ୍ଷେତ୍ରରେ ସମୁଦ୍ର କୁଳରେ ଯେଉଁଠାରେ ସେ ବିରାଜମାନ ହେବେ ଏବଂ ତାଂକୁ ମାତୃତ୍ଵର ଗୌରବରେ କରିବେ ମହିମା ମଣ୍ଡିତ ।

ରାଣୀ ଗୁଣ୍ଡିଚାଙ୍କ କଥାକୁ ବିଶ୍ଵାସ ନ କରିବାର ପ୍ରଶ୍ନ ହିଁ ଉଠେନା । କାରଣ ରାଜା ମଧ୍ୟ ସେହି ଏକା ସ୍ୱପ୍ନରେ ଆବିଷ୍ଟ ହେଉଛନ୍ତି ଅନେକ ଦିନରୁ । ଖାଲି ପ୍ରକାଶ କରି ପାରୁ ନଥିଲେ । ମୂର୍ତ୍ତି କିନ୍ତୁ ଝାପସା ସ୍ଵପ୍ନରେ ଆସି ଚାଲିଯାଏ ବାରଂବାର । ପଥର ମୂର୍ତ୍ତି ନୁହେଁ କିଛି ଅଦ୍ଭୁତ ଧରଣର ମୂର୍ତ୍ତି । ଦେଖାଦେଇ ପୁଣି ଲୁଚି ଯାଉଛି । ପଣ୍ଡିତମାନେ ତର୍ଜମା କରି କହିଲେ ଚାରି ଦିଗରେ ସୈନ୍ୟ ପଠାଯାଉ ସେହି ଦିବ୍ୟ ମୂର୍ତ୍ତି ର ସଂଧାନ କରିବାକୁ ।

ବିଦ୍ୟାପତି ନାମରେ ସୁଠାମ ସାମନ୍ତ ଯୁବକ ଏକ ଦଳର ନେତୃତ୍ଵ ନେଇ ଗଲେ । ଜଂଗଲ ରାଜ୍ୟରେ ପଥହରା ହୋଇ ଭେଟିଲେ ଏକ ଶ୍ୟାମାଂଗି ଗଜଗାମିନୀ ଯୁବତୀଙ୍କୁ । କେହି କାହା ଭାଷା ନବୁଝିଲେ ବି ହୃଦୟର ଭାଷା ବୁଝିବାରେ ଅସୁବିଧା ନାହିଁ । ପରଦେଶୀ ଯୁବକ ବାଟ ଭୁଲି କ୍ଷୁଧା ତୃଷାରେ ଆତୁର ହେଉଛନ୍ତି । ଅତିଥି ସେବା କରିବା ପାଇଁ ସୁଯୋଗ ଦେବାକୁ ଇସାରା ଦେଇ ବାଟ କଢାଇ ନେଲେ ଉଆସକୁ । ମୃଗନୟନୀଙ୍କ ସମ୍ମୋହନରେ ଆକର୍ଷିତ ହୋଇ ଯନ୍ତ୍ରବତ୍ ବିଦ୍ୟାପତି ପହଂଚିଲେ ଲଳିତାଙ୍କ ଉଆସରେ । କିଛିଦିନ ରହିବା ପରେ ପରସ୍ପର ଭାଷା ଅଳ୍ପ ଅଳ୍ପ ବୁଝବାକୁ ପରସ୍ପର ସମର୍ଥ ହେଲେଣି । ଲଳିତା ବାପାଙ୍କୁ ପ୍ରସ୍ତାବ ଦେଲେଣି ପରଦେଶୀଙ୍କୁ ଭାବୀ ରାଜା ଘୋଷଣା କରିବାକୁ । ବିଶ୍ଵାବସୁ ଠିକ ଚିହ୍ନନ୍ତି ଏ ସହରୀ ମାନଙ୍କୁ । ସେମାନେ ବିଶ୍ଵାସରେ ବିଷ ଦେବାକୁ ତିଳେ ପଶ୍ଚାତ ପଦ ହେବେ ନି । ଦେଖାଯାଉ କେଉଁ ପାଣି କୁଆଡକୁ ଯାଉଛି !

ଶବର ରାଜା ବିଶ୍ଵାବସୁ ନୀଳମାଧବଙ୍କ ଗୁପ୍ତ ସେବା ନସାରି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ । ଏହା ତାଙ୍କର ବଂଶାନୁକ୍ରମିକ ଆମଦାନୀ । ଘରେ ରାଣୀଙ୍କ ଛଡା ଜୁଆନ ଝିଅ ଲଳିତା । ନୀଳମାଧବଙ୍କ ଦିବ୍ୟ ଜ୍ୟୋତି ସେ ଗୁମ୍ଫାରେ ଝଟକିବା କିଏ ଦେଖିବ ବୋଲି ଘଂଚ ଜଂଗଲ ବଢାଇଛନ୍ତି ବିଶ୍ଵାବସୁ । ଦୁତୀୟ କେହି ଦେଖିବାର ସୁଯୋଗ ପାଇ ପାହାନ୍ତି ନୀଳମାଧବଙ୍କୁ ।

ବିଦ୍ୟାପତି ଦେଖନ୍ତି ବିଶ୍ଵାବସୁ ନିତ୍ୟକର୍ମ ସାରି ଅତି ସନ୍ତର୍ପଣରେ ବାହାରି ଯାଆନ୍ତି ଜଂଗଲକୁ ହାତରେ ଭୋଗଡାଲା ଧରି । ପଚାରିଲେ ଲଳିତା ଉତର ଦିଅନ୍ତି ଦିଅଁ ପୂଜା କରିବାକୁ ଯାଉଛନ୍ତି । "ଦିଅଁ ପୂଜିବାକୁ କେହି କ'ଣ ଲୁଚିଲୁଚି ଯାଏ" ଆଶ୍ଚର୍ଯ୍ୟ ହୁଅନ୍ତି ବିଦ୍ୟାପତି । ଲଳିତା ରୋକଠୋକ ଶୁଣାଇ ଦିଅନ୍ତି କୌଣସି ପରିସ୍ଥିତିରେ ବାପା କାହାରିକୁ ତାଂକ ଦିଅଁ ଦେଖିବାକୁ ଦେବେ ନାହିଁ । ଉପଯୁକ୍ତ ସମୟ ନଆସିଲେ ମତେ ମଧ୍ୟ ନୁହେଁ ।

ବିଦ୍ୟାପତିଙ୍କୁ ହୁଏ ସ୍ୱପ୍ନାଦେଶ, ତାଙ୍କ ଅଭୀପ୍‌ସିତ ଦିଅଁ ଏଇଠି ଅଛନ୍ତି । ଚଳଚଂଚଳ ହୋଇ ଉଠନ୍ତି ସେ । ଲଳିତାଙ୍କ ଠାରୁ ତଥ୍ୟ କୌଶଳ କ୍ରମେ ସଂଗ୍ରହ କରନ୍ତି ବିଶ୍ଵାବସୁ ଅପୁତ୍ରିକ ହୋଇଥିବାରୁ ଯଦି ଲଳିତାଙ୍କ ବିବାହ ହୁଏ ତେବେ ଲଳିତାଙ୍କୁ ଦିଅଁ ଦର୍ଶନର ସୁଯୋଗ ମିଳିବ । ଏ କି ବିଡମ୍ବନା ବିଧିର । ବିଦ୍ୟାପତି ଆର୍ଯ୍ୟ ଓ ଲଳିତା ଯେ ଅନାର୍ଯ୍ୟ । ତାଙ୍କ ଈପ୍‌ସିତ କାର୍ଯ୍ୟ ସିଦ୍ଧି ପାଇଁ ଲଳିତାଙ୍କୁ ବିବାହ କରିବାକୁ ପଡିବ ତାହା ହେଲେ ।

ଚତୁର ବିଦ୍ୟାପତି ପ୍ରସ୍ତାବ ଦେଲେ ଲଳିତାଙ୍କୁ ବିବାହ କରିବାକୁ । ବିଶ୍ଵାବସୁଙ୍କ ଖୁସି ମଧ୍ୟରେ ମନରେ ଖଟକା କାହିଁକି ଲାଗୁ ଥାଏ । ବିବାହ ପରେ ବିଦ୍ୟାପତିଙ୍କ ପ୍ରରୋଚନାରେ ଲଳିତା ଜିଦ୍ କଲେ ବାପାଙ୍କୁ "ସେତ ତୁମ ପରିବାରରେ ମିଶିଲେ, ଏଥର ତାଙ୍କୁ ଦିଅଁ ଦେଖାଅ ।" ବିଶ୍ଵାବସୁ ସର୍ତ୍ତ ରଖିଲେ ଆଖିରେ ଅଂଧପୁଟୁଳି ବାଂଧି ସେ ଦିଅଙ୍କ ପାଖକୁ ନେବେ ।

ଚତୁର ବିଦ୍ୟାପତି ପୁଣି ଇଷ୍ଟ ସ୍ମରଣ କଲେ । ମନକୁ ବୁଦ୍ଧି ଆସିଲା । ଅଣ୍ଟିରେ ସୋରିଷ ମୁଠାଏ ବାନ୍ଧି ଛୋଟ କଣାଟିଏ କରିଦେଲେ । ଦିଅଁଙ୍କ ପାଖରେ ପହଂଚିଲା ପରେ ବିଶ୍ଵାବସୁ ଯେତେବେଳେ ଆଖିରୁ ଅନ୍ଧପୁଟୁଳି ଖୋଲିଲେ ବିଦ୍ୟାପତିଙ୍କ ଚକ୍ଷୁ ଝଲସି ଉଠିଲା ଦିବ୍ୟ ଜ୍ୟୋତିରେ ।

ଅନ୍ଧ ହୋଇଯିବେକି ସେ । ଧୀରେ ଧୀରେ ଇଷ୍ଟ ସ୍ମରଣ କରି ପ୍ରକୃସ୍ଥିତ ହେଲେ ସେ । ପୁଣି ଆଖିରେ ଅନ୍ଧପୁଟୁଳି ବାନ୍ଧି ଫେରାଇ ଆଣିଲେ ବିଶ୍ଵାବସୁ । ବିଦ୍ୟାପତି ନିଶ୍ଚିତ ହେଲେ ଏହି ତାଙ୍କ ଆରାଧ୍ୟ । ଜଗତ ଉଦ୍ଧାରକାରୀ ପତିତପାବନ ଘଂଚ ଜଂଗଲରେ ଅବରୁଦ୍ଧ ।

ବର୍ଷା ଦିନ ଆଗତ ହୁଅନ୍ତେ ଶୋରିଷ ଗଛକୁ ଅନୁସରଣ କରି ବିଦ୍ୟାପତି ପହଂଚିଲେ ତାଙ୍କ ଲକ୍ଷ ସ୍ଥଳରେ । ଦିବ୍ୟ ମୂର୍ତ୍ତିକୁ ଧରି ଆସିଲେ । ବିଧିର ବିଧାନ ଥିଲା ଭିନ୍ନ । ମୂର୍ତ୍ତି ଉଭାନ ହୋଇ ବାଂକି ମୁହାଣରେ ଦାରୁ ରୃପେ ଭାଷିଲେ ଏବଂ ସ୍ୱୟଂ ବିଶ୍ଵକର୍ମା ବୁଢା ମହାରଣା ଭାବରେ ଉଭା ହୋଇ ଚତୁର୍ଦ୍ଧା ମୂର୍ତ୍ତି ଗଠନ ପାଇଁ ଇଛା ପ୍ରକଟ କଲେ । ସର୍ତ୍ତ ରହିଲା କୌଣସି ପରିସ୍ଥିତିରେ ଯେପରି ତାଙ୍କ ବିନାନୁମତିରେ କେହି ଦ୍ୱାର ନଖୋଲନ୍ତି । କିନ୍ତୁ ରାଣୀ ଗୁଣ୍ଡିଚା ଧୈର୍ଯ୍ୟହରା ହୋଇ ଦ୍ୱାର ଖୋଲିଦେବାରୁ ଶିଳ୍ପୀ ଉଭାନ ହୋଇଗଲେ ଏବଂ ମଂଦିରରେ ଥିଲେ ହସ୍ତପଦ ହୀନ ଚତୁର୍ଦ୍ଧା ମୂର୍ତ୍ତି । ଉପନିଷଦର "ଅପାଣିପାଦୋ ଜବନ ଗ୍ରହୀତା ପଶ୍ୟତ୍ୟଚକ୍ଷୁ ଶ୍ଚଶ୍ରୋତ୍ୟ କର୍ଣ୍ଣକୁ ରୂପ ଦେବା ବୋଧହୁଏ ଥିଲା ବିଧିର ବିଧାନ । ଏଡେ ଭବ୍ୟ ମଂଦିରକୁ ନେଇ ଭବିଷ୍ୟତ ବଂଶଧର କାଳେ ଗର୍ବ କରିବେ ରାଜା ଇନ୍ଦ୍ରଦ୍ୟୁମ୍ନ ଠାକୁରଙ୍କୁ ମାଗୁଣି କରୁଥିଲେ "ପ୍ରଭୁ ଏହାକୁ ମୋର କହିବାକୁ ମୋ ବଂଶରେ କେହି ନରହୁ ।" ମର୍ତ୍ତ ବୈକୁଣ୍ଠ ସାରା ବିଶ୍ଵରେ ହେଲା ଅନନ୍ୟ ତୀର୍ଥ ସ୍ଥଳୀ, କ୍ଷେତ୍ର ମହିମା ଏବଂ ଅନନ୍ୟ ପରଂପରାକୁ ପାଥେୟ କରି ।

ରାଜାଦେଶରେ ବିଦ୍ୟାପତି ଲଳିତାଙ୍କୁ ସସମ୍ମାନେ ନେଇ ଆସିଲେ ପୂରୁଷୋତ୍ତମ କ୍ଷେତ୍ରକୁ ଏବଂ ଆର୍ଯ୍ୟ ଅନାର୍ଯ୍ୟର ମହାମିଳନରୁ ବିଦ୍ୟାପତି ବଂଶଧର ହେଲେ ଦୟିତା ପତି । ସ୍ନାନ ପୂର୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ତନ୍ତ୍ର ମନ୍ତ୍ର ପୂଜାର ଗଣ୍ଡିରୁ ବାହାରି ଶ୍ରଦ୍ଧା ରୂପକ ପୂଜାରେ ହୁଅନ୍ତି ହର୍ଷୋତଫୁଲ୍ଲ । ବିଦ୍ୟାପତି ଅନୁଭବ କଲେ ଜଗା ହାତରେ ପଘା ଧରି ଯେପରି କରାଉଥିଲା ସେ କେବଳ ସେହିପରି କରିଥିଲେ । ତେଣୁ ସେ ନିର୍ମଳ ଚିତ୍ତରେ ଗାଇଲେ:

ତ୍ୱୟଂ ହୃଷିକେଶ ହୃଦେ ସ୍ଥିତେନ ଯଥା ନିଯୁକ୍ତୋସି ତଥା କରୋମି..........


Rate this content
Log in